Unknown

 

 

 

 

 

 

 

 

 

ଛେଳି ଚରେଇବାର ଦିନ

ଗୌରହରି ଦାସ

 

କାରାଗାର

ଏକ

 

ଦିଇଟି ହାରିଯାଇଥିବା ମଣିଷଙ୍କ ପରି ମୁଁ ଓ ହମିଦ୍‌ପୁଲିସ ଷ୍ଟେସନ୍‌ ଆଗରେ ଛିଡ଼ା ହୋଇଥିଲୁ । ବାଥା ପୁଲିସ ଷ୍ଟେସନ୍‌ର ଫାଟକ ପାଖ ପହରା ଜାଗାରେ ଦି’ଜଣ ପୁଲିସ କର୍ମଚାରୀ ବସିରହିଥିଲେ । ଜଣେ କିଛି ଗୋଟାଏ ମନଦେଇ ପଢ଼ୁଥିଲା । ତା’ର ପଢ଼ିବାର ଭଙ୍ଗୀ, ମୁଣ୍ଡ ହଲେଇବାର ଢଙ୍ଗ ଏବଂ ଅର୍ଦ୍ଧନିମୀଳିତ ଆଖିରୁ ବୁଝାପଡ଼ୁଥିଲା ଯେ ସେ କିଛି ଗୋଟାଏ ଧର୍ମପୁସ୍ତକ ପଢ଼ୁଥିଲା । ଦ୍ୱିତୀୟ ପୁଲିସ ଜଣକ ଟେଲିଫୋନ୍‌ରେ କାହା ସହ କଥା ହେଉଥିଲା । ସେ ଏଡ଼େ ବଡ଼ପାଟିରେ କଥା ହେଉଥିଲା ଯେ ତା’ର ସବୁକଥା ଓ କଥା ମଝିରେ ହୋ ହୋ ହସ ରାସ୍ତା ଶେଷ ପର୍ଯ୍ୟନ୍ତ ପରିଷ୍କାର ଶୁଭୁଥିଲା । ଦି’ଜଣ ଯାକ ପାଖାପାଖି ବସିଥିଲେ ବି ଦିହେଁ ଅଲଗା ଅଲଗା ପୃଥିବୀରେ ଥିଲେ । ସେମାନେ କେହି ଆମ ଆଡ଼କୁ ଥରୁଟିଏ ପାଇଁ ଚାହୁଁ ନ ଥିଲେ ।

ସେଇ ପହରା ଜାଗାଠାରୁ ଟିକିଏ ଦୂରରେ ଗୋଟେ କମଳା ଗଛ ରାସ୍ତାପଟକୁ ନୋଇଁପଡ଼ିଥିଲା । ଆମେ ତାଆରି ଛାଇରେ ବସିଥିଲୁ ଓ ଆଶା କରୁଥିଲୁ ଯେ କୌଣସି ଜଣେ ପହରାଦାର ପୁଲିସ ନଜରରେ ଆମେ ନିଶ୍ଚୟ ପଡ଼ିବୁ । ସେମିତି ଅବସ୍ଥାରେ ଢେର୍‌ସମୟ ଆମେ ବସିରହିଲୁ । ଏହା ଭିତରେ ଜଣେ ଦି’ଜଣ ଆରବୀ ଲୋକ ବ୍ୟସ୍ତ ପାଦରେ ଥାନା ଭିତରକୁ ଯାଇଥିଲେ ଓ ତିନିଚାରିଜଣ ଥାନା ଭିତରୁ ଟହଲମାରିଲା ଭଙ୍ଗୀରେ ବାହାରକୁ ଆସିଥିଲେ; ମାତ୍ର ସେମାନେ କେହି ଆମ ଆଡ଼କୁ ଦୃଷ୍ଟିଦେଇ ନ ଥିଲେ । ସେମାନଙ୍କ ପାଇଁ ସତେ କି ଆମେ ଦି’ଜଣ ଥିଲୁ ଦିଇଟି ଅଦୃଶ୍ୟ ପ୍ରାଣୀ । କିଛି ସମୟ ପରେ ଗୋଟେ ପୁଲିସ ଭ୍ୟାନ୍‌ଥାନା ହତାରୁ ବାହାରକୁ ଆସିଲା । ଆମେ ବସିବା ଜାଗାରୁ ଉଠି ଠିଆ ହୋଇପଡ଼ିଲୁ ଏବଂ ସେଇ ଭ୍ୟାନ୍‌ଆଡ଼କୁ ଚାହିଁଲୁ । ଭ୍ୟାନ୍‌ଟି ଟିକିଏ ଅଟକିଲା, ତା’ପରେ ଡ୍ରାଇଭରଟି ରାସ୍ତା ଦି’ କଡ଼ରେ ଠିଆ ହୋଇଥିବା ଅନ୍ୟ ଗାଡ଼ିଗୁଡ଼ିକ ଆଡ଼େ ଅନେଇଦେଇ ତା’ ବାଟରେ ଚାଲିଗଲା । ହତାଶ ହୋଇ ଆମେ ଗଛକୁ ପୁଣି ଆଉଜି ପଡ଼ିଲୁ ।

ଆମେ ଯେତେବେଳେ ବି ଭାବୁଥିଲୁ ଯେ ଫୋନ୍‌ରେ କଥା ହେଉଥିବା ପୁଲିସର କଥା ସରିଯିବ ଏବଂ ସେ ଆମ ଆଡ଼କୁ ଚାହିଁବ ସେତେବେଳେ ଆମେ ପହରା ଜାଗା ଆଡ଼କୁ ଟିକିଏ ଆଗେଇ ଯାଉଥିଲୁ । ଆମର ସେମିତି ଭାବିବା କିନ୍ତୁ ଭୁଲ୍‌ଥିଲା । କାରଣ ଗୋଟାଏ ଫୋନ୍‌ସରିବା କ୍ଷଣି ସେ ଆଉଗୋଟେ ନମ୍ବର ଲଗଉଥିଲା ଏବଂ ପୁଣି ଲମ୍ବା ବାର୍ତ୍ତାଳାପରେ ଲାଗିଯାଉଥିଲା । ମଝିରେ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ସେ ନଷ୍ଟ କରୁ ନ ଥିଲା । ଧର୍ମଗ୍ରନ୍ଥ ପଢ଼ୁଥିବା ପୁଲିସଟି ତା’ ପଢ଼ାରେ ଏତେ ମଜ୍ଜିଯାଇଥିଲା ଯେ ଆମକୁ ଲାଗୁ ନ ଥିଲା ତା’ର ପଢ଼ା ଭବିଷ୍ୟତରେ କେବେ ସରିବ ଏବଂ ସେ ଆମ ଆଡ଼କୁ ଅନେଇବ ।

ଆମେ ସେଇ ପହରା ଜାଗା, ଯେଉଁଟା ଗୋଟେ ବଡ଼ ବାକ୍ସ ଆକୃତିର ଥିଲା, ତା’ ସାମ୍ନାରେ ଦି’ ଚାରିଥର ଏପଟସେପଟ ହେଲୁ । ମାତ୍ର, ସେ ଦି’ଜଣଙ୍କ ଭିତରୁ କେହି ଆମ ଆଡ଼କୁ ଦୃଷ୍ଟି ଦେଲେ ନାହିଁ ।

ଆମେ କେତେଥର ଏମିତି କଥା ଶୁଣିଛୁ ଯେ ଏ ଦେଶରେ ଘରେ ପରିଚୟପତ୍ର ଛାଡ଼ି ହାଟ ବା ମସ୍‌ଜିଦ୍‌କି ଅନ୍ୟ କୌଣସି ଜାଗାକୁ ଯାଇଥିବା ଲୋକ ବାଟରେ ଧରାପଡ଼ି ଗିରଫ ହୋଇଛନ୍ତି । ମାତ୍ର ଆମ ବେଳକୁ କାହିଁ ସେମିତି କିଛି ଘଟଣା ଘଟୁନାହିଁ । ଆମେ ଗୁଡ଼ାଏ ଦିନ ହେଲା ବିନା ପରିଚୟପତ୍ରରେ ପରିବା ହାଟରେ ବୁଲିଛୁ; ମାଛ ମାର୍କେଟ୍‌ଓ ଜନଗହଳିପୂର୍ଣ୍ଣ ବସ୍‌ଷ୍ଟାଣ୍ଡ୍‌ପାଖରେ ଘୂରାଫେରା କରିଛୁ; କାଳେ ଆମକୁ ଗିରଫ କରାଯିବ । ଅନେକ ସମୟରେ ଆମରି ସାମ୍ନା ଦେଇ ପୁଲିସ କର୍ମଚାରୀମାନେ ଯାଇଛନ୍ତି, ମାତ୍ର ଆମକୁ ଦେଖିନାହାନ୍ତି । ତାଙ୍କ ଭିତରୁ କେହି ଜଣେହେଲେ ଆମକୁ ଅଟକେଇ ଆମ ପରିଚୟ ପଚାରିନାହିଁ । କେହି ଆମକୁ ସନ୍ଦେହ କରିନାହାନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା, ନମାଜ ପାଠ ସମୟରେ ଆମେ ମସ୍‌ଜିଦ୍‌ ଭିତରକୁ ନ ଯାଇ ବେଆଇନ ଭାବେ ବାହାରେ ବୁଲିଛୁ, ତଥାପି ଆମକୁ କେହି ସନ୍ଦେହ କରି ଅଟକେଇ ନାହିଁ କି କିଛି ପଚାରିନାହିଁ, କେହି ଆମଠୁଁ ତଲାସି ନେଇନାହିଁ । ଦିନର ବିଭିନ୍ନ ସମୟରେ ଓ ସହରର ବିଭିନ୍ନ ମସ୍‌ଜିଦ୍‌ ସାମ୍ନାରେ ଆମେ ଦିହେଁ ଏମିତି ଘୂରାଫେରା କରି ପୁଲିସ ଓ ପହରାଦାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଚେଷ୍ଟା କରିଛୁ । ଆମର ଦୁର୍ଭାଗ୍ୟକୁ କାହାରି ନଜର ଆମ ଉପରେ ପଡ଼ିନାହିଁ । ଦିନେ ତ ମୁଁ ଜାଣିଜାଣି ଜଣେ ପୁଲିସ କର୍ମଚାରୀର ପାଦକୁ ମାଡ଼ିଦେଇଥିଲି । ସେ ମୋ ଉପରେ ରାଗିବା ବଦଳରେ ମୋତେ ସଂଭ୍ରମର ସହ ଚାହିଁଥିଲା ଏବଂ ନିଜେ ଭୁଲ୍‌କରିଥିବା ପରି କ୍ଷମା ମାଗି ପଳେଇଯାଇଥିଲା । ସତରେ, ଆମେ ଆମର ବିପଦକୁ ଲାଗିପଡ଼ି ଖୋଜୁଛୁ; କିନ୍ତୁ ତାହା ସହ ଆମର ଭେଟ ହେଉନାହିଁ ।

ସବୁଆଡ଼ୁ ନିରାଶ ହୋଇ ଶେଷରେ ଆମେ ଆଜି ଆସି ଥାନା ଆଗରେ ଠିଆହେଇଛୁ, ତଥାପି କିଛି ଘଟଣା ଘଟୁନାହିଁ । କିଛି ସମୟ ପରେ ଆମେ ଭାବିଲୁ ଏଇ ଦୁଇ ପହରାଦାର ପୁଲିସଙ୍କୁ ଟପି ଆମେ ଥାନା ଭିତରକୁ ପଶିଯିବୁ । ହମିଦ୍‌ଠାରୁ ଏପ୍ରକାର ପରାମର୍ଶ ଶୁଣିବାକ୍ଷଣି ମୁଁ ବସିବା ଜାଗାରୁ ଉଠିପଡ଼ି ଚାଲିବାକୁ ଆରମ୍ଭ କଲି, ସତେ କି ଏମିତି ଗୋଟେ ପ୍ରସ୍ତାବ ପାଇଁ ମୁଁ ଅପେକ୍ଷା କରିଥିଲି । ଅଧିକ ସମୟ ଗୋଟାଏ ଜାଗାରେ ଅପେକ୍ଷା କରିବାକୁ ଆଉ ଧୈର୍ଯ୍ୟ ନାହିଁ । ଆମେ ଲୁହା ଫାଟକ ପାରିହେଇ ଭିତରକୁ ପଶିବାବେଳକୁ ସେ ଦି’ଜଣଙ୍କ ଭିତରୁ ଜଣେ ମୁହଁ ଉଠେଇ ଚାହିଁଲା ଓ ଆମକୁ ଡାକିଲା । ଆମେ ତା’ଆଡ଼େ ଚାହିଁ କହିଲୁ, ‘ଆମର ସାହାବଙ୍କ ପାଖରେ କାମ ଅଛି ।’ ସେ ଆମକୁ ଇସାରାରେ ଯିବା ପାଇଁ ଅନୁମତି ଦେଇଦେଲା ଏବଂ ପୁଣି ତା’ ନିଜ କାମରେ ଲାଗିଗଲା ।

ଆମେ ଥାନା ଭିତରକୁ ପଶି ଉପରକୁ ଉଠିଥିବା ଶିଡ଼ିର ପାହାଚ ଚଢ଼ିଲୁ । ଦି’ପଟରେ ବଡ଼ ବଡ଼ କବାଟ ଏବଂ ତା’ ଉପରେ କୋରାନ୍‌ର ପଦଗୁଡ଼ିକ ଲେଖାଥାଏ । ଗୋଟେ ଜାଗାରେ ନୋଟିସ୍‌ବୋର୍ଡ ଏବଂ ସେହି ବୋର୍ଡରେ ପିନ୍‌ଲଗାଯାଇ ସଜାହେଲା ପରି କିଛି ନୋଟିସ୍‌ ଲାଗିଥାଏ-। ସେଇ ପାଖରେ କିଛି ପୁଲିସ କର୍ମଚାରୀ ଖୁବୁସ୍‌ (ରୋଟି) ଖାଉଥିଲେ ଏବଂ କହୱା (ଚା) ପିଉଥିଲେ-। ସେମାନେ ପରସ୍ପର ଭିତରେ ବେଶ୍‌ ବଡ଼ପାଟିରେ କଥାଭାଷା ହେଉଥିଲେ । ଆମ ଦି’ଜଣଙ୍କୁ ଦେଖି ତାଙ୍କ ଭିତରୁ ଜଣେ ଆମ ଆଡ଼କୁ ଅନେଇଲା ଏବଂ ରୋଟି ଖାଉ ଖାଉ ଆମର କାହାପାଖେ କିଛି କାମ ଅଛି କି ବୋଲି ଇସାରାରେ ପଚାରିଲା ।

ମୁଁ ହାତ ହଲେଇ ଜଣାଇଲି ଯେ ମୁଁ ତାଙ୍କ ଭାଷା ବୁଝିପାରୁନାହିଁ । ସେଇଠୁ ଆଉଜଣେ ତା’ ଚା କପ୍‌ଧରି ଉଠିଆସିଲା ଓ ଆମକୁ ଆମର ପରିଚୟପତ୍ର ମାଗିଲା । ଯାହାହେଉ, ଶେଷରେ ଆମକୁ କେହିଜଣେ କିଛି ପ୍ରଶ୍ନ ପଚାରିଲା ! ଆମେ ଅସହାୟ ଭାବେ ମୁଣ୍ଡ ହଲେଇ ଜଣାଇଦେଲୁ ଯେ ଆମ ପାଖରେ କୌଣସି ପରିଚୟପତ୍ର ନାହିଁ । ସେ ଚା କପ୍‌କୁ ଟେବୁଲ୍‌ ଉପରେ ଥୋଇଦେଲା, ଡ୍ରୟାର୍‌ ଖୋଲି ଗୋଟେ ଟିସ୍ୟୁ ପେପର କାଢ଼ି ନିଜର ହାତ ଓ ଓଠ ପୋଛିଲା ଏବଂ ତା’ପରେ ଆମକୁ ଆଙ୍ଗୁଳି ଇସାରାରେ ତା’ ପଛେ ପଛେ ଯିବା ଲାଗି ନିର୍ଦ୍ଦେଶ ଦେଲା ।

ସେ ଆମକୁ ନେଇ ସିଧା ସାହାବ୍‌ଙ୍କ ରୁମ୍‌କୁ ଗଲା । ଥାନାର ସାହାବ୍‌ କମ୍ପ୍ୟୁଟର୍‌ ପରଦା ଉପରେ ନୋଇଁପଡ଼ି କଅଣ ଦେଖୁଥିଲେ । ଆମକୁ ଭିତରକୁ ପଶିବାର ଦେଖି ସେ କମ୍ପ୍ୟୁଟର୍‌ଉପରୁ ମୁହଁ ଉଠେଇ ଚାହିଁଲେ । ଆମକୁ ସାଙ୍ଗରେ ନେଇଯାଇଥିବା ପୁଲିସ ବାବୁଟି ସାହାବ୍‌ଙ୍କୁ କିଛି କହିଲା ଏବଂ ସେ ଆମକୁ କଅଣ ପଚାରିଲେ । ଆମେ ଅଙ୍ଗଭଙ୍ଗୀରେ ଜଣାଇଦେଲୁ ଯେ ତାଙ୍କର କୌଣସି କଥା କିଛି ବୁଝିପାରୁନାହୁଁ । ଅବଶ୍ୟ ଏଥିରେ ମୋର ମିଛ ନ ଥିଲା । କାରଣ ମୁଁ ସେଠିକା ଭାଷା ବୁଝୁ ନ ଥିଲି । ମାତ୍ର ହମିଦ୍‌କୁ ଅଭିନୟ କରିବାକୁ ପଡ଼ିଲା । ସେ ଭଲ ଭାବେ ଆରବୀ ଭାଷା କହୁଥିବାର ମୁଁ ଶୁଣିଛି; ମାତ୍ର ଏବେ ସେ ଜଣାଉଥିଲା ଯେ ସେ ଆରବୀ ଭାଷା ବୁଝିପାରୁନାହିଁ । ପୁଣିଥରେ ସାହାବ୍‌ ଏବଂ ପୁଲିସ କର୍ମଚାରୀ ନିଜ ନିଜ ଭିତରେ କଅଣ ଆଲୋଚନା କଲେ । ମୁଁ ଚାରିଆଡ଼କୁ ଅନେଇ ସେହି କୋଠରି ଭିତରେ କଅଣ କଅଣ ଅଛି ତାହା ଦେଖିନେଉଥାଏ । ବେଶ୍‌ପ୍ରକାଣ୍ଡ କୋଠରିଟାଏ । କାନ୍ଥରେ କୋରାନ୍‌ର ପଦଗୁଡ଼ିକ ଲେଖାଥାଏ ଏବଂ ମଝିରେ ମଝିରେ ସେ ଦେଶର ବିଭିନ୍ନ ରାଜାଙ୍କ ଫଟୋ ଟଙ୍ଗାଯାଇଥାଏ । ଗୋଟେ ଜାଗାରେ ମକ୍କାର ପବିତ୍ର କାବା ଫଟୋ ମଧ୍ୟ ଝୁଲୁଥାଏ । ବାଁପଟକୁ, ଯେଉଁଠି ସାହାବ ବସିଥାଆନ୍ତି ସେଇ ପାଖରେ ଗୋଟେ ଟି.ଭି. ସେଟ୍‌ଥାଏ ଏବଂ ଟେବୁଲ୍‌ପାଖରେ କମ୍ପ୍ୟୁଟର୍‌ । ଟିକିଏ ଛାଡ଼ି ଗୋଟେ ସୋଫାସେଟ୍‌ପଡ଼ିଥାଏ ଏବଂ ତା’ ଆଗରେ ଟି-ପୟ । ଟି-ପୟ ଉପରେ ଗୋଟେ ଫୁଲଦାନି ଏବଂ ସେଥିରେ କିଛି ପ୍ଲାଷ୍ଟିକ୍‌ଫୁଲ ଥୁଆ ହୋଇଥାଏ । ବିପରୀତ କାନ୍ଥରେ ନୋଟିସ୍‌ବୋର୍ଡ ପରି ଗୋଟେ ବୋର୍ଡ ଟଙ୍ଗାଯାଇଥାଏ ଏବଂ ତହିଁରେ କିଛି ପିନ୍‌କଣ୍ଟା ଲଗାଯାଇ କେତେଗୁଡ଼ିଏ ଫଟୋ ଲଗାଯାଇଥାଏ । ମୁଁ ସେହି ଫଟୋଗୁଡ଼ିକ ଆଡ଼େ ଚାହିଁଲି । କିଛି ଦାଢ଼ିଆ ଲୋକଙ୍କ ଫଟୋ ସେଥିରେ ଲାଗିଥାଏ, ଯେଉଁମାନଙ୍କ ଆଖି ମଲାମାଛ ଆଖି ପରି ନିସ୍ତେଜ ଦିଶୁଥାଏ । ତା’ ଭିତରେ କିଛି କଳାଲୋକଙ୍କ ଫଟୋ ମଧ୍ୟ ଥାଏ, ଯେଉଁମାନେ ଆରବୀ ପୋଷାକ ପିନ୍ଧିଥାଆନ୍ତି । ଫଟୋଗୁଡ଼ିକ ତଳେ ଆରବୀ ଭାଷାରେ କିଛି ଲେଖା ହୋଇଥାଏ, ସମ୍ଭବତଃ ସେମାନଙ୍କର ନାଁ । ମୁଁ ଯେତେବେଳେ ସେହି ବୋର୍ଡର ତୃତୀୟ ଧାଡ଼ିର ଫଟୋକୁ ଚାହିଁଲି ସେତେବେଳେ ମୋ ଆଖି ବରଫମୁଣ୍ଡାଏ ପରି ସ୍ଥିର ହୋଇଗଲା । ମୁଁ ମୁଣ୍ଡ ଝାଡ଼ିଦେଇ ଆଉ ଥରେ ସେହି ଫଟୋଆଡ଼େ ଚାହିଁଲି । ମୋ ଛାତି ଧଡ଼ପଡ଼ ହେଲା ଏବଂ ଦେହହାତ ଥରିବାକୁ ଲାଗିଲା । କଅଣ କରୁଛି ତାହା ବୁଝିବା ଆଗରୁ ମୁଁ ସେ ଫଟୋ ପାଖକୁ ଚାଲିଯାଇଥିଲି ଏବଂ ତାକୁ ନିରେଖି ଚାହିଁ ଦେଖୁଥିଲି । ଇଏ ତ ଇବ୍ରାହିମ୍‌ ମୁଁ ମୋ ଛାତି ଉପରେ ହାତ ରଖି ମନକୁ ମନ କହିଲି ।

କଅଣ ? ତାକୁ ତୁ ଚିହ୍ନିଛୁ ? ପୁଲିସ କର୍ମଚାରୀଟି ମୋତେ ପଚାରୁଥିଲା । ମୁଁ ଡରିଗଲି-। ମୋ ଢଙ୍ଗରଙ୍ଗ ଦେଖି ସେ ନିଶ୍ଚୟ ସନ୍ଦେହ କରିଥିବ । ତା’ ଜାଗାରେ ଯିଏ କେହି ଥିଲେ ସିଏ ସନ୍ଦେହ କରିଥାଆନ୍ତା । ତଥାପି ମୁଁ ମୁଣ୍ଡ ହଲେଇ ମନାକଲି । ମୋତେ ସାହାବ ତାଙ୍କ ପାଖକୁ ଯିବାଲାଗି ଡାକିଲେ । ପାଖରେ ପହଞ୍ଚିବାକ୍ଷଣି ସେ ନିଜ ଚଉକିରୁ ଉଠିପଡ଼ି ମୋ କାନମୂଳରେ ଜୋର୍‌ରେ ଗୋଟେ ଚଟକଣା କଷିଦେଲେ । ମୋର ଆର କାନଦେଇ ନିଆଁ ହୁଳାଟାଏ ବାହାରିଗଲା-। ସେ ଚିତ୍କାର କଲେ, ‘ତୁ ଯଦି ଚିହ୍ନିନୁ ତାହାହେଲେ ତା’ ଫଟୋ ପାଖକୁ ଗଲୁ କାହିଁକି-?’ ମୁଁ ମୁଣ୍ଡ ତଳକୁ କରି ଛିଡ଼ାହୋଇ ରହିଲି । ସେ ଆଉ କିଛି ତାଙ୍କ ଆରବୀ ଭାଷାରେ ପଚାରିଲେ-। ମୁଁ ଉତ୍ତର ଦେଲିନାହିଁ । ସେ ମୋତେ ପୁଣି ଗୋଟେ ଚଟକଣା ମାରିଲେ ଏବଂ ନିଜ ଚଉକିରେ ଲଥ୍‌କରି ବସିପଡ଼ିଲେ । ମୁଁ ଆଦୌ ଚିତ୍କାର କଲିନାହିଁ; ମାତ୍ର ହମିଦ୍‌ଭୟରେ ଚିତ୍କାର କରିଉଠିଲା । ତା’ ଉପରେ ଆଉ ଚାପୁଡ଼ା ବସିଲା ନାହିଁ । ସାହାବ ଏଥର ପୁଲିସ କର୍ମଚାରୀଟିକୁ କିଛି ନିର୍ଦ୍ଦେଶ ଦେଲେ । ସେଇଠୁ ଆମକୁ ଅନ୍ୟ ଗୋଟେ କୋଠରିକୁ ନିଆଗଲା ଏବଂ ସେଠି ବସିଥିବା ଜଣେ ପୁଲିସ କର୍ମଚାରୀକୁ ଆମର ଦାୟିତ୍ୱ ଦିଆଗଲା । ସେ ଲୋକଟି ଗୋଟେ ଡ୍ରୟାର୍‌ ଖୋଲି ଦିଇଟା ହାତକଡ଼ା ବାହାର କଲା ଓ ଆମ ଦି’ଜଣଙ୍କୁ ତାହା ପିନେ୍ଧଇଦେଲା । ତା’ପରେ ଆମକୁ ଗୋଟେ ବେଞ୍ଚ୍‌ଉପରେ ବସିବାକୁ ସେ କହିଲା ।

ଆମ ପରି ଆଉ ଚାରିପାଞ୍ଚଜଣ ହାତକଡ଼ା ପିନ୍ଧି ସେଠି ବସିଥିଲେ । ତେବେ ସେମାନେ ଆମପରି ଏତେ ଖୁସି ଥିବେ ବୋଲି ମୋର ମନେ ହେଉ ନ ଥିଲା । ଉପରଓଳିକୁ ଆମ ହାତରୁ ହାତକଡ଼ା ଖୋଲିଦିଆଗଲା ଏବଂ ଆମକୁ ହାଜତ ଭିତରେ ନେଇ ରଖାଗଲା । ସେଇ ହାଜତଟା ଏତେ ଛୋଟ ଥିଲା ଯେ ତା’ ଭିତରେ ଅତି ବେଶିରେ ତିନିଜଣ ରହିପାରିବେ । ମାତ୍ର ଆମେ ସେଠି ଛଅଜଣ ଥିଲୁ । ଆମ ଭିତରେ ଜଣେ ମାଲୟାଲୀ ଥିଲା । ତା’ ନାଁ କୁମାର । ସେ ଗୋଟେ ପରିବା ଦୋକାନରେ କାମ କରୁଥିଲା ଏବଂ ତା’ର ମାଲିକ ତା’ ନାଁରେ ଚୋରି ଅଭିଯୋଗ ଆଣିଥିଲା । ଆଉ ଦି’ଜଣ ଆରବୀ ଏବଂ ଜଣେ ପାକିସ୍ତାନୀ ଆମ ସାଙ୍ଗରେ ସେଇ ହାଜତରେ ଥିଲେ । ସେମାନେ କୋଉ ଅପରାଧ କରି ସେଠିକି ଆସିଥିଲେ ତାହା ମୁଁ ଜାଣେନାହିଁ ।

ରାତିରେ ଆମେ କେହି ଶୋଇପାରିଲୁ ନାହିଁ । ଗୋଟେ ଯାତ୍ରୀ ଭର୍ତ୍ତି ଟ୍ରେନ୍‌ବଗିରେ ଜାକିଜୁକି ବସିବା ପରି ଆମେ ସମସ୍ତେ ବସିରହିଲୁ । ଆରବୀ ଲୋକଟି ପୁଣି ଗୋଡ଼ ଲମ୍ବେଇ ବସିଥିବାରୁ ଆମ ପାଇଁ ଜାଗା ଆହୁରି କମିଯାଇଥିଲା । ତା’ ସତ୍ତ୍ୱେ, ମୋତେ ଜାଗାଟି ଭଲ ଲାଗୁଥିଲା । କାରଣ ଯେଉଁପ୍ରକାର କଷ୍ଟଦେଇ ମୁଁ ଆସିଥିଲି ତା’ ତୁଳନାରେ ଏ କାରାବାସ ସ୍ୱର୍ଗସୁଖ ପରି ମନେହେଉଥିଲା ।

ପରଦିନ ସକାଳେ, ଚା ପିଇସାରିବା ପରେ, ଆମକୁ ହାତକଡ଼ି ପିନ୍ଧାଗଲା ଏବଂ ଗୋଟେ ଗାଡ଼ିରେ ବସାଇ ବାହାରକୁ ନିଆଗଲା । ସେ ଗାଡ଼ିରେ ହାତକଡ଼ି ପିନ୍ଧିଥିବା ଅନ୍ୟ ଲୋକମାନେ ବସିଥିଲେ ଏବଂ ସେମାନେ ପରସ୍ପର ସହ ପରିଚିତ ହେବାକୁ ଚେଷ୍ଟା କରୁଥିଲେ । ତେବେ ମୁଁ ଓ ହମିଦ୍‌କାହାଆଡ଼େ ନ ଅନେଇ ତଳକୁ ମୁହଁପୋତି ବସିରହିଲୁ ।

ଅନେକ ବାଟ ଯିବାପରେ, ଗାଡ଼ିଟି ଦେଶର ସବୁଠୁ ବଡ଼ କାରାଗାର ହତାରେ ଯାଇ ପହଞ୍ଚିଲା । ସେ କାରାଗାରର ନାଁ ସୁମେସି ଜେଲ୍‌ । ଆମ ଗାଡ଼ି ପରି ଗୁଡ଼ିଏ ଗାଡ଼ି ବିଭିନ୍ନ ଆଡ଼ୁ ଆସି ସେଇଠି ପହଞ୍ଚିଥିଲା ଓ ସେଥିରୁ ଶହ ଶହ ‘ଅପରାଧୀ’ ଓହ୍ଲଉଥିଲେ । ଉଦ୍ଭଟ ଶୁଭିପାରେ, ମାତ୍ର ମୋତେ ଲାଗୁଥିଲା ଏମାନେ ଯେମିତି ବାହାଘର ପାର୍ଟିର କ୍ଳାନ୍ତ ବରଯାତ୍ରୀଗଣ । ମୁଁ ବି ସେମିତି ଜଣେ ବରଯାତ୍ରୀ ହୋଇ ଜେଲ୍‌ରେ ପହଞ୍ଚିଥିଲି । ଏଇଠି ଆମର ‘ସତ୍କାର’ ହେବ !

ଗାଡ଼ିରୁ ଓହ୍ଲାଇବା ପରେ ଆମକୁ ୱାର୍ଡେନ୍‌ଙ୍କ ଅଫିସ୍‌କୁ ନିଆଗଲା । ତାଙ୍କ ଅଫିସ୍‌ଟା ଖୁବ୍‌ଗୋଟେ ବ୍ୟସ୍ତ ଦପ୍ତର । ଜେଲ୍‌ର କର୍ମଚାରୀମାନେ ସେଠିକୁ ଆସୁଥାଆନ୍ତି ଓ ଯାଉଥାଆନ୍ତି । ଓକିଲମାନେ ପଶୁଥାଆନ୍ତି ଓ ବାହାରିଯାଉଥାଆନ୍ତି । ସାଉଦି ଆରବର ପୁଲିସ ଅଫିସର୍‌ମାନେ ମଧ୍ୟ ଆସି ତାଙ୍କ କାମ ସାରି ଫେରିଯାଉଥାଆନ୍ତି । ମଝିରେ କିଛି ଆରବୀ ଭଦ୍ରଲୋକ ମଧ୍ୟ ଆସୁଥାଆନ୍ତି-। ଏସବୁ ଦେଖି ମୋର ଆମ ଦେଶର କୋର୍ଟ କଚେରିର କଥା ମନେପଡ଼ୁଥାଏ । ୱାର୍ଡେନ୍‌ଙ୍କ ଅଫିସ୍‌ସାମ୍ନାରେ ଗୋଟେ ଲମ୍ବା ଧାଡ଼ି । ସେଇ ଧାଡ଼ିର ଶେଷରେ ଆମେ ଛିଡ଼ା ହୋଇଥାଉ । ‘ଅପରାଧୀ’ମାନଙ୍କ ଧାଡ଼ିଠୁଁ ଟିକିଏ ଦୂରରେ, ଗୋଟେ ଗଛ ଛାଇରେ ଆମକୁ ଧରିଆଣିଥିବା ପୁଲିସ ବାବୁଟି ବସିଥାଏ । ଜଣକ ପରେ ଜଣକ ନାଁ ଡକାଯାଉଥାଏ ଏବଂ ଧାଡ଼ିଟି ଟିକିଏ ଟିକିଏ ହୋଇ ଆଗକୁ ଘୁଞ୍ଚୁଥାଏ । ମୁଁ ଜାଣିଥିଲି ଯେ ଏଇ ଧାଡ଼ିଟି ଧୀରେ ଧୀରେ ଆମକୁ ଜେଲ୍‌ଭିତରକୁ ଟାଣି ନେଉଛି । ଭିତରେ ଆମ ପାଇଁ କଅଣ ଅପେକ୍ଷା କରି ରହିଛି ତାହା ଜାଣିବାଲାଗି ମୋର କୌତୂହଳ ହେଉଥିଲା । ମୋତେ ଲାଗୁଥିଲା ମୁଁ ଯେମିତି ଗୋଟେ ଭୋଟ୍‌କେନ୍ଦ୍ର ସାମ୍ନାରେ ଛିଡ଼ା ହେଇଛି ଏବଂ ଜୀବନରେ ପ୍ରଥମଥର ପାଇଁ ଭୋଟ୍‌ଦେବାକୁ ଅପେକ୍ଷା କରିଛି । ମୁଁ ଧୀରଗଳାରେ ମୋ ମନର କଥା ହମିଦ୍‌କୁ କହିଲି ।

ମୋ ପାଳି ପଡ଼ିଲା । ମୁଁ ଯାଇ ସବା ଆଗରେ ପହଞ୍ଚିଗଲି । ସେଇଠି ପ୍ରାୟ ତିନି ମିନିଟ୍‌ଠିଆ ହେବା ମୋ ପାଇଁ ଭୀଷଣ ଅସ୍ୱସ୍ତିକର ଥିଲା । ଆଗେ ମୋତେ ଡକାଗଲା ଏବଂ ତା’ପରେ ମୋତେ ଧରି ନେଇଥିବା ପୁଲିସ କର୍ମଚାରୀକୁ ଡକାଗଲା । ୱାର୍ଡେନ୍‌ଙ୍କ ସାମ୍ନାରେ ଗୋଟେ ମୋଟା ରେଜିଷ୍ଟର୍‌ଥିଲା । ପୁଲିସ କର୍ମଚାରୀଟି ତା’ ସାଙ୍ଗରେ କିଛି କାଗଜପତ୍ର ନେଇ ଯାଇଥିଲା । ସେଇ କାଗଜପତ୍ର ଏବଂ ମୋ ବାବଦରେ ତା’ କଥାବାର୍ତ୍ତାକୁ ଆଧାର କରି ୱାର୍ଡେନ୍‌ରେଜିଷ୍ଟର୍‌ରେ କ’ଣ ସବୁ ଲେଖିଲେ । ସେତକ ସରିବା ପରେ ମୋତେ ସେହି ପୃଷ୍ଠାର ବାଁପଟ ଶେଷଧାଡ଼ିରେ ଦସ୍ତଖତ କରିବାକୁ କୁହାଗଲା । ତା’ପରେ ମୋତେ ଆଉଜଣେ ପୁଲିସ କର୍ମଚାରୀଙ୍କ ପାଖକୁ ନିଆଗଲା ଏବଂ ସେ ମୋ ବାହା ଉପରେ ଆରବୀ ଅକ୍ଷରରେ କିଛି ସଂଖ୍ୟା ଲେଖିଦେଲେ । ଏଥିପାଇଁ ସେ ଅଲଗା ଗୋଟେ ପ୍ରକାର କାଳି ବ୍ୟବହାର କରିଥିଲେ । ମୁଁ ପିଲାଦିନେ ଗୋଟେ ମଦ୍ରାସାକୁ ଯାଇଥିଲି । ତେଣୁ ସେ ଅକ୍ଷରଗୁଡ଼ିକ ଚିହ୍ନି ପଢ଼ିପାରିଲି- ୧୩୮୫୮ । ଏଇଟି ଥିଲା ମୋ ମଦ୍ରାସା ପାଠପଢ଼ାର ପ୍ରଥମ ଦରକାରୀ ଉପଯୋଗ !

ମୁଁ ଯେଉଁ ହଲ୍‌ଭିତରକୁ ଗଲି ସେଇଟା ବେଶ୍‌ବଢ଼ିଆ ଜାଗା ଥିଲା । ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଭଣ୍ଡାରିମାନେ ପ୍ରସ୍ତୁତ ହୋଇ ବସିରହିଥିଲେ । ପୁଲିସ କର୍ମଚାରୀଟି ମୋତେ ଜଣେ ଭଣ୍ଡାରି ପାଖକୁ ପଠେଇଲା । ସେ ଭଣ୍ଡାରିଟି ଅନ୍ୟ ଜଣକର ଖିଅର କାମ ସେଇମାତ୍ର ସାରିଥାଏ । କେବଳ ସିଏ ନୁହେଁ ସବୁ ଭଣ୍ଡାରି ଅତି ଚଟାପଟ୍‌ନିଜ ନିଜର କାମ କରୁଥାଆନ୍ତି । ହାରାହାରି ଦୁଇ ମିନିଟ୍‌ଭିତରେ ଜଣେ ଲୋକର ଖିଅର କାମ ସରିଯାଉଥାଏ ।

ମୁଁ ସେହି ଭଣ୍ଡାରି ସାମ୍ନାରେ ମୁଣ୍ଡ ନୁଆଁଇ ବସିଲି । ପାଖ ଭଣ୍ଡାରି ଆଗରେ ହମିଦ୍‌ବି ମୁଣ୍ଡ ନୁଆଁଇ ବସିଥାଏ । ମୁଁ ହମିଦ୍‌ର ମୁହଁକୁ ଚାହିଁଲି । ସିଏ ମୋତେ ଚାହିଁଲା । ଏଭଳି ଦୁଃଖ ସମୟରେ ସୁଦ୍ଧା ଆମେ ପରସ୍ପରକୁ ଅନେଇ ଟିକେ ଖୁସି ସାଉଣ୍ଟିନେଲୁ ।

ଏହାପରେ ଆମକୁ ପ୍ରକାଣ୍ଡ କାରାଗାରର କୋଠା ଭିତରକୁ ନିଆଗଲା । ଏଇ କୋଠାଟା ଏତେ ବଡ଼ ଥିଲା ଯେ ନ ଦେଖିଲେ ତାହା କଳ୍ପନା କରିହେବନାହିଁ । ବିରାଟ କୋଠା । ପ୍ରାୟ ଦୁଇରୁ ତିନି କିଲୋମିଟର ପର୍ଯ୍ୟନ୍ତ ଏହା ଲମ୍ବିଥିଲା । ବିଶାଳ କାରାଗାରଟି ମଝିରେ ମଝିରେ ଅଲଗା ଅଲଗା ଭାଗରେ ବିଭକ୍ତ ହୋଇଥିଲା । କାରାଗାରର ପ୍ରତ୍ୟେକ ଭାଗ ଏତେ ଲମ୍ବା ଯେ ଗୋଟେ ମୁଣ୍ଡରୁ ଚାହିଁଲେ ଆରମୁଣ୍ଡ ଦେଖାଯାଏ ନାହିଁ । ତାହାର ପ୍ରତ୍ୟେକ ବ୍ଲକ୍‌ଅଲଗା ଅଲଗା ଦେଶର ବନ୍ଦୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଆରବୀମାନଙ୍କ ପାଇଁ ଗୋଟେ ପଟ, ପାକିସ୍ତାନୀଙ୍କ ପାଇଁ ଆଉଗୋଟେ ପଟ, ସୁଦାନୀଜ୍‌, ଇଥିଓପିଆନ୍‌, ବାଂଲାଦେଶୀ, ଫିଲିପିନୋ, ମରକ୍କୋ, ଶ୍ରୀଲଙ୍କା ଏବଂ ତା’ପରେ ଭାରତୀୟ କଏଦୀଙ୍କ ପାଇଁ ଅଲଗା ଅଲଗା ହଲ୍‌ଉଦ୍ଦିଷ୍ଟ ଥିଲା । ମୋତେ ଯାହା ଜଣାପଡ଼ୁଥିଲା, ଏହି ଭାରତୀୟ ବନ୍ଦୀମାନଙ୍କ ଭିତରୁ ବେଶି ଭାଗ ଥିଲେ ମାଲୟାଲୀ । ସ୍ୱାଭାବିକ ଭାବରେ ଆମ ଦୁଇଜଣଙ୍କୁ ଭାରତୀୟ ବ୍ଲକ୍‌କୁ ନିଆଗଲା । ସେଠି ଥିବା କଏଦୀମାନେ ସମସ୍ତେ ଲଣ୍ଡାମୁଣ୍ଡିଆ ଥିଲେ, କାହା କାହା ମୁଣ୍ଡରେ ଟିକେ ଟିକେ ବାଳ ଉଠିଥିଲା । ସେମାନଙ୍କ ବାଳର ଦୈର୍ଘ୍ୟ ବା ଉଚ୍ଚତାରୁ ସେମାନେ ଏଠିକି କେତେଦିନ ହେଲା ଆସିଲେଣି, ସେଇଟା ଜାଣିହୁଏ । ଦୃଶ୍ୟଟା ଖରାପ ଦିଶୁ ନ ଥିଲା । ମୋତେ ଲାଗିଲା ଏଇଟା ଯେମିତି ଲଣ୍ଡାମୁଣ୍ଡିଆଙ୍କର ଗୁରୁବାରିଆ ହାଟ । ଆମ ବ୍ଲକ୍‌ରେ ଭିଡ଼ ଟିକେ ଅଧିକ ଥିଲା ଏବଂ ପାଟିଗୋଳ ବେଶି ଶୁଭୁଥିଲା । ଏହି କଏଦୀମାନଙ୍କୁ ଦେଖିଲେ କେହି ଭାବିବ ନାହିଁ ଯେ କାରାଗାର ଗୋଟେ ଭୟଙ୍କର ଜାଗା ଏବଂ ସେଠାରେ ଲୋକଙ୍କୁ ଭୟ, ଶୃଙ୍ଖଳା ଏବଂ ନିର୍ଜନତା ଭିତରେ କାଳ କାଟିବାକୁ ହୁଏ ।

ହମିଦ୍‌ଓ ମୁଁ ଭିଡ଼ ଭିତରେ ହଜିଗଲା ପରି ଅନୁଭବ କରୁଥିଲୁ । ସତେ କି ଆମେ ଅପରିଚିତ ବିଦେଶୀଙ୍କ ମେଳରେ ଆସି ପହଞ୍ଚିଯାଇଛୁ । ଆମେ ଯେ ଜେଲ୍‌ରେ ଆସି ପହଞ୍ଚିଛୁ- ଏକଥା ଉପଲବ୍ଧି କରିବାଲାଗି ଆମକୁ କିଛି ସମୟ ଲାଗିଗଲା । ତା’ପରେ ହଠାତ୍‌ ମୋତେ କାନ୍ଦ ମାଡ଼ିଲା । କାହିଁକି କାନ୍ଦ ମାଡ଼ିଲା, ମୁଁ ଜାଣେ ନାହିଁ । ଅନେକ ଭାବିଚିନ୍ତି ଏବଂ ଆଗପଛ ସବୁକଥା ଭାବି ମୁଁ ଜେଲ୍‌କୁ ଆସିବା କଥା ସ୍ଥିର କରିଥିଲି । କାରଣ, ଯେତେ କଠୋର ଓ ଦୁର୍ବିଷହ ହେଉନା କାହିଁକି, ମୋର ଯନ୍ତ୍ରଣା ଜର୍ଜରିତ ଦିନଗୁଡ଼ିକ ଏବଂ ସେ କଦର୍ଯ୍ୟ ଜାଗାଠାରୁ ଏହି ଜେଲ୍‌ଓ ଏହାର କଏଦୀ ଜୀବନ ଅନେକ ଭଲ । ସେ ଜାଗାରେ ଆଉ କିଛିଦିନ ରହିଥିଲେ ମୁଁ ନିଶ୍ଚୟ ମରିଯାଇଥାଆନ୍ତି ।

ହଁ, ମୁଁ ଜେଲ୍‌କୁ ଆସିବା ପାଇଁ ସ୍ଥିର କରିଥିଲି; କାରଣ ମୁଁ ବଞ୍ଚିବାଲାଗି ଚାହୁଥିଲି ।

କେତେ ଦୁଃଖକଷ୍ଟ ଭୋଗିଲେ ଜଣେ ସ୍ୱେଚ୍ଛାକୃତ ଭାବେ ଜେଲ୍‌କୁ ଆସିବା ଲାଗି ଚାହେଁ, ସେକଥା ଆପଣ କଳ୍ପନା କରିପାରୁଛନ୍ତି ?

 

ଦୁଇ

 

ଅଳ୍ପ ସମୟ ଭିତରେ ଆମେ ଜେଲ୍‌ଜୀବନ ସହିତ ଅଭ୍ୟସ୍ତ ହୋଇପଡିଲୁ । ଏଠିକି ଆସିଲାବେଳେ ଯେଉଁ ଗୋଳଚହଳ ଦେଖିଥିଲୁ ସେଇଟା ଥିଲା ମଧ୍ୟାହ୍ନଭୋଜନ ଉପରାନ୍ତ ତତ୍ପରତା । କାରାଗାରର କର୍ମଚାରୀମାନେ କଏଦୀଙ୍କ ଖାଇବା ଥାଳିଗୁଡ଼ାକ ସଂଗ୍ରହ କରୁଥିଲେ । ମଧ୍ୟାହ୍ନର ନମାଜ ପାଠ (ଜୋହର) ପରେ ପରେ କଏଦୀମାନଙ୍କୁ ଖାଇବା ପାଇଁ ଦିଆଯାଏ । ଆମେ ବିଳମ୍ବରେ ଆସିଥିବାରୁ ସେଦିନ ଆମକୁ ମଧ୍ୟାହ୍ନ ଭୋଜନ ମିଳିଲା ନାହିଁ । ତେବେ ମୁଁ ଯେଉଁ ଜୀବନ ଭୋଗିକି ଆସିଥିଲି, ତା’ କଷ୍ଟ ତୁଳନାରେ ଗୋଟେ ଦିନର ଦ୍ୱି’ପ୍ରହର ଖାଇବା ମିଳିବା ନ ମିଳିବା କିଛି ବଡ଼ କଥା ନୁହେଁ ।

 

ଖାଇସାରି କଏଦୀମାନେ ପରସ୍ପର ସହ ଗପସପ କରୁଥାଆନ୍ତି । କେତେଜଣ କଏଦୀ ଶୋଇପଡ଼ିଥାଆନ୍ତି । ଆମର ଏହି ବ୍ଲକ୍‌ରେ ଖଟ, ବିଛଣା କି ଗଦି ବ୍ୟବସ୍ଥା ନ ଥାଏ । ଖାଲି ଚଟାଣ ଉପରେ ନିଜ ପାଇଁ ଟିକିଏ ଜାଗା ବାଛିନେଇ ଶୋଇବା କଥା । କେହି ଯଦି ଆଗରୁ ସ୍ୱାଚ୍ଛନ୍ଦ୍ୟ ବା ଆରାମଦାୟକ ପରିବେଶରେ ସମୟ କାଟିଥିବ, ତା’ ପାଇଁ ଏଠାକାର ଗରମ ପରିବେଶ ନିଶ୍ଚୟ ଅସହ୍ୟ ହୋଇପଡ଼ିବ । ହଁ, ପ୍ରଚଣ୍ଡ ରୌଦ୍ରତାପକୁ କମେଇବା ଲାଗି କାରାଗାରରେ କେତେଟା ଏୟାର୍‌କଣ୍ଡିସନର୍‌ଲଗାଯାଇଥିଲା । ମାତ୍ର ସେ ମେସିନ୍‌ଗୁଡ଼ାକ ଏତେ ଉଚ୍ଚାରେ ଲାଗିଥିଲେ ଯେ ତାହାର କିଛି ଫଳ ତଳେ ଅନୁଭୂତ ହେଉ ନ ଥିଲା । ଘରଟା ଖୁବ୍‌ଗରମ ଲାଗୁଥିଲା ।

 

ଆମ ବ୍ଲକ୍‌ରେ ନିଶ୍ଚୟ ଅଢ଼େଇଶହ କଏଦୀ ରହୁଥିବେ । ଚଟାଣଟା ଉପରେ ଜାକିଜୁକି ହୋଇ ଶୋଇଥିବା କଏଦୀମାନେ ଦିଶୁଥିଲେ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ମରିପଡ଼ିଥିବା ହତଭାଗ୍ୟଙ୍କ ଶବ ପରି । ଯେଉଁମାନେ ଶୋଇ ନ ଥିଲେ, ସେମାନେ ମୁଣ୍ଡୁଳା ଆଙ୍କିଲା ପରି ଗୋଲାକାର ବୃତ୍ତରେ ବସି ନିଜ ନିଜ ଭିତରେ ଗପସପ ହେଉଥିଲେ । ଆମ ଦି’ଜଣଙ୍କୁ ଦେଖି ତାଙ୍କ ଭିତରୁ ମାଲୟାଲୀ ପରି ଦିଶୁଥିବା କଏଦୀ ଜଣକ କହିଲା, ‘ଚିନ୍ତା କରନାହିଁ । ଆମ ଭିତରୁ ଅଧିକାଂଶ ମାଲୟାଲୀ । ତୁମେ ଦି’ଜଣ ଯେକୌଣସି ଦଳ ସହିତ ମିଶିଯାଅ ।’ ଆମକୁ ପରାମର୍ଶ ଦେଇସାରି ସେ ପୁଣି ତା’ ଗପରେ ମାତିଗଲା ।

 

ହମିଦ୍‌ଓ ମୁଁ ଗୋଟେ କୋଣରେ ଅରାଏ ଖାଲି ଜାଗା ଦେଖି ସେଇଠି ବସିଗଲୁ । କାହା ସହ ଗପସପ ହେବାଲାଗି ଆମର ଆଗ୍ରହ ନ ଥାଏ । ଗୁଡ଼ାଏ ବାଟ ଆସିଥିବାରୁ ବାଟଚଲା କ୍ଳାନ୍ତି ଆମକୁ ଅବଶ କରିଦେଇଥାଏ । ତା’ ସାଙ୍ଗକୁ ପେଟରେ ଭୋକ । ଆମେ ବସୁ ବସୁ ଢୁଳେଇବାକୁ ଲାଗିଲୁ । ମାତ୍ର ତାହା ଥିଲା ସନ୍ଧ୍ୟାର ନମାଜ ପାଠ ସମୟ । ବିଭିନ୍ନ ଜାଗାରେ ବସିଥିବା କଏଦୀମାନେ ନିଜ ନିଜ ସ୍ଥାନରୁ ଉଠି ପ୍ରାର୍ଥନାଲାଗି ଉଦ୍ଦିଷ୍ଟ ଜାଗାକୁ ଗଲେ ଓ ପ୍ରାର୍ଥନାରେ ବସିପଡ଼ିଲେ । ଆମେମାନେ ମଧ୍ୟ ସେମାନଙ୍କ ସାଙ୍ଗରେ ଯୋଗଦେଲୁ । ଅନ୍ୟମାନଙ୍କ ସାଙ୍ଗରେ ବସି ଆମେ ବି କାବା ଦିଗକୁ ମୁହଁକରି କରୁଣାମୟ ଆଲ୍ଲାଙ୍କ ଆଶୀର୍ବାଦ ଲାଗି ପ୍ରାର୍ଥନା କଲୁ ।

 

ବିସ୍‌ମିଲ୍ଲାହି ରହେମାନିରହିମ୍‌...

 

ପ୍ରାର୍ଥନା କରୁ କରୁ ମୋର ପିଛିଲାଦିନର ଦୁର୍ଭାଗ୍ୟ ମନେପଡ଼ୁଥିଲା ଓ ମୋ ମନ ଭିତରେ ଦୁଃଖର ଜୁଆର ଉଠୁଥିଲା । କ୍ରମେ ସେସବୁ ଲୁହ ହୋଇ ମୋର ଦୁଇଆଖିରୁ ନିଗିଡ଼ିଯାଉଥିଲା । କି ହତଭାଗ୍ୟ ଜୀବନ ମୋର ! ମୁଁ ଆଲ୍ଲାଙ୍କୁ କୃତଜ୍ଞତା ଜଣାଉଥିଲି । ତାଙ୍କର ଦୟା ନ ଥିଲେ ମୁଁ ଏତେ କଷ୍ଟ ଓ ଯନ୍ତ୍ରଣା ଭୋଗି ବଞ୍ଚି ନ ଥାନ୍ତି କି ଏଠି ଆସି ପହଞ୍ଚିପାରି ନ ଥାନ୍ତି-

 

ମୁଁ ମୋର ସବୁ ସୁଖ ଏବଂ ଦୁଃଖ ଆଲ୍ଲାଙ୍କୁ ସମର୍ପଣ କରି ଉଠିବାବେଳକୁ ଘଣ୍ଟା ବାଜିଲା-। ଯେଉଁମାନେ ଶୋଇଥିଲେ ସେମାନେ ଉଠିପଡ଼ି ହଲ୍‌ର ଗୋଟିଏ ପଟକୁ ଯାଇ ଧାଡ଼ିବାନ୍ଧି ଛିଡ଼ାହେଲେ । ଆମେ ଯଦିଓ ଏ ଧାଡ଼ିବନ୍ଧାର କାରଣ ଜାଣି ନ ଥିଲୁ ତଥାପି ସେହି ଧାଡ଼ିରେ ଯାଇ ଛିଡ଼ା ହୋଇଗଲୁ । କିଛିବାଟ ଆଗେଇବା ପରେ ଦେଖିଲୁ ଯେ ଆଗରେ ଗୋଟାଏ ବିରାଟ ଚା କେଟ୍‌ଲି ଥୁଆହୋଇଛି । ଆମେ ଟେବୁଲ୍‌ଉପରୁ କପ୍‌ଉଠେଇ ନେଇ ସେଥିରେ ଚା ଭରିଲୁ ଏବଂ ପାଖ ଟ୍ରେରୁ କେଇଖଣ୍ଡ ବିସ୍କୁଟ୍‌ଧରି ନିଜ ଜାଗାକୁ ଫେରିଆସିଲୁ । ଚା ପିଆ ସରିବା ପରେ କପ୍‌ଗୁଡ଼ିକ ପରିଷ୍କାର କରି ଫେରାଇ ଦେବାକୁ ହୁଏ । ଏସବୁ ଦେଖି ଆମକୁ ଜେଲ୍‌ଭିତରେ ଥିବା ପରି ଆଦୌ ଜଣାପଡ଼ୁ ନ ଥିଲା । ଏଇଟା ବରଂ ଗୋଟେ ଶରଣାର୍ଥୀ ଶିବିର ପରି ଆମର ମନେହେଉଥିଲା । ଆମେ ଆମ ବ୍ଲକ୍‌ରେ ଆରାମରେ ଚଲାବୁଲା କରୁଥିଲୁ ଏବଂ ପରସ୍ପର ସହ କଥାବାର୍ତ୍ତା ହେଇପାରୁଥିଲୁ । କାହା ସାଙ୍ଗରେ ପଦେ କଥା ହୁଅନ୍ତି- ଏତିକି ଲାଗି ମୁଁ ଗଲା ତିନିଚାରି ବର୍ଷ ହେଲା କେତେ ଆକୁଳ ବିକଳ ନ ହେଇଛି ! ମୋର ସଦ୍ୟ ପ୍ରାପ୍ତ ସ୍ୱାଧୀନତାର ଚରିତାର୍ଥ ଲାଗି ମୁଁ ହମିଦ୍‌ସହ ଲଗାତାର ଗପିଚାଲିଥିଲି । ମୁଁ ହିଁ କେବଳ ଗପୁଥିଲି, ତାକୁ କୌଣସି କଥା କହିବାକୁ ଆଦୌ ସୁଯୋଗ ଦେଉ ନ ଥିଲି । ମୋ ଜିଭ ମୁହୂର୍ତ୍ତକ ପାଇଁ ସୁଦ୍ଧା ଥୟ ଧରୁ ନ ଥିଲା । ଅତ୍ୟନ୍ତ ସ୍ୱାର୍ଥପର ଭାବେ ମୁଁ କେବଳ ଏକା ଗପି ଚାଲିଥିଲି । ହମିଦ୍‌ଏହା ଭିତରେ ମୋତେ ଭଲରକମର ଜାଣିସାରିଥିଲା । ତେଣୁ ସେ ଧୈର୍ଯ୍ୟବାନ୍‌ଶ୍ରୋତା ପରି ମୋର ସବୁ କଥା ଶୁଣୁଥିଲା । ମୁଁ ହୁଏତ ହମିଦ୍‌କୁ ମୋର ଗୋଟିଏ ଗୋଟିଏ କଥା ଏକାଧିକବାର ଶୁଣାଇସାରିଥିବି; ମାତ୍ର ସେ ମୋର ପୁନରାବୃତ୍ତିକୁ ମନରେ ଧରୁ ନ ଥିଲା କି ମୁଁ ସେସବୁ ବାରମ୍ବାର କହି କ୍ଳାନ୍ତ ଅନୁଭବ କରୁ ନ ଥିଲି । ମୋଟ ଉପରେ ଯେତେ ଗପ ଗପିଲେ ବି ମୋ ମନ ଶାନ୍ତ ହେଉ ନ ଥିଲା ।

 

ସଞ୍ଜବେଳକୁ, ପାଖ ଭାରତୀୟ କଏଦୀଙ୍କ ଭିତରୁ ଜଣେ ମୋତେ ଭେଟିବାଲାଗି ଆସିଲା । ତା’ ନାଆଁଟା ଏବେ ମୋର ମନେପଡ଼ୁନାହିଁ । ମୋତେ ଦେଖିବାକ୍ଷଣି ସେ ମୋ ସହ ହାତମିଳେଇଲା ଏବଂ ମୁରୁକି ହସିଲା । ‘ଆଲ୍ଲାଙ୍କର ବହୁତ କରୁଣା’ - ସେ କହିଲା । ମୋତେ ଲାଗିଲା ସେ ଏ କଥାଟି ନିଜେ ନିଜକୁ କହୁଥିଲା । ସେ ମୋତେ ପଚାରିଲା, “ତମେ ହିଁ ବଡ଼ କଷ୍ଟରେ ଆସି କୁଞ୍ଜିକ୍‌କା ହୋଟେଲ୍‌ରେ ପହଞ୍ଚିଥିଲ ତ ?” ମୁଁ ମୁଣ୍ଡ ହଲେଇ ‘ହଁ’ କହିଲି ।

 

“ମୁଁ ଜାଣେ । ତମ ବିଷୟରେ ଖବର ପାଇଲା ପରେ ତୁମକୁ ଭେଟିବାଲାଗି ମୁଁ ସେଠିକି ଯାଇଥିଲି । ମାତ୍ର ତୁମେ ସେତେବେଳେ ଶୋଇଥିଲ । ମୁଁ ତୁମକୁ ନିଦରୁ ଉଠେଇଲି ନାହିଁ ।” ତା’ପରେ ଆଉ ଥରେ ସେ ମୁଣ୍ଡ ହଲେଇ କହିଲା, “ଆଲ୍ଲା ଖୁବ୍‌କରୁଣାମୟ । ମୁଁ ଏଇ ଦି’ଦିନ ହେଲା ଏଠିକି ଆସିଛି । ମୋର ମାଲିକ ସହ ଝଗଡ଼ା ହେବାରୁ ଏ ଦଶା । ଠିକ୍‌ଅଛି । କୁଞ୍ଜିକ୍‌କା ମୋତେ ଜାମିନ୍‌ରେ ମୁକୁଳେଇନେବେ ।” ସେ ତା’ର କହିଚାଲିଥାଏ । ମଝିରେ ମଝିରେ ସେ ମୋ ହାତକୁ ମୁଠେଇ ଧରୁଥାଏ ଏବଂ ଆଲ୍ଲାଙ୍କ କରୁଣା ଗାନ କରୁଥାଏ । ମୋତେ ତା’ କଥା ଶୁଣି କାନ୍ଦମାଡ଼ିଲା । ମୋତେ କାନ୍ଦିବା ଦେଖି, ସେଇ ଅପରିଚିତ କଏଦୀଟି ମଧ୍ୟ କାନ୍ଦିବାକୁ ଲାଗିଲା । କାହିଁକି ସେ କାନ୍ଦିଲା ମୁଁ ଜାଣେ ନାହିଁ । ଏହାପରେ ସେ ଆଲ୍ଲାଙ୍କୁ ଧନ୍ୟବାଦ ଦେଇ ଦେଇ ତା’ ଜାଗାକୁ ଫେରିଗଲା ।

 

ଏ ଘଟଣା ପରେ ସେପଟରୁ ଆହୁରି କିଛି କଏଦୀ ମୋତେ ଭେଟିବାଲାଗି ଆସିଲେ । ମୋତେ ଅବଶ୍ୟ କେହି କିଛି ପଚାରୁ ନ ଥିଲେ । ସେମାନେ ପ୍ରଥମ ଲୋକଟିଠାରୁ ମୋ ବିଷୟରେ କିଛି ଶୁଣିଥିଲେ । ସେଥିପାଇଁ କେବଳ ମୋତେ ଦେଖିବାଲାଗି ଚାହୁଥିଲେ । ମୁଁ ଜାଣିପାରୁଥିଲି ଯେ ସମସ୍ତେ ଖୁବ୍‌ଆଶ୍ଚର୍ଯ୍ୟ ହୋଇ ମୋତେ ଦେଖୁଥିଲେ । ତାଙ୍କ ଭିତରୁ କେତେଜଣ ମୋ ହାତ ଧରି ଆଶ୍ୱାସନା ଦେଉଥିଲେ । ଧୀରେ ଧୀରେ ଆମ ବ୍ଲକ୍‌ର କଏଦୀମାନେ ମଧ୍ୟ ମୋ ବିଷୟରେ ଅନେକ କଥା ଜାଣିବାକୁ ପାଇଲେ ।

 

ନିଜ ନିଜ ପୁରୁଣା ଦଳଗୁଡ଼ିକଠାରୁ ଅଲଗା ହୋଇ ମାଲୟାଲୀମାନେ ଆସି ମୋ ପାଖରେ ପହଞ୍ଚିଲେ । ସେମାନେ ସମସ୍ତେ ମୋତେ ନିରିଖେଇ ଦେଖୁଥାନ୍ତି । କିଛି ଲୋକଙ୍କ ଆଖିରେ ଅବିଶ୍ୱାସ, କିଛି ଲୋକଙ୍କଠେଇଁ ବିସ୍ମୟ, ଆଉ କେତେକଙ୍କ ଆଖିରେ ସହାନୁଭୂତି ଏବଂ ଅଳ୍ପ କେତେକଙ୍କ ଆଖିରେ ସନ୍ଦେହ ମୁଁ ଲକ୍ଷ୍ୟ କରୁଥିଲି । ସେ ଯାହାହେଉ, ଅଳ୍ପ ସମୟ ଭିତରେ ଜାଣିଗଲି ଯେ ମୁଁ ମାଲୟାଲୀ କଏଦୀମାନଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି । ପରବର୍ତ୍ତୀ ଦିନଗୁଡ଼ିକରେ ଆହୁରି କିଛି କଏଦୀ ମୋତେ ଦେଖିବାକୁ ଆସିଲେ ଏବଂ ମୋ ପାଖରେ ବସି ଢେର୍‌ସମୟ ଗପସପ କଲେ । ମୁଁ କାହାକୁ ନିରାଶ କଲିନାହିଁ - କଥା କହିବାର ଯେଉଁ ଅତୃପ୍ତ ଇଚ୍ଛା ମୋ ମନ ଭିତରେ ଥିଲା ତାହାକୁ ଚରିତାର୍ଥ କରିବା ଦିଗରେ ଲାଗିପଡ଼ିଲି । ଏସବୁ କହିଲାବେଳେ ମୁଁ ମୋ ମନ ଭିତରେ ସାଇତା ଅନୁଭବଗୁଡ଼ିକ ପାଖକୁ ଫେରିଯାଉଥିଲି ଏବଂ ସେ ଦୁଃଖକଷ୍ଟକୁ ଆଉ ଥରେ ଅଙ୍ଗେ ନିଭଉଥିଲି । ମରୁଭୂମିର ତତଲା ବାଲିରେ କେମିତି ଯେ ଏତେ ଦୀର୍ଘପଥ ଅତିକ୍ରମ କରି ଆସି ପାରିଥିଲି, ସେକଥା ଚିନ୍ତାକରି ମୁଁ ନିଜେ ମଧ୍ୟ କମ୍‌ବିସ୍ମିତ ହେଉ ନ ଥିଲି ।

 

ସେଦିନ ରାତିରେ, ପ୍ରାର୍ଥନା ସରିବା ପରେ ଆମେ ଯେତେବେଳେ ରାତିଭୋଜନ ଖାଇ ବସିଲୁ ଆମ ବ୍ଲକ୍‌ର ସବୁ ମାଲୟାଲୀ ଆସି ମୋ ପାଖରେ ବସିଲେ । ସେମାନଙ୍କର ସ୍ନେହ ଓ ଶ୍ରଦ୍ଧା ବଦଳରେ ମୋ ପାଖେ ପ୍ରତିଦାନ ସ୍ୱରୂପ ଦେବା ପାଇଁ କେବଳ ଲୁହ କେଇଟୋପା ଭିନ୍ନ ଆଉ କିଛି ନ ଥିଲା ।

 

ତିନି

 

ଜେଲ୍‌ର ଖାଇବା ସମୟ ନିର୍ଘଣ୍ଟ ନମାଜ ପାଠର ସମୟକୁ ନେଇ ସ୍ଥିର ହେଇଥାଏ । ଏକଦମ୍‌ସକାଳେ ସୁବାହ ପ୍ରାର୍ଥନା (ନମାଜେ ଫଜର୍‌) । ସେ ପ୍ରାର୍ଥନା ପରେ ଗିଲାସେ ଲେଖା କ୍ଷୀର ସମସ୍ତଙ୍କୁ ଦିଆଯାଏ । ନଅଟାବେଳକୁ ଚା ପ୍ରସ୍ତୁତ ହେଇଯାଏ । ସେଇଠୁଁ ନେଇ ସକାଳ ଖିଆ ପର୍ଯ୍ୟନ୍ତ ଚାଆଖିଆ ସମୟ । ବ୍ରେକ୍‌ଫାଷ୍ଟ୍‌ବା ସକାଳ ଖିଆରେ ମୋଟା ରୁଟି ଏବଂ ଡାଲି ମିଳେ । ଦି’ପହର ପ୍ରାର୍ଥନା ପରେ ମଧ୍ୟାହ୍ନ ଭୋଜନ ଦିଆଯାଏ । ପ୍ରାୟ ସବୁଦିନ ବିରିଆନି ଖାଇବାକୁ ମିଳେ-। ଆରବ ବିରିଆନିକୁ ‘ମଜବୁସ’ କିମ୍ବା ‘କବ୍‌ସା’ ବୋଲି କୁହାଯାଏ । ଗୋଟେ ଗୋଟେ ବିରାଟ ବିରାଟ ଥାଳିରେ ବିରିଆନି ଅଣାଯାଏ । ଦଶଜଣ କଏଦୀ ଗୋଟିଏ ଥାଳିକୁ ଘେରି ବସନ୍ତି । ଆରବ ଲୋକଙ୍କ ଖାଇବା ଢଙ୍ଗରେ ବସି ଆମେ ତାହା ଖାଉ । ବିରିଆନିରେ ମିଶୁଥିବା ମାଂସ ସବୁଦିନେ ଅଲଗା ଅଲଗା । କୋଉଦିନ ଚିକେନ୍‌ତ କୋଉଦିନ ମଟନ୍‌, ଆଉ କୋଉଦିନ ଓଟ ମାଂସ । ଯେଉଁଦିନ ବିରିଆନିରେ ମଟନ୍‌ପଡ଼ିଥାଏ, ସେଦିନ ମୁଁ ଖାଏ ନାହିଁ । ତାହାର କାରଣ ପରେ କହିବି-

 

“ଯାହା ଯାଇଛି, ତାହା ଯାଇଛି । ପଛକଥାଗୁଡ଼ାକ ଭୁଲିଯାଅ । ସ୍ୱାସ୍ଥ୍ୟ ସଜାଡ଼ିବା ଲାଗି ଜେଲ୍‌ଠାରୁ ଭଲ ଜାଗା ଆଉ କିଛି ନାହିଁ । ଆମେ ଯେଉଁ ସ୍ୱାସ୍ଥ୍ୟ ନେଇ ନିଜ ଘରୁ ଏ ଦେଶକୁ ଆସିଥିଲେ, ଅନ୍ତତଃ ସେଇ ସ୍ୱାସ୍ଥ୍ୟରେ ତ ଫେରିବା ଦରକାର । ନ ହେଲେ, ତୋତେ ଦେଖି ତୋ ସ୍ତ୍ରୀ କାନ୍ଦିବ । ତାକୁ ତୁ କନ୍ଦେଇବାକୁ କାହିଁକି ଚାହୁଁଛୁ ? ଆମ ଭାଗ୍ୟରେ ଯାହା ଥିଲା ଆମେ ତାହା ଭୋଗିଲେ ।” ହମିଦ୍‌ଏହିପରି କଥା କହି ମୋତେ ବୁଝେଇବାକୁ ଚେଷ୍ଟା କରେ । ମାତ୍ର ମୋ ମନ ବୁଝେନାହିଁ । ମଟନ୍‌ଖାଇବା ତ ଦୂରର କଥା ସେ ଶବ୍ଦଟି ଶୁଣିଲେ ମୋ ଆଖିରେ ଲୁହ ଜକେଇ ଆସେ ।

 

ପ୍ରଥମେ ପ୍ରଥମେ ବିରିଆନିର ମାଂସକୁ ଆଙ୍ଗୁଳିରେ ଛୁଇଁବା ପରେ ଯାଇ ମୁଁ ତାହା ଚିକେନ୍‌କି ମଟନ୍‌ବୋଲି ଜାଣୁଥିଲି ଏବଂ ମଟନ୍‌ହେଇଥିଲେ ସେ ଜାଗାରୁ ଉଠି ଚାଲିଆସୁଥିଲି । ପରେ ମୁଁ ଆଗତୁରା ଖବର ବୁଝିବାକୁ ଚେଷ୍ଟା କଲି ଯେ ଆଜି କି ବିରିଆନି ହେଉଛି । ମଟନ୍‌ବିରିଆନି ରନ୍ଧା ହେଉଥିବା ଦିନ ମୁଁ ଆଦୌ ଖାଇବା ପାଇଁ ଯାଏ ନାହିଁ । ଉପରବେଳା ମିଳୁଥିବା ଚା ଓ ବିସ୍କୁଟ୍‌ରେ ଭୋକ ମେଣ୍ଟେଇ ଶୋଇବାକୁ ଚେଷ୍ଟା କରେ । ରାତିରେ ମଧ୍ୟ ସେଇଆ କରେ । ସନ୍ଧ୍ୟା ଓ ରାତିର ପ୍ରାର୍ଥନା ମଝିରେ ରାତି ଖାଇବା ଦିଆଯାଏ । ଯେଉଁଦିନ ରୋଟି ସାଙ୍ଗରେ ମଟନ୍‌ଦିଆଯାଏ, ସେଦିନ ମୁଁ ଧାଡ଼ିରୁ ବାହାରି ପଳେଇଆସେ । ଯଦି ଖୁବ୍‌ଭୋକ ଲାଗୁଥାଏ ତାହାହେଲେ ରୁଟିକୁ ପାଣିରେ ବୁଡ଼େଇ ଖାଏ, ତରକାରି ଆଦୌ ଖାଏ ନାହିଁ । ଏମିତି ପାଣିରେ ରୁଟି ବୁଡ଼େଇ ଖାଇବା ମୋର ବହୁଦିନର ଅଭ୍ୟାସ ।

 

କାରାଗାର କହିଲେ ଯେଉଁ ପ୍ରକାର ଭୟଙ୍କର ଧାରଣା ମନକୁ ଆସେ ସୁମେସି ଜେଲ୍‌ସେମିତି ନ ଥିଲା । ଆମେମାନେ ବେଶ୍‌ଆରାମରେ ରହୁଥିଲୁ । ହୁଏତ ବଡ଼ ବଡ଼ ଅପରାଧ ଘଟେଇଥିବା କଏଦୀଙ୍କୁ ଅଲଗା ଜେଲ୍‌ରେ କିମ୍ବା ଆମ ଜେଲ୍‌ର ଅନ୍ୟ ବ୍ଲକ୍‌ରେ ରଖାଯାଇଥିଲା । ସେଥିପାଇଁ ଏପଟେ ଆମକୁ ରିହାତି ମିଳୁଥିଲା । ଆମ ବ୍ଲକ୍‌ରେ ରହୁଥିବା କଏଦୀମାନେ ହେଲେ ଭିସା ନ ଥାଇ ଏ ଦେଶରେ ରହୁଥିବା, କିମ୍ବା ଭିସା ସମୟ ସରିଯିବା ସତ୍ତ୍ୱେ ଏଠି ରହିଥିବା ଅଥବା ପରିଚୟପତ୍ର ନ ଥିବା ଲୋକମାନେ । ଏହା ସାଙ୍ଗକୁ କିଛି ମୁସଲ୍‌ମାନ୍‌ଅପରାଧୀ ମଧ୍ୟ ଆମ ସାଙ୍ଗରେ ଥିଲେ । ସେମାନଙ୍କ ଭିତରୁ କିଏ ନମାଜ ସମୟରେ ରାସ୍ତାରେ ବୁଲିଥିଲା ତ କିଏ ରମ୍‌ଜାନ୍‌ସମୟରେ ଖାଦ୍ୟ ରାନ୍ଧି ଖାଇଥିଲା । ଆଉ କିଏ ସର୍ବସାଧାରଣ ଜାଗାରେ ସିଗାରେଟ୍‌ଟାଣିଥିଲା କିମ୍ବା ଆରବୀଙ୍କ ସହ କଳିଝଗଡ଼ା କରିଥିଲା । ଏହା ଅର୍ଥ ଯେଉଁମାନେ ଛୋଟମୋଟ ଅପରାଧ କରିଥିଲେ ଏବଂ ଯେଉଁମାନଙ୍କୁ ସେମାନଙ୍କ ଦେଶକୁ ଦେଶାନ୍ତର କରାଯିବ ସେମାନଙ୍କୁ ଏଇଠି ଆମ ବ୍ଲକ୍‌ରେ ବନ୍ଦୀ ଭାବେ ରଖାଯାଇଥିଲା ।

 

ଏ କାରାଗାରରେ ଯେମିତିକା ନିଶ୍ଚିନ୍ତ ଜୀବନ ମୁଁ କାଟୁଥିଲି, ସେମିତି ଜୀବନ ଆଗରୁ କେବେ ମୁଁ କାଟିଥିବା ମନେପକାଇ ପାରୁନାହିଁ । ଆମକୁ ନିର୍ଦ୍ଦିଷ୍ଟ ସମୟରେ ଖାଇବା ମିଳିଯାଉଥିଲା-। ଆମେମାନେ ପ୍ରାର୍ଥନା ସମୟରେ ପ୍ରାର୍ଥନା କରୁଥିଲୁ, ନିଜ ନିଜ ଭିତରେ ଗପସପ କରୁଥିଲୁ, ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖୁଥିଲୁ ଏବଂ ଆବଶ୍ୟକତା ଅନୁସାରେ କିମ୍ବା ତାହାଠାରୁ ଅଧିକା ସମୟ ଶୋଉଥିଲୁ । ଆମ ବିଷୟରେ ଅବଶିଷ୍ଟ ଦୁନିଆ କୌଣସି ଖବର ରଖୁ ନ ଥିଲା କି ଆମେ ଅବଶିଷ୍ଟ ଦୁନିଆର ଖବର ରଖୁ ନ ଥିଲୁ ।

 

ମଝିରେ ମଝିରେ ହମିଦ୍‌ଅଭିଯୋଗ କରୁଥିଲା ଯେ ଏଠି ଗାଧୋଇବା ଲାଗି ସୁବିଧା ନାହିଁ । ଜେଲ୍‌ରେ ସପ୍ତାହେ ରହିବା ପରେ ଯେତେବେଳେ ଝାଳମିଶା ପବନ ଏବଂ ନିଜ ଅଗାଧୁଆ ଦେହର ଗନ୍ଧକୁ ନେଇ ସେ ମନେମନେ କଅଣ ସବୁ କହୁଥିଲା, ସେତେବେଳେ ତା’ କଥା ଶୁଣି ମୁଁ ହସିଥିଲି । ତା’ପରେ ମୁଁ ମୋ ଆଙ୍ଗୁଳି ସାହାଯ୍ୟରେ ହିସାବ କରିଥିଲି- ତିନିବର୍ଷ, ଚାରିମାସ, ନଅଦିନ । ଏକଥା ଭାବି ମୁଁ ପୁଣିଥରେ ହସିଥିଲି । ହମିଦ୍‌ମୋ ହସିବା ଦେଖିଲା, ମାତ୍ର ହସିବାର କାରଣ ଧରିପାରି ନ ଥିଲା ।

 

ଜେଲ୍‌କୁ ଆସିଥିବା ପ୍ରତ୍ୟେକ କଏଦୀଙ୍କ ପାଖରେ କହିବା ପାଇଁ କାହାଣୀଟିଏ ଥିଲା - ଯନ୍ତ୍ରଣା, ଦୁଃଖ, ନିର୍ଯାତନା, ଲୁହ, ନିରୀହତା ଓ ଅସହାୟତାର କାହାଣୀ । ଏମିତିକା କାହାଣୀ ତ ଆପଣମାନେ ସବୁଆଡ଼େ ଶୁଣିଥିବେ । ତାହା ଅର୍ଥ ନୁହେଁ ଯେ ମୁଁ ସେମାନଙ୍କର ଦୁଃଖକୁ ନ୍ୟୂନ କରି ଦେଖୁଛି । ସମସ୍ତଙ୍କ ପାଇଁ ନିଜ କାହାଣୀ ଗୁରୁତ୍ୱପୂର୍ଣ୍ଣ, ନିଜ ଜୀବନ ଦୁଃଖପୂର୍ଣ୍ଣ । କାହା ଜୀବନର କ୍ଷତିକୁ କୌଣସି କ୍ଷତିପୂରଣରେ କଦାପି ଭରଣା କରାଯାଇ ନ ପାରେ । ଜଣଜଣଙ୍କର ଦୁଃଖ ଶୁଣି ମୁଁ ତ ଭାବୁଥିଲି ଯେ ତାଙ୍କର ସେ ଦୁଃଖ ତୁଳନାରେ ମୋ ଦୁଃଖ ବରଂ କମ୍‌ । ସେଭଳି କାହାଣୀ ମୋତେ ମୋ ଦୁଃଖ ଭିତରୁ ବାହାରି ଆସିବା ଲାଗି ସାହାଯ୍ୟ କରୁଥିଲା । ତାହା ମଧ୍ୟ ମୋତେ ବଞ୍ଚିବା ଲାଗି ସାହସ ଦେଉଥିଲା । ନ ହେଲେ ମୁଁ ଆପଣଙ୍କୁ ମୋର ଏ କାହାଣୀ ଶୁଣାଇବା ଲାଗି ବଞ୍ଚି ରହିପାରି ନ ଥାନ୍ତି । ହୁଏତ, ମୋ ଦୁଃଖର ଓଜନ ସହି ନ ପାରି ମୁଁ ଆତ୍ମହତ୍ୟା କରିଦେଇଥାଆନ୍ତି । ନିଜ ଦୁଃଖକୁ ଭୁଲିବାର ବଡ଼ ଉପାୟ ହେଉଛି ତାହାଠୁଁ ଅଧିକ ଦୁଃଖ ଭୋଗିଥିବା ଲୋକର କାହାଣୀ ଶୁଣିବା ।

 

କାରାଗାର ଭିତରେ ପ୍ରତି ସପ୍ତାହରେ ଥରେ, ଚିହ୍ନଟ ପ୍ୟାରେଡ୍‌ହୁଏ । ଏହି ଦିନଟା ଭାରି ଦୁଃଖର ଦିନ । କାରଣ ସେଦିନ ଆରବୀ ମାଲିକମାନେ ତାଙ୍କ ଫେରାର୍‌କର୍ମଚାରୀମାନଙ୍କୁ ଚିହ୍ନଟ କରିବାଲାଗି ଆସନ୍ତି । ସେଦିନ, ଜଳଖିଆ ପରେ, ଆମମାନଙ୍କୁ ଗୋଟେ ଧାଡ଼ିରେ ଯାଇ ଛିଡ଼ାହେବାକୁ କୁହାଯାଏ । ଆରବୀମାନେ ଆସି ଜଣଜଣ କରି ଆମକୁ ଦେଖନ୍ତି । କେସ୍‌ର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଅପରାଧୀକୁ ଚିହ୍ନଟ କଲାପରି ସେମାନେ ତାଙ୍କ ଶ୍ରମିକକୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରନ୍ତି । ପ୍ରତି ସପ୍ତାହରେ ଆମ ଭିତରୁ କିଛି ହତଭାଗା ଧରାପଡ଼ିଯାଆନ୍ତି । ନିଜ ଶ୍ରମିକକୁ ଚିହ୍ନିପକେଇଥିବା ଆରବୀ ମାଲିକ ଆଗେ ତା’ କର୍ମଚାରୀ ଗାଲରେ ଗୋଟେ ଚଟକଣା ବସାନ୍ତି । ସେଇଠୁ ଅନ୍ୟମାନେ ଜାଣନ୍ତି ଯେ ବିଚରା କଏଦୀ ଧରାପଡ଼ିଯାଇଛି । ଆଉ କିଛି ଆରବୀ ଲୋକ ଚାପୁଡ଼ା ମାରିବା ବଦଳରେ ଅଣ୍ଟାର ବେଲ୍‌ଟ ଖୋଲି ସେଇଠି ତାଙ୍କ କର୍ମଚାରୀଙ୍କୁ ପିଟିଦେଇଯାଆନ୍ତି । ଯେପର୍ଯ୍ୟନ୍ତ ସେମାନଙ୍କର ରାଗ ଶାନ୍ତ ନ ହେଇଛି ସେପର୍ଯ୍ୟନ୍ତ ପିଟିଚାଲିଥିବେ-। ଟିକିଏ ଦୂରରେ ପୁଲିସ କର୍ମଚାରୀ ଠିଆହୋଇ ଏ ଦୃଶ୍ୟ ଦେଖୁଥିବେ, ମାତ୍ର ସେମାନେ ତାଙ୍କୁ ବାରଣ କରିବେ ନାହିଁ । ସତେ ଯେମିତି ଏ ଘଟଣା ସହ ତାଙ୍କର କିଛି ସମ୍ପର୍କ ନାହିଁ–ଏ ପ୍ରକାର ଅନାସକ୍ତ ଭାବ ନେଇ ପୁଲିସ କର୍ମଚାରୀମାନେ ଏ ଦୃଶ୍ୟ ଉପଭୋଗ କରୁଥିବେ-। ସମୟେ ସମୟେ କିଛି କଏଦୀ, ମାଲିକ ହାତରୁ ମାଡ଼ ଖାଇବା ଆଗରୁ, ଜୋର୍‌ରେ ଚିତ୍କାର କରିଉଠନ୍ତି । ଏଇଥିରୁ ତାଙ୍କର ଅସହାୟତା ବୁଝିହୁଏ । ଚାରିଆଡ଼ୁ ନିରାଶ ହୋଇପଡ଼ିଥିବା ମଣିଷ ନ କାନ୍ଦି କଅଣ ଆଉ କରିବ ? ବିଚରାକୁ କାରାଗାରର ଜୀବନ ଟିକିଏ ଆଶ୍ୱସ୍ତି ଦେଇଥିଲା-। ମାତ୍ର ସେତକ ବି ତା’ ପାଖରୁ ଚାଲିଗଲା । ଏଥିରେ ସେ କାନ୍ଦିବ ନାହିଁ କିପରି ? ଯେଉଁ ଆରବୀ ମାଲିକ ତାକୁ ଯାବତୀୟ ନିର୍ଯାତନା ଦେଉଥିଲା, ପୁଣିଥରେ ତାଆରି ପାଖକୁ ଫେରିବା ଯେ ଜଣେ କର୍ମଚାରୀ ପକ୍ଷେ କେତେ କଷ୍ଟକର ସେକଥା ଭାଷାରେ ବୁଝେଇ ହେବ ନାହିଁ-। ଚିହ୍ନଟ ପ୍ୟାରେଡ୍‌ବେଳେ ଯେଉଁ ମାଡ଼ ସିଏ ତ କିଛି ନୁହେଁ । ଏମିତି ମାଡ଼ ସେ ବହୁବାର ତା’ ମାଲିକଠାରୁ ଆଗରୁ ଖାଇଥିବ । ମାତ୍ର ପୁଣିଥରେ ଘୋଷରା ହେଇ ସେଇ ପୁରୁଣା ଜାଗାକୁ ଯିବା ସବୁଠୁ ଅଧିକ ଯନ୍ତ୍ରଣାଦାୟକ ।

 

ଏହି ଆରବୀ ମାଲିକମାନଙ୍କର ଦୟା କି ବିବେକ କିଛି ନ ଥାଏ । ସେମାନେ ସାଙ୍ଗେ ସାଙ୍ଗେ କଏଦୀକୁ ଘୋଷାରି ନେଇଯାଆନ୍ତି ଏବଂ ତା’ ବିରୋଧରେ ନିଜର ଅଭିଯୋଗମାନ ବଖାଣିଚାଲନ୍ତି–ମୋ ଟଙ୍କା ଚୋରି କରି ପଳେଇ ଆସିଥିଲା କିମ୍ବା ମୋ ଝିଅକୁ ଧର୍ଷଣ କରିବାଲାଗି ଉଦ୍ୟମ କରୁଥିଲା ଅଥବା ମୋତେ ଜୀବନରୁ ମାରିଦେବା ପାଇଁ ଯୋଜନା କରିଥିଲା । ସେତେବେଳେ କଏଦୀଟିର ମୁହଁ ହାଣମୁହଁକୁ ଯାଉଥିବା ଛେଳିର ମୁହଁ ପରି ବିକଳ ଦିଶୁଥାଏ । ସେ ନିଜର ନିର୍ଦ୍ଦୋଷପଣିଆ ସାବ୍ୟସ୍ତ କରିବା ଲାଗି ବଡ଼ ପାଟିରେ କାନ୍ଦେ । ତା’ର ବିକଳ କାନ୍ଦଣା କାରାଗାରର ଉଚ୍ଚ କାନ୍ଥ ଓ ପାଚେରି ଡେଇଁ ପବନରେ ମିଳେଇ ଯାଏ ସିନା ମାତ୍ର କିଛି ଫଳ ଫଳେ ନାହିଁ । ସେସବୁ ଅରଣ୍ୟ ରୋଦନ ହୋଇ ରହିଯାଏ । ଆରବୀ ମାଲିକ ତାଙ୍କ ନିଜ ମର୍ଜି ଅନୁସାରେ ଆଇନର ବ୍ୟବହାର କରନ୍ତି ଏବଂ ବିଚରା କର୍ମଚାରୀକୁ ଘୋଷାରି ଘୋଷାରି ସାଙ୍ଗରେ ନେଇଯାଆନ୍ତି ।

 

ଜଣେ ଆରବ ଲୋକ ତା’ ଦେଶର କାରାଗାର ପରିସରରେ ଯେତିକି ସ୍ୱାଧୀନତା ଉପଭୋଗ କରେ ଆମେ ବିଦେଶୀ ଲୋକ କାରାଗାର ବାହାରେ ସୁଦ୍ଧା ସେତିକି ସ୍ୱାଧୀନତା ପାଉନା । ଜଣେ ଆରବୀ ଯଦି ଖଣ୍ଡେ କାଗଜ ଦେଖେଇ ପ୍ରମାଣ କରିଦେବ ଯେ ସିଏ ଥାନାରେ ତା’ ଚାକର ନାଆଁରେ ଏତଲା ଦେଇଛି, ତାହାହେଲେ ଏହି ପ୍ୟାରେଡ୍‌ଦିନ ସେ ମନଇଚ୍ଛା ଆସି ଜେଲ୍‌ଭିତରେ ବୁଲି ଖୋଜିପାରିବ । ତା’ ଭିତରେ ଯଦି ସେ ତା’ କର୍ମଚାରୀକୁ ପାଇଗଲା ତାହାହେଲେ ତାକୁ ଘୋଷାରି ନେଇ ୱାର୍ଡେନ୍‌ପାଖକୁ ଯିବ ଏବଂ ୱାର୍ଡେନ୍‌ଙ୍କୁ ଗୋଟେ ଦରଖାସ୍ତ ଦେବ । ଏହାପରେ କେସ୍‌ର ଚେହେରା ବଦଳିଯିବ । ସାମାନ୍ୟ ଅପରାଧ ଘଟାଇ ଜେଲ୍‌କୁ ଆସିଥିବା ଲୋକଟି ତତ୍‌କ୍ଷଣାତ୍‌ଏକ ବଡ଼ ଅପରାଧୀରେ ପରିଣତ ହେଇଯିବ । ଏହାପରେ ସରିଆ ଆଇନରେ ତାହାର ବିଚାର ହେବ । ତା’ର ଆରବୀ ମାଲିକ ତାକୁ ଫେରେଇନେବାଲାଗି ଦାବି କରିପାରିବ ଅଥବା ତାକୁ ଦେଶାନ୍ତର କରାଯାଉ ବୋଲି ଦରଖାସ୍ତ କରିପାରିବ । ଯଦି ଦେଶାନ୍ତର ଆଦେଶ ହେଲା ତ ତାହାହେଲେ ବିଚରା ମୁକ୍ତି ପାଇଗଲା, ଯଦି ପୁଣିଥରେ ଆରବୀ ମାଲିକ ସାଙ୍ଗରେ ଯିବାକୁ ପଡ଼ିଲା ତାହାହେଲେ ସେ ମଲା । ତା’ ଭାଗ୍ୟ ଅତ୍ୟନ୍ତ ଖରାପ ବୋଲି ଧରିନେବାକୁ ପଡ଼ିବ ।

 

ମୁଁ ମୋ ନିଜ ଅଭିଜ୍ଞତାରୁ ଜାଣିପାରୁଥିଲି ଯେ, ଏଭଳି ଆରବୀ ମାଲିକ ନିଜ କର୍ମଚାରୀ ସାଙ୍ଗରେ କି ଧରଣର ବ୍ୟବହାର କରନ୍ତି । ଏଥିପାଇଁ ଖାଲି ଆଲ୍ଲାଙ୍କୁ ଡାକିବା ହିଁ ଏକମାତ୍ର ପନ୍ଥା । ସିଏ ଶକ୍ତି ଓ ଧୈର୍ଯ୍ୟ ନ ଦେଲେ, ଏଭଳି ଅତ୍ୟାଚାର ସହ୍ୟ କରିବା ବାସ୍ତବରେ ଅସମ୍ଭବ ।

 

ପ୍ୟାରେଡ୍‌ଦିନ, ଆମ ବ୍ଲକ୍‌ଟା ଏକଦମ୍‌ନିସ୍ତବ୍ଧ ହୋଇଯାଏ । ଆଜିଯାଏ ଆମ ଗହଣରେ ରହିଥିବା, ଆମ ସହ ଖିଆପିଆ ଏବଂ ଗପସପ କରୁଥିବା ସାଥୀର ବିଦାୟ ଆମମାନଙ୍କୁ ଦୁଃଖୀ କରିଦିଏ । ବିଚରା, ନିଜ ଘରକୁ ଫେରିଯିବ ବୋଲି କେତେ ସ୍ୱପ୍ନ ଦେଖିଥିଲା, କେତେ ଯୋଜନା କଥା କହୁଥିଲା; ମାତ୍ର ସେ ସ୍ୱପ୍ନ ଆଉ ଯୋଜନା ସେଇଠି ରହିଗଲା । ଘୋଷରା ହୋଇ ଯାଉଥିବା ବେଳେ ସାଥୀ କଏଦୀର କାନ୍ଦଣା ରଡ଼ି ଆମ ବ୍ଲକ୍‌ପର୍ଯ୍ୟନ୍ତ ଶୁଭୁଥାଏ । ତା’ର କରୁଣ ଓ ହୃଦୟ ବିଦାରକ କାନ୍ଦ ଆମକୁ ଅସ୍ତବ୍ୟସ୍ତ କରିପକାଏ । ସେଦିନ ଆଉ କିଛି କଥାବାର୍ତ୍ତା କରିବାକୁ ମନ ହୁଏନାହିଁ । ଗୋଟିଏ ପ୍ୟାରେଡ୍‌ଦିନର ଦୁଃଖଦ ଅନୁଭୂତି ମନରୁ ନ ଯାଉଣୁ ଆଉ ଗୋଟିଏ ପ୍ୟାରେଡ୍‌ଦିନ ଆସି ପହଞ୍ଚିଯାଏ । ସେଦିନ ପୁଣି କିଛି ନିରୀହଙ୍କ ଭାଗ୍ୟ ଆକାଶରେ କଳାବାଦଲ ଘୋଟିଆସେ ।

 

କାରାଗାର ଜୀବନ ତ ଏଇଥିପାଇଁ କରୁଣ । ଇଏ କଅଣ ଗୋଟେ ଶାନ୍ତିରେ ରହିବା ପରି ଜାଗା !

 

ଆମର ସେଇ ଦି’ଘଣ୍ଟିଆ ପ୍ୟାରେଡ୍‌ସମୟରେ ଅନେକ ଆରବୀ ଆସିଥାଆନ୍ତି । ବେଳେବେଳେ ସେମାନଙ୍କ ସଂଖ୍ୟା ଶହେକୁ ସୁଦ୍ଧା ଟପିଯାଏ । ପ୍ରଥମେ ପ୍ରଥମେ ପ୍ୟାରେଡ୍‌ଦିନ ମୁଁ ଓ ହମିଦ୍‌ଡରରେ ଥରିବାକୁ ଲାଗୁଥିଲୁ । ସେ ଦି’ଘଣ୍ଟା କାଳ ଆଶଙ୍କା ଓ ଉଦ୍‌ବେଗ ଭିତରେ ବିତୁଥିଲା । ସବୁବେଳେ ଲାଗୁଥିଲା ଏଇ ଯେମିତି ଆମେ ଧରାପଡ଼ିଯିବୁ । ଆମକୁ ଖୋଜୁଥିବା ଆରବୀ ଆସି ପହଞ୍ଚିଯିବ । ଆମ ମାଲିକଙ୍କ ଚେହେରା ସହ ସାମାନ୍ୟ ସାଦୃଶ୍ୟ ଥିବା ଆରବୀଙ୍କୁ ଦେଖିଲେ ଆମେ ଡରିଯାଉଥିଲୁ । ସେ ଲୋକ ପାଖକୁ ଆସିବା ପରେ ଆମ ଡର ଛାଡ଼ୁଥିଲା । ଆମେ ଜାଣୁଥିଲୁ ଯେ, ନା ଇଏ ଆମ ମାଲିକ ନୁହେଁ । ତାହାପରେ ଆମେ ସ୍ୱସ୍ତିର ନିଃଶ୍ୱାସ ନେଉଥିଲୁ ।

 

ଏହି ଦି’ଘଣ୍ଟାର ପ୍ୟାରେଡ୍‌ଭିତରେ ସବୁଥର କିଛି ଅଭାଗା ଚିହ୍ନଟ ହେଉଥିଲେ । ସେମାନଙ୍କର ବିକଳ ଚେହେରା ଆମମାନଙ୍କୁ ବ୍ୟଥିତ କରୁଥିଲା । ସେହି ଦି’ଘଣ୍ଟା ସରିବା ପରେ ଆମେ ନିଶ୍ଚିନ୍ତ ହେଉଥିଲୁ । ମୋତେ ହୁଏତ ଆପଣ ସ୍ୱାର୍ଥପର କହିପାରନ୍ତି; ମାତ୍ର ମୋତେ କେହି ଖୋଜି ଆସୁ ନ ଥିବା ଯୋଗୁଁ ମୁଁ ପ୍ରକୃତରେ ଖୁସି ହେଉଥିଲି । ଧୀରେ ଧୀରେ ପ୍ୟାରେଡ୍‌ଦିନର ଭୟ ମୋର କମି ଆସିଲା । ବାରମ୍ବାର ଏକା ଦୃଶ୍ୟ ଦେଖି ଦେଖି ମନରୁ ଭୟ ଦୂରେଇ ଯାଉଥିଲା-। ପୂର୍ବପରି ଏହା ଆଉ ଭୟଙ୍କର ଲାଗୁ ନ ଥିଲା । ମୁଁ ଭାବୁଥିଲି ଯେ, ଧରାପଡ଼ିବାର ସମୟ ବୋଧେ ପାରି ହେବାକୁ ଯାଉଛି । ମୋ ଆରବୀ ମାଲିକର ଆସିବାର ଥିଲେ ସେ ନିଶ୍ଚୟ ଏତେବେଳକୁ ଆସି ସାରିଥାଆନ୍ତା ।

 

ନିଜର ମାଲିକ ପାଖରୁ ପଳେଇ ଆସୁଥିବା କର୍ମଚାରୀଟି ପନ୍ଦର ଦିନ ନ ହେଲେ ଅତି ବେଶିରେ ମାସେ ଭିତରେ ପୁଲିସ ହାତରେ ଧରାପଡ଼ିବ ବୋଲି ସମସ୍ତେ ଭାବିଥାଆନ୍ତି । ଏତକ ସମୟ ଭିତରେ ଯଦି ସେ ଧରା ନ ପଡ଼ିଲା ତାହାହେଲେ ଭାବିନେବାକୁ ହେବ ଯେ ଲୋକଟା ଖସିଯାଇଛି କିମ୍ବା କୌଣସି ନିରାପଦ ଆଶ୍ରୟ ପାଇଯାଇଛି । ତା’ପରେ ତାକୁ ଖୋଜି ପାଇବା ଅସମ୍ଭବ । ଏ ଦେଶରେ ଏମିତି ଅନେକ ଲୋକ ଲୁଚିକି ଅଛନ୍ତି ଯାହାଙ୍କ ପାଖରେ କୌଣସି କାଗଜପତ୍ର ନାହିଁ । ଏସବୁ କଥା ଜାଣିଥିବାରୁ ଆରବୀ ମାଲିକମାନେ ସେମାନଙ୍କର ଫେରାର୍‌କର୍ମଚାରୀଙ୍କୁ ମାସେ କି ଦି’ମାସ ଯାଏଁ ଖୋଜନ୍ତି, ତାହାପରେ ଖୋଜିବା ଛାଡ଼ିଦିଅନ୍ତି । ତେବେ ପୁଲିସ ପାଖରେ ତାଙ୍କ କେସ୍‌ଟି ଦାୟର୍‌ହେଇ ରହେ । ଏହି ସମୟସୀମା ପରେ ନିଜ କର୍ମଚାରୀକୁ ଖୋଜି ପାଉଥିବା ଆରବୀ ମାଲିକ ନିଜକୁ ଭାଗ୍ୟବାନ ବୋଲି ବିଚାର କରେ ।

 

ଆମର ସେହି ସମୟସୀମା ପାର ହେବାକୁ ବସିଥିବାରୁ ମୁଁ ଓ ହମିଦ୍‌ଖୁସି ହେଉଥିଲୁ ଏବଂ ଏହାପରେ ଆମକୁ ଆଉ କେହି ଖୋଜିବାକୁ ଆସିବେ ନାହିଁ ବୋଲି ଆମେ ଭାବୁଥିଲୁ । ସେଥିପାଇଁ ଆମକୁ ପ୍ୟାରେଡ୍‌ଧାଡ଼ିରେ ଛିଡ଼ାହେବାକୁ ଆଉ ଭୟ ଲାଗୁ ନ ଥିଲା । ଆମେ ଧାଡ଼ିରେ ଠିଆହୋଇ ନିଜ ନିଜ ଭିତରେ ଥଟ୍ଟା ପରିହାସ କରୁଥିଲୁ ଏବଂ ନିଶ୍ଚିନ୍ତ ମନରେ ଏଣେତେଣେ ଚାହୁଁଥିଲୁ । କେମିତି ସେ ଦି’ଘଣ୍ଟା ବିତିଯିବ ସେତକ ପାଇଁ ଆମର ଯାହା ଅପେକ୍ଷା ରହୁଥିଲା । ଏହିଭଳି ଭାବରେ, ଏକଦା ଆମକୁ ଗୋଟାପଣେ ଅକ୍ତିଆର କରି ରହିଥିବା ଆଶଙ୍କା କବଳରୁ ଆମେ ଟିକିଏ ଟିକିଏ ଖସି ଆସୁଥିଲୁ । କେବଳ ଯେ ଆମ କ୍ଷେତ୍ରରେ ଏଭଳି ହେଉଥିଲା ତାହା ନୁହେଁ, ଜେଲ୍‌ଭିତରେ ଚାରି ପାଞ୍ଚ ମାସ କଟେଇଥିବା ସବୁ କଏଦୀଙ୍କ ଅନୁଭବ ଏଇ ଏକା ପ୍ରକାରର ଥିଲା ।

 

ଆମ ବ୍ଲକ୍‌ଟା ଗୋଟେ ରେଳ ଷ୍ଟେସନ୍‌ର ପ୍ଲାଟ୍‌ଫର୍ମ ପରି ଥିଲା- ଯେଉଁଠି ସବୁଦିନ କିଛି ଯାତ୍ରୀ ଆସି ପହଞ୍ଚୁଥିଲେ ଏବଂ କିଛି ଯାଉଥିଲେ । ଏଠି କୌଣସି ଲୋକ ସ୍ଥାୟୀ ନ ଥିଲେ । ସବୁ କଏଦୀ ଯେ ଗୋଟେ ସମୟରେ ଆସୁଥିଲେ ତାହା ନୁହେଁ । ଦିନର ବିଭିନ୍ନ ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଓ ବିଭିନ୍ନ ପୁଲିସ ଷ୍ଟେସନ୍‌ଜରିଆରେ କଏଦୀମାନେ ଆସି ପହଞ୍ଚୁଥିଲେ । ସେଥିପାଇଁ ସେମାନଙ୍କର ଆସିବା ବେଳର ଦୃଶ୍ୟ ଆଦୌ ଭୁଲି ହେଉ ନ ଥିଲା । ଷ୍ଟେସନ୍‌ରୁ ଟ୍ରେନ୍‌ଟିଏ ଚାଲିଗଲେ ଯେମିତି କିଛି ସମୟ ଫାଙ୍କାଫାଙ୍କା ଲାଗେ, ଆମ ସାଙ୍ଗରେ ଥିବା କଏଦୀମାନେ ବିଦାୟ ନେବା ପରେ ଆମକୁ ସେମିତି କିଛି ସମୟ ଫାଙ୍କା ଫାଙ୍କା ଲାଗୁଥିଲା ।

 

ଆରବୀ ମାଲିକମାନଙ୍କ ପରିଦର୍ଶନ ପରଦିନ ଦୂତାବାସର ଅଫିସର୍‌ମାନେ ଆସୁଥିଲେ-। ବିଭିନ୍ନ ଦେଶର ଦୂତାବାସ କର୍ମଚାରୀ ଆସି ସେମାନଙ୍କ ଦେଶର ଯେଉଁ ଲୋକ ଜେଲ୍‌ରେ ଅଛନ୍ତି, ତାଙ୍କ ମୁକ୍ତି ପାଇଁ ଆବଶ୍ୟକ କାଗଜପତ୍ର ଦେଉଥିଲେ । ପୂର୍ବଦିନ ଯଦି ଲୁହର ଦିନ ହେଇଥାଏ, ତାହାହେଲେ ପର ଦିନଟି ଆନନ୍ଦର ଦିନ ହୁଏ । ଦୂତାବାସର ଲୋକମାନେ, ନିଜ ନିଜ ଦେଶକୁ ଫେରିଯିବା ପାଇଁ ଯୋଗ୍ୟ କଏଦୀମାନଙ୍କ ନାଁ ଗୋଟିଏ ପରେ ଗୋଟିଏ ଡାକନ୍ତି । ଯେଉଁମାନଙ୍କର ‘ଏକ୍‌ଜିଟ୍‌ପାସ୍‌’ ପ୍ରସ୍ତୁତ ହୋଇସାରିଥିବ ସେଇମାନଙ୍କ ନାଁ ତାଙ୍କ ତାଲିକାରେ ଥାଏ-। ଯାହାର ନାମ ଡକାଯାଏ ସେ ଧାଡ଼ିରୁ ବାହାରି ଆଗକୁ ଯାଏ । ଏହି ମୁହୂର୍ତ୍ତଟି ପାଇଁ ସଭିଏଁ ଅଧୈର୍ଯ୍ୟ ହୋଇ ଅପେକ୍ଷା କରିଥାଆନ୍ତି । ମୋର ତୁଳନାଟା ହୁଏତ ପ୍ରାସଙ୍ଗିକ ହୋଇ ନ ପାରେ; ମାତ୍ର ଏହି ଅଧୈର୍ଯ୍ୟ ବିଦେଶୀ କଏଦୀମାନଙ୍କ ସମାବେଶ ଦେଖି ମୋତେ ଲାଗୁଥାଏ ସତେ କି ଏମାନେ ବିଶ୍ୱସୁନ୍ଦରୀ ପ୍ରତିଯୋଗିତାର ଘୋଷଣାକୁ ଅପେକ୍ଷା କରି ରହିଛନ୍ତି । ସେହି ପ୍ରତିଯୋଗିତାରେ ଯାହାର ନାମ ଘୋଷଣା କରାଯାଏ ସେ ମିସ୍‌ୟୁନିଭର୍ସ ହୋଇଥିବା ପରି ଆନନ୍ଦରେ ଗଦ୍‌ଗଦ୍‌ହୋଇଯାଏ । ଏଇଠି ନାଁ ଡକାଯିବା ଅର୍ଥ ଦୀର୍ଘଦିନର ଦୁର୍ଭାଗ୍ୟଜନକ ଜୀବନରୁ ମୁକ୍ତି । ତେବେ ମନର ଆନନ୍ଦକୁ କେହି ଖୋଲାଖୋଲି ଏଠି ପ୍ରକାଶ କରନ୍ତି ନାହିଁ । କାରଣ ଦୁଇ ପାଖରେ ଆହୁରି ହତଭାଗା ତଥାପି ଥାଆନ୍ତି ଯେଉଁମାନଙ୍କର ଦୀର୍ଘ ଅପେକ୍ଷାର ଅବସାନ ହୋଇ ନ ଥାଏ । ସେହି ଅଭାଗାମାନଙ୍କ ଗହଣରେ ଅଳ୍ପ କିଛି ଲୋକ ଆନନ୍ଦ ପାଳିବା ଆଦୌ ଉଚିତ ହୁଅନ୍ତା ନାହିଁ । କାରାଗାରର ଜୀବନ ସେମାନଙ୍କ ଭିତରେ ଗୋଟେ ସମାନୁଭୂତିର ଭାବ ସୃଷ୍ଟି କରିଥାଏ । ଯେଉଁମାନଙ୍କ ନାଁ ଡକାଯାଏ ନାହିଁ ସେମାନେ ପୁଣିଥରେ ନିରାଶ ହୁଅନ୍ତି । ତାଙ୍କ ପାଇଁ ଆଉ ଗୋଟିଏ ଅବକାଶ ବ୍ୟର୍ଥ ହୋଇଯାଇଥାଏ । ସମୟେ ସମୟେ କିଛି କଏଦୀ ଧୈର୍ଯ୍ୟ ଧରି ପାରନ୍ତି ନାହିଁ, ବିକଳରେ କାନ୍ଦିଉଠନ୍ତି । ସେମାନଙ୍କ ଆଖିରୁ ଧାର ଧାର ଲୁହ ଗଡ଼ିଯାଏ ।

 

ଏହାପରେ ଦୂତାବାସ ଅଫିସର୍‌ମାନେ ଜେଲ୍‌ର ଅଫିସ୍‌ଭିତରକୁ ଯାଇ କାଗଜପତ୍ର କାମ ସାରନ୍ତି । ଏହି କାମ ସାରିବାଲାଗି ସେମାନଙ୍କୁ ମାତ୍ର ପାଞ୍ଚ ମିନିଟ୍‌ସମୟ ଲାଗେ । ସେହି ସମୟ ଭିତରେ ମେଲାଣି ନେଇ ଯାଉଥିବା କଏଦୀମାନଙ୍କୁ ଆମେ ବିଦାୟ ଜଣାଉ । ପଛଦିନର ସ୍ମୃତି, ସମ୍ପର୍କ, କଥାବାର୍ତ୍ତା ଏବଂ ଦୁଃଖସୁଖ କଥା ମନେପକାଉ । ନିଜ ମନର ଦୁଃଖକୁ ଛାତିରେ ଚାପିରଖି କଏଦୀମାନେ ସ୍ୱଦେଶ ବାହୁଡୁଥିବା କଏଦୀମାନଙ୍କୁ ମେଲାଣି ଦିଅନ୍ତି । ସମସ୍ତଙ୍କୁ ଜଣ ଜଣ କରି ବିଦାୟ ଜଣାଇବାକୁ ସମୟ ଅଣ୍ଟେ ନାହିଁ । କାରଣ ପୁଲିସଙ୍କ ହୁଇସିଲ୍‌ସମସ୍ତଙ୍କୁ ସତର୍କ ଓ ସଚେତନ କରିଦିଏ । ଯେଉଁମାନେ ବିଦାୟ ନେବା କଥା ସେମାନଙ୍କୁ ତୁରନ୍ତ ପ୍ରସ୍ଥାନ ଫାଟକ ପାଖକୁ ଯିବାକୁ ପଡ଼େ । ସେଥିରେ ବିଳମ୍ବ ହେଲେ ପୁଣି ପୁଲିସର ବେଲ୍‌ଟ ମାଡ଼ ଖାଇବାକୁ ପଡ଼ିବ-। ଯିବାଆସିବାବେଳେ କାହାକୁ ବା ଏପରି ମାଡ଼ ଖାଇବାକୁ ଭଲ ଲାଗନ୍ତା ! ପାଟିର କଥା ଅଧାରଖି ସେମାନେ ଫାଟକ ପାଖକୁ ଦଉଡ଼ି ଦଉଡ଼ି ପଳେଇ ଯାଆନ୍ତି ।

 

ପଛରେ ରହେ କାରାଗାରର ହୃଦୟହୀନ ନିର୍ମମ ପରିବେଶ ।

 

ଚାରି

 

ଯେମିତି ଦିନ ପରେ ଦିନ ଗଡୁଥାଏ ସେମିତି ମୋ ମନ ଭିତରେ ବେଶି ବେଶି ଉଦ୍‌ବେଗ ବଢ଼ୁଥାଏ । ମୋ ପୂର୍ବରୁ ଏବଂ ମୋ ପରେ କାରାଗାରକୁ ଆସିଥିବା ଅନେକ କଏଦୀ ନିଜ ଦେଶକୁ ଯାଇସାରିଲେଣି; ମାତ୍ର ମୋ କାଗଜପତ୍ର ଆସୁନାହିଁ କାହିଁକି ? ମୁଁ ଜାଣିଛି, ଯେଉଁମାନେ ନିଜ ନିଜ ଦେଶକୁ ଫେରିଛନ୍ତି ସେମାନଙ୍କ ପାଖରେ ତାଙ୍କର ପାସ୍‌ପୋର୍ଟ ଏବଂ ଅନ୍ୟାନ୍ୟ କାଗଜପତ୍ର ଥିଲା । ସେଥିପାଇଁ ତାଙ୍କର ଦେଶାନ୍ତର କାଗଜପତ୍ର ଶୀଘ୍ର ପ୍ରସ୍ତୁତ ହୋଇପାରିଲା । ମୋ କାଗଜପତ୍ର ସେତେ ଶୀଘ୍ର ପ୍ରସ୍ତୁତ ହୋଇପାରିବନାହିଁ ବୋଲି ମୁଁ ବୁଝୁଥିଲି । ତାହା ସତ୍ତ୍ୱେ ଏତେ ବିଳମ୍ବ ହେବା ଅସ୍ୱାଭାବିକ ଲାଗୁଥିଲା । ମୁଁ ଏ ଜେଲ୍‌କୁ ଆସିବାର ପାଞ୍ଚ ମାସ ବିତିଯାଇଥିଲା । ତଥାପି ମୋର କାଗଜ ଆସୁନାହିଁ । ତେବେ ଗୋଟାଏ ସାନ୍ତ୍ୱନା ଥିଲା ଯେ ମୋ ସାଙ୍ଗରେ ମୋ ଦୁଃଖ ବାଣ୍ଟିବା ପାଇଁ ହମିଦ୍‌ଥିଲା । ତା’ର କାଗଜପତ୍ର ମଧ୍ୟ ଆସି ନ ଥିଲା ।

 

ପ୍ରତି ସପ୍ତାହରେ, ଦୂତାବାସ ଅଫିସର୍‌ମାନେ ଆସିବା ଆଗରୁ ଆମେ ମହଣେ ଆଶା ଛାତିରେ ଧରି ସେମାନଙ୍କୁ ଅପେକ୍ଷା କରୁ । ସେମାନେ କାମ ସାରି ଫେରିଯିବା ପରେ ଆମର ସେସବୁ ଆଶା ଓଜନିଆ ନିରାଶାରେ ପରିଣତ ହୋଇ ଆମ ପାଖକୁ ଫେରିଆସେ । ଅଫିସର୍‌ମାନେ ଫେରିଯାଆନ୍ତି, ଆମେ ଦୁଃଖରେ ଭାଙ୍ଗିପଡ଼ୁ । କୁଞ୍ଜିକ୍‌କା ମୋ କାଗଜପତ୍ର କଥା ବୁଝିବେ ବୋଲି ଆଶା ରଖି ମୁଁ ନିଜକୁ ପୁଲିସ ହାତରେ ସମର୍ପଣ କରିଥିଲି । ମାତ୍ର ଏପର୍ଯ୍ୟନ୍ତ ତାହା ହୋଇନାହିଁ । ତଥାପି ମୋର ଭରସା ଅଛି । କୁଞ୍ଜିକ୍‌କାଙ୍କ ଉପରେ ଯଦି ଭରସା ରଖିବି ନାହିଁ ତାହାହେଲେ ମୁଁ ଏ ଦୁନିଆରେ ଆଉ କାହା ଉପରେ ଭରସା ରଖିବି ? ହେ ଆଲ୍ଲା, ମୁହୂର୍ତ୍ତକ ପାଇଁ ହେଉ ସୁଦ୍ଧା ମୁଁ କୁଞ୍ଜିକ୍‌କା ଉପରେ ସନ୍ଦେହ କରିଥିବାରୁ ମୋତେ କ୍ଷମା କରିଦେବେ । ସେ ମୋ ପାଇଁ ବହୁତ କରିଛନ୍ତି । ତାଙ୍କ ଋଣ ମୁଁ କଦାପି ଶୁଝିପାରିବି ନାହିଁ ।

 

ଦୂତାବାସ କଥା ହେଲା ସରକାରୀ କାମ । ସେ କାମରେ ତ ନିଶ୍ଚୟ ସମୟ ଲାଗିବ । ଏତେଦିନ କଷ୍ଟ ସହି ପଡ଼ିରହିଛି, ଆଉ କିଛି ଦିନ ଯଦି ଅପେକ୍ଷା କରିବାକୁ ପଡ଼ିବ ତହିଁରେ ଅସୁବିଧା କଅଣ ? ମୋ’ର ମୁକ୍ତି ଲାଗି ଆଲ୍ଲା ଯେଉଁ ସମୟ ନିଧାର୍ଯ୍ୟ କରିଛନ୍ତି ସେ ସମୟ ଏପର୍ଯ୍ୟନ୍ତ ବୋଧହୁଏ ଆସିନାହିଁ । ସେ ସମୟ ଆସିଲେ ମୋ କାଗଜପତ୍ର ନିଶ୍ଚୟ ଆସିବ - ଏହିପରି ଭାବି ମୁଁ ମୋ ମନକୁ ବୁଝାଇ ଦିଏ ।

 

ସେଦିନ ଥିଲା ସେଇ ସପ୍ତାହର ଆରବୀ ମାଲିକମାନଙ୍କର ଜେଲ୍‌କୁ ଆସିବା ତାରିଖ । କଏଦୀମାନଙ୍କୁ ତାଙ୍କ ଆଗରେ ପ୍ୟାରେଡ୍‌କରାଯିବ ଏବଂ ସେମାନେ ଚିହ୍ନଟ କରିବେ । ମୁଁ ଓ ହମିଦ୍‌ଉଭୟେ ଏହା ଭିତରେ ବେଶ୍‌ଜଣାଶୁଣା କଏଦୀ ହୋଇସାରିଥିଲୁ । ପ୍ରତି ସପ୍ତାହରେ ପ୍ୟାରେଡ୍‌ରେ ଠିଆ ହୋଇ ହୋଇ ଆମେ ସମସ୍ତଙ୍କର ଚିହ୍ନା ହୋଇଯାଇଥିଲୁ । ନୂଆ ନୂଆ ଆସିଥିବା କଏଦୀମାନେ ଧରାପଡ଼ିଯିବା ଆଶଙ୍କା କରି ଡରୁଥାଆନ୍ତି । ଆମେ ଦିହେଁ ସେମାନଙ୍କୁ ପ୍ରବୋଧନା ଦେଇ ଧୈର୍ଯ୍ୟ ରଖିବାକୁ କହୁ । ତା’ପରେ ଦି’ଜଣଯାକ ଯାଇ ଧାଡ଼ିର ଶେଷମୁଣ୍ଡରେ ଛିଡ଼ା ହେଉ । ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀମାନେ ଆମ ପ୍ରତି ଟିକେ ସମ୍ବେଦନଶୀଳ ହୋଇଯାଇଥିଲେ । ମୋ ଦୁର୍ଭାଗ୍ୟର କାହାଣୀ ତାଙ୍କୁ ଟିକିଏ ପ୍ରଭାବିତ କରିଥିଲା । ତେଣୁ ନୂଆ କଏଦୀମାନଙ୍କୁ ସେମାନେ ଯେମିତି ନାଲି ଆଖି ଦେଖଉଥିଲେ କି କଡ଼ା ଭାଷାରେ ଗାଳି ଦେଉଥିଲେ, ଆମକୁ ସେମିତି କଡ଼ା ଭାଷାରେ କହୁ ନ ଥିଲେ । ସେଥିପାଇଁ ଆମେ ସେଇଠି ଛିଡ଼ାହୋଇ ଖୁସିଗପ କରୁଥିଲୁ । ନିଜ ନିଜ ଭିତରେ ଥଟ୍ଟାମଜା କରି ହସୁଥିଲୁ ।

 

ମୁଁ ହମିଦ୍‌କୁ କଅଣ ଗୋଟାଏ କହୁଥିଲି, ଦେଖିଲି ଯେ ତା’ର ଚେହେରା ହଠାତ୍‌ବଦଳିଗଲା । ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁଲି । କିଛି ସମୟ ପାଇଁ ସେ ମୂର୍ତ୍ତି ପରି ସ୍ଥିର ହୋଇ ରହିଲା । ତା’ପରେ ସେ ଆତଙ୍କିତ ସ୍ୱରରେ କହିଲା “ହେ ଆଲ୍ଲା...ଇଏ ତ ମୋ ମାଲିକ ।” ତା’ର ସେଇ କଥାପଦକ ଭିତରେ ଯେ କେତେ ଦୁଃଖ, କେତେ ଭୟ, କେତେ ଯନ୍ତ୍ରଣା ଏବଂ କେତେ ଅସହାୟତା ମିଶିକି ଥିଲା ତାହା ଭାଷାରେ ପ୍ରକାଶ କରିହେବ ନାହିଁ । ସେତିକିବେଳେ ମୁଁ ଜାଣିଲି ଯେ ଗୋଟିଏ ଚିତ୍କାର ଭିତରେ ଏତେଗୁଡ଼ାଏ ଅନୁଭବ ମିଶିକି ରହିପାରେ । ମଣିଷ ଜୀବନର ଏହି ଅନୁଭବକୁ କୌଣସି ସ୍ରଷ୍ଟା କେବେ ତା’ ସୃଷ୍ଟିରେ ଫୁଟାଇପାରିବ ନାହିଁ ।

 

ହମିଦ୍‌ର ଆଉ କିଛି କହିବା ଦରକାର ନ ଥିଲା । ତା’ ଆଖିଯୋଡ଼ିକ ଯେଉଁ ମଣିଷଟି ଉପରେ ସ୍ଥିର ଥିଲା ମୁଁ ତାକୁ ଅନେଇଲି । ଆମଆଡ଼କୁ ତା’ର ମାଲିକ, ସେଇ ଆରବୀ ଲୋକ ଜଣକ ଆସୁଥିଲା । ସେ ଆମ ପାଖେ ପହଞ୍ଚିବା ଆଗରୁ ହମିଦ୍‌ଭୟରେ ଚିତ୍କାର କରିଉଠିଥିଲା । ସୁତରାଂ ଆରବୀକୁ ଆଉ ବେଶି ଧନ୍ଦି ହେବାକୁ ପଡ଼ିଲା ନାହିଁ । ସେ ଯାହାକୁ ଖୋଜୁଥିଲା ସେ ବଡ଼ପାଟିରେ କନ୍ଦାକଟା କରି ନିଜକୁ ଚିହ୍ନେଇ ଦେଇଥିଲା ।

 

ହମିଦ୍‌ଉପରେ ଦୃଷ୍ଟି ପଡ଼ିବାକ୍ଷଣି ଆରବୀ ମାଲିକ ତା’ ଉପରକୁ ଚିତାବାଘ ପରି କୁଦିପଡ଼ିଲା ଏବଂ ତାକୁ ବିଧାଚାପୁଡ଼ା କଷି ଚାଲିଲା । ସେତିକିରେ ତା’ ମନ ଶାନ୍ତ ନ ହେବାରୁ ସେ ନିଜ ଅଣ୍ଟାରୁ ବେଲ୍‌ଟ ଖୋଲି ହମିଦ୍‌କୁ ପାହାର ପରେ ପାହାର ପିଟିଚାଲିଲା । ତା’ ରାଗ ଶାନ୍ତ ହେବାଯାଏ ସେ ସେମିତି ପିଟି ଚାଲିଥାଏ । ଅନ୍ୟମାନଙ୍କ ପରି ମୁଁ ମଧ୍ୟ ସେଇଠି ଠିଆହୋଇ ସେ ଦୃଶ୍ୟ ଦେଖୁଥାଏ ଏବଂ ନିଃଶବ୍ଦରେ କାନ୍ଦୁଥାଏ ।

 

“ମୁଁ ଆମ ଘରକୁ ଫେରିଯିବାକୁ ଚାହୁଁଛି...ମୁଁ ସେ କାମ କରିପାରୁନାହିଁ - ମୋତେ ଛାଡ଼ିଦିଅ, ଦୟାକରି ଛାଡ଼ିଦିଅ ମୋତେ...” ହମିଦ୍‌ବିକଳରେ ଚିତ୍କାର କରିଚାଲିଥାଏ; ମାତ୍ର ସେ ଆରବୀ ଜଣକ ହମିଦ୍‌ର କଥା ନ ଶୁଣି ତାକୁ ଭିଡ଼ିଭିଡ଼ି ୱାର୍ଡେନ୍‌ରୁମ୍‌କୁ ନେଇଯାଉଥାଏ ।

 

ସେଇ ଥିଲା ହମିଦ୍‌ସହ ମୋର ଶେଷ ଦେଖା । ତା’ପରେ ତା’ର କଅଣ ହେଲା ମୁଁ ଜାଣିନାହିଁ । ତା’ ବିଷୟରେ କିଛି ଜାଣିବା ଲାଗି ମୋର ଖୁବ୍‌ଇଚ୍ଛା ହୁଏ, ମାତ୍ର ଶେଷ ପର୍ଯ୍ୟନ୍ତ ତାହାର କୌଣସି ଖୋଜଖବର ପାଏ ନାହିଁ । ଏମିତି ଅନେକ ଜୀବନର କଥା ଅଧାବାଟରେ ସରିଯାଏ । ସେମାନେ ତାଙ୍କ କଥା କହିବା ପାଇଁ ରହନ୍ତି ନାହିଁ । ଦୀର୍ଘଶ୍ୱାସ ଆଉ ଚିତ୍କାର ଭିତରେ ସେମାନଙ୍କର ଜୀବନଦୀପ ଲିଭିଯାଏ ।

 

ସେଇ କିଛିଦିନର ସମ୍ପର୍କ ଭିତରେ ହମିଦ୍‌ସହ ମୋର ବନ୍ଧୁତା ନିବିଡ଼ ହୋଇଯାଇଥିଲା । ଜେଲ୍‌କୁ ଆସିବା ଆଗରୁ ସେ ଗୋଟେ ଫାର୍ମରେ କାମ କରୁଥିଲା । ତାକୁ ସେଠି ସକାଳୁ ରାତି ପର୍ଯ୍ୟନ୍ତ କାମ କରିବାକୁ ପଡ଼ୁଥିଲା ଓ ତା’ ବଦଳରେ ଅଳ୍ପ କିଛି ପାଉଣା ମିଳୁଥିଲା । ସେ ପ୍ରକାର ହାଡ଼ଭଙ୍ଗା କାମ କରିବା ସମ୍ଭବ ହେଲା ନାହିଁ ବୋଲି ସେ ଲୁଚି ପଳେଇ ଆସିଥିଲା । ଜେଲ୍‌ରେ ପହଞ୍ଚି ହମିଦ୍‌ମୋଠାରୁ ଚାରିଗୁଣା ଖୁସି ଥିଲା । ତା’ର ବିଶ୍ୱାସ ଥିଲା ଯେ ଥରେ ସେ ସରକାରୀ ଜେଲ୍‌ରେ ଆସି ପହଞ୍ଚିଯାଇଛି ଅର୍ଥ ଆଉ ତାକୁ ଆରବୀ ମାଲିକ ଖୋଜି ପାଇବ ନାହିଁ । ମାତ୍ର କେତେ ଶୀଘ୍ର ତାହାର ସେ ବିଶ୍ୱାସଟି ଭୁଶୁଡ଼ି ପଡ଼ିଲା ! ସେଦିନ ଆମର ସମୁଦାୟ ବ୍ଲକ୍‌ଟି ନିରବ ନିଶ୍ଚୁପ ହେଇଗଲା । କାହାରି ମୁହଁରେ ଭାଷା ନାହିଁ । ହମିଦ୍‌କୁ ସମସ୍ତେ ଭଲ ପାଉଥିଲେ । ହମିଦ୍‌ମଧ୍ୟ ସମସ୍ତଙ୍କ ସାଙ୍ଗରେ ମିଶିଯାଉଥିଲା, ସମସ୍ତଙ୍କୁ ଥଟ୍ଟାପରିହାସ କରୁଥିଲା । ହସୁଥିଲା, ହସଉଥିଲା । ଅଧିକାଂଶ କଏଦୀ ତାକୁ ନିଜର ବଡ଼ଭାଇ ପରି ଦେଖୁଥିଲେ । ଏଭଳି ଲୋକ ବିକଳରେ ଚିତ୍କାର କରିବାର ଦୃଶ୍ୟ ଆମେ ଦେଖିଲୁ । ଆରବୀ ମାଲିକ ଦ୍ୱାରା ଘୋଷରା ହେଇ ଯାଉଥିବାବେଳେ ହମିଦ୍‌ଯେପରି କାନ୍ଦିକାଟି ନିଜର ଅସହାୟତା ଜଣାଉଥିଲା, ନିକଟ ଅତୀତରେ ସେଭଳି କନ୍ଦାକଟା କରିଥିବା ଅନ୍ୟ କଏଦୀ ମୁଁ ଦେଖି ନ ଥିଲି ।

 

ତା’ପର ଦିନ ଯାହା ଘଟିଲା ତାହା ଆମକୁ ଆହୁରି ଅଧିକ କଷ୍ଟ ଦେଲା । ଦୂତାବାସ ଅଧିକାରୀମାନେ ଆସି ଯେଉଁ ନାଁଗୁଡ଼ିକ ଡାକିଲେ ତା’ ଭିତରେ ପ୍ରଥମ ନାଆଁଟି ଥିଲା ହମିଦ୍‌ର । ଆର ସପ୍ତାହରେ ଯଦି ଏମାନେ ଆସି ହମିଦ୍‌ର ନାଁ ଡାକିଥାଆନ୍ତେ ତାହାହେଲେ ବିଚରା ଏତେବେଳକୁ ଯାଇ ନିଜ ଦେଶରେ ପହଞ୍ଚିସାରିଥାଆନ୍ତା । ଆଲ୍ଲା ତା’ ଲାଗି କାହିଁକି ଏତେ ନିର୍ଦ୍ଦୟ ହେଲେ ମୁଁ ବୁଝିପାରିଲିନାହିଁ । ନା, ମୁଁ ଆଲ୍ଲାଙ୍କ ବିଚାରକୁ ପ୍ରଶ୍ନ କରିବାକୁ ଚାହୁନାହିଁ । କାରଣ ତାଙ୍କର ବିଚାର ସବୁବେଳେ ଠିକ୍‌ । ହୁଏତ ହମିଦ୍‌ର ଯେତିକି ଦିନ ଦୁଃଖ ଭୋଗିବା କଥା ସେତିକି ଦିନ ପୂରଣ ହେଇ ନ ଥିବ ।

 

ହମିଦ୍‌ଗଲାପରେ ମୋତେ ଜେଲ୍‌ଟା ଅଧିକ ନିର୍ଜନ ଓ ନିଃସଙ୍ଗ ଲାଗିଲା । ନୂଆ ଆସିଥିବା କଏଦୀମାନଙ୍କ ସହ ମୁଁ ମିଶିପାରିଲି ନାହିଁ । ତେଣୁ, କାହାସାଙ୍ଗେ କଥାବାର୍ତ୍ତା ନ କରି ଗୋଟିଏ କୋଣରେ ପଡ଼ିରହିଲି । ଖାଇବା ପିଇବାରେ ମନ ଲାଗୁ ନ ଥାଏ । ବାସ୍ତବରେ, ଅଧାଦିନ ମୁଁ କିଛି ଖାଉ ନ ଥାଏ । ହମିଦ୍‌ସାଙ୍ଗରେ ମୋର ସବୁ ସୁଖ ଯେମିତି ଚାଲିଯାଇଥିଲା । ମୁଁ ଚୁପ୍‌ଚାପ୍‌ପଡ଼ିରହେ ଏବଂ ଦୂତାବାସ ଅଧିକାରୀଙ୍କ ଆସିବା ଦିନକୁ ଧୈର୍ଯ୍ୟର ସହ ଅପେକ୍ଷା କରେ-। ସେଇଦିନଟି ମୋ ମନ ଭିତରେ ଟିକିଏ ଆଶାର ସଞ୍ଚାର କରେ । ସେମାନେ ଆସନ୍ତି, ଆମେ ଯାଇ ଆମର କାଗଜପତ୍ର କଥା ପଚାରୁ । ଉତ୍ତରରେ ସେମାନେ ଦୀର୍ଘ କୈଫିୟତମାନ ଦିଅନ୍ତି--ସରକାରୀ କାଗଜପତ୍ର କାମ ଖୁବ୍‌ଜଟିଳ, ଆମେ ସବୁ ପ୍ରକାର ଚେଷ୍ଟା କରୁଛୁ । ଏଇପରି ଆଶା ଦେଇ ସେମାନେ ଫେରିଯାଆନ୍ତି । ଆମେ ସେହି ଆଶାଟିକକ ଧରି ଫେରିଆସୁ ଓ ଜେଲ୍‌ର ଚାରିକାନ୍ଥ ଭିତରେ ପଡ଼ିରହୁ । ଭାବୁ, ଆର ସପ୍ତାହ ବେଳକୁ ହୁଏତ ଆମର କାଗଜପତ୍ର ଠିକଣା ହେଇଯିବ । ଏହିପରି ଦିନକ ପାଇଁ ଆଶାରେ ଏବଂ ଅବଶିଷ୍ଟ ଛଅଦିନ କାଳ ନିରାଶା ଭିତରେ ମୋର ସମୟ ବିତୁଥାଏ ।

 

ପୁଣି ଗୋଟେ ପ୍ୟାରେଡ୍‌ଦିନ ଆସିଲା । ମୁଁ ଅନାସକ୍ତ ଭାବରେ କଏଦୀମାନଙ୍କ ଧାଡ଼ିରେ ଛିଡ଼ା ହେଇଥାଏ । ଆରବୀ ମାଲିକମାନେ ଆମକୁ ଦେଖି ଦେଖି ଯାଉଥାଆନ୍ତି । ହଠାତ୍‌, ଧାଡ଼ି ଆରମ୍ଭରେ ଗୋଟେ ଆରବୀ ମାଲିକର ମୁହଁ ମୋତେ ଦିଶିଲା । ସେ ମୁହଁଟି ଯେତିକି ଯେତିକି ମୋ ପାଖକୁ ଆସୁଥାଏ ମୁଁ ଭିତରେ ଭିତରେ ସେତିକି ସେତିକି ଆତଙ୍କିତ ହେଉଥାଏ । ମୋ ଦେହ ହାତ ଥରିବାକୁ ଲାଗିଥାଏ । ମୁଁ ଆଲ୍ଲାଙ୍କୁ ବିକଳରେ ଡାକୁଥାଏ, ଯେମିତି କିଛିଦିନ ଆଗରୁ ହମିଦ୍‌ଡାକୁଥିଲା ।

 

ହଁ, ଇଏ ମୋଅରି ଆରବୀ ମାଲିକ । ମୁଁ କଦାପି ଭାବି ନ ଥିଲି ଯେ ସେ ମୋତେ ଖୋଜି ଖୋଜି ଦିନେ ଏଠିକି ଆସିବେ । ଇଏ ମୋର ସେଇ ଆରବୀ ମାଲିକ, ଯାହାଙ୍କୁ ମୁଁ ଚାରିବର୍ଷ ତଳେ ପ୍ରଥମେ ରିୟାଦ ବିମାନଘାଟିରେ ଭେଟିଥିଲି । ଭୟରେ ମୋ ଗୋଡ଼ହାତ ଥରୁଥାଏ । ଭାବିଲି ମୁଁ ବୋଧହୁଏ ଧରା ପଡ଼ିଯିବି । ଡରରେ ଜଡ଼ସଡ଼ ହୋଇ ମୋ ପାଖରେ ଛିଡ଼ା ହେଇଥିବା କଏଦୀର ହାତକୁ ଟାଣିଆଣି ଭିଡ଼ି ଧରିଲି ।

 

ମରୁଭୂମି

ପାଞ୍ଚ

 

ପ୍ରଥମ ଇରାକ ଯୁଦ୍ଧର ଘନଘଟା ଯୋଗୁଁ ଉପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଅସ୍ଥିରତା ସେତେବେଳକୁ ବେଶ୍‌କମିଯାଇଥିଲା । କିଛିଦିନର ବ୍ୟବଧାନ ପରେ ପୁଣିଥରେ ତୈଳସମ୍ପଦରେ ସମୃଦ୍ଧ ଏହି ଦେଶଗୁଡ଼ିକରେ ନୂଆ ନିଯୁକ୍ତିର ସୁଯୋଗ ଦେଖାଦେଇଥିଲା । ସେତିକିବେଳେ କାରୁଭଟ୍ଟାର ମୋର ଜଣେ ବନ୍ଧୁ ଏମିତି ଗପସପ କରୁ କରୁ ଗୋଟେ ‘ଭିସା’ ବିକ୍ରି ହେବ ବୋଲି କହିଦେଲା । ତା’ କଥା ଶୁଣି ମୋ ଭିତରେ ଥିବା ସୁପ୍ତ ଆଶାଟି ଆଉ ଥରେ ଚେଇଁ ଉଠିଲା । ଆଗରୁ ମୋ ମନ ଭିତରେ ସେଇ ଆଶାଟି ଥିଲେ ବି ସେଦିନ ପରି ଏମିତି ଆତୁର ଭାବ କେବେ ସୃଷ୍ଟି ହୋଇ ନ ଥିଲା । ଭାବିଲି, ଏଠି ନିଜ ରାଜ୍ୟରେ ଜୀବନ ଜିଇବା ପାଇଁ ନାନାରକମର କଦର୍ଥନ ଭୋଗିବାକୁ ପଡ଼ୁଛି । ଥରେ ବିଦେଶକୁ ଗଲେ କ୍ଷତି କଅଣ ? ମୁଁ ତ ସେଠି ସବୁଦିନ ପାଇଁ ରହିଯିବା ଭଳି ଲୋଭୀ ଲୋକ ନୁହଁ । ମୋ ଧାରକରଜ ଶୁଝିବା ଭଳି ସଞ୍ଚୟ ହେଇଗଲେ ମୁଁ ପୁଣି ନିଜ ରାଜ୍ୟକୁ ଫେରିଆସିବି । ଆମ ଘରେ ଚଳିବା ପାଇଁ ଆଉ ଗୋଟିଏ ବଖରା ଘର ଦରକାର । ଏତିକି ତ ସବୁ ମାଲୟାଲୀଙ୍କ ସର୍ବନିମ୍ନ ସ୍ୱପ୍ନ । ମୁଁ ବା ଅଧିକ ଲୋଭ କଲି କେଉଁଠି ? ମୋ ଗାଁରେ ମୁଁ ଯେଉଁ କାମ କରୁଛି ସେ କାମ ବା ଆଉ କେତେଦିନ ମିଳିବ ? ଶୁଣୁଥିଲି, ନଈବାଲି ଉଠେଇବା କାମ ଉପରେ ସରକାରୀ କଟକଣା ଲାଗିବ । ଯଦି ସେମିତି ହୁଏ ମୁଁ ପୁଣି କଅଣ କରିବି ? ଜଣେ ତ ଏଠି ଭୋକିଲା ପଡ଼ିରହି ପାରିବ ନାହିଁ । ହଁ, ଅତୀତରେ ମୁଁ ଅନେକ ଦିନ ଭୋକ ଉପାସରେ ରହିଛି । ମାତ୍ର ଏବର କଥା ଅଲଗା । ମାଆ ଜିଦ୍‌କଲାରୁ ମୁଁ ବାହାହୋଇପଡ଼ିଲି । ମୋ ସ୍ତ୍ରୀ ଚାରିମାସର ଗର୍ଭବତୀ । ଏବେ ତ ବାଲିକୁଦ ପରି ଖର୍ଚ୍ଚ ବଢ଼ିଚାଲିବ । ତା’ ସାଙ୍ଗକୁ କିଛିଦିନ ହେଲା ମୋତେ ଥଣ୍ଡାକାଶ ଲାଗିରହିଛି । ଢେର୍‌ସମୟ କାଲୁଆ ପାଣିରେ ପଶି କାମ କରୁଥିବା ଯୋଗୁଁ ମୋର ବୋଧହୁଏ ଏ ଦଶା । କିନ୍ତୁ କଅଣ କରିବି ? ନିମୋନିଆକୁ ଡରି କଅଣ ପାଣିରେ ନ ପଶି ଖାଲିଟାରେ ବସିରହିପାରିବି ? ସୁତରାଂ ବିଦେଶକୁ ଯିବାର ସୁଯୋଗ ନିଶ୍ଚୟ ଈଶ୍ୱରଙ୍କ ବରାଦ । ମୁଁ ଏ ସୁଯୋଗ ହାତଛଡ଼ା କରିବା କଦାପି ଉଚିତ ନୁହେଁ ।

 

“କିଏ ଯଦି ଯିବାକୁ ଚାହୁଥିବ, ମୋତେ ଖବରଦେବ । ମୋ ଶଳା ଜରିଆରେ ‘ଭିସା’ ଯୋଗାଡ଼ ହେଇଯିବ । ସେ ଛୁଟିରେ ଆସିଛି, ଏଠୁ ଟଙ୍କା ଗଲେ ସେଠୁ ‘ଭିସା’ ପ୍ରସ୍ତୁତ ହେଇ ଦି’ ମାସରେ ଆସିଯିବ” - ମୋର ସେହି ସାଙ୍ଗଟି କହିଲା । ତା’ କଥା ଶୁଣି ମୋର ମନେପଡ଼ିଲା ଯେ ମୁଁ ପାସ୍‌ପୋର୍ଟ ପାଇଁ ଦରଖାସ୍ତ କରିଛି । ମୋ ସ୍ତ୍ରୀ ସାଇନୁ ବାରମ୍ବାର ମୋ ପଛରେ ଲାଗିବା ଯୋଗୁଁ ସେହି ଦରଖାସ୍ତ କରିଥିଲି । ସୁତରାଂ, ପାସ୍‌ପୋର୍ଟ ମିଳିଗଲେ ‘ଭିସା’ ପାଇଁ ଦରଖାସ୍ତ କରିବା ସହଜ ହେଇଯିବ । କଥାଟା ମୁଣ୍ଡକୁ ଆସିବାକ୍ଷଣି ମୁଁ ସେ ସାଙ୍ଗକୁ ଉତ୍ସାହର ସହ କହିଲି, ‘ହଁ ଜଣେ ଯିବାକୁ ରାଜିଅଛି । ତୁ ସେ ‘ଭିସା’ କଥା ଆଉ କାହାକୁ କହିବା ଦରକାର ନାହିଁ ।’

 

ତାହାହେଲେ କାଲି ଆମ ଘରକୁ ଆ । ଆମେ ଦିହେଁ ସାଙ୍ଗହୋଇ ମୋ ଶଳା ପାଖକୁ ଯିବା । ବାକୀ କଥା ତୁ ତା’ ସାଙ୍ଗେ ସିଧାସଳଖ ଆଲୋଚନା କରି ବୁଝିନେବୁ ।

 

ସାଙ୍ଗ ଚାଲିଗଲା । ସେ ଗଲା ପରେ ମୋ ମୁଣ୍ଡ ଭିତରେ ନାନା ଚିନ୍ତା ଘାରିଲା । ମୁଁ ଯିବି ନା ଯିବି ନାହିଁ ?

 

ଢେର୍‌ସମୟ ପର୍ଯ୍ୟନ୍ତ ମୁଁ ଏକଥା ଚିନ୍ତା କଲି । ତା’ ସତ୍ତ୍ୱେ ମୁଁ କଥାଟା ସମାଧାନ କରି ନ ପାରିବାରୁ ସାଇନୁକୁ ପଚାରିଲି । ସିଏ ତ ଏକଥା ଶୁଣି ଖୁସିରେ ନାଚିଗଲା । ସ୍ତ୍ରୀ ଲୋକମାନଙ୍କଠାରୁ ଅବଶ୍ୟ ଏଇପରି ପ୍ରତିକ୍ରିୟା ଆଶା କରାଯାଏ । ସେ କହିଲା, “ଏଇ ସୁଯୋଗ ଆଲ୍ଲାଙ୍କ ବରାଦ । ଏହାକୁ ହାତଛଡ଼ା କରନାହିଁ । ମୁଁ ଢେର୍‌ଦିନ ହେଲା ମୋ ଭାଇମାନଙ୍କୁ ଏଇକଥା କହି ଆସୁଥିଲି, ମାତ୍ର ସେମାନେ ଆମକୁ କେହି କିଛି ସାହାଯ୍ୟ କଲେ ନାହିଁ । ଏବେ ଆଲ୍ଲା ଆମକୁ ସହାୟ ହେଲେ ।”

 

ତାହାର ଦୁଇଭାଇ ଯାକ ଗଲ୍‌ଫ (ଉପସାଗର ଅଞ୍ଚଳ)ରେ ଥିଲେ ।

 

କିନ୍ତୁ ଏଥିରେ ଅନେକ ଟଙ୍କା ଲାଗିବ । ଆମ ପାଖେ କଅଣ ସେତେ ଟଙ୍କା ଅଛି ସାଇନୁ-? –ମୁଁ କହିଲି ।

 

ମନ ଥିଲେ ଉପାୟ ବଳେବଳେ ଆସିବ । ଯେଉଁମାନେ ସବୁ ଯାଇଛନ୍ତି ସେମାନଙ୍କ ପାଖରେ କ’ଣ ପ୍ରଥମରୁ ଟଙ୍କାପଇସା ଥିଲା ? ତୁମେ ଭୟ କରନାହିଁ । ଦମ୍ଭର ସହ ଯାଇ କାରୁଭଟ୍ଟାର ସେ ଲୋକକୁ ଭେଟିକି ଆସ ।

 

ସାଇନୁ ସେଇମିତିଆ ଲୋକ । ତା’ ପାଟିରୁ ହତାଶିଆ କଥା ପଦେ ବି କେହି ଶୁଣିବ ନାହିଁ । ଚରମ ଦାରିଦ୍ର୍ୟ ମଧ୍ୟରେ ସୁଦ୍ଧା ସେ ପ୍ରାଚୁର୍ଯ୍ୟର ସ୍ୱପ୍ନ ଦେଖିପାରେ । ସ୍ତ୍ରୀଲୋକମାନେ ସାଇନୁ ପରି ହେବା ଦରକାର । ଉପରକୁ ଏସବୁ ନ କହିଲେ ମଧ୍ୟ ତା’ ପାଇଁ ମନେ ମନେ ମୁଁ ଗର୍ବ କରେ ।

 

ତା’ ପରଦିନ ମୋ ସାଙ୍ଗର ଶଳାକୁ ଭେଟିବାଲାଗି ଗଲି । ସେ ତିରିଶ ହଜାର ଟଙ୍କା ମାଗିଲା, ସେଥିରୁ କୋଡ଼ିଏ ହଜାର ଟଙ୍କା ସେ ଯିବା ଆଗରୁ ନେବ, ପନ୍ଦର ଦିନ ଭିତରେ ତାହା ତାକୁ ଦେବାକୁ ପଡ଼ିବ । ସେଇ ଟଙ୍କା ‘ଭିସା’ ଯୋଗାଡ଼ ଲାଗି ଆରବୀ ଲୋକକୁ ଦେବ । ଭିସା ଯୋଗାଡ଼ ହେଇସାରିଲା ପରେ ବିମାନ ଟିକେଟ୍‌ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଲାଗି ଅବଶିଷ୍ଟ ଦଶହଜାର ଟଙ୍କା ବମ୍ବେର ଏଜେଣ୍ଟ୍‌କୁ ଦିଆଯିବ । ଏତେଗୁଡ଼ିଏ ଟଙ୍କା ଯୋଗାଡ଼ କରିବା ମୋ ପକ୍ଷେ ଆଦୌ ସହଜ ନ ଥିଲା । ତଥାପି ମୁଁ ସାହସ ବାନ୍ଧି ରାଜିହେଲି ।

 

ପରବର୍ତ୍ତୀ ସପ୍ତାହଟା ମୁଁ ଟଙ୍କା ଯୋଗାଡ଼ରେ ଲାଗିଲି । ଏଥିପାଇଁ ମୋତେ କେତେ ଯେ ପରିଶ୍ରମ କରିବାକୁ ପଡ଼ିଛି, ସେକଥା କହିହେବ ନାହିଁ । ଅବଶ୍ୟ ଏଇଟା ଖାଲି ମୋ’ର ସମସ୍ୟା ନୁହେଁ, ଯାହା ଘରେ ଆଗରୁ କେହି ଯାଇ ଆରବ ଦେଶରେ କାମ କରୁ ନ ଥିବେ, ତାଙ୍କର ମଧ୍ୟ ଏକାରକମର ସମସ୍ୟା ହେଉଥିବ । କେଉଁଠୁ କିଏ ଏକାଥରେ ଏତେଗୁଡ଼ାଏ ଟଙ୍କା ଯୋଗାଡ଼ କରିବ ? ଶେଷକୁ ମୁଁ ଆମ ଘର ବନ୍ଧାପକେଇ, ସାଇନୁର ଗହଣାତକ ବିକି, ବାଲି ବେପାରୀଠାରୁ ହାତଋଣ ଏବଂ ଚିହ୍ନାପରିଚୟ ସମସ୍ତଙ୍କଠାରୁ କିଛି କିଛି କରଜ କରି ଟଙ୍କାତକ ଯୋଗାଡ଼ କଲି । ୟାକୁ ‘ଯୋଗାଡ଼’ ହିଁ କହିବାକୁ ପଡ଼ିବ । ପରିସ୍ଥିତି ଏମିତି ହେଇଥିଲା ଯେ, ମୋ ସାଙ୍ଗର ଶଳା ଫେରିବା ଆଗଦିନ ରାତିରେ ହିଁ ଯାଇ, ଯାହାକୁ କହନ୍ତି ଶେଷ ମୁହୂର୍ତ୍ତରେ ମୁଁ ତାକୁ ଟଙ୍କା ଦେଇପାରିଲି । (ଏ ଦିଗରେ ସାହାଯ୍ୟ କରିବା ପାଇଁ ଆବୁଧାବିରେ କାମ କରୁଥିବା ମୋ ଶଳାମାନଙ୍କୁ ମଧ୍ୟ ମୁଁ କହିପାରିଥାନ୍ତି । ମାତ୍ର ମୋ ସ୍ତ୍ରୀ ମନାକଲା । ସେମାନେ ମୋତେ ସେଠିକି ଯିବା ଦିଗରେ ସାହାଯ୍ୟ କରି ନ ଥିବାରୁ ତାଙ୍କ ଉପରେ ମୋ ସ୍ତ୍ରୀ ରାଗିଥିଲା ।)

 

ଦି’ମାସ ବିତିଗଲା । ମୁଁ ଏହି ଦି’ମାସକାଳ ନାନା କଥା ଭାବୁଥାଏ ଓ ଭଳିକି ଭଳି ସ୍ୱପ୍ନ ଦେଖୁଥାଏ । ତା’ପରେ ପୁଣି କିସ୍ତିଏ ଧାଁଦଉଡ଼ ଓ ଦେଣାକରଜ । କାରଣ ଉଡ଼ାଜାହାଜ ଟିକେଟ୍‌ଓ ଅନ୍ୟାନ୍ୟ ଖର୍ଚ୍ଚ ଲାଗି ଅବଶିଷ୍ଟ ଦଶହଜାର ଟଙ୍କା ଯୋଗାଡ଼ କରିବାକୁ ପଡ଼ିବ । ସେତକ କଷ୍ଟେମଷ୍ଟେ ଯୋଗାଡ଼ ହୋଇଗଲା । ଏହା ଭିତରେ ମୁଁ ନାନାରକମର ଯୋଜନା କରିଚାଲିଥାଏ । ଗଲ୍‌ଫରେ ଥିବା ଚଉଦ ଲକ୍ଷ ମାଲୟାଲୀ କେରଳ ଛାଡ଼ିବା ଆଗରୁ ଯେଉଁ ସ୍ୱପ୍ନ ଦେଖିଥାଆନ୍ତି ଓ ଯୋଜନା କରିଥାଆନ୍ତି ମୋର ଥିଲା ସେଇ ସ୍ୱପ୍ନ ଓ ଯୋଜନା - ସୁନାର ଘଣ୍ଟା, ଫ୍ରିଜ୍‌, ଟି.ଭି, କାର୍‌, ଏୟାରକଣ୍ଡିସନର, ଟେପ୍‌ରେକର୍ଡର, ଭିସିପି ଓ ଗୋଟେ ମୋଟା ସୁନାଚେନ୍‌ । ସେଦିନ ରାତିରେ ସାଙ୍ଗହୋଇ ଶୋଇଲାବେଳେ ମୁଁ ସାଇନୁକୁ ମୋର ଏହି ସ୍ୱପ୍ନଗୁଡ଼ିକ ବାବଦରେ କହିଲି । ସେ କହିଲା, “ମୋର କିଛି ଦରକାର ନାହିଁ । ତମେ ଯେତେବେଳେ ଭାବିବ ଯେ ଆମ ପିଲାଙ୍କ ପାଇଁ ଯଥେଷ୍ଟ ହେଇଗଲା, ସେତେବେଳେ ଫେରିଆସିବ । (ସେ କୋଉ ପିଲା କଥା କହୁଥିଲା ? ତା’ ଗର୍ଭରେ ଥିବା ପିଲାଟି ପୁଅ ହେବ ନା ଝିଅ ?) ମୋ ଭାଇମାନେ ଯେମିତି ଖାଲି ଟଙ୍କା ପଛରେ ପଡ଼ିଛନ୍ତି ଆମର ସେମିତି ପଡ଼ିବା ଦରକାର ନାହିଁ । ଆମର ସେମିତିକା ବଡ଼ କୋଠା କଅଣ ହେବ-? ସାଙ୍ଗହେଇ ରହିବା, ସୁଖେଦୁଃଖେ ଚଳିବା । ବାସ୍‌, ଆମର ଶାନ୍ତି ଦରକାର ।”

 

ଉପସାଗରକୁ ଯାଉଥିବା ସବୁ ସ୍ୱାମୀଙ୍କର ସ୍ତ୍ରୀ ମାନେ ସମ୍ଭବତଃ ଏହି ପ୍ରକାର କଥା କହୁଥିବେ । ଏହା ସତ୍ତ୍ୱେ ସ୍ୱାମୀମାନେ ଯାଇ ବିଦେଶରେ କୋଡ଼ିଏ କି ତିରିଶ ବର୍ଷ ବିତେଇ ଦିଅନ୍ତି-। କାହିଁକି ? ତା’ର କାରଣ କ’ଣ ?

 

ଶେଷରେ ଏଜେଣ୍ଟ୍‌ପାଖରୁ ଟେଲିଗ୍ରାମ୍‌ଆସି ପହଞ୍ଚିଲା- “ଭିସା ପ୍ରସ୍ତୁତ । ଅବଶିଷ୍ଟ ଟଙ୍କା ଧରି ଆସ ।” ସେତେବେଳେ ମୋ ମନରେ ଯେ କି ଆନନ୍ଦ ! ସେ ଆନନ୍ଦ ଉପସାଗରରେ ପହଞ୍ଚିଥିବା ଲକ୍ଷ ଲକ୍ଷ ମାଲୟାଲୀଙ୍କ ଆନନ୍ଦଠାରୁ ନିଶ୍ଚୟ ଅଧିକା ହେବ । ସେଦିନ ରାତିରେ ମୁଁ ମୋ ସ୍ତ୍ରୀ ସାଇନୁକୁ ଯେତେ ଆଲିଙ୍ଗନ କରିଥିବି ଆଉ କେହି କେବେ ସେମିତି କରି ନ ଥିବ । ତା’ ସତ୍ତ୍ୱେ ମୋ ମନରେ ଗୋଟିଏ ଦୁଃଖ ରହିଥିଲା । ମୋ ପୁଅ ? ମୋ ଝିଅ ? ଆମର ପ୍ରଥମ ପିଲା ଜନ୍ମ ହେଲାବେଳକୁ ତ ମୁଁ ସାଇନୁ ପାଖରେ ନ ଥିବି । ତାହାର ସେ କଷ୍ଟ ସମୟରେ ତା’ ଦେହହାତ ଟିକେ ଆଉଁଶି ଦେବାକୁ ରହିପାରିବି ନାହିଁ । ମୋର ସେ ଅନୁପସ୍ଥିତିର କ୍ଷତି ଭରଣା କଲାଭଳି ମୁଁ ସାଇନୁର ପେଟକୁ ଗେଲ କରିଦେଲି । ପୁଅ ହେଲେ ନବିଲ୍‌, ଝିଅ ହେଲେ ସାଫିଆ–ଆଗରୁ ମୁଁ ନାଁ ବାଛିକି ରଖିଥିଲି । ତାଙ୍କ ଡାକ ନାଁ ରହିବ କୁଞ୍ଜ, ନ ହେଲେ ଋକି । ମୋ ସୁନା ପୁଅ, ମୋ ସୁନା ଝିଅ–ତୁ ମାଟି ଉପରକୁ ଆସିଲାବେଳକୁ ପାଖରେ ତୋ ବାପା ନ ଥିବ; କିନ୍ତୁ ସେଥିପାଇଁ ମନଦୁଃଖ କରିବୁନିରେ ଧନ ମୋର ! ମୁଁ ଫେରିଲାବେଳକୁ ତୋ ପାଇଁ ବହୁତଗୁଡ଼ିଏ ଖେଳଣା ନେଇ ଆସିବି-। ହେଲା-?

 

ଆଜି ସେସବୁ କଥା ଚିନ୍ତା କଲାବେଳକୁ ମୋତେ ଭୀଷଣ ଅଡୁଆ ଲାଗୁଛି । ଲାଗୁଛି, ସତେ କି ଗୋଟେ ଚତୁର୍ଥ ଶ୍ରେଣୀୟ ସିନେମାର ଦୃଶ୍ୟ ଥିଲା ସେସବୁ । ମଣିଷର ଜୀବନ ବି ଏମିତି-। ସତ ଜୀବନର କିଛି କିଛି ଦୃଶ୍ୟ ସିନେମାର ଦୃଶ୍ୟଠାରୁ ସୁଦ୍ଧା ଅଧିକ ଉଦ୍ଭଟ । ନୁହେଁ ?

 

ଭିସା କଥା ଜଣାଇବାଲାଗି ଯେତେବେଳେ ମୁଁ ମୋର କାରୁଭଟ୍ଟା ସାଙ୍ଗ ପାଖକୁ ଗଲି, ସେତେବେଳେ ଜାଣିଲି ଯେ ତା’ର ଶଳା ଜରିଆରେ ଏକା କମ୍ପାନିରେ କାମ କରିବାଲାଗି ଧନବନ୍ତପୁରମ୍‌ର ଆଉ ଜଣେ ପିଲା ବି ଭିସା ପାଇଛି । ଆମ ଦିହିଙ୍କ ଭିତରୁ କାହାରି ବାହାର ଦୁନିଆ ବାବଦରେ କୌଣସି ଧାରଣା ନ ଥିଲା । ତେଣୁ ସ୍ଥିର କଲୁ, ଆମେ ଦି’ଜଣଯାକ ସାଙ୍ଗହୋଇ ଯିବୁ ।

 

କାୟମ୍‌କୁଲମ୍‌ରୁ ବମ୍ବେ ଯିବାଲାଗି ‘ଜୟନ୍ତୀ ଜନତା’ ଟ୍ରେନ୍‌ରେ ଚଢ଼ିବା ସମୟରେ ହିଁ ମୋର ସହଯାତ୍ରୀକୁ ପ୍ରଥମଥର ଲାଗି ଭେଟିଲି । ଡେଙ୍ଗା ପତଳା ଯୁବକ, ସେ ପର୍ଯ୍ୟନ୍ତ ତାହାର ନିଶଦାଢ଼ି ଉଠି ନ ଥାଏ । “ପୁଅ, ହକିମ୍‌ଆଗରୁ ବାହାରକୁ ଯାଇନାହିଁ । ତୁମେ ତା’ ସାଙ୍ଗରେ ଯାଉଛ, ତା’ କଥା ଟିକେ ବୁଝିବ ।” - ଟ୍ରେନ୍‌ର ଝରକା ସେପଟେ ଠିଆହୋଇ ହକିମ୍‌ର ମାଆ କହୁଥାଆନ୍ତି ଓ କାନ୍ଦୁଥାଆନ୍ତି । ମୋ ମା’ ଓ ସାଇନୁର ଆଖିରୁ ମଧ୍ୟ ଲୁହ ଗଡୁଥାଏ । ମୁଁ କିନ୍ତୁ ସେଥିରେ ବିଚଳିତ ହେଉ ନ ଥାଏ । ସର୍ବସାଧାରଣ ଜାଗାରେ ଏମିତି କନ୍ଦାକଟା କରିବାକୁ ମୋତେ ଭଲ ଲାଗେ ନାହିଁ ।

 

ମୁଁ ଯେତିକି ଉତ୍ସାହିତ ଥିଲି, ସେତିକି ଚିନ୍ତିତ ଥିଲି । ଆଜିକାଲିର ଦିନକାଳ ଯାହା ସେଥିରେ କ’ଣ ଜଣେ ଅଚିନ୍ତା ହୋଇ କୁଆଡ଼େ ଯାଇପାରେ ? ଟ୍ରେନ୍‌ରେ କାଳେ ମୋ ଜିନିଷପତ୍ର କିଏ ଚୋରେଇ ନେଇଯିବ କି ମୋ ଟଙ୍କା ପଇସା ନେଇ ପଳେଇବ, ସେ ଚିନ୍ତା ବରାବର ମୋତେ ଘାରୁଥାଏ । ତାହାଛଡ଼ା ଯେଉଁ ନୂଆ ସହରକୁ ମୁଁ ଯାଉଛି ସେଠି କଅଣ ହେବ, ମୋ ବନ୍ଧୁ ଶଶି ଷ୍ଟେସନ୍‌କୁ ଆସିଥିବ କି ନାହିଁ - ଏମିତି ଅନେକ ଚିନ୍ତା ମନକୁ ଆସୁଥାଏ । ତା’ ସାଙ୍ଗକୁ ମୁଁ ଏଜେନ୍ସୀ କଥା ଭାବୁଥାଏ । ଆଜିକାଲି ତ ଅନେକ ପ୍ରକାର ଠକ ଏଜେନ୍ସୀ ସାଧାରଣଲୋକଙ୍କୁ ଠକିଦେଉଛନ୍ତି-। ମୋ କଥା କ’ଣ ହେଇଥିବ କିଏ ଜାଣେ ! ଏମିତି ତିନିଦିନ କାଳ ମୁଁ ଚିନ୍ତାକରି ଚାଲିଥାଏ । ମୋର ସେ ଚିନ୍ତାର ଶେଷ ନ ଥାଏ । ଏହା ଭିତରେ ମୁଁ ହକିମ୍‌ର ଚିନ୍ତାକୁ ଆଦୌ ଗୁରୁତ୍ୱ ଦେଉ ନ ଥାଏ । ସିଏ ତ ଗଜାଟୋକା । ତା’ର ପୁଣି ଚିନ୍ତା କଅଣ ? ସେ ବାଟସାରା ଟ୍ରେନ୍‌ଡବାରେ ହସିଖେଳି ସମୟ ବିତଉଥାଏ ।

 

ବମ୍ବେରେ ପହଞ୍ଚିବା ପରେ ମୋର ସବୁ ଚିନ୍ତା ଦୂର ହେଇଗଲା । କାରଣ ଶଶି ଷ୍ଟେସନ୍‌କୁ ଆସିଥିଲା । ତାକୁ ଦେଖି ଲାଗିଲା, ମୋର ଯେମିତି ଜଣେ ନିଜର ଲୋକ ଏଠି ଅଛି । ବମ୍ବେରେ ରହୁଥିବା ମାଲୟାଲୀମାନଙ୍କ ଭାଇଚାରାକୁ ସାବାସି ଦେବା ପାଇଁ ପଡ଼ିବ । ଶଶି ପୁଣି ମୋ ଲାଗି ତା’ କାମରୁ ଦି’ଦିନ ଛୁଟି ନେଇଥିଲା । ଆମେ ଶଶି ଘରେ ଯାଇ ରହିଲୁ । ସେଠି ଆଉ ଆଠଜଣ ରହୁଥିଲେ । ଆମେ ଦି’ଜଣ ତାଙ୍କ ସହ ରହିବାନେଇ କାହାର କିଛି ଆପତ୍ତି ନ ଥିଲା । ତାଙ୍କ ହାବଭାବରୁ ମୁଁ ଜାଣିପାରୁଥିଲି ଯେ ଆମ ସାଙ୍ଗରେ ଆଉ ଦି’ଜଣ ଅଧିକା ଯାଇ ପହଞ୍ଚିଥିଲେ ବି ସେମାନେ ଆପତ୍ତି କରି ନ ଥାନ୍ତେ । ଏଭଳି ଉଦାର ବନ୍ଧୁତା କେବଳ ବମ୍ବେରେ ରହୁଥିବା ମାଲୟାଲୀଙ୍କ ପାଖରେ ହିଁ ଦେଖିବାକୁ ମିଳେ ।

 

ମୋତେ ଭିସା ଦେଖାଇବା ପରେ ଯାଇ ମୁଁ ଏଜେଣ୍ଟ୍‌ଙ୍କୁ ଅବଶିଷ୍ଟ ଟଙ୍କା ଦେଲି । ତା’ପରେ ଆମେ ବମ୍ବେରେ ଦି’ ସପ୍ତାହ ରହିଲୁ । ସେହି ଦି’ ସପ୍ତାହ ଆମ ପାଇଁ ଖୁବ୍‌ଲମ୍ବା ଥିଲା । ଲାଗୁଥିଲା, ସତେ କି ସମୟ ଜମା ଘୁଞ୍ଚୁନାହିଁ । ପ୍ରତିଟି ସେକେଣ୍ଡ୍‌ମୋତେ ଗୋଟେ ଦିନ ଏବଂ ପ୍ରତିଟି ଦିନ ଗୋଟେ ଯୁଗ ପରି ଲାଗୁଥାଏ ।

 

ଶଶି ଏବଂ ତାହାର ସାଙ୍ଗମାନେ କାମକୁ ଚାଲିଯିବା ପରେ ମୁଁ ଓ ହକିମ୍‌ବାହାରକୁ ବୁଲିବାକୁ ଚାଲିଯାଉ । ଆମକୁ ବମ୍ବେର ଭାଷା ଜଣା ନ ଥାଏ କି ରାସ୍ତାଘାଟ ମାଲୁମ୍‌ନ ଥାଏ । କାହା ସାଙ୍ଗେ କେମିତି ବା କଥାବାର୍ତ୍ତା କରିବୁ ? ତେଣୁ ଉଦ୍ଦେଶ୍ୟହୀନ ଭାବେ ଆମେ ଏଣେତେଣେ ବୁଲାବୁଲି କରୁ । ଏଇଟା ଆମକୁ ଗୋଟେ ଦୁଃସାହସିକ କାମ ପରି ଲାଗୁଥାଏ । ଆମେ ଧରାବୀ ଆଡ଼େ ଥରେ ଚାଲିଗଲୁ । ତାହାର ଲମ୍ବା ଗଳି ରାସ୍ତାରେ ବୁଲି ବୁଲି ଅନେ୍ଧରୀ ରେଳ ଷ୍ଟେସନ୍‌ରେ ପହଞ୍ଚିଲୁ । ଏମିତି ସେଇ ଦି’ ସପ୍ତାହ ଭିତରେ ପାଓଭାଜି ଖାଇଲି, ସରବତ ପିଇଲି, ହକିମ୍‌ସାଙ୍ଗରେ ବିଅର୍‌ଓ ଶଶି ସାଙ୍ଗରେ ମୃଦୁପାନୀୟ ମଧ୍ୟ ପିଇଲି । ଥରେ ତ ଡ୍ୟାନ୍ସ ବାର୍‌କୁ ଯାଇ ବିଳମ୍ବିତ ରାତିରେ ଫେରିଥିଲି । ବମ୍ବେର କୋଳାହଳପୂର୍ଣ୍ଣ ରାସ୍ତାଘାଟ ବାସ୍ତବରେ ଦେଖିବାର କଥା ।

 

ଶେଷରେ ଆମର ନିର୍ଦ୍ଧାରିତ ଦିନ ଆସି ପହଞ୍ଚିଗଲା । ମୋର ବେଶି ଜିନିଷପତ୍ର ନ ଥାଏ । ସାଇନୁ ଅତି ଆଦରରେ ମୋ ପାଇଁ କିଛି ଲେମ୍ବୁ ଆଚାର ଏବଂ କଦଳୀ ଚିପ୍ସ ତିଆରି କରିଦେଇଥାଏ । ସେମିତି ମା’ ମଧ୍ୟ ତା’ର ସବୁ ଜଞ୍ଜାଳ ଭିତରେ କିଛି ଚୁଡ଼ା ଭାଜିକି ଦେଇଥାଏ । ତା’ ସାଙ୍ଗକୁ କିଛି ମାଛ ଆଚାର, ଦି’ ତିନି ଖଣ୍ଡ ଲୁଗା (ଆଉ ଅଧିକ ଲୁଗା ଆଣିଥାଆନ୍ତି, ମାତ୍ର ସାଇନୁ କହିଲା, ‘ତମେ ତ ଧନୀ ରାଇଜକୁ ଯାଉଛ, ସେଠି ସବୁ ଭଲ ଜିନିଷ ପ୍ରଚୁର ପରିମାଣରେ ମିଳିବ । ଏଠୁ କାହିଁକି ଅଯଥାରେ ବୋହିକି ନେବ ?) ଗୋଟେ ତଉଲିଆ, ଦି’ଖଣ୍ଡ ସାବୁନ, ଗୋଟେ ଟୁଥ୍‌ପେଷ୍ଟ୍‌, ଗୋଟେ ବ୍ରସ୍‌ । ମୋର ଲଗେଜ୍‌କହିଲେ ଏତିକି । ମାତ୍ର ହକିମ୍‌ଗୋଟେ ବ୍ୟାଗ୍‌ଭର୍ତ୍ତି ଜିନିଷ ନେଇକି ଯାଇଥାଏ । ତା’ ବ୍ୟାଗ୍‌ରେ ଯେତିକି ଜିନିଷ ଥିଲା ତାକୁ ଦେଖି ମୋର ମନେହେଲା, ଏଥିରେ ଗୋଟେ ପରିବାର ବର୍ଷେ ଚଳିଯିବ । ଶଶି ଓ ମୁଁ ତାକୁ ଏକଥା କହି ଚିଡ଼ାଇଲୁ । ସେତେବେଳେ ତା’ର ଯେ କି ଲାଜ !

 

ଶଶି ଏବଂ ତା’ ସାଙ୍ଗମାନଙ୍କ ଭିତରୁ ଆଉଜଣେ ଆମକୁ ଏୟାର୍‌ପୋର୍ଟରେ ଛାଡ଼ିବାଲାଗି ଗଲେ । ଉପସାଗରୀୟ ଦେଶକୁ ଯାଉଥିବା ସବୁ ମାଲୟାଲୀ ଯେମିତି ପ୍ରତିଶ୍ରୁତି ଦିଅନ୍ତି ଆମେ ବି ଶଶି ଓ ତା’ ବନ୍ଧୁମାନଙ୍କୁ ସେମିତି ପ୍ରତିଶ୍ରୁତି ଦେଲୁ ଯେ ଆମେ ଯାଇ ଆମ ଆରବୀ ମାଲିକଙ୍କୁ ଭେଟିବା ପରେ ସେମାନଙ୍କ ପାଇଁ ଭିସା ବ୍ୟବସ୍ଥା କରି ପଠେଇବୁ । ସେମାନେ ଆମକଥା ଶୁଣି ଅବିଶ୍ୱାସର ହସ ହସିଲେ । ବୋଧହୁଏ ଆଗରୁ ସେମାନେ ଏଭଳି ପ୍ରତିଶ୍ରୁତି ପାଇଥିବେ । ତଥାପି ଆମ ପ୍ରତିଶ୍ରୁତି ତାଙ୍କ ମନରେ ନିଶ୍ଚୟ ଟିକିଏ ଆଶାର ସଞ୍ଚାର କରିଥିବ । ଏଇପରି ଆଶା ଟିକେ ଟିକେ ଧରି ତ ବମ୍ବେରେ ରହୁଥିବା ମାଲୟାଲୀମାନେ ବର୍ଷ ବର୍ଷ ଧରି କୃଚ୍ଛ୍ର ସାଧନା କରୁଥାଆନ୍ତି !

 

ମୋ ପ୍ରତି ଶଶିର ସେବାଯତ୍ନ ଯୋଗୁଁ ମୋ ହାତରୁ ଘଣ୍ଟାଟି ଖୋଲି ତାକୁ ଉପହାର ଦେଲି । ଏଇ ଘଣ୍ଟାଟି ମୋତେ ସାଇନୁର ଭାଇ ଦେଇଥିଲେ । ଉପସାଗର ଦେଶରୁ ପ୍ରଥମେ ଫେରିବାବେଳେ ସେ ଏ ଘଣ୍ଟାଟି ଆଣିଥିଲେ । ଏହାପରେ ଗୋଟେ ଟେଲିଫୋନ୍‌ବୁଥ୍‌ରୁ ଘର ଲୋକଙ୍କ ସହ କଥା ହେବାକୁ ଫୋନ୍‌କଲି । ଆମ ପଡ଼ିଶାଘରେ ଫୋନ୍‌ଅଛି । ବହୁତ ଡେରିରେ ଫୋନ୍‌ଲାଗିଲା । ମୁଁ ତାଙ୍କୁ କହିଲି, “ଆମଘରେ ଟିକେ ଖବରଟା ଦେଇଦେବେ, ଆଜି ଆମେ ଗଲ୍‌ଫ ଯାଉଛୁ ।”

 

ଏୟାର୍‌ପୋର୍ଟରେ ସବୁ କାମ ଭଲରେ ଭଲରେ ହେଇଗଲା । ଇମିଗ୍ରେସନ୍‌କାଉଣ୍ଟର୍‌ରେ ଆମକୁ କିଛି ପ୍ରଶ୍ନ ପଚରାଗଲା । ସେଇଠି ବସିଥିବା ଲୋକଟି ମାଲୟାଲମ୍‌ବୁଝୁ ନ ଥିଲା କି ମୁଁ ହିନ୍ଦୀ କହିପାରୁ ନ ଥିଲି । ବଡ଼ ସମସ୍ୟା । ପାସ୍‌ପୋର୍ଟ ଭିତରେ ଗୋଟେ ଶହେଟଙ୍କିଆ ନୋଟ୍‌ତାକୁ ବଢ଼େଇ ଦେବାପରେ ସେ ସମସ୍ୟାର ସମାଧାନ ହେଇଗଲା । ଆମ ବିମାନଟି ଥିଲା ଏୟାର ଇଣ୍ଡିଆର । ବମ୍ବେରୁ ରିଆଦ୍‌ସାଢ଼େ ଚାରିଘଣ୍ଟାର ଉଡ଼ାଣ । ୧୯୯୨ ଆପ୍ରେଲ୍‌୪ ତାରିଖ ସ୍ଥାନୀୟ ସମୟ ଉପରଓଳି ସାଢ଼େଚାରିଟାରେ ମୁଁ ରିଆଦ୍‌ରେ ଯାଇ ପହଞ୍ଚିଲି ।

 

ରିଆଦ୍‌ମୋ ସ୍ୱପ୍ନର ସହର ! ମୁଁ ଆସି ତୋ ପାଖରେ ପହଞ୍ଚିଯାଇଛି । ମୋତେ ତୋ କୋଳରେ ଟିକେ ଆଶ୍ରୟ ଦେ ।

 

ଛଅ

 

ହକିମ୍‌ ଓ ମୁଁ ଉଡ଼ାଜାହାଜରୁ ଓହ୍ଲେଇ ଚାରିଆଡ଼କୁ ଚାହିଁଲୁ । ଆମେ ରିଆଦ୍‌କୁ ଯେତେ ବଡ଼ ଜାଗା ବୋଲି କଳ୍ପନା କରିଥିଲୁ ସେଇଟି ତା’ଠାରୁ ଢେର୍‌ବଡ଼ ଥିଲା । ସେତେବେଳେ ଆଜିକାଲି ଭଳି ଟି.ଭିରେ କି ସିନେମାରେ ବାରମ୍ବାର ଆରବ ଦେଶର ଚିତ୍ର ଦେଖିବାକୁ ମିଳୁ ନ ଥିଲା । ସେଥିପାଇଁ ମୋର ରିଆଦ୍‌ବାବଦରେ ବେଶି କିଛି ଧାରଣା ନ ଥିଲା । ଯେଉଁମାନେ ଆଗରୁ ରିଆଦ୍‌ଆସିଥିଲେ ତାଙ୍କରି ପାଖରୁ ଶୁଣି ଶୁଣି ଯାହା ଏ ଜାଗା ବିଷୟରେ ମୁଁ କିଛି ଧାରଣା ସଂଗ୍ରହ କରିଥିଲି ।

 

ମୋ ପାଇଁ ବମ୍ବେ ଯଦି ଉତ୍କଣ୍ଠା ଥିଲା, ରିଆଦ୍‌ଥିଲା ବିସ୍ମୟ ।

 

ବେଶି ସମୟ ଆମେ ଗୋଟେ ଜାଗାରେ ଠିଆହୋଇ ରହିଲୁ ନାହିଁ । ଏୟାର୍‌ପୋର୍ଟ ବାହାରକୁ ଆସିବା ଆଗରୁ ଆମେ ଇମିଗ୍ରେସନ୍‌ଔପଚାରିକତା ସବୁ ତୁଟେଇଲୁ । ତା’ପରେ ଆସି ଗୋଟେ ଜାଗାରେ ଅପେକ୍ଷା କରି ଠିଆହେଲୁ । ଆମକୁ ନେବାଲାଗି କେହି ଆସି ନ ଥିବାରୁ ଆମର ଚିନ୍ତା ବଢ଼ିଗଲା । ଆମ ସାଙ୍ଗରେ ଯେଉଁମାନେ ସେ ବିମାନରେ ଆସିଥିଲେ ସମସ୍ତେ କିଏ କୁଆଡ଼େ ନିଜ ନିଜ ଗାଡ଼ିରେ ଗଲେଣି । ନିଯୁକ୍ତି ଦେବାଲାଗି ଡାକିଥିବା କମ୍ପାନିର ଲୋକ କିମ୍ବା ବନ୍ଧୁ ଆସି ତାଙ୍କୁ ନେଇଗଲେଣି । ମାତ୍ର ଆମକୁ ନେବାଲାଗି କେହି ଆସି ନ ଥାନ୍ତି ।

 

ବମ୍ବେର ଏଜେଣ୍ଟ୍‌ଆମକୁ କହିଥିଲେ ଯେ ଆମର ନିଯୁକ୍ତିଦାତା ଏୟାର୍‌ପୋର୍ଟରେ ଆସି ପହଞ୍ଚିବେ । ସେମାନେ ଏଇଠି ଆମଲାଗି ଅପେକ୍ଷା କରିଥିବେ ବୋଲି ଆମେ ଭାବିଥିଲୁ । ଉଡ଼ାଜାହାଜ ପହଞ୍ଚିବାର ଘଣ୍ଟାଏ ବିତିଗଲାଣି । ତାହାହେଲେ ଆମର ନିଯୁକ୍ତିଦାତା ଆସି ଆମକୁ ନ ପାଇ ଫେରିଗଲେ କି ? ହୁଏତ ସେ ଏୟାର୍‌ପୋର୍ଟର ଅନ୍ୟ କେଉଁଠି ଠିଆହୋଇ ଆମକୁ ଖୋଜୁଛନ୍ତି । ହଜାର ହଜାର ଲୋକଙ୍କ ଭିତରେ ସେ ଆମକୁ କେମିତି ଖୋଜି ପାଇବେ ? ମୋ ପାସ୍‌ପୋର୍ଟର ଫଟୋଠାରୁ ମୁଁ ଢେର୍‌ଅଲଗା ଦିଶୁଥିଲି । ସେଇ ଫଟୋ ଦେଖି ସେ ମୋତେ ଚିହ୍ନିପାରିବେ ବୋଲି ମୁଁ ଭାବୁ ନ ଥିଲି । ତାହାହେଲେ କ’ଣ ଆମେ ଆଜି ଆସିବା କଥା ସେ ଭୁଲିଗଲେ ? ମୋ ମୁଣ୍ଡରେ ଏମିତି ଗଦାଏ ପ୍ରଶ୍ନ ଜମା ହୋଇପଡ଼ୁଥିଲା । ସମୟ ଯେତିକି ଯେତିକି ଗଡୁଥାଏ ମୋ ଚିନ୍ତାର ପରିମାଣ ସେତିକି ସେତିକି ବଢ଼ିଚାଲିଥାଏ ।

 

ଆମ ସାମ୍‌ନାରେ ଶହ ଶହ ଆରବୀ ଭଦ୍ରଲୋକ ଯାଉଥାଆନ୍ତି ଓ ଆସୁଥାଆନ୍ତି । ମୁଁ ମନକୁ ବହଲେଇବା ପାଇଁ ଭାବୁଥାଏ ଯେ ମୁଁ ଆଣ୍ଟାର୍କଟିକାରେ ଯାଇ ପହଞ୍ଚିଯାଇଛି ଏବଂ ମୋ ଆଖି ଆଗରେ କଳାଧଳା ପେଙ୍ଗୁଇନ୍‌ଗୁଡ଼ିଏ ଯା’ଆସ କରୁଛନ୍ତି । ମୁଁ ଆବାକାବା ହୋଇ ସମସ୍ତଙ୍କୁ ଚାହୁଁଥାଏ । ସ୍ତ୍ରୀଲୋକମାନେ ବୋର୍ଖା ପିନ୍ଧିଥିବାରୁ ତାଙ୍କ ଚେହେରା ଜାଣିହେଉ ନ ଥାଏ । ଖୋଜିଲା ଆଖିରେ ଚାହୁଁଥିବା କୌଣସି ଲୋକଙ୍କୁ ଦେଖିଲେ ମୁଁ ତାଙ୍କ ଆଡ଼କୁ ଟିକେ ଆଗେଇ ଯାଉଥାଏ ଏବଂ କହୁଥାଏ–ମୁଁ ନଜିବ୍‌ । ଆପଣ ମୋତେ ଖୋଜୁଛନ୍ତି କି ? ମୋ ସାଙ୍ଗରେ ଯେଉଁ ପିଲାଟି ଠିଆହୋଇଛି ତା’ ନାଁ ହକିମ୍‌ । ଏଇପ୍ରକାର ଉତ୍ତର ମୁହଁରେ ଧରି ମୁଁ ସଭିଙ୍କୁ ଚାହୁଁଥାଏ । କିନ୍ତୁ କେହି ଜଣେହେଲେ ମୋ ପାଖରେ ଅଟକୁ ନ ଥାନ୍ତି । ସମସ୍ତେ ନିଜ ନିଜ ରାସ୍ତାରେ ଆଗେଇଯାଉଥାଆନ୍ତି ଓ କ୍ରମେ ଦୃଷ୍ଟିର ଆଢୁଆଳକୁ ଚାଲିଯାଉଥାଆନ୍ତି ।

 

ଆମେ ଅପେକ୍ଷା କରି ଠିଆହେଇଥାଉ । ଏହା ଭିତରେ ଆହୁରି କେତୋଟି ଉଡ଼ାଜାହାଜ ଏୟାର୍‌ପୋର୍ଟରେ ଅବତରଣ କଲାଣି । ସେଥିରୁ ଓହ୍ଲେଇଥିବା ଲୋକମାନେ ଭିନ୍ନ ଭିନ୍ନ ଦେଶରୁ ଆସିଥାଆନ୍ତି । ସେମାନେ ଅଲଗା ଅଲଗା ଭାଷାରେ କଥା କହୁଥାଆନ୍ତି । କ୍ରମେ ସେ ଲୋକମାନେ ସୁଦ୍ଧା ଆମକୁ ଅତିକ୍ରମ କରି ଚାଲିଗଲେ । ଏହିପରି ଯିବାଆସିବା ପ୍ରକ୍ରିୟା ଚାଲିଥାଏ; ମାତ୍ର ଆମ ପାଖରେ କେହି ଅଟକୁ ନ ଥାନ୍ତି କିମ୍ବା ଆମକୁ କେହି ଚାହୁଁ ନ ଥାନ୍ତି । ଇତିମଧ୍ୟରେ ଅଜାନ୍‌ର (ପ୍ରାର୍ଥନା) ଶବ୍ଦ ଶୁଭିଲା । ଆମେ ଜାଣିଲୁ ଯେ ସଞ୍ଜ ହେଇଗଲାଣି । ଶେଷକୁ ଆମେ ନିରାଶ ହୋଇ ମାଲୟାଲୀ ଭଳି ଦିଶୁଥିବା ଏୟାର୍‌ପୋର୍ଟର ଜଣେ କର୍ମଚାରୀଙ୍କ ପାଖକୁ ଯାଇ ଆମ ସମସ୍ୟା କଥା କହିଲୁ । ସେ ମୋ କମ୍ପାନିର ନାଆଁ ପଚାରିଲେ । ମୋ ପାଖରେ ଏହାର ଉତ୍ତର ନ ଥିଲା । ତା’ପରେ ସେ ମୋ ନିଯୁକ୍ତିଦାତାଙ୍କ ଟେଲିଫୋନ୍‌ନମ୍ବର ପଚାରିଲେ, ଯିଏ ଆମକୁ ଏଠିକି ଆଣିବାର ଖର୍ଚ୍ଚ ବହନ କରିଥିଲେ । ମାତ୍ର ମୋ ପାଖରେ ତାହାର ଉତ୍ତର ମଧ୍ୟ ନ ଥିଲା । ମୁଁ ଆମ ଏଜେଣ୍ଟ୍‌ପାଖରୁ ଏସବୁ ନାଁ କିମ୍ବା ଫୋନ୍‌ନମ୍ବର ଆଣିବାକୁ ଭୁଲିଯାଇଥିଲି । ତା’ପରେ ସେ ପଚାରିଲେ ଯେ ଆମେ ରିଆଦ୍‌ର କୌଣସି ଲୋକଙ୍କ ଫୋନ୍‌ନମ୍ବର ଜାଣିଛୁ କି ? ମୋର ସେମିତି କେହି ପରିଚିତ ଲୋକ ନ ଥିଲେ । ମୋ ପାଖେ କାରୁଭଟ୍ଟାର ସେହି ଲୋକ, ମୋ ସାଙ୍ଗର ଶଳାର ଫୋନ୍‌ନମ୍ବର ଥିଲା । ମୁଁ ତାହା ସେ ଭଦ୍ରଲୋକଙ୍କୁ ଦେଖାଇଲି । ସେ ଲୋକ ରିଆଦ୍‌ଠାରୁ ଅନେକ ଦୂରରେ ରହୁଥିଲେ, ତେଣୁ ସେ ଆମକୁ ସାହାଯ୍ୟ କରିପାରିବେ ନାହିଁ । ତା’ପରେ ସେ ଆମକୁ କହିଲେ, ‘ଅପେକ୍ଷା କର । ତୁମର ଅରବବ୍‌(ଆରବୀ ନିଯୁକ୍ତିଦାତା) ନିଶ୍ଚୟ ଆସିବେ ।’ ଏହାପରେ ସେ ତାଙ୍କ କାମରେ ଚାଲିଗଲେ । ତାଙ୍କରି ପାଖରୁ ମୁଁ ପ୍ରଥମେ ଅରବବ୍‌ଶବ୍ଦ ଶୁଣିଲି ।

 

ଅରବବ୍‌ ! ଅରବବ୍‌ । ମୁଁ ମନେମନେ ଶବ୍ଦଟାକୁ କେତେଥର ଗୁଣିହେଲି । କେତେ ନୂଆ ଏ ଶବ୍ଦ, କେତେ ଆଶ୍ଚର୍ଯ୍ୟଜନକ ! ମୋର ସେ ଅରବବ୍‌କିଏ ? ଏହି ଅରବବ୍‌କଅଣ କରନ୍ତି ? ସେ ଯାହା କରନ୍ତୁ ନା କାହିଁକି ତାଙ୍କୁ ଆସିବା ପାଇଁ ପଡ଼ିବ । ତାହା ନ ହେଲେ ଆମେ ଏଠୁ ଯିବୁ କିପରି ? ଅରବବ୍‌, ଶୀଘ୍ର ଆସ, ଆମେ ଯେ ଢେର୍‌ସମୟ ହେଲା ଅପେକ୍ଷା କଲୁଣି । ଶୀଘ୍ର ଆସି ଆମକୁ ଏ ସଙ୍କଟରୁ ଉଦ୍ଧାର କର । ଅରବବ୍‌ ! ଅରବବ୍‌ !

 

ଏହାପରେ ଆହୁରି ପ୍ରାୟ ଦେଢ଼ଘଣ୍ଟା ବିତିଗଲା । ହାତଘଣ୍ଟାଟି ଶଶିକୁ ଦେଇଦେଇଥିବାରୁ ମୁଁ ସମୟ ଜାଣିପାରୁ ନ ଥାଏ । ଏୟାର୍‌ପୋର୍ଟରେ ବୁଲିବୁଲି ଘଣ୍ଟାକୁ ଚାହିଁବାଲାଗି ମୋର ଧୈର୍ଯ୍ୟ ନ ଥାଏ । ସେଥିରେ ବା ଲାଭ କଅଣ ? ତାହାଛଡ଼ା ମୁଁ ସମୟ ଦେଖିବାକୁ ଘଣ୍ଟା ପାଖକୁ ଯାଇଥିବା ସମୟରେ ଯଦି ମୋ ଅରବବ୍‌ଆସି ମୋତେ ନ ଦେଖି ଫେରିଯାଆନ୍ତି !

 

ଏୟାର୍‌ପୋର୍ଟ ବାହାରେ ରାତି ବଢ଼ୁଥାଏ । ତା’ ସହ ତାଳଦେଇ ଆମର ଆଶଙ୍କା ମଧ୍ୟ ବଢ଼ୁଥାଏ । କେତେ ସମୟ ପରେ ଗୋଟେ ପୁରୁଣା ଗାଡ଼ି ଆସି ପହଞ୍ଚିଲା । ସେଇଟି କାର୍‌କି ଜିପ୍‌କି ଲରି ମୁଁ ଜାଣିପାରୁ ନ ଥାଏ । ଅନେକ ସମୟ ପରେ ଜାଣିଲି ଯେ ସେଇଟି ଗୋଟେ ପିକ୍‌ଅପ୍‌ଭ୍ୟାନ୍‌ । ସେହି ପୁରୁଣା ଗାଡ଼ିଟି ଆସି ମେନ୍‌ଗେଟ୍‌ପାଖରେ ରହିଲା । ସେଇଟି ପାର୍କିଂ ଏରିଆ ହୋଇ ନ ଥିଲେ ମଧ୍ୟ ଗାଡ଼ିଟି ସେଠି ରହିବାରୁ ମୁଁ ସିଆଡ଼େ ଅନେଇଲି । ଜଣେ ଆରବୀ ଲୋକ ସେ ଗାଡ଼ିରୁ ଓହ୍ଲେଇଲେ । ତାଙ୍କୁ ଦେଖିଲାକ୍ଷଣି ମୋତେ କାହିଁକି ଲାଗିଲା ଯେ ମୁଁ ଖୋଜୁଥିବା ମୋର ଅରବବ୍‌ହେଉଛନ୍ତି ସେହି ଲୋକ । ଅଧୈର୍ଯ୍ୟ ହୋଇ ସେ କିଛି ସମୟ ଏପଟସେପଟ ହେଲେ । ଆମେ ତାଙ୍କୁ ବରାବର ଚାହୁଁଥିଲେ ମଧ୍ୟ ସେ ଆମକୁ ଦେଖିପାରୁ ନ ଥିଲେ । ସେ ବଡ଼ ତରବରରେ ଥାଆନ୍ତି । ତାଙ୍କ ଆଗକୁ ଯାଇ କିଛି ପଚାରିବାକୁ ମୋର ସାହସ ହେଉ ନ ଥାଏ । ହକିମ୍‌ବି ମୋ ପରି ଭାବିଥିବ । ଏୟାର୍‌ପୋର୍ଟର ଏପଟୁସେପଟ ଚାରି ପାଞ୍ଚଥର ବୁଲିବା ପରେ ସେ ଆମକୁ ଦେଖିଲେ । ଆମେ ବି ତାଙ୍କ ନିକଟକୁ ଗଲୁ ।

 

“ଅବ୍‌ଦୁଲ୍ଲା” - ସେ ମୋ ଆଡ଼କୁ ଚାହିଁ କହିଲେ । ଏହା ଆଗରୁ ମୁଁ ଏତେ କର୍କଶ ଶବ୍ଦ କୋଉଠି ଶୁଣି ନ ଥିଲି । ମୁଁ ମୋ ମୁଣ୍ଡ ହଲେଇଲି । ତା’ପରେ ସେ ହକିମ୍‌ଆଡ଼େ ଆଙ୍ଗୁଳି ଦେଖାଇ ସେଇ ପ୍ରଶ୍ନ ପଚାରିଲେ । ସିଏ ବି ମୁଣ୍ଡ ହଲେଇ ମନାକଲା । ତା’ପରେ ସେ ଆରବୀ ଭାଷାରେ କିଛି ପଚାରିଲେ । ତାଙ୍କ ସ୍ୱରରୁ ତାଙ୍କ କ୍ରୋଧ ଜଣାପଡ଼ୁଥାଏ । ସୌଭାଗ୍ୟକୁ ମୁଁ ତାଙ୍କର କୌଣସି କଥା ବୁଝିପାରୁ ନ ଥାଏ । ହକିମ୍‌ର ଦଶା ମଧ୍ୟ ସେଇଆ ।

 

ଆମକୁ ସେଇଠି ଛାଡ଼ି ସେ ପୁଣିଥରେ ଏୟାର୍‌ପୋର୍ଟ ଆଡ଼କୁ ଗଲେ । ଆମେ ଲକ୍ଷ୍ୟକଲୁ ଯେ ସେ ଆଉ କେତେଜଣଙ୍କଠାରୁ ପାସ୍‌ପୋର୍ଟ ନେଇ ସେଥିରୁ ସେମାନଙ୍କ ନାଁ ପଢ଼ିଲେ-। ଶେଷରେ ସେ ଆମ ପାଖକୁ ଫେରିଲେ । ତା’ପରେ ସେ ମୋ ପାସ୍‌ପୋର୍ଟ ନେଇ ଦେଖିଲେ । ହକିମ୍‌ପାଖରୁ ମଧ୍ୟ ତା’ ପାସ୍‌ପୋର୍ଟ ନେଇ ସେ ଦେଖିଲେ । ତା’ପରେ ଆମକୁ କିଛି ନ କହି ସେ ଆଗକୁ ଆଗେଇ ଚାଲିଲେ । ଆମେ ଦିହେଁ ତାଙ୍କୁ ଅନୁସରଣ କଲୁ ।

 

ଆଗରୁ ଆରବର ଲୋକଙ୍କ କଥା ଯେତେବେଳେ ମୁଁ ଭାବିଛି ସେତେବେଳେ ଅତରର ବାସ୍ନା ସେମାନଙ୍କ ସହ ଯୋଡ଼ିହେଇଯାଇଛି । ଆରବୀମାନେ ସବୁବେଳେ ମହମହ ବାସୁଥାଆନ୍ତି ବୋଲି ମୋର ଧାରଣା ଥିଲା । ଆମ ସାମ୍ନା ଦେଇ ଯାଉଥିବା ଲୋକମାନଙ୍କ ଦେହରୁ ସେହିପ୍ରକାର ବାସ୍ନା ମୁଁ ବାରିପାରୁଥିଲି । ଟିକିଏ ଆଗରୁ ମୁଁ ହକିମ୍‌କୁ କହିଥିଲି ଯେ ବରାବର ଅତର ବ୍ୟବହାର କରୁଥିବା ଏଇ ଆରବୀମାନେ ପରିସ୍ରା କଲେ ବି ତାହା ଅତର ପରି ବାସୁଥିବ ! ମାତ୍ର ମୋର ଏହି ଅରବବ୍‌ଦେହରୁ ବାସ୍ନା ବଦଳରେ ଗନ୍ଧ ବାହାରୁଥିଲା । ସେ ଗନ୍ଧଟା ପୁଣି ଥିଲା ଅଦ୍ଭୁତ ପ୍ରକାରର । ସେଇପରି, ଅନ୍ୟ ଆରବୀମାନେ ଚକ୍‌ଚକ୍‌, ସଫାସୁତୁରା ବେଶପୋଷାକ ପିନ୍ଧିଥିଲାବେଳେ ମୋର ଏ ମାଲିକଙ୍କ ପୋଷାକ ଦିଶୁଥିଲା ଅପରିଚ୍ଛନ୍ନ ଓ ଲୋଚାକୋଚା ।

 

ସେ ଯାହାହେଉନା କାହିଁକି, ଜଣେ ଅରବବ୍‌ଶେଷରେ ମୋ ପାଇଁ ଆସି ପହଞ୍ଚିଥିଲେ । ମୋର ଚିନ୍ତା ଦୂର ହୋଇଥିଲା । ଏବେ ମୁଁ ମଧ୍ୟ ଜଣେ ଗଲ୍‌ଫ ଏନ୍‌ଆର୍‌ଆଇ (ଉପସାଗରରେ ରହୁଥିବା ପ୍ରବାସୀ ଭାରତୀୟ) । ମୋର ବି ଜଣେ ଅରବବ୍‌ବା ଆରବୀ ନିଯୁକ୍ତିଦାତା ଅଛନ୍ତି । ମୋ ସାମ୍‌ନାରେ ଯାଉଥିବା ଏଇ ଆରବୀ ଭଦ୍ରଲୋକ ହେଉଛନ୍ତି ମୋର ସବୁଯାକ ସ୍ୱପ୍ନର ମାଲିକ । ଇଏ ହିଁ ମୋ ପାଇଁ ଆଲ୍ଲାଙ୍କ ଦୂତ ଯିଏ ମୋର ସବୁ ସ୍ୱପ୍ନ ଓ ଆଶା ପୂରଣ କରିବେ । ମୋ ଅରବବ୍‌-। ସେତେବେଳେ ଏଇ ଅରବବ୍‌ଶବ୍ଦଠୁ ଆଉ କୌଣସି ଶବ୍ଦ ମୋତେ ଅଧିକ ମିଠା ମନେହେଉ ନ ଥିଲା ।

 

ସାତ

 

ଆଜିପର୍ଯ୍ୟନ୍ତ ମୁଁ ଦେଖିଥିବା ଗାଡ଼ିଗୁଡ଼ିକ ଭିତରେ ଅରବବ୍‌ଙ୍କ ଗାଡ଼ି ସବୁଠୁ ପୁରୁଣା ଥିଲା । ଏହାର ଡୋର୍‌ଓ ବନେଟ୍‌ସବୁ ଢିଲା ହେଇଯାଇଥିଲା ଏବଂ ଗାଡ଼ିଟା ଜରୁରୀକାଳୀନ ଭିତ୍ତିରେ ଅନ୍ତତଃ ଗୋଟାଏ ପରସ୍ତ ରଙ୍ଗ ଆବଶ୍ୟକ କରୁଥିଲା । ଡୋର୍‌ଗୁଡ଼ିକ ଢିଲା ଥିବାରୁ ସେଗୁଡ଼ିକୁ ଦଉଡ଼ିରେ ବାନ୍ଧିବା ଦରକାର ପଡ଼ିଥିଲା । ଗାଡ଼ିଟାର ବସିବା ସିଟ୍‌ର କୁସନ୍‌ତଳୁ ଲୁହା ସ୍ପ୍ରିଙ୍ଗଗୁଡ଼ାକ ପଦାକୁ ଫୁଟି ଦିଶୁଥିଲା ।

 

ଆମେ ଗାଡ଼ି ପାଖରେ ପହଞ୍ଚିବାକ୍ଷଣି ଅରବବ୍‌ମୋ ବ୍ୟାଗ୍‌ଟାକୁ ମୋ ପାଖରୁ ଛଡ଼େଇ ନେଇ ଗାଡ଼ିର ପଛପଟ ଡାଲା ଭିତରକୁ ଫୋପାଡ଼ିଦେଲେ । ମୁଁ ମନେ ମନେ ଚିତ୍କାର କରିଉଠିଲି- ଅରବବ୍‌, ଇଏ ତୁମେ କଅଣ କଲ ? ମୋ ଆଚାର ଜାର୍‌ଟା ଯେ ଭାଙ୍ଗିଯାଇଥିବ । ସେସବୁ ମୋ ମାଆ ତିଆରି କରି ଦେଇଛି । ତହିଁରେ ଥିବା ଲେମ୍ବୁ ଆଚାରତକ ମୋର ସ୍ତ୍ରୀ ସାଇନୁ ତିଆରି କରିଛି-। ମୋ ମନଟା ବିଦ୍ରୋହ କରି ଉଠୁଥିଲା । ହକିମ୍‌ର ବ୍ୟାଗ୍‌କୁ ଅରବବ୍‌ଛଡ଼େଇନେବା ଆଗରୁ ସେ ନିଜେ ସେଇଟିକୁ ନେଇ ଗାଡ଼ି ପଛରେ ଧୀରେ ଥୋଇଦେଲା । ତା’ ବ୍ୟାଗ୍‌ରେ ଅନେକ ଜିନିଷ ଥିଲା - ଆଚାର, ନଡ଼ିଆତେଲ ଇତ୍ୟାଦି ।

 

ଅରବବ୍‌ନିଜେ ଡ୍ରାଇଭର୍‌ସିଟ୍‌ପାଖ ଦରଜା ଖୋଲି ଗାଡ଼ି ଭିତରକୁ ଡେଇଁପଡ଼ିଲେ । ପ୍ରକୃତରେ ଭିତରେ ଯେତିକି ଜାଗା ସେଥିରେ ଡ୍ରାଇଭର୍‌ଙ୍କୁ ଛାଡ଼ି ଆଉ ମାତ୍ର ଜଣେ ବସିପାରିବା କଥା । ସେଇଠି ମୁଁ ଓ ହକିମ୍‌ଦିହେଁ କେମିତି ବସିବୁ ? ହଉ, ଆମେ ଚଳେଇନେବୁ । ଏଇଆ ଭାବି ମୁଁ ଆରପଟ ଦରଜା ଖୋଲିଲାବେଳକୁ ଅରବବ୍‌ଚିତ୍କାର କରିଉଠିଲେ । ଚମକିପଡ଼ି ମୁଁ ଗୋଟେ ପାଦ ପଛକୁ ଫେରିଆସିଲି । ଅରବବ୍‌ଆମକୁ ଗାଡ଼ିର ଡାଲାକୁ ଉଠିପଡ଼ିବାଲାଗି ନିର୍ଦ୍ଦେଶ ଦେଲେ । ମୁଁ ତାଙ୍କ କଥା ବୁଝି ନ ପାରି ଗାଡ଼ି ଦରଜାର ହ୍ୟାଣ୍ଡଲ୍‌ଧରି ଛିଡ଼ା ହେଲି । ସେ ଆଉ ଥରେ ଚିତ୍କାର କରି ସେଇ ଇସାରା ଦେଲେ ଏବଂ କହିଲେ- ୟା ଆଲ୍ଲା । ତା’ପରେ ସେ ନିଜେ ସିଟ୍‌ରୁ ଓହ୍ଲାଇ ଆସିଲେ ଓ ରାଗ ତମତମ ହୋଇ ମୋତେ ଘୋଷାଡ଼ିନେଇ ଗାଡ଼ିର ଡାଲା ଭିତରକୁ ଠେଲିଦେଲେ-। ମୋର ଦଶା ଦେଖି ହକିମ୍‌ଆପେ ଆପେ ଡାଲା ଉପରକୁ ଉଠିଆସିଲା । ତା’ପରେ ଅରବବ୍‌ତମତମ ହେଇ ଡ୍ରାଇଭର୍‌ସିଟ୍‌ରେ ଯାଇ ବସିପଡ଼ିଲେ ଓ ଗାଡ଼ି ଷ୍ଟାର୍ଟ କଲେ ।

 

ଗାଡ଼ି ଡାଲାରେ ଦୁଇତିନିଟା ବଡ଼ ଆଲୁମିନିୟମ୍‌ହାଣ୍ଡି, କିଛି ଘାସ ଏବଂ ଗୁଡ଼ାଏ ଅଖା ଥୁଆ ହୋଇଥିଲା । ତାଆରି ଭିତରେ ଆମେ ଗୁଞ୍ଜିଗାଞ୍ଜି ହୋଇ ପଶିଲୁ ଏବଂ ରେଲିଂ ଧରି ଭାରସାମ୍ୟ ରକ୍ଷା କରିବାକୁ ଚେଷ୍ଟା କଲୁ । ଦୁର୍ବଳିଆ ପ୍ରାଚୀନ ଚେହେରା ସତ୍ତ୍ୱେ ଗାଡ଼ିଟା ବେଶ୍‌ଦ୍ରୁତଗତିରେ ଚାଲିଲା ଭଳି ଆମକୁ ଲାଗୁଥିଲା । ଏହାର ଶବ୍ଦଟା ଖୁବ୍‌ଜୋର୍‌ଶୁଭୁଥିଲା । ଆମେ ଏୟାର୍‌ପୋର୍ଟ ଟପି ମୁଖ୍ୟ ରାସ୍ତାକୁ ଆସିବା ପରେ ଏହାର ପ୍ରକୃତ ବେଗ ଜଣାପଡ଼ିଲା । କାରଣ ଆମେ ଦେଖିଲୁ ଏହାକୁ ଟପି ଶହ ଶହ ଗାଡ଼ି ଆଗକୁ ଚାଲିଯାଉଥିଲେ, ଆଉ ଇଏ ପଛରେ ପଡ଼ିରହୁଥିଲା । ଗାଡ଼ିଟାର ପଛରୁ ଯେଉଁ କଳାଧୂଆଁ ବାହାରୁଥିଲା ତାକୁ ହିଁ ଇଏ ଯାହା ଅତିକ୍ରମ କରିପାରୁଥିଲା !

 

ଏଇଟା ଥିଲା ଉପସାଗରୀୟ ରାସ୍ତାରେ ମୋର ପ୍ରଥମ ଯାତ୍ରା । ଯଦିଓ ଆମେ ଗୋଟେ ଗାଡ଼ିର ଡାଲାରେ ବସି ଯାଉଥିଲୁ ତଥାପି ବାହାରର କୋଠାବାଡ଼ି ଦେଖି ମୋତେ ଖୁବ୍‌ଖୁସି ଲାଗୁଥିଲା । ଗାଡ଼ିଟା ଖୋଲାଥିବାରୁ ହିଁ ମୁଁ ଦୁଇକଡ଼ର ଆଲୋକଖଚିତ ନଭଶ୍ଚୁମ୍ବୀ ଅଟ୍ଟାଳିକା ଦେଖିପାରୁଥିଲି । ଭିତରେ ବସିଥିଲେ କ’ଣ ଏଭଳି ଚମତ୍କାର ଦୃଶ୍ୟ ଦେଖିପାରିଥାଆନ୍ତି ? ଆମକୁ ଅତିକ୍ରମ କରି ଅନେକ ଗାଡ଼ି ଆଗକୁ ଚାଲିଯାଉଥାଆନ୍ତି, ମାତ୍ର ଅନ୍ଧାର ଯୋଗୁଁ ସେ ଗାଡ଼ିରେ ଯାଉଥିବା ଲୋକେ ଆମକୁ ଦେଖିପାରୁ ନ ଥାନ୍ତି ।

 

ମୋର ଧାରଣା ନାହିଁ, ଆମର ସେ ଖୋଲାଗାଡ଼ିର ଯାତ୍ରା କେତେ ଘଣ୍ଟା ଧରି ଚାଲିଲା ! ହକିମ୍‌ମଧ୍ୟ କିଛି ଜାଣିପାରୁ ନ ଥିଲା । ଧୀରେ ଧୀରେ ଉଚ୍ଚା କୋଠାବାଡ଼ି ସବୁ ପଛକୁ ରହିଗଲେ । ସହର ପାଖରୁ ଦୂରେଇ ଏବେ ଆମେ ଆଉ ଗୋଟେ ଲମ୍ବା ରାସ୍ତାରେ ଯାଉଥିଲୁ । ଆମକୁ ଅତିକ୍ରମ କରିଯାଉଥିବା ଗାଡ଼ି ମୋଟର ସଂଖ୍ୟା ବି ଧୀରେ ଧୀରେ କମି ଆସିଲା । ଏଣିକି ରାସ୍ତା କଡ଼ର ନିଅନ ଆଲୁଅଗୁଡ଼ିକ ହିଁ ଯାହା ଆଲୋକ ଦେଉଥିଲେ । କିଛି ସମୟ ପରେ ଆମେ ହାଇୱେ ଛାଡ଼ି ଆଉଗୋଟେ ରାସ୍ତାରେ ଗଲୁ । ହକିମ୍‌ଏହା ଭିତରେ ଶୋଇପଡ଼ିଥାଏ । ମାତ୍ର ମୋତେ ନିଦ ଆସୁ ନ ଥାଏ । ଆମ ଗାଡ଼ି ଗୋଟେ ବାଲିରାସ୍ତାରେ ଏବେ ଚାଲୁଥିଲା । ଗାଡ଼ିର ଆଲୁଅ ବାଲି ଉପରେ ବିଛେଇ ପଡ଼ୁଥାଏ । କ୍ରମେ ଗାଡ଼ିର ଗତି ଧୀର ହେଲା । ତା’ପରେ ଆଲୁଅ ବି ଧିମା ହେଇଗଲା । ଏହାପରେ କେବଳ ଅନ୍ଧାର ଓ ବାଲି । ଗାଡ଼ିଟା ଦୁଇପଟେ ବାଲିକୁଦ ଥିବା ଆବଡ଼ା ଖାବଡ଼ା ଗୋଟେ ରାସ୍ତାରେ ଚାଲୁଥିଲା ।

 

ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଖାଇ ନ ଥାଏ । ବମ୍ବେ ଛାଡ଼ିବା ପରେ ବିମାନରେ ଯାହା କେଇଢୋକ ପାଣି ପିଇଥିଲି । ତା’ପରେ ଆଉ କିଛି ଖାଇନାହିଁ । ଘରୁ ବାହାରିଲାବେଳେ ଶଶି ମୋତେ ସକାଳର ଜଳଖିଆ ଖାଇ ଆସିବାକୁ କହିଥିଲା । ମାତ୍ର ମୋତେ ସେତେବେଳେ ଦୂର ଜାଗାକୁ ଯିବାର ଡର ଓ ଆଶଙ୍କା ମାଡ଼ି ବସିଥିଲା । ତେଣୁ ଖାଇବା ପାଇଁ ମନ ହେଲା ନାହିଁ । ବିମାନରେ ମଧ୍ୟ ଖାଦ୍ୟ ପରଷାଯାଇଥିଲା; ମାତ୍ର ସେଗୁଡ଼ା କେମିତି ଖାଇବାକୁ ପଡ଼େ ତାହା ଜାଣି ନ ଥିବାରୁ ମୁଁ ଖାଇ ନ ଥିଲି । ଏହି ହିସାବରେ ଦେଖିଲେ ମୁଁ ପୂରା ଦିନଟା ଅନାହାରରେ କଟେଇଥିଲି । ଦିନସାରା ନଈବାଲି ଖୋଳି ଘରକୁ ଫେରିବା ପରେ ଯେମିତି ସର୍ବଗ୍ରାସୀ କ୍ଷୁଧା ମାଡ଼ିଆସେ ଏବେ ସେମିତି କ୍ଷୁଧା ମୋତେ ମାଡ଼ିଆସୁଥିଲା । ଏୟାର୍‌ପୋର୍ଟରେ ମୁଁ ହକିମ୍‌କୁ ଭୋକକଥା ପଚାରିଥିଲି । ସିଏ ବି ସେଇଆ କହିଥିଲା । ସେ ଯୋଡ଼ିଥିଲା, ଏତେ ଭୋକ ଲାଗୁଛି ଯେ କିଛି ନ ଖାଇଲେ ମୁଁ ମରିଯିବି । ମୋର ମନ ହେଉଥିଲା, ମୁଁ ଚିତ୍କାର କରି କହିବି- ଅରବବ୍‌, ଟିକେ ଗାଡ଼ି ଅଟକାଅ । ଆମେ ଭୋକିଲା, ଆମକୁ କିଛି ଖାଇବାକୁ ଦିଅ, ପାଣି ମୁନ୍ଦେ ଦିଅ ପିଇବାକୁ...ମାତ୍ର ମୋ ପାଟିରୁ କୌଣସି ଶବ୍ଦ ବାହାରିଲା ନାହିଁ । କାରଣ ମୋର ଡର ହେଉଥିଲା ଯେ କାଳେ ଅରବବ୍‌ରାଗିଯିବେ । ତା’ଛଡ଼ା ଦି’ପଟେ ଅନ୍ଧାର କଳାରାତି । ଏଭଳି ଜାଗାରେ କୋଉଠି ବା କଅଣ ଖାଇବାକୁ ମିଳିବ ! ବାଲି ରାସ୍ତାରେ ଯାତ୍ରା ଆରମ୍ଭ କରିବାର ଘଣ୍ଟାଏ ଖଣ୍ଡ ହେଇଯାଇଥିବ । ଧକଡ଼ଚକଡ଼ରେ ମୋ ପିଠି ବିନ୍ଧିଲାଣି । ଗାଡ଼ି ଚକରେ ଘଷିହେଇ ବାଲିଗୁଡ଼ା ଉପରକୁ ଉଠୁଥାଏ । ସେଗୁଡ଼ା ଆମ ନାକ ଓ ପାଟିରେ ପଶି ନିଃଶ୍ୱାସପ୍ରଶ୍ୱାସ ବନ୍ଦ କରିଦେଉଥାଏ । ଇଏ କେମିତିକା ଯାତ୍ରା ? ମୁଁ ମନେ ମନେ ଠାକୁରଙ୍କୁ ଡାକୁଥାଏ ।

 

ସେଇ ମୁହୂର୍ତ୍ତରୁ, ଗୋଟେ ଅଦ୍ଭୁତ ଆଶଙ୍କା ମୋ ମନ ଭିତରେ ବସା ବାନ୍ଧିବାକୁ ଆରମ୍ଭ କଲା । ମୋ ମନରେ ଗୋଟେ ଧାରଣା ଜମାଟ ବାନ୍ଧିବାକୁ ବସିଲା ଯେ, ମୁଁ ଏହି ପାରସ୍ୟ ଉପସାଗରୀୟ ଦେଶରେ ଯେମିତିକା ସ୍ୱଚ୍ଛଳ ଓ ସ୍ୱଚ୍ଛନ୍ଦ ଜୀବନର ସ୍ୱପ୍ନ ଦେଖିଥିଲି ତାହା ବୋଧେ ମୋତେ ମିଳିବ ନାହିଁ । କାରଣ ମୁଁ ଏ ଦେଶର ଜୀବନ ବାବଦରେ ଯେତେ ଯାହା ଲୋକଙ୍କଠାରୁ ଶୁଣିଥିଲି ସେସବୁ ସହ ଆମ ଯାତ୍ରା ଅଭିଜ୍ଞତାର କୌଣସି ସମ୍ପର୍କ ନ ଥିଲା । ମୋର ଭୟ ହେଉଥିଲା । କୌଣସି କଥା ମୁଁ ସ୍ପଷ୍ଟ ବୁଝିପାରୁ ନ ଥିଲି । ମୁଁ ହୁଏତ ଏକଥା ହକିମ୍‌ସହ ଆଲୋଚନା କରିଥାଆନ୍ତି, ମାତ୍ର ସିଏ ସେତେବେଳକୁ ନିଦରେ ଶୋଇପଡ଼ିଥିଲା । ଶୋଇଥାଉ । ମୋ ଉଦ୍‌ବେଗର କଥା ଶୁଣିଲେ ହୁଏତ ସେ କାନ୍ଦିପକେଇବ ।

 

ସମୟ କେତେ ହେଲାଣି ସେକଥା ଜାଣିବାର କୌଣସି ଉପାୟ ନ ଥିଲା । କାହିଁକି ଯେ ଶଶିକୁ ମୋ ଘଣ୍ଟା ଦେଉଥିଲି ଭାବି ମୁଁ ନିଜକୁ ନିଜେ ଗାଳିଦେଲି । ହଉ, ଯେତେବେଳେ ପହଞ୍ଚିବାର କଥା ଯାଇ ପହଞ୍ଚିବି । ସମୟ ଜାଣି ଲାଭ କଅଣ ? ମୁଁ ତ ମୋ ନିଜର ଅରବବ୍‌ଙ୍କ ସାଙ୍ଗରେ ତାଙ୍କ ଗାଡ଼ିରେ ଯାଉଛି । ତାଙ୍କରି ହାତରେ ହିଁ ମୋ ଜୀବନର ସୁଖ ଓ ନିରାପତ୍ତା ନିର୍ଭର କରୁଛି । ଅଯଥାରେ ମୁଁ ସମୟ ବାବଦରେ କାହିଁକି ଚିନ୍ତା କରିବି ? ମୁଁ ଗାଡ଼ି ଡାଲାର ଘାସଗଦା ଉପରେ ମୁଣ୍ଡରଖି ଶୋଇପଡ଼ିଲି । ମଥା ଉପର ଆକାଶରେ ତାରାଗୁଡ଼ିକ ନିଷ୍ପ୍ରଭ ଦିଶୁଥିଲେ । ବୋଧହୁଏ ସେମାନେ କ୍ଳାନ୍ତହୋଇ ଶୋଇପଡ଼ିଥାନ୍ତି । ରାସ୍ତାର ଧକଡ଼ଚକଡ଼ ଏବଂ ଗାଡ଼ି ଇଞ୍ଜିନ୍‌ର ଶବ୍ଦ ମୋତେ ଏବେ ନାନାବାୟା ଗୀତ ପରି ଜଣାପଡ଼ୁଥିଲା । ମୋ ଦେହହାତ ଅସମ୍ଭବ ଭାବେ କ୍ଳାନ୍ତ ହୋଇପଡ଼ିଥିଲା ।

 

ମୁଁ ଶୋଇପଡ଼ିଲି ।

 

ଆଠ

 

ମୋ ମୁନିବ ମୋତେ ହଲେଇ ଉଠେଇବା ପରେ ଯାଇ ମୋ ଆଖି ଖୋଲିଲା । ମୋ ସାମ୍‌ନାରେ କିଟିକିଟି କଳାଅନ୍ଧାର । ଆମେ କୋଉଠି ଆସି ପହଞ୍ଚିଛୁ ସେକଥା ଜାଣିବାର ଉପାୟ ନ ଥିଲା । ମୁଁ ଆଖି ମଳି ଆଉ ଥରେ ସେହି ଅନ୍ଧାର ସହ ପରିଚିତ ହେବାଲାଗି ଚେଷ୍ଟା କଲି । ହକିମ୍‌ତଥାପି ଗାଢ଼ ନିଦରେ ଶୋଇଥାଏ । ଏଥର ଆମର ମୁନିବ ଗାଡ଼ି ବାଡ଼ାରେ ଧକ୍କାଟେ ଦେଇ ଆମକୁ ଉଠିପଡ଼ିବା ପାଇଁ ଡାକିଲେ । ସେଇ ଧଡ଼ଧାଡ଼ ଶବ୍ଦରେ ହକିମ୍‌ଉଠିପଡ଼ିଲା । ମୁନିବ ଏଥର ତାକୁ ଗାଡ଼ିରୁ ଓହ୍ଲେଇବା ଲାଗି ନିର୍ଦ୍ଦେଶ ଦେଲେ । ହକିମ୍‌ପଛେ ପଛେ ମୁଁ ବି ମୋ ବ୍ୟାଗ୍‌ପତ୍ର ଧରି ଓହ୍ଲେଇବାକୁ ଯାଉଥିଲି, ମାତ୍ର ମୋର ମୁନିବ ମୋତେ ସେଇଠି ଅପେକ୍ଷା କରିବାକୁ କହିଲେ । ମୁଁ ଜାଣିପାରିଲି ଯେ ସେ କେବଳ ହକିମ୍‌କୁ ଡାକୁଥିଲେ । ଅଧାନିଦରୁ ଉଠିଥିବା ଯୋଗୁଁ ହକିମ୍‌ପ୍ରଥମେ କିଛି ବୁଝିପାରି ନ ଥିଲା । ଏକଥା ଦେଖି ମାଲିକ ଗୋଟେ ହେଟାବାଘ ପରି ତା’ ଉପରେ ଖିଙ୍କାରି ଉଠିଲେ ।

 

ମୁଁ ମନକୁ ମନ କହୁଥାଏ, ‘ଆମେ ଦି’ଜଣ ଗରିବ ଲୋକ । ଆମେ ତୁମ ଦେଶ ବିଷୟରେ କିଛିହେଲେ ଜାଣିନାହୁଁ । ଆମ ଉପରେ ଏମିତି ରାଗୁଛ କାହିଁକି ? ଆପଣ ଜାଣନ୍ତି, ଆମେ କେତେ ଭୋକିଲା ଅଛୁ ? ଯେତିକି ଜୋର୍‌ରେ ଭୋକ ଲାଗୁଛି, ତାହାଠାରୁ ଅଧିକ ଜୋର୍‌ରେ ଶୋଷ । ଆଗରୁ କେବେ ଏମିତି ଭୋକଶୋଷରେ ରହିଥିଲା ପରି ମୋର ମନେପଡ଼ୁନାହିଁ । ଆମକୁ ଇଏ କି ଧରଣର ସ୍ୱାଗତ ସମ୍ବର୍ଦ୍ଧନା ? ତା’ ସାଙ୍ଗକୁ ପୁଣି ଟିକେ ଟିକେ କଥାରେ ଗର୍ଜନତର୍ଜନ ।’ କିନ୍ତୁ ଆମେ ବା ମୁନିବଙ୍କୁ କାହିଁକି ଦୋଷ ଦେବୁ ? ଦୋଷ ତ ଆମର । ସିଏ ହୁଏତ ଢେର୍‌ସମୟ ହେଲାଣି ଆମକୁ ଆଣିବାଲାଗି ଘରୁ ବାହାରି ଯାଇଥିବେ ? ଆମେ ତ ହେଲେ ଉଡ଼ାଜାହାଜରେ ଆସିଲୁ । ସିଏ ଏଇ ପୁରୁଣା ଗାଡ଼ି ଚଳେଇ ଏୟାରପୋର୍ଟ ଯାଇଥିଲେ ଓ ଆମକୁ ସେଇଥିରେ ନେଇ ପୁଣି ଆସିଲେ । ଆମର ଏମିତି ଶୋଇପଡ଼ିବା ଉଚିତ ହୋଇନାହିଁ । ଆଗରୁ ଆମେ ଉଡ଼ାଜାହାଜରେ ଟିକେ ଶୋଇଥିଲୁ । ମାତ୍ର ଆମ ମୁନିବ ସେତିକି ଆରାମର ସୁଯୋଗ ପାଇନାହାନ୍ତି । ଆମକୁ ଆମ ଜାଗାରେ ପହଞ୍ଚାଇ ସାରିବା ପରେ ଯାଇ ସେ ଖିଆପିଆ କରିବେ ଓ ଅଣ୍ଟା ସଳଖିବେ । ତାଙ୍କର ରାଗିବା ଅଯୌକ୍ତିକ ନୁହେଁ । ହଉ ହଉ, ସେ ରାଗନ୍ତୁ । ଗାଡ଼ି ଆସି ରହିସାରିବା ପରେ ଆମେ ନିଦରୁ ନ ଉଠିବା ଆମପକ୍ଷେ ଆଦୌ ଉଚିତ ହୋଇନାହିଁ ।

 

ମୁଁ ଜାଣିପାରୁଥିଲି ଯେ ଘରବାଡ଼ି କି ଗଛବୃଚ୍ଛ ନ ଥିବା ଗୋଟେ ସମତଳ ଜାଗାରେ ଆସି ମୁଁ ପହଞ୍ଚିଯାଇଛି । ଅନେକ ଦୂରରେ କିଛି ପାହାଡ଼ର ଛାୟା ସେଇ ଅନ୍ଧାର ଭିତରେ ଦିଶୁଥିଲା-। ଏ ଜାଗାର ଚେହେରା ଦେଖି ମୋତେ ଖୁବ୍‌ଅସହାୟ ଲାଗିଲା ।

 

ଆମେ ଇଏ କେଉଁଠି ଆସି ପହଞ୍ଚିଲୁ ?

 

ହକିମ୍‌ତା’ ବ୍ୟାଗ୍‌ଧରି ଗାଡ଼ିରୁ ଓହ୍ଲେଇଗଲା । ମୁନିବ ଆଗେ ଆଗେ ଚାଲିବାକୁ ଲାଗିଲେ । ସିଏ ନିଶ୍ଚୟ ଏ ଜାଗା ସହ ପରିଚିତ । ବଡ଼ କୁଣ୍ଠାର ସହ ହକିମ୍‌ତାଙ୍କର ଅନୁସରଣ କରୁଥିଲା । ମୁଁ ଭାବୁଥିଲି, ହକିମ୍‌ଓ ମୁଁ ତ ଗୋଟିଏ କମ୍ପାନିରେ କାମ କରିବାଲାଗି ଆସିଥିଲୁ, ଆମକୁ ଏ ମୁନିବ ଅଲଗା କରୁଛନ୍ତି କାହିଁକି ? ପୁଣି ଏ ଅନ୍ଧାରିଆ ଜାଗାକୁ ସେ ଆମମାନଙ୍କୁ ଆଣିବାର କାରଣ କଅଣ ? ମୁଁ ଏ ଗାଡ଼ିରେ କାହିଁକି ଏକୁଟିଆ ବସିରହିଛି ? ହକିମ୍‌କୁଆଡ଼େ ଯାଉଛି ? ହେ ଆଲ୍ଲା, ତାକୁ ତା’ ମାଆ ମୋ ଜିମାରେ ଛାଡ଼ିଥିଲେ । ନିର୍ଦ୍ଦୟ ମୁନିବ, ତାକୁ ଆପଣ କୁଆଡ଼କୁ ନେଉଛନ୍ତି ? ମନକୁ ଦମ୍ଭ କରି ମୁଁ ଗାଡ଼ିରୁ ଓହ୍ଲେଇପଡ଼ିଲି ଓ ମୋ ବ୍ୟାଗ୍‌ଟି ଧରି ହକିମ୍‌ପଛେ ପଛେ ଚାଲିଲି । ମୁନିବ ପଛକୁ ଅନେଇ ମୋତେ ଦେଖିଲେ । ସେଇ ଅନ୍ଧାର ଭିତରେ ମୁଁ ଜାଣିପାରିଲି ଯେ ତାଙ୍କ ଆଖିଦୁଇଟା କ୍ରୋଧରେ ରଡ଼ନିଆଁ ପରି ଜଳୁଥିଲା । ମୁଁ ମୋ ମାଲୟାଲୀ ଭାଷାରେ ତାଙ୍କୁ ମୋ ପ୍ରଶ୍ନ ପଚାରିଲି । ମାତ୍ର ସେ ରାଗିଗଲେ ଓ ମୋତେ ଚୁପ୍‌ଚାପ୍‌ଗାଡ଼ି ପାଖକୁ ଫେରିଯିବାକୁ ନିର୍ଦ୍ଦେଶ ଦେଲେ । ତା’ପରେ ସେ ତାଙ୍କ ଅଣ୍ଟାର ବେଲ୍‌ଟ ଖୋଲି ସପାକ୍‌କରି ସେଇ ଅନ୍ଧାରକୁ ପାହାରେ ଦେଲେ । ମୁଁ ଡରିଗଲି । ସାଙ୍ଗେ ସାଙ୍ଗେ ସୁନାପିଲା ପରି ଗାଡ଼ି ଉପରକୁ ଯାଇ ଡାଲାରେ ବସିଗଲି ।

 

ଅନ୍ଧାର ଭିତରେ ମୋତେ ଏବେ କିଛି କିଛି ଦିଶୁଥିଲା । ମୁଁ ଜାଣିନି କେଉଁଠୁ, ଆକାଶର ଶେଷ କୋଣରୁ, ଦିଗ୍‌ବଳୟ ପାଖରୁ ଟିକିଏ ଟିକିଏ ଆଲୁଅ ଦିଶୁଥିଲା । ସେଇ ଝାପ୍‌ସା ଆଲୁଅରେ ମୁଁ ଲକ୍ଷ୍ୟକଲି, ମୁନିବ ଯାଇ ଗୋଟେ ଲୁହା ଫାଟକ ପାଖରେ ଅଟକିଲେ । ତାଙ୍କ ପକେଟ୍‌ରୁ ଗୋଟେ ଚାବି କାଢ଼ି ସେ ଫାଟକର ତାଲା ଖୋଲିଲେ ଓ ଭିତରକୁ ଗଲେ । ହକିମ୍‌ମଧ୍ୟ ଭିତରକୁ ପଶିଲା । ତା’ ଭିତରେ କଅଣ ଅଛି ଜାଣିବା ଲାଗି ମୋର ପ୍ରବଳ ଆଗ୍ରହ ହେଉଥିଲା । ମାତ୍ର ଅନ୍ଧାର ଭିତରେ ମୁଁ ଆଉକିଛି ଦେଖିପାରୁ ନ ଥିଲି ।

 

ଗୋଟେ ଫୁରୁକୁଟିଆ ଗନ୍ଧ ମୁଁ ନାକରେ ବାରିପାରୁଥିଲି । ଏଇଟା କଅଣ ମୁନିବଙ୍କ ଦେହର ଗନ୍ଧ । ସାଧାରଣ ବୁଦ୍ଧିରୁ ମୁଁ ଜାଣିପାରୁଥିଲି ଯେ ଆମେ ଗୋଟେ ମରୁଭୂମି ଭିତର ଦେଇ ଆସିଥିଲୁ । ତାହାହେଲେ ମରୁଭୂମିର ଗନ୍ଧ କଅଣ ଏମିତି ? ମାତ୍ର ମରୁଭୂମିର କ’ଣ ଗନ୍ଧ ଥାଏ ? ଗଭୀର ସମୁଦ୍ରର ଗୋଟେ ଅଲଗା ପ୍ରକାର ଗନ୍ଧ ଥିବା ଲୋକେ କହନ୍ତି । ଏବେ ଏଠିକାର ବାୟୁମଣ୍ଡଳରେ ଅଲଗା ଗୋଟେ ଗନ୍ଧ ମୁଁ ବାରିପାରୁଥିଲି । ଗାଡ଼ି ଆସି ଅଟକିବା ପରଠାରୁ ଏଇ ଗନ୍ଧଟା ମୋ ନାକରେ ବାଜୁଥିଲା । ପ୍ରଥମେ ମୁଁ ଭାବିଥିଲି ଯେ, ଗାଡ଼ି ଚକରେ ଉଡ଼ୁଥିବା ବାଲି ଯୋଗୁଁ ବୋଧହୁଏ ଏମିତି ଗନ୍ଧ ଆସୁଛି । ମାତ୍ର ଏବେ ମୁଁ ଜାଣିପାରୁଥିଲି ସେଇ ଲୁହାଫାଟକ ଘେରା ଅଞ୍ଚଳରୁ ଏ ଗନ୍ଧ ଆସୁଥିଲା । ହକିମ୍‌ସେଇ ଜାଗାକୁ ଯାଇଥିଲା । ଗନ୍ଧଟା ଠିକ୍‌କେମିତି ମୁଁ ବୁଝେଇ କହିପାରୁନାହିଁ । ଗୋବର ଏବଂ ହାଡ଼ଗୁଣ୍ଡର ଗନ୍ଧ ଉଭୟ ମିଶିଲେ ଯେମିତି ଗନ୍ଧାଏ, ଇଏ ସେଇପରି ଗନ୍ଧ । ଆମେ କଅଣ ହାଡ଼ଗୁଣ୍ଡ ଫ୍ୟାକ୍‌ଟ୍ରିରେ ଆସି ପହଞ୍ଚିଛୁ କି ? ଏଇଟା ଯଦି ଫ୍ୟାକ୍‌ଟ୍ରି ହେଇଥାଆନ୍ତା ତାହାହେଲେ ତାହାର କୋଠାବାଡ଼ି ଥାଆନ୍ତା, କାହିଁ ? ମେସିନ୍‌କାହିଁ ? ହାଡ଼ଗଦା କାହିଁ ? କାରଖାନାର ପାଇପ୍‌ବି ତ ଦିଶୁନାହିଁ । ଇଏ କି ପ୍ରକାର କାରଖାନା ?

 

ମୁନିବଙ୍କ ଫେରିବାକୁ ମୁଁ ଅପେକ୍ଷା କରୁଥିଲି । ମୋତେ ଏବେ ଲାଗୁଥିଲା ଯେ ମୁଁ ଗୋଟେ ବିପଜ୍ଜନକ ଜାଗାରେ ଆସି ପହଞ୍ଚିଯାଉଛି । ଅନେକବେଳୁ ଯେଉଁ ଭୟଟା ମୋ ଭିତରେ ମୁଣ୍ଡ ଟେକିଥିଲା ସେଇଟା ମୋତେ ଧୀରେ ଧୀରେ ଗ୍ରାସ କରିବାକୁ ବସିଥିଲା । ମୋତେ ଲାଗୁଥିଲା ଯେ ହକିମ୍‌କୁ ଗୋଟେ ଜେଲ୍‌ଖାନାକୁ ନିଆଯାଇଥିଲା ଏବଂ ଏହାପରେ ମୋ ପାଳି । ମୁଁ କ’ଣ ଏଠୁ ଦଉଡ଼ି ପଳେଇଯିବି କି ? ମାତ୍ର କୁଆଡ଼େ ଯିବି ? ଚାରିପଟେ ବିସ୍ତୀର୍ଣ୍ଣ ବାଲିପଡ଼ିଆ । ବାଟଘାଟ ନ ଜାଣି ମୁଁ ଇଆଡ଼େ ସିଆଡ଼େ ଦଉଡ଼ିଲେ ଶେଷରେ ହାଲିଆ ହୋଇ ମରିବା ହିଁ ସାର ହେବ । ଭୋକ ଶୋଷରେ ମୋ ପାଦ ତ ଉଠୁନାହିଁ, ଯିବି ବା କେମିତି ? କଅଣ କରିବି କିଛି ଚିନ୍ତା କରି ନ ପାରି ମୁଁ ସେଇଠି ବସିରହିଲି ।

 

କିଛି ସମୟ ପରେ ମୁନିବ ଏକୁଟିଆ ଆସିଲେ । ଆସିବା ସମୟରେ ସେ ଫାଟକର ତାଲା ବନ୍ଦ କରିବା ମୁଁ ଦେଖିପାରିଲି । ମୁଁ ଗାଡ଼ିରୁ ଓହ୍ଲେଇଯାଇ ହକିମ୍‌ସମ୍ପର୍କରେ ଜାଣିବାଲାଗି ତାଙ୍କୁ ପଚାରିଲି । ମୁନିବ ମୋ ଉପରେ ରାଗିଗଲେ ଏବଂ ସିଧା ତାଙ୍କ ଗାଡ଼ି ପାଖକୁ ଗଲେ । ମୋ ଉଦ୍ଦେଶ୍ୟରେ ସେ ତାଙ୍କ ଆରବୀ ଭାଷାରେ କଅଣ କହୁଥିଲେ ମୁଁ ତାହାର ବିନ୍ଦୁବିସର୍ଗ ବୁଝିପାରୁ ନ ଥିଲି । ମାଲିକ ଗାଡ଼ିର ଡ୍ରାଇଭର୍‌ସିଟ୍‌ରେ ଯାଇ ବସିଲେ । ମୁଁ ତରବରରେ ଗାଡ଼ି ଡାଲା ଉପରକୁ ଉଠିପଡ଼ିଲି ।

 

ପ୍ରାୟ ଗୋଟେ କିଲୋମିଟର ଯିବା ପରେ ଗାଡ଼ି ପୁଣି ଅଟକିଲା । ଏଇଟା ମଧ୍ୟ ଗୋଟେ ଖୋଲାମେଲା ଜାଗା ଥିଲା । ମୁନିବ ଓହ୍ଲେଇପଡ଼ି ଚାଲିଲେ ଏବଂ ମୁଁ ମୋ ବ୍ୟାଗ୍‌ଧରି ତାଙ୍କୁ ଅନୁସରଣ କଲି । କିଛି ଦୂରରେ ଗୋଟେ ତମ୍ବୁ ପଡ଼ିଥିବା ମୁଁ ଦେଖିପାରିଲି । ବୁଝିଲି, ଏଇଟା ମୋ ମୁନିବଙ୍କ ଲକ୍ଷ୍ୟସ୍ଥଳ । କୋଉଠି କିଛି ଆଲୁଅ ଦିଶୁ ନ ଥିଲା । ଆମେ ତମ୍ବୁ ପାଖରେ ପହଞ୍ଚିବା ପରେ ଆଉ ଜଣେ ଆରବୀ ଲୋକ ଆମ ପାଖକୁ ଆସିଲେ । ଇଏ ଲୋକଟି ଟିକେ ବାଙ୍ଗରା ଥିଲା-। ଆରବ କାହାଣୀରେ ପଢ଼ିଥିବା ଦାଢ଼ିଆ ଆରବୀ ଲୋକଙ୍କ ଚେହେରା ପରି ଥିଲା ଏହାଙ୍କ ଚେହେରା । ମୋ ମୁନିବଙ୍କ ମଇଳା ବେଶପୋଷାକଠାରୁ ତାହାଙ୍କ ବେଶପଟା ଆହୁରି ଅଧିକ ମଳିନ ଦିଶୁଥିଲା ।

 

ସେମାନେ ଦିହେଁ କିଛି ସମୟ ନିଜ ନିଜ ଭିତରେ କଥାହେଲେ । ତା’ପରେ ମୋତେ ଏଇ ନୂଆ ଲୋକଟି ପାଖରେ ଛାଡ଼ି ମୋ ମୁନିବ ଗାଡ଼ି ପାଖକୁ ଫେରିଗଲେ । ଏବେ ମୁଁ ଜାଣିପାରୁଥିଲି ଯେ ସିଏ ହକିମ୍‌କୁ ମଧ୍ୟ ଏହି ପ୍ରକାର ଗୋଟେ ଆରବୀ ଲୋକ ଜିମାରେ ଛାଡ଼ିଥିବେ-। ଏକଥା ଭାବି ମୋତେ ଟିକେ ଆଶ୍ୱସ୍ତ ଲାଗିଲା । ହକିମ୍‌ଟି ସରଳ ପିଲା । ସେ ଦୁନିଆ ବିଷୟରେ ବେଶି କିଛି ଜାଣେ ନାହିଁ । ତାକୁ ଗୋଟେ ଅନ୍ଧାରିଆ ଘରେ ଚାବିପକେଇ ରଖାଯାଇଥିବାରୁ ମୋତେ ଅଡୁଆ ଲାଗୁଥିଲା ।

 

ତମ୍ବୁ ବାହାରେ ଗୋଟେ ଲମ୍ବା ପଡ଼ିଆ । ଚାରିପଟେ ଲୁହାଘେରି । ହକିମ୍‌ରହିଥିବା ଜାଗାଟା ପରି ଏଇ ଜାଗାଟା ମଧ୍ୟ ଗନ୍ଧଉଥିଲା । ଅନ୍ଧାର ଭିତରେ କିଛି ପ୍ରାଣୀ ହଲଚଲ ହେଲା ପରି ମୋତେ ଦିଶୁଥିଲେ । ସେଇଗୁଡ଼ିକ ଆଡ଼େ ମୋତେ ଆଙ୍ଗୁଳି ଇସାରା କରି ନୂଆ ଲୋକ ଜଣକ ତମ୍ବୁ ଭିତରକୁ ପଶିଗଲେ ।

 

ମୋତେ ଭୀଷଣ ଦୁଃଖ ଲାଗିଲା । ଏହା ଭିତରେ ମୋତେ ଏୟାର୍‌ପୋର୍ଟରୁ ଆଣିଥିବା ମୁନିବ ତାଙ୍କ ଗାଡ଼ିନେଇ ଫେରିଯାଇଥିଲେ । ସିଏ ମୋତେ ଏଇ ନୂଆ ମୁନିବ ଜିମାରେ ଛାଡ଼ିଯାଇଥିଲେ । ଇଏ ନୂଆ ମୁନିବ ବି କି ପ୍ରକାର ଲୋକ ? ଅନ୍ଧାରଟାରେ ମୁଁ ଛିଡ଼ାହେଇଛି, ଅଥଚ ସେ ତମ୍ବୁ ଭିତରକୁ ଚାଲିଗଲେଣି । ପଦୁଟେ କଥା ସୁଦ୍ଧା ସେ ମୋତେ କହିନାହାନ୍ତି ! ସିଏ କ’ଣ ଜାଣନ୍ତି ନାହିଁ ଯେ ମୁଁ ଏ ଜାଗାରେ ନୂଆ ? ତାଙ୍କ ଦେଶକୁ ପ୍ରଥମଥର ଲାଗି ଆସିଛି ? ଥରଟେ ତ ଅନ୍ତତଃ ତାଙ୍କର ପଚାରିବାର ଉଚିତ ଥିଲା ଯେ ମୁଁ ଖାଇଛି କି ନାହିଁ ? ମୋତେ ଶୋଷ ଲାଗୁଛି ନା ନାହିଁ ? ଏତିକି କଅଣ ସେ ମୋତେ ପଚାରି ପାରି ନ ଥାନ୍ତେ ? ତା’ଛଡ଼ା ମୁଁ କୋଉଠି ରହିବି ? ମୋର ଅନ୍ୟ ସହକର୍ମୀମାନେ କୋଉଠି ରହନ୍ତି ସେକଥା ତ ମୋତେ ବତେଇଦେବା ତାଙ୍କର ଦରକାର ଥିଲା । ନ ହେଲେ ମୁଁ ଜାଣିବି କିପରି ? ଏଇ କ’ଣ ଆରବୀ ଲୋକଙ୍କର ଅତିଥିପରାୟଣତା ? ମୁଁ ତ ତାହା ବିଷୟରେ କେତେ ଭଲ ଭଲ କଥା ଶୁଣିଥିଲି । ଇଏ କି ପ୍ରକାର ମୁନିବ ? ଇଏ ମୋ ସହ ଛଳନା କରୁନାହାନ୍ତି ତ ? ତାଙ୍କ ଉପରେ ମୋର ସବୁ ସ୍ୱପ୍ନ ଆଉ ଆଶା ନିର୍ଭର କରୁଛି । ମୋ ପ୍ରତି ସେ ଏତେ ନିର୍ଦ୍ଦୟ ନ ହୁଅନ୍ତୁ ।

 

ସେଇଠି ସେମିତି କେତେ ସମୟ ମୁଁ ଠିଆହୋଇ ରହିଥିବି ତାହା ଜାଣେନାହିଁ । ହୁଏତ ମୁଁ ଭାବୁଥିଲି ଯେ ଗାଡ଼ି ନେଇ ଯାଇଥିବା ମୁନିବ ମୋ ଲାଗି କିଛି ଖାଦ୍ୟ ନେଇ ଫେରିବେ । ମାତ୍ର ସେ ଆଶା କ୍ରମେ ମରିଯାଉଥିଲା । ଶେଷରେ ଏଇ ମୁନିବ ଜଣକ ମୋତେ ଯେଉଁଆଡ଼େ ଯିବାଲାଗି ଇସାରା କରିଥିଲେ ମୁଁ ସେଇ ଆଡ଼କୁ ଚାଲିଲି ।

 

ମୁଁ ଭାବୁଥାଏ ସେଇପଟେ ନିଶ୍ଚୟ ମୋର ରହିବାଲାଗି କିଛି ବ୍ୟବସ୍ଥା ଥିବ । ମାତ୍ର ମୋ ଆଖିରେ କୌଣସି ଘର ତ ଦୂରର କଥା କୌଣସି ତମ୍ବୁ ମଧ୍ୟ ଦିଶୁ ନ ଥିଲା । ତା’ପରେ ଭାବିଲି, ମୋ ମୁନିବ ଯଦି ମରୁଭୂମି ଭିତରେ ତମ୍ବୁଟେ ପାରି ରହୁଛନ୍ତି ତାହାହେଲେ ମୋ ପାଇଁ ଘର ଅବା ଆସିବ କେଉଁଠି ?

 

ଏମିତି ଚିନ୍ତାଗ୍ରସ୍ତ ମନନେଇ ମୁଁ ଲୁହାଘେରା ପଡ଼ିଆ ଆଡ଼େ ଗଲି । ସେପଟେ କିଛି ଜନ୍ତୁ ଚଳପ୍ରଚଳ ହେଉଥିବା ପରି ମୋତେ ଲାଗିଲା । କାରଣ ସେମାନଙ୍କ କୁନ୍ଥାଣ ଶବ୍ଦ ମୁଁ ଶୁଣିପାରୁଥିଲି-। ମୁଁ ଯାଇ ଭିତରକୁ ଉହୁଙ୍କି ଦେଖିଲି । ଗୋଟେ ମେଣ୍ଢାର ଆଖି ମୋତେ ଦିଶିଲା । ମେଣ୍ଢା ନା ଛେଳି ? ଧୀରେ ଧୀରେ ମୋତେ ଅନେକ ଜନ୍ତୁ ଦେଖାହେଲେ । ଛେଳି ! ହଁ ଛେଳି । ଶହଶହ, ହଜାର ହଜାର ଛେଳି, ସତେ କି ଛେଳିର ସମୁଦ୍ର । ମୋ ଭିତରେ ଗୋଟେ ଭୂମିକମ୍ପ ହେଲା । କାରଣ ମୁଁ ଏବେ ମୋ ଚାକିରିର କାମ ବିଷୟରେ କିଛି କିଛି ଅନୁମାନ କରିପାରୁଥିଲି ।

 

ମୁଁ ଦୁଃଖରେ ଭାଙ୍ଗିପଡ଼ି ସେଇ ଖୁଆଡ଼ର ଲୁହାବାଡ଼ାକୁ ଆଉଜି ଠିଆହେଲି । ନ ହେଲେ ହୁଏତ ମୁଁ ତଳେ ପଡ଼ିଯାଇଥାଆନ୍ତି । ତିନିଚାରି ପାଦ ଆଗକୁ ଯିବା ପରେ ସେଇ ବାଡ଼ା ଭିତରେ ଗୋଟେ ଖଟିଆ ମୋତେ ଦିଶିଲା । ତା’ ଉପରେ ଜଣେ ଲୋକ ମୁଣ୍ଡ ନୁଆଁଇ ବସିଥିଲା । ତା’ର ସେମିତି ବସିବାର ମୁଦ୍ରା ମୋ ମନରେ ଭରସା ଅପେକ୍ଷା ଅଧିକ ଭୟ ସଞ୍ଚାର କଲା ।

 

ନଅ

 

ମୁଁ ଧୀର ପାଦରେ ସେଇ ଲୋକଟି ପାଖକୁ ଗଲି । ତା’ ଚେହେରା ପ୍ରକୃତରେ ଭୟଙ୍କର ଦିଶୁଥିଲା । ମୁଣ୍ଡର ବାଳଗୁଡ଼ାକ ବଣଜଙ୍ଗଲରେ ରହୁଥିବା ସାଧୁସନ୍ନ୍ୟାସୀଙ୍କ ଜଟାପରି ଦିଶୁଥିଲା । ଲମ୍ବା ଦାଢ଼ି ଲମ୍ବିଲମ୍ବି ତା’ ପେଟକୁ ଛୁଇଁଥିଲା । ତାହାର ପୋଷାକପତ୍ରଠାରୁ ମଳିଛିଆ ଆଉ କିଛି ଜିନିଷ ଚିନ୍ତା କରାଯାଇ ପାରିବ ନାହିଁ । ତାହା ସାଙ୍ଗକୁ କଦର୍ଯ୍ୟ ଗନ୍ଧ । ତା’ ପାଖରେ ଜଣେ ମୁହୂର୍ତ୍ତକ ଲାଗି ସୁଦ୍ଧା ଠିଆ ହୋଇ ପାରିବ ନାହିଁ । କିଛି ସମୟ ଲାଗି ମୁଁ ଦ୍ୱନ୍ଦ୍ୱରେ ପଡ଼ିଗଲି । କାରଣ ମୋତେ ଦେଖିବା ସତ୍ତ୍ୱେ ସେ ଟିକିଏ ବି ହଲଚଲ ହେଉ ନ ଥିଲା । ଏଇଟା ଗୋଟେ ମଣିଷ ନା ମୂର୍ତ୍ତି ? ତାହାପରେ ହଠାତ୍‌, ଅପ୍ରତ୍ୟାଶିତ ଭାବେ, ସେ ତା’ ଓଠ ଯୋଡ଼ିକ ଟିକିଏ ଖୋଲିଲା । ପରେ ପରେ ଗୋଟେ ପ୍ରଲମ୍ବିତ ହସ । ମୁଁ ତାହାର ସେପ୍ରକାର ହସର କାରଣ କିଛି ବୁଝିପାରୁ ନ ଥିଲି । ଲୋକଟି ଏମିତି ହସୁଛି କାହିଁକି ? ବେଶ୍‌କିଛି ସମୟ ପରେ ସେ ମୋତେ ହିନ୍ଦୀରେ କିଛି କଥା କହିଲା । ମୋର ପାଠଶାଠ ପଞ୍ଚମ ଶ୍ରେଣୀରେ ସରିଯାଇଥିଲା ଏବଂ ମୁଁ କେବେ କାହାସାଙ୍ଗେ ହିନ୍ଦୀରେ କେବେ କଥାବାର୍ତ୍ତ କରି ନ ଥିଲି । ତେଣୁ ଲୋକଟିର କଥା ମୁଁ କିଛି ବୁଝିପାରିଲି ନାହିଁ । ସେଇ ମୁହୂର୍ତ୍ତରେ ତାହାର ହିନ୍ଦୀଠାରୁ ଆରବୀ ଭାଷା ବରଂ ମୋତେ ଅଧିକ ସହଜ ମନେ ହୋଇଥାଆନ୍ତା ।

 

ତା’ କଥାରେ ବିଦ୍ରୋହ, ଭର୍ତ୍ସନା ଏବଂ ଦୁଃଖ ଭର୍ତ୍ତି ହୋଇଥିବା ପରି ମୋର ମନେହେଲା । ଆଜି ମୁଁ ବୁଝିପାରୁଛି ଯେ, ସେ ମୋର ଦୁର୍ଭାଗ୍ୟ କଥା ଚିନ୍ତା କରି ବିଳାପ କରିଥିଲା-। କରୁଣା କିମ୍ବା ସହାନୁଭୂତିକୁ ବୁଝିବାଲାଗି ଭାଷା ଜାଣିବା ପ୍ରୟୋଜନ ପଡ଼େ ନାହିଁ ।

 

ମୁଁ ସେମିତି ଠିଆହୋଇ ରହିଥାଏ । ଲୋକଟା କାଠଗଡ଼ ପରି ନିଜ ଖଟିଆ ଉପରେ ପଡ଼ିଗଲା ଏବଂ ସାଙ୍ଗେ ସାଙ୍ଗେ ନିଦରେ ଶୋଇପଡ଼ିଲା । କେଇଟି ମୁହୂର୍ତ୍ତ ପରେ ମୁଁ ତା’ର ଘୁଙ୍ଗୁଡ଼ି ଶବ୍ଦ ଶୁଣିପାରିଲି ।

 

ସେତେବେଳକୁ ମୁଁ କିଛି କିଛି କଥା ବୁଝିପାରିଥିଲି । ମୁଁ କୋଉଠି ଆସି ପହଞ୍ଚିଛି ଏବଂ ମୋର କାମ କଅଣ ତାହା ମଧ୍ୟ ଠଉରାଇ ନେଇଥିଲି । ମୁଁ ଜାଣିପାରୁଥିଲି, କ୍ରମେ ମୁଁ ମଧ୍ୟ ଏହି ମଣିଷଟି ପରି ଆଉ ଗୋଟେ ଭୟଙ୍କର ମଣିଷ ପାଲଟିଯିବି । ସେକଥା ହେବା ଆଗରୁ ମୋର ଏଠୁ ପଳେଇଯିବା ଦରକାର । ମାତ୍ର କୁଆଡ଼େ ଯିବି ? କେମିତି ଯିବି ? କେତେବେଳେ ? ଏବେ, ଏଇ ମୁହୂର୍ତ୍ତରେ ? ଆରବ ମୁନିବ ତାଙ୍କ ତମ୍ବୁ ଭିତରେ ଶୋଇଥିବେ । ଏ ଲୋକଟି ତ ଖଣ୍ଡିଏ କାଠଗଡ଼ ପରି ପଡ଼ିଛି । ମୋତେ କେହି ଦେଖିପାରିବେ ନାହିଁ । ତେବେ ମୁଁ ଯଦି ଦଉଡ଼େ... କେତେବାଟ ଦଉଡ଼ି ଯାଇପାରିବି ? କୋଉ ଦିଗରେ ଦଉଡ଼ିବି ? କେଉଁଠିକି ଯିବି ? ମୁଁ ତ ଏଠିକା କଥା କିଛି ଜାଣେ ନାହିଁ । ଏୟାରପୋର୍ଟରୁ ଏଠିକି ଗାଡ଼ିରେ ଆସିବାଲାଗି ଯେତିକି ସମୟ ଲାଗିଥିଲା ସେକଥା ଚିନ୍ତା କଲାବେଳକୁ ମୋର ଭୟ ଅଧିକ ବଢ଼ିଯାଉଥିଲା । ସିଏ ତ ଗୁଡ଼ାଏ ବାଟ ! ଏତେଗୁଡ଼ାଏ ବାଟ କଅଣ ମୁଁ ମୋର କ୍ଳାନ୍ତ ଶରୀର ନେଇ ଧାଇଁ ପାରିବି ? ନା, ତାହା ସମ୍ଭବ ନୁହେଁ ।

 

ରାତି ବଢ଼ିଚାଲିଥିଲା । ଖୋଲା ଜାଗାର ପବନ ମୋତେ ଥଣ୍ଡା ଲାଗୁଥିଲା । ଏ ଥଣ୍ଡା ମୋ ରାଜ୍ୟର ଥଣ୍ଡାଠାରୁ ଅଲଗା । ମାଘମାସର ଜାଡ଼ଠାରୁ ସୁଦ୍ଧା ଅଧିକ ଥଣ୍ଡା ଲାଗୁଥିଲା ଏହି ମରୁଭୂମିର ଥଣ୍ଡା ପବନ । ଭୋକଶୋଷଠାରୁ ଦୀର୍ଘ ଯାତ୍ରାର କ୍ଳାନ୍ତି ମୋତେ ଅଧିକ ଅବସନ୍ନ କରିଦେଇଥିଲା । ଘରେ ଥିଲାବେଳେ ରାତି ନଅଟା ବାଜିବାକ୍ଷଣି ମୁଁ ଖାଇଦେଇ ବିଛଣାରେ ଶୋଇଯାଏ । ମାତ୍ର ଏଠି ଏ ପଡ଼ିଆରେ କୋଉଠି ଶୋଇବି ? ମୋ ଗୋଡ଼ ଯୋଡ଼ିକ ଠିଆ ହେଇ ହେଇ ଛିଡ଼ିପଡ଼ିବା ପରି ଲାଗୁଥିଲେ । ମୁଁ ସେଇ ଭୟଙ୍କର ଦିଶୁଥିବା ବୁଢ଼ାର ଖଟ ପାଖରେ ମୋ ବ୍ୟାଗ୍‌ଖଣ୍ଡିକ ରଖିଦେଇ ତଳେ ବସିପଡ଼ିଲି । ତା’ ଭିତରେ ମୋ ମା’ ଏବଂ ସାଇନୁ ରଖିଥିବା ଆଚାର କଥା ମୋର ଆଉ ମନେ ପଡ଼ୁ ନ ଥିଲା ।

 

କିଛି ସମୟ ପରେ ପୁଣି ଭୋକ ଓ ଶୋଷରେ ମୁଁ ଅସ୍ତବ୍ୟସ୍ତ ହେବାରେ ଲାଗିଲି । ଏଣେତେଣେ ବିକଳରେ ଚାହିଁଲି । ଟିକିଏ ଦୂରରେ ଗୋଟେ ପାଣି କୁଣ୍ଡ ଓ ପାଣି ଟ୍ୟାପ୍‌ପରି ମୋତେ କିଛି ଦିଶିଲା । ମୁଁ ସେଠିକି ଯାଇ ପାଇପ୍‌ର ଟ୍ୟାପ୍‌ଖୋଲିଲି । ଭୁସ୍‌ଭୁସ୍‌ହୋଇ ଥଣ୍ଡାପାଣି ବାହାରି ଆସିଲା । ଓଃ, କି ଥଣ୍ଡା ପାଣି ! ମୁଁ ଆତୁର ହେଇ ସେଇ ଥଣ୍ଡା ପାଣିରୁ ଆଞ୍ଜୁଳା ଆଞ୍ଜୁଳା କରି ପିଇବାରେ ଲାଗିଲି । ମୋ ମନ ଶାନ୍ତ ହେଲାଯାଏ ମୁଁ ପାଣିପିଇଲି । କିଛି ସମୟ ରହି ମୁଁ ପୁଣି ପାଣି ପିଇଲି । ସତେ କି ମୁଁ ଆସନ୍ତାକାଲି ଓ ତା’ ପରିଦିନ ଲାଗି ଆଗତୁରା ପାଣି ପିଇଯିବାକୁ ଚାହୁଁଥିଲି । ମୋତେ ଲାଗୁଥିଲା କାଲିକି ହୁଏତ ମୋତେ ପିଇବାଲାଗି ପାଣି ମୁନ୍ଦାଏ ମିଳି ନ ପାରେ-। ଏବେ ମୋତେ ବଡ଼ ଆଶ୍ୱସ୍ତ ଲାଗୁଥିଲା । ଓଃ, କି ଶାନ୍ତି ! ସେଇ ପାଣିକୁଣ୍ଡ ପାଖରେ ମୁଁ କିଛି ସମୟ ବସିରହିଲି । ତା’ପରେ ଟିକିଏ ସାଷ୍ଟମ ହେଇ ମୁଁ ବୁଢ଼ା ପାଖକୁ ଗଲି । ଆଗପଛ କିଛି ନ ଭାବି ତା’ ଖଟିଆ ତଳ ବାଲି ଉପରେ ମୁଁ ଚଉକାତ ମେଲେଇ ଶୋଇପଡ଼ିଲି । ବ୍ୟାଗ୍‌ଟାକୁ ମୁଣ୍ଡତଳେ ତକିଆ ପରି ରଖିଥାଏ ।

 

ମୋତେ ମୋ ନିଜର ଅବସ୍ଥା ଦେଖି ହସ ମାଡୁଥାଏ । ଏଠିକି ଆସିବି ବୋଲି ଭାବିବା ଦିନୁ ମୁଁ କେତେ କେତେ ସ୍ୱପ୍ନ ଦେଖିଥିଲି । ଏସି କାର୍‌, ଏୟାର୍‌କଣ୍ଡିସନ୍‌ଡ ରୁମ୍‌, ନରମ ଗଦି, ସାମ୍ନାରେ ଥିବ ଟି.ଭି. ସେଟ୍‌ । ମୁଁ ସତରେ ହସୁଥିଲି । ଏହାଛଡ଼ା ସେତେବେଳେ ମୁଁ ଆଉ କଅଣ ବା କରିପାରିଥାଆନ୍ତି ! ମୋ ସ୍ୱପ୍ନଠାରୁ ପ୍ରକୃତ ବାସ୍ତବତା ଯେ କେତେ ଯୋଜନ ଦୂରବର୍ତ୍ତୀ ସେକଥା ମୋ ଛଡ଼ା କେହି କଳ୍ପନା କରିପାରି ନ ଥାନ୍ତେ । ଉପସାଗରୀୟ ବିଦେଶ ଭୂଇଁରେ ଏଇଥିଲା ମୋର ପ୍ରଥମ ରାତି ।

 

ଶହ ଶହ ଛେଳିଙ୍କର ଧସ୍ତାଧସ୍ତି ଶବ୍ଦ ଓ ମେଁ ମେଁ ରଡ଼ିରେ ମୋ ନିଦ ଭାଙ୍ଗିଗଲା । ସେପର୍ଯ୍ୟନ୍ତ ଆକାଶରେ ସୂର୍ଯ୍ୟ ଉଦୟ ହୋଇ ନ ଥିଲେ ସୁଦ୍ଧା ଚାରିଆଡ଼େ ପ୍ରଭାତର ଆଲୁଅ ବିଛେଇ ହୋଇ ପଡ଼ିଥିଲା । ମୁଁ ଧୀରେ ଆଖିମଳି ଉଠିଲି । ବାଲି ଉପରଟାରେ ଶୋଇଥିବା ଯୋଗୁଁ ମୋ ପିଠି ଦରଜ ଲାଗୁଥିଲା । ନିଦ ବାଉଳାରେ ମୁଁ ବ୍ୟାଗ୍‌ଭିତରୁ ବିଛଣା ଚଦରଟିଏ କାଢ଼ି ଘୋଡ଼େଇ ହେବାକୁ ଚେଷ୍ଟା କରିଥିଲି, ସେଖଣ୍ଡିକ ଲୋଚାକୋଚା ହେଇ ବାଲିରେ ଲୋଟୁଥିଲା । ଖଟିଆ ଉପରେ ଶୋଇଥିବା ସେହି ଭୟଙ୍କର ମୂର୍ତ୍ତିଟି ତା’ ଖଟରେ ଦିଶୁ ନ ଥିଲା । ମୁଁ ଭାବିଲି, ବୋଧହୁଏ ସେମିତି କେହି ଲୋକ ପ୍ରକୃତରେ ନ ଥିଲା । ସେଇଟା ଥିଲା ମୋର ଦୁଃସ୍ୱପ୍ନ ।

 

ମୁଁ ଖଟିଆ ଉପରେ ବସି ଚାରିଆଡ଼କୁ ଚାହିଁଲି । ଆଗରୁ ଯାହା ଅନୁମାନ କରିଥିଲି ତାହାଠାରୁ ଯଥେଷ୍ଟ ଅଧିକ ଛେଳି ଏଠି ଥିଲେ । ତାରବାଡ଼ ଦେଇ ଘେରାଯାଇଥିବା ଏହି ବିସ୍ତୀର୍ଣ୍ଣ ଛେଳିଖୁଆଡ଼ ଅନେକ ଛୋଟ ଛୋଟ ଖୁଆଡ଼ରେ ବିଭକ୍ତ ହୋଇଥିଲା । ପ୍ରତି ଖୁଆଡ଼ରେ ଶହ ଶହ ଛେଳି ଥିଲେ । ଛେଳି ଖୁଆଡ଼ର ତାରଜାଲି ସେପଟକୁ ମରୁଭୂମିର ବାଲିଭର୍ତ୍ତି ନିଛାଟିଆ ଚେହେରା ଦିଗ୍‌ବଳୟ ପର୍ଯ୍ୟନ୍ତ ଲମ୍ବିଥିଲା । ମଝିରେ କୋଉଠି ଗୋଟେ ଗଛର ଛାଇ ସୁଦ୍ଧା ଆଖିରେ ପଡ଼ୁ ନ ଥିଲା । ଆଉ ଗୋଟେ ପଟକୁ ବେଶ୍‌ଉଚ୍ଚା ଗୋଟେ ପାହାଡ଼ । ତାହାଛଡ଼ା ସବୁଆଡ଼େ ଖାଲି ବାଲିର କୁଦ, ବାଲି ଓ ବାଲି । ଗୋଟେ ଗୋଟେ ବାଲିକୁଦର ଉଚ୍ଚତା ଦି’ତିନି ମଣିଷ ହେବ । ସେଇ କୁଦଗୁଡ଼ିକ ଯୋଗୁଁ ସମତଳ ମରୁଭୂମି ଟିକେ ଉଚ୍ଚାନୀଚ୍ଚା ଦିଶୁଥିଲା ।

 

କିଛି ସମୟ ପରେ, ଗତକାଲିର ଦେଖାଚାହାଁ ଯେ ମୋର ଦୁଃସ୍ୱପ୍ନ ନ ଥିଲା ଏହି କଥାକୁ ସତେ କି ପ୍ରମାଣିତ କରିବାଲାଗି, ସେଇ କଙ୍କାଳସାର ଲୋକଟି ଆସିଲା । ବୋଧହୁଏ ସେ ଛେଳି ଗୋଠକୁ ଯାଇଥିଲା । ଦିନର ଆଲୁଅରେ ତାହାର ଚେହେରା ରାତିର ଚେହେରା ଅପେକ୍ଷା ଅଧିକ କୁତ୍ସିତ ଏବଂ ଅଧିକ ଭୟଙ୍କର ଦିଶୁଥିଲା । ତା’ ଦେହସାରା ବହଳ ପଟୁମାଟି ପରି ବାଲିର ପ୍ରଲେପ, ଦାଢ଼ି ଓ ଚୁଟିରୁ କଦର୍ଯ୍ୟ ଗନ୍ଧ ବାହାରୁଥାଏ । ଆଖି, ନାକ, ନିଶ - ସବୁଠି ବାଲି । ତା’ ହାତର ନଖଗୁଡ଼ିକ ବଢ଼ିବଢ଼ି ବାଙ୍କିଯାଇଥାଏ ଏବଂ ବଡ଼ ବିକୃତ ଦିଶୁଥାଏ । ତା’ ଚେହେରା ଦେଖି ଲାଗୁଥିଲା ସେ ପାଞ୍ଚବର୍ଷ ହେଲା ଗାଧୁଆପାଧୁଆ କରିନାହିଁ । ଆଉ ରହିଲା ତା’ ଲୁଗାପଟାର ଦଶା-। ସେଗୁଡ଼ା ତ ଶହେବର୍ଷ ହେଲା ପାଣି କି ସାବୁନ ଦେଖିଥିବା ପରି ମନେହେଉ ନ ଥିଲା । ହଁ, ଶହେବର୍ଷ !

 

ଗୋଟେ ଆଲୁମିନିୟମ୍‌ହାଣ୍ଡିରେ କିଛି କ୍ଷୀର ଧରି ମୋ ପାଖକୁ ଆସିଲା । ଆଉଗୋଟେ ପାତ୍ରରେ ସେଥିରୁ କିଛି ଢାଳିଲା ପରେ ଅବଶିଷ୍ଟ ସେ ମୋ ହାତକୁ ବଢ଼େଇଦେଲା । କ୍ଷୀର ପାତ୍ରଟି ଚୁଲିରୁ ଓହ୍ଲାଯାଇଥିବା ପରି ଗରମ ଲାଗୁଥିଲା । ସେ ମୋତେ ହିନ୍ଦୀରେ କିଛି କହିଲା । ମାତ୍ର ତାହା ମୁଁ ବୁଝିପାରିଲି ନାହିଁ । ଛେଳିର ପହ୍ନା ଯେ ଏତେ ଉଷୁମ କ୍ଷୀର ଦିଏ ତାହା ମୁଁ କଳ୍ପନା କରିପାରୁ ନ ଥିଲି । ଲୋକଟି ମୋତେ ପିଇବାକୁ କହୁଥିବ ଭାବି ମୁଁ କ୍ଷୀରତକ ପିଇଦେଲି । ଗଲାକାଲିର ଭୋକ ମୋତେ କଷ୍ଟ ଦେଉଥିଲା; ତେଣୁ ସବୁଯାକ କ୍ଷୀର ମୁଁ ଏକାଥରକେ ସାରିଦେଲି । ଏକଥା ଦେଖି ସେଇ ଭୟଙ୍କର ମୂର୍ତ୍ତିଟି ମୋ କାନ ଭିଡ଼ିଧରିଲା ଏବଂ କଅଣ ସବୁ ଗୁଣୁଗୁଣୁ ହେଇ କହିଲା । ମାତ୍ର କିଛି ସମୟ ପରେ ସେ ବୁଝିଗଲା ଯେ ମୁଁ ତା’ କଥା ଆଦୌ ଧରିପାରୁନାହିଁ । ଏଥର ସେ ଖାଲି ପାତ୍ରରେ ଆଉ କିଛି କ୍ଷୀର ଢାଳି ମୋତେ ତମ୍ବୁରେ ଥିବା ମୁନିବଙ୍କୁ ନେଇ ଦେବାଲାଗି ଇସାରାରେ ବତେଇଲା ।

 

ମୁଁ କ୍ଷୀର ହାଣ୍ଡି ଧରି ମୁନିବଙ୍କ ପାଖକୁ ଗଲି । ଖଟିଆ ଉପରେ ଶୋଇଥିବା ମୋର ଆରବୀ ମୁନିବଙ୍କ ବେଶପୋଷାକ ସେହି ଭୟଙ୍କର ଦିଶୁଥିବା ବୁଢ଼ାର ବେଶପୋଷାକଠାରୁ ବିଶେଷ ପରିଚ୍ଛନ୍ନ ଦିଶୁ ନ ଥିଲା । ତାଙ୍କ ବେଶପଟାରୁ ଭୀଷଣ ଗନ୍ଧ ବାହାରୁଥିଲା । ସମ୍ଭବତଃ ସେ କେବେ ଗାଧୁଆପାଧୁଆ କରନ୍ତି ନାହିଁ । ମୋତେ ଦେଖି ସେ ବିଛଣାରେ ଉଠିଲେ ଓ ହାଇ ମାରିଲେ । ତା’ପରେ ମୋ ହାତରୁ କ୍ଷୀର ହାଣ୍ଡିଟି ନେଇ ଏକାନିଃଶ୍ୱାସକେ କ୍ଷୀରତକ ପିଇଦେଲେ । ଏଇ ବଡ଼ ହାଣ୍ଡିଟିରେ ଥିବା କ୍ଷୀରର ପରିମାଣ ନିଶ୍ଚୟ ପାଞ୍ଚଲିଟର ହେଇଥିବ !

 

ମୋତେ ଖାଲି ହାଣ୍ଡିଟା ବଢ଼େଇଦେଇ ସେ ଆରବୀ ଭାଷାରେ କିଛି କହିଲେ । ଆଗଥର ପରି ଏଥର ମଧ୍ୟ ମୁଁ ତାଙ୍କ କଥା କିଛି ବୁଝିପାରିଲି ନାହିଁ । ସେ ମୋତେ ତାଙ୍କ କଥାତକ ବୁଝେଇବା ଲାଗି ଢେର୍‌ଚେଷ୍ଟା କଲେ; ମାତ୍ର ତାଙ୍କ କଥାର ଗୋଟେ ଶବ୍ଦ ସୁଦ୍ଧା ମୋ ମୁଣ୍ଡ ଭିତରେ ପଶିଲା ନାହିଁ । ହତାଶ ହେଇ ସେ ଭୂଇଁ ଉପରେ ତାଙ୍କ ଗୋଡ଼ କଚାଡ଼ିଲେ । ତାଙ୍କର ସେ ଗୋଡ଼କଚଡ଼ା ମୋ ଭିତରେ ଥିବା ଦୁଃଖକୁ ଲୁହ ରୂପରେ ବାହାରକୁ ଟାଣିଆଣିଲା । ମୁଁ ଜୋର୍‌ରେ କଇଁ କଇଁ ହେଇ କାନ୍ଦିଲି । ମୋର ସେ କାନ୍ଦଣା ଭିତରେ ମୋର ଦୁଃଖ, ଅସହାୟତା ଏବଂ ଭୋକଶୋଷ ସବୁ ମିଶିକି ଥିଲା । ମୁଁ ବଡ଼ପାଟିରେ କହୁଥିଲି, ‘ମୋତେ ଯିବାକୁ ଦିଅ’, ‘ମୁଁ ଏଠି ରହିପାରିବି ନାହିଁ’, ‘ମୁଁ ଏଇ କାମ କରିବା ଲାଗି ଆସି ନ ଥିଲି’ । ଯଦିଓ ମୁଁ ଜାଣିଥିଲି ଯେ ମୋ କଥାଗୁଡ଼ିକ ଏଇ ଆରବୀ ମୁନିବ ବୁଝିପାରୁ ନ ଥିବେ, ତଥାପି ମୁଁ ବଡ଼ପାଟିରେ ମୋ କଥା କହିଚାଲିଥିଲି । କାରଣ, ଏସବୁ କହିବା ଦରକାର ପଡ଼ୁଥିଲା । ମୋର ବିଶ୍ୱାସ ଥିଲା, ମୋ ଦୁଃଖ ଦେଖି ତାଙ୍କର ହୃଦୟ ନିଶ୍ଚୟ ଟିକେ ତରଳିବ । ମାତ୍ର ମୋର ଧାରଣା ଭୁଲ୍‌ଥିଲା । ସେ ଓଲଟି ରାଗିଯାଇ ମୋତେ ଧକ୍କା ମାରିଲେ ଓ ତମ୍ବୁ ବାହାରକୁ ଠେଲିଦେଲେ । ମୁଁ ସେଇପରି କାନ୍ଦିକାନ୍ଦି ଯାଇ ସେହି ଭୟଙ୍କର ମୂର୍ତ୍ତିଟିର ଖଟିଆ ଉପରେ ବସିଗଲି । ବୁଢ଼ାଲୋକଟି ଅନ୍ୟ ଗୋଟାଏ କାମରେ ବ୍ୟସ୍ତ ଥିଲା । ମୁଁ ମୋର କାନ୍ଦିଚାଲିଥିଲି ।

 

ମଝିରେ ମଝିରେ କଙ୍କାଳସାର ବୁଢ଼ାଲୋକଟି ଛେଳି ଗୋଠରୁ ବାହାରି ଆସୁଥିଲା ଏବଂ ମୋତେ ଦେଖି ପଦେ ଦି’ପଦ କଅଣ କହିଦେଇ ପୁଣି ତା’ କାମରେ ଚାଲିଯାଉଥିଲା । ସମ୍ଭବତଃ ସେ ମୋତେ ଏଠିକାର କାମ ବିଷୟରେ କିଛି ବୁଝେଇବାକୁ ଚାହୁଁଥିଲା । ହୁଏତ ସେ ମୋ ପ୍ରତି ସହାନୁଭୂତି ପ୍ରକଟ କରୁଥିଲା ଏବଂ ତାହା ମୋତେ କହିବାଲାଗି ଚାହୁଁଥିଲା । ମାତ୍ର ମୁଁ ତାହାର କୌଣସି କଥା ଆଦୌ ଶୁଣିବାକୁ ଚାହୁଁ ନ ଥିଲି । ସେ ମୋ ଅବସ୍ଥା ଦେଖି ଯେ ବିଚଳିତ ହୋଇପଡ଼ୁଥିଲା ତାହା ମୁଁ ତା’ କଥାର ସ୍ୱର ଏବଂ ମୁହଁର ଭାବଭଙ୍ଗୀରୁ ଜାଣିପାରୁଥିଲି ।

 

ଆସ୍ତେ ଆସ୍ତେ ଦିନର ଆଲୁଅ ବଢ଼ୁଥିଲା । ସକାଳର ନରମ ଖରା ଟାଣ ହୋଇ ଚାଲିଥିଲା । ବୁଢ଼ା ଯାଇ ଛେଳିଖୁଆଡ଼ ଗୁଡ଼ିକର ଫାଟକ ଖୋଲିଦେଲା । ଛେଳିମାନେ ବାହାରି ଖୋଲା ପଡ଼ିଆର ଚାରିଆଡ଼େ ଖେଳିଗଲେ । ବୁଢ଼ା ସେମାନଙ୍କୁ ଅଡ଼େଇ ଅଡ଼େଇ ବାଲିକୁଦଆଡ଼େ ନେଇଯାଉଥିଲା । ସକାଳୁ ତାହାର ଛେଳିଚରା କାମ ଆରମ୍ଭ ହେଇଯାଇଥିଲା । ଧୀରେ ଧୀରେ ଛେଳିଗୁଡ଼ିକ ଦୂରକୁ ଚାଲିଗଲେ । ପଛରେ ଏକାକୀ ମୁଁ ଖଟିଆ ଉପରେ ବସିରହିଥିଲି ।

Unknown

 

ସେତିକିବେଳେ, ପୂର୍ବଦିନ ପିକ୍‌ଅପ୍‌ଭ୍ୟାନ୍‌ରେ ଆମକୁ ଏଠିକି ଆଣିଥିବା ମୁନିବ ଆଉଗୋଟେ ଗାଡ଼ିରେ ଆସି ପହଞ୍ଚିଲେ । ଏ ଗାଡ଼ିଟା ଗତକାଲିର ଗାଡ଼ିଠାରୁ ଟିକେ ଭଲ ଦିଶୁଥିଲା-। ବେଶ୍‌ବଡ଼ଗାଡ଼ି, ଏଥିରେ ଗୋଟେ ବଡ଼ ପରିବାରର ସବୁ ସଦସ୍ୟ ଏକାଠି ଯାଇପାରିବେ । ଦେଖିଲି, ଗତକାଲିର ଗାଡ଼ିଟା ଟିକିଏ ଦୂରରେ ଛିଡ଼ା ହେଇଛି । ରାତିରେ ସେଇଟିକୁ ରଖିଦେଇ ମୁନିବ ତାଙ୍କର ଏଇ ବଡ଼ ଗାଡ଼ିରେ ଘରକୁ ଫେରିଥିବେ ।

 

ମୁଁ ମୋର ଏଇ ମୁନିବଙ୍କୁ ଦେଖି ଟିକିଏ ଆଶ୍ୱସ୍ତ ହେଲି । ତାଙ୍କ ପାଖକୁ ଦଉଡ଼ିଗଲି । ତାଙ୍କ ମୁହଁରେ ଗତକାଲି ରାତିର କ୍ରୋଧ କି ଅଭିଯୋଗର ଚିହ୍ନବର୍ଣ୍ଣ ନ ଥିଲା । ସେ ମୋଆଡ଼େ ନ ଚାହିଁ ଗାଡ଼ିର ଡିକିରୁ କିଛି ଜିନିଷ ବାହାର କଲେ ଓ ତାକୁ ନେଇ ତମ୍ବୁ ଭିତରକୁ ଗଲେ । ଲାଙ୍ଗୁଡ଼ ହଲଉଥିବା ପ୍ରଭୁଭକ୍ତ କୁକୁରଟିଏ ପରି ମୁଁ ବି ତାଙ୍କ ପଛେ ପଛେ ଭିତରକୁ ଗଲି । ଦୁଇ ଆରବୀ ମୁନିବ ପରସ୍ପରକୁ ଆଲିଙ୍ଗନ କଲେ ଏବଂ ତା’ପରେ କଅଣ ନିଜ ନିଜ ଭିତରେ କଥାବାର୍ତ୍ତା ହେଲେ-। ଏହି କଥାବାର୍ତ୍ତା ବେଳେ ସେମାନେ ମଝିରେ ମଝିରେ ମୋତେ ଚାହୁଁଥିଲେ । ମୁଁ ଅନୁମାନ କରୁଥିଲି ଯେ ସେମାନେ ମୋ ବିଷୟରେ କଥା ହେଉଛନ୍ତି । ଶେଷରେ, ଗତ ରାତିରେ ତମ୍ବୁରେ ଥିବା ମୁନିବ ଜିନିଷପତ୍ର ଧରି ବାହାରିଲେ ଏବଂ ଏଇ ମୁନିବଙ୍କୁ ସଲାମ୍‌ଜଣାଇ ଗାଡ଼ିରେ ବସି ଚାଲିଗଲେ ।

 

ଦଶ

 

ମୁଁ କାନ୍ଦି କାନ୍ଦି ତମ୍ବୁ ବାହାରେ ଅପେକ୍ଷା କରିଥାଏ । ମୋର ମୁନିବ ମୋ ପାଖକୁ ଆସିଲେ ଏବଂ ମୋତେ ସାନ୍ତ୍ୱନା ଦେବା ପାଇଁ ମୋ ପିଠି ଥାପୁଡ଼ାଇ କଅଣ ସବୁ କହିଲେ । ତାଙ୍କର ଏହି ବ୍ୟବହାର ମୋତେ ସାନ୍ତ୍ୱନା ଦେଇ ନ ପାରିଲେ ବି ମୋ ଦୁଃଖକୁ ଟିକିଏ ଲାଘବ କରିଥିଲା । ତା’ପରେ ସେ ତାଙ୍କ ତମ୍ବୁ ଭିତରକୁ ଫେରିଗଲେ, ଗୋଟେ ପୁଡ଼ିଆ ଖୋଲି ତା’ ଭିତରୁ କିଛି ଖାଦ୍ୟ ବାହାର କରି ମୋତେ ବଢ଼େଇଲେ । ମୋତେ ତାହା ରୁଟି ପରି ଦିଶୁଥିଲା । ସେ କହୁଥିଲେ, ‘ଖୁବୁସ୍‌’ । ତା’ ଅର୍ଥ ଏହାକୁ ଖୁବୁସ୍‌କହନ୍ତି । ଏଇ ଶବ୍ଦଟା ଆଗରୁ ମୁଁ ପାରସ୍ୟ ଉପସାଗରରୁ ଫେରିଥିବା ଲୋକଙ୍କଠାରୁ ଶୁଣିଥିଲି । ତେବେ ରୁଟିକୁ ଖୁବୁସ୍‌କହନ୍ତି ବୋଲି ଏବେ ଜାଣିଲି ।

 

ମୋ ମୁନିବ ମୋତେ ଖାଇବାଲାଗି ଇସାରା ଦେଲେ । ମୁଁ ସେ ପର୍ଯ୍ୟନ୍ତ ସକାଳର ନିତ୍ୟକର୍ମ ସାରି ନ ଥିଲି କିମ୍ବା ଦାନ୍ତ ଘଷି ନ ଥିଲି । ତାହାଛଡ଼ା ସକାଳ ଗାଧୁଆ ବି ସରି ନ ଥିଲା । ଆମଘରେ ମୁଁ ନ ଗାଧୋଇ କଫି ସୁଦ୍ଧା ପିଏ ନାହିଁ । ଆଗେ ଯାଇ ନଈରେ ବୁଡ଼ଟାଏ ଦେଇ ଆସିବା ପରେ ଯାହା କିଛି ଖିଆପିଆ । ବର୍ଷାଦିନେ ବି ସେଇଆ । ମାତ୍ର ଆଜି ଦାନ୍ତ ନ ଘଷି ମୁଁ କ୍ଷୀର ପିଇଥିଲି । ଦେଢ଼ଦିନର ଭୋକଶୋଷ ମୋ ଅଭ୍ୟାସକୁ ଭୁଲେଇ ଦେଇଥିଲା । ମୁଁ ତମ୍ବୁ ବାହାରେ ବସି ପରମ ଆଗ୍ରହରେ ଏଇ ଖୁବୁସ୍‌ଖାଇଚାଲିଲି, ଯଦିଓ ତା’ ସାଙ୍ଗରେ କିଛି ତରକାରିପତ୍ର କି ବୁଡ଼େଇ ଖାଇବାଲାଗି ଡାଲିଫାଲି ନ ଥିଲା । ମଣିଷର ଭୋକ ସବୁ ଅଭ୍ୟାସ ବଦଳେଇଦିଏ । ମୋତେ ଏହି ଖୁବୁସ୍‌ଏବେ ଏବେ ଚୁଲାରୁ ବାହାରିଥିବା ପାଉଁରୁଟି ପରି ଉଷୁମ ଓ ତାଜା ଲାଗୁଥିଲା । ପ୍ରତିଥର ମୁଁ ସେଥିରୁ କଳେ ପାଟିରେ ପୂରାଇ ତା’ ନାଆଁଟା ମନେରଖିବା ଲାଗି ମନେ ମନେ କହୁଥିଲି, ‘ଖୁବୁସ୍‌’, ‘ଖୁବୁସ୍‌’ । ସେଥିରୁ ଚାରିଟା ଖାଇସାରିବା ପରେ ‘ଖୁବୁସ୍‌’ ନାଆଁଟା ମୋ ମନରେ ରହିଗଲା ।

 

ଖୁବୁସ୍‌ଖାଇସାରିବା ପରେ ମୋ ମୁନିବ ଗିଲାସେ ପାଣିଆଣି ମୋତେ ପିଇବାକୁ ଦେଲେ । ମୁଁ ତାକୁ ଢକଢକ କରି ପିଇଦେଲି । ତାହାପରେ ସେ ମୋତେ ଆଉ ଗୋଟେ ଖୁବୁସ୍‌ଦେଲେ । ମାତ୍ର ମୁଁ ମନାକଲି । ମୋ ପେଟ ପୂରିଯାଇଥିଲା ଓ ମୋତେ ଶାନ୍ତି ଲାଗୁଥିଲା । ମୁନିବଙ୍କ ସ୍ନେହ ଦେଖି ମୋତେ ଭଲ ଲାଗିଲା ।

 

ସେତେବେଳକୁ ସେଇ ଭୟଙ୍କର ଦିଶୁଥିବା ବୁଢ଼ାଲୋକ ଜଣକ ଛେଳିଗୁଡ଼ିକୁ ଧରି ଫେରିଆସିଥାଏ । ସେ ଛେଳିଗୁଡ଼ାକୁ ଆଉ ଥରେ ଖୁଆଡ଼ ଭିତରେ ଭର୍ତ୍ତି କରିଦେଲା । ଖୁଆଡ଼ର ଗେଟ୍‌ବନ୍ଦ କରି ସେ ମୁନିବଙ୍କ ପାଖକୁ ଆସିଲା । ମୁନିବ ତାକୁ ପାଞ୍ଚ ଛଅଟି ଖୁବୁସ୍‌ଦେଲେ । ସେ ସେଗୁଡ଼ିକୁ ପାଣିରେ ବୁଡ଼େଇ ଖାଇଲା ଏବଂ ଗୋଟେ ମଗ୍‌ପାଣି ପିଇଲା । ତା’ପରେ ପଦୁଟେ ହେଲେ କିଛି କଥା ନ କହି ସେ ତା’ ବାଟରେ ଚାଲିଗଲା । ବୁଢ଼ାଲୋକଟି ବସି ଖାଉଥିବାବେଳେ ମୁଁ ତା’ ମୁହଁକୁ ଲକ୍ଷ୍ୟ କରୁଥିଲି । ତାହାର ସେ ମୁହଁ ଦୁଃଖ ଓ କଷ୍ଟ ସହି ସହି ପଥର ପରି କଠିନ ହୋଇଯାଇଥିଲା । ସେ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ନଷ୍ଟ ନ କରି ତା’ କାମ କରି ଚାଲିଥିଲା ।

 

ମୋ ମୁନିବ ତମ୍ବୁ ଭିତରକୁ ଯାଇ ମୋ ପାଇଁ ଗୋଟେ ଗଣ୍ଠିଲି ଆଣିଲେ । ଏଥିରେ ହଳେ ପୋଷାକ ଥିଲା । ଏ ପୋଷାକ ସାଉଦୀ ଆରବ ଲୋକେ ପିନ୍ଧୁଥିବା ପୋଷାକ । ଲମ୍ବା ଓ ଢିଲା ଧଳା ଜାମା । ଏଇଟା ପିନ୍ଧିଲେ କାନ୍ଧ ପାଖରୁ ଗୋଇଠି ପର୍ଯ୍ୟନ୍ତ ଲମ୍ବିରହେ । ଡ୍ରେସ୍‌ସାଙ୍ଗକୁ ହଳେ ଜୋତା ବି ସେ ଗଣ୍ଠିଲିରେ ଥିଲା । ତେବେ ସେ ଗଣ୍ଠିଲିଟା ଖୋଲୁ ଖୋଲୁ ତା’ ଗନ୍ଧରେ ମୋତେ ବାନ୍ତି ଆସିଗଲା । ଏ ପୋଷାକ ଏବଂ ଜୋତା ଉଭୟ ମଳିଛିଆ ଥିଲା । ମୋ ମୁନିବ ମୋ ପ୍ୟାଣ୍ଟ୍‌ସାର୍ଟରେ ହାତମାରି କହିଲେ- ସିଲାଦି, ସିଲାଦି... । ସେ ଯେତେବେଳେ ଏଇ କଥାଟାକୁ ବାରମ୍ବାର କହିଲେ ସେତେବେଳେ ମୁଁ ଜାଣିପାରିଲି ଯେ ସେ ମୋ ଜାମାପଟା ବାହାର କରି ନୂଆ ପୋଷାକ ପିନ୍ଧିବାକୁ କହୁଛନ୍ତି । ମୁଁ ବାଧ୍ୟହୋଇ ସେଇଆ କଲି, ମୋର ନୂଆ ଜୋତା ହଳକ କାଢ଼ି ତାଙ୍କର ସେ ପୁରୁଣା ମଳିଛିଆ ଜୋତା ପିନ୍ଧିଲି । ଏ ଜୋତାଟା ମୁଁ ବିଦେଶକୁ ଆସିବି ବୋଲି ଘରପାଖ ବଜାରରୁ କିଣିଥିଲି । ମୋତେ ଲାଗୁଥିଲା ଆଉଗୋଟେ କଙ୍କାଳସାର ଓ ଭୟଙ୍କର ମୂର୍ତ୍ତି ପାଲଟିବା ରାସ୍ତାରେ ଏସବୁ ମୋର ପ୍ରଥମ ପଦକ୍ଷେପ । ମୋର ଅନ୍ଧକାରମୟ ଭବିଷ୍ୟତ ମୋତେ ଜଳଜଳ ହୋଇ ଦିଶୁଥିବା ସତ୍ତ୍ୱେ ମୁଁ ମୋ ମୁନିବଙ୍କ କଥା ମାନିଚାଲିଥିଲି । ତାହାର କାରଣ କିଛି ସମୟ ତଳେ ସେ ମୋତେ ଖୁବୁସ୍‌ଦେଇ ମୋ ଜୀବନ ରଖିଥିଲେ ।

 

ସେଇ ବୁଢ଼ାଲୋକଆଡ଼େ ଆଙ୍ଗୁଳି ଇସାରା କରି ମୋର ମୁନିବ ମୋତେ କିଛି କହିଲେ-। ମାତ୍ର ମୁଁ ତାଙ୍କ କଥା ବୁଝିପାରିଲି ନାହିଁ । ଗୋଟିଏ ଶବ୍ଦ ସେ ବାରମ୍ବାର କହୁଥିଲେ- ମସାରା । ମୁଁ ଭାବିଲି ‘ମସାରା’ ମାନେ ବୋଧହୁଏ ପାଣି । ତେଣୁ ପାଖରେ ଥୁଆ ହେଇଥିବା ଗୋଟେ ବାଲ୍‌ଟି ଧରି ସେଇ ବୁଢ଼ା ପଛେ ପଛେ ଗଲି । ବଡ଼ କୁଣ୍ଡରେ ପାଣି ଥିଲା । ବାଲ୍‌ଟିରେ ସେଥିରୁ ପାଣି ବାହାର କରିନେଇ ଛେଳି ଖୁଆଡ଼ ଭିତରେ ଥିବା ଆଉଗୋଟେ ଜାଗାରେ ସେତକ ଅଜାଡ଼ିଲି । ସେଇ ଜାଗାଟା ପ୍ରକୃତରେ ଗୋଟେ ସିମେଣ୍ଟ କୁଣ୍ଡ, ଯାହାର ଲମ୍ବ ଦଶହାତ, ଓସାର ତିନିହାତ ଏବଂ ଉଚ୍ଚତା ହାତେ ପାଖାପାଖି ହେବ ।

 

ତାରବାଡ଼ ଘେରା ବିରାଟ ଛେଳି ଖୁଆଡ଼ ଭିତରେ ପ୍ରାୟ କୋଡ଼ିଏ ପଚିଶଟା ଅଲଗା ଅଲଗା ଘେରି ଥିଲା । ପ୍ରତ୍ୟେକ ଘେରିରେ ପଚାଶରୁ ଶହେ ଛେଳି ଥିଲେ । ସବୁ ଘେରିରେ ପାଣି, ଗହମ, ଘାସ ଏବଂ ନଡ଼ା ପାଇଁ ଅଲଗା ଅଲଗା କୁଣ୍ଡମାନ ତିଆରି କରାଯାଇଥିଲା ଓ ନିର୍ଦ୍ଦିଷ୍ଟ କୁଣ୍ଡରେ ସେସବୁ ଜିନିଷ ରଖାଯାଇଥିଲା । ଛେଳିମାନେ ତାଙ୍କ ଦରକାର ମୁତାବକ ଘାସ, ଗହମ ଖାଉଥିଲେ ଓ ପାଣି ପିଉଥିଲେ ।

 

ପ୍ରଥମ ଘେରିରେ ଥିବା କୁଣ୍ଡରେ ପାଣି ଭର୍ତ୍ତି ହେଲାପରେ, ବୁଢ଼ାଲୋକଟି ଦ୍ୱିତୀୟ ଘେରିର କବାଟ ଖୋଲିଦେଲା । ଡିଆଁକୁଦା ମାରି ଛେଳିଗୁଡ଼ାକ ବାହାରକୁ ବାହାରିଆସିଲେ । ବୁଢ଼ା ସେହି ଛେଳିଗୁଡ଼ାକ ପଛେ ପଛେ ଯାଉଥିଲାବେଳେ ମୋ ଆଡ଼କୁ ଚାହିଁ ହିନ୍ଦୀ କି ଆରବୀ ଭାଷାରେ କଅଣ କହୁଥିଲା । ମୁଁ ସେଥିରୁ ଗୋଟିଏ ଶବ୍ଦ ଧରିପାରିଲି - ମାୟିନ୍‌ ।

 

ମାୟିନ୍‌ ? ତାହାର ଅର୍ଥ କ’ଣ ? ବାଲ୍‌ଟି ନା ପାଣି ? ମାୟିନ୍‌ମାନେ ଯଦି ପାଣି ତାହାହେଲେ ମୁନିବ କହିଥିବା ‘ମସାରା’ର ଅର୍ଥ ପୁଣି କଅଣ ? କିଏ ଜାଣେ ? ଯାହାହେଉନା କାହିଁକି, ମୋତେ ଏ ପାଣି କୁଣ୍ଡଗୁଡ଼ାକୁ ଭର୍ତ୍ତି କରିବାକୁ ପଡ଼ିବ । ତେଣୁ ମୁଁ ସେଇଆ କରିଚାଲିଲି । ବୁଢ଼ା ଛେଳିଗୁଡ଼ାଙ୍କୁ ନେଇ ଫେରିବାବେଳକୁ ମୁଁ ସେଇ ଘେରିର କୁଣ୍ଡ ଭର୍ତ୍ତି କରିସାରିଥିଲି ।

 

ସେଇ ଏକା ଢଙ୍ଗରେ ମୁଁ ତୃତୀୟ ଏବଂ ଚତୁର୍ଥ ଘେରିର ବଡ଼ ବଡ଼ କୁଣ୍ଡଗୁଡ଼ିକୁ ପାଣିରେ ଭର୍ତ୍ତି କଲି । ଏ କାମ ସହଜ ନ ଥିଲା । ବାଲ୍‌ଟିରେ ପାଣି ବୋହି ବୋହି ମୋ ଅଣ୍ଟା ଦରଜ ଲାଗିଲା-। ତାହାଛଡ଼ା ଏହା ଭିତରେ ଦ୍ୱି’ପ୍ରହର ଖରା ଅତ୍ୟନ୍ତ ଅସହ୍ୟ ହୋଇପଡ଼ିଥିଲା, ଯହିଁରେ ଦେହହାତ ଜଳିଗଲା ପରି ଲାଗୁଥିଲା । ମୋତେ ଭୀଷଣ ଶୋଷ ଲାଗୁଥିଲା ।

 

ଆଉଗୋଟେ ଘେରିରୁ ଛେଳିନେଇ ବାହାରିଲାବେଳକୁ ମୁନିବ ତାଙ୍କ ତମ୍ବୁରୁ ବାହାରିଆସି ପହଞ୍ଚିଗଲେ । ସେ ଆରବୀ ଭାଷାରେ ବୁଢ଼ାକୁ କଅଣ କହିଲେ । ବୁଢ଼ା ତାଙ୍କ କଥା ବୁଝିଲା ପରି ମୁଣ୍ଡ ହଲେଇଲା । ତା’ପରେ ମୁନିବ ଗୋଟେ ଲମ୍ବା ବାଡ଼ି ମୋ ହାତକୁ ବଢ଼େଇଦେଲେ । ମୁଁ ମୋ ଦୁଇହାତ ବଢ଼େଇ ବାଡ଼ିଟିକୁ ଗ୍ରହଣ କଲି । ମୋତେ ଲାଗୁଥିଲା ମୋର ଛେଳିଚରାଳି ଜୀବନର ଇଏ ଅବା ଥିଲା ଦୀକ୍ଷାଗ୍ରହଣ ପର୍ବ ।

 

ବୁଢ଼ା ଓ ମୁଁ ଦି’ଜଣ ମିଶି ଛେଳି ଚରାଇବାକୁ ଗଲୁ । କିଛି ବାଟ ଗଲାପରେ ମୁନିବ ତାଳିମାରିଲେ ଏବଂ ମୋତେ ଡାକ ପକେଇଲେ । ମୁଁ ତମ୍ବୁ ପାଖକୁ ଫେରିଲି । ଏଥର ମୋ ମୁନିବ ମୋ ହାତରେ କଅଣ ଗୋଟେ ଥୋଇଲେ । ମୁଁ ତାକୁ ଏପଟସେପଟ କରି ବୁଝିପାରିଲି ଯେ ଏଇଟା ଗୋଟେ ବାଇନୋକୁଲାର୍‌ । ଏଥିରେ ଅନେଇଲେ ଦୂର ଜିନିଷ ପାଖରେ ଦେଖାଯାଏ । ତେବେ ମୁନିବ ମୋତେ ବାଇନୋକୁଲାର୍‌ଦେଖେଇବାର ଅର୍ଥ ମୁଁ କିଛି ବୁଝିପାରୁ ନ ଥିଲି । ଭାବିଲି, ଛେଳିମାନଙ୍କ ଉପରେ ନଜର ରଖିବାଲାଗି ବୋଧହୁଏ ମୋତେ ସେ ଏଇଟା ଦେଉଛନ୍ତି । ତାକୁ ଧରି ମୁଁ ଯିବାକୁ ବସିଛି, ମୁନିବ ବଡ଼ପାଟିରେ କହିଲେ, ‘ସଫ୍‌’, ‘ସଫ୍‌’ । ତା’ପରେ ସେ ମୋତେ ବାଇନୋକୁଲାର୍‌ଆଖିରେ ଦେଇ ଦେଖିବାକୁ କହିଲେ । ମୋତେ ବଡ଼ କୌତୁକ ଲାଗୁଥାଏ । ମୋ ଜୀବନରେ ମୁଁ ପ୍ରଥମଥର ଲାଗି ବାଇନୋକୁଲାର୍‌ମୋ ହାତରେ ଧରିଥାଏ । ମୁଁ ତାହାକୁ ଆଖିରେ ଲଗେଇ ଯୋଡ଼ାକଯାକ ଲେନ୍‌ସ୍‌ରେ ଅନେଇଲି- ବାଃ, କେତେ ଦୂରର ଜିନିଷ ଏଥିରେ ସ୍ପଷ୍ଟ ଦିଶୁଛି-। ଗୋଟିଏ କିଲୋମିଟର ଦୂରରେ ଚାଲୁଥିବା ଛେଳି ହାତପାଆନ୍ତାରେ ଚରୁଥିବା ପରି ଲାଗୁଥାଏ । କେବଳ ତ ସେତିକି ନୁହେଁ, ଛେଳିଙ୍କ ପିଠିର ଚିହ୍ନ ବି ଏଥିରେ ଦିଶୁଥାଏ । ମୁଁ ବାଇନୋକୁଲାର୍‌ଆଖିରେ ଲଗେଇ ଚାରିଆଡ଼କୁ ଘେରାଏ ଚାହିଁଲି । ମୋତେ ଖୁସି ଲାଗୁଥିଲା । ସଫ୍‌ମୁନିବ କହିଲେ । ମୁଁ ମୁଣ୍ଡ ହଲେଇଲି । ତା’ପରେ ସେ ମୋ ହାତରୁ ବାଇନୋକୁଲାର୍‌ଛଡ଼େଇ ନେଇ ତମ୍ବୁ ଭିତରକୁ ପଶିଗଲେ ।

 

ଏହାପରେ ସେ ତାଙ୍କ ତକିଆତଳୁ ଗୋଟେ ଡବଲ୍‌ବ୍ୟାରେଲ୍‌ବନ୍ଧୁକ ବାହାର କରିଆଣିଲେ । ତମ୍ବୁ ବାହାରକୁ ଆସି ଆକାଶକୁ ଅନେଇ କଅଣ ଖୋଜିହେଲେ । ଖୁବ୍‌ଉଚ୍ଚରେ ଚଢ଼େଇଟିଏ ଉଡ଼ୁଥିଲା । ମୁନିବ ବନ୍ଧୁକ ଉଠେଇଲେ ଓ ଚଢ଼େଇକୁ ଲକ୍ଷ୍ୟକରି ଗୁଳି ଫୁଟେଇଲେ- ଢୋ । ଗୁଳିଟା ଚଢ଼େଇ ଦେହରେ ବାଜିଥିଲା ଏବଂ ଚଢ଼େଇଟି ତଳେ ଖସି ପଡ଼ିଥିଲା । ମୁନିବ ମୋ ଆଡ଼କୁ ଚାହିଁ ଗୋଟେ କୁଟୀଳ ହସ ହସିଲେ । ତାଙ୍କର ସେ ଚେହେରା ଦେଖି ମୁଁ ଖୁବ୍‌ଭୟ ପାଇଗଲି ।

 

‘ସଫ୍‌’ - ମୁନିବ ପୁନରାବୃତ୍ତି କଲେ ।

ମୁଁ ମୁଣ୍ଡ ହଲେଇ ‘ହଁ’ କଲି ।

 

‘ୟେଲ୍ଲା, ରୋହ’ କହି ମୁନିବ ମୋତେ ଛେଳିଙ୍କ ପଛେ ପଛେ ଯିବାଲାଗି ଠେଲିଦେଲେ-

 

ସେଇ ମୁହୂର୍ତ୍ତରେ ମୁଁ ଜାଣିଗଲି ଯେ ଏଣିକି ମୋ ଜୀବନ ଏଇ ଛେଳିମାନଙ୍କ ଜୀବନ ସହ ବନ୍ଧା ହେଇଗଲା । ଏଥିରୁ ମୁକୁଳିବାର ଆଉ ଉପାୟ ନାହିଁ । ମୁକୁଳିବାକୁ ମନକଲେ, ଆକାଶରେ ଉଡ଼ୁଥିବା ଚଢ଼େଇର ଦଶା ମୋତେ ଭୋଗିବାକୁ ହେବ । ଚଢ଼େଇ ଯଦି ଥିଲା ମୋ ମୁକ୍ତିର ସ୍ୱପ୍ନ, ଛେଳି ଥିଲା ମୋର ବାସ୍ତବ ସ୍ଥିତି ।

 

ଏଗାର

 

ଏଠୁ ଖସି ପଳେଇଯିବାର ଯେଉଁ ଚିନ୍ତାଟି ଗତକାଲି ମୋ ମୁଣ୍ଡକୁ ଜୁଟିଥିଲା ସେଇଟିକୁ ଚିରବିଦାୟ ଜଣାଇ ମୁଁ ମରୁଭୂମି ଭିତରକୁ ପାଦ ବଢ଼େଇଲି । ଏବେ ଅଦ୍ଭୁତ ପ୍ରକାରର ଗୋଟେ ଶୂନ୍ୟତା ମୋର ସମଗ୍ର ଅସ୍ତିତ୍ୱକୁ ପୂର୍ଣ୍ଣ କରିଥିଲା ।

 

ଭୟଙ୍କର ଚେହେରାର ସେହି ବୁଢ଼ାଲୋକଟି ମୋଠାରୁ ଅନେକ ଆଗରେ ଥିଲା । ମୁଁ ମୋ ଆଖି ସାମ୍ନାର ମରୁଭୂମିକୁ ଚାହିଁ ତାହାର ଚେହେରା ଦେଖୁଥିଲି । ସିନେମାରେ ମରୁଭୂମି ଦେଖିଥିବା ଲୋକମାନଙ୍କ ବର୍ଣ୍ଣନାରୁ ଏହା ବାବଦରେ ଯାହା କିଛି ଶୁଣିଥିଲି, ପ୍ରକୃତ ମରୁଭୂମି ତାହାଠାରୁ ଢେର୍‌ଅଲଗା ଥିଲା । ମରୁଭୂମି ଶବ୍ଦ ଶୁଣିଲେ ଆମ ମନରେ ଲହଡ଼ି ଭାଙ୍ଗୁଥିବା ବିସ୍ତୀର୍ଣ୍ଣ ବାଲୁକାମୟ ପ୍ରାନ୍ତରର ଚିତ୍ର ଆସେ । ମାତ୍ର ଏଠି ମରୁଭୂମି ସେଭଳି ଦିଶୁ ନ ଥିଲା । ଚାରିଆଡ଼େ ଟାଣ ପଥର ଏବଂ ରୁକ୍ଷ ମାଟି । ଥରେ ମୁଁ ପୂର୍ବ କେରଳକୁ ଯାଇଥିବା ବେଳେ ଏଇପରିକା ଟାଣ ମାଟି ଓ ପଥର ଦେଖିଥିଲି । ତେବେ ସେଠିକା ଓ ଏଠିକା ମାଟି ଭିତରେ ଗୋଟେ ଫରକ ଅଛି । ସେଇଟା ପୁଣି ବେଶ୍‌ବଡ଼ ଫରକ । ତାହାହେଲା ସେଠିକା ପଥୁରିଆ ମାଟି ଉପରେ ଅଙ୍ଗୁରଲଟା ଲମ୍ବିଥିଲା । ମାତ୍ର ଏଠି ତ ସବୁଜିମାର ଚିହ୍ନବର୍ଣ୍ଣ ନାହିଁ । ଏ ମରୁଭୂମିଟା ସତରେ ଗୋଟେ ପୋଡ଼ାଭୂଇଁ, ନଷ୍ଟଭୂମି । ଏଥିରେ କିଛି କଅଁଳେଇବ ନାହିଁ କି କିଛି ଉଧେଇବ ନାହିଁ । ତାହାହେଲେ ଛେଳିଗୁଡ଼ିକୁ ବାହାରକୁ ଚରେଇ ନେବାର ଉଦ୍ଦେଶ୍ୟ କଅଣ ? ସେ ଏହି ବାଲି ପଥର ପଡ଼ିଆରେ କଅଣ ଖାଇବେ ? ଅଭ୍ୟାସବଶତଃ ଛେଳିଗୁଡ଼ାକ ମାଟି ଶୁଙ୍ଘିଶୁଙ୍ଘି ଓ ଘାସ ଖୋଜି ଖୋଜି ଚାଲିଥିଲେ । ମାତ୍ର ସେମାନଙ୍କୁ ଘାସ ମିଳୁ ନ ଥିଲା ।

 

କିଛି ସମୟ ପରେ ମୁଁ ବୁଢ଼ା ପାଖରେ ଯାଇ ପହଞ୍ଚିଗଲି । ବୁଢ଼ା ଗୋଟେ ବଡ଼ ପଥର ଉପରେ ବସିଥିଲା । ମୁଁ ଯାଇ ଆଉଗୋଟେ ସାନ ପଥର ଉପରେ ବସିଲି । ମୋର କିଛି କରିବାର ନ ଥାଏ ବା କଅଣ କରିବା ଉଚିତ ସେ ଚିନ୍ତା ମନକୁ ଜୁଟୁ ନ ଥାଏ । ତେବେ ବୁଢ଼ାକୁ ମୋର ବହୁତ କଥା ପଚାରିବାକୁ ମନ ହେଉଥାଏ । ମାତ୍ର କେମିତି ପଚାରିବି ? ଗୋଟିଏ ଭାଷା ସେ ବୁଝିପାରିବ ଓ ସେଇଟା ହେଲା- ଠାର । ମାତ୍ର ସିଏ ତ ମୋଆଡ଼କୁ ଅନଉନାହିଁ । ମୁଁ ଆଉ ଠାରରେ କଅଣ କହିବି ? ତା’ଆଡ଼େ ଅନେଇ ଦେଖିଲି ସେ କେଉଁଆଡ଼େ ଗୋଟେ ଅନେଇଛି । କୁଆଡ଼େ ? କଅଣ ଦେଖୁଛି ? ସେ ଉପର ଆକାଶଆଡ଼େ ଚାହୁଁନାହିଁ କି ତଳ ମାଟିକୁ ଅନଉ ନାହିଁ । ତାହାହେଲେ କୁଆଡ଼େ ଚାହିଁ କଅଣ ଦେଖୁଛି ? ମରୁଭୂମିର ଏଇ ଶେଷହୀନ ଶୂନ୍ୟତାକୁ ସେ ଦେଖୁଛି କି ? ମୁଁ ସେଇଆ ଭାବୁଥିଲି । କିଛି ସମୟ ପରେ ସେ ବସିବା ଜାଗାରୁ ଉଠିପଡ଼ିଲା ଏବଂ ଛେଳିଗୁଡ଼ାକୁ ଘଉଡ଼େଇ ଏକାଠି କରିବାକୁ ଲାଗିଲା । ଏ କାମଟା ଏତେ ସହଜ ନ ଥିଲା । ଗୋଟେକୁ ଏପଟକୁ ଅଡ଼େଇଲେ ଆଉ ଗୋଟେ ସେପଟକୁ ପଳଉଥିଲା । ପାଖାପାଖି ଶହେ ଛେଳି । ସେମାନଙ୍କୁ ଏକାଠି କରିବା କଷ୍ଟ କାମ । ବୁଢ଼ା ବାଡ଼ିଟିଏ ଧରି ଛେଳିଙ୍କୁ ଗୋଡ଼ଉଥିଲା । ସବୁଠୁ କଷ୍ଟର କଥା ଥିଲା ଯେ ଦୂରରେ ଥିବା ଗୋଟେ ଛେଳିକୁ ଅଡ଼େଇ ଅଡ଼େଇ ସେ ପାଖକୁ ଆଣିଲାବେଳକୁ ପାଖରେ ଥିବା ଛେଳି ଗୋଠରୁ ଗୋଟେ ଠିକ୍‌ଓଲଟା ଦିଗରେ ଧାଇଁ ଦୂରକୁ ପଳାଉଥିଲା । ବଡ଼ କଷ୍ଟରେ ସଭିଙ୍କୁ ଏକାଠି କଲାପରେ ସେମାନଙ୍କୁ ଅଡ଼େଇ ଅଡ଼େଇ ବୁଢ଼ା ଖୁଆଡ଼ ଆଡ଼କୁ ମୁହାଁଇଲା-। କିଛି ନ ଜାଣିଲା ପରି ମୁଁ ଖାଲି ତାକୁ ଅନେଇ ଦେଖୁଥାଏ ।

 

ଦିହେଁ ‘ମସାରା’ ପାଖରେ ପହଞ୍ଚିଲୁ । ସେ ମୋତେ କିଛି କହିବାକୁ ଚାହୁଁଥିଲା । ମାତ୍ର ମୁଁ ତା’ କଥା ବୁଝିପାରୁ ନ ଥିଲି । ତେବେ ଅନୁମାନ କଲି ଯେ ସେ କହୁଥିଲା, ‘ତୁ ଛେଳିଗୁଡ଼ାଙ୍କୁ ନେଇ ମସାରାକୁ ଚାଲ୍‌, ମୁଁ ଆସୁଛି ।’ ତା’ ଅର୍ଥ ‘ମସାରା’ ମାନେ ହେଲା ଛେଳିଖୁଆଡ଼ । ତାହାହେଲେ ‘ମାୟିନ୍‌’ ଅର୍ଥ ପାଣି ହେଇଥିବ । ଅନ୍ତତଃ ମୁଁ ଏହି ଦିଇଟା ଶବ୍ଦ ପ୍ରଥମେ ଶିଖିନିଏ ।

 

ମୁଁ ଛେଳିଗୁଡ଼ାଙ୍କୁ ନେଇ ଖୁଆଡ଼କୁ ଗଲି । ବୁଢ଼ା ଘାସ ନେଇ ଆସିଲା । ଦିହେଁ ସାଙ୍ଗହୋଇ ଘାସ ଏବଂ ନଡ଼ା ‘ମସାରା’କୁ ଆଣିଲୁ । ମୁଁ ‘ମସାରା’ କହିଲି କି ? ଦେଖନ୍ତୁ, କେତେଶୀଘ୍ର ମୁଁ ଆରବୀ ଭାଷା ଶିଖିବାକୁ ଆରମ୍ଭ କରିଦେଲି ।

 

ଆମେ ଏଥର ଆଉ ଗୋଟେ ମସାରାକୁ ଗଲୁ ଏବଂ ସେଠି ଥିବା ଛେଳିଗୁଡ଼ିକୁ ନେଇ ମରୁଭୂମିରେ ଚରେଇବାକୁ ବାହାରିଲୁ । ଏମିତି ଥରଥର କରି ତିନିଟା ମସାରାର ଛେଳିଙ୍କୁ ଚରେଇନେଇ ପୁଣି ଖୁଆଡ଼କୁ ଫେରାଇ ଆଣିବା ପରେ ମୁଁ ଏ କାରବାରର ରହସ୍ୟ ବୁଝିପାରିଲି । ଏ ଛେଳିଗୁଡ଼ିକୁ ଘାସ ଖାଇବାଲାଗି ବାହାରକୁ ନିଆଯାଉ ନ ଥିଲା । ବାହାରକୁ ନିଆଯିବାର ଅର୍ଥ ଏମାନେ କିଛି ଶାରୀରିକ ପରିଶ୍ରମ କରିବେ । ବାହାରକୁ ନ ଗଲେ ସେମାନେ ଗୋଟିଏ ଜାଗାରେ ରହି ରହି ଅଳସୁଆ ହେଇଯିବେ । ଦେହହାତ ହଲେଇବାର ସୁଯୋଗ ପାଇବେ ନାହିଁ । ଏହି ଆଳସ୍ୟରୁ ଦୂରେଇ ରଖିବାଲାଗି ଛେଳିଗୁଡ଼ାଙ୍କୁ ସକାଳୁ ସକାଳୁ ବୁଲେଇନେବା ପ୍ରୟୋଜନ ପଡ଼େ ।

 

ଏବେ ଖରା ଭୀଷଣ ଟାଣ ହୋଇଯାଇଥିଲା । ଏହା ଭିତରେ ଦଳ ଦଳ ହୋଇ ସବୁ ଛେଳି ସକାଳ ବୁଲାରେ ଯାଇ ଫେରିଆସିଥିଲେ । ସମସ୍ତେ ତାଙ୍କ ଖାଦ୍ୟ ଖାଇ ପାଣି ପିଇସାରିଥିଲେ । ଏତିକିବେଳେ ମୁଁ ଅସୁବିଧାରେ ପଡ଼ିଲି । କାରଣ ମୋତେ ଜୋର୍‌ରେ ପାଇଖାନା ମାଡ଼ିଲା । ସକାଳୁ ଉଠି ନିତ୍ୟକର୍ମ ସାରି ନ ଥିଲି । ଶେଷଥର ପାଇଁ ମୁଁ ବମ୍ବେ ଏୟାର୍‌ପୋର୍ଟରେ, ବିମାନରେ ଚଢ଼ିବା ଆଗରୁ ପାଇଖାନା ଯାଇଥିଲି । ଗଲାକାଲି ଦିନସାରା କିଛି ଖାଇ ନ ଥିବାରୁ ପାଇଖାନା ଯିବା ଦରକାର ପଡ଼ି ନ ଥିଲା । ମାତ୍ର ଆଜି ସକାଳୁ ଚାରିଟା ଖୁବୁସ୍‌ଖାଇଥିଲି, ଏବେ ଯାଏ କୁଆଡ଼େ ? ଏଥିପାଇଁ ଅବଶ୍ୟ ମୋର ପରଦା କି ଚାରିକାନ୍ଥ ଥିବା ପାଇଖାନା ଘର ଦରକାର ନ ଥିଲା । ଆମ ଗାଁରେ ଥିବାବେଳେ ମୁଁ ନଈକୂଳ ଘାସବୁଦା ପଛକୁ ଯାଇ ସେଇଠି କାମ ସାରିଦିଏ-। ତା’ପରେ ନଈକୁ ଯାଇ ଶୌଚ ହୋଇପଡ଼େ । ମାତ୍ର ଏଠି ସେଇ ସର୍ବନିମ୍ନ ଗୋପନୀୟତା ପାଇଁ ସୁଦ୍ଧା ସୁବିଧା ନାହିଁ । ଚାରିଆଡ଼ ଖୋଲାମେଲା । ଏଥିରେ ମଣିଷ କଅଣ କରିବ ? ସବୁ ମଣିଷ ଜାଣନ୍ତି ଯେ ସମସ୍ତଙ୍କୁ ପାଇଖାନା ମାଡ଼େ ଓ ସେମାନଙ୍କୁ ବହିର୍ଗମନ ଯିବାକୁ ପଡ଼େ । ମାତ୍ର ତାହା ବୋଲି ତ ଯେଉଁଠି ନାହିଁ ସେଇଠି ଜଣେ ଯାଇ ବସିପାରିବ ନାହିଁ । ମଣିଷ ପାଇଁ ଟିକିଏ ସୁବିଧା ଜାଗା ଦରକାର । ଏହି ବ୍ୟକ୍ତିଗତ କଥାଗୁଡ଼ା ଆପଣଙ୍କ ଆଗରେ କହିବାକୁ ମୋତେ ଲାଜ ମାଡୁଛି-। କିନ୍ତୁ ଏ କଥାଟି ଛାଡ଼ିଯିବି କାହିଁକି ? ୟାକୁ ବି କହିବି । ଆପଣ ଜାଣନ୍ତୁ ଯେ ଛୋଟିଆ ଛୋଟିଆ କଥା ମଧ୍ୟ ମଣିଷକୁ କି ପ୍ରକାର ସମସ୍ୟାରେ ନେଇ ଛିଡ଼ା କରାଏ, ଏଥିପାଇଁ କେତେ ଅସୁବିଧା ଭୋଗିବାକୁ ପଡ଼େ ତାକୁ । ମୋର ଏହି ବ୍ୟକ୍ତିଗତ ଦୁଃଖଦୁର୍ଦ୍ଦଶାର କଥା ଯଦି ଆପଣଙ୍କୁ କହି ନ ପାରିବି ତାହାହେଲେ ମୁଁ ମୋ କାହାଣୀ କହିବି ବା କାହିଁକି ?

 

ମୁଁ ପ୍ରଥମେ ପେଟ ଚାପି ରହିଯିବାକୁ ଚାହିଁଲି । ମାତ୍ର ସେଇଟା ତ ଏମିତି କଥା ନୁହେଁ ଯେ ଜଣେ ଚାପିକି ରହିଯିବ । ଯେମିତି ହେଲେ ତାକୁ ଖଲାସ କରିବାକୁ ପଡ଼ିବ । ଗୋଟାଏ ଗୋଟାଏ ମୁହୂର୍ତ୍ତ ମୋତେ ଗୋଟେ ଗୋଟେ ଯୁଗ ପରି ଲାଗୁଥିଲା । କରିବି କଅଣ ? ଶେଷରେ ମୁଁ ଗୋଟେ ଗୋଟେ ପାହୁଣ୍ଡ ପକେଇ, ପେଟ ଚାପି ମସାରାର ସେମୁଣ୍ଡକୁ ଚାଲିଗଲି । ଏବେ ମୋ ମୁନିବ ଏବଂ ମୋ ମଝିରେ ଛେଳିଗୋଠର ବ୍ୟବଧାନ ଥିଲା । ବୁଢ଼ା ମଧ୍ୟ ସେପଟେ ବସିଥିଲା । ଏତିକି ଗୋପନୀୟତା ଢେର୍‌ ! ଆଖିବୁଜି ମୁଁ ମୋ କାମ ସାରିଦେଲି ।

 

ଓଃ, ଏବେ କି ଉଶ୍ୱାସ ଲାଗୁଥିଲା । ସତରେ ପେଟସଫା ବହିର୍ଗମନ ଠାରୁ ଆଉ ଆରାମଦାୟକ କାମ କିଛି ନାହିଁ ।

 

ବିରାଡ଼ି ତାହାର ମଇଳାକୁ ଢାଙ୍କିବା ପରି ମୁଁ ମଧ୍ୟ ନିଜ ମଇଳାକୁ ବାଲିରେ ଢାଙ୍କିଦେଇ ଉଠିପଡ଼ିଲି । ଏବେ ମୋର ଶୌଚ ହେବା ଦରକାର । ସେଇଟା ମୋ ପାଇଁ ଅବଶ୍ୟ ସମସ୍ୟା ନ ଥିଲା । କାରଣ ମୋ ଆଗରେ ବିରାଟ କୁଣ୍ଡରେ ପାଣି ଭର୍ତ୍ତି ଥିଲା । ମୁଁ ଚାହିଁଲେ ବାଲ୍‌ଟିଏ ପାଣି ନେଇ ଧୋଇଧାଇ ହେଇପାରିବି । ମୁଁ ବାଲ୍‌ଟିରେ ପାଣି ଧରି ଘାସଗଦା ପଛକୁ ଗଲି ।

 

ଟୋପାଏ ପାଣି ମୁଁ ବ୍ୟବହାର କରିଛି କି ନାହିଁ ମୁଁ ମୋ ପିଠିରେ ଗୋଟେ ପାହାର ଅନୁଭବ କଲି । ଓଃ, ପିଠିଟା ଫାଟିଯିବ କି ! ଚଟାପଟ୍‌ଉଠିପଡ଼ି ପଛପଟକୁ ଅନେଇଲି । ମୋ ମୁନିବ ତାଙ୍କ ବେଲ୍‌ଟ ଧରି ଛିଡ଼ା ହେଇଥିଲେ । ତାଙ୍କ ଆଖି ଦିଇଟା ରଡ଼ନିଆଁ ପରି ଜଳୁଥିଲା । ମୁଁ ହଠାତ୍‌କିଛି ବୁଝିପାରିଲି ନାହିଁ । ମୋର ଦୋଷ କଅଣ ହେଲା ? ମୁଁ ତ ପାଇଖାନା ଯାଇସାରି ଶୌଚ ହେଉଥିଲି ।

 

ମୋର ଆରବୀ ମୁନିବ ମୋ ହାତରୁ ପାଣିବାଲ୍‌ଟି ଛଡ଼େଇ ନେଲେ ଏବଂ ମୋ ଉପରେ ଗରଗର ହେଲେ । ତା’ପରେ ତାଙ୍କ ବେଲ୍‌ଟରେ ପାହାର ପରେ ପାହାର ମୋ ପିଠି ଉପରେ କଷିଚାଲିଲେ । ମୁଁ ନିଜକୁ ବଞ୍ଚେଇବାଲାଗି ହାତ ଦେଖାଇଲେ ବି ସେ ଶୁଣିବା ଅବସ୍ଥାରେ ନ ଥିଲେ-। ଶେଷକୁ ମୁଁ ତଳେ ପଡ଼ିଗଲି । ମୁନିବ ପାଣି ବାଲ୍‌ଟିକୁ ନେଇ ତମ୍ବୁ ଭିତରକୁ ପଳେଇଗଲେ-

 

ନିର୍ମମ ବେଲ୍‌ଟ ପାହାର ଓ ଅପମାନଜନକ ଭର୍ତ୍ସନାରୁ ମୁଁ ଏତକ ବୁଝିଲି ଯେ ମରୁଭୂମିରେ ପାଣି ସବୁଠୁ ମୂଲ୍ୟବାନ ଜିନିଷ । ଏଠି ଯେଉଁ ପାଣି ଅଛି ତାହା ଛେଳିମାନଙ୍କ ପାଇଁ, ମୋର ସ୍ନାନଶୌଚ ପାଇଁ ନୁହେଁ । ମୁନିବ କହୁଥିଲେ, ‘ଆଉ ଥରେ ଯଦି ନିଜ କାମ ଲାଗି ପାଣିକୁ ଛୁଇଁଛୁ, ତାହାହେଲେ ପିଟିପିଟି ତୋତେ ମାରିଦେବି ।’ ଏବେ ଆପଣ ବୁଝିସାରିଥିବେ ଯେ ମୁଁ କାହିଁକି ଏସବୁ କହୁଥିଲି । ଏମିତି ଭାବରେ ମୋର ଏଠି ଶିକ୍ଷା ହେଲା ଯେ ପାଇଖାନା ଯିବା ପରେ ଶୌଚ ହେବା ପାଇଁ ପାଣି ବ୍ୟବହାର କରିବାର କୌଣସି ପ୍ରୟୋଜନ ନାହିଁ ।

ମୁଁ ତଳୁ ଉଠିଲି । ପିଠିଟାରେ ଭୀଷଣ କଷ୍ଟ ହେଉଥିଲା । ଜୀବନରେ ଏମିତିକା ପରିସ୍ଥିତି କେବେ ମୁଁ ଭୋଗି ନ ଥିଲି । ନଈକୂଳିଆ ଗାଁରେ ମୁଁ ଜନ୍ମ ହେଇଥିଲି । ମୋ ଜୀବନରେ ପାଣି ବିନା କିଛି ହିଁ ଘଟୁ ନ ଥିଲା । ସକାଳୁ ସଞ୍ଜଯାଏ ପାଣି ସହ ମୋର ସମ୍ପର୍କ । ପରିଷ୍କାର ପରିଚ୍ଛନ୍ନତା ଥିଲା ପୁଣି ମୋର ଅଭ୍ୟାସ । ମୋତେ ଅପରିଷ୍କାର ମଣିଷ କି ଲୁଗାପଟା ଭାରି ଖରାପ ଲାଗେ । ସାଇନୁ ଯଦି ଦିନରେ ଦି’ଥର ନ ଗାଧାଏ, ତାହାହେଲେ ମୁଁ ତା’ ଉପରେ ଚିଡ଼ିଯାଏ । ଆଉ ମୋ କଥା ? ମୁଁ ତ ସବୁବେଳେ ପାଣି ଭିତରେ ହିଁ ଥାଏ ! ମାତ୍ର ଆଜିର ଦିନ ଅଲଗା ଭାବରେ ଆରମ୍ଭ ହେଇଛି । ଗାଧୋଇବା ତ ଦୂରର କଥା ଶୌଚ ହେବାଲାଗି ସୁଦ୍ଧା ଏଠି ଟିକେ ପାଣି ମିଳିଲା ନାହିଁ । ମୋ ପାଇଁ ଏଇଟା ସବୁଠାରୁ ନିର୍ଦ୍ଦୟ ଉପଲବ୍ଧି ଥିଲା । ମୁଁ ଏମିତିକା ପରିସ୍ଥିତି କଥା ସ୍ୱପ୍ନରେ ସୁଦ୍ଧା କଳ୍ପନା କରିପାରି ନ ଥାନ୍ତି ।

ମୁଁ ସେଠୁ ଚାଲିଆସି ଖଟିଆ ପାଖରେ ବାଲି ଉପରେ ବସିପଡ଼ିଲି । ଭୟଙ୍କର ଚେହେରାର ବୁଢ଼ା ଖଟିଆ ଉପରେ ବସି ଖୁବୁସ୍‌ଖାଉଥିଲା । ମୋତେ ଦେଖି ମୋଆଡ଼କୁ ତିନିଖଣ୍ଡ ଖୁବୁସ୍‌ବଢ଼େଇ ଦେଲା । ସେଇ ଅବସ୍ଥାରେ କିଛି ଖାଇବା କଥା ମୁଁ ଚିନ୍ତା କରିପାରୁ ନ ଥିଲି, ତେଣୁ ମୁଁ ଖୁବୁସ୍‌ଛୁଇଁଲି ନାହିଁ । ସେତିକିବେଳେ ଟିକିଏ ଦୂରରେ ଗୋଟେ ଦୃଶ୍ୟ ମୋ ଆଖିରେ ପଡ଼ିଲା । ପ୍ରାୟ ପଚାଶ ପାଖାପାଖି ଓଟ ଧାଡ଼ିବାନ୍ଧି ଚାଲିଥିଲେ । ମୋତେ ଓଟମାନଙ୍କର ସେହି ଶୋଭାଯାତ୍ରା ବଢ଼ିଆ ଦିଶିଲା । ସବୁଠାରୁ ବଡ଼ ଓଟଟି ଆଗରେ ଚାଲୁଥିଲା ଓ ସବୁଠାରୁ ସାନଟି ପଛରେ ଚାଲୁଥିଲା । ତାଙ୍କୁ କେହି ବାଟ ଦେଖଉ ନ ଥିଲେ କି ଆଡ଼ଉ ନ ଥିଲେ । ସେମାନେ ମନକୁ ମନ ନିଜ ବାଟରେ ଚାଲୁଥିଲେ ।

ଓଟଗୁଡ଼ିକ ଆସି ଆମ ପାଖରେ ପହଞ୍ଚିବା ପରେ ମୁଁ ସେମାନଙ୍କୁ କୌତୂହଳର ସହ ଅନେଇଲି । ତାଙ୍କର ମୋଟା ଆଖିପତାରେ ମରୁଭୂମିରେ ବଞ୍ଚିବାର କଷ୍ଟ ଲେଖା ହୋଇଥିଲା । ନାକପୁଡ଼ା ଗୁଡ଼ାକ ମାଛର ଗାଲି ପରି ଖୋଲିଯାଉଥିଲା ଓ ବନ୍ଦ ହୋଇଯାଉଥିଲା । ସେହି ଓଟଗୁଡ଼ିକର ଲମ୍ବା ବେକ ଦେଖିବାକୁ ମୋତେ ଭଲ ଲାଗୁଥିଲା । ଘୋଡ଼ାପିଠି ପରି ସେମାନଙ୍କର ପିଠି, ପାଟିଗୁଡ଼ିକ ବେଶ୍‌ବଡ଼ ଏବଂ କାନଗୁଡ଼ିକ ଶିଙ୍ଗ ପରି ସିଧା । ସେମାନଙ୍କର ଚାହାଣି ଅଦ୍ଭୁତ ପ୍ରକାରର । ଏକଦମ୍‌ଅନାସକ୍ତ, କୌଣସି କଥା ପ୍ରତି ଅବା ଇଚ୍ଛା କି ଆଗ୍ରହ ନାହିଁ । ମୁଁ ଗୋଟେ ଓଟର ଆଖିକୁ କେଇ ସେକେଣ୍ଡ୍‌ପାଇଁ ଚାହିଁଲି । ସତେ କି ମୁଁ ସୂର୍ଯ୍ୟକୁ ଚାହୁଁଥିଲି, ଏଇପରି ମୋର ଅନୁଭବ ହେଲା । କି ତୀବ୍ର ଓଟଟିର ଦୃଷ୍ଟି ! ମୋର ମନେହେଲା ମରୁଭୂମି ଜୀବନର ଦୈର୍ଘ୍ୟ, ପ୍ରସ୍ଥ, ନିର୍ମମତା ଏବଂ ଆଦିମତା ସବୁଯାକ ଅବା ଓଟର ସେଇ ଦୃଷ୍ଟି ଭିତରେ ବନ୍ଦୀ ହୋଇରହିଥିଲା । ଜୀବନର ସବୁ ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣାକୁ ଓଟଟି ତାହାର ଦେହ ଭିତରେ ଧରି ରଖିଥିଲା । ଅସହାୟତା ଓ ଅନିବାର୍ଯ୍ୟତା, ସୀମାବଦ୍ଧତା ଓ ଅନ୍ତଃସାରଶୂନ୍ୟତା ତାହାର ସେଇ ସ୍ଥିର ଅବିଚଳ ଚାହାଣି ଭିତରେ ଛପି ରହିଥିଲା । ଓଟଗୁଡ଼ିକ ମୋ ଆଗ ଦେଇ ଆପେ ଆପେ ବାଟ ଚାଲୁଥିଲେ ଏବଂ ଆପେ ଆପେ ଯାଇ ସେମାନଙ୍କ ଖୁଆଡ଼ ଭିତରେ ପଶିଯାଉଥିଲେ ।

ସେଇଟା ଥିଲା ତାଙ୍କର ଓଟଖୁଆଡ଼ ବା ଓଟ ମସାରା ।

 

ବାର

 

ଓଟମାନଙ୍କୁ ପାଣି ଓ ଦାନା ଦେବା ନିମନ୍ତେ ମୋତେ ପଠାଗଲା । ମୁଁ ଓଟମାନଙ୍କ ମସାରାକୁ ଗଲି । ମୋତେ ଡରମାଡୁଥିଲା । ଓଟଗୁଡ଼ିକ ମୋତେ ମାରି ଗୋଡ଼େଇବେ ନାହିଁ ତ ? ଯଦି ମାରିବେ ତାହାହେଲେ କେମିତି ମାରିବେ ? ନାତ ମାରିବେ ? କାମୁଡ଼ିବେ ? ମୁଣ୍ଡରେ ଠେଲିଦେବେ ? ମୋର ଓଟମାନଙ୍କ ବ୍ୟବହାର ସମ୍ପର୍କରେ କୌଣସି ଧାରଣା ନ ଥିଲା । କିନ୍ତୁ ମୋତେ ତାଙ୍କ ଖୁଆଡ଼କୁ ଯାଇ ପାଣି ଓ ଦାନା ଦେବା ପାଇଁ ପଡ଼ିବ । ଅନ୍ୟ ଉପାୟ ନାହିଁ । ଯଦି ନ ଯିବି ତାହାହେଲେ ଓଟମାନଙ୍କଠାରୁ କାହିଁ କେତେ ଗୁଣ ଭୟଙ୍କର ଆଉଗୋଟେ ଜନ୍ତୁ ମୋତେ ନିଶ୍ଚୟ ପିଟିବ । ସିଏ ମୋ ମୁନିବ । ତାଙ୍କର ତୀକ୍ଷ୍‌ଣ ଆଖି ଯୋଡ଼ାକ ବରାବର ମୋ ଗତିବିଧି ଲକ୍ଷ୍ୟ କରୁଛି । ଟିକିଏ ଓଲମବିଲମ ହେଲେ ଧାଇଁ ଆସିବ । ମୁଁ ସାହସ ଧରି ଓଟମାନଙ୍କ ଖୁଆଡ଼କୁ ଗଲି । ତାଙ୍କର ନାତ ଓ କାମୁଡ଼ାରୁ ବର୍ତ୍ତିବା ଲାଗି ମୁଁ ସେମାନଙ୍କ ଗୋଡ଼ ସନ୍ଧିରେ ପଶି ପାଣି ଓ ଦାନା ପରଷିଲି । ଧୀରେ ଧୀରେ ମୋର ଭୟ ଛାଡ଼ିଗଲା । ଭବିଷ୍ୟତରେ ମୁଁ ଏ କାମ ବହୁବାର କରିଥିବି । ତେବେ ପ୍ରଥମ ଅଭିଜ୍ଞତାରୁ ଜାଣିଲି, ମଣିଷର ପରିସ୍ଥିତି ତାକୁ ସାହସୀ କରିଦିଏ, ସବୁ ପ୍ରକାର ପରିସ୍ଥିତି ସହ ଖାପଖୁଆଇ ନେବା ପାଇଁ ତାକୁ ତାଲିମ ଦିଏ ।

 

ସେଦିନ ଓଟମାନେ ମୋତେ ନାତ ମାରିଲେ ନାହିଁ । ମୁଁ ଚାରିଟା କୁଣ୍ଡରେ ପାଣି ଭର୍ତ୍ତି କଲି, ଚାରିଟା କୁଣ୍ଡରେ ଦାନା ଭରିଲି ଏବଂ ଆଉ ଦିଇଟା କୁଣ୍ଡରେ ଗହମ ପୂରେଇଲି । ଏହାଛଡ଼ା ତିନିଟା କୁଣ୍ଡରେ ନଡ଼ା ଭର୍ତ୍ତି କଲି । ଏସବୁ କାମ ସରିବାବେଳକୁ ମୋ ଦେହହାତ ଦରଜ ହେଇଯାଇଥିଲା । ମୁଁ ଭାବୁଥିଲି, ମୋତେ ଏ କାମରେ ସେ ବୁଢ଼ାଟି ଆସି ଟିକେ ସାହାଯ୍ୟ କରିବ । ସିଏ ଅବଶ୍ୟ ମଝିରେ ତା’ ବସିବା ଜାଗାରୁ ଉଠି ମୋ ପାଖକୁ ଆସିବା ପାଇଁ ବାହାରିଥିଲା, ମାତ୍ର ମୋ ମୁନିବ ତାକୁ ହାତଦେଖାଇ ଅଟକେଇଦେଲେ । ମୁଁ ଜାଣିଲି ଯେ, ଶୌଚ କରିବା ପାଇଁ ମୁଁ ପାଣି ନେଇ ଯାଇଥିବାରୁ ସେଇ ଅପରାଧର ଶାସ୍ତି ସ୍ୱରୂପ ସେ ମୋତେ ସେଦିନର ସବୁ କାମ ଏକା ଏକା କରିବାଲାଗି ବାଧ୍ୟ କରୁଥିଲେ ।

 

ମୁଁ ଓଟଙ୍କ କାମ ସାରି ବୁଢ଼ାର ଖଟିଆ ପାଖକୁ ଗଲି ଓ ସେଇଠି ବସିପଡ଼ିଲି । ଥକ୍କା ମେଣ୍ଟିବାକ୍ଷଣି ମୋତେ ଭୋକ ଲାଗିଲା । ବୁଢ଼ା ମୋତେ ଯେଉଁ ଖୁବୁସ୍‌ଦେଇଥିଲା ସେଗୁଡ଼ିକ ସେଇ ଖଟିଆ ତଳେ ସେମିତି ଥୁଆ ହୋଇଥିଲା । ଏବେ ମୁଁ ଗାଧୋଇଛି କି ପାଇଖାନା ଯାଇ ଶୌଚ ହେଇଛି, ଏସବୁ କଥା ମୋର ଆଉ ମନେପଡ଼ୁ ନ ଥିଲା । ସେଇଠି ବସି ଚାରିଟାଯାକ ବଡ଼ ବଡ଼ ଖୁବୁସ୍‌ଖାଇଦେଲି ଓ ଢକଢକ କରି ଦୁଇ ମଗ୍‌ପାଣି ପିଇଗଲି ।

 

ଖାଇସାରିବା ପରେ ମୋ ମୁନିବ ମୋତେ ତାଙ୍କ ତମ୍ବୁକୁ ଡାକିଲେ । ତା’ପରେ ତାଙ୍କ ଭାଷାରେ କଅଣ ବୁଝାଇଲେ ଓ କିଛି ସମୟ ଗାଳିଦେଲେ । ତାଙ୍କ କଥା ଶୁଣୁଥିଲା ବେଳେ ମୁଁ ଏମିତି ବ୍ୟବହାର ଦେଖଉଥିଲି ସତେ କି ମୁଁ ତାଙ୍କର ସବୁକଥା ବୁଝିପାରୁଥିଲି । ତାଙ୍କ ଗାଳିର ଭାଷା ଆଦୌ ବୁଝି ପାରୁ ନ ଥିଲେ ମଧ୍ୟ ମୁଁ ମୋ ଅପରାଧର ଗୁରୁତ୍ୱ ବେଶ୍‌ବୁଝି ପାରୁଥିଲି ।

 

ଏହାପରେ ଅଳ୍ପ ସମୟ ପାଇଁ ବିଶ୍ରାମ ନେଲି । କୋଉଠି ଟିକେ ଛାଇ ମିଳିଲେ ସେଇଠି ବସନ୍ତି ବୋଲି ଖୋଜିହେଲି; ମାତ୍ର କୋଉଠି ଛାଇଟିକେ ନ ଥିଲା । ଚାରିଆଡ଼େ ପ୍ରଖର ସୂର୍ଯ୍ୟ କିରଣ ଓ ଡହକ ଖରା । ଯାହା ଟିକେ ଛାଇ ଥିଲା ତାହା ମୁନିବଙ୍କ ତମ୍ବୁରେ । ମାତ୍ର ସେ ତାକୁ ଏମିତି ଦଖଲ କରି ବସିଥିଲେ ସତେ କି ସେଇଟି ଜଣେ ସୁଲତାନଙ୍କ ରାଜପ୍ରାସାଦ । ତାହା ଭିତରକୁ ସେ କାହାକୁ ଯିବାଲାଗି ଦେଉ ନ ଥିଲେ । ମୋର ମଧ୍ୟ ସେଠିକି ଯିବା ଲାଗି ସାହସ ନ ଥିଲା ।

 

ବୁଢ଼ା କିନ୍ତୁ ତା’ ଖଟିଆ ଉପରେ ଆରାମରେ ଶୋଇଥାଏ । ଖରା ଦାଉରୁ ରକ୍ଷା ପାଇବା ପାଇଁ ମୁହଁ ଉପରେ ଲୁଗାଟିଏ ପକାଇ ଦେଇଥାଏ । ପ୍ରଖର ସୂର୍ଯ୍ୟତାପ ଓ ଖରା ତାକୁ ପ୍ରଭାବିତ କଲା ପରି ଜଣାଯାଉ ନ ଥାଏ । ମୁଣ୍ଡ ଉପରେ ଖଣ୍ଡେ ତଉଲିଆ ପକେଇ ମୁଁ ବି ତା’ ଖଟିଆ ପାଖରେ ବସିଲି । କିଛି ସମୟ ପରେ ଖଟିଆର ଛାଇ ମୋ ଆଖିରେ ପଡ଼ିଲା । ତାହା ସତେ କି ମୋ ପାଇଁ ପୃଥିବୀର ଶ୍ରେଷ୍ଠତମ ଆବିଷ୍କାର ଥିଲା ।

 

କୌଣସି ଆବିଷ୍କାରର ଗୁରୁତ୍ୱ ଯଦି ପ୍ରୟୋଜନର ମାପକାଠିରେ ମପାଯାଏ ତାହାହେଲେ ସେଇ ମୁହୂର୍ତ୍ତରେ ବୁଢ଼ାର ଖଟିଆତଳର ସେଇ ଅରାକ ଛାଇ ବାସ୍ତବରେ ଗୋଟେ ବିରାଟ ଆବିଷ୍କାର ଥିଲା । କେତେଦିନ ଧରି ବୁଢ଼ାଟି ଏମିତି ଖଟିଆ ଉପରେ ଶୋଉଥିବ, ମାତ୍ର ସେ କାହିଁକି ମୋ ପରି ଖଟିଆ ତଳର ଛାଇକୁ ଆବିଷ୍କାର କରିପାରିନାହିଁ ? ଖୁସିହେଇ ମୁଁ ଖଟିଆ ତଳକୁ ଘୁଷୁରି ଘୁଷୁରି ପଶିଗଲି ଏବଂ ଲମ୍ବହୋଇ ଶୋଇଗଲି । ଯଦିଓ ଖରା ପୂର୍ବପରି ଟାଣ ଏବଂ ସୂର୍ଯ୍ୟ ଆଗପରି ଉତ୍ତପ୍ତ ଥିଲା ତଥାପି ମୋର ବିଶ୍ରାମ ପୂର୍ବାପେକ୍ଷା ଆରାମଦାୟକ ମନେ ହେଉଥିଲା ।

 

ଟିକିଏ ଆଖି ଲାଗିଥିବ କି ନାହିଁ ମୋତେ ଡକରା ପଡ଼ିଲା । ମୁଁ ଉଠିପଡ଼ି ପୁଣିଥରେ ପାଳିକରି ଛେଳିମାନଙ୍କୁ ତାଙ୍କ ଖୁଆଡ଼ରୁ ଚରାଇବାକୁ ନେଲି । ସେତିକିବେଳେ ଲକ୍ଷ୍ୟ କଲି ଯେ ଅଲଗା ଅଲଗା ଖୁଆଡ଼ରେ ଅଲଗା ଅଲଗା ପ୍ରକାର ଛେଳିଙ୍କୁ ରଖାଯାଇଛି । ଗୋଟେ ଖୁଆଡ଼ରେ କ୍ଷୀର ଦେଉଥିବା ଛେଳି ଥିଲେ ତ ଆଉ ଗୋଟିକରେ ଅଣ୍ଡିରା ଓ କ୍ଷୀର ଦେଉ ନ ଥିବା ମାଈ ଛେଳି ଥିଲେ । ଆଉ ଗୋଟାକରେ ସାନ ସାନ ଛେଳି, ତା’ ଆରପଟ ଖୁଆଡ଼ରେ ମେଣ୍ଢା ଥିଲେ ଏବଂ ଶେଷ ଖୁଆଡ଼ରେ ଓଟ ।

 

ଆମେ ଛେଳିଙ୍କୁ ଚରାଇବା ପାଇଁ ନେଉଥିବାବେଳେ ଓଟ ଖୁଆଡ଼ର ଦୁଆର ଖୋଲାଗଲା । ଓଟମାନେ ତାଙ୍କ ବାଟରେ ଗଲେ, ତାଙ୍କୁ କେହି ଅଡ଼େଇବା ଦରକାର ନ ଥିଲା । ଆମେ ଛେଳିଙ୍କୁ ନେଇ ଫେରିବାବେଳକୁ ଓଟମାନେ ଆପେ ଆପେ ଫେରିଆସିଲେଣି । ସେମାନେ ଫେରିବା ପରେ ପୁଣିଥରେ ତାଙ୍କୁ ପାଣି ଓ ଦାନା ଖୁଆଇବା କାମ ମୋତେ କରିବାକୁ ପଡ଼ିଲା ।

 

ବୁଢ଼ା ଗୋଟେ ବିରାଟ ବାଲ୍‌ଟି ଧରି ଆସୁଥିଲା । ସେ କ୍ଷୀର ଦେଉଥିବା ଛେଳିମାନଙ୍କ ଖୁଆଡ଼କୁ ଗଲା ଏବଂ ଛେଳିଗୁଡ଼ିକୁ ଦୁହିଁବାରେ ଲାଗିଲା । କେତେ କ୍ଷିପ୍ରଗତିରେ ସେ ଏ କାମ କରୁଥାଏ ତାହା ଦେଖିବା କଥା ! ମାତ୍ର କେଇ ମିନିଟ୍‌ଭିତରେ ବାଲ୍‌ଟିଟି କ୍ଷୀରରେ ଭର୍ତ୍ତି ହେଇଗଲା-। ଆମେ ସେ କ୍ଷୀର ବାଲ୍‌ଟି ନେଇ ବାହାରକୁ ଆସିଲୁ ।

 

ମୁନିବ ସେ କ୍ଷୀରରୁ କିଛି ପିଇଲେ । ବୁଢ଼ା ଦି’ କପ୍‌କ୍ଷୀର ପିଇଲା । ସେମାନେ ମୋତେ ମଧ୍ୟ କ୍ଷୀର ପିଇବାକୁ ଦେଉଥିଲେ, ମାତ୍ର ମୋତେ ଛେଳି କ୍ଷୀରର ଗନ୍ଧ ଭଲ ଲାଗୁ ନ ଥିବାରୁ ମୁଁ ମନା କଲି । ଅବଶିଷ୍ଟ କ୍ଷୀରକୁ ମେଣ୍ଢା ଛୁଆଙ୍କ ଖୁଆଡ଼କୁ ନିଆଗଲା ଓ ସେମାନଙ୍କୁ ପିଇବାଲାଗି ଦିଆଗଲା । କ୍ଷୀର ବାଲ୍‌ଟି ଦେଖିବାକ୍ଷଣି ମେଣ୍ଢା ଛୁଆମାନେ ପାଖକୁ ଚାଲିଆସିଲେ ଏବଂ ଦହିକଡ଼ି ଖାଇବା ପରି ଚାରିପଟେ ରୁଣ୍ଡ ହେଇଗଲେ । ଆମ ଘରେ ବଢ଼ିଆ ଦହିକଡ଼ି ହୁଏ । ସେଥିରେ ଦହି ଓ ଚାଉଳ ଚୂନା ପଡ଼ିଥାଏ । ସେଥିରୁ ଗିନାଏ ହେଲେ ଥାଳିଏ ଭାତ ଉଠିଯାଏ । ମେଣ୍ଢାଛୁଆ ଗୁଡ଼ିକୁ ଦେଖି ମୁଁ ଆଉ ଗୋଟେ କଥା ଜାଣିଲି । ଏମାନଙ୍କୁ ତାଙ୍କ ମାଆମାନଙ୍କ ପାଖରେ ରହିବାକୁ ଦିଆଯାଉନାହିଁ । ମାଆ ଓ ଛୁଆଙ୍କୁ ଅଲଗା ଅଲଗା ଖୁଆଡ଼ରେ ରଖାଯାଉଛି । କୌଣସି ଛୁଆକୁ ତା’ ମାଆ ପାଖରୁ ସିଧାସଳଖ କ୍ଷୀର ପିଇବାଲାଗି ଦିଆଯାଉନାହିଁ । ଏଇଟା ମୋ ମୁନିବଙ୍କ ଆଇନ କି ଆରବର ଆଇନ କିଏ ଜାଣେ । ମୋତେ ଯାହା କୁହାଯାଉଛି ସେଇଆ କରିବା ମୋର କର୍ତ୍ତବ୍ୟ । ବାକୀ କଥା ଚିନ୍ତା କରି ମୋର ଲାଭ କଅଣ ?

 

ଧୀରେ ଧୀରେ ଛାଇ ଲମ୍ବା ହେଉଥିଲା ଏବଂ ସୂର୍ଯ୍ୟ ଅସ୍ତାଚଳଗାମୀ ହେଉଥିଲେ । ଦିନର ଆଲୁଅ ଅପସରିଯାଇ ସନ୍ଧ୍ୟାର ଅନ୍ଧାର ଘେରି ଆସୁଥିଲା । ସେତେବେଳକୁ ରାତିବେଳା ତମ୍ବୁରେ ରହୁଥିବା ମୁନିବ ଜଣକ ଆମଲାଗି ଖାଦ୍ୟ ଧରି ଆସିଯାଇଥିଲେ । ସେ ତାଙ୍କ ଗାଡ଼ିରୁ ଖାଦ୍ୟ ଓ ପିଇବା ପାଣି ଧରି ତମ୍ବୁକୁ ଆସିଲେ । ସେ ପହଞ୍ଚିବା ପରେ ଦିନବେଳା ମୁନିବ ଜଣକ ତାଙ୍କ ଜିନିଷପତ୍ର ଧରି ଚାଲିଗଲେ । ମୁଁ ଦି’ ଜଣଙ୍କୁ ଅଲଗା ଅଲଗା ଚିହ୍ନେଇବା ପାଇଁ ଜଣକୁ ଦିନ-ମୁନିବ ଓ ଆର ଜଣକୁ ରାତି-ମୁନିବ ବୋଲି କହେ ।

 

ରାତି-ମୁନିବ ଖୁବୁସ୍‌ଧରି ଆସିଥିଲେ । ତା’ ସାଙ୍ଗରେ ଖାଇବାଲାଗି ସେ ତରକାରିପତ୍ର ଆଦୌ ଆଣି ନ ଥିଲେ । କେବଳ ଖୁବୁସ୍‌ବା ମୋଟା ରୁଟି । ମୁଁ ସେଇଥିରୁ ଜାଣିଗଲି, ଏଣିକି ମୋର ପ୍ରତିଦିନର ଖାଦ୍ୟ କଅଣ ହେବ ।

 

ବଡ଼ି ସକାଳେ ସଦ୍ୟ ଦୁହାଁ ହୋଇ ଆସିଥିବା ଛେଳି କ୍ଷୀର ।

(ଭଲ ଲାଗିଲେ ପିଇବ, ନ ହେଲେ ପିଇ ନ ପାର)

ସକାଳ ଜଳଖିଆ : ଖୁବୁସ୍‌ଓ ପାଣି ।

ଦ୍ୱି’ପ୍ରହର: ଖୁବୁସ୍‌ଓ ପାଣି ।

ସନ୍ଧ୍ୟାରେ: ସଦ୍ୟ ଦୁହାଁ ହୋଇଥିବା ଛେଳି କ୍ଷୀର ।

(ଭଲ ଲାଗିଲେ ପିଅ, ନ ହେଲେ ଚିନ୍ତା ନାଇଁ)

ରାତି: ଖୁବୁସ୍‌ଓ ପାଣି ।

 

ମଝିରେ ଶୋଷ ଲାଗିଲେ ଲୁହାରେ ନିର୍ମିତ ପାଣି କୁଣ୍ଡରୁ ପାଣି ପିଇପାରିବି । ସେଇଟା ଖୁବ୍‌ଶୋଷ ଲାଗିଲେ ପିଇବି, ମନଇଚ୍ଛା ପିଇବା ଅଧିକାର ନାହିଁ । ରାତିର କାମ ସାରିବା ପରେ, ବୁଢ଼ା ତା’ ଖଟିଆରେ ଶୋଇଲା । ମୁଁ ବାଲି ଉପରେ ଲୁଗାଖଣ୍ଡେ ବିଛେଇ ସେଇଠି ଶୋଇଲି । ତମ୍ବୁ ଭିତରେ ରାତି-ମୁନିବ ଶୋଇଥିଲେ । ମୋର ବୁଢ଼ାକୁ ଅନେକ କଥା ପଚାରିବାର ଥିଲା, ମାତ୍ର ଖଟିଆ ଧରିବାକ୍ଷଣି ତାକୁ ନିଦ ଘାରିଗଲା । ସେ ଘୁଙ୍ଗୁଡ଼ି ମାରି ଶୋଇପଡ଼ିଲା ।

 

ମୁଁ ଏକାକୀ ବାଲି ଉପରେ ପଡ଼ିଥାଏ । ମୋ ବ୍ୟାଗ୍‌ହେଇଥାଏ ମୋର ତକିଆ । ତା’ ଭିତରୁ ଆମ ଘର ଆଚାରର ବାସ୍ନା ଆସୁଥାଏ । ସେଇ ବାସ୍ନା ମୋତେ ମୋ ଘରକଥା ମନେପକାଇ ଦେଉଥାଏ - ମୋ ମାଆ, ସାଇନୁ, ସାଇନୁ ପେଟରେ ବଢ଼ୁଥିବା ଆମ ପୁଅ (କି ଝିଅ)-। ମୋର ଏଠି ପହଞ୍ଚିବା ଖବର ନ ପାଇ ସେମାନେ ସମସ୍ତେ ବଡ଼ ଚିନ୍ତାରେ ଥିବେ । ମୋତେ ଖୁବ୍‌ଦୁଃଖ ଲାଗିଲା । ମନେହେଲା ଯେ ଛାତିଟା ଦୁଃଖରେ ଫାଟିଯିବ । କେମିତି ମୁଁ ମୋ ଘରକୁ ଜଣାଇବି ଯେ ମୁଁ ଆସି ଏଠି ପହଞ୍ଚିଛି । କେମିତି ଖବର ଦେବି ଯେ ମୁଁ ଭଲ ଅଛି ।

 

ମୋର ହକିମ୍‌କଥା ମନେପଡ଼ିଲା । ସେ ସେଇଠି କି କାମ କରୁଥିବ ? ମୋତେ ଲାଗୁଥିଲା, ସିଏ ବି ଏଇମିତି ଗୋଟେ ଛେଳି ଗୁହାଳରେ କାମ କରୁଥିବ । ତାହାର ଭାଗ୍ୟ ମୋ’ଠାରୁ ଆଦୌ ଅଲଗା ହେଇ ନ ଥିବ । ମୋତେ ତା’ କଥା ଭାବି ବେଶି ଦୁଃଖ ଲାଗୁଥିଲା । ଉଡ଼ାଜାହାଜରେ ବସିବାବେଳେ ସେ ମଧ୍ୟ ମୋ ପରି କେତେ ସ୍ୱପ୍ନ ଦେଖିଥିଲା । ଏଡ଼େ ସାନ ପିଲାଟା । କେମିତି ସେ ଏ କଷ୍ଟ ସହିବ ? ତା’ଛଡ଼ା ସେ ମୋ ପରି ଏତେ ଗରିବ ନୁହେଁ । ତା’ ବାପା ଦୁବାଇରେ କାମ କରନ୍ତି । ଏଇ ‘ଭିସା’ ଯାଇ ପହଞ୍ଚିବାବେଳକୁ ତା’ ବାପା ତାକୁ ଦୁବାଇକୁ ନେବାଲାଗି ଚେଷ୍ଟା କରୁଥିଲେ । ଆମ ‘ଭିସା’ ପହଞ୍ଚିବା ଖବର ଶୁଣି ତା’ ବାପା କହିଲେ, “ଯାଆ, କାମ ଶିଖିବୁ । ଏଠି ବସି ବସି ଲାଭ କଅଣ ? ଦି’ବର୍ଷରେ କାମ ଶିଖିଗଲେ ତୋତେ ମୁଁ ଦୁବାଇ ନେଇଯିବି ।”

 

ବିଚରା, ସେ କେମିତି ଏତେ କଷ୍ଟକର କାମ କରିପାରିବ ? ମୁଁ ତ ହେଲେ ଆଗରୁ କଷ୍ଟ କାମ କରିଛି । ଗାଁରେ ଥିଲାବେଳେ ମୁଁ ନଈରେ ପଶି ବାଲିଖୋଳା କାମ କରେ । ଏ ଛେଳି-ଓଟ ଚରାଇବା କାମ ମୁଁ କରିପାରିବି । ମାତ୍ର ସିଏ ତ ଖୁସିବାସିରେ ଘରେ ରହୁଥିଲା । କୌଣସି କଷ୍ଟ କାମ କେବେ କରିନାହିଁ । ସେ କେମିତି ଏଠି ଚଳିବ ? ପୁଣି ଏ କାମ ନ କରି ଉପାୟ କଅଣ ? କେମିତି ଏଠୁ ଉଦ୍ଧାର ପାଇବ ? ଆଗକୁ ଆଗକୁ ତ କାମ ଜଞ୍ଜାଳ ବଢ଼ିବ, ସେ କଅଣ ସେସବୁ କାମ କରିପାରିବ ? ହେ ଆଲ୍ଲା, ଦୟାକରି ହକିମ୍‌କୁ ସହାୟ ହୁଅ । ଆମ ଦି’ ଜଣଙ୍କୁ ସାହସ ଓ ଶକ୍ତି ଦିଅ, ଯେମିତି ଏ ହାଡ଼ଭଙ୍ଗା ଖଟଣି ଆମେ ବରଦାସ୍ତ କରିପାରୁ ।

 

ମରୁଭୂମିରେ ମୋର ଦ୍ୱିତୀୟ ରାତି ଏମିତି ବିତୁଥିଲା । ଏସବୁ ଭିତରେ କେତେବେଳେ ନିଦ ଆସିଯାଇଛି ଜଣା ନାହିଁ, କାରଣ ସକାଳକୁ ଉଠିବା ବେଳକୁ ଡେରି ହେଇଯାଇଥିଲା । ଖାଲି ବାଲିଟା ଉପରେ କେମିତି ଯେ ଶୁଅନ୍ତି ମୁଁ ଜାଣି ନ ଥିଲି, କିନ୍ତୁ ପେଟର ଭୋକ ପରି ଆଖିର ନିଦ ଅନେକ କଥା ଶିଖେଇ ଦିଏ ।

 

ତେର

 

ରାତି ପାହିବା ବେଳକୁ ମୋ ଦେହହାତ ଘୋଳାବିନ୍ଧା ଆରମ୍ଭ ହୋଇସାରିଥିଲା । ପାଦରୁ ନେଇ ମୁଣ୍ଡପର୍ଯ୍ୟନ୍ତ ସବୁଆଡ଼େ ଦରଜ । ଆମ ଗାଁରେ ଦିନସାରା ନଈବାଲି ଖୋଳି ଖୋଳି ଯେତିକି ଥକ୍କା ଲାଗେ ନାହିଁ ଏବେ ତାହାଠାରୁ ଢେର୍‌ଗୁଣ ଅଧିକା ଥକ୍କା ଲାଗୁଥିଲା । ଏହା ସାଙ୍ଗକୁ ଥରୁଟାଏ ହେଲେ ଦେହମୁଣ୍ଡ ଧୋଇ ନ ଥିବା ଯୋଗୁଁ ମୋତେ ଭୀଷଣ ଅପରିଚ୍ଛନିଆ ଲାଗୁଥିଲା । ଗାଁରେ ଥିଲାବେଳେ ଦିନସାରା ନଈରେ ପଶି କାମ କଲେ ବି ସଞ୍ଜବୁଡ଼େ ମୁଁ ମୁଣ୍ଡଧୋଇ ଗାଧାଏ । ଏଠି ଦିନରାତି ଛେଳି ମେଣ୍ଢାଙ୍କ ସାଙ୍ଗରେ କାମ, ତା’ ସାଙ୍ଗକୁ ଗାଧୁଆ ପାଧୁଆ ନାହିଁ । ବାଲିରେ ଶୁଅ, ବାଲିରେ ବସ, ବାଲିରେ ଚାଲ । ଦେହହାତ ସନ୍ଧିରୁ ଝାଳ ବୋହି ଅଠା ଅଠା ଲାଗୁଥାଏ । ଲୁଗାପଟାରେ ପୁଣି ଲାଗିଥାଏ ଛେଳିମୂତ ଓ ଗୋବର ଛିଟା । ଜାମା ଓ ପ୍ୟାଣ୍ଟ୍‌ଉଭୟ କାଖସନ୍ଧି ଓ ଜଙ୍ଘ ସନ୍ଧିରେ ଅଠାରେ ଲାଖିଲା ପରି ଲାଖି ରହିଥାଆନ୍ତି । ଝାଳ ସରସର ଜୋତା କଥା ନ କହିଲେ ଭଲ ।

 

ମୁଁ ଆଖି ଖୋଲିଛି କି ନାହିଁ, ବୁଢ଼ା ଆସି ମୋତେ ଗୋଟେ ବଡ଼ ଆଲୁମିନିୟମ୍‌ଜାଗା ଧରେଇଦେଲା ଓ ଛେଳି ଦୁହିଁବା ଲାଗି ଠାରରେ ବତେଇଦେଲା । ମୁଁ ଚମକି ପଡ଼ିଲି । ଛେଳିଙ୍କୁ ମୁଁ ଦୁହିଁବି ? କେମିତି ? ଏ କାମ ତ ମୋତେ ଜମାରୁ ଜଣା ନାହିଁ । ମୋ ମୁଣ୍ଡ ହଠାତ୍‌କିଛି କିଛି କାମ କଲା ନାହିଁ । ଲାଗିଲା, ମୁଁ ଯେମିତି ଗୋଟେ ଅଜ୍ଞତାର ଅନ୍ଧାରିଆ ଖୋଲ ଭିତରେ ଖସିପଡ଼ିଛି, ଯୋଉଠୁ ବାହାରିବାର ଉପାୟ ଜଣା ନାହିଁ ।

 

ମୋ ଜୀବନରେ କୌଣସି ଛେଳିକୁ ମୁଁ ପାଖରୁ କେବେ ଦେଖି ନ ଥିଲି । ହଁ, ଆପଣ ପଚାରି ପାରନ୍ତି, ମୁଁ କଅଣ ଜମା ଛେଳି ଦେଖି ନ ଥିଲି ! ଏଇଟା ଠିକ୍‌ଯେ ଆମେ ସମସ୍ତେ ଛେଳି ଦେଖିଛନ୍ତି । କୋଉ ଖ୍ରୀଷ୍ଟପୂର୍ବ ୭୦୦୦ କି ୬୦୦୦ ବର୍ଷ ତଳୁ ଛେଳିମେଣ୍ଢା ମଣିଷର ପାଖାପାଖି ରହିଆସିଛନ୍ତି । ଆମ ଗାଁର ଜାନକୀଆମ୍ମା, ମାରିୟୁମ୍ମା, ବେଲାୟୁଦ୍ଧ କୁଟ୍ଟି ଏବଂ ଆହୁରି କେତେ ଗରିବ ଲୋକ ଛେଳି ପାଳିଛନ୍ତି । ଛେଳି ତ ଏମିତି କିଛି ଭୟଙ୍କର ପ୍ରାଣୀ ନୁହେଁ, ବରଂ ବଡ଼ ଗେଲବସରିଆ ପ୍ରାଣୀ । ଛୋଟ ଛେଳି କି ମେଣ୍ଢା ଛୁଆକୁ ଦେଖିଲେ ଗେଲ କରିବାକୁ ଇଚ୍ଛା ହୁଏ । ଛେଳି ଆମକୁ କ୍ଷୀର ଦିଏ, ଛୁଆ ଜନ୍ମ କରେ ଓ ଗୋବର ଖତ ଦିଏ । ଆମେ ଛେଳି ଦୁହିଁ କ୍ଷୀର ସଂଗ୍ରହ କରୁ, ଗୁରୁବାରିଆ ହାଟରେ ତା’ ଛୁଆକୁ ବିକ୍ରୟ କରୁ ଏବଂ ତା’ ଗୋବରକୁ କଦଳୀ ଗଛ ମୂଳେ ଖତ ଭାବେ ବ୍ୟବହାର କରୁ । ଛେଳି ଘାସ ଏବଂ ଅଇଁଠା ଭାତଡାଲି ଖାଏ । ସେଗୁଡ଼ିକ କଢ଼ି ବି ପିଅନ୍ତି । ସେମାନଙ୍କୁ ପଣସପତ୍ର ଖାଇବାକୁ ଖୁବ୍‌ଭଲ ଲାଗେ । ତେବେ ଆରାରୁଟ ଗଛର ପତ୍ର ଖାଇଦେଲେ ସେଗୁଡ଼ା ବେମାରରେ ପଡ଼ନ୍ତି । ବାସ୍‌, ଏତିକି ଛଡ଼ା ଛେଳିଙ୍କ ବାବଦରେ ମୋତେ ଆଉ କିଛି ଜଣା ନ ଥିଲା । ଆପଣମାନେ ବି ବେଶି କିଛି ଜାଣି ନ ଥିବେ । ଛେଳିଙ୍କ ଉଦ୍ଭବ କୋଉ ଦେଶରୁ ? ତାଙ୍କ ପୂର୍ବପୁରୁଷ ସବୁ କିଏ ? ଏସବୁ ମୋତେ ଜଣା ନାହିଁ । ଛେଳି କେତେ ପ୍ରକାରର, ଅଲଗା ଜାତି ଛେଳିଙ୍କର ଗୁଣ ସବୁ କଅଣ କଅଣ ସେକଥା ମୋତେ ଜଣା ନାହିଁ । ଏଇଟା ସତକଥା ଓ ଏଥିରେ ଲୁଚେଇବାର କିଛି ନାହିଁ । ମୁଁ ତ ଛେଳିଙ୍କ ପହ୍ନାର କେତେଟା ଚୁଚୁକ କି ସେ କେତେ ମାସ ଗର୍ଭଧାରଣ କରେ, କେତେଦିନ କ୍ଷୀର ଦିଏ ଏବଂ ଥରକରେ ଗୋଟେ ଛେଳି କେତେ ସେର କ୍ଷୀର ଦିଏ - ସେସବୁ କଥା ଆଦୌ ଜାଣେ ନାହିଁ । ତା’ଛଡ଼ା କେମିତି ଟାଣିଲେ ଛେଳି ପହ୍ନାରୁ କ୍ଷୀର ବାହାରିବ ସେକଥା ମୁଁ କେମିତି ଜାଣନ୍ତି ? ଗାଈଗୁଡ଼ାକ ପଛ ଗୋଡ଼ରେ ଓ ଘୋଡ଼ା ଆଗ ଗୋଡ଼ରେ ନାତ ମାରନ୍ତି । ଛେଳି ନାତ ମାରେ କି ? କିଏ ଜାଣେ ? ଆଗ ନା ପଛ କୋଉ ଗୋଡ଼ରେ ସେ ନାତ ମାରେ ? ମୁଁ ଏସବୁ ବାବଦରେ ବିନ୍ଦୁ ବିସର୍ଗ ଜାଣି ନ ଥିଲି ।

 

ଆଗରୁ ମୁଁ ଛେଳି ବିଷୟରେ କାହା ସହ କେବେ କଥା ହେଇନାହିଁ କି କାହାକୁ ପଚାରି ନାହିଁ । ମୋତେ ବି କେହି ଛେଳିର ଢଙ୍ଗରଙ୍ଗ ବିଷୟରେ କିଛି କହି ନାହାନ୍ତି । ମୁଁ ଯଦି ଜାଣିଥାଆନ୍ତି ଯେ ଦିନେ ଏଇମାନଙ୍କୁ ଚରାଇବା ଓ ୟାଙ୍କର ଯତ୍ନ ନେବା ମୋର ଜୀବିକା ହେବ ତାହାହେଲେ ମୁଁ ଅନ୍ତତଃ କାହା କାହାକୁ ପଚାରି କିଛି ବୁଝିଥାଆନ୍ତି । ମୁଁ ବି ଛେଳିମାନଙ୍କୁ ପାଖରୁ ଲକ୍ଷ୍ୟ କରି ତାଙ୍କର ହାବଭାବ ଲକ୍ଷ୍ୟ କରିଥାଆନ୍ତି । ଆମ ଘରଠାରୁ ଟିକିଏ ଛାଡ଼ି ଜାନକୀଆମ୍ମାର ଘର । ସେ ଦିଇଟି କି ତିନିଟି ଛେଳି ପୋଷିଛି । ମୁଁ ସେଗୁଡ଼ିକୁ ବିଲରେ ଚରି ଘାସ ଖାଇବା ଦେଖିଛି । ସେତେବେଳେ ତାଙ୍କ ଛୁଆଗୁଡ଼ିକ ତାଙ୍କ ପଛେ ପଛେ ଡିଆଁକୁଦା କରୁଥାଆନ୍ତି । ଜାନକୀଆମ୍ମାର ଛେଳିଗୁଡ଼ାକ ବୋଧହୁଏ ମାଈ ଛେଳି, କ୍ଷୀର ଦେଉଥିବେ । ଭବିଷ୍ୟତରେ ମୋତେ ଛେଳି ଦୁହିଁବାକୁ ହେବ ବୋଲି ଜାଣିଥିଲେ ମୁଁ ସେଇମାନଙ୍କ ପାଖରୁ ମୋର ଅଭ୍ୟାସ ଆରମ୍ଭ କରି ଦେଇଥାଆନ୍ତି । ମାତ୍ର ମୁଁ ସେମାନଙ୍କୁ ଦୁହାଁ ହେବାର କେବେ ଦେଖିନାହିଁ । ସିଆଡ଼କୁ ମୋର ମନ ବି କେବେ ବଳି ନାହିଁ । ଆମ ଚାରିପଟେ ନାନା ପ୍ରକାର ପ୍ରାଣୀ ଅଛନ୍ତି । ଆମେ ସମସ୍ତଙ୍କ ବିଷୟରେ ସବୁକିଛି ଜାଣୁନା । ଅବଶ୍ୟ ଛେଳି ବଦଳରେ ମୋତେ ଗାଈ ଚରାଇବାକୁ କି କୁକୁରମାନଙ୍କର ଯତ୍ନ ନେବାକୁ କୁହାଯାଇଥିଲେ ବି ମୋ ଦଶା ଖୁବ୍‌ଭିନ୍ନ ହୋଇ ନ ଥାନ୍ତା । କାରଣ ସେମାନଙ୍କ ବାବଦରେ ସୁଦ୍ଧା ମୋତେ କିଛି ଜଣା ନାହିଁ । କାନ୍ଧରେ ଯୁଆଳି ପଡ଼ିଲେ ଯାଇ ଦାୟିତ୍ୱ ବୁଝାପଡ଼େ । ଏସବୁ କଥା ମୁଁ ଆଗରୁ ଶିଖିଥିଲେ ଭଲ ହୋଇଥାଆନ୍ତା । ପୂର୍ବରୁ ଏହି କାମ ଶିଖିବାଲାଗି ମୋ ପାଇଁ ଅବସର ଆସିଥିଲା, ମାତ୍ର ମୁଁ ତାକୁ ଗୁରୁତ୍ୱ ଦେଇନାହିଁ । ଏବେ ଛେଳି ଦୁହାଁ ସମସ୍ୟା ଆସି ମୋ ସାମ୍ନାରେ ଠିଆହେବା ପରେ ଯାଇ ମୋର ବୁଦ୍ଧି ପଶୁଛି । ମଣିଷ ସବୁବେଳେ ଆଖିକାନ ଖୋଲା ରଖି ସବୁ କଥା ଦେଖିବା ଓ ଜାଣିବା ଦରକାର । କିଏ ଜାଣେ, କେତେବେଳେ କେଉଁ କଥା ଦରକାର ପଡ଼ିଯିବ !

 

ଏବେ ମୁଁ କ’ଣ କରିବି ? ନିଜକୁ ନିଜେ ଛେଳିଦୁହାଁ ଶିଖେଇବାକୁ ହେବ । କେହି ଏଠି ମୋତେ ସେକଥା ଶିଖାଇବା ଲାଗି ନାହିଁ । ମୁଁ ବିଡ଼ାଏ ଘାସ ଧରି ମସାରା (ଗୁହାଳ) ଭିତରକୁ ପଶିଲି ଓ ଗୋଟେ ଛେଳି ପାଖକୁ ଆଗେଇଲି । ଆମ ଗାଁରେ ମୁଁ ଦେଖିଛି, ଦୁହିଁବା ଆଗରୁ ଛେଳିର ପହ୍ନାକୁ ପାଣିରେ ଛାଟି ସଫା କରିଦିଆଯାଏ । ଏଇ ମରୁଭୂମିରେ ତ ମଣିଷର ଗାଧୁଆ ପାଇଁ ପାଣି ନାହିଁ; ଛେଳିର ପହ୍ନା ଧୋଇବା ପ୍ରଶ୍ନ ଉଠୁଛି କାହିଁକି ? ଧୀରେ ଧୀରେ ମୁଁ ହାଣ୍ଡିଟା ଧରି ସେ ଛେଳି ପଛରେ ଯାଇ ବସିଲି ଓ ତା’ ପହ୍ନାରେ ହାତ ଦେଲି । ତା’ପରେ ତା’ର ଚିର ଟାଣିଲି । କ୍ଷୀର ତ ବାହାରିଲା ନାହିଁ, ଓଲଟି ମେଁ ମେଁ ରଡ଼ିକରି ଛେଳିଟା ସେଠୁ ଛାଟିପିଟି ହୋଇ ପଳେଇଗଲା । ଯିବା ପୂର୍ବରୁ ଆଲୁମିନିୟମ୍‌ହାଣ୍ଡିକୁ ମିଶେଇ ମୋତେ ଗୋଟେ ନାତ ମାରିବାକୁ ଅବଶ୍ୟ ସେ ଭୁଲି ନ ଥିଲା । ମୁଁ ତଳେ ପଡ଼ିଥାଏ । ସେ ଡେଉଁଥାଏ । ତାହାର ଡେଇଁବା ଦେଖି ଅନ୍ୟ ଛେଳିଗୁଡ଼ିକ ମଧ୍ୟ ଇଆଡ଼େ ସିଆଡ଼େ ଧାଇଁଲେ । ଗୋଟେ ତ ମୋ ଉପରେ ଚଢ଼ି ପଳେଇଲା । ତା’ ଖୁରା ଆଘାତରେ ମୋ ବେକଟା ମକଚିଗଲା । ମୁଁ ଯନ୍ତ୍ରଣାରେ ଚିତ୍କାର କରି ଉଠିଲି । ଯାହାହେଉ, କିଛି ସମୟ ପରେ ମୁଁ ଝାଡ଼ିଝୁଡ଼ି ହୋଇ ଉଠିଲି ଏବଂ ମୋ ପାଖ ଦେଇ ଯାଉଥିବା ଆଉଗୋଟେ ଛେଳି ପଛରେ ବସିପଡ଼ି ତା’ ପହ୍ନାରେ ହାତ ଦେଲି । ମାତ୍ର ସିଏ ବି ଆରଟା ପରି ଦଉଡ଼ି ପଳେଇଗଲା । ତା’ପରେ ଆଉ ଗୋଟେ ଛେଳିକୁ ଦୁହିଁବା ଲାଗି ଚେଷ୍ଟା କଲି । ସମାନ ଦଶା । ହେ ଆଲ୍ଲା, ଇଏ ତ ବଡ଼ ବିଷମ କାମ ! କେମିତି ମୁଁ ଛେଳି ଦୁହିଁବି ? ମୋତେ କିଛି ବୁଦ୍ଧିବାଟ ଦିଶୁ ନ ଥାଏ ।

 

ତେବେ ମୋର ଜିଦ୍‌ବଢ଼ୁଥାଏ । ଛେଳିମାନଙ୍କର ଏ ପ୍ରକାର ଆଚରଣ ମୋତେ ବିସ୍ମିତ କରୁଥାଏ । ମୁଁ ହାରି ନ ଯାଇ ଗୋଟାକ ପରେ ଗୋଟେ ଛେଳିକୁ ମୋ ନିୟନ୍ତ୍ରଣ ଭିତରକୁ ଆଣିବାଲାଗି ଚେଷ୍ଟା କରି ଚାଲିଲି । ମାତ୍ର ଏଥିରୁ କୌଣସି ଲାଭ ମିଳିଲା ନାହିଁ । ପ୍ରାୟ ଅଧଘଣ୍ଟାକ ପରେ ମୋ ମୁନିବ ଓ ସେ ବୁଢ଼ା ଦି’ଜଣଯାକ ଗୁହାଳେ କଅଣ ହେଉଛି ଦେଖିବାଲାଗି ଭିତରକୁ ଆସିଲେ । ସେମାନେ ଭାବିଥିଲେ ଯେ ମୁଁ ଏହା ଭିତରେ ନିଶ୍ଚୟ କ୍ଷୀର ଦୁହିଁ ସାରିଥିବି । ମାତ୍ର ହାଣ୍ଡି ଭିତରେ ଟୋପେ ହେଲେ କ୍ଷୀର ନ ଥିଲା । ସବୁଠୁ ଦୁଃଖର କଥା, ସେମାନେ ଆସିଲାବେଳକୁ ମୁଁ ଗୋଟେ ପରେ ଗୋଟେ ଛେଳିଙ୍କ ପଛରେ ବେଙ୍ଗ ପରି ଡିଆଁ ମାରୁଥାଏ ।

 

ମୋ ଢଙ୍ଗରଙ୍ଗ ଦେଖି ମୁନିବ ରାଗିଗଲେ ଏବଂ ତାଙ୍କ ତମ୍ବୁକୁ ପଳେଇଲେ । ବୁଢ଼ା ଆସି ମୋ ହାତରୁ ହାଣ୍ଡିଟା ନେଇଗଲା । ତା’ପରେ ସେ, କେମିତି ଛେଳି ଦୁହିଁବାକୁ ପଡ଼େ, ତାହା କରି ଦେଖାଇଦେଲା ।

 

ଯେଉଁ ଛେଳିକୁ ଦୁହିଁବା କଥା ତା’ ପଛକୁ କେବେ ଯିବ ନାହିଁ । ତା’ ସାମ୍ନାପଟୁ ତା’ ପାଖକୁ ଯିବ । ସାଙ୍ଗେ ସାଙ୍ଗେ ତା’ ପହ୍ନାରେ ହାତଦେଇ କ୍ଷୀର ଦୁହିଁ ବସିବ ନାହିଁ । ସେମିତିରେ କ୍ଷୀର ବାହାରିବ ନାହିଁ । ଆଗେ ତା’ ମୁହଁ, ଗାଲ, କାନ ଓ ଓଠକୁ ଟିକେ ସାଉଁଳେଇ ଦେବ, ତାକୁ ଗେଲ କଲା ପରି ଟିକେ ଆଦରି ଦେବ । ତା’ପରେ ତା’ ପିଠି ଆଉଁଶିଦେବ, ପେଟ ସାଉଁଳେଇଦେବ ଏବଂ ଏମିତି ଆଉଁଶି ଦେଉ ଦେଉ ତା’ ପାଖରେ ଯାଇ ବସିବ । ତା’ ପେଟକୁ ଦି’ ତିନିଥର ଆଉଁଶି ଦେଲେ ଭଲ । ତାକୁ କୁତୁକୁତୁ ଲାଗିବ । ତା’ ପହ୍ନାକୁ ଆଉଁଶିଦେଲେ ତା’ ଦେହ ସଲସଲ ହେବ । ଏଇଟା କ୍ଷୀର ଦୁହିଁବାର ପ୍ରକୃଷ୍ଟ ସମୟ । ଛେଳିଟା ଯେତେବେଳେ, ପୁରୁଷ ସ୍ପର୍ଶରେ କୁଆଁରୀ ଝିଅଟେ ପରି ଶିରିଶିରେଇ ଉଠିବ, ସେତେବେଳେ ତା’ ପହ୍ନାର ଚିରଗୁଡ଼ିକ ଛୁଇଁଦେବ । କ୍ଷୀର ବାହାରିବ । ଛେଳି ଛୁଆ ତା’ ମାଆ ପହ୍ନା ସାଙ୍ଗରେ ଏମିତି ଖେଳି କ୍ଷୀର ପିଏ । ମାଆ-ଛୁଆର ଅନ୍ତରଙ୍ଗ ସମ୍ପର୍କଟିଏ ପ୍ରତିଷ୍ଠା ହେଲା ପରେ ଯାଇ ପ୍ରାଣୀର ପହ୍ନାକୁ କ୍ଷୀର ଓହ୍ଲେଇ ଆସେ । ଛୁଆ ପାଇଁ ମାଆର ସ୍ନେହ ଓ ଶ୍ରଦ୍ଧା ଯୋଗୁଁ କ୍ଷୀର ବାହାରେ । ସେଇଟି ଛେଳି ମାଆର ତା’ ଛୁଆ ପ୍ରତି ଆଦରର ପ୍ରମାଣ । ନ ହେଲେ ପହ୍ନାରୁ କ୍ଷୀର ବାହାରିବ ନାହିଁ । ସମୟେ ସମୟେ ଆମେ ଛେଳିଛୁଆକୁ ତା’ ମାଆଠାରୁ କ୍ଷୀର ଖାଇବା ପାଇଁ ପଠେଇ ଦେଉ । ଛୁଆକୁ ଦେଖି ମାଆ କ୍ଷୀର ଦେଇ ବସିବାବେଳକୁ ଛୁଆଟିକୁ ଅଲଗା କରିନେଇ ଆମେ କ୍ଷୀରତକ ନିଜ ପାଇଁ ସଂଗ୍ରହ କରିନେଉ । ତେବେ ଏଠି କୌଣସି ଛେଳିଛୁଆ ପାଖରେ ନ ଥିଲେ । ତାଙ୍କୁ ସବୁ ଦୂରରେ ଅଲଗା ଗୁହାଳେ ରଖାଯାଇଥିଲା । ତେଣୁ ଛୁଆର କାମ ଆମକୁ କରିବାକୁ ପଡ଼ିଲା । ସେତକ କଲାପରେ ଛେଳି ପହ୍ନାରୁ କ୍ଷୀର ବାହାରିଲା । ପହ୍ନାର ଚିରକୁ ଉପରୁ ତଳକୁ ଦୁହିଁବାକୁ ପଡ଼େ । ଏଥିପାଇଁ ବୁଢ଼ା ଅଙ୍ଗୁଳି ଓ ବିଶି ଅଙ୍ଗୁଳି ଯୋଡ଼ିକର ବ୍ୟବହାର କରିବାକୁ ହୁଏ । ଛେଳିର ଚିରକୁ କଷ୍ଟହେଲା ଭଳି ଭିଡ଼ାଯାଏ ନାହିଁ । ତାହା ଧୀରେ ଧୀରେ ଭିଡ଼ିବାକୁ ହୁଏ । ଜଣେ ଅଭ୍ୟାସ କଲେ ଯାଇ କେତେ ଚାପଦେଇ ଛେଳିର ପହ୍ନାକୁ ଦୁହିଁବାକୁ ପଡ଼ିବ ସେକଥା ଶିଖିପାରିବ । ଜଣକର ଛେଳି ଦୁହିଁବା କୌଶଳରୁ ସେ ଏ କାମରେ କେତେ ଅଭିଜ୍ଞ ସେକଥା ଜାଣିହେବ । କ୍ଷୀର ଜାଗାକୁ ଗୋଟିଏ ହାତରେ ଧରି ଆର ହାତରେ ଦୁହିଁବା କାମ କେବେ କରିବ ନାହିଁ । ଗୋଟେ ହାତରେ କ୍ଷୀର ଦୁହିଁବାବେଳେ ଆର ହାତରେ ଛେଳି ପହ୍ନାର ଅନ୍ୟ ଚୁଚୁକଗୁଡ଼ିକୁ ଆଉଁଶିଦେବ । ଏମିତି କଲେ ସବୁଠୁ ତରକା ଛେଳି ବି ସ୍ଥିରହୋଇ ଛିଡ଼ାହେବ ଓ କ୍ଷୀର ଦେବ । ସେ ଧାଇଁ ପଳେଇବ ନାହିଁ କି ନାତ ମାରିବ ନାହିଁ - ବୁଢ଼ା ଇସାରାରେ ଏସବୁ ତତ୍ତ୍ୱ ଜଣାଇବାକୁ ଚାହୁଥିଲା ।

 

ନରକଙ୍କାଳ ପରି ଦିଶୁଥିବା ସେଇ ବୁଢ଼ାଟି ଯେ କେମିତି ଏହି ଛେଳିଗୁଡ଼ିକୁ ପୋଷା ମନାଇଥିଲା ସେ କଥା ଦେଖି ବାସ୍ତବରେ ମୁଁ ଆଶ୍ଚର୍ଯ୍ୟ ହେଉଥିଲି । ତରକା ଛେଳିଗୁଡ଼ାକ ସୁଧାର ପିଲା ପରି ଠିଆ ହୋଇରହିଥିଲେ । ଟିକିଏ ବି ହଲଚଲ ହେଉ ନ ଥିଲେ । କେତୋଟି ଛେଳିଙ୍କୁ ଦୁହିଁସାରିବା ପରେ ସେ ମୋତେ କ୍ଷୀର ଭାଣ୍ଡ ଧରେଇଦେଲା । ମୁଁ ତା’ କୌଶଳକୁ ଅନୁକରଣ କରି ଦୁହିଁବାକୁ ଚେଷ୍ଟା କଲି । ଅବଶ୍ୟ ଅନୁକରଣର ସବୁ ଦୁର୍ବଳତା ମୋ କାମରେ ମୁଁ ଅନୁଭବ କରୁଥିଲି-। ତେବେ କିଛି ସମୟ ପରେ ମୁଁ ସେ ଦୁର୍ବଳତାକୁ ଅତିକ୍ରମ କରିପାରିଲି । ସେତେବେଳେ ମୋର ଅନୁଭବ ହେଲା ଯେ ପଶୁମାନଙ୍କୁ ଭଲ ପାଉଥିବା ମଣିଷ ପକ୍ଷେ କ୍ଷୀର ଦୁହିଁବା ଅତି ସହଜ କାମ । ଜଣେ ପ୍ରକୃତ ପଶୁପ୍ରେମୀ ଏବଂ ଆଉ ଜଣେ ଅନୁକରଣକାରୀକୁ ଚିହ୍ନଟ କରିବା ପଶୁଙ୍କ ପକ୍ଷେ କଷ୍ଟସାଧ୍ୟ ନୁହେଁ । ସେମାନେ ପ୍ରକୃତ ପ୍ରେମ ଓ ଛଳନାକୁ ସହଜରେ ଧରିପକାନ୍ତି । ଏସବୁ ସାଙ୍ଗକୁ ଛେଳିମାନଙ୍କ ସହ ନିୟମିତ ସମ୍ପର୍କ ମଧ୍ୟ ବଡ଼କଥା । ସେମାନେ ଅଚିହ୍ନା ଲୋକର ହାତଛୁଆଁ ସହଜରେ ଜାଣିଯାଆନ୍ତି । ସେଇଥିପାଇଁ କୁହାଯାଏ, ଛେଳି ତା’ ପହ୍ନାରେ ଅଜଣା ଲୋକର ହାତ ଛୁଆଁଇ ଦିଏ ନାହିଁ ।

 

ସେ ଯାହାହେଉ, ବହୁ ଚେଷ୍ଟା କରି ମୁଁ ପ୍ରଥମେ ଗୋଟେ ଛେଳିକୁ ମୋର ନିୟନ୍ତ୍ରଣକୁ ଆଣିପାରିଲି । ତା’ ପହ୍ନାରୁ ପ୍ରଥମ କ୍ଷୀରବୁନ୍ଦା ବାଲ୍‌ଟିରେ ପଡ଼ିବାବେଳର ଆନନ୍ଦ ମୁଁ ଭାଷାରେ ପ୍ରକାଶ କରିପାରିବି ନାହିଁ । ସତେ କି ମୁଁ ଗୋଟାଏ ଗଡ଼ ଜୟ କରିଥିଲି । ସେଇ ଛେଳିଟି ଉପରେ ନିୟନ୍ତ୍ରଣ ଆସିବା ପରେ ମୋର ଆତ୍ମବିଶ୍ୱାସ ବଢ଼ିଗଲା । ପରେ ଅନ୍ୟ ଛେଳିମାନେ ମଧ୍ୟ ମୋ ବୋଲ ମାନିବାକୁ ଲାଗିଲେ ।

 

ବାଲ୍‌ଟିଟି କ୍ଷୀରରେ ଅଧାପୂର୍ଣ୍ଣ ହେବା ପରେ ମୁଁ ମସାରା ବାହାରକୁ ଆସିଲି । ସେତେବେଳକୁ ମୁଁ ଗୋଟାପଣେ ଝାଳରେ ବୁଡ଼ିଯାଇଥାଏ । ସେଇ ଅବସ୍ଥାରେ ମୋତେ ଯିଏ ଦେଖିଥାନ୍ତା ସିଏ ଭାବିଥାନ୍ତା ଯେ ମୁଁ ଗୁଡ଼ାଏ ଶାରୀରିକ ପରିଶ୍ରମ କରି ଫେରୁଛି ।

 

ଚଉଦ

 

ଆଉ ଗୋଟେ ଦିନ ବିତିଗଲା । ଏହା ଭିତରେ କଙ୍କାଳସାର ବୁଢ଼ାଲୋକଟି ମୋତେ ଛେଳି ଚରାଇବାର ଅନେକ କୌଶଳ ଶିଖାଇ ଦେଇଥିଲା । ଛେଳିଗୋଠକୁ ଚରାଇବାକୁ ନେଲାବେଳେ କେମିତି ଛେଳିଙ୍କ ଆଗକୁ ନ ଯାଇ ଗୋଟିଏ ପାଖରେ ଚାଲିବାକୁ ପଡ଼େ ସେ କଥାଠାରୁ ଆରମ୍ଭ କରି ଗୋଠଖଣ୍ଡିଆମାନଙ୍କୁ କେମିତି ବାଟକୁ ଆଣିବାକୁ ହୁଏ ସେ କୌଶଳ ପର୍ଯ୍ୟନ୍ତ ସବୁ ମୋତେ ସେ ଶିଖାଇଦେଲା । ସେଇମିତି, ପ୍ରତି ମସାରା ପାଇଁ କେତେ ପରିମାଣରେ ଚୋକଡ଼, ଗହମ ଓ ଘାସ ଦରକାର ତାହାର ଭାଗମାପ ବି ମୋତେ ସେ ବତେଇଦେଲା ।

 

ସେଦିନ ପୂର୍ବଦିନ ଅପେକ୍ଷା ଅଧିକ ଗରମ ଲାଗୁଥିଲା । ପ୍ରତି ଦଶ ପାହୁଣ୍ଡରେ ମୋ ତଣ୍ଟି ଶୁଖିଗଲା ପରି ମନେହେଉଥିଲା । ଲୁହାକୁଣ୍ଡର ପାଣି ଖରାତାତିରେ ଏତେ ଗରମ ହେଇଥିଲା ଯେ ସେ ପାଣି ପିଇବାବେଳକୁ ତଣ୍ଟି ଭିତରଟା ଜଳିଉଠୁଥିଲା । ଏମିତିକା ଗରମ ପାଣି ପିଇବାର ଅଭ୍ୟାସ ମୋର ନ ଥିବାରୁ ପେଟ ଖରାପ ହେଇଯାଇଥିଲା । ସକାଳୁ କେତେଥର ଯେ ମୁଁ ପଡ଼ିଆକୁ ପାଇଖାନା କରିବାକୁ ଦଉଡ଼ିଥିବି ତାହାର ସୀମା ନାହିଁ । ଗଲା କାଲିର ଅଭିଜ୍ଞତା ପରେ ଅବଶ୍ୟ ମୁଁ ଆଉ ପାଇଖାନା ପାଇଁ ନିଭୃତ ଜାଗା ଖୋଜୁ ନ ଥିଲି କି ଶୌଚ ହେବା ପାଇଁ ପାଣି ଲୋଡୁ ନ ଥିଲି । ନ ହେଲେ ପୁଣି ମୋ ମୁନିବ ଆସି ମୋତେ ଗୋରୁ ଭଳିଆ ପିଟି ପକେଇଥାଆନ୍ତେ । ମୁଁ ଏବେ ପାଇଖାନା ଆସିସାରି ପଥର କି ଟେକାଟେ ନେଇ ସେଇଥିରେ ପୋଛାକାମ ତୁଲେଇ ଦେଉଥିଲି । ଏ କାରବାରରେ ଛେଳି କି ଓଟଙ୍କଠାରୁ ମୁଁ କିଛି ଅଲଗା ହୋଇ ଆଉ ରହି ନ ଥିଲି । ହୁଏତ ସେମାନେ ଏନେଇ ସଚେତନ ନ ଥିଲେ, ମୁଁ ସଚେତନ ଥାଇ କିଛି କରିପାରୁ ନ ଥିଲି । ମନକୁ ବୁଝେଇଦେଲି, ଯେ ଦେଶ ଯାଇ, ସେ ଫଳ ଖାଇ । ପରିସ୍ଥିତି ସହ ବୁଝାମଣା କରି ମଣିଷକୁ ବଞ୍ଚିବା ପାଇଁ ପଡ଼େ । ଇଂରେଜ ଲୋକଙ୍କର ଢେର୍‌କାଗଜ ଅଛି, ସେମାନେ ଟିସ୍ୟୁ ପେପର୍‌ବ୍ୟବହାର କରନ୍ତି । ଆମ ଦେଶରେ ପ୍ରଚୁର ପାଣି, ଆମେ ଶୌଚ ପାଇଁ ପାଣି ବ୍ୟବହାର କରୁ । ଏଠି ପଥର ପ୍ରଚୁର, ତେଣୁ ପଥର ବ୍ୟବହାର କର ।

 

ଦି’ପହର ପରେ ଗୁଳୁଗୁଳି ଆହୁରି ଅଧିକ ଅନୁଭୂତ ହେଲା । ସେ ଗରମରେ ସତେ କି ମୋ ଦେହରୁ ବାମ୍ଫ ବାହାରୁଥିଲା । ସେତେବେଳକୁ ମୁଁ ଥକି ପଡ଼ିଥାଏ । ତା’ ସାଙ୍ଗକୁ ପେଟ ଗୋଳମାଳ । ମୁଁ ଏକଥା ସେ ବୁଢ଼ାକୁ ଏବଂ ମୋ ମୁନିବଙ୍କୁ ଯାଇ କହିଲି । ମାତ୍ର ସେମାନେ ମୋ କଥା ପ୍ରତି ଧ୍ୟାନ ଦେଲେ ନାହିଁ । ମୋତେ ଲାଗିଲା ମୁନିବଙ୍କର ମୋ କାମ ସହ ସମ୍ବନ୍ଧ, ମୋ ଦେହପା ସହିତ ନୁହେଁ ।

 

ସଞ୍ଜବେଳକୁ ମୋ ଅବସ୍ଥା ଢିଲା ହେଇଯାଇଥିଲା । ଦେହହାତରେ ଟୋପାଏ ହେଲେ ପାଣି ପଡ଼ି ନ ଥିବାରୁ ଗରମରେ ଚମଗୁଡ଼ା ସିଝି ଯାଇଥିଲା । ବାଧ୍ୟହୋଇ ମୁଁ ମୁନିବଙ୍କୁ ଲୁଚେଇ ଛେଳିମାନଙ୍କ ପାଣିକୁଣ୍ଡ ପାଖକୁ ଯାଇ ହାତ ଦିଇଟା ଧୋଇପକାଇଲି । ତେବେ କାଖ ଓ ଜଙ୍ଘସନ୍ଧି ଧୋଇବାର କୌଣସି ଅବକାଶ ନ ଥିଲା । ସେ ଜାଗାଗୁଡ଼ାକ ମୋ ନିଜକୁ ଭୀଷଣ ଗନ୍ଧଉଥିଲା ।

 

ସେଦିନ ରାତିରେ ଶୋଇବା ପାଇଁ ବିଛଣାକୁ ଗଲାବେଳକୁ ମୋତେ ଖୁବ୍‌କଷ୍ଟ ହେଲା । ହଁ, ମୁଁ ଏଠି ବିଛଣା କହିଲେ ବାଲି ଉପରର ସେଇ ଅରାକ ଜାଗା କଥା କହୁଛି । ପ୍ରକୃତ ବିଛଣା ବା ମୋ ଭାଗ୍ୟରେ ଏଠି କାହିଁ ? ଏଠି ଥିବା ଏକମାତ୍ର ଖଟିଆଟି ବୁଢ଼ାର ଦଖଲରେ ଥିଲା । ତା’ ତଳେ ମୋ ବ୍ୟାଗ୍‌ଖଣ୍ଡିକ ଥାଏ । ସେଇଥିରୁ ବିଛଣା ଚାଦର ଖଣ୍ଡିକ ବାହାର କରି ଆଣି ମୁଁ ବାଲି ଉପରେ ବିଛେଇଦିଏ ଓ ତା’ ଉପରେ ଗଡ଼ିପଡ଼େ । ଚାଦର ଖଣ୍ଡିକ ମଳିଛିଆ ହେଇଯାଇଥାଏ; ମାତ୍ର ସେଇଟି ନ ବିଛେଇଲେ ନ ଚଳେ । କାରଣ, ବାଲିରେ ଥିବା ଛୋଟ ଛୋଟ ଗୋଡ଼ି ଦେହକୁ କାଟେ-। ସେ ରାତିଟା ମୋର ଖୁବ୍‌କଷ୍ଟରେ କଟିଲା । କିନ୍ତୁ ଏହାଠାରୁ ଅଧିକ ଆରାମ ଆଶା କରିବା ମୋ ପକ୍ଷେ ମୂର୍ଖାମି ହୋଇଥାଆନ୍ତା ।

 

ଥକିପଡ଼ିଥିବା ସତ୍ତ୍ୱେ ଆଖିକୁ ନିଦ ଆସୁ ନ ଥାଏ । ମୋର ଶାରୀରିକ ଅସୁସ୍ଥତା ମୋତେ ଶୁଆଇ ଦେଉ ନ ଥାଏ । ଆପଣ ଭାବିବେ ନାହିଁ ଯେ ମୋ ଘର-ପରିବାର, ସାଇନୁ, ମାଆ, ମୋର ଜନ୍ମ ହେଇ ନ ଥିବା ପୁଅ କିମ୍ବା ଝିଅ, ଅଥବା ମୋର ଦୁର୍ଭାଗ୍ୟ କଥା ଭାବି ମୁଁ ଚେଇଁଥିଲି । ନା, ସେକଥା ଆଦୌ ନୁହେଁ । ଏସବୁ ପ୍ରସଙ୍ଗ ମୋ ପାଇଁ ଅବାନ୍ତର ହୋଇପଡ଼ିଥିଲା, ଯେମିତି ମଲାଲୋକ ପାଇଁ ପୃଥିବୀଟା ଅବାନ୍ତର ହୋଇପଡ଼େ । ଆପଣ ପଚାରିବେ, ଏତେ ଶୀଘ୍ର କଅଣ ସବୁକିଛି ମୁଁ ଭୁଲିଗଲି ? ଏ ପ୍ରଶ୍ନର ଉତ୍ତର ହେବ - ହଁ । କାରଣ ମୁଁ ସେସବୁ ବିଷୟରେ ଭାବି କିଛି ଲାଭ ନ ଥିଲା । ବରଂ ଜାଣିଯାଇଥିଲି, ଭାବିହେଲେ ବାସ୍ତବ ପରିସ୍ଥିତିକୁ ଗ୍ରହଣ କରିନେବାରେ କଷ୍ଟ ହେବ । ନିଜର ଭାଗ୍ୟକୁ ଗ୍ରହଣ କରିନେବା ଛଡ଼ା ମଣିଷର ଅନ୍ୟ ଉପାୟ କିଛି ନାହିଁ । ଏଠାରୁ ଫେରିବାର ସବୁ ରାସ୍ତା ବନ୍ଦ । ଗୋଟିଏ ଦିନ ଭିତରେ ମୁଁ ଏ କଟୁସତ୍ୟ ବୁଝିଯାଇଥିଲି । ଚିନ୍ତା ଏବଂ ଉଦ୍‌ବେଗ ମୋ ଲାଗି ଅର୍ଥହୀନ ହୋଇପଡ଼ିଥିଲା । ମୋ ପାଇଁ ବାସ୍ତବତା ଥିଲା ଏହି ଭାଗ୍ୟହୀନ ବର୍ତ୍ତମାନ, ଏହି ଦୁର୍ଦ୍ଦଶା । ଏସବୁକୁ ଗ୍ରହଣ କରିନେଲେ ହିଁ ମୁଁ ବଞ୍ଚିପାରିବି, ନ ହେଲେ ବଞ୍ଚିବା ଅସମ୍ଭବ । କାରଣ, ଗ୍ରହଣ କରି ନ ପାରିଲେ ମୋର ଉଦ୍‌ବେଗ ବଢ଼ି ବଢ଼ି ଚାଲିବ ଏବଂ ଶେଷକୁ ତାହା ମୋତେ ମାରିଦେବ । ମୋ ଦୁଃଖ ହିଁ ମୋତେ ଶେଷ କରିଦେବ । ଏଠିକି ଆସି ବଞ୍ଚିରହିଥିବା ହତଭାଗ୍ୟମାନେ ମୋଅରି ପରି ନିଜର ସ୍ୱପ୍ନ ଓ ସମ୍ପର୍କ ସବୁକୁ ସମାଧି ଦେଇଥିବେ ।

 

ସେଦିନ ରାତିରେ ବାଲି ଉପରେ ଶୋଇ ଶୋଇ ମୁଁ କଅଣ ଚିନ୍ତା କରୁଥିଲି ସେକଥା ଆପଣ ଅନୁମାନ କରିପାରିବେ ? ମୁଁ ଭାବୁଥିଲି କାଲି ସକାଳେ କେମିତି ଉଠି ମୁଁ ଛେଳି ଗୁହାଳକୁ ଯାଇ କ୍ଷୀର ଦୁହିଁବି, କେମିତି ଛେଳିମାନଙ୍କୁ ନିଜ ନିୟନ୍ତ୍ରଣକୁ ଆଣିବି । ମୁଁ ବାଲ୍‌ଟି ଭର୍ତ୍ତି କ୍ଷୀର ଧରି ମସାରାରୁ ବାହାରିବାର ଦେଖି ବୁଢ଼ା ଓ ମୁନିବ ଉଭୟେ ଖୁସିରେ ମୋତେ କେମିତି ଅନେଇବେ, ଏକା ଏକା ମୁଁ ଛେଳିଗୁଡ଼ିଙ୍କୁ ନେଇ ପଡ଼ିଆରେ ଚରେଇ ପୁଣି ଗୁହାଳକୁ କିଭଳି ଫେରେଇ ଆଣିବି, ଗଲା କାଲି କୋଉଠି ମୋର କି କି ଭୁଲ୍‌ରହିଥିଲା ସେଗୁଡ଼ା ମନେପକାଇବି ଏବଂ ସେଇ ଭୁଲ୍‌ର ପୁନରାବୃତ୍ତି ଯେମିତି ନ ହୁଏ ସେ ଦିଗ ପ୍ରତି କିପରି ଧ୍ୟାନ ଦେବି- ମୁଁ ଏହିସବୁ କଥା ଚିନ୍ତା କରୁଥିଲି-

 

ମୁଁ ମୋର ଗତକାଲି କଥା ଭାବୁ ନ ଥିଲି କି ମୋର ଆସନ୍ତାକାଲି ଗୁଡ଼ାକ ବିଷୟରେ କିଛି ଚିନ୍ତା କରୁ ନ ଥିଲି । ଆଜି ଦିନଟି କେମିତି ବିତିବ ତାଆରି ଉପରେ ମୋର ସବୁ ଚିନ୍ତାଚେତନା କେନ୍ଦ୍ରୀଭୂତ ହୋଇ ରହିଥିଲା । ଛେଳି ଗୁହାଳର ଜୀବନ ଥିଲା ମୋର ବର୍ତ୍ତମାନ । ସେହି ହିଁ ମୋର ସବୁକିଛି ।

 

ମୁଁ ବିଛଣାରେ ଶୋଇ ଏପର୍ଯ୍ୟନ୍ତ ଶୁଣିଥିବା ଦରକାରୀ ଆରବୀ ଶବ୍ଦଗୁଡ଼ିକୁ ଗୁଣି ହେଉଥିଲି ଓ ମନେରଖିବାକୁ ଚେଷ୍ଟା କରୁଥିଲି । ମୋର ଏଠି ରହିବାର ମାତ୍ର ଦି’ଦିନ ହେଇଥିଲା । ତା’ ସତ୍ତ୍ୱେ ମୁଁ ଆବଶ୍ୟକଠାରୁ ଅଧିକ ଶବ୍ଦ ଶିଖିପାରିଥିବା ଅନୁଭବ କରୁଥିଲି ।

 

ଅରବବ୍‌ ମୁନିବ, ମାଲିକ

ମସାରା - ଛେଳିଘର, ଛେଳିଗୁହାଳ

ଖୁବୁସ୍‌ଏଠି ମୋତେ ଯେଉଁ ଖାଦ୍ୟଟି କେବଳ ମିଳିବ

 

ମାୟିନ - ଅତି ବିରଳ ତରଳ ପଦାର୍ଥ (ତାକୁ ‘ପାଣି’ କହି ମାମୁଲି କରିଦିଅନ୍ତୁ ନାହିଁ । କାରଣ ‘ମାୟିନ’ କହିଲେ ଏଠି ମୋ ମୁନିବ ଯାହା ବୁଝନ୍ତି ତାହା ପାଣି କହିଲେ ଆମେ ବୁଝୁଥିବା ଅର୍ଥ ସହ ଆଦୌ ସମାନ ନୁହେଁ ।)

 

ଗନମ୍‌ଛେଳି

ହାଲିବ - କ୍ଷୀର

ଥିବିନ୍‌ଘାସ

ବାର୍ସି - ପାଳ

ଜାମାଲ - ଓଟ

ଲା - ନାଁ

ଜୀ ହାଁ - ହଁ ମାଲିକ

ୟାଲାହା - ଏଠୁ ପଳା

 

ଏତିକି ଶବ୍ଦ ମନେପକାଇବା ପରେ ମୋର ଅନୁଭବ ହେଲା ଯେ ଆହୁରି କିଛି ଶବ୍ଦର ଆରବୀ ଅର୍ଥ ଜାଣିବା ମୋର ଉଚିତ ଥିଲା । ଯେମିତି ଗହମ, ବାଲ୍‌ଟି, କୁଣ୍ଡ, ବାଡ଼ି, ବନ୍ଧୁକ, ମରୁଭୂମି, ପୋଷାକ, ଗାଧୋଇବା, ପେଟ ଖରାପ ହେବା, ମଳ, ମାଡ଼, କ୍ରୋଧ, ତମ୍ବୁ ଏବଂ ଏସବୁ ସାଙ୍ଗକୁ କିଛି କ୍ରିୟାପଦ ଯେମିତି - ଆସିଲା, ଗଲା, କରି ନାହିଁ, ଜାଣି ନାହିଁ ଇତ୍ୟାଦି ।

 

ଆପଣଙ୍କ ଭିତରେ ଥିବା କେହି ଆରବୀ ବିଶାରଦ ଯଦି ମୋତେ ପଚାରନ୍ତି ଯେ ଉପରେ ମୁଁ ଯେଉଁ ଆରବୀ ଶବ୍ଦ ଓ ତାହାର ଅର୍ଥ ଲେଖିଛି ସେଗୁଡ଼ିକ କଅଣ ଠିକ୍‌, ତାହାହେଲେ ମୋଅର ଉତ୍ତର ହେବ - ମୁଁ ଜାଣେ ନାହିଁ । ମୁଁ ଯେମିତି ଶୁଣିଛି ସେମିତି ଲେଖିଛି । ଏଇ ଶବ୍ଦ ଶୁଣି ମୁଁ ତାହାର ଯେଉଁ ଅର୍ଥ ଅନୁମାନ କରିଛି ସେଇଆ ଲେଖିଛି । ସୁତରାଂ ମୋ ଜାଣିବାରେ ଏସବୁ ଠିକ୍‌ହେଇଥିବ । କାରଣ ଜଣେ ନିଜର ଭାବପ୍ରକାଶ ପାଇଁ ଭାଷାବିଶାରଦ ହେବା ପ୍ରୟୋଜନ ନାହିଁ-

 

ମୁଁ ଶୋଇ ଶୋଇ ଏହିସବୁ କଥା ଭାବୁଥିବାବେଳେ ସମୟ ତା’ ବାଟରେ ଗଡ଼ିଚାଲିଥିଲା-। ଧୀରେ ଧୀରେ ମୋର ଯନ୍ତ୍ରଣା ମଧ୍ୟ କମି ଯାଉଥିଲା । ମୋର କ୍ଳାନ୍ତ ଆଖିପତା ଯୋଡ଼ିକ ମୁଦିହେଇ ଆସିଲେ । ମୁଁ ଗାଢ଼ ନିଦ୍ରାରେ ଶୋଇପଡ଼ିଲି । ପରଦିନ ସକାଳ ଖରା ପଡ଼ିଲା ପରେ ଯାଇ ମୋ ନିଦ ଭାଙ୍ଗିଲା । ସୂର୍ଯ୍ୟ ଦେବତା ପୂର୍ବଦିଗରେ ନିଜ ଆଖି ଖୋଲିବାର ଅନେକ ସମୟ ବିତିଯାଇଥିଲା । ନିଦରୁ ଉଠି ମୁଁ ଖଟିଆ ଉପରକୁ ଚାହିଁଲି । ଖଟିଆ ଉପରେ ବୁଢ଼ା ନ ଥିଲା-। ସେ ବୋଧହୁଏ ସକାଳୁ ଶୀଘ୍ର ଉଠିପଡ଼ି କାମକୁ ଯାଇଥିବ - ମୁଁ ଭାବିଲି । ମୁଁ ଉଠିପଡ଼ି ଛେଳିଘରକୁ ଧାଇଁଲି । ବୁଢ଼ା ସବୁ ଛେଳି ଦୁହିଁସାରିବା ଆଗରୁ ମୋର ପହଞ୍ଚିବା ଦରକାର; ମାତ୍ର ବୁଢ଼ା ସେଠି ନ ଥିଲା ।

 

ସେପର୍ଯ୍ୟନ୍ତ ଛେଳିଙ୍କୁ ପାଣି କି ଦାନା ଦିଆଯାଇ ନ ଥିଲା କିମ୍ବା କୁଣ୍ଡରେ ପାଣି ଭର୍ତ୍ତି ହେଇ ନ ଥିଲା । ସବୁ କାମ ବାକୀ ପଡ଼ିଥିଲା । ସେମାନଙ୍କ ରୁଟିନ୍‌ଓଲମବିଲମ ହୋଇଯାଇଥିବାରୁ ଛେଳିଗୁଡ଼ିକ ଅସ୍ୱସ୍ତିବୋଧ କରି ଏପଟ ସେପଟ ହେଉଥିଲେ । ମୁଁ ଭାବିଲି, ବୁଢ଼ା ବୋଧହୁଏ ଅନ୍ୟ ଗୁହାଳେ ଥିବ । ମୁଁ ସେଇ ଗୁହାଳ ଆଡ଼େ ଯାଇ ତାକୁ ଖୋଜିଲି । ଏତେ ସକାଳୁ ସକାଳୁ ବୁଢ଼ା କୁଆଡ଼େ ଗଲା ? ମୋ ମନକୁ ନାନା ଚିନ୍ତା ଆସିଲା । ମୁଁ ବୁଢ଼ା ଖଟିଆ ତଳେ ନୋଇଁପଡ଼ି ଦେଖିଲି-। ପୂର୍ବଦିନ ମୁଁ ସେଇଠି ଗୋଟେ କୋଚଟ ପୁରୁଣା ବ୍ୟାଗ୍‌ଦେଖିଥିଲି । ସେଇଟା ବୁଢ଼ାର ହେଇଥିବ ବୋଲି ମୁଁ ଭାବିଥିଲି । ସେ ବ୍ୟାଗ୍‌ସେଠାରେ ନ ଥିଲା । ମୋ ମନରେ ସନ୍ଦେହ ଆହୁରି ବଢ଼ିବାରେ ଲାଗିଲା ।

 

ସେତିକିବେଳେ ମୋ ମୁନିବ ମୋ ପାଖକୁ ଆସିଲେ । ସେ ମୋତେ ବାଲ୍‌ଟି ଧରେଇଦେଇ ଛେଳି ଦୁହିଁବାକୁ ନିର୍ଦ୍ଦେଶ ଦେଲେ । ମୁଁ ତାଙ୍କ ଆଡ଼େ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲି । ମୁନିବ ମୋର ସେଭଳି ଚାହିଁବାର ଅର୍ଥ ନିଶ୍ଚୟ ବୁଝି ପାରିଥିବେ - ବୁଢ଼ା କୁଆଡ଼େ ଗଲା ? କାରଣ ସେ ଅନେକ ଗୁଡ଼ିଏ କଥା କହିଲେ । ତାଙ୍କ କଥାରେ ପ୍ରବଳ କ୍ରୋଧ, ଭର୍ତ୍ସନା ଏବଂ ଅଭିସମ୍ପାତ ମିଶିକି ଥିଲା । ତା’ ସହ କିଛି ନିର୍ଦ୍ଦୟତା ଏବଂ ଅପମାନଜନକ ଶବ୍ଦ ମଧ୍ୟ ମିଶିକି ଥିବା ମୁଁ ଅନୁଭବ କରୁଥିଲି ।

 

ତାଙ୍କ କଥାରୁ ମୁଁ ଏତିକି ଅନୁମାନ କଲି ଯେ କଙ୍କାଳ ପରି ଦିଶୁଥିବା ସେହି ବୁଢ଼ାଟି ଏହି ନର୍କରୁ ଖସି ପଳେଇ ଯାଇଛି !

 

ପନ୍ଦର

 

ମାତ୍ର ଦି’ ଦିନର ପରିଚୟ । ତାକୁ ପୁଣି ଠିକ୍‌ଅର୍ଥରେ ପରିଚୟ କୁହାଯିବ କି ନାହିଁ ସେ ନେଇ ମୋର ସନ୍ଦେହ ଥିଲା । ତଥାପି ଜୀବନ୍ତ କଙ୍କାଳ ପରି ଦିଶୁଥିବା ବୁଢ଼ାଲୋକଟି ସହ ମୋର କେମିତି ଗୋଟିଏ ସମ୍ପର୍କ ଗଢ଼ିଉଠିଥିଲା । ମୁଁ ତା’ର ନାଁ ଜାଣି ନ ଥିଲି, ତା’ ଗାଁ କି ପ୍ରଦେଶ ବିଷୟରେ କିଛି ଜାଣି ନ ଥିଲି । ଆମ ଭିତରେ ଅଳ୍ପ କେଇଟି ଶବ୍ଦ ବିନିମୟ ହେଇଥିଲା ଯାହା । ତଥାପି ସେ ଚାଲିଯାଇଥିବା ଖବର ପାଇ ମୋ ମନ ଭୀଷଣ ଦୁଃଖ ହେଲା । ମୁଁ ଏ ଦୁଃଖର କାରଣ ମଧ୍ୟ ବୁଝିପାରିଥିଲି । ଏହାର କାରଣ ହେଉଛି ନିର୍ମମ ନିଃସଙ୍ଗତା । ମୋତେ ହଠାତ୍‌ଅବଶ ଲାଗିଲା-। କିଛି ଭଲ ଲାଗିଲା ନାହିଁ । ଜଣକର ବାପ, ମାଆ କିମ୍ବା ସନ୍ତାନ ମରିଯିବାର ଖବର ପାଇଲେ ଯେମିତି ସେ ଭାଙ୍ଗିପଡ଼େ ମୋତେ ସେଇଭଳି ଲାଗୁଥିଲା । ମାତ୍ର ମୋତେ ଏ ଦାରୁଣ ଦୁଃସମ୍ବାଦ ଦେଇଥିବା ମୋ ମୁନିବଙ୍କ ମନରେ ସେପରି କୌଣସି ଭାବାନ୍ତର ନ ଥିଲା । ସେ ପଳେଇଲା - ସେତିକି ହିଁ ଖବର । କୁଆଡ଼େ, କେମିତି ଏବଂ କାହା ସାଙ୍ଗରେ ବୁଢ଼ା ପଳେଇଲା ? ନା, ସେ ଏସବୁ ବିଷୟରେ ଆଉ କିଛି ଜାଣିବାଲାଗି ଆଗ୍ରହୀ ନ ଥିଲେ ।

ମୁନିବଙ୍କର ଏ ଧରଣର ଅପ୍ରତ୍ୟାଶିତ ଓ ଅନାସକ୍ତ ବ୍ୟବହାରରୁ ମୁଁ ଗୋଟେ ଆଶାର କିରଣ ଦେଖୁଥିଲି । କାଲି ଯଦି ମୁଁ ବି ଏହି ବୁଢ଼ା ପରି ପଳାଇଯାଏ, ତାହାହେଲେ ମୁନିବ ଆଜି ଭଳି ନିର୍ବିକାର ରହିବେ । କାରଣ ବୁଢ଼ା ଗଲାପରେ ତା’ କାମ କରିବାଲାଗି ମୁଁ ନଜିବ୍‌ଅଛି । ନଜିବ୍‌ପଳେଇଗଲେ ଆଉ କିଏ ଆସିବ । ତାଙ୍କ କାମ ତ ଅଟକି ରହିବ ନାହିଁ !

କିନ୍ତୁ ମୋର ପ୍ରଥମ ଦିନର ଅଭିଜ୍ଞତା ମୋତେ ଏସବୁ ବିଶ୍ୱାସ କରିବାକୁ ଦେଉ ନ ଥିଲା-। ସେଦିନ ମୋ ମୁନିବ ଆକାଶର ପକ୍ଷୀକୁ ତାଙ୍କ ବନ୍ଧୁକରେ ଗୁଳିକରି ମୋତେ ଜଣାଇ ଦେଇଥିଲେ ଯେ ମୁଁ ଯଦି ଏଠୁ ଖସି ପଳେଇବାକୁ ଚେଷ୍ଟା କରେ ତାହାହେଲେ ମୋଅର ଅବସ୍ଥା ସେ ଚଢ଼େଇ ପରି ହେବ । ସେ ମୋତେ ତାଙ୍କ ବାଇନୋକୁଲାର୍‌ର ସାମର୍ଥ୍ୟ ବି ଦେଖେଇ ସାରିଥିଲେ । ମୁଁ ଯେତେ ଦୂରକୁ ଗଲେ ବି ସେ ବାଇନୋକୁଲାର୍‌ସହାୟତାରେ ମୋତେ ଦେଖିପାରିବେ ଏବଂ ଧରି ଆଣି ପାରିବେ । ସେ ମୋତେ ଏଠୁ କଦାପି ଛାଡ଼ିବେ ନାହିଁ । ଏଇ ନର୍କରେ ପଡ଼ି ପଡ଼ି ମୋ ଜୀବନ ଯିବ । ମୁଁ ବୁଢ଼ାଲୋକଟିର ଆଖିରେ ଏହି ଭୟ ବରାବର ଲକ୍ଷ୍ୟ କରିଥିଲି । ତାହାର ପ୍ରତି ଶବ୍ଦରେ ସେ ଯେପରି ମୋତେ କହିବାକୁ ଚାହୁଥିଲା - ଏଠୁ ପଳେଇଯିବା ଲାଗି କେବେ ଚେଷ୍ଟା କରିବୁ ନାହିଁ-। ଯଦି ସେମିତି କରୁ, ତାହାହେଲେ ଏ ନୃଶଂସ, ନିର୍ଦ୍ଦୟ ମାଲିକ ତୋତେ ମାରିଦେବ । ମୋତେ ଏତେସବୁ କହି ସତର୍କ କରିଦେଇଥିବା ବୁଢ଼ା ନିଜେ କେମିତି ଖସି ପଳେଇଲା ? ମିଥ୍ୟାବାଦୀ ! ସେ ମୋ ଆସିବାକୁ ଅପେକ୍ଷା କରି ରହିଥିଲା । ମୋତେ କାମତକ ଧରେଇଦେଇ ସେ ନିଜ ବାଟରେ ଖସି ପଳେଇଗଲା । ସେ ମୋତେ ମିଛକଥା ଗୁଡ଼ିଏ କହି ଡରାଇଥିଲା, କାରଣ ମୁଁ ଯେମିତି ପଳେଇ ଯିବା ଲାଗି ଚେଷ୍ଟା କରିବି ନାହିଁ । ମୁନିବ ସେମିତି ନିର୍ଦ୍ଦୟ ହେବେ କାହିଁକି ? ସିଏ ତ ବେଶ୍‌ଥଣ୍ଡା ମଣିଷ । ବୁଢ଼ାର ପଳେଇଯିବା ଖବର ଜାଣିବା ପରେ ସୁଦ୍ଧା ସେ କେତେ ଶାନ୍ତ ଅଛନ୍ତି ! ସଦାବେଳେ ତାଙ୍କ ମୁହଁରେ ଯେଉଁ ବିରକ୍ତି ଭାବ ଥାଏ ସେତକ ବି ଆଜି ଦିଶୁନାହିଁ । ଖାଲି ଗୋଟେ ଚିହ୍ନା ଲୋକକୁ ହରେଇବାର ସାମାନ୍ୟ ଚିନ୍ତା, ତାହା ପୁଣି ବେଶି ନୁହେଁ, ଯାହା ତାଙ୍କ ମୁହଁରେ ଟିକିଏ ଲାଖିଛି ।

ବୁଢ଼ା କଥା ଛାଡ଼ି ମୁଁ ମୋ କଥା ଚିନ୍ତା କଲି । କେତେଟା କାରଣରୁ ମୋତେ ଏବେ ଟିକିଏ ଭଲ ଲାଗୁଥିଲା । ପ୍ରଥମ କଥା ହେଲା, ବୁଢ଼ାଟି ଯଦି ଏଠୁ କୌଣସିମତେ ଖସି ପଳେଇଯାଇପାରିଲା ତାହାହେଲେ ମୁଁ ମଧ୍ୟ ଦିନେ ଖସିଯାଇ ପାରିବି । ସେଇଟା କଦାପି ଅସମ୍ଭବ ନୁହେଁ । ତାହାଠୁ ବଡ଼ କଥା, ବୁଢ଼ା ଗଲା ପରେ ସେ ବ୍ୟବହାର କରୁଥିବା ଖଟିଆଟି ଏବେ ମୋ ଦଖଲକୁ ଆସିଗଲା, ମୋତେ ଆଉ ବାଲି ଉପରେ ଶୋଇବାକୁ ପଡ଼ିବ ନାହିଁ ।

ଏଭଳି ଆଶାଜନକ କେତୋଟି କଥା ମନକୁ ଆସିବା ଯୋଗୁଁ ମୋତେ ଟିକିଏ ଆଶ୍ୱସ୍ତ ଲାଗିଲା । ମୁଁ ଛେଳି ଗୁହାଳକୁ ଯାଇ କେତୋଟି ଛେଳିଙ୍କୁ ଦୁହିଁଲି । ମୋର ଏ ଦିଗରେ ବିଶେଷ ଅଭିଜ୍ଞତା ଆସି ନ ଥିଲେ ବି ସେଦିନ ମୁଁ ପୂର୍ବାପେକ୍ଷା ଭଲ ଭାବରେ ଏ କାମ କରିପାରିଲି । ଛେଳିମାନେ ମୋତେ ପୂର୍ବଦିନ ପରି ବାରମ୍ବାର ନାତ ମାରିଲେ ନାହିଁ । ଆଗଦିନ ତୁଳନାରେ ସତରେ ମୁଁ ବେଶ୍‌ଅଭିଜ୍ଞ ହୋଇଯାଇଥିଲି । ତେବେ ବୁଢ଼ା ପରି ଅଭିଜ୍ଞ ହେବା ପାଇଁ ନିଶ୍ଚୟ କିଛି ସମୟ ଲାଗିବ ।

ମୁଁ ଦୁହିଁଥିବା କ୍ଷୀରରୁ କିଛି ନେଇ ମୋ ମାଲିକଙ୍କୁ ଦେଲି ଏବଂ ଅବଶିଷ୍ଟ ଛେଳିଛୁଆମାନଙ୍କ ଗୁହାଳରେ ଥୋଇଦେଇ ଆସିଲି । ତା’ପରେ ଅନ୍ୟ କାମଗୁଡ଼ିକ କରିବସିଲି । ଆଜି ମୋତେ ଦି’ଜଣଙ୍କ କାମ ଏକାକୀ କରିବାକୁ ପଡ଼ିଲା । ଛେଳିଙ୍କ କଥା ବୁଝିବା ପରେ ଓଟମାନଙ୍କୁ ଖାଇବାକୁ ଦେଇ ଗୁହାଳରୁ ଖୋଲିଦେବାକୁ ହେବ । ମୁଁ ସଭିଙ୍କୁ ଆବଶ୍ୟକଠାରୁ ଅଧିକ ଘାସ, ଗହମ ଓ ଚୋକଡ଼ ଦେଲି ଏବଂ କୁଣ୍ଡଗୁଡ଼ିକରେ ପାଣି ଭର୍ତ୍ତି କଲି । ଏହା ଭିତରେ ଗୋଟେ ପାଣିଟାଙ୍କି ଗାଡ଼ି ଆସିଲା । ମୁଁ ସେ ଗାଡ଼ିବାଲାକୁ ଆମ କୁଣ୍ଡଗୁଡ଼ିକ ଭର୍ତ୍ତି କରିବାରେ ସାହାଯ୍ୟ କଲି-। ତା’ପରେ ଘାସ ଗାଡ଼ି ଆସିଲା । ତା’ ଡ୍ରାଇଭରକୁ ମଧ୍ୟ ଘାସବିଡ଼ାଗୁଡ଼ାକ ଉତାରିବାରେ ସାହାଯ୍ୟ କଲି । ମୁଁ ଯେତେ କାମ କଲେ ବି କାମ ସରୁ ନ ଥିଲା । ଛେଳିସବୁ ବାହାରକୁ ଚରେଇ ନେବା ବେଳ ହେଇ ଆସିଲାଣି । ମାତ୍ର ସେତେବେଳକୁ ମୁଁ ଅନ୍ୟ ଗୁହାଳଗୁଡ଼ିକରେ ଘାସ ଓ ପାଣି ଦେଇସାରି ନ ଥାଏ । ତମ୍ବୁ ଭିତରେ ବସି ମୋ ମାଲିକ ମୋ କାମ ଦେଖୁଥାଆନ୍ତି । ଗୋଟାଏ ମୁହୂର୍ତ୍ତ ବି ମୋ ପାଖରେ ଫୁରୁସତ ନ ଥାଏ । ତଥାପି ସେ ମୋ ଉପରେ ବିଗୁଡ଼ୁଥାଆନ୍ତି - କାହିଁକି ମୁଁ ଏଯାଏ ଛେଳିମାନଙ୍କୁ ଚରେଇବା ଲାଗି ନେଇନାହିଁ । ମୁଁ ମୋ ଭାଷାରେ କହିଲି ଯେ ଏକଲା ମଣିଷ ମୁଁ ଏହାଠୁ ଅଧିକ କାମ କରିପାରିବି ନାହିଁ । ମାଲିକ ମୋ କଥା ଶୁଣି ରାଗିଗଲେ । ଅଣ୍ଟାରୁ ବେଲ୍‌ଟ୍‌ଖୋଲି ମୋତେ ପିଟିବାକୁ ଲାଗିଲେ । ମୋ ବେକ ପଛରେ ଜୋର୍‌ରେ ପାହାରଟାଏ ବାଜିଲା । ଜୀବନ ଛାଡ଼ିଯିବ କି ? ମୋର ମନେହେଲା ଏ ପାହାରର ଦରଜ ଛଅ ମାସ ଯାଏ ମୋତେ ଛାଡ଼ିକି ଯିବ ନାହିଁ । ମୁଁ ସେଇଠି ବିକଳରେ ଚିତ୍କାର କରୁଥାଏ, ମୋ ମାଲିକ କିନ୍ତୁ ବକର ବକର ହୋଇ ତାଙ୍କ ରାସ୍ତାରେ ଚାଲିଗଲେ । ତାଙ୍କ କଥାର ଅର୍ଥ ଥିଲା, ତୁ ଆସିବା ଆଗରୁ ସବୁ କାମ ସେଇ ବୁଢ଼ା ଏକାକୀ କରୁଥିଲା କେମିତି ! ସମୟେ ସମୟେ ଅପରିଚିତ ଭାଷା ବି ସ୍ପଷ୍ଟ ଭାବରେ ବୁଝିହୁଏ । ମୁଁ କାନ୍ଦି କାନ୍ଦି ସେଠୁ ଦୌଡ଼ି ପଳେଇଲି ଓ ବାକୀ କାମଗୁଡ଼ାକୁ ସାରିବାରେ ଲାଗିଲି । ସେତେବେଳ ପର୍ଯ୍ୟନ୍ତ ମୁଁ ସକାଳ ଖାଇବା ଖାଇ ନ ଥାଏ କି ମୋ ମାଲିକ ମୋତେ ଖାଇବା କଥା କହୁ ନ ଥାଆନ୍ତି ।

ମୁଁ ଦିଇଟା ଗୁହାଳର ଛେଳିଙ୍କୁ ଚରାଇ ଫେରିବାବେଳକୁ ମାଲିକ କହିଲେ ଯେ, “ଗୋଟେ ଗାଡ଼ି ଆସିଛି ଓ ସେଇଟି କିଛି ଛେଳିଙ୍କୁ ନେଇ ବଜାରକୁ ଯିବ ! ବଡ଼ ବଡ଼ ଛେଳିଗୁଡ଼ାଙ୍କୁ ତୁ ସେ ଗାଡ଼ିରେ ଚଢ଼େଇଦେବୁ ।’’ ମୋର ଆର ମାଲିକ ଗାଡ଼ିନେଇ ଆସିଥିଲେ । ଦି’ ଜଣଙ୍କ ଭିତରେ ସିଏ ବଡ଼ । ମୋତେ ସାହାଯ୍ୟ କରିବାକୁ କେହି ନ ଥାନ୍ତି । ମୁଁ ଛେଳି ଗୁହାଳକୁ ଗଲି । ମାଲିକ ଦି’ ଭାଇ ବାହାରେ ଛିଡ଼ାହେଇ କେଉଁ ଛେଳିକୁ ଧରିବାକୁ ହେବ ଅଙ୍ଗୁଳି ଇସାରାରେ ମୋତେ ବତଉଥାଆନ୍ତି । ଯେ ଯେଉଁଟାକୁ ଧରିବା ଲାଗି ନିର୍ଦ୍ଦେଶ ଦେଉଥାଆନ୍ତି ମୁଁ ତାକୁ ଧରିବାକୁ ଯାଉଥାଏ । ମାତ୍ର ପୋଖରୀର ଶେଉଳ ମାଛ ପରି ଛେଳିଗୁଡ଼ିକ ମୋ ହାତରୁ ଖସିଯାଉଥାଆନ୍ତି । ଏମାନଙ୍କୁ କେମିତି ଧରିବି ? ତାଙ୍କ ବେକରେ ଦଉଡ଼ି ନାହିଁ ଯେ ଭିଡ଼ିକି ଧରିପାରିବି । ପୁଣି ତାଙ୍କୁ ଟେକିକି ନେଇ ଗାଡ଼ିରେ ଚଢ଼େଇବାକୁ ହେବ । ମୋ ଦେହରେ ଏତେ ବଳ ନ ଥିଲା ଯେ ବଡ଼ ବଡ଼ ଛେଳିଙ୍କୁ ଟେକି ଟେକି ନେଇ ଗାଡ଼ି ଡାଲା ଉପରକୁ ଚଢ଼େଇପାରିବି । ଛେଳିଗୁଡ଼ାକ କେହି ମନକୁ ମନ ଗାଡ଼ି ଉପରକୁ ଉଠୁ ନ ଥାନ୍ତି । ଏହି ଅବସ୍ଥାରେ ମାଲିକଙ୍କ ଦରକାର ମୁତାବକ ଛେଳି ‘ଲୋଡ୍‌’ କରିବାଲାଗି ଯେ ମୋତେ କେତେ କଷ୍ଟ କରିବାକୁ ପଡ଼ିଲା ସେକଥା ଏକା ମୁଁ ଜାଣେ ! କାରଣ ଦି’ ତିନିଟା ଛେଳି ଚଢ଼ାଇ ସାରିଲା ବେଳକୁ ମୋ ଅବସ୍ଥା ଢିଲା ହେଇସାରିଥିଲା । ମାତ୍ର ମାଲିକ ଦିହେଁ ସେକଥା ବୁଝୁ ନ ଥାନ୍ତି । ସିଏ ଦି’ଜଣ ଖାଲି ଛିଡ଼ାହେଇ ଏଇଟା, ସେଇଟା, ଏଇଟା, ସେଇଟା ଏମିତି ନିର୍ଦ୍ଦେଶ ଦେଇ ଚାଲିଥାଆନ୍ତି । ଭୁଲ୍‌ରେ ଯଦି ମୁଁ ଆଉ ଗୋଟାକୁ ଧରୁଥିଲି ତାହାହେଲେ ଦି’ଜଣ ବିଗିଡ଼ିଯାଇ ଚିତ୍କାର କରୁଥିଲେ - ହିମାର, ମାଫି ଆସ୍ୱାଦ, ଅବିୟାଦ୍‌, ଅବିୟାଦ୍‌ । ସେଇଥିରୁ ମୁଁ ଜାଣୁଥିଲି ଯେ ମୁଁ ଭୁଲ୍‌ଛେଳିଟାକୁ ଧରିଛି । ସାଙ୍ଗେ ସାଙ୍ଗେ ତାକୁ ଛାଡ଼ି ଆଉ ଗୋଟେ ବଡ଼ ଛେଳି ଧରୁଥିଲି । ମାତ୍ର ମୁନିବ ତଥାପି ରାଗିଯାଇ ଚିତ୍କାର କରି ଉଠୁଥିଲେ - ହିମାର, ମୁଖ ମାଫି ଇନ୍‌ତି, ଆଦି ଆବିୟାଦ । କେବଳ ସେତିକି ନୁହେଁ, ମଝିରେ ମଝିରେ ସେମାନେ ମୋତେ ବେଲ୍‌ଟ୍‌ରେ ପିଟୁଥିଲେ । ମୋର ଅପରାଧ, ମୁଁ ତାଙ୍କ କଥା ଅନୁସାରେ କାମ କରିପାରୁନାହିଁ । ଏମିତି କେତେଥର ଗାଳି ଓ ମାଡ଼ ଖାଇବା ପରେ ଜାଣିଲି ଯେ ଗୋଟେ ଧଳା ଅଣ୍ଡିରା ଛେଳିକୁ ନେବା ପାଇଁ କହୁଥିଲେ । ବଡ଼ କଷ୍ଟରେ ସେ ଛେଳିକୁ ଟାଣି ଟାଣି ନେଇ ଗାଡ଼ିରେ ଉଠେଇଲି । ତା’ପରେ ମୁନିବ ପୁଣି ଥରେ ଗୁହାଳ ଭିତରକୁ ଯିବାକୁ କହିଲେ । ଏଥର ସେ କହିଲେ, ‘ଅସାଦ’ । ମୁଁ ନ ବୁଝିପାରି ସେଇ ପୁରୁଣା ଭୁଲ୍‌ର ପୁନରାବୃତ୍ତି କଲି । ମାତ୍ର ଏଥର ସେ ଗୋଟେ କଳା ଛେଳିକୁ ଦେଖଉଥିଲେ । ଏମିତି ହେଇ ହେଇ ମୁଁ କୋଡ଼ିଏଟି ଛେଳିଙ୍କୁ ଗାଡ଼ିରେ ଚଢ଼େଇଲି । ସେତକ କରିସାରିଲା ବେଳକୁ ମୋର ଦରମରା ଅବସ୍ଥା । ମୁଁ ମୋ ଦୁର୍ଦ୍ଦଶା ପାଇଁ ନିଜ ସମେତ ଆଉ କେତେକଙ୍କୁ ମନେ ମନେ ବହେ ଗାଳିଦେଲି । ବୁଢ଼ା ଏଠୁ ଖସି ପଳେଇଗଲା । ଅଥଚ ମୁଁ ଏଠି ଖଟି ଖଟି ମରୁଛି । ମୋ ବେକମୂଳର ଚାବୁକ ପାହାର ଆଘାତ କଷ୍ଟ ଦେଉଥାଏ । ସେଦିନ ଆଉ ଗୋଟେ ଶାସ୍ତି ମିଳିଲା - ଦି’ପହର ପର୍ଯ୍ୟନ୍ତ ମୋତେ ଉପବାସରେ ରହିବାକୁ ହେଲା ।

 

ଷୋହଳ

 

ମୁଁ ଧୀରେ ଧୀରେ ସବୁକଥା ଶିଖୁଥିଲି । କେମିତି ଏକା ଏକା ଆଗରୁ କେବେ କରି ନ ଥିବା କାମ ମୁଁ ଦକ୍ଷତାର ସହ କରିପାରିବି ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଥିଲି । ସବୁଠାରୁ ବଡ଼କଥା, ଗୋଟେ ଅସାଧାରଣ ପରିସ୍ଥିତି ଓ ପରିବେଶ ସହ ନିଜକୁ ଖାପ ଖୁଆଇନେବା ଲାଗି ମୁଁ ଉଦ୍ୟମ କରୁଥିଲି । ଏମିତି କରିବା ବ୍ୟତୀତ ମୋ ପାଖରେ ଅନ୍ୟ କିଛି ବିକଳ୍ପ ନ ଥିଲା । ମୁଁ ନିଜକୁ ସମ୍ପୂର୍ଣ୍ଣ ଅସହାୟ ଅନୁଭବ କରୁଥିଲି । କାରଣ ମୁଁ ଜାଣିସାରିଥିଲି ଯେ ଏଠି ମୁନ୍ଦାଏ ପାଣି ପିଇବାକୁ ପାଇବାଲାଗି ଅଣ୍ଟାଭଙ୍ଗା ପରିଶ୍ରମ କରିବାକୁ ପଡ଼ିବ । ସେଭଳି ପରିଶ୍ରମ କରୁ କରୁ ମରିଗଲେ ସୁଦ୍ଧା ଏଠି ମୋ ପାଇଁ ଚିନ୍ତା କରିବା ଲାଗି କେହି ନାହିଁ ।

 

ବୁଢ଼ା ଚାଲିଯିବା ଆଗରୁ ତା’ ସହ କେଇଟା ଦିନ କାମ କରିଥିବାରୁ ଏବେ ସେସବୁ କାମ ନିଜେ ନିଜେ କରିପାରିବି ବୋଲି ମୋର ଆତ୍ମବିଶ୍ୱାସ ଆସୁଥିଲା । କ୍ଷୀର ଦୁହିଁବା ଏବଂ ଛେଳିଙ୍କୁ ଚରାଇନେଇ ପୁଣି ଫେରାଇ ଆଣିବା ଟିକେ କଷ୍ଟକର ମନେ ହେଉଥିଲା । ଅନ୍ୟ କାମଗୁଡ଼ାକ ଜଣେ ଅନ୍ଧଲୋକ ବି କରିପାରିବ । ସେଥିପାଇଁ କେବଳ ସୁସ୍ଥସବଳ ଶରୀର ଏବଂ ସାହସ ଲୋଡ଼ା । ଅନ୍ତତଃ ଏସବୁ କାମ ବାବଦରେ ମୋ ଧାରଣା ଏଇଆ ଥିଲା । ମାତ୍ର ଧୀରେ ଧୀରେ ମୋତେ ଆହୁରି ଅନେକ କଥା ଶିଖିବାକୁ ପଡ଼ିଲା । ଛେଳିଙ୍କୁ କେମିତି ପାଳିବାକୁ ପଡ଼ିବ, ଓଟମାନଙ୍କର ଅଭ୍ୟାସ ସବୁ କଅଣ କଅଣ ଏବଂ ଛେଳିମାନେ କେତେବେଳେ କଅଣ ଆଶା କରନ୍ତି ଏସବୁ ଅଭିଜ୍ଞତାରୁ ଶିଖିବାକୁ ପଡ଼ିଲା ।

 

ମୋର ସେଠି ପହଞ୍ଚିବାର ପ୍ରାୟ ସପ୍ତାହେ ବିତିଥିବ, ଥରେ ମୁଁ ଛେଳି ଚରେଇନେଇ ଯାଉଥିବା ବେଳେ ଦେଖିଲି, ଗୋଟେ ମାଆ ଛେଳିର ପେଟ ଫୁଲିଲା ପରି ଦିଶୁଛି । ଏଇଟା ଗର୍ଭବତୀ ହେବାର ଲକ୍ଷଣ । ସାଇନୁ ପେଟରେ ପିଲା ଥିବାବେଳେ ସେ ଏମିତି ଦିଶୁଥିଲା, ଧୀରେ ଧୀରେ ଚାଲୁଥିଲା । ଏକଥା ଦେଖି, ତାକୁ ଚରେଇବାକୁ ନେବି କି ନ ନେବି ସେ ବିଷୟରେ ମୁଁ ମାଲିକଙ୍କୁ ପଚାରିଥିଲି । ସେ କହିଥିଲେ - ହଁ ନେଇଯାଆ । ତେବେ ଅଧାବାଟ ଚାଲିଲା ପରେ ସେ ଛେଳିଟି ମୋ’ଠାରୁ ପଛରେ ରହିଗଲା ଏବଂ ତଳେ ଶୋଇଗଲା । ଆଶ୍ଚର୍ଯ୍ୟ ହେଇ ମୁଁ ତା’ ପାଖରେ ଠିଆହେଇ ରହିଲି । କିଛି ସମୟ ପରେ ଛେଳିଟି ଆର୍ତ୍ତ ଚିତ୍କାର କଲା ଏବଂ ଭିଡ଼ିମୋଡ଼ି ହେଲା । ସେତେବେଳେ ଯାଇ ମୁଁ ଜାଣିଲି ଯେ ତାହାର ଗର୍ଭ ବେଦନା ଆରମ୍ଭ ହେଇଯାଇଛି । ମୁଁ ତାକୁ ଗୁହାଳ ଭିତରକୁ ନେବା ପାଇଁ ଚେଷ୍ଟା କଲି; ମାତ୍ର ତିନି ଚାରି ପାହୁଣ୍ଡ ଚାଲିବା ପରେ ସେ ପୁଣି ପଡ଼ିଗଲା । ଇତ୍ୟବସରରେ ଅନ୍ୟ ଛେଳିଗୁଡ଼ିକ ମରୁଭୂମିରେ ଏଣେତେଣେ ଖେଳିଗଲେଣି । ଗୋଠ ହେଇ ଚରୁଥିବା ପର୍ଯ୍ୟନ୍ତ ଛେଳିମାନଙ୍କୁ ସମ୍ଭାଳିବା କଷ୍ଟକର ନୁହେଁ; ମାତ୍ର ଥରେ ଇଆଡ଼େ ସିଆଡ଼େ ଖେଳିଗଲେ ବଡ଼ ସମସ୍ୟା । ତାହାପରେ ସେମାନଙ୍କୁ ଏକାଠି କରିବା ଖୁବ୍‌କଷ୍ଟକର ବ୍ୟାପାର । ସେଇଥିପାଇଁ ପ୍ରଥମଦିନରୁ ମୋତେ ବୁଢ଼ା ଶିଖେଇଥିଲା ଯେ ଛେଳିଗୁଡ଼ାକୁ ସବୁବେଳେ ଧାଡ଼ିରେ ରଖିବୁ ଓ ଗୋଟିଏ ଜାଗାରେ ତାଙ୍କୁ ଗୋଠ କରାଇବୁ । ଅଲଗା ଅଲଗା ଯିବାକୁ ଛାଡ଼ିବୁ ନାହିଁ ।

 

ତେବେ ମୁଁ କିଛି କରିବା ଆଗରୁ ପଚାଶଟା ଯାକ ଛେଳି ପଚାଶ ଆଡ଼େ ପଳେଇ ଯାଇଥିଲେ । ମୁଁ କଅଣ କରିବି ଚିନ୍ତା କରିପାରିଲି ନାହିଁ । ପ୍ରସବ ଯନ୍ତ୍ରଣାରେ ଛାଟିପିଟି ହେଉଥିବା ଏଇ ମାଆ ଛେଳିଟି କଥା ବୁଝିବି ନା ଆର ଛେଳିମାନଙ୍କୁ ଆଡ଼େଇ ଆଣିବାଲାଗି ଯିବି । ଶେଷରେ ମୋର ମେଷଶାବକ ଗପ କଥା ମନେପଡ଼ିଲା, ଯିଏ ହଜିଯାଇଥିବା ଗୋଟେ ମେଷକୁ ଖୋଜି ଆଣିବାଲାଗି ଆର ଅଣଚାଶ ଛେଳିଙ୍କୁ ଛାଡ଼ିକି ଯାଇଥିଲା । ମୁଁ ବି ସେଇ ନିୟମ ମାନିଲି । ପ୍ରସବ ଯନ୍ତ୍ରଣାରେ ଛାଟିପିଟି ହେଉଥିବା ଛେଳିଟି ପାଖରେ ରହିଲି ।

 

ଛେଳି କଥା ଦୂରେ ଥାଉ, ଆଗରୁ କୌଣସି ପଶୁକୁ ଛୁଆ ଜନ୍ମ ଦେବାର ଦୃଶ୍ୟ ମୁଁ ଦେଖି ନ ଥିଲି । ସେଥିପାଇଁ ପ୍ରସବ ଯନ୍ତ୍ରଣାରେ ଛାଟିପିଟି ହେଉଥିବା ଏଇ ମାଆ ଛେଳିର କି ପ୍ରକାର ସାହାଯ୍ୟ ଦରକାର ସେକଥା ମୁଁ ବୁଝିପାରୁ ନ ଥିଲି । ଆମ ଘରେ କୌଣସି ପୋଷା ପଶୁ ନ ଥିଲେ କି ପଡ଼ିଶା ଘରର କୌଣସି ପୋଷା ପଶୁଙ୍କ କଥା ବୁଝିବାଲାଗି ମୋର ସମୟ ନ ଥିଲା । ସେଥିପାଇଁ ମୁଁ ଏହି ଛେଳିଟି ପାଖରେ ଛିଡ଼ାହୋଇ ତାକୁ ଦେଖିବା ବ୍ୟତୀତ ଆଉ ତାହାର କୌଣସି ପ୍ରକାର ସାହାଯ୍ୟରେ ଆସିପାରୁ ନ ଥିଲି । କିଛି ସମୟ ପରେ ଗୋଟେ ଛୁଆ ଛେଳିର ମୁଣ୍ଡ ଦିଶିଲା-। ମୁଁ ଭୟାର୍ତ୍ତ ଆଖିରେ ଦେଖୁଥାଏ । ତାହାପରେ ମୁଁ କୁଣ୍ଠାର ସହ ଛୁଆ ଛେଳିଟାକୁ ବାହାରକୁ ଆସିବା କାମରେ ସାହାଯ୍ୟ କରିବାଲାଗି ହାତ ବଢ଼େଇଲି । ମାତ୍ର ମୁଁ ସାହାଯ୍ୟ କରିପାରିଲି ନାହିଁ । ଛୁଆଟିର ଦେହ ଏତେ ପତଳା ଓ ଦୁର୍ବଳ ଥିଲା ଯେ ତାକୁ ମୁଁ ଧରିପାରିଲି ନାହିଁ । ସେ ମୋ ହାତରୁ ଖସି ପଡ଼ିଲା ।

 

ତାହାପରେ ହଠାତ୍‌କେମିତି ମୋର ମନେପଡ଼ିଲା ଯେ ଛେଳିର ମାଆ ନାଡ଼କୁ କାଟି ଅଲଗା କରିବାକୁ ପଡ଼ିବ । ମୁଁ ଛେଳି ଛୁଆଟିର ମୁହଁ ଓ ଦେହକୁ ମୋ ହାତରେ ସଫା କରିଦେଲି । ଲକ୍ଷ୍ୟ କଲି, ଛେଳି ମାଆଟି ମୋ ଅପେକ୍ଷା ତା’ ଛୁଆର କଥା ବୁଝିବା ଦିଗରେ ଅଧିକ ସଚେତନ ଥିଲା । କେଇ ସେକେଣ୍ଡ୍‌ପରେ ସେ ଉଠି ତା’ ଛୁଆଟିକୁ ଚାଟିବାକୁ ଲାଗିଲା ଓ ଚାଟିଚୁଟି ତାକୁ ସଫା କରିଦେଲା । ଜନ୍ମ ହେବା ପରେ ପରେ ଛେଳିଛୁଆଟି ଛିଡ଼ାହେବାକୁ ଚେଷ୍ଟା କରୁଥିଲା ଏବଂ କେତେଥର ଲଡ଼ବଡ଼ ହୋଇ ଶେଷରେ ସେଥିରେ ସଫଳ ହେଲା । ତା’ପରେ ସେ ତା’ ମାଆ ପହ୍ନା ପାଖକୁ ଘୁଞ୍ଚିଗଲା । ମୁଁ ଦେଖିଲି, ସେଇଟି ଗୋଟେ ଅଣ୍ଡିରା ଛେଳିଛୁଆ ।

 

ସେଇ ମୁହୂର୍ତ୍ତରେ ମୁଁ ଭୁଲିବାକୁ ଚେଷ୍ଟା କରୁଥିବା ମୋ ଘରର ସବୁକଥା ପୁଣିଥରେ ମୋର ମନେ ପଡ଼ିଗଲା । ମୁଁ ଆସିବାବେଳକୁ ମୋ ସ୍ତ୍ରୀ ସାଇନୁ ଅନ୍ତଃସତ୍ତ୍ୱା ଥିଲା । ଏଠିକି ଆସିବା ପରଠାରୁ ମୁଁ ଆଉ କିଛି ଖବର ଅନ୍ତର ପାଇନାହିଁ । ହୁଏତ, ଏହି ଛେଳି ଛୁଆର ଜନ୍ମ ଘଟଣାଟି ଗୋଟେ ଶୁଭ ସଙ୍କେତ ହେଇପାରେ । ଆଲ୍ଲା ଏହା ଜରିଆରେ ମୋତେ ହୁଏତ କିଛି ଜଣାଇଦେବାକୁ ଚାହିଛନ୍ତି । ହୁଏତ ସାଇନୁ ଶିଶୁଟିଏ ଜନ୍ମ ଦେଇଛି ଏବଂ ସେଇ ଶିଶୁଟି ଗୋଟେ ପୁତ୍ର ସନ୍ତାନ ହେଇଥିବ । ଅନେକ ଦିନ ହେଲା ଆମେ ପିଲାଟିଏ ଚାହିଥିଲୁ । ହୁଏତ ଆଲ୍ଲା ଆମର ପ୍ରାର୍ଥନା ମଞ୍ଜୁର କରିଛନ୍ତି । ଏହି ବିଶ୍ୱାସ ରଖି ମୁଁ ଏହି ଛେଳିଛୁଆର ନାଁ ଦେଲି ନବିଲ୍‌ । କାରଣ, ଏହି ନାଆଁଟି ଆମ ପୁଅ ପାଇଁ ଆମେ ବାପମାଆ ଦିହେଁ ମିଶି ସ୍ଥିର କରି ରଖିଥିଲୁ ।

 

ମାଆ ଛେଳିର ରକ୍ତ, ଛୁଆ ଛେଳିର ଲାଳ ଓ ଫୁଲନାଡ଼ର ରକ୍ତ ଲାଗି ମୋ ଜାମାପଟା ଓଦା ହୋଇ ଯାଇଥିଲା । କୋଉଠି ଧୋଇଧାଇ ହେବି ? ଛେଳିଗୁଡ଼ିକୁ ନ ନେଇ ମସାରାକୁ ଫେରିଲେ ମୋ ମାଲିକ ମୋତେ ଗାଳିଦେବେ ଏକଥାଟି ନିଶ୍ଚିତ ଥିଲା । ମୁଁ ମୋ ଜାମାରେ ହାତ ଯୋଡ଼ିକ ପୋଛିଦେଇ ସେଇ ଛୋଟିଆ ଛେଳି ଛୁଆଟିକୁ ଟେକି ଧରିଲି ଓ ତାକୁ ଗେଲ କରିଦେଲି । ତାକୁ କହିଲି, “ଆଲ୍ଲା ହିଁ ତୋତେ ଉପହାର ରୂପେ ମୋ ପାଇଁ ପଠେଇଛନ୍ତି । ତୁ ଭଲରେ ରହ ।”

 

ମୁଁ ନବିଲ୍‌କୁ କ୍ଷୀର ପିଆଇବାକୁ ତା’ ମାଆର ପହ୍ନା ପାଖକୁ ନେଉଥିଲି । ହଠାତ୍‌ଗୋଟେ ନିର୍ଘାତ୍‌ଗୋଇଠା ମୋତେ ସେଠୁ କେଇ ଫୁଟ ଦୂରକୁ ଠେଲିଦେଲା । ମୋ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା । କିଛି ସମୟ ପରେ ଆଖି ଖୋଲି ଅନେଇ ଦେଖିଲି - ମୋ ମାଲିକ ପଛରେ ଛିଡ଼ା ହୋଇଥିଲେ । ଅଧିକାଂଶ ଥର ପରି ଏଥର ମଧ୍ୟ ତାଙ୍କ ଆଖିରେ ନିଆଁ ଜଳୁଥିଲା । ସେ ବଡ଼ପାଟିରେ କଅଣ ସବୁ କହୁଥିଲେ । ସେତେବେଳକୁ ଅନ୍ୟ ଛେଳିଗୁଡ଼ାକ କିଏ କୁଆଡ଼େ ବୁଲୁଥାଆନ୍ତି । ମାଲିକଙ୍କ କଥାରୁ ମୁଁ ଛେଳିର ଛୁଆଜନ୍ମ, ତା’ ଫୁଲନାଡ଼ ଇତ୍ୟାଦି କିଛି ଶବ୍ଦ ଅନୁମାନ କରୁଥିଲି । ସେତେବେଳକୁ ନବିଲ୍‌ତା’ ମାଆ ପହ୍ନାରେ ମୁହଁ ଦେଉଥାଏ । ମାଲିକ ଧାଇଁଯାଇ ତାକୁ ସେଠାରୁ ଛଡ଼େଇ ଆଣିଲେ । ତା’ପରେ ମୋର ଶତ ଅନୁରୋଧ ଓ ମାଆଛେଳିର କରୁଣ ଚାହାଣିକୁ ଉପେକ୍ଷା କରି ସେ ନବିଲ୍‌କୁ ସାଙ୍ଗରେ ଧରି ତାଙ୍କ ତମ୍ବୁକୁ ପଳେଇଗଲେ ।

 

ମୁଁ ମାଆଛେଳିଟିକୁ ଏକାକୀ ଛାଡ଼ି ଅନ୍ୟ ଛେଳିମାନଙ୍କୁ ଆଣିବା ପାଇଁ ଧାଇଁଲି । ସେମାନଙ୍କୁ ଏକାଠି କରିବାଲାଗି ମୋତେ ବହୁତ ପରିଶ୍ରମ କରିବାକୁ ପଡ଼ିଲା । ଶେଷରେ ସମସ୍ତଙ୍କୁ ଅଡ଼େଇ ମସାରାକୁ ଆଣିଲାବେଳେ ଦେଖିଲି ମାଆଛେଳିଟି ବିଚାରୀ ଅସହାୟା ଭାବରେ ଆମ ପଛେ ପଛେ ଆସୁଛି ।

 

ମସାରାରେ ଛେଳିମାନଙ୍କୁ ପହଞ୍ଚାଇବା ପରେ ମୋ ଲାଗି ଆହୁରି ଶାସ୍ତି ଅପେକ୍ଷା କରିଥିଲା । ମାଲିକ କହିଲେ ଯେ ସେଦିନ ମୁଁ ଚାରିଟି ଭୁଲ୍‌କରିଛି । ପ୍ରଥମ ହେଲା, ମୋ ହାତ ସଫା କରିବାଲାଗି ମୁଁ କିଛି ପାଣି ବ୍ୟବହାର କରିଛି । ଦ୍ୱିତୀୟ ହେଲା, ଛେଳିମାନଙ୍କୁ ଗୋଠରୁ ଆଣି ଗୁହାଳେ ପହଞ୍ଚାଇବାରେ ମୋର ଡେରି ହେଇଛି, ତୃତୀୟ, ମୁଁ ଛେଳି ମାଆକୁ ଛୁଆଜନ୍ମ କରିବାର ଦୃଶ୍ୟ ଦେଖିବାରେ ଅଯଥା ସମୟ ବରବାଦ କରିଛି; କାରଣ ଛେଳି ତା’ ଛୁଆକୁ କିପରି ଜନ୍ମ ଦେବ ସେକଥା ସେ ଭଲ ଭାବେ ଜାଣେ ଏବଂ ସେଥିପାଇଁ ସେ କାହାର ସାହାଯ୍ୟ ଦରକାର କରେ ନାହିଁ-। ଚତୁର୍ଥ ଭୁଲ୍‌ଟି ଥିଲା ସବୁଠୁ ମାରାତ୍ମକ - ମୁଁ ନବଜାତ ଛେଳିଛୁଆଟିକୁ ତା’ ମାଆ ପହ୍ନାରୁ କ୍ଷୀର ପିଇବା ଲାଗି ଛାଡ଼ି ଦେଉଥିଲି !

 

ମୁଁ ଜାଣିଥିଲି ଯେ ଛୁଆ ଛେଳିଗୁଡ଼ିକୁ ବାଲ୍‌ଟିରେ କ୍ଷୀର ପିଇବାକୁ ଦିଆଯାଏ । ତେବେ ନବଜାତ ଛୁଆଟିକୁ ତା’ ମାଆର କ୍ଷୀର ଯେ ପିଇବାକୁ ଦିଆଯିବ ନାହିଁ; ଏଭଳି ନୃଶଂସ କଥା ମୁଁ ଜାଣି ନ ଥିଲି ।

 

ଗୋଟେ ଛେଳିକୁ ତା’ ଛୁଆ ଜନ୍ମ କରିବାରେ ସାହାଯ୍ୟ କରିବା ଏବଂ ତା’ର ଛୁଆକୁ ମାଆ ପାଖରୁ କ୍ଷୀର ଟୋପେ ପିଇବାରେ ସାହାଯ୍ୟ କରିବାର ଅପରାଧ ପାଇଁ ମୋତେ ସେଦିନ ବିଧା ଗୋଇଠା, ତିନି ଚାରି ବେଲ୍‌ଟ୍‌ମାଡ଼, ପ୍ରଚୁର ଗାଳି ଏବଂ ଅପମାନ ମିଳିଲା । ତା’ ସାଙ୍ଗକୁ ସେଦିନ ଦି’ପହରେ ମୋତେ ଭୋକିଲା ରହିବାକୁ ପଡ଼ିଲା ।

 

ତେବେ କାହିଁକି କେଜାଣି ସେଦିନ ଏ ଶାସ୍ତି ଓ ଅପମାନ, ଏ ଅନାହାର ଓ ଭର୍ତ୍ସନା ମୋତେ ବେଶି କଷ୍ଟ ଦେଲା ନାହିଁ । ମୋ ମନ କହୁଥିଲା, ଆଲ୍ଲା ନିଶ୍ଚୟ ସାଇନୁକୁ ପୁଅଟିଏ ଦେଇଥିବେ । ସେଇ ତ ମୋର ପୁରସ୍କାର । ଏମିତି ଭାବିବା ପାଇଁ କାହିଁକି ଯେ ମୋ ମନ କହୁଥିଲା, ମୁଁ ଜାଣେ ନାହିଁ । ବୋଧହୁଏ ବଞ୍ଚିବାଲାଗି ଏମିତି ଆଶାଟିଏ ଲୋଡ଼ା, ଯାହା ଭରସାରେ ଜଣେ ଜିଇଥାଏ ।

 

ସତର

 

ମସାରାରେ ରହୁଥିବା ସବୁ ଛେଳିଙ୍କଠାରୁ ନବିଲ୍‌କୁ ମୁଁ ଅଧିକ ଭଲପାଇ ବସିଲି । ତାହାର ହୁଏତ ମୋର ସହାୟତା ଦରକାର ନ ଥିଲା ଏବଂ ମୋ ବିନା ସାହାଯ୍ୟରେ ସେ ଅନ୍ୟ ଛେଳିଗୁଡ଼ିକ ସହ ସ୍ୱଚ୍ଛନ୍ଦରେ ଚଲାବୁଲା କରିପାରୁଥିଲା; ମାତ୍ର ମୁଁ ତାକୁ ମୋ ନଜର ଆଢୁଆଳକୁ ଯିବାଲାଗି ଦେଉ ନ ଥିଲି । ଏତେଗୁଡ଼ାଏ ଛେଳିଛୁଆଙ୍କ ଭିତରେ ସିଏ ହିଁ ମୋ ଆଖି ଆଗରେ ଜନ୍ମ ହେଇଥିଲା ଏବଂ ମୁଁ ତାକୁ ପ୍ରଥମେ ମୋ ହାତରେ ଟେକି ଧରିଥିଲି । ମୁଁ ତାକୁ ଈଶ୍ୱରଙ୍କର ମୋ ପ୍ରତି ଉପହାର ବୋଲି ମନେ କରୁଥିଲି । ମାଲିକ ନ ଥିବାବେଳେ ମୁଁ ତାକୁ ମଝିରେ ମଝିରେ ନେଇ ତା’ ମାଆଠୁ କ୍ଷୀର ଖୁଆଉଥିଲି । ଏଭଳି ସୌଭାଗ୍ୟ ଏ ମସାରାର ଅନ୍ୟ କୌଣସି ଛେଳି ଛୁଆଙ୍କର ନ ଥିଲା । ତା’ ମାଆ ପାଖରୁ କ୍ଷୀର ପିଇବାର ସୁବିଧା ଟିକକ ଛଡ଼ା ମୁଁ ବା ଆଉ ତାକୁ କଅଣ ଦେଇପାରିଥାଆନ୍ତି ! ଅନ୍ୟ ଛେଳିଛୁଆମାନେ ଗୋଟେ ବଡ଼ ହାଣ୍ଡିରୁ କ୍ଷୀର ପିଉଥିବା ବେଳେ ନବିଲ୍‌ପାଇଁ ମୁଁ ଅଲଗା ବାସନର ବ୍ୟବସ୍ଥା କରିଥିଲି । ତାକୁ ମୁଁ ନେଇ କଞ୍ଚା କଅଁଳ ଘାସ ଖାଇବାକୁ ଦେଉଥିଲି ଏବଂ ଚରେଇବାକୁ ନେଲାବେଳେ ତା’ ପାଖେ ପାଖେ ମୁଁ ରହୁଥିଲି । ସିଏ ବୋଧହୁଏ ମୋ ମନକଥା କିଛି କିଛି ବୁଝିପାରୁଥିଲା । କାରଣ କିଛି ରାସ୍ତା ବାଧ୍ୟ ଛାତ୍ରଟେ ପରି ଚାଲିବା ପରେ ସେ ହଠାତ୍‌ଗୋଠ ଭାଙ୍ଗି ଦୂରକୁ ପଳଉଥିଲା ଓ ସେଇଠୁ ମୁହଁବୁଲେଇ ମୋତେ ଚାହୁଁଥିଲା । ମୁଁ ତାକୁ ଧରିବାଲାଗି ତା’ ପଛରେ ଗୋଡ଼ଉଥିଲି । ସେ କିନ୍ତୁ ବିଜୁଳି ପରିକା ଧାଇଁ ଧାଇଁ ଗୋଠ ଭିତରେ ଅଦୃଶ୍ୟ ହୋଇଯାଉଥିଲା । ମୁଁ ତାକୁ ଖୋଜି ଖୋଜି ତା’ ପାଖରେ ପହଞ୍ଚୁଥିଲି ଓ ତାକୁ ଟେକିଧରି ଗେଲ କରି ଦେଉଥିଲି । ନବିଲ୍‌ମୋ ଦୃଷ୍ଟିରେ ମସାରାର ଅନ୍ୟ ଛେଳିଙ୍କ ପରି ମାମୁଲି ଛେଳି ନ ଥିଲା । ସେ ମୋ ପୁଅ ଥିଲା ।

 

ପ୍ରଥମରୁ ସେ ଖୁବ୍‌ଦୁଷ୍ଟ ଥିଲା । ତାହାଠୁ ବୟସରେ ବଡ଼ ଅଣ୍ଡିରା ଛେଳିଙ୍କ ସହ ଲଢ଼େଇ କରିବା ତାହାର ଗୋଟେ ଅଭ୍ୟାସ ଥିଲା । କିଛି ବଡ଼ ଛେଳି ତାହାର ଏ ଧୃଷ୍ଟତାକୁ କ୍ଷମା କରି ଦେଉଥିଲେ, ମାତ୍ର ଆଉ କିଛି ତାକୁ ଶିଙ୍ଗରେ ଭୁସି ଦେଉଥିଲେ । କେତେଥର ଯେ ସେ ମୁଣ୍ଡରୁ ରକ୍ତ ଝରେଇ ମୋ ପାଖକୁ ଆସିଥିବ ହିସାବ ନାହିଁ ! ମାଲିକଙ୍କୁ ଲୁଚେଇ ମୁଁ ତାକୁ ପାଣିକୁଣ୍ଡ ପାଖକୁ ନେଇଯାଏ, ତା’ ଘାଆକୁ ପାଣିରେ ପୋଛି ସଫା କରିଦିଏ । ମାଲିକ ମୋତେ ଦେଇଥିବା ମଲମ ମୁଁ ତା’ ଦେହରେ ଲଗେଇଦିଏ । ନବିଲ୍‌ମଧ୍ୟ ତା’ ପ୍ରତି ମୋର ଏ ସ୍ୱତନ୍ତ୍ର ଆକର୍ଷଣ କଥାଟିକୁ ବୁଝିପାରୁଥିଲା ଏବଂ ମୋ ପାଖରେ ଆସି ଗେହ୍ଲେଇ ହେଉଥିଲା ।

 

ଦିନେ ମୁଁ ଖୁବୁସ୍‌(ମୋଟା ରୁଟି) ଖାଇସାରି ଛେଳିଗୁଡ଼ିକୁ ଚରାଇନେବାକୁ ବାହାରୁଥିଲି, ମୋତେ ମୋ ମାଲିକ ଡାକିଲେ । ସେ କହିଲେ ଯେ ଆଜି ଛେଳିଙ୍କୁ ବାହାରକୁ ନେବା ଦରକାର ନାହିଁ । ଆଜି ଅନ୍ୟ କାମ ଅଛି ।

 

କିଛି ସମୟ ପରେ ମାଲିକ ଗୋଟେ ବଡ଼ ଛୁରୀଟିଏ ଧରି ତମ୍ବୁ ଭିତରୁ ଆସିଲେ । ମୁଁ ତାଙ୍କ ହାତରେ ଛୁରୀ ଦେଖି ଡରିଗଲି । ଏହି ଛେଳିଙ୍କ ଭିତରୁ କାହାକୁ ମାରି ମଟନ୍‌ଯୋଗାଡ଼ କରିବାକୁ ସେ ଯୋଜନା କରୁଛନ୍ତି କି ?

 

ମୁଁ ତ ମାଲିକଙ୍କୁ କିଛି ପଚାରିପାରିବି ନାହିଁ, ସେ ଯାହା କହିବେ ସେଇଆ କେବଳ ଶୁଣିବି । ଶୁଣି ସାରିଲା ପରେ ସେହି କଥାରୁ ଯେତକ ବୁଝିବି ସେତକ ଅନୁସାରେ କାମ କରିବି । ତାଙ୍କର ଆଜ୍ଞା ପାଳନ ମୋର କର୍ତ୍ତବ୍ୟ । ଏତେଦିନ ଯାଏ ମୁଁ ସେଇଆ କରିଆସୁଛି । ସେଥିପାଇଁ ତାଙ୍କ ହାତରେ ଲମ୍ବା ଛୁରୀଟି ଦେଖି ଅନେକ କଥା ପଚାରିବାକୁ ମୋ ମନ କହୁଥିଲେ ବି କିଛି ପଚାରିବାକୁ ସାହସ ବାନ୍ଧି ପାରୁ ନ ଥିଲି । ତାଙ୍କ ପଛେ ପଛେ ଖାଲି ମୁଁ ଅନୁସରଣ କରୁଥିଲି ।

 

ମୋ ମାଲିକ ମସାରାର ସେଇ ଗୁହାଳକୁ ଯାଉଥିଲେ, ଯେଉଁଠି ଛୋଟ ଅଣ୍ଡିରା ଛେଳିଛୁଆ ରହୁଥିଲେ । ତା’ପରେ ଗୋଟେ ଛୁଆକୁ ହାତ ଦେଖେଇ ମୋତେ ତାକୁ ଧରିଆଣିବାକୁ ସେ ନିର୍ଦ୍ଦେଶ ଦେଲେ । ମୁଁ ଭାବିଲି, ତାକୁ ବୋଧେ ସେ ମାରିବାଲାଗି ଆଣିବାକୁ କହୁଛନ୍ତି । କି ଭୟଙ୍କର ଲୋକ ଇଏ ! ମୋ ଦେହ ଶିହରି ଉଠିଲା ! ମାତ୍ର ମୁଁ ବା କଅଣ କରିବି ? ତାଙ୍କୁ ବିରୋଧ କରିବାଲାଗି ମୋର ସାହସ ନ ଥିଲା । କୁଣ୍ଠାର ସହ ମୁଁ ମସାରା ଭିତରକୁ ଯାଇ ସେ ଯୋଉ ଅଣ୍ଡିରା ଛେଳିଛୁଆଟିକୁ ହାତଠାରି ଦେଖଉଥିଲେ ତାକୁ ଧରିକି ଆଣିଲି । ତା’ପରେ ସେ କହିଲେ, ତା’ ମୁହଁକୁ ତୋ ଆଡ଼କୁ ବୁଲେଇ ଦେ ଓ ତା’ ମୁଣ୍ଡଟାକୁ ଜଙ୍ଘ ସନ୍ଧିରେ ରଖି ପଛ ଗୋଡ଼ ଦିଇଟାକୁ ଟେକିକି ଧର୍‌ । ମୁଁ ତାଙ୍କ କଥାର ଉଦ୍ଦେଶ୍ୟ ବିଲ୍‌କୁଲ୍‌ବୁଝିପାରୁ ନ ଥିଲି । ସେ କଅଣ କରିବାକୁ ଯାଉଛନ୍ତି ?

 

ତାଙ୍କ କହିବାନୁସାରେ ମୁଁ ଛେଳିଛୁଆର ମୁଣ୍ଡକୁ ମୋ ଜଙ୍ଘସନ୍ଧିରେ ଧରି ତା’ ପଛ ଗୋଡ଼ ଦୁଇଟାକୁ ଟେକି ଧରିଲି । ମୋ ସାମ୍ନାରେ ବସିଥିବା ମୋ ମାଲିକ ଏବେ ଛେଳିଟାର ପେଟପଟ ସ୍ପଷ୍ଟ ଦେଖିପାରୁଥିଲେ । ଛେଳିଛୁଆଟି ଭୟରେ କମ୍ପୁଥାଏ । ତାହାଠାରୁ ମୋତେ ବେଶି ଡର ଲାଗୁଥାଏ । ମାଲିକ ଛୁରୀର ଧାରଟାକୁ ପରଖି ଦେଖିଲେ ଏବଂ ତା’ପରେ ସେଇଟି ଛେଳିଛୁଆ ପାଖକୁ ଆଗେଇ ଆଣିଲେ । ଏହାପରେ ମୁଁ ଗୋଟେ ବିକଳ ଚିତ୍କାର ଶୁଣିଲି । ସେ ଚିତ୍କାର ସେହି ଛେଳିଛୁଆଟିର । ଏପରି ଆର୍ତ୍ତ ଚିତ୍କାର ମୁଁ ପୂର୍ବରୁ କୌଣସିଦିନ ଶୁଣି ନ ଥିଲି । ସେଇ ଚିତ୍କାରରେ ସତେ କି ସେ ମରୁଭୂମି ଫାଟିଯିବ ! ତାହାର ଅଣ୍ଡକୋଷ ପାଖରୁ ପିଚ୍‌ପିଚ୍‌ରକ୍ତ ବୋହି ଆସୁଥାଏ । ଛେଳିଛୁଆଟା ବିକଳରେ ଛାଟିପିଟି ହେଉଥାଏ । ମୋତେ ଲାଗୁଥାଏ ବୋଧହୁଏ ସେ ମୋ ହାତରୁ ଖସିଯିବ । ମାତ୍ର ମାଲିକ ଚିତ୍କାର କରିଉଠିଲେ, ‘ଭଲକରି ଧର୍‌, ଯେମିତି ଖସି ନ ଯାଏ । ଜମା ଛାଡ଼ିବୁ ନାହିଁ ।’ ମାଲିକଙ୍କ କଥା ଶୁଣି ମୁଁ ଛୁଆଟିକୁ ଆହୁରି ଜୋର୍‌ରେ ଧରିଲି । ତାହାପରେ ମାଲିକ ତାଙ୍କ ପକେଟ୍‌ରୁ ଗୋଟେ ସ୍ପ୍ରେ ବାହାର କଲେ ଏବଂ ଛେଳିଛୁଆଟାର କ୍ଷତ ଉପରେ ସେଥିରୁ କିଛି ଛିଞ୍ଚିଦେଲେ । ସେଥିରେ ଛେଳିଛୁଆଟିକୁ କିଛି ଆରାମ ଲାଗିଲା ପରି ମୋର ମନେହେଲା ନାହିଁ । କାରଣ, ସେ ପୂର୍ବ ପରି ବିକଳରେ ରଡ଼ି ଛାଡ଼ୁଥାଏ । ତେବେ ତାହାର କ୍ଷତରୁ ରକ୍ତବୋହିବା ଚଟ୍‌କରି ବନ୍ଦ ହୋଇଗଲା । କିଛି ସମୟ ପରେ ଛୁଆଟି ଟିକେ ସ୍ଥିର ହେଲା । ମାଲିକ ଏଥର ନିର୍ଦ୍ଦେଶ ଦେଲେ, ତାକୁ ନେଇ ମସାରାରେ ଛାଡ଼ି ଆ । ମୁଁ ତାକୁ ଟେକି ଟେକି ନେଇ ମସାରା ପାଖକୁ ଗଲି ଓ ଗେଟ୍‌ଖୋଲି ତାକୁ ଭିତରେ ଛାଡ଼ିଦେଲି । ମୋ କବଳରୁ ମୁକ୍ତି ପାଇବାକ୍ଷଣି ସେ ଗୁଳିବିଦ୍ଧ ବାର୍‌ହା ପରି ଦଉଡ଼ି ଗୋଠ ଭିତରେ ପଶିଗଲା ।

 

ମୁଁ ଜାଣିପାରିଥିଲି, ଏହି ସମୟ ଭିତରେ ଗୋଟେ ଅଣ୍ଡିରା ଛେଳି ତା’ର ପୁରୁଷପଣିଆ ହରେଇ ବସିଥିଲା । ମୋର ଆରବୀ ମାଲିକଙ୍କ ଲାଗି ଗୋଟେ ଖାସୁକରଣର ଚାହିଦା ଟିକିଏ ମାଂସପୁଳା ଓ କିଛି ରକ୍ତ । ଏ ମସାରାର ଅଧିକାଂଶ ଛେଳିଙ୍କ ଭାଗ୍ୟ ସେଇଆ ଥିଲା । ସେମାନେ ଅଣ୍ଡିରା ହେଇ ଜନ୍ମ ହେଉଥିଲେ ବି ତାଙ୍କ ଅଣ୍ଡିରାପଣର ଭାଗ୍ୟ ମାଲିକଙ୍କ ଉପରେ ନିର୍ଭର କରୁଥିଲା । ଅଳ୍ପ କେତୋଟି ବୋଦା ହିଁ ତାଙ୍କ ଅଣ୍ଡିରାପଣ ବଜାୟ ରଖିପାରିଥିଲେ । ସେଇମାନେ ଥିଲେ ଭାଗ୍ୟବାନ୍‌ । ଗୋଟେ ନିର୍ଦ୍ଦିଷ୍ଟ ବୟସ ପରେ ସେମାନଙ୍କୁ ମାଈ ଛେଳିପଲଙ୍କ ସାଙ୍ଗରେ ରହିବା ପାଇଁ ଅନୁମତି ମିଳୁଥିଲା । ସେମାନେ ତାଙ୍କ ଇଚ୍ଛା ମୁତାବକ ମାଈ ଛେଳିଙ୍କ ସହ ମିଶି ପାରୁଥିଲେ ଓ ସମ୍ଭୋଗ କରିପାରୁଥିଲେ । ଅନ୍ୟ ଅଣ୍ଡିରା ଛେଳିଗୁଡ଼ାଙ୍କୁ ଖାସୁ କରି ଦିଆଯାଉଥିଲା । ସେମାନେ ଆମ ମଣିଷ ଜାତିର ନପୁଂସକ ଦଶା ଭୋଗ କରୁଥିଲେ । ତାଙ୍କ ଭାଗ୍ୟ ହେଲା ଘାସ, ଗହମ ଖାଇ ବଢ଼ିବେ ଓ କଂସେଇଖାନାରେ ଯାଇ ହଣା ଖାଇବେ । ମୁଁ ଲକ୍ଷ୍ୟ କରିଥିଲି ଯେ ମସାରାର ଖାସିଗୁଡ଼ାକ ଜଲ୍‌ଦି ଜଲ୍‌ଦି ବଡ଼ ହେଉଥିଲେ; ତେବେ ଖାସୁକରଣର ଏହି ନୃଶଂସ ପଦ୍ଧତି ସମ୍ପର୍କରେ ମୁଁ ଆଗରୁ ଜାଣି ନ ଥିଲି ।

 

ଏହାପରେ ମୋ ମାଲିକ ଆଉ ଗୋଟେ ଅଣ୍ଡିରା ଛେଳିଛୁଆକୁ ଆଣିବାକୁ କହିଲେ । ମୁଁ ମସାରା ଭିତରୁ ଯାଇ ତାକୁ ଆଣିଲି । ମାଲିକ ସବୁ ଛେଳିଛୁଆଙ୍କ ବୟସ ଜାଣିଥିଲେ ଓ କେତେଦିନ ଭିତରେ କାହାକୁ ଖାସୁ କରାଯିବ ସେ କଥା ମନରେ ସ୍ଥିର କରି ରଖିଥିଲେ । କେତେକଙ୍କୁ ଜନ୍ମର ପ୍ରଥମ ମାସରେ ଖାସୁ କରାଯାଉଥିଲା ତ ଆଉ କିଛିଙ୍କୁ ଦ୍ୱିତୀୟ ମାସରେ ଖାସୁ କରାଯାଉଥିଲା । ସେ ଯେଉଁ ଛେଳିଛୁଆକୁ ତାହାର ଅଣ୍ଡିରିପଣିଆ ରଖିବାକୁ ଛାଡ଼ି ଦେଉଥିଲେ ତାହାର ସବୁ ଗୁଣକୁ ନିଜେ ବିଚାର କରୁଥିଲେ । କୋଉ ବୋଦାଟି ଭଲ ଛୁଆ ଜନ୍ମରେ ସହାୟକ ହେବ, ଛୁଆଗୁଡ଼ିକ ପୁଣି ଅଧିକ କ୍ଷୀର ଦେବେ କି ନାହିଁ ଏକଥାଟି ତାଙ୍କର ପ୍ରଥମ ବିଚାର ଥିଲା । ଯେଉଁ ଛେଳିର ସେ ଯୋଗ୍ୟତା ନ ଥିଲା ତାହାର ଖାସୁକରଣ ଥିଲା ଅନିବାର୍ଯ୍ୟ ।

 

ମାଲିକ ଯେଉଁ ଛେଳିଛୁଆକୁ ଦେଖଉଥାଆନ୍ତି ମୁଁ ତାକୁ ଧରିକି ଆଣୁଥାଏ । ସେ ଅତି ସ୍ୱାଭାବିକ ଢଙ୍ଗରେ ନଖ କାଟିଲା ପରି ଏଇ ଛେଳିଛୁଆଗୁଡ଼ିକଙ୍କର ଅଣ୍ଡକୋଷ କାଟି ଉଡ଼େଇଦେଉଥାଆନ୍ତି । ହଠାତ୍‌ସେ ଗୋଟିଏ ଛେଳିଛୁଆ ଆଡ଼େ ଅଙ୍ଗୁଳି ନିର୍ଦ୍ଦେଶ କଲେ । ମୁଁ ଭୟରେ ଜଡ଼ସଡ଼ ହେଇଗଲି । ଇଏ ଯେ ମୋ ପୁଅ - ମୋର ପ୍ରିୟ ନବିଲ୍‌ ! ସେତେବେଳକୁ ସେ ପାଞ୍ଚ ଛଅଟି ଛେଳିଛୁଆଙ୍କୁ ଖାସୁ କରିସାରିଥାଆନ୍ତି । ମୁଁ ଭାବିଥିଲି ସେଦିନ ଲାଗି ବୋଧହୁଏ ସେ ସେଇଠି ଅଟକିବେ । ମାତ୍ର ଏବେ ସେ ନବିଲ୍‌କୁ ନେଇ ତାଙ୍କ ପାଖରେ ପହଞ୍ଚେଇବାକୁ ହୁକୁମ ଦେଉଥିଲେ । ମୋ ମନଟା କଅଣ ହେଇଗଲା । ମନେ ମନେ ନବିଲ୍‌କୁ ନେଇ କେତେ କଥା ଭାବିଥିଲି । ମୋ ସ୍ନେହ ଆଦର ପାଇ ସେ ବଡ଼ ହେବ । ସୁସ୍ଥସବଳ ହୋଇ ବଞ୍ଚି ରହିବ । ଏବେ ତାକୁ ଆଣି କେମିତି ମୁଁ ମାଲିକର ଛୁରି ପାଖରେ ସମର୍ପଣ କରିବି ? ନା, ଏଇଟା ମୋ ଦ୍ୱାରା ସମ୍ଭବ ହେବ ନାହିଁ । ମୁଁ ପାରିବି ନାହିଁ । ମୁଁ ନବିଲ୍‌କୁ ଛାଡ଼ି ଆଉ ଗୋଟେ ଛେଳିଛୁଆକୁ ଧରିଲି, ସତେ କି ମାଲିକ ତାକୁ ହିଁ ଧରିବା ପାଇଁ ମୋତେ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ମାଲିକଙ୍କ ଆଖି ଯୋଡ଼ିକ ଶାଗୁଣାର ଆଖି ପରି ତୀକ୍ଷ୍‌ଣ । ଦିନସାରା ତମ୍ବୁ ଭିତରେ ବସିରହୁଥିଲେ ବି ସବୁ ଛେଳିଙ୍କ ବିବରଣୀ ସେ ତାଙ୍କ ହାତ ପାପୁଲିର ରେଖା ପରି ଭଲ ଭାବେ ଜାଣିଥିଲେ । ସମସ୍ତଙ୍କ ଖବର ତାଙ୍କ ପାଖେ ଥିଲା । ‘ସେଇଟା ନୁହେଁ, ଆରଟାକୁ ଆଣ’ କହି ସେ ମୋତେ ଆଉ ଥରେ ନବିଲ୍‌କୁ ଦେଖେଇଦେଲେ । ମାତ୍ର ମୁଁ ନବିଲ୍‌କୁ ଧରିବାକୁ ଚାହୁ ନ ଥିଲି । ମୋ ହାତ ତା’ ଆଡ଼କୁ ଯାଉ ନ ଥିଲା । ମୁଁ ପୁଣି ଆଉ ଗୋଟାଏ ଛେଳି ଛୁଆ ଧରିଲି ।

 

–ହାରାମି !

 

–ମାଲିକ ଚିତ୍କାର କରି ଉଠିଲେ । ତାଙ୍କ ଧୈର୍ଯ୍ୟ ସୀମା ଟପିଯାଇଥିଲା । ଏହାପରେ ସେ ମୋତେ ଗୋଇଠା ମାରିବେ, ମୁଁ ସେକଥା ଜାଣିଥିଲି । ତଥାପି ମୁଁ ନବିଲ୍‌କୁ ଛାଡ଼ି ଆଉ ଗୋଟେ ଛେଳି ଧରିଲି । ଏଥର ମାଲିକ ମୋ ଆଡ଼କୁ ଚଦି ଆସିଲେ ଏବଂ ମୋ ପିଠିରେ ଗୋଇଠାଟାଏ ମାରିଲେ । ମୁଁ ଗୋଟାଏ ପଟକୁ ଢଳି ପଡ଼ିଲି । ରାଗ ତମତମ ହେଇ ମାଲିକ ନିଜେ ନବିଲ୍‌କୁ ଘୋଷାଡ଼ିନେଲେ ଓ ବାହାରକୁ ପଳେଇଲେ । ଏଥର ମୁଁ ଯାଇ ତାଙ୍କ ଗୋଡ଼ ଧରିଲି । କହିଲି, ‘ମାଲିକ୍‌, ତାକୁ ଅଣ୍ଡିରା ହେଇ ରହିବାକୁ ସୁଯୋଗ ଦିଅ । ସିଏ ଆପଣଙ୍କ କାମରେ ଆସିବ-। ତାକୁ କଂସେଇଖାନାକୁ ପଠାଇବାକୁ ମୁଁ ଚାହୁନାହିଁ ।’ ମୁଁ ଯେତେ ରକମର ଭାଷା ଜାଣିଥିଲି, ସବୁ ପ୍ରକାର ଭାଷାରେ ନବିଲ୍‌ପାଇଁ ମାଲିକଙ୍କ ପାଦତଳେ ପ୍ରାର୍ଥନା କରୁଥିଲି ।

 

–ହାରାମି ! ଚିତ୍କାର କରି ମାଲିକ ମୋ ମୁଣ୍ଡରେ ଧକ୍କାଟାଏ ମାରିଲେ । ମୋତେ ପାଠ ବତଉଛୁ, କିଏ ଭଲ ବୋଦା ହେବ, କିଏ ନ ହେବ ସେକଥା ମୁଁ ଜାଣେ । ତୁ କଅଣ ଜାଣିଛୁ ? ତାକୁ ଶୀଘ୍ର କଂସେଇଖାନାକୁ ଯିବାକୁ ପଡ଼ିବ । ତା’ପରେ, ନିର୍ଦ୍ଦୟ ଭାବରେ ନବିଲ୍‌କୁ ସେ ଭିଡ଼ିନେଲେ ଓ ତାକୁ ଅନ୍ୟମାନଙ୍କ ପରି ଭିଡ଼ି ଧରିବାକୁ ମୋତେ ଆଦେଶ ଦେଲେ । ତାହାପରେ, ଆଖି ପିଛୁଳାକେ ନବିଲ୍‌ର ଅଣ୍ଡିରାପଣ ରକ୍ତାକ୍ତ ମାଂସ ପୁଳାଏ ହୋଇ ତଳେ ଲୋଟୁଥିଲା । ଅନ୍ୟ ଛେଳିଙ୍କ ପରି ସିଏ ବି ମୋ କୋଳରେ ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରିଥିଲା, ମାତ୍ର ମୁଁ କିଛି ସାହାଯ୍ୟ କରିପାରି ନ ଥିଲି ।

 

ନବିଲ୍‌ର ସେଇ ଚିତ୍କାର ଆଜି ମଧ୍ୟ ମୋ କାନରେ ଶୁଭିଯାଉଛି । ଗୋଟେ ନିରୀହ ଛେଳିଛୁଆର ସେ ବିକଳ ଚିତ୍କାର । ଗୋଟେ ଅସହାୟର ଆର୍ତ୍ତ ଚିତ୍କାର, ସେ ଚିତ୍କାର ମୋ ହୃଦୟଟାକୁ ମନ୍ଥି ଦେଉଛି । ମୋର ଖାଲି ମନେଅଛି, ତା’ କ୍ଷତରେ ସ୍ପ୍ରେ କରି ତାକୁ ଛାଡ଼ିଦେଲା କ୍ଷଣି ସେ କିମିତି କିଲିବିଲା ହୋଇ ଗୁହାଳ ଭିତରକୁ ପଳେଇ ଯାଇଥିଲା । ତା’ପରେ ମୋତେ ଆଉ କିଛି ଦିଶି ନ ଥିଲା । ମୁଁ ସେଇଠି ତଳେ ପଡ଼ିରହିଥିଲି । ମୋ ଆଖି ଖୋଲିଲାବେଳକୁ ସମୟ ଉପରଓଳି ହୋଇଯାଇଥିଲା । ମୁଁ ପାଳଗଦା ଉପରେ ପଡ଼ିରହିଥାଏ । ମୋ ମାଲିକ ପିଇବାଲାଗି ମୋତେ କିଛି ପାଣି ଦେଲେ ଓ ଶୀଘ୍ର ଶୀଘ୍ର ଯାଇ ଅବଶିଷ୍ଟ କାମ ସାରିବାକୁ ହୁକୁମ୍‌ଦେଲେ । ମୋତେ ଲାଗୁଥାଏ, ନବିଲ୍‌ସାଙ୍ଗେ ମୁଁ ମୋର ପୁରୁଷପଣ ହରେଇ ବସିଥିଲି । ତା’ପରେ ମୁଁ ପାଲଟି ଯାଇଥିଲି ଗୋଟେ ନପୁଂସକ, କ୍ଳୀବ । ଆଜି ପର୍ଯ୍ୟନ୍ତ ମୁଁ ସେ ରହସ୍ୟ ଜାଣିପାରିନି, କିଭଳି ଗୋଟେ ଛେଳିର ପୁରୁଷପଣିଆ ହଜିଯିବା ସହିତ ସେଦିନ ମୁଁ ମୋ ଭିତରର ମର୍ଦ୍ଦପଣିଆ ମଧ୍ୟ ହରାଇ ବସିଥିଲି !

 

ଅଠର

 

ଆପଣ ଭାବୁଥିବେ ଛେଳି ଚରାଇବାଟା ସେମିତି କିଛି କଷ୍ଟକର କାମ ନୁହେଁ । ତାଙ୍କୁ ଖାଲି ମଝିରେ ମଝିରେ ଅଡ଼େଇଦେଲେ କାମ ହେଇଗଲା । ସିନେମାରେ ଆପଣ ସେମିତି ଦୃଶ୍ୟ ଦେଖିଥିବେ । ଛେଳିଗୁଡ଼ିକ ସେ ଦୃଶ୍ୟରେ ଗୋଠହେଇ ଆଗକୁ ଚାଲିଥାଆନ୍ତି । ଗୋଟେ ଛେଳି ଯୁଆଡ଼େ ଯାଉଥାଏ, ଅନ୍ୟମାନେ ତାକୁ ଅନୁସରଣ କରୁଥାଆନ୍ତି । ସଭିଏଁ ପାଖାପାଖି ଚାଲୁଥାଆନ୍ତି, କେହି ଇଆଡ଼େ ସିଆଡ଼େ ହୁଅନ୍ତି ନାହିଁ । ହଁ, ଏକଥା ସତ ଯେ ପ୍ରତି ଗୋଠ ପାଇଁ ଆମେ ଗୋଟେ ଗୋଟେ ଦଳପତି ଛେଳି ବାଛିଥାଉ । ସେଇ ଛେଳିଟି ଆମ ବୋଲହାକ ଶୁଣେ ଓ ଆମେ ତାକୁ ଦଳପତି ଭାବେ ଦେଖୁ । ସିଏ ଆଗରେ ଚାଲେ ଏବଂ ଅନ୍ୟମାନେ ତାକୁ ଅନୁସରଣ କରନ୍ତି । ମୁଁ ବି ସେମିତିକା ତିନିଟି ବୋଲ ମାନୁଥିବା ଛେଳିଙ୍କୁ ବାଛି ତାଙ୍କ ନାଁ ଦେଇଥିଲି - ଲଳିତା, ରାଗିଣୀ ଓ ପଦ୍ମିନୀ । ତେବେ ବାସ୍ତବ କ୍ଷେତ୍ରରେ ଛେଳି ଚରାଇବା ସହଜ କାମ ନୁହେଁ । ଛେଳିଗୁଡ଼ାକ ଚାଲୁ ଚାଲୁ କିଏ କୁଆଡ଼େ ଚାଲିଯାଆନ୍ତି । ଗୋଟାଏ ଯଦି ଉତ୍ତର ଦିଗକୁ ଗଲାଣି ତ ଆଉ ଗୋଟାଏ ଦକ୍ଷିଣ ଦିଗକୁ । ମୋତେ ଥରକରେ ପଚାଶରୁ ଶହେ ଛେଳିଙ୍କୁ ଚରାଇନେବାକୁ ପଡ଼େ । ଏହି ଛେଳିଗୁଡ଼ାକର ନିଜର ମନ, ମର୍‌ଜି ଅଛି । ଆଗରୁ ଏମାନଙ୍କ ବ୍ୟବହାର ବାବଦରେ ମୁଁ କିଛି କହିଛି ବୋଧହୁଏ । ଛେଳିଗୁଡ଼ିକ ମେଣ୍ଢା ପରି ମଣିଷର ପାଖାପାଖି ପ୍ରାଣୀ ଭାବେ ଯଦିଓ ଛଅ ହଜାର ବର୍ଷ ହେଲା ରହିଲେଣି, ତଥାପି ଏମାନଙ୍କୁ ସମ୍ପୂର୍ଣ୍ଣ ଗୃହପାଳିତ କୁହାଯାଇ ପାରିନାହିଁ । ଅନ୍ୟ ଗୃହପାଳିତ ପଶୁଙ୍କ ପାଇଁ ମଣିଷଙ୍କୁ ସେତିକି ପରିଶ୍ରମ କରିବାକୁ ପଡ଼ିନାହିଁ, ଯେତିକି ଛେଳିଙ୍କ ଲାଗି କରିବାକୁ ପଡ଼େ । ଛେଳିଙ୍କ ଭିତରୁ ଅଣ୍ଡିରା ଛେଳିଙ୍କୁ ଶାସନ କରିବା ସବୁଠାରୁ କଷ୍ଟ । ସମ୍ପୂର୍ଣ୍ଣ ବଢ଼ିଲା ଅଣ୍ଡିରାଛେଳି ତ ମଣିଷେ ଉଚ୍ଚା ହେଇଯାଏ । ତାଙ୍କୁ ଯଦି ମାଈ ଛେଳିଙ୍କ ସହ ସମ୍ଭୋଗ କରିବାକୁ ଛାଡ଼ିଦେବ, ତାହାହେଲେ ସେ ଆଉ ବନ୍ଧବାଡ଼ ମାନିବେ ନାହିଁ । କୁଆଡ଼େ ବୋଲି କୁଆଡ଼େ ମାଈଛେଳିକୁ ଗୋଡ଼େଇ ଗୋଡ଼େଇ ଖେଦିଯିବେ । କାମାସକ୍ତ ଅଣ୍ଡିରା ଛେଳି ଯେତେବେଳେ କଣ୍ଟାଝଣ୍ଟା ନ ମାନି ଇଆଡ଼େ ସିଆଡ଼େ କ୍ଷିପ୍ର ଗତିରେ ଦଉଡ଼ୁଥାଏ ସେତେବେଳେ ତାହାର ସେ ଦଉଡ଼ ଦେଖିବା କଥା !

 

ଦିନେ ମୁଁ ଛେଳିଗୁଡ଼ିକୁ ଚରାଇ ନେଉଥିବା ବେଳେ ଗୋଟେ ଅଣ୍ଡିରା ଛେଳି ପିଚାରେ ପାହାରେ ପକାଇଲି । ସେ ଆଗେ ମୁହଁ ବୁଲେଇ ମୋତେ ଅନେଇଲା ଏବଂ ହାତୀ ପରି ଫେରି ପଡ଼ିଲା । ତା’ପରେ ନାକ ଫୁଲେଇ ଓ ଶିଙ୍ଗ ଦେଖାଇ ସିଧା ସେ ମୋ ଆଡ଼କୁ ଦଉଡ଼ି ଦଉଡ଼ି ଆସିଲା ଓ ମୋ ଛାତିରେ ଜୋର୍‌ରେ ଧକ୍କାଟାଏ ଦେଲା । ମୋତେ ସତର୍କ ହେବା ଲାଗି ସୁଦ୍ଧା ଟିକେ ସୁଯୋଗ ଦେଲା ନାହିଁ । ମୁଁ ଦେଖୁଥାଏ ତା’ ନାକ ସଁସଁ ହେଉଥାଏ ଏବଂ ସେ ପ୍ରବଳ ରାଗିଯାଇଥାଏ । ମୁଁ ମୋ ଛାତିକୁ ଧରି ବସିପଡ଼ିଲି, ମୋତେ ଲାଗିଲା କେହି ଯେମିତି ମୋ ଛାତି ଉପରେ ଗୋଟେ ଟନ୍‌ର ପଥର ଲଦି ଦେଇଥିଲା । ହିନ୍ଦୀ ସିନେମାରେ ହିରୋର ଆକ୍ରମଣରେ ଭିଲିୟାନ୍‌ମାଟି କାମୁଡ଼ି ପଡ଼ିଲା ପରି ମୁଁ ବାଲି କାମୁଡ଼ି ପଡ଼ିଥାଏ । କେତେ ସମୟ ପର୍ଯ୍ୟନ୍ତ ସେଇଠି ଚେତା ହରେଇ ମୁଁ ପଡ଼ିରହିଲି ଜାଣେ ନାହିଁ । ଯେତେବେଳେ ଆଖି ଖୋଲିଲି, ଦେଖିଲି ମୋ ମାଲିକ ମୋ ଆଗରେ ଠିଆ ହୋଇଛନ୍ତି । ସେ ମୋ ମୁହଁରେ କିଛି ଗରମପାଣି ଢାଳୁଥିଲେ । ମୁଁ ଆଖି ଖୋଲିବାରୁ ସେ ଚିତ୍କାର କରି ଉଠିଲେ, “ହାରାମି, ଏଠି କଅଣ କରୁଛୁ ?”

 

ମୁଁ କଷ୍ଟେମଷ୍ଟେ ବାଲି ଉପରୁ ଉଠି ଚାରିଆଡ଼କୁ ଚାହିଁଲି । ଛେଳିଗୁଡ଼ାକ କାହିଁ କେତେ ଦୂରକୁ ଚାଲିଯାଇଥାନ୍ତି । ସେଗୁଡ଼ିକ ପୁଣି ପରସ୍ପରଠାରୁ ଅଲଗା ହୋଇଯାଇଥାଆନ୍ତି । ପ୍ରାୟ ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧରେ ଚରୁଥିବା ଛେଳିମାନଙ୍କୁ ଦେଖି ମୋ ଫକାସି ଉଡ଼ିଗଲା । ୟାଙ୍କୁ କେତେବେଳେ ମୁଁ ଆଡ଼େଇକି ଗୋଟେ ଜାଗାକୁ ଆଣିବି ? ବାଆଁ ହାତରେ ଅସମ୍ଭବ ଯନ୍ତ୍ରଣା । ସେଇଟାକୁ ଜମା ଉଠେଇ ହେଉ ନ ଥାଏ । ମୋତେ ଲାଗୁଥାଏ ମୋ ହାତର ହାଡ଼ ଭାଙ୍ଗିଯାଇଛି । ମୁଁ ସେକଥା ମୋ ମାଲିକଙ୍କୁ କହିଲି । ସେ ମୋତେ ସହାନୁଭୂତି ଦେଖେଇବେ କଅଣ ଅଣ୍ଟାରୁ ବେଲ୍‌ଟ୍‌ଖୋଲି ମୋ ପିଠି ଉପରେ ତିନି ଚାରି ପାହାର କଷି ଦେଲେ । ଚିତ୍କାର କରି କହିଲେ, “ବଦମାସ୍‌, ଆଗେ ଯାଇକି ଛେଳିମାନଙ୍କୁ ନେଇକି ଆ, ତା’ପରେ ଏଠି ହାତ ଆଉଁଶିବୁ ।’’ ତା’ପରେ କହିଲେ, “ଯଦି ଗୋଟିଏ ବି ଛେଳି ହଜିଥାଏ, ତାହାହେଲେ ଆଜି ତୋର ଶେଷଦିନ ହେବ, ଜାଣିଥା-!”

 

ମୁଁ ମୋ ଭଙ୍ଗା ହାତକୁ ଆର ହାତରେ ଟେକିଧରି ସେଇ ମରୁଭୂମିରେ ଧାଇଁଲି । ସେତେବେଳକୁ ଛେଳିମାନେ ସେମାନଙ୍କର ଅପ୍ରତ୍ୟାଶିତ ସ୍ୱାଧୀନତାକୁ ମନପ୍ରାଣ ଦେଇ ଉପଭୋଗ କରି କିଏ କୁଆଡ଼େ ଖେଦି ଯାଇଥାଆନ୍ତି । ତାଙ୍କର ସବୁ ପ୍ରକାର ବଣ୍ୟ ଉଦ୍ଦାମତା ଆଜି ଅବା ବାହାରକୁ ଫିଟି ଆସିଥାଏ । ଦାସତ୍ୱ ଭିତରେ ଥିବା ଗୋଟେ ଦେଶ ହଠାତ୍‌ସ୍ୱାଧୀନତା ପାଇଲେ ତାହାର ନାଗରିକମାନେ ଯେମିତି ସେହି ସ୍ୱାଧୀନତାକୁ ମନଇଚ୍ଛା ପ୍ରଦର୍ଶନ କରନ୍ତି, ଏହି ଛେଳିମାନେ ମଧ୍ୟ ସେମିତି ତାଙ୍କର ସ୍ୱାଧୀନତାକୁ ମନଇଚ୍ଛା ଉପଭୋଗ କରୁଥିଲେ । ଯାହାକୁ କହନ୍ତି ସମ୍ପୂର୍ଣ୍ଣ ଅରାଜକତା । କେହି କାହା କଥା ମାନିବା ପାଇଁ ନାହିଁ, କାହାର ବାଧାବନ୍ଧନକୁ ଗ୍ରହଣ କରିବା ପାଇଁ ସାମାନ୍ୟ ଇଚ୍ଛା ନାହିଁ । ମୁଁ ଗୋଟିଏ ପଟର ଛେଳିଙ୍କୁ ବଡ଼ କଷ୍ଟରେ ଅଡ଼େଇ ଅଡ଼େଇ ଆଣିଲି, କିନ୍ତୁ ସେମାନଙ୍କୁ ଆଣି ପହଞ୍ଚାଇଲାବେଳକୁ ଆରପଟର ଛେଳିଗୁଡ଼ାକ ଦୂରକୁ ପଳେଇଲେଣି । ମୁଁ ତାଙ୍କ ପଛେ ଧାଇଁବାବେଳକୁ ଏହାଙ୍କ ଭିତରୁ କିଛି ପୁଣି ପଳେଇଲେଣି । ବାରମ୍ବାର ଧାଁଦଉଡ଼ ଶେଷରେ ଜାଣିଲି ଯେ ଏମାନଙ୍କୁ ସମସ୍ତଙ୍କୁ ଏକାଠି କରିବା ଅସମ୍ଭବ । ତେଣୁ ଯେତକଙ୍କୁ ଏକାଠି କରିପାରିଲି ସେତକଙ୍କୁ ଧରି ମସାରାକୁ ଗଲି ଓ ତାଙ୍କୁ ସେଠି ଖୁଆଡ଼ ଭିତରେ ଛାଡ଼ି ପୁଣି ଆସିଲି । ଏମିତି ଥରକେ ଦଶ ପନ୍ଦରଟା ଛେଳିଙ୍କୁ ନେଇ ମୁଁ ମସାରାରେ ଭର୍ତ୍ତି କଲି । ଏଥିପାଇଁ ମରୁଭୂମି ଓ ମସାରା ଭିତରେ ଥିବା ଦୂରତ୍ୱକୁ ମୁଁ ଯେ କେତେଥର ସେଦିନ ଅତିକ୍ରମ କରିଥିବି ତାହାର ହିସାବ ନାହିଁ । ଗୋଟେ ଗୋଟେ ଛେଳି ମସାରା ପାଖରୁ ଦି’ କିଲୋମିଟର ଦୂରକୁ ପଳେଇ ଯାଇଥିଲେ ତ ଆଉ କିଛି ପାଞ୍ଚ କିଲୋମିଟରରୁ ଅଧିକ ଦୂରକୁ ଚାଲିଯାଇଥିଲେ । ଧାଇଁ ଧାଇଁ ମୋ ପ୍ରାଣ ବାହାରି ଯାଉଥାଏ । ତାହା ସାଙ୍ଗକୁ ଭଙ୍ଗାହାତର କଷ୍ଟ । ଶୋଷରେ ପାଟି ଶୁଖି ଅଠା ଅଠା । ମୁନ୍ଦାଏ ପାଣି ପାଇଁ କୁଣ୍ଡ ପାଖକୁ ହାତ ବଢ଼େଇଛି ତ ମାଲିକ ଆସି ପୁଣି ପିଠିରେ ଗୋଇଠାଟାଏ କଷିଦେଲେ । ମୋ ହାତରୁ ପାଣି ମଗ୍‌ଟା ଛଡ଼େଇ ନେଇ ଦୂରକୁ ଫୋପାଡ଼ିଦେଲେ-। ମୁଁ ବାଧ୍ୟହୋଇ ପୁଣିଥରେ ମରୁଭୂମିକୁ ଧାଇଁଲି । ଦୂରରେ ଚରୁଥିବା କେତୋଟି ଛେଳିଙ୍କୁ ଧରି ଆଣିବାକୁ ପଡ଼ିବ । ଯିବାବେଳେ ଆକାଶକୁ ଚାହିଁ ମୁଁ କାନ୍ଦିପକାଇଲି । ହାତଟେକି ଆଲ୍ଲାଙ୍କୁ ଡାକିଲି, “ଆପଣଙ୍କର ଇଏ କି ବିଚାର ? କେମିତି ଏ କଷ୍ଟ ମୁଁ ରକ୍ତମାଂସର ଶରୀରରେ ସହିପାରିବି ?’’ ଅନେକ ଦୂରରେ ଅବାଧ୍ୟ ଛେଳିଗୁଡ଼ିକ ଚରୁଥାନ୍ତି । ସେତିକି ଦୂର ମୁଁ ଯିବି କିପରି ? ଗୋଟେ ପାହୁଣ୍ଡ ବାଟ ଚାଲିବାଲାଗି ସୁଦ୍ଧା ମୋ ବଳ ପାଉ ନ ଥାଏ । ପାଦଯୋଡ଼ିକ ଫୁଲିଯାଇଥାଏ । ହାତର ଯନ୍ତ୍ରଣା ବେଳୁବେଳ ବଢ଼ିଚାଲିଥାଏ । ଏଣେ ଶୋଷ ଯେ ପ୍ରବଳ ଶୋଷ । ମୁଁ ଚିତ୍କାର କରି କରି ଛେଳିଙ୍କ ପାଖକୁ ଧାଇଁଲି । ସେଦିନ ମରୁଭୂମିଟାରେ ଟିକିଏ ହେଲେ ପବନ ବହୁ ନ ଥାଏ । ଚାରିଆଡ଼େ ତତଲା ବାଲି ଓ ମଥା ଉପରେ ନିଆଁହୁଳା ପରି ଜଳୁଥିବା ସୂର୍ଯ୍ୟ ।

 

ସବୁଯାକ ଛେଳିଙ୍କୁ ନେଇ ମସାରାରେ ପହଞ୍ଚିବାବେଳକୁ ବେଳ ରତରତ ହେଲାଣି । ଏ ଘଟଣା ସମ୍ପର୍କରେ ପରେ ମୁଁ ଅନେକଥର ଭାବିଛି । ସେଦିନ ଏତେ କଷ୍ଟ ସହି ମୁଁ ତଥାପି କିପରି ବଞ୍ଚି ରହିପାରିଲି ? ଟୋପାଏ ଜଳ କି ମୁହୂର୍ତ୍ତକର ବିଶ୍ରାମ ବିନା କେମିତି ସେଦିନ ଜୀବନ ଧରି ରହିପାରିଲି ? ମୁଁ ଭାବେ ଦିଇଟା କଥା ମୋତେ ସେ ମରୁଭୂମିରେ ବଞ୍ଚିବା ପାଇଁ ସେଦିନ ସାହସ ଦେଇଥିଲା । ଗୋଟିଏ ହେଲା ମୋର ବଞ୍ଚିରହିବା ପାଇଁ ପ୍ରବଳ ଇଚ୍ଛା ଏବଂ ଆରଟି ଆଲ୍ଲାଙ୍କ ଉପରେ ଥିବା ମୋର ଅତୁଟ ବିଶ୍ୱାସ ।

 

ସବୁଗୁଡ଼ାକ ଛେଳି ଆଣି ଖୁଆଡ଼ରେ ପୂରେଇ ସାରିବା ପରେ ମାଲିକ ଢାଳେ ପାଣି ଧରି ମୋ ପାଖକୁ ଆସିଲେ । ସେତେବେଳକୁ ମୁଁ ପାଣି ପାଣି ବୋଲି ଆଉଟୁ ପାଉଟୁ ହେଉଥାଏ । ମୋ ପାଟିରେ ଦି’ ମୁନ୍ଦା ପାଣି ଢାଳିଦେଲେ ସିଏ । ମୁଁ ‘ଆଉ ଟିକେ, ଆଉ ଟିକେ’ ବୋଲି ମିନତି କରୁଥାଏ; ମାତ୍ର ମାଲିକ ଶୁଣୁ ନ ଥାନ୍ତି । ସେ କହୁଥାଆନ୍ତି ତମେ ଗୁଡ଼ାକ ବଦ୍‌ଖର୍ଚ୍ଚୀ, ପାଣିର କେମିତି ଠିକଣା ବ୍ୟବହାର କରିବାକୁ ହୁଏ ସେକଥା ତୁମଗୁଡ଼ାଙ୍କୁ ମାଲୁମ୍‌ନାହିଁ । ତା’ପରେ ସେ ଆହୁରି କେତେ କଅଣ ବକିଚାଲିଥିଲେ ମୋତେ ଜଣା ନାହିଁ । କାରଣ ମୁଁ ସେତେବେଳକୁ ଚେତା ହରେଇ ବସିଥିଲି ।

 

ମୋ ଆଖି ଖୋଲିଲାବେଳକୁ ରାତି ଗଭୀର ହେଇଯାଇଥିଲା । ସେତେବେଳକୁ ଗୋଡ଼ହାତ ଆହୁରି ଫୁଲିଯାଇଥିଲା ଏବଂ ଦରଜ ବଢ଼ିଯାଇଥିଲା । ମୁଁ ନିଶ୍ଚିତ ହୋଇଯାଇଥିଲି ଯେ ମୋ ହାତର ହାଡ଼ ଭାଙ୍ଗିଯାଇଛି । ମୋ ଛାତିର ଦରଜ କିଛି କମ୍‌ନ ଥାଏ । ବୋଦାଟା ଯେ ତା’ ଶିଙ୍ଗରେ ଖୁବ୍‌ଜୋର୍‌ରେ ମୁଣ୍ଡିଆଟାଏ ମାରିଥିଲା ! ଶୋଷରେ ତୋଟିଟା ଫାଟିଯିବା ପରି ମନେ ହେଉଥାଏ । ମୁଁ ପାଦ ଘୋଷାରି ଘୋଷାରି ପାଣିକୁଣ୍ଡ ପର୍ଯ୍ୟନ୍ତ ଗଲି ଏବଂ ମନ ପୂରେଇ ପାଣି ପିଇଲି । ତା’ପରେ ମୁଁ ମାଲିକଙ୍କ ତମ୍ବୁକୁ ଗଲି । ସେ ମୋତେ ଦେଖି ଆଗେ ବହେ ଶୋଧିଗଲେ । ଏତେବେଳ ଯାଏ କାହିଁକି ଶୋଇରହିଥିଲୁ ବୋଲି କହି ଗାଳିଦେଲେ । ତାହାପରେ ମୋ ଆଡ଼କୁ ଦିଇଟା କି ତିନିଟା ଖୁବୁସ୍‌ଫୋପାଡ଼ିଦେଲେ । ମୋତେ ପ୍ରବଳ ଭୋକ ଲାଗୁଥାଏ । ଖୁବୁସ୍‌ଗୁଡ଼ିକୁ ପାଣିରେ ବୁଡ଼େଇ ମୁଁ ଚୋବେଇବାରେ ଲାଗିଲି । ସେଦିନ ରାତିରେ ମୋ ଆଖିକୁ ଟିକେ ହେଲେ ନିଦ ଆସିଲା ନାହିଁ । ଯନ୍ତ୍ରଣାରେ ଦେହହାତ ଫାଟିଯାଉଥାଏ । ବାରମ୍ବାର ମାଲିକଙ୍କ ତମ୍ବୁକୁ ଯାଇ ମୋତେ ଟିକେ ଡାକ୍ତରଖାନା ନେବା ପାଇଁ ମୁଁ ଅନୁନୟ ବିନୟ ହେଇଥିବି; ମାତ୍ର ମାଲିକ ମୋ କଥାକୁ ଟିକିଏ ହେଲେ କାନ ଦେଇ ନ ଥିଲେ । ସେମିତି ରାତିଟା ବିତିଲା । ସକାଳ ହେଲା କ୍ଷଣି ସେ ଗୋଟେ ବାଲ୍‌ଟି ଧରି ମୋ ପାଖକୁ ଆସିଲେ ଓ କହିଲେ, “ଯା, ଛେଳି ଦୁହିଁ କ୍ଷୀର ଆଣ ।” ମୁଁ ମୋ ଭଙ୍ଗାହାତ ଟେକି ତାଙ୍କୁ ଦେଖାଇଲି । ସେ ମୋ ଦୁଃଖ ବୁଝିବେ କ’ଣ, ମୋ ମୁଣ୍ଡରେ ଗୋଟେ ନିର୍ଘାତ ଚାପୁଡ଼ା କଷିଦେଲେ ।

 

ମୋ ଛାତିର ଦରଜ କି ହାତବିନ୍ଧା ଭଲହେଇ ନ ଥାଏ । ସେହି ଅବସ୍ଥାରେ ମୁଁ ଛୋଟେଇ ଛୋଟେଇ ମସାରାକୁ ଗଲି । ଗୋଟିଏ ହାତରେ କେମିତି ବା ଛେଳି ଦୁହିଁବି ? ସୁଧାର ଛେଳିଙ୍କୁ ଦୁହିଁଲାବେଳେ ବାଲ୍‌ଟି ତାଙ୍କ ପହ୍ନାତଳେ ରଖିଦେଇ ଦି’ ହାତରେ ଦୁହେଁ । ଆଉ ଯେଉଁମାନେ ଟିକିଏ ଖୁସାମତି ଖୋଜନ୍ତି, ଗୋଟିଏ ହାତରେ ତାଙ୍କ ପିଠି ଆଉଁଶିଦେଇ ଆର ହାତରେ କ୍ଷୀର ଦୁହେଁ । ଆଜି ଗୋଟେ ହାତରେ କିମିତି ଏ କାମ କରିବି ? ଯଦି କ୍ଷୀର ଦୁହିଁବାବେଳେ ଛେଳିଟା ଡେଇଁପଡ଼େ ତାହାହେଲେ ତା’ ଗୋଡ଼ବାଜି ବାଲ୍‌ଟି ଇଡ଼ିଯିବ ଓ ଯେତକ କ୍ଷୀର ଦୁହିଁଥିବି ସେସବୁ ଢାଳି ହେଇଯିବ । ମୁଁ ଆଲ୍ଲାଙ୍କୁ ମନେ ମନେ ଡାକି ମସାରା ଭିତରକୁ ଗଲି-। ସବା ଆଗେ ଯେଉଁ ଛେଳିଟା ମୋ ଦୃଷ୍ଟିରେ ପଡ଼ିଲା, ତା’ ନାଆଁ ମୁଁ ଦେଇଥିଲି ପୁଚକ୍କାରି ରମାନି । ସେ ନାଆଁଟି କାହିଁକି ମୁଁ ତାକୁ ଦେଇଥିଲି ସେକଥା ପରେ କହିବି ।

 

ମୁଁ ରମାନି ଆଖିକୁ ଚାହିଁ କହିଲି, “ରମାନି, ଆଜି ମୁଁ ମୋ ହାତ ଯୋଡ଼ିକ ହଲେଇ ପାରୁନାହିଁ । ତୋଅରି ଅଣ୍ଡିରା ବନ୍ଧୁମାନଙ୍କ ଭିତରୁ ଜଣେ ମୋର ଏ ଦଶା କରିଛି । ମାତ୍ର ମାଲିକ ତ କ୍ଷୀର ପିଇବେ । ମୋ ହାତ ଭାଙ୍ଗିଯାଉ କି ଆକାଶ ଛିଣ୍ଡିପଡ଼ୁ ସେଥିରେ ତାଙ୍କର କିଛି ଯାଏ ଆସେ ନାହିଁ । ସେ କ୍ଷୀର ପିଇବେ ଏବଂ ମୋତେ ନେଇ ସେ କ୍ଷୀର ତାଙ୍କୁ ଦେବାକୁ ପଡ଼ିବ । ତୁ ଯଦି ମୋତେ ଟିକିଏ ସହଯୋଗ କରିବୁ ତାହାହେଲେ ମୁଁ ମାଲିକଙ୍କ ମାଡ଼ରୁ ରକ୍ଷା ପାଇ ପାରିବି । ଆଜି ମୋ ଭାଗ୍ୟ ତୋ ହାତରେ ।”

 

ବିଶ୍ୱାସ କରନ୍ତୁ, ସମୟେ ସମୟେ ମୋର ଅନୁଭବ ହେଇଛି ଯେ ଛେଳିଗୁଡ଼ିକ ମଣିଷଠାରୁ ଅଧିକ ଭଲ ଭାବେ ମନର କଥା ବୁଝିପାରନ୍ତି । ସେଦିନ ରମାନି ଚୁପ୍‌ଚାପ୍‌ସୁନାପିଲା ପରି ଗୋଟିଏ ଜାଗାରେ ଠିଆ ହେଇ ରହିଲା । ମୁଁ ବଡ଼ କଷ୍ଟରେ ଗୋଟିଏ ହାତରେ କ୍ଷୀର ଦୁହିଁ ମାଲିକଙ୍କ ପାଖକୁ ନେଇକି ଗଲି ଓ ସେ ସେତକ ପିଇଲେ । ମନେ ମନେ ମୁଁ ସେତେବେଳେ ମାଲିକଙ୍କୁ ଗାଳିଦେଇ କହୁଥାଏ - ନେ ଘୁଷୁରି ପିଇ, ପିଇକି ମର୍‌ ।

 

କ୍ଷୀରତକ ଢକଢକ କରି ନିଜେ ପିଇସାରିବା ପରେ ମାଲିକ ମୋତେ କହିଲେ, “ଯା, ଆଉ କ୍ଷୀର ଦୁହିଁ ଛେଳିଛୁଆଙ୍କୁ ଦେବୁ ।” ମୋ ହାତରେ ତ ଆଦୌ ଶକ୍ତି ନ ଥାଏ । ମୁଁ ମାଲିକଙ୍କୁ କହିଲି, “ମୁଁ ପାରିବି ନାହିଁ, ପାରିବି ନାହିଁ ।” ମୋର ମନେହେଉଥିଲା ସେତକ କଥା ମୁଁ ଚିତ୍କାର କରି କହିଥିଲି । ମୋ ମାଲିକ ମୋ ଚେହେରାର ଏଇ ରୂପଟି ପ୍ରଥମଥର ପାଇଁ ଦେଖିଥିଲେ । ସେ ଏକଦମ୍‌ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମୁଁ ଏତକ କହିଦେଇ ଖଟ ପାଖକୁ ଗଲି ଓ ପେଟମାଡ଼ି ଶୋଇପଡ଼ିଲି । ଭାବିଲି, ସେ ଏବେ ମୋତେ ଚାବୁକ୍‌ରେ ପିଟିବେ, ପିଟନ୍ତୁ । ଆଉ ଏ ଯନ୍ତ୍ରଣା ମୁଁ ସହିପାରୁ ନାହିଁ । ମାଡ଼ ଖାଇ ଖାଇ ମରିଗଲେ ଭଲ । ଯିଏ ମରିବାକୁ ପ୍ରସ୍ତୁତ ତାକୁ ଆଉ କେଉଁ ଭୟଟା ବା ଡରେଇବ ? ମୁଁ ତ ଆଲ୍ଲାଙ୍କ ନାମରେ ଶପଥ ନେଇଛି ଯେ କୌଣସି ପରିସ୍ଥିତିରେ ସୁଦ୍ଧା ମୁଁ ଆତ୍ମହତ୍ୟା କରିବି ନାହିଁ । ତେଣୁ ମାଲିକଙ୍କ ହାତରେ ମରିଗଲେ ଭଲ । ଆଲ୍ଲା ଆଉ ମୋ ଉପରେ ରାଗିବେ ନାହିଁ । ମୋ ଭାଗ୍ୟରେ ମୋ ପୁଅର ମୁହଁ ଦେଖିବା ଯୋଗ ନାହିଁ । ଠିକ୍‌ଅଛି, ମୁଁ ଆଉ ସେଥିପାଇଁ ଦୁଃଖ କରିବିନାହିଁ । ଯାହା ଭାଗ୍ୟରେ ଥିଲା ସେଇଆ ହେଲା । କିନ୍ତୁ ମୁଁ ଆଉ ଏ କଷ୍ଟ ସହିପାରୁନାହିଁ ।

 

ମାତ୍ର ମୁଁ ଯେମିତି ଆଶା କରୁଥିଲି ସେମିତି ହେଲା ନାହିଁ । ମୋ ମାଲିକ ମୋତେ ପିଟିବାଲାଗି ଆସିଲେ ନାହିଁ । ଛେଳିଗୁଡ଼ିକ ଖୁଆଡ଼ ଭିତରେ ଥାଇ ବାହାରକୁ ଆସିବାଲାଗି ଅସ୍ଥିର ହେଉଥାଆନ୍ତି । ସେମାନଙ୍କର ଗୋଟେ ରୁଟିନ୍‌ଅଛି । ସେଇ ରୁଟିନ୍‌ସମୟ ହେଇଗଲେ ସେମାନେ ବ୍ୟସ୍ତ ହେଇପଡ଼ନ୍ତି, ଖୁଆଡ଼ ଭିତରେ ଡିଆଁକୁଦା ଆରମ୍ଭ କରିଦିଅନ୍ତି । ମୁଁ ଭାବିଲି, ଛେଳିଗୁଡ଼ାକ ଯାହା କରିବାର କରୁଥାଆନ୍ତୁ, ମୋର ଆଉ କିଛି କରିବାର ନାହିଁ । ଯାହା ହେବାର ହେଉ, ସମସ୍ତେ ନର୍କକୁ ଯାଆନ୍ତୁ । ଏମିତି ଭାବି ମୁଁ ସ୍ଥିର ହେଇ ପଡ଼ିରହିଥାଏ ।

 

କିଛି ସମୟ ପରେ ବଡ଼ ମାଲିକ ଆସିଲେ । ତଥାପି ମୁଁ ଖଟ ଉପରୁ ଉଠିଲି ନାହିଁ । ବଡ଼ ଓ ସାନ ଦି’ଜଣ ଯାକ ତାଙ୍କ ତାଙ୍କ ଭିତରେ କଅଣ କଥାବାର୍ତ୍ତା ହେଲେ । ତା’ପରେ ଜଣେ ମୋ ପାଖକୁ ଆସିଲେ । ସେ ମୋ ହାତକୁ ଉଠେଇ ଦେଖିଲେ । ଫୁଲାଜାଗାକୁ ଟିକିଏ ଆଉଁଶିଲେ-। ମୋତେ ଅଧିକ କଷ୍ଟ ହେଲା ଓ ମୁଁ ଚିତ୍କାର କରି କହିଲି - ଦୟାକରି ମୋତେ ଡାକ୍ତରଖାନାକୁ ନେଇ ଚାଲନ୍ତୁ । ମାତ୍ର ସେ ମୋତେ ଡାକ୍ତରଖାନା ନ ନେଇ ନିଜେ ତାଙ୍କ ଗାଡ଼ିରେ କୁଆଡ଼େ ଚାଲିଗଲେ । ସତେ କି ସେ ମୋ କଥା ଶୁଣି ନାହାନ୍ତି । ମୁଁ ଖଟ ଉପରେ ଚିତ୍‌କାତ୍‌ହେଇ ପଡ଼ିଥାଏ-। କିଛି ସମୟ ପରେ ସେ ଫେରି ଆସିଲେ । ହାତରେ କିଛି ଚେରମୂଳି ସେ ଧରିଥିଲେ । ସେଇ ଚେରମୂଳି ଛେଚି ସେ ମୋ ହାତରେ ରସତକ ଲଗେଇଦେଲେ ଏବଂ ଦିଇଟା କାଠି ମୋ ହାତର ଉପରେ ତଳେ ରଖି ତାକୁ କନା ଗୁଡ଼େଇ ବାନ୍ଧିଦେଲେ । ପୁରୁଣାକାଳିଆ ଚିକିତ୍ସା ପଦ୍ଧତିରେ ସେ ମୋ ଚିକିତ୍ସା କରିଥିବା ମୁଁ ଜାଣିପାରୁଥିଲି । ଏହାପରେ ମୁଁ ମୋ ଛାତିର ଫୁଲାଜାଗାଟି ତାଙ୍କୁ ଦେଖେଇଲି । ସେ ଜାଗାରେ ମଧ୍ୟ ସେ ଚେରମୂଳି ଛେଚା ଲଗେଇଦେଲେ । ସେ ଏସବୁ କରୁଥିଲାବେଳେ ମୁଁ ଡାକ୍ତରଖାନା ନେଇଯିବା ଲାଗି ଆକୁଳ ବିକଳ ହୋଇ କହୁଥିଲି । ମାତ୍ର ମୋ ମାଲିକ କହିଲେ, “କିଛି ଚିନ୍ତା ନାହିଁ, ତୁ ଏବେ ବିଲକୁଲ ଠିକ୍‌ହେଇଯିବୁ ।” ମୋର ତାଙ୍କ କଥାରେ ବିଶ୍ୱାସ ନ ଥିଲା । ଆଶଙ୍କା ହେଉଥିଲା ଯେ ମୋ ହାତଟି ଭିତରେ ଭିତରେ ଶଢ଼ିଯିବ ଏବଂ ଶେଷରେ ତାକୁ କାଟିବା ପାଇଁ ପଡ଼ିବ ।

 

ଆର ମାଲିକ ମୋ ପାଇଁ ଦି’ ତିନିଖଣ୍ଡ ଖୁବୁସ୍‌ନେଇ ଆସିଥିଲେ । ସେତକ ପାଣିରେ ବୁଡ଼େଇ ମୁଁ ଗିଳିଦେଲି । ମୋ ଖାଇବା ସରିବାକ୍ଷଣି ମାଲିକ ମୋତେ କହିଲେ, “ବହୁତ ଡେରି ହେଇଗଲାଣି, ଛେଳିଗୁଡ଼ାଙ୍କୁ ଶୀଘ୍ର ଚରେଇବାକୁ ନେଇଯାଆ ।” ମୁଁ ମନା କରିପାରିଲି ନାହିଁ । ସେଇ ଭଙ୍ଗାହାତରେ ମୁଁ ମସାରାକୁ ଧାଇଁଲି ।

 

ଦି’ପହର ବେଳକୁ ମୁଁ ଅନୁଭବ କଲି, ମୋ ହାତର ଦରଜ ଓ ଛାତି ବଥା ଟିକେ କମିଯାଇଛି । ରାତି ସୁଦ୍ଧା ଦରଜ ପ୍ରାୟ ଛାଡ଼ିଯାଇଥିଲା । ତାହାର ଦି’ଦିନ ପରେ ହାତ ଓ ଛାତିର ଫୁଲା ମଧ୍ୟ ଦୂର ହେଇଗଲା । ଦଶଦିନ ପରେ ମୋ ହାତରୁ ବ୍ୟାଣ୍ଡେଜ୍‌ଖୋଲାଗଲା । ସେତିକି ଦିନ ମୁଁ ଗୋଟିଏ ହାତରେ ଛେଳି ଦୁହୁଁଥିଲି ଓ ସେମାନଙ୍କୁ ଚରେଇବାକୁ ନେଉଥିଲି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ସେତିକିଦିନ ମୋତେ କୌଣସି ଛେଳି ନାତ ମାରି ନ ଥିଲେ କି ମୁଣ୍ଡିଆ ମାରି ନ ଥିଲେ । ଗୋଟିଏ ହାତରେ କ୍ଷୀର ଦୁହୁଁଥିଲେ ମଧ୍ୟ କୌଣସି ଦିନ ବାଲ୍‌ଟିକୁ କୌଣସି ଛେଳି ଠେଲି ପକେଇ ଦେଇ ନ ଥିଲେ ।

 

ମୋର ମନେହୁଏ, ସେଇ ଛେଳିଗୁଡ଼ିକ ମୋତେ ମୋ ମାଲିକଙ୍କ ଅପେକ୍ଷା ଅଧିକ ବୁଝିଥିଲେ । ସେମାନେ ହୁଏତ ବୁଝିଥିଲେ ଯେ ମୁଁ ଅସହାୟ ହେଇପଡ଼ିଥିଲି । ସେତେବେଳେ ମୋତେ ସେମାନେ ନାତ ମାରିଥିଲେ ମୁଁ ତାହାର ପ୍ରତିରୋଧ କରିପାରି ନ ଥାନ୍ତି । ତାହା ସତ୍ତ୍ୱେ ମୁଁ ବୋଦାମାନଙ୍କ ପାଖରୁ ନିରାପଦ ଦୂରତ୍ୱରେ ରହୁଥିଲି । ସେମାନେ ମୋ ଆଡ଼କୁ ଆସୁଥିବାର ଦେଖିଲେ ମୁଁ ମୋ ଲାଠି ଦେଖାଇ ତାଙ୍କୁ ଘଉଡ଼ାଇ ଦେଉଥିଲି । ସେହି ଭୟଙ୍କର ଘଟଣା ପରେ ଆଉ କୌଣସି ବୋଦା ଅବଶ୍ୟ ମୋତେ ଆକ୍ରମଣ କରିନାହାନ୍ତି ।

 

ଏପର୍ଯ୍ୟନ୍ତ କହି ନ ଥିବା ଗୋଟେ ମନର କଥା ମୁଁ ଆପଣଙ୍କୁ ଏଇଠି କହେ । ଆପଣ ବିଶ୍ୱାସ କରିବେ କି ନାହିଁ ମୁଁ ଜାଣେ ନାହିଁ, ପିଲାଦିନେ ମୋର ଗୋଟେ ଛେଳିଜଗୁଆଳି ହେବାକୁ ଇଚ୍ଛା ହେଇଥିଲା । ହେଇପାରେ, ‘ରାମାୟଣ’ ସିନେମା ଦେଖି ମୋ ମନରେ ଏମିତିକା ଇଚ୍ଛା ଜନ୍ମ ନେଇଥିଲା । ମୋ ମାଆ ‘ରାମାୟଣ’ ଦେଖିବାକୁ ଭାରି ଭଲ ପାଉଥିଲେ । ସେଥିରେ ଦୃଶ୍ୟଟେ ଦେଖିଥିଲି ଯେଉଁଥିରେ ଛେଳି ଜଗୁଆଳିର ଜୀବନ ଥିଲା ଓ ତାହା ମୋତେ ଖୁବ୍‌ବଢ଼ିଆ ଲାଗିଥିଲା-। ଏ ଜାଗାରୁ ସେ ଜାଗାକୁ ଯାଅ, ଯେଉଁଠି ମନ ସେଇଠି ତମ୍ବୁ ପକାଅ, ଛେଳିଙ୍କୁ ଧରି ସବୁଜ ଉପତ୍ୟକାରେ ବୁଲ, କିଛି ଚିନ୍ତା ନାହିଁ । ପ୍ରତିଦିନ ନୂଆ ଜାଗା, ନୂଆ ପରିବେଶ । ଶୀତ ରାତିରେ ନିଆଁ ଜଳେଇ ତା’ ପାଖରେ ବସିବା ପୁଣି କେତେ ମଜା । ଛେଳିଜଗାକୁ ଛେଳିଜଗା, ଭ୍ରମଣକୁ ଭ୍ରମଣ । ଛେଳିଜଗୁଆଳି କାମଟା ପ୍ରକୃତରେ ଭାଗ୍ୟରେ ଥିଲେ ମିଳେ - ଏଇଆ ମୁଁ ପିଲାଦିନେ ଭାବିଥିଲି ।

 

କିନ୍ତୁ ଯେତେବେଳେ ଏହି ସ୍ୱପ୍ନ ସତରେ ପରିଣତ ହେଲା, ସେତେବେଳେ ଯାଇ ମୁଁ ବୁଝିଲି ଯେ ବାସ୍ତବତାଟି କଳ୍ପନାଠାରୁ କେତେ ଦୂରବର୍ତ୍ତୀ: କେତେ ଯନ୍ତ୍ରଣାଦାୟକ ଓ କଷ୍ଟକର ଗୋଟେ ଛେଳିଜଗୁଆଳିର ଜୀବନ ! ଯେଉଁ କଥା ବିଷୟରେ ଜଣେ ଭଲ ଭାବେ କିଛି ଜାଣେ ନାହିଁ ତାକୁ ନେଇ ସେ ସ୍ୱପ୍ନ ଦେଖିବା ଉଚିତ ନୁହେଁ । କାରଣ କେବେ ଯଦି ସତକୁ ସତ ସେଇ ସ୍ୱପ୍ନଟା ସତ ହେଇଯାଏ ତାହାହେଲେ ତାହାର ରୁକ୍ଷ ବାସ୍ତବତା ସାମ୍‌ନା କରି ସେ ପାଗଳ ହେଇଯିବ । ହୁଏତ ସେ ମୋହଭଙ୍ଗକୁ ସେ ବରଦାସ୍ତ କରିପାରିବ ନାହିଁ ।

 

ଊଣେଇଶ

 

ମୁଁ ଗୋଟେ ଅଜଣା ଉପଗ୍ରହରେ ରହୁଥିଲି, ଯେଉଁଠି ମୋ ପାଖରେ ମୋ ମାଲିକ ଏବଂ କିଛି ଛେଳି ଓ ଓଟ ରହୁଥିଲେ । ମୋ ଜୀବନର ଏହି ଗୁଳାପକା ଜୀବନଧାରାରେ କେବେ କୌଣସି ବ୍ୟତିକ୍ରମ ଦେଖାଦେଉ ନ ଥିଲା । ସବୁ ଯେମିତି ଏକଟଣାର ରାଗିଣି ପରି ଗତାନୁଗତିକ । ହଁ, ମଝିରେ ମଝିରେ ଯେତେବେଳେ ପାଣିଗାଡ଼ି ଓ ଚୋକଡ଼ ଗାଡ଼ି ଆସୁଥିଲା ମୋର ଜୀବନଧାରା ଅଳ୍ପ ସମୟ ପାଇଁ ଟିକେ ପରିବର୍ତ୍ତନ ଅନୁଭବ କରୁଥିଲା । ପାଣିଗାଡ଼ି ସପ୍ତାହରେ ଦି’ଥର, ଘାସଗାଡ଼ି ସପ୍ତାହରେ ଥରେ ଏବଂ ଗହମ ଗାଡ଼ି ମାସକରେ ଥରେ ଆସୁଥିଲା । ଏହି ଗାଡ଼ିଗୁଡ଼ିକ ଜରିଆରେ ହିଁ ମୋର ସେଇ ଅଜଣା ଉପଗ୍ରହକୁ ମୁଁ ବାହାର ଦୁନିଆ ସହିତ ଯୋଡୁଥିଲି । ତାହା ନ ହେଲେ ଏଇ ଛେଳି, ମାଲିକ ଓ ମରୁଭୂମି ଛଡ଼ା ଆଉ କିଛି ଏ ପୃଥିବୀରେ ଅଛି ବୋଲି ମୁଁ ଜାଣିପାରୁ ନ ଥାନ୍ତି । ଏ ଗାଡ଼ିର ଡ୍ରାଇଭରମାନେ ପ୍ରାୟ ସମସ୍ତେ ପାକିସ୍ତାନୀ ପଠାଣ ଥିଲେ । ସେମାନଙ୍କୁ ଦେଖି ମୋ ମନରେ ଗୋଟେ ଆଶା ସଞ୍ଚାର ହେଉଥିଲା ଓ ସେମାନଙ୍କ ସହ କଥାବାର୍ତ୍ତା ଜରିଆରେ ମୁଁ ଅବଶିଷ୍ଟ ପୃଥିବୀ ସହ ସମ୍ପର୍କ ବାନ୍ଧିବା ପରି ଅନୁଭବ କରୁଥିଲି । ଏହିମାନେ ଥିଲେ ବାହାର ପୃଥିବୀ ସହ ମୋର ସଂଯୋଗ । ସମୟେ ସମୟେ ଭାବୁଥିଲି, ଏଇମାନଙ୍କ ସାହାଯ୍ୟରେ ମୁଁ ହୁଏତ ଏହି ନର୍କରୁ ଖସିଯାଇପାରିବି । କାହିଁକି କେଜାଣି ଏହି ଗାଡ଼ିମାନଙ୍କୁ ଦେଖି ମୋ ମନର କୋଉ କୋଣରେ ଆଶାର ଗୋଟେ କ୍ଷୀଣ ରେଖା ଉଙ୍କି ମାରୁଥିଲା । ଭାବୁଥିଲି, ଭାଗ୍ୟରେ ଥିଲେ ଏହି ଗାଡ଼ିମାନଙ୍କ ସାହାଯ୍ୟରେ ମୁଁ ଦିନେ ଖସିଯାଇ ପାରିବି । ମାତ୍ର ମୋର ମାଲିକ ଖୁବ୍‌ଚାଲାକ ଥିଲେ-। ଗାଡ଼ି ଆସିବା ଦିନ ସେ ମୋତେ ବେଳାବେଳି ଛେଳିଙ୍କୁ ଧରି ମରୁଭୂମିକୁ ପଳେଇବା ଲାଗି ହୁକୁମ ଦେଉଥିଲେ ଓ କହୁଥିଲେ, “ଗାଡ଼ିଗୁଡ଼ାକ ଜିନିଷ ଦେଇ ଏଠୁ ଯିବା ପରେ ତୁ ଛେଳିଙ୍କୁ ନେଇ ଫେରିବୁ ।” ତେଣୁ ଅଧିକାଂଶ ସମୟରେ ମୋର ଗାଡ଼ି ଡ୍ରାଇଭରମାନଙ୍କ ସହ ଦେଖା ହେଉ ନ ଥିଲା । ସେମାନେ ନିଜେ ଆସି କୁଣ୍ଡରେ ପାଣି ଭର୍ତ୍ତି କରି ଓ ଘାସ, ଚୋକଡ଼ ବସ୍ତା ପକେଇଦେଇ ଚାଲିଯାଉଥିଲେ । ମୋ ସାହାଯ୍ୟ ସେମାନେ ଲୋଡୁ ନ ଥିଲେ । ତଥାପି ଗାଡ଼ି ଆସିବାର ଦେଖିଲେ ମୋ ମନ ଖୁସି ହେଉଥିଲା । ଭିତରେ ଭିତରେ କେମିତି ମୁଁ ଅଲଗା ପ୍ରକାରର ଆନନ୍ଦ ଅନୁଭବ କରୁଥିଲି । ସେହି ଗାଡ଼ିଗୁଡ଼ିକୁ ଦେଖିଲେ ଲାଗୁଥିଲା ସତେ କି ମୋର ପ୍ରିୟଜନ କେହି ମୋତେ ଭେଟିବା ପାଇଁ ଆସିଛନ୍ତି । ସେଦିନ ମୁଁ ଛେଳିମାନଙ୍କ ସହ ବେଶି ବକର ବକର ହେଉଥିଲି; ମାତ୍ର ଯେତେବେଳେ ଗାଡ଼ିଗୁଡ଼ିକ ବାଲି ଉଡ଼େଇ ଫେରିଯାଉଥିଲେ ସେତେବେଳେ ମୋ ମନ ଭାଙ୍ଗିଯାଉଥିଲା । ମୋତେ ଲାଗୁଥିଲା ସେଇ ଗାଡ଼ିଗୁଡ଼ିକ ସହ ସାରା ପୃଥିବୀ ଯେମିତି ଏଠୁ ଦଉଡ଼ି ପଳେଇଯାଇଛି । ମୋ ହୃଦୟ ବିଷାଦରେ ଭରିଯାଉଥିଲା ଏବଂ ମୁଁ ଅବଶ ହୋଇ ପଡ଼ୁଥିଲି ।

 

ଥରେ, ଅପ୍ରତ୍ୟାଶିତ ଭାବରେ, ଗୋଟେ ଟ୍ରକ୍‌ବିନା ହେଲ୍‌ପର୍‌ରେ ଆସି ପହଞ୍ଚିଲା । ମାଲ୍‌ତକ ଓହ୍ଲେଇବାଲାଗି ମାଲିକ ମୋତେ ଡାକିଲେ । ଏ ଗାଡ଼ିର ଡ୍ରାଇଭର ବି ପାକିସ୍ତାନୀ ଥିଲା । ଅନେକ ଦିନ ପରେ ମୁଁ ମୋ ମାଲିକଙ୍କ ବ୍ୟତୀତ ଆଉ ଜଣେ ମଣିଷକୁ ଦେଖୁଥିଲି । ବହୁଦିନ ହେଲା କୌଣସି ମଣିଷ ଦେହର ବାସ୍ନା ମୁଁ ଆଘ୍ରାଣ କରିବାର ସୁଯୋଗ ପାଇ ନ ଥିବାରୁ ଏଇ ପାକିସ୍ତାନୀ ଡ୍ରାଇଭର ଦେହର ଝାଳ ମଧ୍ୟ ମୋତେ ଅତର ପରି ବାସୁଥିଲା । ଅନ୍ୟ ଜଣେ ମଣିଷକୁ ଭେଟିବାର ସେ ଯେ କି ଆନନ୍ଦ ତାହା ମୁଁ ଭାଷାରେ ବୁଝେଇ ପାରିବି ନାହିଁ । ମୁଁ ତ ଥରେ ତା’ ଦେହକୁ ଛୁଇଁଦେଇଥିଲି । ସେତେବେଳେ ମୋ ଦେହରେ ଗୋଟେ ଅପୂର୍ବ ଶିହରଣ ଖେଳିଯାଇଥିଲା ।

 

ଗାଡ଼ିରୁ ମାଲ୍‌ତକ ଓହ୍ଲାଉଥିବା ସମୟରେ ମୁଁ ଜାଣିଥିବା ସବୁ ପ୍ରକାର ଭାଷା ସାହାଯ୍ୟରେ ଡ୍ରାଇଭରଟି ଆଗରେ ମୋ ଦୁଃଖ କାହାଣୀ କହି ଚାଲିଥିଲି । ଅନୁରୋଧ କରିଥିଲି, ଯେମିତି ହେଲେ ସେ ମୋତେ ଏହି ନର୍କରୁ ଉଦ୍ଧାର କରି ନିଅନ୍ତୁ । ମାତ୍ର ମୋ ଅନୁରୋଧର କୌଣସି ପ୍ରଭାବ ତାଙ୍କ ଉପରେ ପଡ଼ି ନ ଥିଲା । ତାଙ୍କ ମୁହଁଟି ବରଫ ପରି ଶେଥା ଓ ଟାଣ ଦିଶୁଥିଲା । ଏପରିକି ସେ ମୋ କଥା ଶୁଣିଥିଲା ଭଳି ବି ସାମାନ୍ୟ ଭାବଭଙ୍ଗୀ ଦେଖାଇ ନ ଥିଲେ କି ମୋ ମୁହଁକୁ ଥରେ ଅନେଇ ନ ଥିଲେ । ସେତେବେଳେ ମୋ ମନରେ ଯେ କି ପ୍ରକାର ଦୁଃଖ ! ତାହା ମୁଁ ଭାଷାରେ ପ୍ରକାଶ କରିପାରିବି ନାହିଁ । ଅଥଚ ଏଇ ଗାଡ଼ିରୁ ମାଲ୍‌ଉତାରିବାକୁ ଯେତେବେଳେ ମାଲିକ ମୋତେ ଡାକ ପକେଇଥିଲେ, ସେତେବେଳେ ମୁଁ ଛେଳିଗୁଡ଼ାକୁ ଛାଡ଼ି ଆନନ୍ଦରେ ଧାଇଁ ଆସିଥିଲି । ଭାବିଥିଲି ମୋର ଆଶା ନିଶ୍ଚୟ ପୂରଣ ହେବ । ମାତ୍ର ଡ୍ରାଇଭରଙ୍କ ଶୀତଳ ବ୍ୟବହାର ମୋର ସବୁ ଆଶାକୁ ଭାଙ୍ଗି ଚୂର୍‌ମାର୍‌କରିଦେଲା । ସେ ଯେତେଥର ମୋ ମୁଣ୍ଡରେ ଘାସ ବିଡ଼ା ଥୋଉଥିଲେ ସେତେଥର ମୁଁ ତାଙ୍କ ମୁହଁକୁ ବିକଳ ଭାବେ ଚାହିଁ ତାଙ୍କ ସହାନୁଭୂତି ଜିଣିବାକୁ ଚେଷ୍ଟା କରୁଥିଲି । ଥରେ ତ ମୁଁ ଜାଣି ଜାଣି ଘାସବିଡ଼ାଟା ଖସେଇ ଦେଇ ତାକୁ ଉଠେଇବା ବେଳେ ଡ୍ରାଇଭରଙ୍କ ଗୋଡ଼ ଧରିପକାଇଥିଲି । ମାତ୍ର ତା’ ସତ୍ତ୍ୱେ ସେ ଯେତେବେଳେ ମୋ ଆଡ଼େ ଚାହିଁଲେ ନାହିଁ ସେତେବେଳେ ମୋ ହୃଦୟ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା ।

 

ଘାସବିଡ଼ାଗୁଡ଼ିକ ଓହ୍ଲେଇଦେଇ ସାରିଲା ପରେ ଡ୍ରାଇଭର ଟ୍ରକ୍‌ନେଇ ଚାଲିଗଲେ । ଯିବା ଆଗରୁ ମୋ ଆଡ଼କୁ ଥରୁଟେ ହେଲେ ଅନେଇଲେ ନାହିଁ କି ଟିକିଏ ସୁଦ୍ଧା ହସିଲେ ନାହିଁ । ମୋର ଆଶା ମରିଗଲା । ସେ ଗଲା ପରେ ମୁଁ ମନେ ମନେ ତାକୁ ଗୁଡ଼ାଏ ଅଭିଶାପ ଦେଲି । ମୋ ଆଗରୁ ଆଉ କେହି ତାଙ୍କୁ ଏତେଗୁଡ଼ାଏ ଅଭିଶାପ କେବେ ଦେଇ ନ ଥିବ । ସେ ଥିଲେ ମୋର ଅପରିଚିତ । ତା’ ସତ୍ତ୍ୱେ ମୁଁ ତାଙ୍କୁ ବହେ ଗାଳିଦେଲି । ମୋ ମନ ଭିତରେ ବହୁତ ରାଗ । ଢେର୍‌ସମୟ ଗାଳି ଦେବା ସତ୍ତ୍ୱେ ସେ ରାଗ ଥଣ୍ଡା ହେଉ ନ ଥିଲା । ମରୁଭୂମି ଭିତରକୁ ଯିବାବେଳେ ମୁଁ ମୋ ଛାତିରେ ଦୁଇ ବିଧା ଦେଇ ମୋର ଅବଶିଷ୍ଟ ରାଗତକ ଶାନ୍ତ କରିବାକୁ ଚାହିଁଲି ।

 

ଆଜି ମୁଁ ସେ ଡ୍ରାଇଭରଟିର ଅସହାୟତା କଥା ବୁଝିପାରୁଛି । ମୋ ମାଲିକଙ୍କ ଢଙ୍ଗରଙ୍ଗ ବାବଦରେ ସେ ବହୁତ କିଛି ଜାଣିଥିଲା । ତାଙ୍କର ନୃଶଂସପଣିଆ ବାବଦରେ ତା’ର କୌଣସି ସନ୍ଦେହ ନ ଥିଲା । ସେ ଯଦି ମୋ ସାଙ୍ଗରେ ପଦେ ଦି’ପଦ କଥା ହେଇଥାଆନ୍ତା ତାହାହେଲେ ମୋ ମାଲିକ ନିଶ୍ଚୟ ତା’ର ବାରଟା ବଜେଇ ଦେଇଥାଆନ୍ତେ । ଥରେ ଜଣେ ଡ୍ରାଇଭର, ଯିଏ ଗହମ ବସ୍ତା ଧରି ଆସିଥିଲେ, ମୋ ସାଙ୍ଗରେ ପଦେ କଥା ହୋଇଥିଲେ । ସେତକ ଦେଖି ମୋ ମାଲିକ ତାଙ୍କ ବନ୍ଧୁକ ଧରି ସେଠିକି ମାଡ଼ିଆସିଥିଲେ । ତାହା ଦେଖି ସେ ଡ୍ରାଇଭରଟି ବିଚରା ଡରିଯାଇଥିଲା-। ସେମିତି ପାଣିଗାଡ଼ି ନେଇ ଆସିଥିବା ଡ୍ରାଇଭର ଦିନେ ମୋ ସହ ପଦେ କଥା ହେଇଥିଲା । ମୋ ମାଲିକ ତାଙ୍କ ବନ୍ଧୁକ ବଟ୍‌ରେ ତାକୁ ପାହାରେ ଦେଇଥିଲେ । ମୋ ଭଳି ଅନେକ ଛେଳି ଚରାଳି ମୋ ଆଗରୁ ଏହି ମସାରାରେ ବନ୍ଦୀହେଇ ଜୀବନ ବିତେଇଥିବେ ଓ ମରିଯାଇଥିବେ-। ସେମାନଙ୍କୁ ଉଦ୍ଧାର କରିବା କଥା ଚିନ୍ତା କରିବା ମଧ୍ୟ ଅପରାଧ । ହୁଏତ ସେଭଳି କିଛି କରୁଣ ଉଦାହରଣ ସେଇ ପାକିସ୍ତାନୀ ଡ୍ରାଇଭର ନିଜ ଆଖିରେ ଦେଖିଥିବ । ତେଣୁ ସେ ମୋ ସହ କଥାହେବାକୁ ସାହସ ଜୁଟେଇ ପାରି ନ ଥିବ । ହୁଏତ ଟ୍ରକ୍‌ନେଇ ଫେରିଯାଉଥିବାବେଳେ ସେ ମୋ ଦୁଃଖ ବିଷୟ ଚିନ୍ତାକରି ମନ ଭିତରେ କଷ୍ଟ ପାଇଥିବ । କିନ୍ତୁ ସିଏ ବା କଅଣ କରିପାରିବ ? ସେ ମନ ଭିତରେ କଷ୍ଟ ପାଇଥାଉ କି ନ ପାଇଥାଉ କିମ୍ବା ମୋ ବିଷୟରେ ଭାବିଥାଉ ବା ନ ଥାଉ, ମୁଁ କିନ୍ତୁ ଏଇଆ ଭାବି ମୋ ମନକୁ ବୁଝେଇଥିଲି । ଆତ୍ମସାନ୍ତ୍ୱନା ଭିନ୍ନ ସେଦିନ ଆଉ କିଛି ଅବଲମ୍ବନ ମୋ ପାଖରେ ନ ଥିଲା । ମୋ ଦୁଃଖର ବୈତରଣୀକୁ ପାରି ହେବା ଲାଗି ଏହି ଆତ୍ମସାନ୍ତ୍ୱନା ଥିଲା ଏକମାତ୍ର ଭରସା । ମୁଁ ଭାବୁଥିଲି, ମୋତେ ଏଭଳି କଷ୍ଟ ଭୋଗିବାକୁ ଛାଡ଼ିଦେବା ଥିଲା ଆଲ୍ଲାଙ୍କ ନିର୍ଦ୍ଦେଶ । ଆଲ୍ଲାଙ୍କ ନିର୍ଦ୍ଦେଶର ଅନ୍ୟଥା କିଭଳି ହୁଅନ୍ତା ! ଏକଥା ମନକୁ ଆସିଲା କ୍ଷଣି ସେହି ପାକିସ୍ତାନୀ ଡ୍ରାଇଭରକୁ ଅଭିଶାପ ଦେବା ମୋ ପକ୍ଷେ ଅପରାଧ ହୋଇଛି ବୋଲି ମୁଁ ଭାବିବସିଲି । ମୋ ନିଜର ଦୁର୍ଦ୍ଦଶା ଲାଗି ଅନ୍ୟକୁ ଦାୟୀ କରିବା ମୋ ପକ୍ଷେ ଉଚିତ ହୋଇନାହିଁ ବୋଲି ଚିନ୍ତା କଲି ।

ପ୍ରଥମେ ପ୍ରଥମେ ମସାରାର ସବୁ ଗନ୍ଧ ମୋ ପାଇଁ ଅସହ୍ୟ ଥିଲା । କେବଳ ଯେ ଛେଳିଗୁଡ଼ାକ ଦେହର ଗନ୍ଧ ମୋତେ ଗନ୍ଧଉଥିଲା ତାହା ନୁହେଁ, ତାଙ୍କ କ୍ଷୀର ବି ମୋତେ ଗନ୍ଧଉଥିଲା-। ଛେଳିକ୍ଷୀରରେ ଖୁବୁସ୍‌ବୁଡ଼େଇ ଖାଇବାବେଳେ ସେହି ଗନ୍ଧ ମୋ ନାକବାଟେ ପେଟକୁ ପଶି ମୋତେ ଅସ୍ତବ୍ୟସ୍ତ କରୁଥିଲା । ପ୍ରଥମ ଦିନରେ ମୁଁ ବାରମ୍ବାର ବାନ୍ତି କରୁଥିଲି । କିନ୍ତୁ ଧୀରେ ଧୀରେ ଏସବୁ ଦେହସୁହା ହୋଇଗଲା । ସମୟ ଆସିଲା, ଯେତେବେଳେ ଆଉ ସେ ଗନ୍ଧ ମୁଁ ବାରିପାରିଲି ନାହିଁ । ସତେ କି ତାହା ମୋ ପାଖରୁ ସମ୍ପୂର୍ଣ୍ଣ ଦୂରେଇଗଲା । ମୁଁ ଚେଷ୍ଟା କଲେ ବି ସେ ଗନ୍ଧ ଆଉ ଜାଣିପାରିଲି ନାହିଁ । ଏସବୁ ମୋ ଅସ୍ତିତ୍ୱର ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ ହୋଇପଡ଼ିଲା । ଏହାପରେ ଆଉ ଗୋଟେ କଥା ଘଟିଲା । ମୁଁ ଗୋଟେ ଛେଳିର ଗନ୍ଧଠାରୁ ଆଉ ଗୋଟେ ଛେଳିର ଗନ୍ଧ ଭିତରେ ଥିବା ଭିନ୍ନତା ବାରିପାରିଲି । ଅଣ୍ଡିରା ଛେଳିଙ୍କ ଗନ୍ଧ ଗୋଟେ ପ୍ରକାର ଥିଲା ତ ମାଈ ଛେଳିଙ୍କ ଗନ୍ଧ ଆଉ ପ୍ରକାରେ ଥିଲା । ଗର୍ଭବତୀ ଛେଳିଙ୍କ ଦେହରୁ ଅଲଗା ପ୍ରକାର ଗନ୍ଧ ବାହାରେ, ପ୍ରସବ କରିଥିବା ଛେଳିର ଗନ୍ଧ ପୁଣି ଭିନ୍ନ ପ୍ରକାର । ଏ ବାବଦରେ ମୋର ଅଭିଜ୍ଞତା ଏତେ ହୋଇଗଲା ଯେ ମୁଁ ଗନ୍ଧ ଶୁଙ୍ଘି କେଉଁ ଛେଳି ଛୁଆ ଜନ୍ମ କରିବାକୁ ଯାଉଛି ସେକଥା ଆଗତୁରା ଜାଣିପାରିଲି । ନୂଆ ଜନ୍ମ ହେଉଥିବା ଛେଳିଛୁଆଙ୍କ ଦେହର ଗନ୍ଧ ତାଙ୍କ ବାପମାଆଙ୍କ ଗନ୍ଧଠାରୁ ସମ୍ପୂର୍ଣ୍ଣ ଅଲଗା । ସେମିତି କାମାସକ୍ତ ଛେଳିଙ୍କ ଦେହର ଗନ୍ଧ ଭିନ୍ନ । ଛେଳିମାନଙ୍କ ଗନ୍ଧଠାରୁ ଓଟମାନଙ୍କ ଗନ୍ଧ ଭିନ୍ନ । ମସାରାରେ ଦି’ ପ୍ରକାର ଓଟ ଥିଲେ । କେତେକଙ୍କର ଗୋଟିଏ କୁଜ ଥିଲା ତ ଅନ୍ୟଗୁଡ଼ିକଙ୍କର ଦିଇଟା ଲେଖାଏଁ କୁଜ ଥିଲା । ସେମାନଙ୍କର ଗନ୍ଧ ଭିନ୍ନ ଭିନ୍ନ । ମସାରାରେ ଥିବା କେବଳ ଗୋଟିଏ ପ୍ରାଣୀର କିଛି ଗନ୍ଧ ମୁଁ ବାରି ପାରୁ ନ ଥିଲି । ସେଇଟି ଥିଲି ମୁଁ ନିଜେ ।

Unknown

ଦିନେ ମୋର ସାଇନୁ ପାଖକୁ ଚିଠି ଖଣ୍ଡେ ଲେଖିବାକୁ ମନ ହେଲା । ସେ ଚିଠି ତା’ ପାଖେ କେମିତି ପହଞ୍ଚିବ ସେ ନେଇ ମୋର କୌଣସି ଧାରଣା ନ ଥିଲା । ମାତ୍ର ମୋର ଲେଖିବାକୁ ମନ ହେଲା । ସେଦିନ ପାଣିରେ ବୁଡ଼େଇ ଖୁବୁସ୍‌ଖାଇ ସାରିବା ପରେ ମୁଁ ଖଟତଳୁ ମୋ ବ୍ୟାଗ୍‌ଟା ପାଖକୁ ଭିଡ଼ି ଆଣିଲି । ବମ୍ବେରୁ ଆଣିଥିବା ଲେଟର୍‌ପ୍ୟାଡ୍‌ଓ କଲମ ସେଇ ବ୍ୟାଗ୍‌ରେ ଥିଲା । ମୁଁ ସେଗୁଡ଼ିକୁ ବାହାର କଲି । କଲମର ମୁନ ଶୁଖିଯାଇଥିଲା । ଗୁଡ଼ାଏ କିଛି ଗାରାଗାରି କଲା ପରେ ସେଇଟା ଚାଲିଲା । ପ୍ରଥମ ଥର ପାଇଁ ମୁଁ ଚିଠିଟିଏ ଲେଖୁଥିଲି । କେମିତି ଚିଠି ଲେଖାଯାଏ ସେକଥା ମୋତେ ଜଣା ନ ଥିଲା । ତା’ ସତ୍ତ୍ୱେ ମୁଁ ଚିଠିଟି ଲେଖି ବସିଲି । ମୁଁ ଲେଖିଲି–

ମୋର ପ୍ରିୟ ସାଇନୁ,

 

ମୁଁ ଏଠି ଭଲରେ ଆସି ପହଞ୍ଚିଛି । କାମରେ ବ୍ୟସ୍ତ ରହିଯିବା ଯୋଗୁଁ ମୁଁ ଆଗରୁ ଚିଠି ଖଣ୍ଡେ ଲେଖିପାରି ନ ଥିଲି । ମୁଁ ଜାଣିଛି ଏଥିପାଇଁ ତୁ ଚିନ୍ତାରେ ଥିବୁ । ମାତ୍ର ବ୍ୟସ୍ତ ହେବୁ ନାହିଁ । ତୋର ବର ଏଠି ଭଲରେ ଅଛି । ମୁଁ ଏଠି ଗୋଟେ ବଡ଼ ସଂସ୍ଥାରେ କାମ କରୁଛି । ଏହି ସଂସ୍ଥା ଦୁଗ୍ଧ ଓ ପଶମ ଉତ୍ପାଦନ କରେ । କାମଟି ଖୁବ୍‌ଭଲ । ଆମକୁ ବେଶି କିଛି କରିବାକୁ ପଡ଼ୁନାହିଁ । ଏଠି ମେସିନ୍‌ସବୁ କାମ କରେ । ମୁଁ ଖାଲି ସେଇ ମେସିନ୍‌ଗୁଡ଼ିକର ତଦାରଖ କରେ । ମୋ ମାଲିକ ମୋତେ ଖୁବ୍‌ଆଦର କରନ୍ତି । ସେ ମୋ କାମରେ ଖୁବ୍‌ଖୁସି । ସେଥିପାଇଁ ସେ ବେଳେବେଳେ ମୋତେ ଉପହାରମାନ ଦିଅନ୍ତି । ମୁଁ ଏଠି ଗୋଟେ ବଢ଼ିଆ ଘରେ ରହୁଛି । ଗଦି ଉପରେ ବସି ମୁଁ ସବୁ କାମ ବୁଝେ । ଏଠି ସବୁ ଭଲ । ଆଉ, ଆମ ଖାଦ୍ୟ ? ମୋ ମାଲିକ ପ୍ରତିଦିନ ବଢ଼ିଆ ବଢ଼ିଆ ଖାଦ୍ୟ ଆଣି ଦିଅନ୍ତି । ସେସବୁ ନୂଆ ଖାଦ୍ୟ ମୁଁ ଆଗରୁ ଖାଇ ନ ଥିଲି । ମୁଁ ମଟନ୍‌ତରକାରି ଓ ଚିକେନ୍‌ମସଲା ସହ ଖୁବୁସ୍‌ଖାଇସାରି ତୋତେ ଏ ଚିଠି ଲେଖୁଛି । ତା’ ସାଙ୍ଗକୁ ଗିଲାସେ ଖାଣ୍ଟି କ୍ଷୀର ପିଇଛି । ମୋତେ ତ ଲାଗୁଛି, ଏଇ କିଛିଦିନ ଭିତରେ ମୁଁ ବୋଧହୁଏ ଟିକେ ମୋଟା ହେଇଯାଇଛି । ଏବେ ଏଠି ଉପରଓଳି ହେଇଛି - ବିଶ୍ରାମ ନେବା ସମୟ । କିଛି ସମୟ ପରେ ପୁଣି ମୁଁ କାମକୁ ଯିବି । ସେତେବେଳ ପର୍ଯ୍ୟନ୍ତ ମୁଁ ଏଠି ଥଣ୍ଡା ପବନରେ ଶୋଇପାରିବି ।

 

ଏଠି ଆମ ଅଞ୍ଚଳର ଆଉ କିଛି ଲୋକ ବି ମୋ ସାଙ୍ଗରେ କାମ କରୁଛନ୍ତି । ରାଘବନ୍‌, ରଘୁବୀର, ବିଜୟନ, ପୋକ୍କର ଏବଂ ଆହୁରି କେତେ । ମୁଁ ସେମାନଙ୍କ ସହ ବେଶି ମିଳାମିଶା କରେ ନାହିଁ । କାରଣ, ମୋ ମାଲିକଙ୍କୁ ଏପ୍ରକାର ମିଳାମିଶା ଭଲ ଲାଗେ ନାହିଁ । ମାଲିକଙ୍କର ଗୋଟେ ସୁନ୍ଦରୀ ଝିଅ ଅଛି । ସବୁଦିନ ସଞ୍ଜବେଳେ ସିଏ ଆସି ଏଠି ଟହଲ ମାରେ । ତାହାର ଇଚ୍ଛା, ମୁଁ ବି ତା’ ସାଙ୍ଗେ ବାହାରକୁ ବୁଲିବାକୁ ଯାଏ । ତା’ ନାଆଁ ମାରିୟମ୍ମା ।

 

ମୋ ଖବର ସବୁ ଲେଖିଲି । ମୋର ଆଶା ତୁ ଓ ମା’ ଭଲରେ ଥିବ । ପୁଣି ସମୟ ପାଇଲେ ଆଉ ଚିଠି ଲେଖିବି । ଇତି,

 

ତୋର ସ୍ୱାମୀ

ନଜିବ୍‌

 

ଚିଠିଟି ଲେଖିସାରି କାଗଜକୁ ଚଉଭାଙ୍ଗ କଲି । ତା’ପରେ ତାକୁ ଧରି ଢେର୍‌ସମୟ କାନ୍ଦିଲି । ଚିଠିରେ ଯାହା ଲେଖାଥିଲା ସେସବୁ ଆଦୌ ସତ ନ ଥିଲା । ଯାହା କିଛି ସତ ଥିଲା ତାହା ଥିଲା ମୋ ଲୁହ । ମୋ ଲୁହର ଭାଷା ପଢ଼ିବା ପାଇଁ ସେଠି ମୋ ପାଖରେ କେହି ନ ଥିଲେ ।

 

କୋଡ଼ିଏ

 

ଦିନେ ସନ୍ଧ୍ୟାରେ ଛେଳି ଚରଉଥିବା ବେଳେ ମୁଁ ଲକ୍ଷ୍ୟ କଲି ଯେ ଆକାଶର ପୂର୍ବ କୋଣ ଅନ୍ଧାରିଆ ଦିଶୁଛି । ତେଣୁ ଏ ଦୃଶ୍ୟ ମୋତେ ଅସ୍ୱାଭାବିକ ଲାଗିଲା । ପୂର୍ବଦିନଗୁଡ଼ିକରେ ମୁଁ ମରୁଭୂମିର ଆକାଶକୁ ଲକ୍ଷ୍ୟ କରିଆସିଛି । ପାଗ ପରିବର୍ତ୍ତନ ଆଗରୁ ମରୁଭୂମିରେ ଧୂଳିଝଡ଼ ଆସେ-। ଧୂଳିଝଡ଼ ଥମିଯିବା ପରେ ପାଗ ପରିବର୍ତ୍ତିତ ହେଇଯାଏ । ମରୁଭୂମିରେ ସବୁ ପରିବର୍ତ୍ତନ ଆକସ୍ମିକ । ଏଠି କୌଣସି କଥା ଧୀରେସୁସ୍ଥେ ହୁଏ ନାହିଁ । ପୂର୍ବଦିନ ପ୍ରବଳ ଗରମ ଥିବ, ତାହା ପରଦିନ ଭୀଷଣ ଥଣ୍ଡା ହେଇଯିବ । ପୁଣି ତା’ ପରଦିନ ଏକଦମ୍‌ଗରମ ପଡ଼ିପାରେ । ସେମିତି ଆଜି ଯଦି ଆକାଶ ଏକଦମ୍‌ସଫା ଦିଶୁଥିବ କାଲିକି ଏହା ଧୂଳିଝଡ଼ରେ ସମ୍ପୂର୍ଣ୍ଣ ଘୋଡ଼େଇ ଯାଇପାରେ । ସେଦିନ ସନ୍ଧ୍ୟାର ପାଗ ସେମିତି ଜଣାପଡ଼ୁଥିଲା । ଅଳ୍ପ କିଛି ସମୟ ପରେ କଳାହାଣ୍ଡିଆ ମେଘ ପୂର୍ବ ଆକାଶକୁ ଢାଙ୍କି ପକେଇଲା ଓ ଥଣ୍ଡା ପବନ ବହିଲା । ମୋତେ ଲାଗିଲା ହଠାତ୍‌ଯେମିତି ମରୁଭୂମିରୁ ମୁଁ ଯାଇ ଦକ୍ଷିଣ ମେରୁରେ ପହଞ୍ଚିଯାଇଛି । ପାଗର ଏ ପରିବର୍ତ୍ତନରେ ଛେଳିଗୁଡ଼ିକ ଉନ୍ମାଦପ୍ରାୟ ହୋଇ ଏଣେତେଣେ ଧାଇଁବାକୁ ଲାଗିଲେ । କିଏ କୁଆଡ଼େ ଯାଉ ଥାଆନ୍ତି ତାହାର କିଛି ଠିକଣା ନ ଥାଏ । ମୁଁ ବି ଆନମନା ହୋଇ ପଡ଼ୁଥିଲି । ଛେଳିମାନଙ୍କ କଥା ଭୁଲି ମୁଁ ଦୁଇହାତ ପ୍ରସାରି ଠିଆହେଲି ଏବଂ ଏଇ ଥଣ୍ଡାପବନକୁ ମନପ୍ରାଣ ଭରି ଦେହ ଭିତରକୁ ଶୋଷିନେବା ଲାଗି ଉଦ୍ୟମ କଲି ।

 

ମୁଁ ସେଠି କେତେ ସମୟ ସେମିତି ଛିଡ଼ା ହୋଇଥିଲି, ଜାଣେ ନାହିଁ । ଦେଖିଲି, ଜିପ୍‌ରେ ମୋ ମାଲିକ ଆସି କେତେବେଳେ ମୋ ପାଖରେ ପହଞ୍ଚି ଯାଇଛନ୍ତି । ସେ ମୋତେ ଏ ଅବସ୍ଥାରେ ଦେଖି ଗାଳିଦେଲେ ଏବଂ ସାଙ୍ଗେ ସାଙ୍ଗେ ଛେଳିଗୁଡ଼ିକୁ ଆଡ଼େଇ ନେଇ ଆଣିବାକୁ ନିର୍ଦ୍ଦେଶ ଦେଲେ । ମୁଁ ଛେଳିମାନଙ୍କୁ ନେଇ ମସାରାରେ ପହଞ୍ଚିବା ବେଳକୁ ବର୍ଷା ବର୍ଷିବା ଆରମ୍ଭ ହୋଇଯାଇଥାଏ । ପ୍ରଥମ ବର୍ଷା ଟୋପାଟି ମୋ ଉପରେ ପଡ଼ିବାକ୍ଷଣି ଲାଗିଲା କିଏ ଯେମିତି ମୋତେ ଗୋଟେ ବର୍ଚ୍ଛାରେ ଭୁସିଦେଲା । ପ୍ରାୟ ଆଠ କି ଦଶ ମାସ ହେବ ମୋ ଦେହରେ ପାଣି ଟୋପେ ପଡ଼ି ନ ଥିଲା । ସେଥିପାଇଁ ଏଇ ବର୍ଷା ପାଣିର ସ୍ପର୍ଶ ମୋତେ କଷ୍ଟ ଦେଉଥିଲା । ଏହାପରେ ଜୋର୍‌ଜୋର୍‌ରେ ବର୍ଷା ପଡ଼ିଲା । ପ୍ରତ୍ୟେକ ବର୍ଷାବିନ୍ଦୁ ମୋତେ ଡାମ୍ଫଣ ଫୋଡ଼ିଲା ପରି ଲାଗୁଥାଏ । ମୁଁ ସେ ଅସହ୍ୟ କଷ୍ଟ ସହିପାରିଲି ନାହିଁ । ଗୋଟେ କମ୍ବଳ ନେଇ ଆଣି ଘୋଡ଼େଇ ପଡ଼ିଲି । ମୋତେ କେବଳ ଯେ ବର୍ଷା କଷ୍ଟଦାୟକ ମନେ ହେଉଥିଲା ତାହା ନୁହେଁ ଛେଳିଗୁଡ଼ାକ ମଧ୍ୟ କଷ୍ଟ ପାଉଥିଲେ । ସେମାନେ ବିକଳରେ ଅଦ୍ଭୁତ ପ୍ରକାର ରଡ଼ି ଛାଡ଼ୁଥିଲେ । ଓଟଗୁଡ଼ିକ ସାଧାରଣତଃ ଢେର୍‌କଷ୍ଟ ସହିପାରନ୍ତି । ସେମାନେ ବି ବର୍ଷାର କଷ୍ଟ ସହି ନ ପାରି ଜଲ୍‌ଦି ଜଲ୍‌ଦି ତାଙ୍କ ଗୁହାଳକୁ ଫେରିଆସିଲେ । ତାଙ୍କ ଭାବଭଙ୍ଗୀରୁ ତାଙ୍କ ସମସ୍ୟା ମୁଁ ବୁଝିପାରୁଥିଲି ।

 

ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ମାରୁଥିଲା । ଏତେ ଜୋର୍‌ରେ ବିଜୁଳି ମାରିବା ଦେଖି ମୁଁ ଭାବିଲି ବୋଧହୁଏ ଚଡ଼ଚଡ଼ି ପଡ଼ି ମସାରା ଜଳିଯିବ ।

 

ପ୍ରତିଟି ବର୍ଷାଟୋପା ବାସ୍ତବରେ ମୋତେ ଥରେଇ ଦେଉଥିଲା । ମୁଣ୍ଡ ଉପରେ ବର୍ଷା ପାଣି ପଡ଼ିବା କ୍ଷଣି ବାଳଗୁଡ଼ିକ ଠିଆହୋଇ ଯାଉଥିଲା ଏବଂ ଶୀତରେ ଥରୁଥିଲା । ଏଣେ ମୋ ଦେହ ଜଳିପୋଡ଼ିଗଲା ପରି ଲାଗୁଥାଏ, ପୁଣି ହାତ ପାଦ ଥରୁଥାଏ । ମୋର ମନ ହେଉଥିଲା ମୁଁ ବର୍ଷାରେ ଠିଆହୋଇ ଗୋଟାପଣେ ଗାଧୋଇପଡ଼ନ୍ତି । ମାତ୍ର ବର୍ଷାର ଆଘାତ ସହିହେଉ ନ ଥିଲା । ଅତି ଅସହ୍ୟ ହେବାରୁ ମୁଁ ମାଲିକଙ୍କ ତମ୍ବୁ ଭିତରକୁ ଗଲି । ଭିତରେ ଇଏ କି ଦୃଶ୍ୟ ! ମୋ ମାଲିକ ଗୋଟେ ଭୀରୁ ପରି ଖଟିଆର କୋଣକୁ ଗୁଞ୍ଜିଗାଞ୍ଜି ହୋଇ ବସିଥାଆନ୍ତି । ସେଇଠୁ ମୁଁ ଜାଣିଲି ଯେ ମୋ ମାଲିକଙ୍କର ସବୁଠୁ ବେଶି ଡର ବର୍ଷାକୁ । ଆଗରୁ ତାଙ୍କୁ ଏମିତି ଡରିବାର ମୁଁ କୌଣସି ଦିନ ଦେଖି ନ ଥିଲି । କାଳେ ତାଙ୍କ ଉପରେ ପାଣି ପଡ଼ିବ ସେଥିପାଇଁ ସେ ଗୁଞ୍ଜିଗାଞ୍ଜି ହୋଇ ବସିଥାଆନ୍ତି । ତାଙ୍କ ମୁହଁର ମୁଦ୍ରାରୁ ଦେଖି ଜାଣିଲି, ସତେ କି ବର୍ଷାପାଣି ନୁହଁ ଭୂତ ଆସି ତାଙ୍କୁ ଧରିପକେଇବ, ଏମିତି ସେ ଭାବୁଛନ୍ତି । ତମ୍ବୁ ଭେଦି ଯେମିତି ଟୋପେ ଦି’ଟୋପା ବର୍ଷାପାଣି ପଡ଼ିଛି, ସେ ବିକଳରେ ଆହୁରି କୋଣକୁ ଗୁଞ୍ଜିହେଇଗଲେ । ପାଣିକି ଏତେ ଡର ଦେଖି ମୁଁ ଜାଣିଲି ମୋ ମାଲିକ ବୋଧହୁଏ ଜୀବନକାଳ ଭିତରେ ଥରେ ହେଲେ କେବେ ଗାଧୋଇ ନ ଥିବେ ।

 

ମୋତେ ଦେଖି ମୋ ମାଲିକ ପରମ ଆଦରରେ ତାଙ୍କ ତମ୍ବୁ ଭିତରକୁ ଡାକିଲେ । ମୁଁ ଚଟାଣରେ ବସିବାକୁ ଯାଉଥିଲି; ମାତ୍ର ସେ ମୋତେ ତାଙ୍କ ପାଖରେ, ଖଟ ଉପରେ ବସିବାକୁ ଡାକିଲେ । ତା’ପରେ ସେ ମୋ ହାତ ଭିଡ଼ି ଧରିଲେ ଏବଂ ବର୍ଷା ପାଖରୁ ନଜର ହଟେଇ ରଖିବା ପାଇଁ ମୁହଁ ଉପରେ ଗୋଟେ କମ୍ବଳ ଢାଙ୍କି ପଡ଼ିଲେ । ସେଇଠି ବସିଥିଲାବେଳେ ମୋ ହାତ ମାଲିକଙ୍କ ତକିଆ ତଳେ ଥିବା ଗୋଟେ ଟାଣ ଜିନିଷ ଦେହରେ ବାଜିଲା । ମୁଁ ସେଇ ଜିନିଷଟା କଅଣ ଜାଣିବାଲାଗି ସତର୍କତାର ସହ ଚେଷ୍ଟା କଲି । ସେଇଟା ଥିଲା ମାଲିକଙ୍କ ବନ୍ଧୁକ । ଧୀରେ ଧୀରେ ମୁଁ ବନ୍ଧୁକଟାକୁ ବାହାର କଲି । ମାଲିକଙ୍କର ସେଆଡ଼କୁ ନଜର ନ ଥାଏ । ସେ କମ୍ବଳ ଢାଙ୍କି ହେଇ ‘ଆଲ୍ଲା, ହେ ଆଲ୍ଲା’ ବୋଲି ଡାକୁ ଥାଆନ୍ତି । ତାଙ୍କ ପ୍ରାର୍ଥନାର ଉଦ୍ଦେଶ୍ୟ - ଏ ବର୍ଷା ଶୀଘ୍ର ବନ୍ଦ ହେଉ ।

 

ମୋ ଭିତରେ ଅଦ୍ଭୁତ ପ୍ରକାର ଅନୁଭବ । ଭାବିଲି, ମାଲିକଙ୍କୁ ଲକ୍ଷ୍ୟ କରି ବନ୍ଧୁକର ଟ୍ରିଗାର ଟିପିଦେବି । ତା’ପରେ କାମ ଖତମ୍‌ । ତମ୍ବୁ ଆଗରେ ଗାଡ଼ି ଥୁଆ ହେଇଛି । ଚାବିଟା ବି ଗାଡ଼ିରେ ଲାଗିଛି । ମାଲିକଙ୍କୁ ଗୁଳିମାରି ମୁଁ ଏ ଗାଡ଼ିରେ ବସି ପଳେଇବି । କୋଉଠି ନା କୋଉଠି ପଳାଇଯିବା ଲାଗି ରାସ୍ତାଟିଏ ମିଳିଯିବ । ଏଇଟା ସୁବର୍ଣ୍ଣ ସୁଯୋଗ । ପରମ କାରୁଣିକ ଆଲ୍ଲା ହିଁ ମୋ ପାଖରେ ଏ ସୁଯୋଗ ଆଣି ପହଞ୍ଚାଇଛନ୍ତି । ଏଇ ସୁଯୋଗର ଯଦି ସଦ୍‌ବ୍ୟବହାର ନ କରେ ତାହାହେଲେ ଆଉ ଦ୍ୱିତୀୟ ସୁଯୋଗ ଆସିବ ନାହିଁ । ବନ୍ଧୁକ ଧରି ମୁଁ ଏମିତି ଭାବୁଥାଏ । ମୋ ହାତଟା ସତକୁ ସତ ଟ୍ରିଗାର ପର୍ଯ୍ୟନ୍ତ ଚାଲିଯାଇଥାଏ ।

 

ହଠାତ୍‌ମାଲିକଙ୍କ ପାଟି ଶୁଣିଲି । ସେ କହୁଥାଆନ୍ତି, “ହେ ଆଲ୍ଲା, ତୁମେ ହିଁ ଆଜି ଏ ବିପଦରୁ ମୋତେ ରକ୍ଷା କଲ । ମୋ ପାଖରେ ଆଜି ଯଦି ନଜିବ୍‌ନ ଥାଆନ୍ତା ତାହାହେଲେ ଏତେବେଳକୁ ମୁଁ ନିଶ୍ଚୟ ମରିଯାଇଥାଆନ୍ତି ।” ସେଇ ପ୍ରଥମଥର ମୁଁ ମୋ ମାଲିକଙ୍କ ତୁଣ୍ଡରେ ମୋ ନାଆଁର ଉଚ୍ଚାରଣ ଶୁଣିଲି । ଏହା ଆଗରୁ ମୋର ସନ୍ଦେହ ଥିଲା ଯେ ସେ ମୋ ନାଆଁ ଜାଣନ୍ତି ନାହିଁ-। କାରଣ ସେ ସବୁବେଳେ ମୋତେ ‘ହାରାମି’ ବୋଲି ସମ୍ବୋଧନ କରିଥାଆନ୍ତି । ତାଙ୍କର ଏହି କଥା ପଦକ ମୋତେ ଦୁର୍ବଳ କରିଦେଲା । ମୁଁ ଏଭଳି ଜଣେ ଲୋକଙ୍କୁ ମାରି ଏଠୁ ପଳେଇଯିବାକୁ ଚାହୁ ନ ଥିଲି । ଯେଉଁ ଲୋକ ତା’ ପ୍ରାଣରକ୍ଷା ପାଇଁ ମୋର ସାହାଯ୍ୟ ଲୋଡୁଛି ତାକୁ ମୁଁ ମାରିପାରି ନ ଥାନ୍ତି । ମୁଁ ବନ୍ଧୁକଟାକୁ ତା’ ଜାଗାରେ ରଖିଦେଲି ।

 

ତମ୍ବୁ ଭିତରେ ମୋତେ ଗରମ ଲାଗୁଥିଲା । କମ୍ବଳଟା ଓହ୍ଲେଇଦେଲି ଏବଂ ମାଲିକଙ୍କ ହାତରୁ ନିଜକୁ ମୁଁ ମୁକୁଳେଇ ଆଣିଲି । ଓଦା ଲୁଗାପଟାତକ ସେଇଠି ରଖିଦେଇ ମୁଁ ବର୍ଷାରେ ଭିଜିବାକୁ ବାହାରି ଆସିଲି । ପ୍ରଥମେ ପ୍ରଥମେ ମୋତେ ଟିକେ କଷ୍ଟ ଲାଗୁଥିଲା, ମାତ୍ର ଧୀରେ ଧୀରେ ଯନ୍ତ୍ରଣା କମିଗଲା । ମୁଁ ବର୍ଷାକୁ ଉପଭୋଗ କରିବାକୁ ଲାଗିଲି । ସେଇ ବର୍ଷାରେ ମୁଁ ଛେଳି ପରି ଡିଆଁ ମାରି ଆଗକୁ ଆଗକୁ ଚାଲିବାରେ ଲାଗିଲି । ବହୁଦିନ ପରେ ମୋ ଦେହ ବର୍ଷା ପାଣିରେ ଧୋଇ ସଫା ହେଇଗଲା । ଦେହରେ ଜମାଟ ବାନ୍ଧିଥିବା ମଇଳା ଓ ଦୁର୍ଗନ୍ଧକୁ ବର୍ଷାପାଣି ଧୋଇଦେଲା ।

 

ମଝିରେ ବର୍ଷା ଟିକେ କମିଗଲା । ସେତିକିବେଳେ ମୁଁ ଦେଖିଲି ମୋ ମାଲିକ ତମ୍ବୁରୁ ବାହାରି ତାଙ୍କ ଗାଡ଼ିରେ ଯାଇ ବସିଲେ ଓ ତରତରରେ ସେ ଜାଗାରୁ ପଳେଇଗଲେ । ତାଙ୍କ ମନରୁ ଡର ଛାଡ଼ି ନ ଥିଲା । ସେଇ ରାତିରେ ଆର ମାଲିକ ଜଣକ ମଧ୍ୟ ତମ୍ବୁକୁ ଆସିଲେ ନାହିଁ । କିଛି ସମୟ ପରେ ବର୍ଷାର ବେଗ ପୁଣି ବଢ଼ିଗଲା । ମୁଁ ସେ ରାତିଟା ସମ୍ପୂର୍ଣ୍ଣ ସ୍ୱାଧୀନ ଭାବରେ ମୋର ଯାହା ମନ ତାହା କଲି । ମୋତେ ଶାସନ କରିବା ପାଇଁ କେହି ନ ଥିଲେ । ମାତ୍ର ମୁଁ କୁଆଡ଼େ ପଳେଇ ଯାଇପାରିଲି ନାହିଁ । କାରଣ ମୁଁ ଏ ମରୁଭୂମି ଭିତରେ ବାଟଘାଟ କିଛି ଜାଣି ନ ଥିଲି । ତେଣୁ ପଳେଇଯିବାର ଆଶା ଛାଡ଼ିଦେଇଥିଲି । ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି, ମଣିଷ ଏମିତି ଅନେକ ସୁଯୋଗ ଜାଣି ଜାଣି ହାତଛଡ଼ା କରିଦିଏ । ଏପରି ସୁବର୍ଣ୍ଣ ସୁଯୋଗ କ’ଣ ସବୁବେଳେ କାହାକୁ ଜୁଟେ ?

 

ସେଇ ରାତିରେ ମୋ ମନ ଭିତରକୁ ନାନା କଥା ଆସିଥିଲା । ସ୍ୱାଧୀନତା ଏମିତି ନୂଆ କଥା ମନକୁ ଆଣେ । ଭାବିଲି, ଯାଉଛି ଆଖପାଖର ମସାରାରେ କଅଣ ହେଉଛି ଦେଖିବି । ମୋର ସାଙ୍ଗ ହକିମ୍‌ତା’ ମସାରାରେ କଅଣ କରୁଛି ଯାଇ ଦେଖି ଆସିଲେ ହୁଅନ୍ତା । ସେଇ ରାତି ପାଖରୁ ତା’ ଖବର ମୁଁ କିଛି ଜାଣିନାହିଁ । ସେ କଅଣ କରୁଛି, କେମିତି ଅଛି ତାହା ଜାଣିବାଲାଗି ମୋର ପ୍ରବଳ ଇଚ୍ଛା ହେଉଥିଲା । ସେ ବଞ୍ଚିଛି କି ମରିଛି ସେକଥା ନେଇ ସୁଦ୍ଧା ମୋର ସନ୍ଦେହ ଥିଲା । ବିଚରା ପିଲାଟା କେତେ ଆଶା ଧରି ଏଠିକି ଆସିଥିଲା । ମୁଁ ତା’ ବିଷୟରେ ମୋ ମାଲିକଙ୍କୁ ଥରେ ଦି’ଥର ପଚାରିଥିଲି । ମାତ୍ର ସେ ମୋ କଥା ଶୁଣି ନ ଶୁଣିଲା ପରି ଏଡ଼େଇ ଯାଇଥିଲେ । ମାତ୍ର ସେଦିନର ସେଇ ବର୍ଷାରେ ମୁଁ ହକିମ୍‌ର ମସାରା ଅଭିମୁଖେ ଚାଲିଲି । ତା’ ମସାରା ପାଖରେ ପହଞ୍ଚି ଲୁହା ଗେଟ୍‌ଠକ୍‌ଠକ୍‌କଲି । ମୋତେ ଡର ମାଡୁଥାଏ, କାଳେ ତା’ ମାଲିକ ଏଠି ଥିବ । ତଥାପି ମୁଁ ପାଟି କରି ଡାକିଲି, “ହକିମ୍‌, ହକିମ୍‌ । ମୋ ପାଟି ଶୁଣିପାରୁଛୁ ? ମୁଁ, ନଜିବ୍‌ଡାକୁଛି । ତୋ ସାଙ୍ଗରେ ଯେଉଁ ନଜିବ୍‌ଆସିଥିଲା ସେଇ ନଜିବ୍‌ । ତୁ ଏଠି ଅଛୁ ତ ?”

 

ମୁଁ ବାରମ୍ବାର ଫାଟକ ଠକ୍‌ଠକ୍‌କରିବା ସତ୍ତ୍ୱେ ଭିତରୁ କୌଣସି ସୋର୍‌ଶବ୍ଦ ଶୁଭିଲା ନାହିଁ । ମନ ଦୁଃଖରେ ମୁଁ ଫେରିକି ଆସୁଥିଲି, ଦେଖିଲି ଗୋଟେ କଳାଛାଇ ଦୂରରୁ ଦିଶୁଛି । ମୁଁ ଏଥର ବଡ଼ ପାଟିରେ ଡାକିଲି, “ହକିମ୍‌, ହକିମ୍‌ ।” ମୋତେ ଲାଗୁଥାଏ ବର୍ଷାର ଶବ୍ଦ ଭିତରେ ମୋ ପାଟି ସେଇ ଛାଇ ପର୍ଯ୍ୟନ୍ତ ଶୁଭୁ ନ ଥିବ । ତେଣୁ ମୁଁ ବଡ଼ ପାଟିରେ ଡାକ ପକଉଥିଲି ।

 

ଏଥର ଛାଇଟା ଆହୁରି ପାଖକୁ ଲାଗିଆସିଲା ।

ମୁଁ ପୁଣିଥରେ ଡାକିଲି, “କିଏ, ହକିମ୍‌ ?”

 

ଛାୟାମୂର୍ତ୍ତିଟି ଯେତେବେଳେ ମୋ ପାଖରେ ଆସି ପହଞ୍ଚିଲା ମୁଁ ତାକୁ ଆଦୌ ଚିହ୍ନିପାରିଲି ନାହିଁ । ଗୋଟେ କଙ୍କାଳସାର ମଣିଷ ମୋ ଆଗରେ ଛିଡ଼ା ହେଇଥିଲା । ତା’ ଚେହେରା ଭୂତ ପରି ଦିଶୁଥିଲା । ସେଇ କଙ୍କାଳସାର, ମଳିନ ଓ ବିଷଣ୍ଣ ଚେହେରାର ମଣିଷ କେବେ ମୋର ହକିମ୍‌ହେଇ ନ ପାରେ । କାରଣ ସେ ହକିମ୍‌ପରି ଆଦୌ ଦିଶୁ ନ ଥିଲା । ତା’ର ରୂପ ଭେକ ବିଲ୍‌କୁଲ୍‌ଚିହ୍ନି ହେଉ ନ ଥିଲା । ମୋ ହକିମ୍‌ଥିଲା ଗୋଟେ ସୁସ୍ଥସବଳ ଡେଙ୍ଗା ଯୁବକ । ତା’ ଚେହେରା ଖୁବ୍‌ସୁଠାମ ଥିଲା । ସେଥିପାଇଁ ମୁଁ ତାକୁ ବମ୍ବେରେ କହିଥିଲି, ତୁ ଏଇଠି ରହି ସିନେମା ଲାଇନ୍‌ପାଇଁ ଚେଷ୍ଟା କର । ନିଶ୍ଚୟ ସୁଯୋଗ ପାଇବୁ । ତୋ ଚେହେରା ଦେଖି ତୋତେ ସିନେମାବାଲା ଅବଶ୍ୟ ସୁଯୋଗ ଦେବେ ।

 

ମୁଁ ଛାୟାମୂର୍ତ୍ତିକୁ ପଚାରିଲି, “ଏଠି ହକିମ୍‌ବୋଲି ଗୋଟେ ପିଲା ରହୁଛି କି ? ସେ ମୋର ଜଣେ ସାଙ୍ଗ । ମୋ ସାଙ୍ଗରେ ଆସିଥିଲା । ତାକୁ ମୁଁ ବହୁତ ଦିନ ହେଲା ଦେଖିନାହିଁ । ତୁମେ ତା’ ବିଷୟରେ କିଛି ଜାଣ କି ?” ଗୋଟିଏ ନିଃଶ୍ୱାସରେ ମୁଁ ଏତେସବୁ ପ୍ରଶ୍ନ ପଚାରିଯାଉଥିଲି । ମାତ୍ର ସେ କିଛି କହୁ ନ ଥିଲା ।

 

ସେ ଲୋକଟା ସେପଟରୁ ଥାଇ ମୋତେ କିଛି ସମୟ ଚାହିଁଲା । ସମ୍ଭବତଃ ସେ ମୋ ଭାଷା ବୁଝିପାରୁ ନ ଥିଲା । ଅନ୍ତତଃ ମୋତେ ସେହିପରି ଲାଗିଲା । ତାହାପରେ, ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ସେ ତା’ ମୁଣ୍ଡକୁ ଲୁହା ଫାଟକରେ ପିଟି କାନ୍ଦିବାକୁ ଲାଗିଲା । ମୋତେ ଭୟ ଲାଗିଲା । ଲୋକଟି ଏଥର କଇଁ କଇଁ ହୋଇ କାନ୍ଦିକି କହିଲା, “ନଜିବ୍‌ଚାଚା ।” ସେତିକିବେଳେ ଯାଇ ମୁଁ ଜାଣିଲି ଯେ ସିଏ ହିଁ ଥିଲା ମୋର ହକିମ୍‌ । ହକିମ୍‌ଅହମ୍ମଦ । ତା’ ଅବସ୍ଥା ଦେଖି ମୁଁ ବୁଝିପାରିଲି, ସମୟ ଓ ପରିସ୍ଥିତି କେମିତି ମଣିଷକୁ ବଦଳେଇ ଦିଏ । ଗୋଟେ ଅଭିନେତା ପରି ସୁନ୍ଦର ସୁଠାମ ଚେହେରାର ଯୁବକକୁ କେମିତି ଏହା କଙ୍କାଳସାର ମୂର୍ତ୍ତିରେ ପରିଣତ କରିଦିଏ । ମୁଁ ବି ହୁଏତ ହକିମ୍‌ପରି ଦିଶୁଥିବି । ଢେର୍‌ଦିନ ହେଲା ମୁଁ ମୋ ନିଜର ଚେହେରା ଆଇନାରେ ଦେଖିନାହିଁ । ହୁଏତ ଆଜି ମୋ ନିଜ ଚେହେରାକୁ ମୁଁ ନିଜେ ଚିହ୍ନିପାରିବି ନାହିଁ । ସେଇଥିପାଇଁ ମୋତେ ଚିହ୍ନିବାଲାଗି ହକିମ୍‌ବୋଧହୁଏ ଏତେ ସମୟ ନେଇଥିଲା ।

 

ହକିମ୍‌କାନ୍ଦି ଚାଲିଥିଲା । ତା’ ମାଆ, ବାପା ଓ ଘରକଥା ମନେପକାଇ ସେ କାନ୍ଦୁଥିଲା । ମୁଁ ବା ତାକୁ କି ପ୍ରବୋଧନା ଦିଅନ୍ତି ? ମୁଁ ତା’ ହାତ ଧରି କାନ୍ଦିଲି । ସେତକ ପାଇଁ ଯାହା ମୋ ପାଖରେ ବଳ ଥିଲା । ଲୁହା ଫାଟକ ସେପଟେ ହକିମ୍‌ଓ ଏପଟେ ମୁଁ । ସେ ରାତିଟା ବର୍ଷାରେ ନୁହେଁ ଆମ ଦି’ଜଣକ ଆଖି ଲୁହରେ ହିଁ ଧୋଇଯାଉଥିଲା ।

 

ଏକୋଇଶ

 

ଆହୁରି ଦି’ଦିନ ଯାଏଁ ବର୍ଷା ଲାଗି ରହିଲା । ବର୍ଷା ଛାଡ଼ିଲାବେଳକୁ ମସାରାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ଛେଳିଙ୍କ ମଳମୂତ୍ର, ପଚା ନଡ଼ା ଓ ଘାସ ସବୁ ପାଣିରେ ପଚି ଅସହ୍ୟ ଦୁର୍ଗନ୍ଧ ସୃଷ୍ଟି କରୁଥିଲା । ଚାରିଦିନ କାଳ ଗଧ ଖଟଣି ଖଟି ସେସବୁ ମୋତେ ସଫାସୁତରା କରିବାକୁ ପଡ଼ିଲା ।

 

ତା’ପରେ ମରୁଭୂମିରେ ଘନ କୁହୁଡ଼ି ପଡ଼ିଲା । ଦିନେ ସକାଳୁ ଉଠି ଦେଖିଲା ବେଳକୁ ଚାରିଆଡ଼ ଧୂଆଁଳିଆ । ଏଇଟା ଶୀତର କୁହୁଡ଼ି । ସେଇ ଧଳା ଆସ୍ତରଣ ଭିତରେ ମସାରା, ମାଲିକଙ୍କ ତମ୍ବୁ, ଛେଳି, ମେଣ୍ଢା ଓ ଓଟ ସବୁ କିଛି ଅଦୃଶ୍ୟ ହେଇଯାଇଥିଲେ । ପାଖାପାଖି ଦିନ ନଅଟା ବେଳକୁ କୁହୁଡ଼ି ହଟିଲା ଓ ଛେଳିମେଣ୍ଢା ଦୃଶ୍ୟମାନ ହେଲେ । ଅବଶ୍ୟ ନଅଟା ସମୟ ବୋଲି ମୁଁ ଅନୁମାନ କରି କହୁଛି; କାରଣ ମୋ ପାଖରେ ଘଣ୍ଟା ନ ଥିଲା । ତାହାଛଡ଼ା ସମୟ ପଚାରିବା ପାଇଁ ମୋ ପାଖରେ ଆଉ କେହି ଲୋକ ନ ଥିଲେ । ସେଦିନ ଛେଳିଙ୍କ ଖାଇବା ଓ ଚରିବା ସମୟ ସବୁ ବିଭ୍ରାଟ ହେଇଗଲା । ଗ୍ରୀଷ୍ମଋତୁରେ ଦିନଗୁଡ଼ାକ ଏଠି ଖୁବ୍‌ଲମ୍ବା ହେଇଯାଏ । ଭୋର୍‌ତିନିଟା ବେଳୁ ସୂର୍ଯ୍ୟ ଉଦୟ ହୋଇଯାଆନ୍ତି ଓ ରାତି ଆଠଟା ପର୍ଯ୍ୟନ୍ତ ଆକାଶରେ ସୂର୍ଯ୍ୟ ଆଲୋକ ରହିଥାଏ । ମାତ୍ର ଶୀତଦିନେ ସୂର୍ଯ୍ୟ ସକାଳ ନଅଟା ପର୍ଯ୍ୟନ୍ତ ଦିଶନ୍ତି ନାହିଁ । ସେମିତି ଦି’ପହର ଖିଆ ସରିଥିବ କି ନାହିଁ ସୂର୍ଯ୍ୟ ଆଲୁଅ ଉଭେଇ ଯାଏ । ତେଣୁ କାମ କରିବା ସମୟ ଢେର୍‌କମିଯାଏ । ଯେଉଁ କାମ ଖରାଦିନେ ସାରିବାକୁ ଦଶରୁ ପନ୍ଦର ଘଣ୍ଟା ସମୟ ମିଳେ ସେତକ କାମକୁ ଶୀତଦିନେ ଛଅରୁ ସାତଘଣ୍ଟା ଭିତରେ ସାରିବାକୁ ହୁଏ । ତାହା ସାଙ୍ଗକୁ ପ୍ରବଳ ଥଣ୍ଡା ଯୋଗୁଁ ବାହାରେ କାମ କରିହୁଏ ନାହିଁ । ଦି’ପହରେ ସୁଦ୍ଧା ଦେହ ଥଣ୍ଡାରେ କମ୍ପିଉଠେ । ପାଣିକୁ ଛୁଇଁବା ତ ସେତେବେଳେ ଅସମ୍ଭବ କାମ । ଏହି ଶୀତଦିନେ ମୁଁ ଜାଣିଲି ଯେ ଫୁଟିଲା ପାଣି ପରି ଶୀତଳ ପାଣି ମଧ୍ୟ ଚମଡ଼ା ପୋଡ଼ିଦିଏ । ଥଣ୍ଡା ପାଣି ଲାଗି ମୋ ହାତରେ ଠାଏ ଠାଏ ଫୋଟକା ହେଇଯାଇଥିଲା, ଯେମିତି ଫୋଟକା ଗରମ ପାଣି ପଡ଼ିଲେ ହେଇଯାଏ । ମୁଁ ଆଗରୁ ଶୁଣିଥିଲି, ଦକ୍ଷିଣ ଓ ଉତ୍ତର ମେରୁରେ ସବୁଠୁଁ ଅଧିକ ଥଣ୍ଡା ପଡ଼େ । କିନ୍ତୁ ମରୁଭୂମିରେ ଯେ ଏତେ ଥଣ୍ଡା ପଡ଼େ ସେକଥା ମୁଁ ଜାଣି ନ ଥିଲି ।

 

ଅସହ୍ୟ ଜାଡ଼ରୁ ରକ୍ଷା ପାଇବାଲାଗି ମୋ ପାଖରେ ସେମିତି କିଛି ସ୍ୱତନ୍ତ୍ର ପୋଷାକ ନ ଥିଲା । ମୋ ପାଖରେ ଥିଲା ହଳେ ଲମ୍ବା ପୋଷାକ, ଯାହାକୁ ମୋ ମାଲିକ ମୋତେ ଆସିବା ଦିନ ଦେଇଥିଲେ । ସେଇଟା ମୁଁ କେବେ ଦେହରୁ ଓହ୍ଲାଏନାହିଁ । ଏହାଛଡ଼ା, ସେଇ କଙ୍କାଳସାର ବୁଢ଼ା ଛାଡ଼ିଯାଇଥିବା କମ୍ବଳ ଖଣ୍ଡକ ମୋ ପାଖରେ ଥାଏ । ଶୀତଦିନ ଆରମ୍ଭ ନ ହେଉଣୁ ମୁଁ ସେଇଟା ଘୋଡ଼ିବାକୁ ଚେଷ୍ଟା କରୁଥିଲି, ମାତ୍ର କମ୍ବଳ ଘୋଡ଼ି ହେଇ କାମ କରିବା କଷ୍ଟ । ପୁଣି ସେଇଟା ଘୋଡ଼ିହେଇ ଛେଳିଙ୍କ ପଛରେ ଦଉଡ଼ିବି କେମିତି ? ତେଣୁ କମ୍ବଳଟାକୁ ମୁଁ ଥୋଇଦେଇଥିଲି । ସେହି ପ୍ରବଳ ଶୀତରେ ଆଲଖାଲା ଖଣ୍ଡକ ପିନ୍ଧି କାମ କରିବା ମୋର ଅଭ୍ୟାସ ହୋଇଗଲା ।

 

ଯଦିଓ ଟିକିଏ ଡେରି ହେଲା, ତଥାପି ଏପ୍ରକାର ପ୍ରବଳ ଜାଡ଼ରୁ ରକ୍ଷା ପାଇବାର ଗୋଟେ ଉପାୟ ମୁଁ ଖୋଜି ପାଇଗଲି । ସେହି ଉପାୟ ଥିଲା ମେଣ୍ଢାଙ୍କ ସାନ୍ନିଧ୍ୟ । ମେଣ୍ଢାପଲ ମଝିରେ ଚାଲିଲେ ଆରାମ ଲାଗେ । ତେଣୁ ଯେତେବେଳେ ବି ଥଣ୍ଡା ପବନ ବହୁଥିଲା ମୁଁ ଗୋଟେ ମେଣ୍ଢାକୁ କୁଣ୍ଢେଇ ଚାଲୁଥିଲି । ଏପରିକି ମସାରା ଭିତରେ ଯାଇ ମୁଁ ମେଣ୍ଢାଙ୍କୁ ଧରି ଶୋଇଯାଉଥିଲି-। ମୋତେ ଥଣ୍ଡା ପବନ ଆଉ ଅସହ୍ୟ ଲାଗୁ ନ ଥିଲା । ମେଣ୍ଢାଙ୍କ ଲୋମଶ ଶରୀର ପ୍ରବଳ ଶୀତରୁ ମୋତେ ରକ୍ଷା କରୁଥିଲା । ସେଇ ଶୀତଦିନଟାକୁ ମୁଁ ବାସ୍ତବରେ ମେଣ୍ଢାଙ୍କ ସାଙ୍ଗରେ ଆଉ ଗୋଟେ ମେଣ୍ଢା ହୋଇ ବିତେଇଦେଲି ।

 

ଅସହ୍ୟ ଜାଡ଼ ସାଙ୍ଗକୁ ଶୀତଋତୁରେ ଆଉ ଗୋଟେ ସମସ୍ୟା ଆସି ପହଞ୍ଚିଥିଲା – ମାଛି-। ହଜାର ହଜାର ମାଛି ସବୁଠି ଭଣଭଣ ହେଉଥିଲେ । ଖାଇବା ପାଇଁ ଖୁବୁସ ବାହାର କଲାବେଳକୁ ତା’ ଉପରେ ମାଛି; ଗୋଟେ କି ଯୋଡ଼ିଏ ନୁହେଁ, ଶହ ଶହ । ସଦାବେଳେ ମୁଁ ଗୋଟେ ହାତରେ ମାଛି ଘଉଡ଼ଉଥିଲି ଓ ଆର ହାତରେ କାମ କରୁଥିଲି । ମସାରା ଭିତରକୁ ପଶିଗଲା କ୍ଷଣି ମାଛି ଓ ପୋକଙ୍କ ଭଣଭଣ ଶବ୍ଦ ବାଦୁଡ଼ିଙ୍କ ଚେଁ ଚେଁ ପରି ଶୁଭେ । ମୋତେ ଏ ମାଛି ଓ ପୋକଗୁଡ଼ାଙ୍କ ଉପରେ ଭୀଷଣ ରାଗ ଆସୁଥିଲା । କିନ୍ତୁ ମୁଁ ଭାବୁଥିଲି ଏମାନେ ବି ତ ବଞ୍ଚିବେ । କୋଉଠି ବଞ୍ଚିବେ ଓ କେମିତି ବଞ୍ଚିବେ ? ଯଦି ମସାରାରେ ରହିବାକୁ ତାଙ୍କୁ ଭଲ ଲାଗୁଛି ତାହାହେଲେ ଏଇଠି ରୁହନ୍ତୁ-

 

ସେହି ଶୀତଋତୁରେ ମୁଁ ଚାହିଥିଲେ ହକିମ୍‌କୁ ସାଙ୍ଗରେ ନେଇ ଖସି ପଳାଇଯାଇ ପାରିଥାଆନ୍ତି । କାରଣ ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏମିତି ଘନକୁହୁଡ଼ି ଘେରିକି ରହେ ଯେ ତାହା ଭିତରେ କିଛି ଦିଶେ ନାହିଁ । ଆମେ ପଳେଇଥିଲେ ଆମକୁ କେହି ଦେଖି ପାରି ନ ଥାନ୍ତେ । ମାତ୍ର ସେହି ପ୍ରଥମ ବର୍ଷା ରାତିର ସଂଶୟ ମୋତେ ବିବଶ କରିଦେଉଥିଲା । ଖସିକି ପଳେଇଲେ ବି କୁଆଡ଼େ ଯିବି ? କେଉଁ ରାସ୍ତାଦେଇ ଯିବି ? ଏ ମରୁଭୂମି ଭିତରେ ମୋତେ ତ ବାଟଘାଟ କିଛି ଜଣା ନାହିଁ । ମୁଁ କୋଉ ଜାଗାରେ ରହିଛି ତାହାର ଠିକଣା ମୁଁ ଜାଣେ ନାହିଁ । ଏଠୁ କୋଉ ଦିଗରେ ଗଲେ ବାହାରକୁ ଯିବା ପାଇଁ ରାସ୍ତା ମିଳିବ - ପୂର୍ବ, ଦକ୍ଷିଣ, ପଶ୍ଚିମ ନା ଉତ୍ତର ? ଏଠି ମୋତେ ହୁଏତ ମୋ ପ୍ରୟୋଜନ ମୁତାବକ ଖାଦ୍ୟ, ପାଣି, ଲୁଗାପଟା କି ବିଶ୍ରାମ ମିଳୁ ନାହିଁ ସତ; ମାତ୍ର ମୋ ଜୀବନଟା ତ ଅନ୍ତତଃ ବଞ୍ଚି ରହିଛି । ସେଥିପାଇଁ ଏତେ ଦୁଃଖ କଷ୍ଟ ସତ୍ତ୍ୱେ, ମୁଁ ଜୀବନ ବଞ୍ଚେଇ ପାରିଛି । ଯଦି ମୁଁ ବାଟଘାଟ ନ ଜାଣି ଅନିଶ୍ଚିତତାର ମରୁଭୂମିରେ ଧାଇଁ ବୁଲେ ତାହାହେଲେ ମୋ ଜୀବନଟା ଚାଲିଯିବ । ତାହାହେଲେ ଏତେ ଦୁଃଖକଷ୍ଟ ସହି ପଡ଼ି ରହିବାର ମୂଲ୍ୟ କଅଣ ରହିବ ?

 

ପ୍ରତ୍ୟେକ କାରାଗାରର ସୁଦ୍ଧା ଗୋଟେ ନିରାପଦ ଦିଗ ଥାଏ । ମୁଁ ସେ ନିରାପତ୍ତାକୁ ଛାଡ଼ି ଅନିଶ୍ଚିତତା ଭିତରକୁ ଲମ୍ଫ ଦେବାକୁ ସାହସ କରିପାରୁ ନ ଥିଲି । ତେଣୁ ଭାବିଲି, ଅନୁକୂଳ ସମୟକୁ ଅପେକ୍ଷା କରାଯିବା ଦରକାର । ଯେତେବେଳେ ଜାଣିବି ଯେ ମୁଁ କୌଣସି ନିରାପଦ ଜାଗାରେ ଯାଇ ପହଞ୍ଚି ପାରିବି, ସେତେବେଳେ ଯାଇ ଏଠୁ ଗୋଡ଼ କାଢ଼ିବି । ମୋର ଏ ନିଷ୍ପତ୍ତି ଠିକ୍‌ଥିଲା ତ ? ମୁଁ ଜାଣେ ନାହିଁ ।

 

ଶୀତ ଆସିବାକ୍ଷଣି ମସାରାରେ ଅଧିକରୁ ଅଧିକ ମେଣ୍ଢା ଆସି ପହଞ୍ଚିଲେ । ସେମାନେ ଟ୍ରକ୍‌ରେ ବୋଝେଇ ହେଇ ଆସିଥାନ୍ତି । ଏଇଟା ସେମାନଙ୍କର ପିଲାଜନ୍ମ କରିବାର ସମୟ । ଏଇଠୁ ଖରାଦିନ ଆସିବା ପର୍ଯ୍ୟନ୍ତ ଛଅମାସ ତାଙ୍କର ପ୍ରସବ ସମୟ । ବାସ୍ତବରେ ମେଣ୍ଢାଗୁଡ଼ିକ ପାହାଡ଼ିଆ ପାଗ ବା ଥଣ୍ଡାରେ ଭଲ ବଢ଼ନ୍ତି । ସେମାନଙ୍କୁ ମରୁଭୂମିରେ ରଖିବା ଏକଦମ୍‌ଅନ୍ୟାୟ । ମରୁଭୂମିରେ ଛେଳି ରହିପାରିବେ; କାରଣ ସେଗୁଡ଼ିକ ଗରମ ପାଣିପାଗ ବରଦାସ୍ତ କରିପାରିବେ । ମାତ୍ର ମୋ ମାଲିକ ମେଣ୍ଢାଲୋମ ବିକିବା ଲୋଭରେ ମେଣ୍ଢାଗୁଡ଼ିକୁ ଏପ୍ରକାର ପ୍ରତିକୂଳ ପରିବେଶରେ ରଖିଥିଲେ । ଖରାଦିନ ଆସିବା ଭିତରେ ଏହି ମେଣ୍ଢା ପଲରୁ ବାରଣା ବିକ୍ରି ହେଇଯାଉଥିଲେ; ଯୋଉ ଚାରଣା ରହିଯାଉଥିଲେ ସେମାନେ ଭାରି କଷ୍ଟ ସହୁଥିଲେ । ତାଙ୍କ ଭିତରୁ ଅନେକ ଗରମ ସହି ନ ପାରି ମରିଯାଉଥିଲେ । ବାହାର ଗରମକୁ ତାଙ୍କ ଦେହ ଉଲ୍‌ଚମର ତାତି ମିଶି ସେମାନଙ୍କୁ ମାରି ଦେଉଥିଲା । ମୁଁ ଏମିତି ଅନେକ ମେଣ୍ଢାଙ୍କୁ ବିକଳ ହେଇ ମରିଯିବାର ଦେଖିଛି । ମୋ ମାଲିକ ମଲାମେଣ୍ଢାକୁ ଫିଙ୍ଗି ଦିଅନ୍ତି ନାହିଁ । ସେଗୁଡ଼ିକୁ ଘୋଷାରି ଘୋଷାରି ନେଇ ଗାଡ଼ିରେ ଲଦନ୍ତି ଏବଂ ଘରକୁ ନେଇ ପଳାନ୍ତି । ପରଦିନ ସେଗୁଡ଼ିକ ନିଶ୍ଚୟ କୌଣସି ରେସ୍ତୋରାଁ କି ଆଉ କୋଉଠି ମଟନ୍‌ତରକାରି ଭାବେ ରନ୍ଧାହୋଇ ଖିଆ ଯାଉଥିବେ ।

 

ଥରେ ଶୀତଋତୁ ସରି ସରି ଆସୁଥାଏ । ଦି’ଜଣ ଲୋକ ମେଣ୍ଢାଙ୍କ ଲୋମ କାଟିବା ପାଇଁ ଆସି ପହଞ୍ଚିଗଲେ । ସେମାନେ ସୁଦାନ୍‌ର ଲୋକ । ଦି’ ଜଣ ଯାକ ବେଶ୍‌ଖୋଲା ହସ ହସୁଥାଆନ୍ତି-। ବହୁଦିନ ପରେ ଦି’ଜଣ ନୂଆ ଲୋକଙ୍କୁ ଭେଟୁଥିବାରୁ ଆନନ୍ଦରେ ନାଚୁଥାଏ । ମୁଁ ସେମାନଙ୍କ ପଛେ ପଛେ ଏକପ୍ରକାର କୁକୁର ଛୁଆ ପରି ଧାଉଁଥାଏ । ସେମାନେ ମୋ କଥା କିଛି ବୁଝିପାରୁ ନ ଥାନ୍ତି କି ମୁଁ ସେମାନଙ୍କ କଥା ବୁଝିପାରୁ ନ ଥାଏ । ତେଣୁ ଶେଷ ପର୍ଯ୍ୟନ୍ତ ସେମାନଙ୍କ ହସର ଉଦ୍ଦେଶ୍ୟ ମୋ ପକ୍ଷେ ଅବୋଧ୍ୟ ହୋଇ ରହିଗଲା ।

 

ଆଗରୁ ଏଇ ସୁଦାନୀ ମେଣ୍ଢାଲୋମ ବେପାରୀ କଇଁଚି ସାହାଯ୍ୟରେ ଲୋମ ସଂଗ୍ରହ ପାଇଁ ଆସୁଥିଲେ, ମାତ୍ର ସେବର୍ଷ ସେମାନେ ଗୋଟେ ମେସିନ୍‌ଓ ଜେନେରେଟର୍‌ଧରି ଆସିଥିଲେ । ସେମାନଙ୍କ ମେସିନ୍‌ଚାଲିବା କ୍ଷଣି ମୋ ମାଲିକ ଭୂତ ଦେଖିବା ପରି ଡରରେ ଡେଇଁବାକୁ ଲାଗିଲେ-। ତାଙ୍କର ପ୍ରଥମେ ଧାରଣା ହେଲା ଯେ ଏଇ ମେସିନ୍‌ବାଜି ମେଣ୍ଢାଗୁଡ଼ାକ ମରିଯିବେ । ବିଜୁଳି ଆଘାତ ତାଙ୍କୁ ମାରିଦେବ । ବିଚରା ସୁଦାନୀ ବେପାରୀ ଦି’ ଜଣଙ୍କୁ ମୋ ମାଲିକଙ୍କୁ ବୁଝେଇବା ଲାଗି ଢେର୍‌ସମୟ ଲାଗିଗଲା । ସେମାନେ କହିଲେ ଯେ, ଏଇ ମେସିନ୍‌ରୁ ମେଣ୍ଢାଙ୍କ ଦେହରେ କୌଣସି ପ୍ରକାର ବିଜୁଳି ଆଘାତ ଲାଗିବ ନାହିଁ । ମୋ ମାଲିକଙ୍କର ଦ୍ୱିତୀୟ ଆଶଙ୍କା ଥିଲା ଯେ ଏଇ ମେସିନ୍‌ଟା ଆବଶ୍ୟକଠାରୁ ଅଧିକା ଲୋମ କାଟିନେବ ଯାହା ଫଳରେ ଖରାଦିନେ ମେଣ୍ଢାଗୁଡ଼ିକ ହଇରାଣ ହେବେ । (ବଜାରରେ ନିର୍ଲୋମ ମେଣ୍ଢାଙ୍କର କୌଣସି ଚାହିଦା ନାହିଁ ।) ତାଙ୍କ କଥା ଶୁଣି ସୁଦାନୀ ବେପାରୀ ହସିଲେ । ସେମାନେ ଉଦାହରଣ ସ୍ୱରୂପ ପ୍ରଥମେ ଗୋଟିଏ ମେଣ୍ଢାର ଲୋମ କାଟି ମୋ ମାଲିକଙ୍କୁ ଦେଖେଇଦେବା ପରେ ଯାଇ ମାଲିକ ସେ କଥାଟା ବୁଝିଲେ-। ସବୁ ସତ୍ତ୍ୱେ ବଡ଼ କୁନ୍ଥୁକୁନ୍ଥୁ ହୋଇ ସେ ମେସିନ୍‌ରେ ମେଣ୍ଢାଙ୍କ ଲୋମ କାଟିବାଲାଗି ଅନୁମତି ଦେଲେ । ଶେଷ ପର୍ଯ୍ୟନ୍ତ ତାଙ୍କ ମନର କୁଣ୍ଠା ବାରିହୋଇ ପଡ଼ୁଥାଏ ।

 

ମୋ କାମ ଥିଲା ମେଣ୍ଢାଗୁଡ଼ିକୁ ଧରିଆଣି ମେସିନ୍‌ପାଖରେ ପହଞ୍ଚେଇବା । ମୋର ନିତିଦିନିଆ କାମ ସାଙ୍ଗକୁ ଏଇଟା ଆଉ ଗୋଟେ ଅଧିକା କାମ ଥିଲା । ମୁଁ ମେଣ୍ଢାଗୁଡ଼ିକୁ ଧରିଆଣି ତାଙ୍କୁ ମୋ ଜଙ୍ଘ ସନ୍ଧିରେ ଧରିରଖେ । ଆଗରୁ ଛେଳିଛୁଆମାନଙ୍କ ଖାସୁକରଣ ପାଇଁ ସେମାନଙ୍କୁ ଏମିତି ଧରୁଥିଲି । ଗୋଟେ ମେଣ୍ଢା ଦେହରୁ ଲୋମ କାଟିବା ପାଇଁ ସେ ମେସିନ୍‌କୁ ମିନିଟିଏ କି ଦୁଇ ମିନିଟ୍‌ସମୟ ଜମା ଲାଗୁଥାଏ । ତା’ ସତ୍ତ୍ୱେ କାମଟା ବଡ଼ କଠିନ । ମୋ ଅଣ୍ଟାପିଠି କଟକଟ କରୁଥାଏ । ଦି’ଦିନ ଭିତରେ ଛଅଶହ ମେଣ୍ଢାକୁ ଧରି ତାଙ୍କ ଲୋମ ସଂଗ୍ରହରେ ସାହାଯ୍ୟ କରିବା କିଛି ସହଜ କଥା ନୁହେଁ । ସେ ମେସିନ୍‌ଟା ମେଣ୍ଢାଙ୍କ ଦେହରୁ ଲୋମତକ ଚା‚ ସଫା କରିଦେଉଥାଏ, ଖାଲି ଯାହା ଲାଞ୍ଜ ପାଖେ କିଛି ଲୋମ ରହୁଥାଏ । ସେଇ ଲାଞ୍ଜକୁ ଦେଖାଇ ସୁଦାନୀ ବେପାରୀ କହୁଥାଆନ୍ତି, “ଲାଞ୍ଜରେ ଲୋମ ନ ରହିଲେ ମେଣ୍ଢା ମଶାମାଛିଙ୍କୁ ଘଉଡ଼େଇ ପାରିବ ନାହିଁ । ଏଇଟା ଆମର ତା’ ପାଇଁ ଉପହାର । ଆମ ଦେଶରେ ଆମେ ଏହିପରି ମେଣ୍ଢାଙ୍କ ଲୋମ ସଂଗ୍ରହ କରୁ ।” ଏକଥା କହିଲାବେଳେ ସେ ଦିହେଁ ଖୁବ୍‌ହସୁଥାଆନ୍ତି ।

 

ପରଦିନ ଉପରଓଳି ସୁଦ୍ଧା ସବୁ ଅଣ୍ଡିରା ଓ ମାଈମେଣ୍ଢାଙ୍କ ଲୋମକଟା ସରିଗଲା । ଲୋମକଟା ହୋଇଥିବା ମେଣ୍ଢାଗୁଡ଼ିକ ନବଯୁବକ ଓ ନବଯୁବତୀ ପରି ଦିଶୁଥାଆନ୍ତି । ପୂରା ଖିଅରବାଅର ହେଇ ଚିକ୍କଣ ଦିଶୁଥାଆନ୍ତି ବିଚରା ପଶୁଗୁଡ଼ାକ । ସଞ୍ଜବେଳକୁ ସୁଦାନୀ ବେପାରୀ ଦି’ଜଣ ଉଲ୍‌ତକ ଅଖାରେ ପୂରାଇ ତାଙ୍କ ଗାଡ଼ିରେ ଲଦିଲେ ଏବଂ ଚାଲିଗଲେ । ସେମାନେ ଚାଲିଯିବା ପରେ ମୁଁ ପୁଣି ନିଃସଙ୍ଗ ହୋଇପଡ଼ିଲି । ଅନ୍ତତଃ ଦି’ଜଣ ମଣିଷଙ୍କ ସାନ୍ନିଧ୍ୟ ମୁଁ ଉପଭୋଗ କରୁଥିଲି । ସେମାନେ ଚାଲିଗଲା ପରେ ମୋ ଚାରିପଟେ ଖାଲି ପଶୁ ଓ ପଶୁ । ହଠାତ୍‌ଅନହୁତି ମେଘ ପରି ଚାରିଆଡ଼ୁ ବିଷାଦ ମାଡ଼ିଆସିଲା ।

 

ଏହି ଶୀତଦିନ ମୋତେ ଆହୁରି ଗୋଟେ ବଡ଼ କଥା ଶିକ୍ଷା ଦେଲା- ଯେତେ ପ୍ରକାର ପ୍ରତିକୂଳ ପରିସ୍ଥିତି ଆସୁନା କାହିଁକି ତାହା ପୃଥିବୀରୁ ଜୀବନର ସମ୍ଭାବନାକୁ ସମ୍ପୂର୍ଣ୍ଣ ମୂଳପୋଛ କରିପାରିବ ନାହିଁ । ଅନେକ ଦିନ ପର୍ଯ୍ୟନ୍ତ ସେ ମରୁଭୂମିରେ ଘାସଟିଏ ମଧ୍ୟ ଦେଖାଯାଉ ନ ଥିଲା । ତାତି ଯେ ତାତି, ଅସମ୍ଭାଳ ତାତି । ଏହି ତତଲା ବାଲିରେ ଜୀବନର କୌଣସି ସମ୍ଭାବନା ଖୋଜିବା ବୃଥା । ଅଥଚ ବର୍ଷା ବର୍ଷିବାର ଦି’ଦିନ ପରେ ପରିସ୍ଥିତି କେତେ ଅଲଗା ଦିଶିବାକୁ ଆରମ୍ଭ କରିଥିଲା-! ଖରାଦିନ ସରିଥିଲା ଓ ଶୀତ ଆସୁଥିଲା । ତାହା ଭିତରେ ମରୁଭୂମିରେ ଯେଉଁ ପରିବର୍ତ୍ତନ ଦେଖାଗଲା ସେଥିରୁ ମୋର ମନେହେଲା ଏଇ ଘାସଲଟା, କ୍ୟାକ୍‌ଟସ୍‌ଓ ଛତୁଗୁଡ଼ାକର ମୂଳ ନିଶ୍ଚିହ୍ନ ହୋଇଯାଇ ନ ଥିଲେ, ବରଂ ନିରବରେ ବାଲି ତଳେ ମୁଣ୍ଡପୋତି ଶୋଇ ରହିଥିଲେ । ବର୍ଷାପାଣି ପାଇବା କ୍ଷଣି କାକଟସ୍‌ମୁଣ୍ଡ ଟେକିଲା, ଲାଜକୁଳୀ ଲତା ଓ ଆହୁରି କେତେ ନାଁ ଅଜଣା ଲଟା ଡଙ୍କ ଲମ୍ବେଇଚାଲିଲେ ଓ ଠାଏ ଠାଏ ପଥରଛତୁ ବି ଦିଶିବାକୁ ଲାଗିଲେ । ସେଇ ମରୁଭୂମିରେ ଯେ ସବୁଜିମାର ଏହି ଦୃଶ୍ୟ ଦେଖିବାକୁ ମିଳିବ, ଏକଥା ମୁଁ କଳ୍ପନା କରିପାରି ନ ଥାନ୍ତି । ଆକାଶର ପୂର୍ବ ଦିଗ୍‌ବଳୟରୁ ଦଳ ଦଳ ପକ୍ଷୀ କିଚିରିମିଚିରି କରି ଉଡ଼ି ଆସୁଥିଲେ । ତାଙ୍କ ଭିତରେ ଥିଲେ ଟିଆ, କପୋତ ଏବଂ ଶୁଆ । ସେମାନେ ସବୁ କୋଉ ଦେଶରୁ ଆସୁଥିଲେ କିଏ ଜାଣେ ? ଜୀବନର ଏହି ଅଭିଜ୍ଞତା ବାସ୍ତବରେ ବିଚିତ୍ର ଏବଂ ରହସ୍ୟମୟ !

 

ମରୁଭୂମିର ଗଛଲତା, ଗୁଳ୍ମ ଏବଂ ପୋକଜୋକମାନେ ଭଲ ସମୟକୁ ଅପେକ୍ଷା କରି ସୁପ୍ତ ଭାବରେ ପଡ଼ିରହିଥିବା ଘଟଣା ମୋତେ ନୂଆ ଅଭିଜ୍ଞତା ଦେଲା । ସେକଥା ଉପଲବ୍‌ଧି କରି ମୁଁ ଆନନ୍ଦ ଅନୁଭବ କରୁଥିଲି । କାରଣ ମୁଁ ମୋ ଆଖିରେ ଦେଖୁଥିଲି, ଛୋଟିଆ ଗୁଳ୍ମ କିପରି ବଡ଼ ହେଉଥିଲା, ସେଥିରେ ଫୁଲ ଓ ଫଳ ଧରୁଥିଲା ଏବଂ ମରୁଭୂମିର ମାଟି ଭିତରେ ତା’ର ଭବିଷ୍ୟତ ବଂଶଧର ପାଇଁ ମଞ୍ଜି ଓ ମୂଳ ଛାଡ଼ିଯାଉଥିଲା । ପ୍ରକୃତିର ଏହି ଅଦ୍ଭୁତ ରହସ୍ୟ ମୋତେ ମୁଗ୍ଧ କରୁଥିଲା । ଏହି ଗଛ ଓ ଗୁଳ୍ମମାନେ ବାସ୍ତବରେ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କଥା ଶିକ୍ଷା ଦେଉଥିଲେ । ସେହି ଛୋଟ ଛୋଟ ଗଛର ପତ୍ରଗୁଡ଼ିକ ପବନରେ ଦୋହଲୁ ଦୋହଲୁ ମୋ କାନପାଖରେ ଥିରିଥିରି ହେଇ କହୁଥିଲେ, “ନଜିବ୍‌, ତୁ ଏ ମରୁଭୂମିର ପାଳିତ ସନ୍ତାନ । ଆମ ପରି ତୁ ମଧ୍ୟ ତୋ ପ୍ରାଣଶକ୍ତିକୁ ବଞ୍ଚେଇ ରଖିବୁ ଏବଂ ଏହି ମରୁଭୂମି ସହିତ ଯୁଝୁଥିବୁ । ଏ ତତଲା ହାୱା ଏବଂ ରଡ଼ନିଆଁ ପରି ସୂର୍ଯ୍ୟ ସବୁଦିନେ ଏମିତି ରହିବେ ନାହିଁ । ତୁ ସେମାନଙ୍କ ପାଖରେ ଆତ୍ମସମର୍ପଣ କରିବା ଦରକାର ନାହିଁ । ତୁ ବିକଳ କି ବ୍ୟସ୍ତ ହେବୁ ନାହିଁ, ନ ହେଲେ ତୁ ଏ ଅବସ୍ଥାରେ ନିଜ ଜୀବନ ବଞ୍ଚେଇ ପାରିବୁ ନାହିଁ । ଏଠି ତୁ ଅର୍ଦ୍ଧମୃତ ଅବସ୍ଥାରେ, ଧ୍ୟାନ କଲା ପରି ପଡ଼ିକି ରହ । କିଛି ହେଇଥିଲା ପରି କାହାକୁ ଜାଣିବାକୁ ଦେଏନା । ମନ ଭିତରେ ଚୁପ୍‌ଚାପ୍‌ଆଲ୍ଲାଙ୍କୁ ପ୍ରାର୍ଥନା କରିଚାଲ । ସେ ତୋ ଦୁଃଖ ଶୁଣିବେ । ଶେଷରେ ତୋ ପାଇଁ ସୁଯୋଗଟିଏ ଆସିବ । ଏ ଗରମ ପବନ ଚାଲିଯିବ, ଶୀତଳ ପବନ ତୋତେ ହାତଠାରି ଡାକିବ । ସେତିକିବେଳେ, ଠିକ୍‌ସେତିକିବେଳେ ଯାଇ ତୁ ଏ ମାଟି ଉପରୁ ମଥାଟେକି ଉଠିବୁ, ତୋର ଉପସ୍ଥିତି ଘୋଷଣା କରିବୁ ଏବଂ ସ୍ୱାଧୀନତା ଭିତରକୁ ଲମ୍ଫ ଦେବୁ ।’’

 

ମୁଁ କାନଡେରି ଘାସପତ୍ରଗୁଡ଼ିକର ସେହିକଥା ଶୁଣୁଥିଲି । ମୋତେ ସେମାନେ ଉପଯୁକ୍ତ ଅବସର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଉତ୍ସାହ ଦେଉଥିଲେ ।

 

ବାଇଶ

 

ଯଦିଓ ମୁଁ ଅଣ୍ଡିରା ଛେଳିଗୁଡ଼ାକୁ ଭୟ ଓ ଘୃଣା କରୁଥିଲି, ତଥାପି ଏମିତି ଗୋଟେ ସମୟ ଆସିଲା, ଯେତେବେଳେ ତାଙ୍କରି ଭିତରୁ ଗୋଟିଏ ମୋ ଜୀବନ ବଞ୍ଚେଇଦେଲା । ସେଦିନ ଛେଳିଙ୍କୁ ମୁଁ ସବୁଦିନ ପରି ଚରେଇବାକୁ ନେଉଥିଲି । ସେମାନଙ୍କୁ ବୁଲିବାଲାଗି ଛାଡ଼ିଦେଇ ମୁଁ ଗୋଟେ ବାଲିକୁଦ ଉପରେ ବସିଥାଏ । କାହିଁକି କେଜାଣି ସେଦିନ ମୋର ଘରକଥା ଗୁଡ଼େଇ ତୁଡ଼େଇ ମନେପଡ଼ୁଥାଏ । ସେତେଦିନ ଯାଏଁ ଛାତି ଭିତରେ ଚାପିରଖିଥିବା ସବୁ ସ୍ମୃତି ଆଗ୍ନେୟଗିରିର ଲାଭା ପରି ବାହାରକୁ ବାହାରି ଆସୁଥାଏ । ମୁଁ ଭାବୁଥାଏ - ଏଠୁ ଯେମିତି ହେଉ ମୋତେ ଖସିକି ଚାଲିଯିବାକୁ ପଡ଼ିବ । ନ ହେଲେ ଏଠି ମୋ ଜୀବନ ରହିବ ନାହିଁ । ଖଟି ଖଟି ମୁଁ ମାଟିରେ ମିଶିଯିବି । ଯେମିତି ହେଉ ଆମ ଗାଁକୁ ମୁଁ ଯିବି, ମୋ ମାଆ ପାଖକୁ ଯିବି ଏବଂ ମୋର ସାଇନୁକୁ ଭେଟିବି । ମୁଁ ମୋର ନବିଲ୍‌କୁ ଭେଟିବି । ମୋର ଜନ୍ମଭୂମି, ମୋ ଗାଆଁର ଧୂଳିଧୂସରିତ ରାସ୍ତା, ମୋ ଗାଁର ନଈନାଳ, ବର୍ଷା ଓ ମାଟି କାଦୁଅ ମୋତେ ଡାକୁଛନ୍ତି । ମୁଁ ସେମାନଙ୍କ ଡାକକୁ ଏଡ଼ାଇ ଯାଇପାରିବି ନାହିଁ । ଏପରି ସମୟରେ ମୁଁ ସ୍ମୃତି ଓ ଅତୀତପ୍ରୀତି ଜିନିଷଟି କଅଣ ସେକଥା ଭଲ ଭାବେ ବୁଝିପାରୁଥାଏ । ମୋ ଭିତରର ସେହି ତାଡ଼ନା ବର୍ତ୍ତମାନକୁ ଘୃଣା କରିବା ଲାଗି ମୋତେ ବିବଶ କରୁଥାଏ । ଏହିପ୍ରକାର ବିବଶ ଭାବ ମଣିଷକୁ ଘରକୁ ଫେରିବା ପାଇଁ ଏମିତି ଉଚ୍ଚାଟ କରେ ଯେ ସେ ଶରବିଦ୍ଧ ବାର୍‌ହା ପରି ଆଖୁବଣ, ଖାଲଖମା ଓ ବଣଜଙ୍ଗଲ ନ ମାନି ଘରମୁହାଁ ଛୁଟିଚାଲେ । ଅବଶ୍ୟ ଏମିତି କଥା ସବୁବେଳେ ଘଟେ ନାହିଁ । ବେଳେବେଳେ ଘଟେ; ମାତ୍ର ଯେତେବେଳେ ଏଭଳି ପ୍ରତିକ୍ରିୟା ସୃଷ୍ଟି ହୁଏ, ସେତେବେଳେ ସେହି ଆବେଗକୁ କାବୁ କରିବା ସହଜ ହୁଏ ନାହିଁ ।

 

ମୋ ମାଲିକ ବାଇନୋକୁଲାର ଧରି ତାଙ୍କ ଖୋଲାଗାଡ଼ିର ଛାତ ଉପରେ ଛିଡ଼ା ହୋଇଥାଆନ୍ତି । ସେ ଯେଉଁ ଆଡ଼କୁ ମୁହଁ କରିଥିଲେ ମୁଁ ତାହାର ବିପରୀତ ଦିଗରେ ଥିବାରୁ ମୋତେ ସେ ଦେଖିପାରି ନ ଥିଲେ । ମୁଁ ଏହି ସୁଯୋଗର ସଦ୍‌ବ୍ୟବହାର କରିବାକୁ ଚାହିଲି । ମୁଁ ଆଲ୍ଲାଙ୍କ ନାଁ ଧରି ବାଲିକୁଦ ତଳକୁ ଡେଇଁ ପଡ଼ିଲି ଓ ଦଉଡ଼ିବାରେ ଲାଗିଲି । ଭାବିଲି ଯୁଆଡ଼େ ମନ ସିଆଡ଼େ ପଳେଇବି । ହାୟ, ମୋ ଭାଗ୍ୟକୁ ପାଖରେ ଚରୁଥିବା ଗୋଟେ ବୋଦା ବି ମୋ ସାଙ୍ଗରେ ତାଳ ଦେଇ ଦଉଡ଼ିବାରେ ଲାଗିଲା । ଯଦିଓ ମୁଁ ତାକୁ ଏଥିରୁ ନିବୃତ୍ତ କରାଇବା ପାଇଁ ହୁରୁଡ଼େଇଲି ଓ ଥରେ ଦି’ଥର ବାଡ଼ି ଧରି ଗୋଡ଼େଇଲି ତଥାପି ସେ ମୋ ସାଙ୍ଗ ଛାଡ଼ିଲା ନାହିଁ । ମୋର ତ ଇଚ୍ଛା, କେମିତି ଏଠୁ ପଳେଇବି । ତେଣୁ ପ୍ରାଣବିକଳରେ ମୁଁ ଧାଇଁଥାଏ । ମୋର ମନ ଏଠୁ ଯେତେ ଦୂର ସମ୍ଭବ ସେତେ ଦୂର ଚାଲିଯିବି । ମୁଁ କୁଆଡ଼େ ଯାଉଛି, ସିଆଡ଼କୁ ରାସ୍ତା ଅଛି କି ନାହିଁ ସେକଥା ସେତେବେଳେ ମୁଣ୍ଡରେ ପଶୁ ନ ଥାଏ । ନିରୁଦ୍ଦେଶ୍ୟ ଭାବରେ ମୁଁ ଖାଲି ଦଉଡ଼ୁଥାଏ । ମୋ ପଛେ ପଛେ ବୋଦାଟି ବି ଦଉଡ଼ୁଥାଏ, ସତେ କି ମୋତେ ପାଇଲେ ଭୁସିପକେଇବ । ତା’ ଡରରେ ମୁଁ ଆହୁରି ଜୋର୍‌ରେ ଧାଉଁଥାଏ ।

 

ହଠାତ୍‌ପାଖରେ ଗାଡ଼ି ଇଞ୍ଜିନ୍‌ର ଗର୍ଜନ ଶୁଣିଲି । ମୋ ଦେହରେ ଚାଉଁକିନା ଡର ପଶିଗଲା । ତା’ ଅର୍ଥ ମାଲିକ ମୋତେ ଦଉଡ଼ି ପଳଉଥିବାର ଦେଖି ଦେଇଛନ୍ତି । ସଙ୍ଗେ ସଙ୍ଗେ ସେ ମୋ ପାଖରେ ପହଞ୍ଚିଯିବେ ଓ ମୋତେ ମାରିପକେଇବେ । ଏତିକିବେଳେ ଗୋଟେ ଗୁଳିର ଶବ୍ଦ ଶୁଭିଲା । ମୋ ସୌଭାଗ୍ୟକୁ ଗୁଳିଟା ମୋ ଉପରେ ବାଜିଲା ନାହିଁ, ଯଦିଓ ମୁଁ ଜାଣିଥିଲି ଯେ, ମାଲିକଙ୍କ କବଳରୁ ମୁଁ ଆଉ ଖସିଯାଇପାରିବି ନାହିଁ । ତଥାପି ମୁଁ ଦଉଡ଼ୁଥିଲି । ଏଥର ଆଉ ଗୋଟେ ଗୁଳିର ଶବ୍ଦ । ତେବେ ସେହି ଗୁଳିଟା ମୋ ଉପରେ ବାଜିବା ଆଗରୁ ମୋ ପଛେ ପଛେ ଧାଉଁଥିବା ବୋଦାଟା ଗର୍ଜନ କରି ଆସି ମୋ ଆଗରେ ଠିଆ ହେଇଗଲା । ଗୁଳିଟା ତାହାର ବକ୍ଷ ଭେଦ କରି ଛଲକାଏ ରକ୍ତ ହେଇ ବାହାରିଗଲା । ବୋଦାଟି ସିଧା ମୋ ଉପରେ ଆସି ପଡ଼ିଗଲା । ସତେ କି ସେ ମୋତେ ରକ୍ଷା କରିବାଲାଗି ଗୁଳି ଆଗରେ ତା’ ଛାତି ପତେଇ ଦେଇଥିଲା । ତା’ ଦେହରୁ, ପାଇପ୍‌ଫୁଟି ପାଣି ବାହାରିବା ପରି ପିଚ୍‌ପିଚ୍‌ରକ୍ତ ବାହାରି ଯାଉଥାଏ । ସେଇ ଅବସ୍ଥାରେ ସେ କିଛି ବାଟ ପୁଣି ଧାଇଁଗଲା ଏବଂ ଗଁ ଗଁ ଶବ୍ଦ କରି ତଳେ ପଡ଼ିଗଲା । ସେତେବେଳକୁ ମୋ ମାଲିକ ଆସି ମୋ ପାଖରେ ପହଞ୍ଚି ଯାଇଥିଲେ । ମୁଁ ଧାଇଁଯାଇ ତାଙ୍କ ଗୋଡ଼ତଳେ ପଡ଼ିଗଲି । ସେ ବେଲ୍‌ଟ୍‌ଖୋଲି ମୋତେ ପିଟିଚାଲିଲେ । ମୁଁ ବିକଳରେ ଚିତ୍କାର କଲି, ମାତ୍ର ମୋର ସେ ଚିତ୍କାର ମରୁଭୂମିର ସେହି ନିର୍ମମ ନିର୍ଜନତା ଭିତରେ କୁଆଡ଼େ ବୁଡ଼ିଗଲା । ତାଙ୍କ ରାଗ ଥଣ୍ଡା ହେବା ପରେ ସେ ମଲା ବୋଦାଟାକୁ ଆଣି ଗାଡ଼ିରେ ଲଦିବାକୁ ମୋତେ ହୁକୁମ୍‌ଦେଲେ । ମୁଁ ଲାଙ୍ଗୁଡ଼ ଜାକି କୁଁ କୁଁ ହେଉଥିବା କୁକୁର ଛୁଆ ପରି ତାଙ୍କ କଥା ମାନିଲି ଏବଂ ବୋଦାକୁ ଗାଡ଼ିରେ ଲଦି ନିଜେ ତା’ ପାଖରେ ବସିଲି । ସେଇଠି ମୋ ଉପରେ ଆଉ ପରସ୍ତେ ମାଡ଼ ବସିଲା । ମୁଁ ଜାଣିପାରୁଥିଲି, ମାଲିକ ମୋ ଉପରେ ବହୁତ ରାଗିଥିଲେ । ମୁଁ ତଳକୁ ମୁହଁ କରି ବସିଥାଏ ଏବଂ ବିକଳରେ କାନ୍ଦୁଥାଏ ।

 

ମୋ ପାଖରେ ବୋଦାଟିର ମଲାଦେହ । ତା’ ଆଖିଯୋଡ଼ିକ ମେଲା ଥାଏ । ମୋ ପାଇଁ ବିଚରା ପ୍ରାଣୀଟି ତାହାର ଜୀବନ ଦେଇଛି ଅନୁଭବ କରି ମୋ ମନ ଆହୁରି ବିକଳ ହେଉଥାଏ । ମନେ ମନେ କହୁଥାଏ, କାହିଁକି ଭଲା ତୁ ମୋ ସାଙ୍ଗରେ ଆସୁଥିଲୁ ? କାହିଁକି ମୋ ପରି ଗୋଟେ ହତଭାଗ୍ୟ ଲାଗି ତୁ ନିଜର ଜୀବନ ଦେଲୁ ? ମୋ ପାଇଁ ତୁ ଛାତି ପତେଇ ନ ଥିଲେ ସେ ଗୁଳି ମୋ ଦେହରେ ବାଜିଥାଆନ୍ତା । ମୁଁ ହୁଏତ ମରିଥାନ୍ତି, ମାତ୍ର ତୁ ତ ବଞ୍ଚିଥାଆନ୍ତୁ । ଏହା ସାଙ୍ଗକୁ ମୁଁ ନିଜକୁ ଧିକ୍କାର କରୁଥାଏ- ଏଠୁ ପଳେଇଯିବା କଥା ଚିନ୍ତା କରିବା ମୋର ଭୁଲ୍‌ । ମୁଁ ଆଲ୍ଲାଙ୍କ ନିର୍ଦ୍ଦେଶ ଭଲ ଭାବେ ବୁଝିପାରି ନାହିଁ । ମୋ ନିଜର ଆଗ୍ରହକୁ ତାଙ୍କର ନିଷ୍ପତ୍ତି ବୋଲି ଭୁଲ୍‌ରେ ଧରିନେଇଥିଲି । ତାହା ମୋର ବଡ଼ ଭୁଲ୍‌ । ସିଏ ଯେତେବେଳେ ପ୍ରକୃତରେ ରକ୍ଷା କରିବାକୁ ଚାହିବେ ସେତେବେଳେ ଯାଇ ମୁଁ ରକ୍ଷା ପାଇବି । ତାଙ୍କ ଇଚ୍ଛା ନ ହେଲେ ମୁଁ ରକ୍ଷା ପାଇବି ନାହିଁ । ମୁଁ ତାଙ୍କର ସଙ୍କେତ ଠଉରାଇ ପାରିନାହିଁ । ତା’ ସତ୍ତ୍ୱେ ସେ ମୋ ଜୀବନ ବଞ୍ଚେଇଛନ୍ତି । ସିଏ ହିଁ ବୋଦାଟିକୁ ମୋ ଜୀବନ ବଞ୍ଚେଇବାଲାଗି ମୋ ସାଙ୍ଗରେ ପଠାଇଥିଲେ । ମୋ ପାଇଁ ନିରୀହ ବୋଦାଟି ବଳି ପଡ଼ିଗଲା ।

 

ମାଲିକଙ୍କ ଗାଡ଼ି ତମ୍ବୁ ପାଖରେ ପହଞ୍ଚିବା କ୍ଷଣି ସେ ଓହ୍ଲାଇ ଆସିଲେ ଓ ମୋତେ ଘୋଷାଡ଼ିନେଇ ବାନ୍ଧି ପକେଇଲେ । ସେମିତି ଅବସ୍ଥାରେ ମୋତେ ମସାରା ଭିତରେ ପକେଇଦେଇ ସେ ଚାବି ଠୁଙ୍କିଦେଲେ । ତାହାପରେ ସେ ମୋତେ ଆଉ ପରସ୍ତେ, ତାଙ୍କ ମନ ବୁଝିବା ପର୍ଯ୍ୟନ୍ତ ପିଟି ଚାଲିଲେ । ମୋର ସର୍ବାଙ୍ଗରୁ ରକ୍ତ ବୋହୁଥାଏ । ତଥାପି ମୁଁ କାନ୍ଦୁ ନ ଥାଏ । ଟୋପାଏ ଲୁହ ସୁଦ୍ଧା ମୋ ଆଖିରୁ ବାହାରୁ ନ ଥାଏ । ମୁଁ ଗୋଟିଏ କଥା ଭାବି ଲୁହକୁ ଅଟକାଇ ରଖୁଥାଏ - ମୋ ପାଇଁ ନିରୀହ ବୋଦାଟିଏ ତାହାର ଜୀବନ ଦେଇଛି । ଏହାପରେ ବି ମୁଁ ଯଦି କାନ୍ଦେ, ତାହାହେଲେ ଆଲ୍ଲା ମୋତେ କ୍ଷମା ଦେବେ ନାହିଁ ।

 

ମୋ ମାଲିକ ମୋ ଆଖି ଆଗରେ ସେଇ ବୋଦାଟିର ଚମଡ଼ା ଉତାରିଲେ । ତାହାର ମାଂସ ଖଣ୍ଡ ଖଣ୍ଡ କରି କାଟିଲେ ଆଉ ନିଆଁ ଜଳେଇ ତାକୁ ରୋଷ୍ଟ୍‌କଲେ । ମନ ଶାନ୍ତ ହେବା ପର୍ଯ୍ୟନ୍ତ ସେ ସେଇ ମାଂସପୋଡ଼ା ଖାଇଲେ । ସେଥିରୁ କିଛି ଆଣି ମୋ ଆଗରେ ସେ ଥୋଇଲେ । ମୁଁ ଯେତେବେଳେ ତାହା ଖାଇବା ପାଇଁ ମନା କଲି, ସେ ପୁଣି ମୋତେ ପରସ୍ତେ ପିଟିଲେ ଏବଂ ଜବରଦସ୍ତି ମୋ ପାଟିରେ ସିଝାମାଂସ ଗୁଞ୍ଜିଲେ । ମୋର ସେ ମାଂସ ଖାଇବାଲାଗି ମନ ହେଉ ନ ଥାଏ । ପେଟ ଭିତରୁ ବାନ୍ତି ଉଠିଆସୁଥାଏ । ଲାଗୁଥାଏ ସତେ କି ମୁଁ ମୋ ନିଜ ଭାଇର କଟାମାଂସ ଖାଉଛି । ପେଟ ଭିତରକୁ ଯେଉଁ ଟୁକୁଡ଼ାକ ଯାଇଥିଲା ମୁଁ ବାନ୍ତିକରି ସେତକ ବାହାର କରିଦେଲି । ଏହାପରଠାରୁ ମୁଁ ଆଉ ମଟନ୍‌ଖାଇନାହିଁ କି ଖାଇବା ପାଇଁ ମୋର ମନ ବଳି ନାହିଁ ।

 

ମାଲିକ ମୋତେ ସେଦିନ ଓ ତାହା ପରଦିନ ସେଇ ଗୁହାଳରେ ଚାବି ପକେଇ ରଖିଲେ-। ପିଇବା ପାଇଁ ପାଣି ଟୋପେ ଦେଲେ ନାହିଁ କି ଖାଇବା ପାଇଁ ଖୁବୁସ୍‌ଖଣ୍ଡେ । ଦି’ଦିନ କାଳ ମୁଁ ସେଇ ଗୁହାଳେ ସେମିତି ଭୋକ ଉପାସରେ ପଡ଼ିକି ରହିଲି । ଦ୍ୱିତୀୟ ଦିନ ରାତିକି ମୋତେ ଖୁବ୍‌ଭୋକ ଲାଗିଲା । ମୁଁ ଚୁପ୍‌ଚାପ୍‌ବସିଥାଏ । ଯେତେବେଳେ ମୋର ହୃଦ୍‌ବୋଧ ହେଲା ଯେ ମାଲିକ ନିଘୋଡ଼ ନିଦରେ ଶୋଇଗଲେଣି ସେତେବେଳେ ମୁଁ ଧୀରେ ଧୀରେ ମୋ ପାଦଯୋଡ଼ିକରୁ ଦଉଡି ଫିଟେଇବାକୁ ଚେଷ୍ଟା କଲି । କିଛି ସମୟ ପରେ ଦଉଡ଼ି ଖୋଲିଗଲା । ମୁଁ ଘୁଷୁରି ଘୁଷୁରି ପାଣିକୁଣ୍ଡ ପାଖେ ଯାଇ ପହଞ୍ଚିଲି ଏବଂ ଶୋଷ ମେଣ୍ଟିଲା ଯାଏଁ ପାଣି ପିଇଲି । ଆର କୁଣ୍ଡରେ ଛେଳିଙ୍କ ଖାଇବାଲାଗି କିଛି ଗହମ ଥିଲା । ମୁଁ ସେଥିରୁ କଳେ କଳେ ନେଇ ଚୋବେଇଲି । ସେଗୁଡ଼ିକ କଞ୍ଚା ଗହମ, ଚୋପା ଛଡ଼ାଯାଇ ନ ଥାଏ । ପାଖରେ ଗୋଟେ ବାଲ୍‌ଟିରେ କିଛି ଲୁଣ ଥିଲା । ମୁଁ ଲୁଣ ମିଶେଇ ଗହମ ଖାଇଲି । ସେହିଦିନ ମୁଁ ବୁଝିଲି, ସିଝା ହେଇ ନ ଥିବା ଗହମ ବି ସୁଆଦିଆ ଲାଗେ । ସେତକ ଖାଇସାରି ପୁଣି ଥରେ ଯାଇ ଛେଳିଙ୍କ କୁଣ୍ଡରୁ ପାଣି ପିଇଲି । ମୋ ଭୋକ ମେଣ୍ଟିଗଲା ଓ ପେଟ ଶାନ୍ତ ହେଇଗଲା । ମୁଁ ସେଇଠି ଛେଳିମାନଙ୍କ ମେଳରେ ଶୋଇଗଲି ।

 

ସେତେବେଳକୁ ମୁଁ ନିଜେ ଗୋଟେ ଛେଳି ପାଲଟି ଯାଇଥିଲି ।

 

ତେଇଶ

 

ଖରାଦିନ ଆସିଯାଇଥିଲେ ବି ଗ୍ରୀଷ୍ମତାତି ସେତିକି ଅସହ୍ୟ ହେଇ ନ ଥାଏ । ତେବେ ସେଇଟା ଗ୍ରୀଷ୍ମର ଆଦ୍ୟକାଳ ଥିଲା । ଧୀରେ ଧୀରେ ତାତି ବଢ଼ିବାରେ ଲାଗିଲା । କ୍ରମେ ସେ ତାତି ଏତେ ଅସହ୍ୟ ହେଲା ଯେ ତାକୁ ଭାଷାରେ ବର୍ଣ୍ଣନା କରିହେବ ନାହିଁ । ଗରମ ଝାଞ୍ଜି ବହିବା କ୍ଷଣି ମୋତେ ଲାଗେ, ସତେ ଯେମିତି କିଏ ଜଳନ୍ତା ଚୁଲି ଭିତରକୁ ମୋତେ ଫିଙ୍ଗିଦେଉଛି ।

 

ମରୁଭୂମିରେ ସେଇ ଥିଲା ମୋର ପ୍ରଥମ ଗ୍ରୀଷ୍ମଋତୁର ଅନୁଭବ । ସେତେବେଳେ ମୋର ମନ କଅଣ ଚାହୁଥିଲା ବୋଲି ଆପଣ ଭାବୁଛନ୍ତି କି ? ମୋ ପୁଅକୁ ଦେଖିବା ପାଇଁ ? ସାଇନୁ ପାଖକୁ ଯିବା ଲାଗି ? ନା, ଏସବୁ କିଛି ମୋ ମନ ଚାହୁ ନ ଥିଲା । ମୋର ଏକମାତ୍ର ପ୍ରାର୍ଥନା ଥିଲା, କୋଉଠି ଟିକେ ଛାଇ ମିଳନ୍ତାକି ! ତାଆରି ତଳେ ଯାଇ ବସିଯାଆନ୍ତି । ଏତକ ହିଁ ଥିଲା ମୋର ଏକମାତ୍ର ସ୍ୱପ୍ନ । ଏଇଥିରୁ ମରୁଭୂମିରେ ଗ୍ରୀଷ୍ମଦିନର କଷ୍ଟ ଆପଣ ବୁଝିପାରୁଥିବେ । ମୁଁ ମୋ ବାଡ଼ିରେ ପୋଷାକ ଟଙ୍ଗେଇ କିଛି ଛାଇ ତିଆରି କରୁଥିଲି ଓ ତାଆରି ତଳେ ବସୁଥିଲି । ଆଗରୁ ଖାଲି ଶୁଣିଥିଲି, ପୃଥିବୀରେ ଏମିତି ଜାଗାମାନ ଅଛି ଯେଉଁଠି କାଉ ଡେଣା ମାପର ଛାଇ ସୁଦ୍ଧା ମିଳେ ନାହିଁ । ମରୁଭୂମି ହେଉଛି ସେଇ ପ୍ରକାର ଜାଗା ।

 

ଏଇ ଖରାଦିନେ ମୁଁ ଛାଇ ପାଇଁ ଗୋଟେ ଉପାୟ କଲି । ମୋ ଖଟ ଉପରେ କମ୍ବଳଟା ବିଛେଇଦେଲି ଏବଂ ତା’ ତଳେ ବସିରହିଲି । ତାହା ଫଳରେ ଗରମଟା ଟିକେ ସମ୍ଭାଳିହେବା ଅବସ୍ଥାକୁ ଆସିଲା । ମାତ୍ର ତାହା ଅଳ୍ପ ସମୟ ପାଇଁ । କାରଣ କାମରୁ ଫୁରୁସତ ମିଳିଲେ ତ ମୁଁ ଯାଇ ଖଟତଳେ ବସିବି ! ସକାଳ ପାଞ୍ଚଟାବେଳୁ କାମ ଆରମ୍ଭ ହେଉଥିଲା ଯେ ରାତି ଦଶଟା ଆଗରୁ ତାହା ସରୁ ନ ଥିଲା । ଗୋଟେ ମସାରାର ଛେଳିଙ୍କୁ ଚରେଇ ଫେରିବାବେଳକୁ ମାଲିକ ଆଉ ଗୋଟେ ମସାରାର ଛେଳିଙ୍କୁ ଖୋଲିଦେଇଥିବେ, ତା’ ଭିତରେ ମୁଁ ଖାଲି ଦି’ ମଗ୍‌ପାଣି ପିଇବାକୁ ଯାହା ସମୟ ପାଏ । ସେ ପାଣି ବି ଖରାରେ ଟକଟକ ତାତିଥାଏ । ସେତେବେଳକୁ ଛେଳିଗୁଡ଼ାକ ମରୁଭୂମିର ଇଆଡ଼େ ସିଆଡ଼େ ଚରି ବୁଲିବାକୁ ଖେଳିଯାଇଥାଆନ୍ତି । ତାଙ୍କୁ ଅଡ଼େଇ ଗୋଡ଼େଇ ଆଣିବାରେ ମୋତେ ଢେର୍‌ସମୟ ଲାଗିଯାଏ । ପାଗଳ କୁକୁର ପରି ମୁଁ ଏପଟ ସେପଟ ଧାଇଁ ସେମାନଙ୍କୁ ଏକାଠି କରେ ଓ ସଭିଙ୍କୁ ଅଡ଼େଇ ମସାରାକୁ ଆଣେ ।

 

ସମୟେ ସମୟେ ମୁଁ ଆକାଶକୁ ଅନେଇ ଆଲ୍ଲାଙ୍କୁ ପ୍ରଶ୍ନ କରେ - ମୁଁ କି ଦୋଷ କରିଥିଲି ବୋଲି ମୋତେ ତୁମେ ମରୁଭୂମିରେ ଆଜି ଏ ପଶୁଙ୍କ ସାଙ୍ଗରେ ଏମିତି ଦଉଡ଼େଇ ଦହଗଞ୍ଜ କରୁଛ-? ଆଲ୍ଲା ସେତେବେଳେ ମଧ୍ୟାହ୍ନର ସୂର୍ଯ୍ୟ ହୋଇ ଆକାଶରୁ ଅନେଇଥାଆନ୍ତି । ମୋତେ ଲାଗେ ସେ କହୁଛନ୍ତି ଯେ, ତୋର ଯେତିକି ଦିନ କଷ୍ଟ ସହିବାର ଅଛି ସେତିକି ଦିନ ସହିବୁ । ସେ ସମୟ ସରିନାହିଁ । ମୁଁ ସେଇ ମରୁଭୂମିରେ ଆଣ୍ଠୁମାଡ଼ି ବସିପଡ଼େ ଓ ପୁଣି ଆଲ୍ଲାଙ୍କୁ ପ୍ରାର୍ଥନା କରେ - ହେ ଆଲ୍ଲା, ମୋତେ ଏ ଯନ୍ତ୍ରଣାରୁ ମୁକ୍ତି ଦିଅ । ମୋଜେସ୍‌ଙ୍କ ପରି ଜଣେ ତ୍ରାଣକର୍ତ୍ତାଙ୍କୁ ମୋ ପାଇଁ ପଠାଅ । ମୋତେ ଏ ବନ୍ଧନରୁ ମୁକ୍ତ କର !

 

ମୁଁ ଜାଣେନି ମୋ ପ୍ରାର୍ଥନା ଆଲ୍ଲା ଶୁଣୁଥିଲେ କି ନାହିଁ, ମାତ୍ର ସିଏ ଯେ ମୋ ଡାକ ଶୁଣୁଥିବେ - ଏଇ ବିଶ୍ୱାସ ମୋତେ ଅନେକ ସାନ୍ତ୍ୱନା ଦେଉଥିଲା । ନାସ୍ତିକମାନେ ଭାବୁଥିବେ ଯେ ଏହି ପ୍ରକାର ପ୍ରାର୍ଥନାର କିଛି ଅର୍ଥ ନାହିଁ । ଏଗୁଡ଼ିକ ଅରଣ୍ୟ ରୋଦନ । ସେମାନେ ମୋ କଥା ପଢ଼ି ଥଟ୍ଟା କରୁଥାଇପାରନ୍ତି, ମାତ୍ର ମୋ ପାଇଁ ଏଇ ପ୍ରାର୍ଥନା ଏବଂ ବିଶ୍ୱାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ବିଶ୍ୱାସ ଯୋଗୁଁ ମୁଁ ଶାରୀରିକ ଭାବେ ଦୁର୍ବଳ ହୋଇପଡ଼ିଥିଲେ ସୁଦ୍ଧା ମାନସିକ ଦୃଷ୍ଟିକୋଣରୁ ମଜଭୁତ ଥିଲି । ତାହା ହୋଇ ନ ଥିଲେ ମୁଁ ସେଇଠି, ମରୁଭୂମିର ଝାଞ୍ଜି ପବନ ଓ ଖରାଧାସରେ ଜଳିପୋଡ଼ି ଯାଉଥିବା ଘାସ ପରି ଜଳିପୋଡ଼ି ମୁଠାଏ ପାଉଁଶ ହୋଇଯାଇଥାଆନ୍ତି ।

 

ତାତିବା ପାଇଁ ବାଲିକୁ ଯେତିକି ସମୟ ଲାଗେ, ଥଣ୍ଡା ହେବା ପାଇଁ ତାହାଠାରୁ କମ୍‌ସମୟ ଲାଗିଥାଏ । ରାତି ଆଠଟା କି ନଅଟା ବେଳକୁ ମରୁଭୂମିର ବାଲି ଥଣ୍ଡା ହେଇଯାଏ । ତାହାପରେ ସେ ବାଲିରେ ଶୋଇଯିବା ଆରାମଦାୟକ । ଲାଗେ ସତେକି ପୃଥିବୀ ଗୋଟେ ବିଶାଳ ସ୍ପ୍ରିଙ୍ଗ୍‌ଗଦିଲଗା ଖଟ ବିଛେଇ ଦେଇଛି, ଯେଉଁଠି ପାରିବ ସେଇଠି ଚିତ୍‌କାତ୍‌ହୋଇ ଶୋଇଯାଅ । ପ୍ରକୃତରେ ଶୀତଳ ବାଲିଉପରେ ଶୋଇବାକୁ ବଢ଼ିଆ ଲାଗେ । କିଛି ସମୟ ଶୋଇଗଲେ ଦିନଯାକର କ୍ଳାନ୍ତି ଦୂର ହୋଇଯାଏ । ଏହି କାରଣରୁ ମୋର ବିଶ୍ୱାସ ହୁଏ ନାହିଁ ଯେ, ମରୁଭୂମିର ଅଭ୍ୟନ୍ତର ଗରମ ହେଇଥିବ । ଏହି ବିଶାଳ ମରୁଭୂମି ତଳେ କୋଉଠି ଯେ ଆଦୌ ପାଣି ନ ଥିବ ସେ କଥା ବିଶ୍ୱାସ କରିବାକୁ ମଧ୍ୟ ମୋ ମନ ହୁଏ ନାହିଁ । ମୋର ତ ମନେହୁଏ ମୁଁ ଶୋଇଥିବା ବାଲିଶେଯ ତଳେ, ଯେତେ ଗହୀରରେ ହେଉ ନା କାହିଁକି, ନଈଟିଏ ନିଶ୍ଚୟ ନିରବରେ ବୋହି ଯାଉଥିବ । ମୁଁ ସେଇ ନଦୀପାଣି ଉପରେ, ଗୋଟିଏ ଭେଳା ଉପରେ ବସିବା ପରି ବସି ଭାସୁଛି । ଏସବୁ ସତ ହେଇଥାଉ କି ନ ହେଇଥାଉ, ମୋତେ ଏପରି ଭାବିଲାବେଳକୁ ଭଲ ଲାଗେ ।

 

ଦିନେ ସକାଳେ ମସାରା ଭିତରକୁ ପଶି ଦେଖେ ତ ଚାରିଟା କି ପାଞ୍ଚଟା ଛେଳି ମରିକି ପଡ଼ିଛନ୍ତି । ମୁଁ ଡରିଗଲି । ଗତକାଲି ତ ସେମାନେ ଆରାମରେ ଡିଆଁକୁଦା କରୁଥିଲେ । କୌଣସି ରୋଗ ବଇରାଗର ଚିହ୍ନବର୍ଣ୍ଣ ନ ଥିଲା । ତା’ ଭିତରୁ ଗୋଟାଏ ଏଇ ନିକଟରେ ଛୁଆ ଜନ୍ମ କରିଥାନ୍ତା-। କଅଣ ହେଲା ? କାହିଁକି ଏମାନେ ହଠାତ୍‌ଶୂନ୍ୟଟାରେ ମରିଗଲେ ? ୟାଙ୍କୁ ଅଚାନକ କଅଣ କିଛି ରୋଗ ବଇରାଗ ଧଇଲା କି ? ହେ ଆଲ୍ଲା, ରୋଗଟା ସଂକ୍ରାମକ ନୁହେଁ ତ ? ଯଦି ସେମିତି ହେଇଥିବ, ତାହାହେଲେ, ଘୋର ସମସ୍ୟା । ଡରିଯାଇ ମୁଁ ମାଲିକଙ୍କ ତମ୍ବୁ ଆଡ଼କୁ ଧାଇଁଲି ଓ ତାଙ୍କୁ ଯାଇ ଏସବୁ ଜଣାଇଲି । ମୁଁ ଅବଶ୍ୟ ମୋ ଭାଷା ମାଲୟାଲମରେ କହୁଥିଲି । ମାଲିକ ସେତେବେଳକୁ ମୋ ଭାଷା କିଛି କିଛି ବୁଝିଲେଣି । ତାହାଛଡ଼ା ଦରକାର ବେଳେ ମଣିଷ ଅନ୍ୟ ଜଣକର ମୁହଁ ଓ ଭାବଭଙ୍ଗୀରୁ ମଧ୍ୟ କଥାଟି ବୁଝିପାରେ । ଏକଥା ବହୁବାର ପ୍ରମାଣିତ ହୋଇଛି । ତେବେ, କହିବାବାଲାର ପ୍ରୟୋଜନ ଯଦି ଶୁଣିଲା ବାଲାର ପ୍ରୟୋଜନଠାରୁ ଅଧିକ ଥିବ ତାହାହେଲେ କଥା ବୁଝିବାରେ ସମସ୍ୟା ହେଇପାରେ ।

 

ମାଲିକ ସାଙ୍ଗେ ସାଙ୍ଗେ ବସିବା ଜାଗାରୁ ଉଠିପଡ଼ି ମୋ ସାଙ୍ଗରେ ଆସିଲେ । ମଲା ଛେଳିମାନଙ୍କୁ ଭିଡ଼ି ଭିଡ଼ି ଆଣି ଗୋଟିଏ ଜାଗାରେ ଏକାଠି କଲେ ଏବଂ ସେମାନଙ୍କୁ ନିରୀକ୍ଷଣ କଲେ । ସେମାନଙ୍କର ଆଖିପତା ଟେକି ଦେଖିଲେ । ମୁଁ ଭାବିଲି, ମାଲିକ ଏଥର ମୋତେ ଦୋଷୀ ବୋଲି ସାବ୍ୟସ୍ତ କରିବେ ଏବଂ ପିଟିବେ । ମାଡ଼ ଖାଇବାଲାଗି ମୁଁ ନିଜକୁ ପ୍ରସ୍ତୁତ କରିନେଲି । ମାତ୍ର ସେମିତି କିଛି ହେଲା ନାହିଁ । ମାଲିକ ମସାରା ଭିତରକୁ ଯାଇ ଚାରିପଟ ବୁଲି ଦେଖିଲେ । ତା’ପରେ ତାଙ୍କ ଗାଡ଼ି ଭିତରୁ ଗୋଟେ କୋଦାଳ ଆଣି ଗୋଟାଏ ଜାଗାରେ ଗାତ ଖୋଳିବା ପାଇଁ ମୋତେ କହିଲେ । ମୁଁ ଆଶ୍ଚର୍ଯ୍ୟ ହେଇଗଲି । ଗାତ ଖୋଳାସରିବା ପରେ ମାଲିକ ମଲା ଛେଳିଗୁଡ଼ାଙ୍କୁ ସେଥିରେ ପକେଇ ମୋତେ ପୋତିଦେବାକୁ କହିଲେ ! ମୁଁ ଆହୁରି ଆଶ୍ଚର୍ଯ୍ୟ ହେଲି । ମୋ ମାଲିକ ତ ଲୁଣ ଚିରୁଡ଼ାଏ ବି କାହାକୁ ମାଗଣାରେ ଦେବା ଲୋକ ନୁହେଁ, ସେ ଏତେଗୁଡ଼ାଏ ମଟନ୍‌କେମିତି ମାଟିରେ ପୋତିଦେବାକୁ କହିଲେ ! ସତରେ ମୁଁ କିଛି ବୁଝିପାରିଲି ନାହିଁ କିମ୍ବା ସିଏ ବି ମୋତେ କିଛି ବୁଝେଇଲେ ନାହିଁ । ମୁଁ ମୋ କାମକୁ ଫେରିଗଲି ।

 

ଛେଳିମାନଙ୍କୁ ଦୁହିଁ ମାଲିକଙ୍କୁ ନେଇ କ୍ଷୀର ଦେଲି । କିଛି ନିଜେ ପିଇଲି ଏବଂ ଅବଶିଷ୍ଟ ଛୋଟ ଛେଳି ଓ ମେଣ୍ଢାଛୁଆଙ୍କୁ ପିଇବାକୁ ଦେଲି । ତା’ପରେ ଛେଳିମାନଙ୍କୁ ଚରେଇବାକୁ ପଡ଼ିଆକୁ ନେଲି ଓ ଫେରିଆସି ଖୁବୁସ୍‌ଖାଇସାରି ମସାରା ଓଳେଇଲି । ମୋ କାମ ସରୁ ନ ଥାଏ । ତା’ପରେ ପାଣି, ଚୋକଡ଼ ଓ ଘାସକୁଣ୍ଡ ସବୁ ଯାଇ ଭର୍ତ୍ତି କଲି । ଛେଳି ମରନ୍ତୁ କି ବଞ୍ଚନ୍ତୁ ମୋ କାମ କମିବ ନାହିଁ । ଛେଳି ମଲେ ମାଲିକଙ୍କର କ୍ଷତି । ମୋର ସେଥିରେ କିଛି ଯାଏ ଆସେ ନାହିଁ । ତଥାପି କାହିଁକି କେଜାଣି ମରିଯାଇଥିବା ଛେଳିଗୁଡ଼ାକ ପାଇଁ ମୋ ମନଟା ଦୁଃଖ ହେଉଥାଏ । ମୁଁ ତାଙ୍କର ମରଣକୁ ଭୁଲିବା ପାଇଁ ଯେତେ ଚେଷ୍ଟା କଲେ ବି ଭୁଲିପାରୁ ନ ଥାଏ । ବିଶେଷକରି ଗର୍ଭବତୀ ଛେଳିଟିର କଥା ମୁଁ ଆଦୌ ଭୁଲିପାରୁ ନ ଥାଏ । ପ୍ରଥମଥର ଲାଗି ସେ ଛୁଆ ଜନ୍ମ କରିଥାନ୍ତା । ତା’ର ଚାହାଣି ଓ ଚାଲିରେ ମୁଁ ଅଦ୍ଭୁତ ପ୍ରକାର ଚମକ ଦେଖି ପାରିଥିଲି । ପଶୁ ହେଲେ ବି ତାହାର ବି କିଛି ସ୍ୱପ୍ନ ଥିବ । ସେ ହୁଏତ ଅନେକ ଥର ମାଆ ହେବାକୁ ଓ ଛୁଆ ଖେଳେଇବାକୁ ଚାହିଥିବ । ମାତ୍ର ଗୋଟିଏ ରାତି ଭିତରେ ସବୁ ସରିଗଲା । ଏଇ ହେଉଛି ଜୀବନ !

 

ମୁଁ ଏସବୁ ଦେଖି ମନେ ମନେ ଭାବୁଥାଏ ଛେଳି ହେଉ କି ମୁଁ ହୁଏ ଆମେ ସମସ୍ତେ ଆଲ୍ଲାଙ୍କର ସୃଷ୍ଟି । ତାଙ୍କ ଅନୁମତି ବିନା ଏ ମାଟି ଉପରେ ଗୋଟାଏ ବି ଦିନ ବେଶି କି କମ୍‌ଆମେ ବଞ୍ଚିପାରିବୁ ନାହିଁ । ତା’ଛଡ଼ା, ଏଇଠି ଆମକୁ ଯାହା ଭୋଗିବା ପାଇଁ ଅଛି, ତାକୁ ନ ଭୋଗି ଆମେ ଆଉ କୁଆଡ଼େ ଯାଇ ପାରିବୁ ନାହିଁ । ଛେଳିରେ, ତୋ ଆୟୁଷ ଯେତିକି ଦିନ ଥିଲା ତୁ ସେତିକି ଦିନ ବଞ୍ଚିଲୁ । ତୋ ଭାଗ୍ୟରେ ନାହିଁ ପିଲା ଜନ୍ମ କରିବା । କେମିତି ତୁ ତୋ ଛୁଆକୁ ନିଜ ଆଖିରେ ଦେଖିପାରିଥାଆନ୍ତୁ ! ମୁଁ ତ ସେହିପରି ଅଭାଗାଟିଏ, ଏହି ମସାରାରେ ପଡ଼ି ଶଢୁଛି । ମୁଁ ମଧ୍ୟ ମୋ ପିଲାଟାର ମୁହଁ ମୋ ଆଖିରେ ଦେଖିନାହିଁ । ଦେଖିପାରିବି କି ନାହିଁ ଜାଣେ ନାହିଁ । ଏମିତି ଅଭାଗା ଜୀବନ ମୋର !

 

ସେଦିନ ରାତିରେ, ଖୁବୁସ୍‌ଖାଇସାରି ମୁଁ ବାଲିରେ ଶୋଇପଡ଼ିଲି, ଖଣ୍ଡେ ପଥର ମୋ ତକିଆ ହେଇଥାଏ ।

 

ସେତିକିବେଳେ ମାଲିକଙ୍କ ଗାଡ଼ି ଶବ୍ଦ ଶୁଭିଲା । ସିଏ ତ ଏତେବେଳେ କୁଆଡ଼େ ଯାଆନ୍ତି ନାହିଁ । ଆଜି କଅଣ କୁଆଡ଼େ ବାହାରିଲେ କି ? ମନେ ମନେ ଭାବିଲି, ହେଉ, ଯାଆନ୍ତୁ, ସିଏ ଗଲା ପରେ ପରେ ମୁଁ ବି ଏଠୁ ଖସି ପଳେଇବି । ମୁଁ କିଛି ନ ଜାଣିଲା ପରି ଗାଲେଇ ପଡ଼ି ରହିଲି । ମାତ୍ର ମୋର ସବୁ ଇନ୍ଦ୍ରିୟ ଜାଗ୍ରତ ଥାଆନ୍ତି । ମାଲିକ ମସାରା ଚାରିପଟେ ଗାଡ଼ି ଘୂରଉଥାଆନ୍ତି । ଧୀରେ ଧୀରେ ତାଙ୍କ ଗାଡ଼ି ଗଡୁଥାଏ, ସତେ କି ସେ କିଛି ଗୋଟାଏ ଖୋଜୁଛନ୍ତି । ଚାରି ପାଞ୍ଚ ରାଉଣ୍ଡ୍‌ବୁଲିଲା ପରେ ସେ ତମ୍ବୁ ପାଖକୁ ଫେରିଆସିଲେ । ତା’ପରେ ସେ ଗାଡ଼ିରୁ ଓହ୍ଲେଇ ଭିତରକୁ ଗଲେ । ଖସି ପଳେଇବା ନେଇ ମୋର ସମସ୍ତ ଆଶା ପାଣିରେ ମିଳେଇଗଲା । ମୁଁ ନିଜ ଉପରେ ଭୀଷଣ ଭାବରେ ରାଗିଲି ଏବଂ ଅସହାୟ ଅନୁଭବ କଲି । ସେଇ ମୁହୂର୍ତ୍ତରେ ମୋର ସମସ୍ତଙ୍କୁ ଅଭିଶାପ ଦେବାକୁ ଇଚ୍ଛା ହେଉଥିଲା, ଏପରିକି ଆଲ୍ଲାଙ୍କୁ ବି ।

 

ସେଦିନ ରାତିରେ ମୋ ମାଲିକ ଆହୁରି କେତେଥର ମସାରା ଚାରିପଟେ ଚକ୍କର ଲଗେଇଲେ । କଅଣ ସେ ଖୋଜୁଥିଲେ ଓ କାହିଁକି ଗାଡ଼ିଟାକୁ ଘୂରଉଥିଲେ ମୁଁ ଜାଣିପାରୁ ନ ଥିଲି କି ତାଙ୍କୁ ପଚାରିବାକୁ ଚାହୁ ନ ଥିଲି । ରାତିଟାରେ ତ ସେ ଛେଳିମାନଙ୍କ ସହ କଥା ହେଉ ନ ଥିବେ-!

 

କିଛି ସମୟ ପରେ ମୋତେ ନିଦ ଲାଗିଗଲା । ସେତେବେଳକୁ ରାତିଅଧ ହେବ । ହଠାତ୍‌ଛେଳିମାନଙ୍କ ଧାଁଦଉଡ଼ ଶବ୍ଦରେ ମୋ ନିଦ ଭାଙ୍ଗିଗଲା । ଆଖି ଖୋଲି ଦେଖିଲାବେଳକୁ ମୋ ମାଲିକ ଲୁହା ବାଡ଼ ସେପଟରେ ଡେଉଁଛନ୍ତି । ସେ ଗୋଟାପଣେ ଡରିଯାଇଥାଆନ୍ତି । ସେଇମିତି ଥରୁ ଥରୁ ମୋତେ ଡାକୁଥାଆନ୍ତି - ହେଇ, ହେଇ । ମୁଁ ଧଡ଼ପଡ଼ ହେଇ ଉଠିପଡ଼ିଲି ଏବଂ ତାଙ୍କ ପାଖକୁ ଦଉଡ଼ିଗଲି । ସେ ମୋତେ ଗୋଟେ ବାଡ଼ି ଧରେଇ ଦେଇ ମସାରା ଭିତରକୁ ଯିବା ଲାଗି କହିଲେ । ମୁଁ କଅଣ କରିବି ବୁଝିପାରୁ ନ ଥାଏ । ମାଲିକ ତାଙ୍କ ଗାଡ଼ିର ହେଡ୍‌ଲାଇଟ୍‌ଜଳେଇ ସେ ଜାଗାଟା ଉପରେ ଆଲୁଅ ପକେଇଲେ । ମୁଁ ଭିତରକୁ ଗଲି । ଛେଳିଗୁଡ଼ିକ କାହିଁକି ଏମିତି ବ୍ୟସ୍ତ ହେଉଛନ୍ତି ତାହା ଲକ୍ଷ୍ୟ କରିବାକୁ ଚାରିଆଡ଼କୁ ଅନେଇଲି । ଶେଷରେ ମୁଁ ଏ ସମସ୍ୟାର କାରଣ ବୁଝିପାରିଲି । ଗୋଟେ ବଡ଼ ସାପ ଗୋଟେ ଛେଳିର ଗୋଡ଼ରେ ଗୁଡ଼େଇ ହୋଇ ଶୋଇଥାଏ । ମୁଁ ତାକୁ ଦେଖିଲାକ୍ଷଣି ଛାନିଆରେ ଚିତ୍କାର କରି ପଛକୁ ଫେରି ଆସିଲି ।

 

ମୋତେ ସାପକୁ ଭାରି ଡର ମାଡ଼େ । ତା’ ପାଖକୁ ତ ଯିବା ଦୂରର କଥା ସାପ ରହୁଥିବା ରାସ୍ତାଦେଇ ମୁଁ ଯାଏ ନାହିଁ । ଧଣ୍ଡସାପଟେ ଦେଖିଥିଲେ ସୁଦ୍ଧା ମୁଁ ତିନିଦିନ ପର୍ଯ୍ୟନ୍ତ ସେ ବାଟରେ ଯିବାଲୋକ ନୁହେଁ । ସାପ ଶବ୍ଦକୁ ମୋର ପ୍ରାଣରେ ଡର । ମୋ ଅବସ୍ଥା ଦେଖି ମାଲିକ ରାଗିଗଲେ ଓ ମୋତେ ମସାରା ଭିତରକୁ ଠେଲିଦେଇ ବାହାରୁ ଚାବି ପକେଇଦେଲେ । ଏବେ ମୋ ଆଗରେ ଦିଇଟା ବିକଳ୍ପ । ସାପକୁ ମାରିବି କିମ୍ବା ସାପ କାମୁଡ଼ାରେ ନିଜେ ମରିବି । ତୃତୀୟ କଥା କିଛି ନାହିଁ । ପରିସ୍ଥିତି ମୋତେ ସାହସୀ କରିଦେଲା ।

 

ମୁଁ ଧୀରେ ଧୀରେ ସାପ ଗୁଡ଼େଇ ହେଇ ରହିଥିବା ଛେଳିଟିର ପାଖକୁ ଗଲି । ଚାରିପଟେ ଛେଳିଗୁଡ଼ାକ, ଏ ଅବସ୍ଥାରେ ସାପକୁ ପିଟିବ କିପରି ? ଧୀରେ ମୁଁ ସାପଟା ଦେହରେ ବାଡ଼ିଟା ଛୁଆଁଇଲି । ସେତିକିରେ ସେ ଫଣା ଟେକି ମୋ ଆଡ଼କୁ ଅନେଇଲା । ମୁଁ ପଛକୁ ଫେରିଆସିଲି । ମାତ୍ର ଯିବି କୁଆଡ଼େ ? ମସାରା ଫାଟକରେ ତ ତାଲା । ତେଣୁ ସବୁତକ ବଳ ଲଗେଇ ମୁଁ ସାପଟାକୁ ପିଟିବାରେ ଲାଗିଲି । ମୋ ପାହାର ଭିତରୁ ଅଧିକାଂଶ ପାହାର ବିଚରା ଛେଳିମାନଙ୍କ ପିଠିରେ ବସୁଥାଏ । ସେମାନେ ଇଆଡ଼େ ସିଆଡ଼େ ଧାଉଁଥାଆନ୍ତି; ମାତ୍ର ମୁଁ ପିଟିଚାଲିଥାଏ । କିନ୍ତୁ ସାପ ଦେହରେ ମୋ ପାହାର ବାଜୁ ନ ଥାଏ । ତେବେ ବାଡ଼ି ପାହାର ଶବ୍ଦରେ ସେ ନିଶ୍ଚୟ ଡରିଯାଇଥିଲା । କାରଣ, ଏହାପରେ ସେ ନିଜେ ତା’ ରାସ୍ତାରେ ପଳେଇଗଲା-

 

ଏହାପରେ ମୋ ମାଲିକ ମୋତେ ଭୀଷଣ ଗାଳିଦେଲେ । କାରଣ ମୋ ପାହାର ଖାଇ ଗୋଟେ ଛେଳି ମରିଯାଇଥିଲା । ସେ ରାତିରେ ମୋତେ ଆଉ ନିଦ ହେଲା ନାହିଁ । ଭୀଷଣ ରାଗ ଲାଗୁଥାଏ । ତା’ ସାଙ୍ଗକୁ ଭୟ । କାରଣ ଢେର୍‌ଦିନ ହେଲାଣି, ମୁଁ ସବୁଦିନ ରାତିରେ ଖୋଲା ପଡ଼ିଆର ବାଲି ଉପରେ ଶୋଇ ଆସୁଥାଏ । ଏହାପରେ ଆଉ ନିଶ୍ଚିନ୍ତ ହେଇ ଶୋଇପାରିବି ନାହିଁ । ଚାରିପଟେ ବିଷାକ୍ତ ସାପ । ସେମାନେ ଏତେଦିନ ଯାଏ ଦୟାକରି ମୋତେ ଛାଡ଼ିଦେଇଛନ୍ତି ସିନା ! ମୁଁ ଶୁଣିଥିଲି, ମରୁଭୂମିର ସାପଗୁଡ଼ାକ ଖୁବ୍‌ବିଷାକ୍ତ । ସେମାନେ ଛୁଇଁଲା କ୍ଷଣି ତୁମେ ମଲ । ଏତେଦିନ ଯାଏ କେମିତି ତାଙ୍କ କବଳରୁ ମୁଁ ବଞ୍ଚିଛି ସେକଥା ଭାବି ମୁଁ ଆଶ୍ଚର୍ଯ୍ୟ ହେଲି । ସବୁ ଆଲ୍ଲାଙ୍କ ଦୟା । ତାଙ୍କ ନିର୍ଦ୍ଦେଶରେ ସମସ୍ତେ ଆତଯାତ ହୁଅନ୍ତି । ତାଙ୍କ ବିନା ଅନୁମତିରେ ସାପ କେମିତି ବା ମୋତେ କାମୁଡ଼ିଥାଆନ୍ତା !

 

ପରଦିନ ସକାଳେ ମସାରାର ଆଉ ତିନିଟା ଛେଳି ମରିଥିବା ଦେଖାଗଲା । ତାଙ୍କ ଭିତରେ ଗୋଟିଏ ଥିଲା ମୋର ଅତି ଆଦରର ନବିଲ୍‌ ।

 

ଚବିଶ

 

ମୋତେ ଯଦି କେହି ପଚାରେ ଯେ ମରୁଭୂମିରେ ମୁଁ ଦେଖିଥିବା ସବୁ ଦୃଶ୍ୟ ଭିତରୁ ସୁନ୍ଦରତମ ଦୃଶ୍ୟଟି କଅଣ, ତାହାହେଲେ ମୁଁ ଉତ୍ତର ଦେବି - ସୂର୍ଯ୍ୟାସ୍ତ । ଏହି ସମୟରେ ସୂର୍ଯ୍ୟ ସତେ କି ନାଲି କଇଁଛଟିଏ ପରି ଧୀରେ ଧୀରେ ବାଲି ତଳକୁ ଗଡ଼ିପଡ଼େ । ତା’ପରେ ସମ୍ପୂର୍ଣ୍ଣ ବୁଡ଼ିଯାଏ ସୂର୍ଯ୍ୟ । ମୁଁ କେତେ ସହସ୍ର ଥର ଭାବିଥିବି ସୂର୍ଯ୍ୟାସ୍ତର ଏହି ଚମତ୍କାର ଦୃଶ୍ୟ ଦେଖିବା ପାଇଁ ସାଇନୁ ମୋ ପାଖେ ଥାଆନ୍ତା କି ! ଯଦିଓ ମୁଁ ସବୁବେଳେ ମୋ ଘର, ଗାଁଗଣ୍ଡା, ସାଇନୁ ଓ ମୋ ପିଲାପିଲିଙ୍କ କଥା ମନଠୁଁ ଦୂରରେ ରଖିବାଲାଗି ଚେଷ୍ଟା କରୁଥିଲି ତଥାପି ସେସବୁ ବାରମ୍ବାର ମୋ ଭିତରକୁ ଧସେଇ ପଶି ଆସୁଥିଲେ । ତା’ପରେ ଆଉ ମୋ ମନ ଥୟ ଧରୁ ନ ଥିଲା । ଛାଟିପିଟି ହେଲା ପରି ଲାଗୁଥିଲା ନିଜକୁ । ଭଲ ଦୃଶ୍ୟଟିଏ ଦେଖିବାବେଳେ ତାକୁ ଦେଖାଇବା ପାଇଁ ପାଖରେ କୌଣସି ପ୍ରିୟ ଲୋକ ନ ଥିଲେ ମନଟା ଭାଙ୍ଗିପଡ଼େ, ସେଥିପାଇଁ ମୁଁ ସୂର୍ଯ୍ୟାସ୍ତ ପାଖରୁ ମୁହଁ ବୁଲାଇ ଅନ୍ୟଆଡ଼କୁ ଚାହୁଁଥିଲି ଓ ମୋ ଖଟ ଉପରେ କଡ଼ମାଡ଼ି ଶୋଇପଡ଼ୁଥିଲି । ସତେ କି ମୁଁ ଗୋଟେ ମଣିଷ ନୁହେଁ, ଗୋଟେ ଲାୱାରିସ୍‌ଶବ ।

 

ସେଦିନ ରାତିରେ ଶୋଇବାକୁ ଯିବାବେଳକୁ ଆକାଶରେ ତାରା ଭର୍ତ୍ତି ହେଇଥିଲେ; ମାତ୍ର ଉଠିଲାବେଳକୁ ଚାରିଆଡ଼ ଧୂଳିମୟ । ତେବେ ପବନର ଚିହ୍ନବର୍ଣ୍ଣ କୋଉଠି ନ ଥାଏ । କୋଉଆଡ଼ୁ କେଜାଣି ଧୂଳି ଆସି ଚାରିପଟ ଘୋଡ଼େଇ ଦେଇଥାଏ ମୁଁ ଆଦୌ ଜାଣିପାରୁ ନ ଥାଏ । ମୁଁ ଛେଳିଗୁଡ଼ାକ ଆଡ଼କୁ ଚାହିଁଲି । ସେମାନଙ୍କ ପେଟ ପିଠି ମୁହଁ ସବୁ ଧୂଳିମୟ । ମସାରାରେ ଥିବା ବାଲ୍‌ଟି, ଲୁହାବାଡ଼, ଓଟ, ମାଲିକଙ୍କ ତମ୍ବୁ, ଗାଡ଼ି, ମୋ ଖଟ, ନଡ଼ାବିଡ଼ା ସବୁ ଧୂଳିରେ ବୁଡ଼ିଯାଇଥାଏ । ସିନେମାରେ ଆମେ ବରଫାଚ୍ଛନ୍ନ ଅଞ୍ଚଳର ଛବି ଦେଖିଲେ ସେସବୁ ଯେମିତି ବରଫମୟ ଦିଶେ ଏଠି ସେଇ ଅବସ୍ଥା, ସର୍ବତ୍ର ଧୂଳିମୟ ।

 

ମୁଁ ମୋ ମୁଣ୍ଡ ଝାଡ଼ିଦେଲି । ସେଥିରୁ ଗୋଟେ ଇଟାଭାଟିର ବାଲି ଖସିପଡ଼ିଲା । ତା’ପରେ ଯେତେବେଳେ ମୋ ମୁଣ୍ଡକୁ ଅଙ୍ଗୁଳି ସାହାଯ୍ୟରେ କୁଣ୍ଡେଇବାକୁ ଚେଷ୍ଟା କଲି ସେତେବେଳେ ଅଙ୍ଗୁଳି ଆଉ ନ ପଶେ । ଏମିତିରେ ମୋ ମୁଣ୍ଡବାଳ ଲମ୍ବାହେଇ କାନ୍ଧ ଯାଏ ଓହଳିଥିଲା । ତା’ ଭିତରେ ପୁଣି ବାଲି । ମୋ ଦାଢ଼ି ଢେର୍‌ଲମ୍ବିଯାଇଥାଏ । ମେଣ୍ଢାମାନଙ୍କ ଲୋମକଟା ପାଇଁ ଥିବା ବଡ଼ କଇଁଚିଟି ନେଇ ସେଥିରେ ମୁଁ ମୋ ଦାଢ଼ି ଓ ବାଳ କାଟି ପକେଇଲି । ବାଳଗୁଡ଼ାକ ବଢ଼ି କୁଣ୍ଡାଇ ହେଉଥାଏ । ମୋ କାଖ ଓ ଜଙ୍ଘ ସନ୍ଧିର ମଧ୍ୟ ସେଇ ଅବସ୍ଥା । ଗାଧୁଆପାଧୁଆ ନାହିଁ କି ଧୁଆପୋଛା ନାହିଁ । ମଇଳାଗୁଡ଼ାକ ପରସ୍ତ ପରସ୍ତ ହେଇ ଅବସ୍ଥା ସାଂଘାତିକ । ତା’ ଭିତରେ ଉକୁଣି ଆଉ କେଉଁ ପୋକ ସାଲୁବାଲୁ ହେଉଥାଆନ୍ତି ତାହା ସେହିମାନଙ୍କୁ ଜଣା । ଛେଳିଙ୍କ ଦେହରୁ ପୋକ ଆସି ମୋ ଦେହରେ ପଶିଯାଆନ୍ତି । ରାତିରେ ଝାଳ ବୋହିବାବେଳେ ଏଇ କୁଣ୍ଡାଇହେବାଟା ତୀବ୍ର ହେଇଯାଏ । ମୁଁ ଜାଣିପାରୁଥାଏ ଯେ ମୋ ଦେହଟା ନାନାପ୍ରକାର ପୋକଙ୍କ ଚରାଭୂଇଁ ପାଲଟି ସାରିଛି । ଚମସାରା ମଧ୍ୟ ଚମଉକୁଣି ଭର୍ତ୍ତି । ସେ ତୁଳନାରେ ଛେଳିଗୁଡ଼ାକ ହେଲେ ମୋଠାରୁ ସଫାସୁତୁରା ଦିଶୁଥିଲେ ।

 

ପଚିଶ

 

ପୁଚକ୍କାରି ରମଣୀ ସମ୍ପର୍କରେ କିଛି କହିବାଲାଗି ମୁଁ ଆପଣଙ୍କୁ ପୂର୍ବରୁ ସୂଚନା ଦେଇଥିଲି ନା ? ଏବେ ତା’ କଥା କହେ । ପୁଚକ୍କାରି ରମଣୀ ଛଡ଼ା ମୁଁ ଛେଳିମାନଙ୍କୁ ଆହୁରି କେତେଗୁଡ଼ିଏ ନାଁ ମଧ୍ୟ ଦେଇଥିଲି । ତାହାଦ୍ୱାରା ମୋତେ ସେମାନଙ୍କୁ ଚିହ୍ନିବା ସହଜ ହେଉଥିଲା । ସେହି ନାଆଁରେ ମୁଁ ତାଙ୍କୁ ଗାଳିଦେଉଥିଲି, ପୁଣି ଗେଲ କରୁଥିଲି । ଏ ପ୍ରକାର ନାମକରଣର ପୃଷ୍ଠଭୂମିଟି ମୁଁ କହେ, ନ ହେଲେ ଆପଣ ବୁଝିପାରିବେ ନାହିଁ । ମୋ ଗାଁର କିଛି ପରିଚିତ ଚରିତ୍ର ହେଲେ ଆରବୁ ରବୁଥର, ମାରିୟାମୁନା, ଇନ୍ଦିପୋକର, ନନ୍ଦୁ ରାଘବନ୍‌, ପରିପ୍ପୁ ବିଜୟନ୍‌, ଚାକି, ଆମିନି, କଉସୁ, ରୌଫତ୍‌, ପିଙ୍କି, ଆମ୍ମୁ, ରେଜିୟା ଏବଂ ତାହିରା । ସେମାନଙ୍କ ସାଙ୍ଗକୁ ମୋ ଅଞ୍ଚଳର ରାଜନେତାମାନେ ହେଲେ ଜଗତି, ମୋହନଲାଲ ଏବଂ ନିଜେ ଇଏମ୍‌ଏସ୍‌(ଇ.ଏମ୍‌.ଏସ୍‌. ନମ୍ବୁଦ୍ରିପଦ) । ମୁଁ ଏଠିକାର ଛେଳିମାନଙ୍କୁ ଏହି ନାଁ ସବୁ ଦେଇଥିଲି । ତା’ ଅର୍ଥ, ଉପରେ ଯେଉଁମାନଙ୍କ ନାଁ କହିଲି ସେମାନେ ସମସ୍ତେ ମୋ ମସାରାରେ ଏଠି ଥିଲେ । ସେମାନେ ପ୍ରତ୍ୟେକେ ଭିନ୍ନ ଭିନ୍ନ କାରଣରୁ ମୋ ପାଇଁ ଅତି ପରିଚିତ । ଆପଣ କେବେ ଗୋଟେ ଛେଳିର ମୁହଁକୁ ଭଲ ଭାବେ ନିରୀକ୍ଷଣ କରିଛନ୍ତି ? ମଣିଷର ମୁହଁ ସାଙ୍ଗେ ତାହାର ଅନେକ ସାମ୍ୟ ଅଛି । ମୁଁ ଯେ ଛେଳିଗୁଡ଼ିକର ଚେହେରା ବା ମୁହଁ ଦେଖି ତାଙ୍କୁ ସେମିତି ନାଁ ଦେଇଥିଲି ତା’ ନୁହେଁ, ମୋ ଅଞ୍ଚଳର ଏହି ଲୋକମାନଙ୍କ ଚରିତ୍ର, ଚାଲିଚଳଣ, ସ୍ୱଭାବ ଓ ଚେହେରା ସହ ସେଗୁଡ଼ିକର ସାମଞ୍ଜସ୍ୟ ଦେଖି ମୁଁ ସେମିତି ନାଁ ଦେଇଥିଲି-। ଆମ ଗାଁରେ ଯେମିତି ପିଲାମାନଙ୍କ ଡାକନାମ ସବୁ ତାଙ୍କ ଚେହେରା, ରଙ୍ଗ ଓ ଢଙ୍ଗରଙ୍ଗ ଦେଖି ଦିଆଯାଏ, ମୋର ଏହି ବ୍ୟବସ୍ଥା ମୋଟାମୋଟି ସେହି ରକମର ଥିଲା ।

 

ମୁଁ ଆଗରୁ ମୋତେ ତା’ ମୁଣ୍ଡରେ ମୁଣ୍ଡିଆ ମାରି ଲହୁଲୁହାଣ କରିଦେଇଥିବା ସେଇ ନିର୍ଦ୍ଦୟ ବୋଦାଟା କଥା କହିଛି । ମୁଁ ତା’ ନାଁ ଦେଇଥିଲି ଆରବୁ ରବୁଥର । କାରଣ, ରବୁଥର ଥିଲା ଆମ ଅଞ୍ଚଳର ସବୁଠୁ ଦୁର୍ଦ୍ଦାନ୍ତ ଲୋକ । ଦିନେ ମୋ ବାପା ନଈଉପର ସରୁପୋଲ ଦେଇ ଆସୁଥିଲେ । ପୋଲଟା ଏତେ ଅଣଓସାରିଆ ଥିଲା ଯେ ଏକାସାଙ୍ଗରେ ଜଣେ ଲୋକ ହିଁ ତା’ ଉପର ଦେଇ ଆସିପାରିବ । ରବୁଥର ଦେଖିନି, ମୋ ବାପା ଏପଟରୁ ଯାଉଛନ୍ତି, ସେ ସିଆଡ଼ୁ ମାଡ଼ିଆସିଲା । ବାପା ସେତେବେଳକୁ ପୋଲର ଅଧାଅଧି ଅତିକ୍ରମ କରି ସାରିଥାଆନ୍ତି । ରବୁଥର ମୋ ବାପାଙ୍କୁ କହିଲା, ‘ତୁମେ ପଛକୁ ହଟ । ମୁଁ ଯିବି ।’ ବାପା କିନ୍ତୁ ଅଧାରୁ ଅଧିକ ବାଟ ପଛକୁ ଫେରିବାକୁ ଚାହୁ ନ ଥିଲେ । ରବୁଥର ଆଉ ଥରେ ବଡ଼ପାଟିରେ ଧମକ ଦେଲା ଏବଂ ଯେତେବେଳେ ଦେଖିଲା ଯେ ବାପା ପଛକୁ ଫେରୁନାହାନ୍ତି ସେ ଆସି ତାଙ୍କ ଛାତିରେ ଧକ୍କାଟେ ମାରି ତାଙ୍କୁ ତଳକୁ ଠେଲିଦେଲା ଓ ନିଜ ବାଟରେ ଚାଲିଗଲା । ମୋ ବାପା ବାରଫୁଟ୍‌ତଳକୁ ଖସିପଡ଼ିଲେ । ତଳେ ଥିବା ଗ୍ରାନାଇଟ୍‌ପଥରରେ ବାଜି ତାଙ୍କ କହୁଣି ଜଖମ ହେଇଗଲା । ଆମେମାନେ ଯଦିଓ ସାଙ୍ଗେ ସାଙ୍ଗେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ନେଇଗଲୁ, ତଥାପି ତାଙ୍କ ହାତ ସବୁଦିନ ଲାଗି ବଙ୍କା ରହିଗଲା ଓ କହୁଣିର ଦରଜ ସମ୍ପୂର୍ଣ୍ଣ ଦୂର ହେଲା ନାହିଁ । ଏହି ଘଟଣା ପରେ ଗାଁଲୋକେ ସମସ୍ତେ ମୋ ବାପାଙ୍କୁ କେମ୍ପାହାତିଆ ଅବଦୁଲ୍‌ବୋଲି ଡାକିଲେ । ସେଥିପାଇଁ ଏଠି ମୋ ହାତ ଜଖମ କରିଥିବା ବୋଦାଟି ପାଇଁ ମୋତେ ନାଁ ଖୋଜିବାକୁ କଷ୍ଟ ହେଲା ନାହିଁ, ମୁଁ ତା’ ନାଁ ଆରବୁ ରବୁଥର ଦେଇଦେଲି । ପ୍ରକୃତ ରବୁଥର ମୋ ବାପାଙ୍କୁ ଯେମିତି ଆଘାତ ଦେଇ ତାଙ୍କ ହାତ ଭାଙ୍ଗିଥିଲା, ଇଏ ବି ମୋତେ ସେଇମିତି ଆଘାତ ଦେଇ ମୋ ହାତ ଭାଙ୍ଗିଥିଲା ।

 

ଏଇମିତି, ଅନେକଗୁଡ଼ିଏ ବ୍ୟକ୍ତିଗତ ଅଭିଜ୍ଞତା ଓ ଅନୁଭୂତିରୁ ମୁଁ ନାଁ ଗୁଡ଼ିକ ବାଛିଥିଲି ଓ ଛେଳିମାନଙ୍କୁ ସେଇ ନାଁ ଦେଇ ଡାକୁଥିଲି । ଅନ୍ୟମାନେ ହୁଏତ ଏଇ ନାଁଗୁଡ଼ିକ ପଛରେ ଥିବା ଯୁକ୍ତିକୁ ବୁଝି ପାରିବେ ନାହିଁ, ମାତ୍ର ମୁଁ ସାଙ୍ଗେ ସାଙ୍ଗେ ସେମାନଙ୍କୁ ମୋ ଅଭିଜ୍ଞତା ସହ ଯୋଡ଼ିପାରୁଥିଲି ।

 

ମେରୀମାଇମୁନା ନାଁ ପଛରେ ବି ଗୋଟେ କାହାଣୀ ଅଛି । ମେରୀ ଥିଲା ମୋ ଜୀବନର ପ୍ରଥମ ପ୍ରେମିକା । ମୁଁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବାବେଳେ ମୋର ଏଇ ପ୍ରେମ କାହାଣୀର ଅଙ୍କୁରୋଦ୍‌ଗମ୍‌ହେଇଥିଲା । ଆମ ସ୍କୁଲ୍‌ରେ ପଢ଼ୁଥିବା ସବୁ ଝିଅଙ୍କ ଭିତରେ ସେ ଥିଲା ବୁଦ୍ଧିମତୀ ଓ ସୁନ୍ଦରୀ । ସେ ମଧ୍ୟ ଚମତ୍କାର ଗୀତ ଗାଉଥିଲା । ତାକୁ ନେଇ ମୋ ସ୍ୱପ୍ନର ଶେଷ ନ ଥିଲା । ଏକଥା କେମିତି କେଜାଣି ମୋ ମାଆ ଜାଣିପାରିଲା । ମୋର ସନ୍ଦେହ ଏକଥା ତାକୁ ମୋର ଚାଲାକ ବଡ଼ଭାଇ ଆବ୍‌ବୁ ହିଁ କହିଥିବ । ସିଏ ଥରେ କଳକଉଶଳ କରି ମୋ ପାଖରୁ ସବୁକଥା ଆଦାୟ କରିନେଇଥିଲା । ତେବେ ମୋ ମାଆ ଏକଥା ଶୁଣି ପ୍ରଥମେ ହସରେ ଉଡ଼େଇ ଦେଇଥିଲା-

 

ତା’ ନାଆଁରୁ ତ ଜଣାପଡ଼ୁଛି ସେ ଖ୍ରୀଷ୍ଟିଆନ ହେଇଥିବ ! - ଏକଥା କହିଲାବେଳେ ମାଆର ବିଦ୍ୱେଷ ତା’ ହସର ଘୋଡ଼ଣି ଭିତରୁ ବାରିହେଇ ପଡ଼ିଥିଲା ।

 

ମୁଁ କହିଥିଲି, ‘ନା ମାଆ, ସେ ଆମ ଧର୍ମର ।’ –ଏକଥା କହିଲାବେଳେ ମୁଁ ଖୁବ୍‌ଉତ୍ସାହିତ ହୋଇ ପଡ଼ିଥିଲି ।

 

ଆମ ଧର୍ମରେ ପୁଣି ମେରୀ ? –ମାଆ ଆହୁରି ଜୋର୍‌ରେ ହସିଥିଲା ।

 

ସେତିକିବେଳେ ମୁଁ ଧର୍ମକୁ ନେଇ ପ୍ରଥମଥର ପାଇଁ ଗମ୍ଭୀର ଚିନ୍ତା କରିବାକୁ ବସିଥିଲି । ଆମ ଧର୍ମର ଝିଅ ନାଁ କଅଣ ମେରୀ ହେଇପାରିବ ନାହିଁ ? ହେଇଥିବ, ମେରୀ ତାହାହେଲେ ଖ୍ରୀଷ୍ଟିଆନ । ତେଣୁ ମୁଁ ଯୋଡ଼ିଥିଲି, ‘ତା ନାଆଁ ପ୍ରକୃତରେ ମେରୀ ନୁହେଁ ମାଆ, ମେରିମାଇମୁନା ।’ ଏ ନାଆଁଟି ସେଇକ୍ଷଣି ମୁଁ ଆବିଷ୍କାର କରିଥିଲି ।

 

–ଠିକ୍‌ଅଛି । ମୁଁ ତୋ ସ୍କୁଲ୍‌କୁ ଯିବି । ସେ ଝିଅକୁ ଦେଖିଲା ପରେ ମୋ ମତାମତ ଜଣାଇବି । - ମାଆ ସେଇପରି ହସି ହସି ତା’ ରାୟ ଶୁଣାଇ ଦେଇଥିଲା ।

 

ତେବେ ମୋ ମାଆ ମେରୀମାଇମୁନାକୁ ଦେଖିବାଲାଗି ଆଉ ସ୍କୁଲ୍‌କୁ ଗଲା ନାହିଁ । ସେ କଥା ଘଟିବା ଆଗରୁ ମୋ ସ୍କୁଲ୍‌ଯିବା ବନ୍ଦ ହେଇଗଲା । କାରଣ ସେଇବର୍ଷ ମୋ ବାପା ମରିଗଲେ-

 

ମେରୀମାଇମୁନା ନାଆଁଟିକୁ ମୁଁ ସମ୍ପୂର୍ଣ୍ଣ ଭୁଲିଯାଇଥିଲି । ମାତ୍ର ମସାରାର ସେଇ ସୁନ୍ଦରୀ ଛେଳିଟାକୁ ଦେଖିବାକ୍ଷଣି ଏ ନାଆଁଟା ମୋ ମନ ଭିତରକୁ ପଶିଆସିଲା । ଛେଳିଟା ଚାଲିଲାବେଳେ ବେଶ୍‌ଅଳସ ଭଙ୍ଗୀରେ ଚାଲେ । ମୋର ମନେହେଲା ମେରୀମାଇମୁନା ପରି ଏ ଛେଳିଟି ବେଶ୍‌ସୁନ୍ଦରୀ ।

 

ଆପଣ ହୁଏତ ବିଶ୍ୱାସ କରିବେ ନାହିଁ ଯେ ଆମ ମସାରାରେ ଏମିତି ଛେଳି ଥିଲେ ଯିଏ ଜଗତି ପରି ହସୁଥିଲେ, ମୋହନଲାଲ ପରି ଚାଲୁଥିଲେ ଏବଂ ଇଏମ୍‌ଏସ୍‌ଙ୍କ ପରି ଖନେଇ ଖନେଇ କଥା କହୁଥିଲେ । ଅବଶ୍ୟ ଅଳ୍ପ କିଛି ଛେଳି ଏ ମସାରାର ସ୍ଥାୟୀ ସଭ୍ୟ ଥିଲେ । ତାଙ୍କ ଭିତରେ ଥିଲେ କିଛି ମାଈଛେଳି, ଯେଉଁମାନେ ନିୟମିତ ଭାବେ ଛୁଆ ଜନ୍ମ କରୁଥିଲେ ଏବଂ କ୍ଷୀର ଦେଉଥିଲେ । ସେମାନଙ୍କ ଛଡ଼ା ଆଉ କିଛି ଶକ୍ତିଶାଳୀ ବୋଦା ରହୁଥିଲେ । ଅନ୍ୟ ଛେଳିଗୁଡ଼ାଙ୍କୁ ନିୟମିତ ବ୍ୟବଧାନରେ ବଜାରକୁ ପଠାଇଦିଆଯାଉଥିଲା । ତେବେ ଗୋଟେ ଛେଳି ପଳେଇଗଲେ, ମୁଁ ଅନ୍ୟ ଛେଳିକୁ ସେ ନାଆଁଟି ଦେଇଦେଉଥିଲି । ଛେଳିଟି ବିଦାୟ ନେଉଥିଲା ସତ, ମାତ୍ର ନାଆଁଟା ବିଦାୟ ନେଉ ନ ଥିଲା । କାରଣ କିଛିଦିନ ପରେ ତାଆରି ଗୁଣଗ୍ରାମର ଆଉଗୋଟେ ଛେଳି ବଡ଼ ହେଇଯାଉଥିଲା । ସୁତରାଂ ମୁଁ ଜଗତି, ମୋହନଲାଲ, ନନ୍ଦୁ ରାଘବନ୍‌, କଉସା, ଆମିନ ଇତ୍ୟାଦି ନାଆଁଗୁଡ଼ିକୁ ଭିନ୍ନ ଭିନ୍ନ ଛେଳିଙ୍କୁ ଭିନ୍ନ ଭିନ୍ନ ସମୟରେ ଦେଉଥିଲି । ମୋର ମନେହୁଏ, ମଣିଷ ହୁଅନ୍ତୁ କି ଛେଳି, ଏମିତି ପୁନର୍ଜନ୍ମ ପ୍ରକ୍ରିୟା ଚାଲିଥାଏ । ଗୋଟେ ମରୁଥାଏ ତ ତା’ ଜାଗାରେ ଆଉଗୋଟେ ଆସୁଥାଏ । ସେହି ନାଆଁ ପୁରୁଣା ଲୋକର ଥିଲା, ପୁଣି ଭବିଷ୍ୟତରେ ନୂଆ ଲୋକର ମଧ୍ୟ ସେଇ ନାଆଁ ହେଇପାରେ ।

 

ପ୍ରଥମେ ମୋତେ ଯେଉଁ ଛେଳି ଦୁହିଁବାକୁ କୁହାଯାଇଥିଲା ମୁଁ ତାକୁ ପୁଚକ୍କାରି ରମଣୀ ନାଆଁରେ ଡାକୁଥିଲି । ସେଇ ଛେଳିର ପହ୍ନାକୁ ମୁଁ ପ୍ରଥମଥର ଲାଗି ଛୁଇଁଥିଲି । ମୁଁ ପିଲା ଥିଲାବେଳେ ଗୋଟେ ଘଟଣା ଘଟିଥିଲା, ଯାହାର ଏଇ ଘଟଣା ସହ ସାମଞ୍ଜସ୍ୟ ରହିଛି । ମୋର ଜଣେ ମାମୁ, ପୋକ୍କର ମାମୁ, ବରାବର ଆମ ଘରକୁ ଯିବାଆସିବା କରୁଥିଲେ । ଯେତେବେଳେ ବି ସେ ଆସି ପହଞ୍ଚୁଥିଲେ, ମୋତେ ସାଙ୍ଗରେ ଧରି ବାହାରକୁ ବୁଲେଇ ନେଉଥିଲେ । ତେବେ ବୁଲେଇ ନେବା ଆଗରୁ ମୋ ମାଆକୁ କହୁଥିଲେ, ‘ମୋତେ ଚାରଣା ପଇସା ଦେଲୁ, ଭଣଜାକୁ କିଛି ମିଠେଇ କି ଚକ୍‌ଲେଟ୍‌କିଣିଦେବି ।’ ମାଆ ତାକୁ ଚାରଣା ଅବଶ୍ୟ ଦେଉଥିଲା, ମାତ୍ର ମୁଁ କେବେ ମିଠେଇ କି ଚକ୍‌ଲେଟ୍‌ପାଉ ନ ଥିଲି । କେବଳ ସେତିକି ନୁହେଁ, ପୋକ୍କର ମାମୁ ମୋତେ କୌଣସି ଦୋକାନ ବଜାରକୁ ଆଦୌ ନେଉ ନ ଥିଲେ । ସେ ମୋତେ ପାଖରେ ଥିବା ଗୋଟେ ବିଲକୁ ନେଉଥିଲେ ଓ ସେଇଠି ମୋତେ ବସେଇଦେଇ ଘାସ କାଟିବାକୁ ଆସୁଥିବା ସ୍ତ୍ରୀ ଲୋକମାନଙ୍କୁ ଅପେକ୍ଷା କରି ରହୁଥିଲେ । ତାଙ୍କ ଭିତରେ ରମଣୀ ଥିଲା । ମୋ ମାଆଠାରୁ ସେ ଯୋଉ ପଇସା ନେଉଥିଲେ ତାକୁ ଏଇ ରମଣୀକୁ ଦେଉଥିଲେ ଓ ତା’ ବଦଳରେ ସେ ରମଣୀର ଉଚ୍ଚା ଛାତି ସାଙ୍ଗରେ କିଛି ସମୟ ଖେଳ ଖେଳୁଥିଲେ ।

 

ଏସବୁ ଦେଖି ମୋର ମଧ୍ୟ ରମଣୀର ଛାତିକୁ ଛୁଇଁବାର ଇଚ୍ଛା ହେଇଥିଲା । ରମଣୀ କହୁଥିଲା, ‘ତୁ ଯଦି ଚାରଣା ପଇସା ଆଣିକି ଦେବୁ, ତାହାହେଲେ ତୁ ବି ମୋର ଏଇ ଦୁଇ ସ୍ତନକୁ ଛୁଇଁପାରିବୁ ।’ ମୁଁ କହିଥିଲି, ମୋ ପାଖେ ପଇସା ନାହିଁ । ଏକଥା ଶୁଣି ରମଣୀ ମୋ ମୁଣ୍ଡରେ ଥୋପିଟିଏ ଦେଇଥିଲା ଓ ମୋତେ ଠେଲିଦେଇ ପଳେଇଥିଲା । ଘରେ ମୋତେ ପଇସା ମାଗିବାକୁ ଡର ମାଡୁଥିଲା । କାରଣ ପଇସା ମାଗିବା ଅର୍ଥ ମାଡ଼ ମୁଲେଇବା । ତଥାପି, ରମଣୀର ଉଚ୍ଚା ଛାତି ସାଙ୍ଗରେ ଖେଳିବାର ଆଗ୍ରହ ଅଦମ୍ୟ ହୋଇଉଠିଥିଲା । ଥରେ ମୁଁ ମାଆର ବାକ୍ସରୁ ଚାରଣା ଚୋରେଇ ନେଇ ରମଣୀକୁ ଦେଇଥିଲି । ରମଣୀ ମୋତେ ତାହାର ଛାତି ଛୁଇଁବାକୁ ଦେଇଥିଲା । ଏମିତି ଭାବରେ ମୁଁ ସେଇ ଆନନ୍ଦଦାୟକ ଅଭିଜ୍ଞତା ଅର୍ଜନ କରିଥିଲି । ତେବେ ମୋର ଏ ଚୋରି ମାଆ ଆଖିରେ ଧରାପଡ଼ିଯାଇଥିଲା । ସେ ମୋତେ ଗୁଡ଼େଇ ତୁଡ଼େଇ ପଚାରିବାରୁ ମୁଁ ସତକଥା ମାନିଯାଇଥିଲି । ଏହାପରେ ଆମ ଘରକୁ ପୋକ୍କର ମାମୁର ଯା-ଆସ ବନ୍ଦ ହୋଇଗଲା । ତାଙ୍କୁ ସମସ୍ତେ ଥଟ୍ଟା କରି ‘ଥନମାମୁ’ ବୋଲି ଚିଡ଼େଇଥିଲେ । ତେବେ ପୁଚକ୍କାରି ରମଣୀର କାରବାର ବନ୍ଦ ହେଇ ନ ଥିଲା । ପରବର୍ତ୍ତୀ ସମୟରେ ସେ ଆମ ଅଞ୍ଚଳର ବେଶ୍‌ ଜଣାଶୁଣା ରୂପଜୀବୀର ଖ୍ୟାତି ଅର୍ଜନ କରିଥିଲା ।

 

ଛବିଶ

 

ମନକଥା ଶୁଣିବାଲାଗି ପାଖରେ କେହି ଜଣେ ଥିଲେ, ସବୁଠୁ ବଡ଼ କଠିନ ପରିସ୍ଥିତି ମଧ୍ୟ ପାର କରିହୁଏ; ମାତ୍ର ଏକୁଟିଆ ଥିଲେ ମଣିଷର ସେହି ଦୁଃଖ ଅଧିକ ଓଜନିଆ ହୋଇ ତା’ ଉପରେ ମାଡ଼ିପଡ଼େ । ମୋ ଭିତରେ ଅନେକ କଥା ବାହାରକୁ ବାହାରି ଆସିବାଲାଗି ଖପ୍‌ଖପ୍‌ ହେଉଥିଲେ; ମାତ୍ର ମୁଁ ସେବୁ କହନ୍ତି କାହାକୁ ? ମନ ସେତେବେଳେ ବଡ଼ ବିକଳ ହେଇ ଆଉ ଜଣକୁ ଖୋଜୁଥିଲା । କାହାର ଯୋଡ଼ିଏ ଆଖି ଓ ଯୋଡ଼ିଏ କାନ ମୋ ପାଖରେ ଥାଆନ୍ତା, ଯିଏ ମୋ କଥା ଶୁଣନ୍ତା, ମୋ ମୁହଁକୁ ଦେଖନ୍ତା । ମାତ୍ର ସେତକ ସମ୍ଭବ ହେଉ ନ ଥିଲା । ସେଥିପାଇଁ ମୁଁ ବ୍ୟତିବ୍ୟସ୍ତ ହୋଇପଡ଼ୁଥିଲି । ମନେହେଉଥିଲା ସାଥୀ ଜଣେ ନ ପାଇଲେ ମୋର ବଞ୍ଚିବା ଅସମ୍ଭବ ହେଇପଡ଼ିବ । ହୁଏତ ମୁଁ ପାଗଳ ହେଇଯିବି କିମ୍ବା ଆତ୍ମହତ୍ୟା କରିବସିବି । ମୋ ନିଜ ଅଭିଜ୍ଞତାରୁ ମୁଁ ବେଶ୍‌ ବୁଝିପାରୁଥିଲି, କାହିଁକି ନିଃସଙ୍ଗତା ମଣିଷକୁ ପାଗଳ କରିଦିଏ ।

 

ମନର କଥା ଖୋଲି କହିଦେଲେ ଛାତିଟା ହାଲୁକା ଲାଗେ । ମନକୁ ଶାନ୍ତି ମିଳେ । ଯେଉଁମାନେ ଏଭଳି ସୁଯୋଗ ପାଆନ୍ତି ନାହିଁ ସେମାନେ ଭିତରେ ଭିତରେ ଖୁବ୍‌କଷ୍ଟ ପାଆନ୍ତି । ତାଙ୍କର ଛାତି ରୁନ୍ଧି ହେଇଯାଏ । ମୁଁ ବି ହୁଏତ ସେମିତି କଷ୍ଟ ପାଇ ମରିଯାଇଥାଆନ୍ତି । ମାତ୍ର ମୁଁ ମୋର ପୁଚକ୍କାରି ରମଣୀ, ମେରିମାଇମୁନା, ମୋ କଉସୁ ଏବଂ ମୋ ଆରବୁ ରବୁଥରଙ୍କୁ ପାଖରେ ବସେଇ ମୋ ଦୁଃଖ ସବୁ କହୁଥିଲି । ଏହା ଫଳରେ ମୋ ଛାତି ହାଲୁକା ହୋଇଯାଉଥିଲା । ମୁଁ ସେମାନଙ୍କୁ ଏପରି ଭାବେ ସବୁକଥା ବୁଝେଇ କହୁଥିଲି ସତେ କି ମୋର ଘରଲୋକମାନଙ୍କୁ ସେସବୁ ମୁଁ କହୁଛି । ସେମାନଙ୍କୁ ଚରେଇ ନେବାବେଳେ, ତାଙ୍କଠାରୁ କ୍ଷୀର ଦୁହିଁବାବେଳେ ଓ ବାଲ୍‌ଟିରେ କ୍ଷୀର ଢାଳିବାବେଳେ ମୁଁ ଗପି ଗପି ଚାଲିଥିଲି । ତାଙ୍କୁ ଦାନା ଖାଇବାକୁ ଦେଲାବେଳେ ମୋ କଥା ମୁଁ କହୁଥିଲି । ମୋର ସେହିସବୁ କଥା ଭିତରେ ମୋର ଅଶ୍ରୁ, ମୋର ବେଦନା, ମୋର ଯନ୍ତ୍ରଣା, ମୋର ସ୍ୱପ୍ନ ଓ ମୋର ଆବେଗ ସବୁ ମୁଁ ପ୍ରକାଶ କରୁଥିଲି । ମୁଁ ଜାଣେନି ମୋର କଥାଗୁଡ଼ାକ ଏଇ ଛେଳିମାନେ ବୁଝିପାରୁଥିଲେ କି ନାହିଁ; ମାତ୍ର ସେମାନେ ମୋ କଥା କାନଡେରି ଶୁଣୁଥିଲେ, ସମୟେ ସମୟେ ମୁହଁ ଟେକି ମୋତେ ଚାହୁଁଥିଲେ ଏବଂ ବେଳେବେଳେ ମୋ ଲାଗି ଲୁହ ଗଡ଼ଉଥିଲେ । ସେତକ ମୋ ଲାଗି ଯଥେଷ୍ଟ ଥିଲା ।

 

ସେହିସବୁ ଦିନରେ, ଯେତେବେଳେ ଛେଳିମାନଙ୍କ ସହ ମୋର ଦୁଃଖ ଓ ଯନ୍ତ୍ରଣା ମୁଁ ବାଣ୍ଟୁଥିଲି, ସେତେବେଳେ ଥରେ ମୁଁ ତାଙ୍କ ସହ ମୋ ଦେହର ଭୋକକୁ ବି ବାଣ୍ଟିଥିଲି । ସେଦିନ ରାତିରେ ମୁଁ ଶୋଇବାକୁ ଯେତେ ଚେଷ୍ଟା କଲି ମୋତେ ଆଦୌ ନିଦ ହେଲା ନାହିଁ । ମୁଁ ଜାଣିନି, କାହିଁକି କେଜାଣି ମୋ ଦେହ ଗରମ ଲାଗିଲା ଓ ମୋଠୁଁ ଝାଳ ବୋହୁଥିଲା । ମୋ ଭିତରେ ଉଦଗ୍ର ଯୌନ କାମନା ମରୁଭୂମିର ଝଡ଼ ପରି ମୁଣ୍ଡ ଟେକୁଥିଲା । ବେଶ୍‌କିଛି ମାସ ହେଲା ମୁଁ ଗୋଟେ ନପୁଂସକର ଜୀବନ ଜିଉଁଥିଲି । ସେତେବେଳେ ମୁଁ ଭାବି ପାରୁ ନ ଥିଲି ଯେ ମୁଁ ପୁଣି ଥରେ ମୋର ଯୌନ ଆଗ୍ରହ ଓ ଶକ୍ତି କେବେ ଫେରିପାଇବି । ମାତ୍ର ସେଦିନ ସେଇଆ ହେଲା । ଏତେଦିନ ପର୍ଯ୍ୟନ୍ତ ସୁପ୍ତ ଅବସ୍ଥାରେ ଥିବା କାମନା ମୋର ନିଆଁ ପରି ଚେଇଁ ଉଠିଲା । ମୁଁ ଯେତେ ଚାହିଁଲେ ବି ଶାନ୍ତ ରହିପାରିଲି ନାହିଁ । ମୋ ଆଖି ସାମ୍ନାରେ ଗୋଟେ ରତିକାଂକ୍ଷିଣୀ ନାରୀର ଉଲଗ୍ନ ଚେହେରା ବାରମ୍ବାର ନାଚିଉଠୁଥିଲା । ସେତେବେଳେ ମୁଁ ଆଉଗୋଟେ ଦେହ ଖୋଜୁଥିଲି ଯାହା ସାଙ୍ଗରେ ମୁଁ ସହବାସ କରିପାରିବି । ମୁଁ ପାଗଳ ପ୍ରାୟ ହୋଇପଡ଼ୁଥିଲି । ହଠାତ୍‌ମୁଁ ବିଛଣାରୁ ଉଠିପଡ଼ି ଚାଲିଲି । ପରଦିନ ସକାଳକୁ ଯେତେବେଳେ ମୋ ନିଦ ଭାଙ୍ଗିଲା ମୁଁ ଦେଖିଲି ଯେ ମୁଁ ମସାରା ଭିତରେ ଶୋଇଛି, ମୋ ପାଖରେ ଲାଗିକି ଶୋଇଛି ମୋ ପୁଚକ୍କାରି ରମଣୀ ।

 

ହକିମ୍‌କୁ ଭେଟିବାର ଇଚ୍ଛା ମୋ ଭିତରେ ପ୍ରବଳ ହେଉଥାଏ । କାରଣ ମୁଁ ଜାଣିସାରିଥାଏ ଯେ ସେ ପାଖ ମସାରାରେ କାମ କରୁଛି । ଆଗରୁ ତ କହିଛି, ଆଉଜଣେ ମଣିଷକୁ ଭେଟି ତା’ ସହ କଥାଭାଷା ହେବାର ଇଚ୍ଛା ମୋ ଭିତରେ ଅଦମ୍ୟ ହୋଇଉଠିଥାଏ । ସିଏ ମଧ୍ୟ ମୋ ସହ ଦେଖା କରିବାଲାଗି ବ୍ୟସ୍ତ ହେଉଥିଲା । ଏତେ ପାଖରେ ଥିବା ସତ୍ତ୍ୱେ ଆମ ଦି’ଜଣଙ୍କର ଦେଖା ନ ହେବାର କାରଣ ଆମେ ବୁଝିପାରିଥିଲୁ । ଆମେ ଉଭୟେ ପରସ୍ପରର ବିପରୀତ ଦିଗକୁ ନିଜ ନିଜ ଛେଳିମାନଙ୍କୁ ଚରେଇନେବାକୁ ଯାଉଥିଲୁ । ଆମର ଦୁଇ ମସାରା ମଝିରେ ଗୋଟେ ଛୋଟ ଉପତ୍ୟକା ଥିଲା । ତାହାହିଁ ଆମ ଭିତରେ ଭେଟ ହେବାର ସମ୍ଭାବନାକୁ ମାରି ଦେଉଥିଲା । ତେବେ ଧୀରେ ଧୀରେ ମୁଁ ସେଇ ଉପତ୍ୟକା ଆଡ଼କୁ ଯିବା ପାଇଁ ଚେଷ୍ଟା କଲି । କିଛି ଦୂରରେ ହକିମ୍‌ଛେଳି ଚରଉଥିବାର ସୁଦ୍ଧା ମୁଁ ଦେଖିଲି । ତା’ପରେ ଆମର ଟିକେ ଟିକେ ଦେଖାଚାହାଁ ହେଲା-। ତେବେ ଏକଥା ଥରେ ଜାଣିପାରି ମୋ ମାଲିକ ମୋତେ ଭୀଷଣ ଗାଳିଦେଲେ । ମୁଁ ତାଙ୍କ ଗାଳିକୁ କାନ ଦେଲିନାହିଁ । ବାରମ୍ବାର ଗାଳିମାଡ଼ ଖାଇଖାଇ ମୋର ଡର କଟିଯାଇଥିଲା । କଅଣଟା ହେବ-? କିଛି ସମୟ ଗାଳିଦେବେ ଓ କିଛି ପାହାର ପିଟିବେ । ପିଟନ୍ତୁ । ସେସବୁ ମୋର ଦେହସୁହା ହୋଇଗଲାଣି । ହକିମ୍‌ର ମାଲିକ ମୋ ମାଲିକଠାରୁ ଆହୁରି ନୃଶଂସ ଥିଲେ । ହକିମ୍‌ଆସି ମୋତେ ତାହାର ନିର୍ଯାତନା କଥା କହୁଥିଲା, ତା’ ମାଲିକ ବରାବର ହକିମ୍‌ମୁହଁ ଉପରକୁ ଗରମ ପାଣି ଛାଟୁଥିଲେ । ଏଇଟା ତାଙ୍କର ଗୋଟେ ସଉକ ଥିଲା । ହକିମ୍‌ର ବାଳକୁ ଝିଙ୍କି ସେ ବାଡ଼ଉଥିଲେ ଓ ତା’ ମଳଦ୍ୱାରରେ ରୁଲ୍‌ବାଡ଼ିଟେ ପୂରେଇ ଦେଉଥିଲେ । ବେଳେବେଳେ ତା’ ଛାତି ଉପରେ ଚଢ଼ିଯାଇ ସେ ନାଚୁଥିଲେ ଏବଂ ହକିମ୍‌ର ମୁଣ୍ଡକୁ ପାଣିରେ ବୁଡ଼େଇ ରଖୁଥିଲେ । ସେଥିପାଇଁ ହକିମ୍‌ତା’ ମାଲିକଙ୍କୁ ପ୍ରବଳ ଡରୁଥିଲା । କାଳେ ଆମର ଦେଖାଚାହାଁ କଥା ତା’ ମାଲିକ ଜାଣିପାରିବେ ସେଥିପାଇଁ ସେ ଖୁବ୍‌ଭୟଭୀତ ଥିଲା । ଯେତେବେଳେ ବି ସେ ମୋତେ ଭେଟିବାଲାଗି ଆସୁଥିଲା, ସେତେବେଳେ ଦଉଡ଼ି ଦଉଡ଼ି ଆସୁଥିଲା ଓ ଗୋଟିଏ ଯୋଡ଼ିଏ ଶବ୍ଦ କହିଦେଇ ପୁଣି ଦଉଡ଼ି ଦଉଡ଼ି ଫେରି ଯାଉଥିଲା । ପରସ୍ପରକୁ ଭେଟିବା ଲାଗି ଆମେ ନିଜ ଭିତରେ ଗୋଟେ ଉପାୟ ପାଞ୍ଚିଥିଲୁ । ବେଳେବେଳେ ମୁଁ ଗୋଟିଏ ଛେଳିର ଲାଞ୍ଜ ଜୋର୍‌ରେ ମୋଡ଼ି ଦେଉଥିଲି ନ ହେଲେ ତାହାର ଲାଞ୍ଜ ତଳେ କାଠିଟେ ଗେଞ୍ଜି ଦେଉଥିଲି । ତା’ପରେ ସେ ଛେଳି ବାଇଆବାତୁଳ ପରି ଇଆଡ଼େ ସିଆଡ଼େ ଦଉଡ଼ୁଥିଲା । ମୁଁ ତା’ ପଛେ ପଛେ ଦଉଡ଼ିଯାଇ ତାକୁ ଆଉ ଥରେ କେଞ୍ଚି ଦେଉଥିଲି । ଏମିତି ସେ ଛେଳି ଦଉଡ଼ୁଥିଲା ଓ ମୁଁ ତାକୁ ଗୋଡ଼େଇବା ବାହାନାରେ ହକିମ୍‌ପାଖରେ ପହଞ୍ଚିଯାଉଥିଲି । ମୋ ମାଲିକ ତାଙ୍କ ବାଇନୋକୁଲାର୍‌ଆଖିରେ ଲଗେଇ ଏସବୁ ଦେଖୁଥିଲେ । ମାତ୍ର ମୋର କୌଶଳ ସେ ଧରିପାରୁ ନ ଥିଲେ । ଆମେ ଅବଶ୍ୟ ବେଶି ସମୟ କଥାଭାଷା ହେବାର ସୁଯୋଗ ପାଉ ନ ଥିଲୁ । ପଦେ ଦି’ପଦ କଥା ତରବରରେ କହିଦେଇ ପରସ୍ପରଠାରୁ ବିଦାୟ ନେଉଥିଲୁ । କାରଣ ମୁଁ ଜାଣିଥିଲି, ଦୁଇ ମିନିଟ୍‌ସେଠି ଅଟକିଗଲେ ମୋ ମାଲିକ ଜିପ୍‌ଧରି ଆସି ହାଜର ହୋଇଯିବେ । ସେଥିପାଇଁ ମନ ଭିତରେ ଯେତେ ଯାହା କହିବାର ବ୍ୟାକୁଳତା ଥିଲେ ବି ଆମେ ସେସବୁ ପଦେ ଦି’ପଦ କଥା ଭିତରେ ସୀମିତ ରଖୁଥିଲୁ । ଆମର ସେତେବେଳର ଦୁଃଖ ଅନେକେ ବୁଝିପାରିବେ ନାହିଁ । ଯେଉଁ ଲୋକମାନଙ୍କ ପାଖରେ ଦିନସାରା ଗପସପ କରିବାର ଅବକାଶ ଥାଏ, ସେମାନେ ତ ବିଲ୍‌କୁଲ୍‌ମୋର ଏ ଦୁଃଖ ବୁଝିପାରିବେ ନାହିଁ ।

 

ସତେଇଶ

 

ଦିନେ ଗୋଟେ ବାଲିକୁଦ ଉପରେ ବସି ମୁଁ ଛେଳିମାନଙ୍କ ଉପରେ ନଜର ରଖିଥାଏ । କିଛି ଦୂରରେ ତା’ ଛେଳିମାନଙ୍କ ସାଙ୍ଗରେ ହକିମ୍‌କୁ ମୁଁ ଦେଖିପାରିଲି । ଭାବିଲି, ତା’ ପାଖକୁ ଯାଇ କିଛି ସମୟ ଗପସପ ହେଲେ ଭଲ ହୁଅନ୍ତା । ମାତ୍ର ମୋ ମାଲିକ ତାଙ୍କ ବାଇନୋକୁଲାର ଆଖିରେ ଲଗେଇ ମୋ ଆଡ଼େ ଅନିଶା କରିଥାଆନ୍ତି । ଗଲା କିଛିଦିନ ହେଲା ସେ ଆଗ ଅପେକ୍ଷା ଅଧିକ ସତର୍କ ଥିଲା ପରି ମୋତେ ଲାଗୁଥାଏ । ହକିମ୍‌ପାଖକୁ ଯିବା ପାଇଁ ଓ ତାହା ସହ କଥାଭାଷା ହେବାଲାଗି ମୋତେ ସେ କଠୋର ଶବ୍ଦରେ ବାରଣ କରିଥାଆନ୍ତି । ବୋଧହୁଏ, ସେ ଭାବୁଥାଆନ୍ତି ଯେ ଆମର ମିଳାମିଶା ଓ କଥାବାର୍ତ୍ତା ତାଙ୍କ ଲାଗି ବିପଦ ସୃଷ୍ଟି କରିବ । କାଳେ, ଆମେ ଦିହେଁ ସାଙ୍ଗହୋଇ ଏଠୁ ଖସି ପଳେଇବୁ । ଏମିତିକା ଭୟ ତାଙ୍କ ମନରେ ବସା ବାନ୍ଧିଥିବ; ମାତ୍ର ସେ ସେକଥା ନ କହି ସେ ମୋତେ କହିଥାଆନ୍ତି ଯେ, “ଆର ମସାରାରେ ରୋଗ ଜୀବାଣୁ ଥିବେ । ତାଙ୍କ ଛେଳି ଦେହରୁ ସେ ଜୀବାଣୁ ଆସି ଆମ ଛେଳିଙ୍କ ଦେହରେ ପଶିଯିବେ ଓ ଆମର ସୁସ୍ଥସବଳ ଛେଳିଗୁଡ଼ାକ ରୋଗିଣା ହେଇ ଶେଷକୁ ମରିଯିବେ । ତେଣୁ ତୁ ହକିମ୍‌ସାଙ୍ଗରେ ମିଳାମିଶା କରିବା ଆଦୌ ଉଚିତ ନୁହେଁ ।” ଏକଥା ଶୁଣି ମୋତେ ହସ ମାଡ଼ିଥିଲା । ଆପଣଙ୍କୁ ସତ କହୁଛି, ମୋତେ ହସ ରୋକିବାକୁ ସେଦିନ ଭାରି କଷ୍ଟ ହେଇଥିଲା । ଭାବିଥିଲି, ସତେ କି ଆମ ମସାରାଟି ଗୋଟେ ସ୍ୱାସ୍ଥ୍ୟପ୍ରଦ ସ୍ୱର୍ଗ ! ସେ ଯାହାହେଉ, ମୁଁ ହକିମ୍‌ସାଙ୍ଗରେ କଥାବାର୍ତ୍ତା ହେବାର ଆଗ୍ରହକୁ ମନ ଭିତରେ ଦବେଇ ରଖିଲି । କାରଣ ମୁଁ ସିନା ମୋ ମାଲିକର ଗାଳି ମାଡ଼କୁ ବରଦାସ୍ତ କରିଯିବି, ମାତ୍ର ହକିମ୍‌କୁ କାହିଁକି ଜାଣି ଜାଣି ବିପଦରେ ପକେଇବି ! ତା’ ମାଲିକଟି ତ ଅତ୍ୟନ୍ତ ନୃଶଂସ ।

 

ତେବେ ହକିମ୍‌କୁ ଦେଖିବାକ୍ଷଣି ମୋର ଘରକଥା ମନେପଡ଼ିଯାଏ । ଆଗରୁ ଢେର୍‌ଦିନ ହେଲା ମୋର ନିଜ ଗାଁ ମାଟି କଥା ମନେପଡ଼ି ନ ଥିଲା । ମାତ୍ର ଆଜି ସେକଥା ମନେପଡ଼ିବାକୁ ଲାଗିଲା - ମୋ ସାଇନୁ, ମୋ ମା’, ମୋ ପୁଅ କି ଝିଅ । ମୋ ଘର, ମୋ ଡଙ୍ଗା । ଏତେ ସମସ୍ୟା ଭିତରେ ଥାଇ ସୁଦ୍ଧା ମୁଁ ମୋ ଘରର ସ୍ମୃତିକୁ ଭୁଲିପାରୁ ନ ଥିଲି । ସେଦିନ ଏସବୁ କଥା ତୁହାଇ ତୁହାଇ ମନେ ପଡ଼ିବାରୁ ମୁଁ ବୁଝିଗଲି, ମୋ ଭିତରେ ପୁଣିଥରେ ଏଠୁ ଖସି ପଳେଇବାର ଇଚ୍ଛା ଜାଗି ଉଠିଛି । ଏମିତିରେ ତ କେବେ ଭାବିପାରୁ ନ ଥିଲି ଯେ, ଏ ଜାଗାରୁ ସତରେ ଖସି ଯାଇହେବ-। ନର୍କରୁ କଅଣ କେହି ଉଦ୍ଧାର ପାଇପାରେ ? ଥରେ ଏଠି ବନ୍ଦୀ ହେଇ ପଡ଼ିଛ ଅର୍ଥ ସାରା ଜୀବନ ଏମିତି ପଡ଼ିରହିବ । ଚାରିପଟର ରାସ୍ତା ବନ୍ଦ । ମଲାଲୋକ ପକ୍ଷେ ଯେମିତି ବଞ୍ଚିବା କଥା ଭାବିବା ଅର୍ଥହୀନ, ଏଠୁ ମୁକୁଳି ଯିବାର ଚିନ୍ତା କରିବା ସେମିତି ଅର୍ଥହୀନ । ମାତ୍ର ସେଦିନ ହକିମ୍‌କୁ ଦେଖି ମୋ ମନରେ ଆଉ ଥରେ କ୍ଷୀଣ ଆଶା ଚେଇଁ ଉଠିଲା ।

 

ମୁଁ ମନେ ମନେ ଆଲ୍ଲାଙ୍କୁ ପ୍ରାର୍ଥନା କଲି - ହେ କରୁଣାମୟ, ଆପଣ ଚାହିଲେ ମ୍ୟାଜିକ୍‌ପରି ମୋତେ ଏଠୁ ରକ୍ଷା କରିପାରିବେ । ଭିକାରିକୁ ଆପଣ ସୁନାହାଣ୍ଡି ଦେଇଥାଆନ୍ତି, ରୋଗିଣା ଲୋକକୁ ପୁଣି ତାହାର ପୁରୁଣା ସ୍ୱାସ୍ଥ୍ୟ ଫେରାଇଦିଅନ୍ତି, ବଡ଼ ବଡ଼ ଆକ୍ସିଡେଣ୍ଟ୍‌ର ସାମ୍ନାକରି ମଧ୍ୟ ଲୋକ ଅକ୍ଷତ ଅବସ୍ଥାରେ ଖସିଯାଆନ୍ତି, ଉଡ଼ାଜାହାଜ ଦୁର୍ଘଟଣାରେ ଶହେ ଲୋକଙ୍କ ଶବ ଭିତରେ ଆପଣଙ୍କ ଆଶୀର୍ବାଦ ପାଇଥିବା ଯାତ୍ରୀଟି ବଞ୍ଚିଯାଏ । ଆପଣଙ୍କ ଇଚ୍ଛା ହେଲେ ସବୁ ଅସମ୍ଭବ ସମ୍ଭବ । ବୁଡ଼ିଗଲା ଜାହାଜ ପୁଣି ଆସି କୂଳରେ ଲାଗେ, ଭୂମିକମ୍ପରେ ଭୁଶୁଡ଼ି ପଡ଼ିଥିବା କାନ୍ଥତଳୁ, ସପ୍ତାହେ କାଳ ସେମିତି ପଡ଼ିଥିବା ମଣିଷ ପୁଣି ମାଟି ଉପରକୁ ଆସି ଚାଲବୁଲ କରେ । ଯୋଉଟା ସାଧାରଣ ମଣିଷ ପକ୍ଷେ କଳ୍ପନା କରିବା ଅସମ୍ଭବ, ଆପଣ ତାହା ସମ୍ଭବ କରାଇଥାଆନ୍ତି । ଆପଣଙ୍କର ମନ ହେଲେ ଆପଣ ସବୁ କରିପାରିବେ । ଆପଣ ଚାହିଲେ ଆମ ମସାରାକୁ ଆସୁଥିବା ଗହମ ଚୋକଡ଼ ଗାଡ଼ିର ଡ୍ରାଇଭର ଦୟାପରବଶ ହୋଇ ଆମକୁ ଏଠୁ ନେଇଯିବ । ପାଣି ଗାଡ଼ିର ଡ୍ରାଇଭର ବି ଆମକୁ ନେଇ ନିରାପଦ ଜାଗାରେ ପହଞ୍ଚେଇ ଦେଇପାରିବ ! ସେକଥା କାହିଁକି, ଆପଣ ଚାହିଲେ ମୋ ନିର୍ଦ୍ଦୟ ମାଲିକର ହୃଦୟ ହୁଏତ ରାତାରାତି ପରିବର୍ତ୍ତନ ହେଇଯାଆନ୍ତା ଓ ସେ ମୋତେ ଏଠୁ ଆମ ଘରକୁ ପଠେଇ ଦିଅନ୍ତା । ଏଥିପାଇଁ ଆପଣଙ୍କର ଆଶୀର୍ବାଦ କେବଳ ଲୋଡ଼ା, ଆଉ କିଛି ନୁହେଁ । ଏମିତି ପ୍ରାର୍ଥନା କରି ମୁଁ ଆକାଶକୁ ଅନେଇଲି । ଆକାଶରେ ଭେଳା ଭେଳା ବନ୍ଧ୍ୟା ବାଦଲ ଭାସୁଥାଆନ୍ତି । ଏ ମରୁଭୂମିରେ ମୋ ପାଇଁ କୋଉଠି ଈଶ୍ୱରଙ୍କ ଆଶୀର୍ବାଦ ନ ଥିବା ପରି, ସେ ବଉଦ ଭିତରେ କୋଉଠି ମେଘର ଚିହ୍ନବର୍ଣ୍ଣ ନ ଥାଏ ।

 

ସେତିକିବେଳେ ଦେଖିଲି ଦିଇଟି ବୋଦା ପରସ୍ପର ଭିତରେ ଲଢ଼େଇ ଲାଗୁଛନ୍ତି । ଏ ବୋଦାଗୁଡ଼ିକ ଖୁବ୍‌ବଳୁଆ, ଲଢ଼ିବାବେଳେ ଭୟଙ୍କର ହେଇଯାଆନ୍ତି । ଶିଙ୍ଗ ଭାଙ୍ଗି ଲହୁଲୁହାଣ ନ ହେଲା ପର୍ଯ୍ୟନ୍ତ ସେମାନେ ଯୁଝିବେ, ହଟିବେ ନାହିଁ । ଗୋଟେ ବୋଦାର ଆର ବୋଦା ଉପରେ ରାଗ ଦେଖିବା କଥା । ମୁଁ ଓହ୍ଲେଇ ଯାଇ ବାଡ଼ିରେ ସେମାନଙ୍କୁ ପାହାରେ ଲେଖା ପିଟିଲି । ମାଡ଼ ଖାଇ ଗୋଟେ ସେଠୁ ପଳେଇଗଲା; ମାତ୍ର ଆରଟା ଗାରଡ଼େଇ ମୋ ଆଡ଼କୁ ଚାହିଁଲା । ତା’ ନାକରୁ ଗରମ ପବନ ଫଁ ଫଁ ହେଇ ବାହାରୁଥାଏ । ଆଖି ଦିଇଟା ମୋ ଉପରେ ସତେ କି ସ୍ଥିର ହେଇଯାଇଥାଏ । ମୁଁ ମୋ ଜାଗାରୁ ଇଞ୍ଚେ ହେଲେ ହଟିଲି ନାହିଁ । ସେ ମୋ ଉପରକୁ କୁଦିପଡ଼ିଲା କ୍ଷଣି ମୁଁ ମୋ ଜାଗାରୁ ଟିକେ ଘୁଞ୍ଚିଗଲି । ଏଭଳି ବୋଦାଙ୍କୁ ମୁକାବିଲା କରିବାର କୌଶଳ ଏହା ଭିତରେ ମୁଁ ଶିଖିଯାଇଥିଲି । କୌଣସି ବୋଦା ହଠାତ୍‌ଆକ୍ରମଣ କରେ ନାହିଁ । ସେ ଆଗେ ଗୋଟେ ଜାଗାରେ ଛିଡ଼ାହେଇ ଅନାଏ, ତା’ପରେ ଲକ୍ଷ୍ୟ ସ୍ଥିର କରେ ଓ ଶେଷରେ ଆକ୍ରମଣ କରେ । ସେ ପର୍ଯ୍ୟନ୍ତ ତମେ ଗୋଟାଏ ଜାଗାରେ ସ୍ଥିର ରହିଲେ କିଛି ସମସ୍ୟା ନାହିଁ । ସେ ତୁମ ଉପରକୁ କୁଦା ମାରିବାକୁ ବାହାରିବା ବେଳକୁ ତୁମେ ସେଠୁ ଦୂରକୁ ହଟିଯିବ । ସେତେବେଳକୁ ସେ ଏତେ ଦ୍ରୁତ ବେଗରେ ଡିଆଁ ମାରିଥିବ ଯେ ମଝିରେ ହଠାତ୍‌ଦିଗ ପରିବର୍ତ୍ତନ କରିପାରିବ ନାହିଁ । ଏହି କୌଶଳରେ ଜଣେ ଏ ମାରଣା ବୋଦାଙ୍କ କବଳରୁ ବର୍ତ୍ତିପାରିବ ।

 

ବୋଦାଟି ଲକ୍ଷ୍ୟହୀନ ହୋଇ ବାଲିକୁଦ ପାଖରେ ମୁହଁମାଡ଼ି ପଡ଼ିଲା । ସେଇ କଚଡ଼ାରେ ତାହାର ରାଗ ସରିଗଲା । କିଛି ସମୟ ପରେ ସେ ସେଠୁ ଉଠି ନିଜେ ଅନ୍ୟ ଦିଗରେ ଧାଇଁଲା । ବୋଦାଟି ଯେଉଁଠି ପଡ଼ିଥିଲା ସେଇ ଜାଗାର ବାଲିଗୁଡ଼ା ବେଶ୍‌ଦବିଯାଇଥିଲା । ମୁଁ ସେଠିକି ଟିକେ ଅନେଇଦେଇ ମୋ ରାସ୍ତାରେ ଯିବାକୁ ବାହାରୁଥିଲି । ହଠାତ୍‌କିଛି ଗୋଟେ ଜିନିଷ ମୋ ନଜରରେ ପଡ଼ିଲା । ମୋତେ ଲାଗିଲା, ଆଗରୁ ବୋଧହୁଏ ସେଠି କେହି ଗାତଟେ ଖୋଳି କିଛି ପୋତିଥିଲା । ବିସ୍ମିତ ହେଇ ମୁଁ ସେ ଗାଡ଼ର ଆଉ ଟିକେ ପାଖକୁ ଯାଇ ନିରୀକ୍ଷଣ କଲି । ସେଇଠି ଯାହା ଦେଖିଲି ତାହା ମୋତେ ଏକଦମ୍‌ପାଦରୁ ମୁଣ୍ଡ ଯାଏ ଥରେଇ ଦେଲା । ସେତେବେଳକୁ ମୋ ମାଲିକ ବାଇନୋକୁଲାର ଥୋଇଦେଇ ବିଶ୍ରାମ ନେଉଥିଲେ । ତାଆରି ସୁଯୋଗ ନେଇ ମୁଁ ବାଲି ଉପରେ ବସିପଡ଼ିଲି ଓ ସେ ଜାଗାରେ ପୋତା ହେଇଥିବା ଜିନିଷଗୁଡ଼ିକୁ ଖୋଳି ବାହାର କରିବାରେ ଲାଗିଲି-। ମୋ ସନ୍ଦେହ ସତ ଥିଲା । କାରଣ ମୁଁ ସେ ଜିନିଷଟା ଦେଖି ଭୟରେ ଶିହରି ଉଠିଲି, ତାହା ଥିଲା ଗୋଟେ ମଣିଷର ପାପୁଲି । ମାଂସତକ ଝଡ଼ିଯାଇ କେବଳ ହାଡ଼ ଦିଶୁଥିଲା । ହଁ, ମଣିଷ ପାପୁଲିର ହାଡ଼ । ମୁଁ ସମ୍ପୂର୍ଣ୍ଣ କଙ୍କାଳଟା ଦେଖିବାକୁ ଚାହୁଥିଲି । ତେଣୁ ଦୁଇ ହାତରେ ବାଲିଗୁଡ଼ା ଆଡ଼େଇ ଆହୁରି ଖୋଳି ଚାଲିଲି । କିଛି ବାଲି ବାହାର କଲାପରେ ଗୋଟେ ମଣିଷର କଙ୍କାଳ ମୁଁ ଦେଖିପାରିଲି । ସେତେବେଳକୁ ଭିତରେ ଭିତରେ ମୁଁ ସମ୍ପୂର୍ଣ୍ଣ ଡରିଯାଇଥାଏ । ତାକୁ ସେଇ ଜାଗାରେ ସେମିତି ଛାଡ଼ି ମୁଁ ଫେରିଆସୁଥିଲି, ହଠାତ୍‌ମୋ ପାଦ ଅଟକିଗଲା । କଙ୍କାଳର ଅଣ୍ଟାରେ ବନ୍ଧା ହେଇଥିବା ଚମଡ଼ା ବେଲ୍‌ଟ୍‌ଖତହେଇ ଯାଇ ନ ଥିଲା । ସେଇ ବେଲ୍‌ଟ୍‌ଟି ମୋତେ କାହିଁକି ହଠାତ୍‌ପରିଚିତ ଲାଗିଲା । ମୁଁ ମନେପକାଇଲି, ଏଇ ବେଲ୍‌ଟ୍‌ଟିକୁ ମୁଁ ଆସିବା ଆଗରୁ ଏଠି କାମ କରୁଥିବା ସେଇ କଙ୍କାଳସାର ବୁଢ଼ା ହିଁ ପିନ୍ଧୁଥିଲା । ମୁଁ ପହଞ୍ଚିବାର ତୃତୀୟ ଦିନରେ ସେ ଏଠୁ ହଠାତ୍‌ଅଦୃଶ୍ୟ ହୋଇଯାଇଥିଲା । ମୁଁ ଭାବିଥିଲି ଯେ ସେ ବୋଧହୁଏ ପଳେଇଯାଇଛି; ମାତ୍ର ତାକୁ ଯେ ମାରି ଏଠି ପୋତିଦିଆଯାଇଥିଲା, ସେକଥା ମୁଁ କଳ୍ପନା କରିପାରି ନ ଥାନ୍ତି ।

 

ମୋତେ ଭୀଷଣ ଭୟ ଲାଗୁଥିଲା । ମୁଁ ଛେଳିଗୁଡ଼ାକୁ ସେଇଠି ଛାଡ଼ିଦେଇ ମୋ ମାଲିକଙ୍କ ପାଖକୁ ଆସିଲି ଏବଂ ତାଙ୍କ ଗୋଡ଼ତଳେ ପଡ଼ି କହିଲି, “ମୁଁ କୁଆଡ଼େ ଯିବି ନାହିଁ । କଦାପି ଏଠୁ ପଳାଇ ଯିବା କଥା ଭାବିବି ନାହିଁ କି ସେମିତିକା ଭାବନା ମୋ ମନକୁ ଆଣିବି ନାହିଁ । ଦୟାକରି ମୋତେ ମାରିଦେବେ ନାହିଁ । ମୁଁ ଯେମିତି ଅଛି, ଭଲରେ ଅଛି । ମୋର କିଛି ଆପତ୍ତି ନାହିଁ, କିଛି ଅଭିଯୋଗ ନାହିଁ । ମୁଁ ମରିବାକୁ ଚାହେ ନାହିଁ, ବଞ୍ଚିରହିବାକୁ ଚାହେ ।” ମୁଁ ଏମିତି କହୁଥାଏ ଓ କାନ୍ଦୁଥାଏ । ମୋ ମାଲିକଙ୍କୁ ଏ ଦୃଶ୍ୟ ବଡ଼ ବିଚିତ୍ର ଲାଗିଥିବ । କାରଣ ସେ ମୋର ଏ ପ୍ରକାର ହଠାତ୍‌ଭାବାନ୍ତରର କାରଣ କିଛି ବୁଝିପାରି ନ ଥିବେ ।

 

ଅଠେଇଶ

 

ପ୍ରତ୍ୟେକ ଅଭିଜ୍ଞତାର ଗୋଟେ ଚରମ ପରିଣତି ଥାଏ । ସେ ଆନନ୍ଦ ହେଉ କି ବିଷାଦ, ବ୍ୟାଧି ହେଉ କି କ୍ଷୁଧା । ମଣିଷ ସେଇ ଅବସ୍ଥାରେ ପହଞ୍ଚିଗଲେ ଦିଇଟାରୁ ଗୋଟିଏ ନିଷ୍ପତ୍ତି ନିଏ - ହୁଏତ ଭାଗ୍ୟକୁ ଗ୍ରହଣ କରିନେବ କିମ୍ବା ସେଥିରୁ ରକ୍ଷା ପାଇବାଲାଗି ତା’ର ଅବଶିଷ୍ଟ ଜୀବନକୁ ବାଜି ଲଗେଇଦେବ । ଦ୍ୱିତୀୟ ପନ୍ଥା ସ୍ଥିର କରୁଥିବା ଲୋକ ଆଗରେ ବିପଦ ଅଛି । ଧରାପଡ଼ିଗଲେ ସେ ମରଣ ମୁହଁରେ ପଡ଼ିବ ଅଥବା ପଳେଇ ଯାଉ ଯାଉ ମଝି ରାସ୍ତାରେ ଜୀବନ ଛାଡ଼ିଯିବ । ହଁ, ଯଦି ଭାଗ୍ୟ ଜୋର୍‌ଥାଏ, ତାହାହେଲେ ସେ ଅବଶେଷରେ ନିରାପଦ ଜାଗାରେ ପହଞ୍ଚି ଯାଇପାରେ-। ନ ହେଲେ ପାଗଳା ପରି ଘୂରି ଘୂରି ଶେଷକୁ ସତରେ ପାଗଳା ହେଇଯିବ ଅଥବା ଆତ୍ମହତ୍ୟା କରିବସିବ !

 

ଏପର୍ଯ୍ୟନ୍ତ ମୁଁ ପଳେଇଯିବା ଲାଗି ଚେଷ୍ଟା କରିନାହିଁ । ପ୍ରଥମେ ପ୍ରଥମେ ଯୋଉ କେତେ ଥର ମୁଁ ଯିବାକୁ ଚାହିଥିଲି ସେଗୁଡ଼ିକ ପଛରେ ଆଦୌ ବିଧିବଦ୍ଧ ଯୋଜନା ନ ଥିଲା, କେବଳ ପିଲାଳିଆମି ବା ଭାବପ୍ରବଣତା ଥିଲା କହିଲେ ଚଳେ । ତାହାର କାରଣ ମୁଁ ମୋ ଧୈର୍ଯ୍ୟର ଶେଷ ସୀମାରେ ପହଞ୍ଚି ନ ଥିଲି । ତେଣୁ, ପରିସ୍ଥିତିକୁ ଗ୍ରହଣ କରିନେଇ ସେମିତି ରହିଯିବାଟାକୁ ମୁଁ ମନ ଭିତରେ ଗ୍ରହଣ କରିନେଇଥିଲି । ତାହା ସାଙ୍ଗକୁ ମସାରାରେ କେମିତି ବଞ୍ଚିବାକୁ ପଡ଼ିବ ତାହାର କୌଶଳ ଆୟତ୍ତ କରିଚାଲୁଥିଲି । ମନକୁ ବୁଝେଇ ଦେଉଥିଲି ଯେ ପରିସ୍ଥିତି ଯେତେ ଜଟିଳ ଓ ପ୍ରତିକୂଳ ହେଲେ ମଧ୍ୟ ତାହା ଭିତରେ ବଞ୍ଚିରହିବା ସମ୍ଭବ । କେବଳ ପରିସ୍ଥିତି ସହ ଭଲ ବୁଝାମଣା କରିନେବାକୁ ହେବ । ତାହାପରେ ସବୁ ଦେହସୁହା ହୋଇଯିବ । ତେଣୁ ବର୍ଷକ ଭିତରେ ମୁଁ ମସାରାର ଜୀବନ ସହ ନିଜକୁ ଖାପ ଖୁଆଇ ଚଳେଇନେବାକୁ ଚେଷ୍ଟା କରିଥିଲି । ମୋ ନିଜ କଥା ଭାବି ଦୁଃଖ ପାଇବାବେଳେ ମୁଁ ମୋ’ଠାରୁ ଆହୁରି କଦର୍ଯ୍ୟ ଅବସ୍ଥାରେ ଥିବା ଭିକାରି, ଦରିଦ୍ର, ଅନ୍ଧ, ବ୍ୟାଧିଗ୍ରସ୍ତ ଏବଂ ପଙ୍ଗୁମାନଙ୍କ କଥା ଭାବୁଥିଲି । ସେମାନେ ବି ତ ଏ ପୃଥିବୀରେ ବଞ୍ଚୁଛନ୍ତି ! ସମୟେ ସମୟେ ତାଙ୍କ ଓଠରେ ବି ତ ଧାରେ ହସ ଫୁଟିଉଠୁଛି । ସେମାନେ କୋଉଠୁ ତାହାହେଲେ ବଞ୍ଚିବାର ପ୍ରେରଣା ପାଆନ୍ତି ? ଏଇ ଜୀବନରୁ । ଏଇ ଜୀବନ ଅନେକ କଥା ମଣିଷକୁ ଶିଖେଇ ଦିଏ । ଏସବୁ ଭାବିଲେ ମୋ ନିଜର ଦୁଃଖ ଲାଘବ ହେଇଯାଏ । ଭାବେ, ମୋ ଜୀବନରେ ତ ବରଂ ସେମାନଙ୍କଠାରୁ କମ୍‌ଦୁଃଖ ଅଛି । ତେଣୁ ଶୋଚନା କରି ଲାଭ କଅଣ ? ବରଂ ନିଜ ଭାଗ୍ୟକୁ ଗ୍ରହଣ କରିନେବା ଉଚିତ । ଏମିତି ସବୁଦିନେ ସକାଳୁ ଉଠିବି, ଛେଳି ଦୁହିଁବି, ସେମାନଙ୍କୁ ଖାଇବାକୁ ଦେବି, ତା’ପରେ ତାଙ୍କୁ ବାହାରକୁ ବୁଲେଇ ନେବି, ଫେରିଆସି ରାତିରେ ଖଟ ଉପରେ ଶୋଇପଡ଼ିବି । ଅନ୍ୟାନ୍ୟ କଥା ଭାବି ଲାଭ ନାହିଁ । ବାର ପ୍ରକାର ଚିନ୍ତା ମୁଣ୍ଡକୁ ଆଣି ମୁଣ୍ଡଟିକୁ ଓଜନିଆ କରିବାର ଅର୍ଥ ନାହିଁ । ତାହାଛଡ଼ା, ଏହାଠୁ ଅଧିକ କ’ଣ ଆଉ ମୋର ଦରକାର-? ମୋ ପାଇଁ ବାହାର ଦୁନିଆରେ କଅଣ ସବୁ ଘଟୁଛି ସେକଥା ଜାଣିବା କି ଦରକାର ? ମୁଁ ମୋ ଘରବାଡ଼ି, ମୋ ପିଲାପରିବାର କଥା ସବୁ ଭୁଲିଯାଇଛି । ସେମାନେ ମୋର ଆର ଜନ୍ମରେ ପରିଚିତ ଥିଲେ । ଏ ଜନ୍ମରେ ସେମାନଙ୍କ ସହ ମୋର କିଛି ସମ୍ପର୍କ ନାହିଁ । ତାଙ୍କ ଦୁଃଖ, ତାଙ୍କ ସମସ୍ୟା ତାଙ୍କର । ମୋ ଜୀବନ ମୋ ଦୁଃଖ ମୋର । ତାକୁ ନେଇ ମୁଁ ଏଠି ଆରାମରେ ଅଛି, ମୁଁ ଖୁସୀ ।

 

ଏହିପରି ଭାବରେ ମୋ ଜୀବନ ବିତୁଥାଏ । ମରୁଭୂମିକୁ ଗ୍ରୀଷ୍ମ ଆସୁଥାଏ, ତା’ପରେ ଶୀତ । ପବନ ବହେ, ଝଡ଼ ଆସେ ଏବଂ ମଝିରେ ମଝିରେ କେବେ କେମିତି ବର୍ଷା ବି ବର୍ଷିଯାଏ । ଟ୍ରକ୍‌ଗାଡ଼ି, ଚୋକଡ଼ ଗାଡ଼ି ସପ୍ତାହରେ ଥରେ ଲେଖାଏ ଆସନ୍ତି ଓ ଯାଆନ୍ତି । ସବୁ ଠିକ୍‌ଠାକ୍‌ଚାଲେ ।

 

ଏମିତି ଋତୁ ଆସି ଚାଲିଯାଉଥିଲେ, ଗାଡ଼ି ଓ ଡ୍ରାଇଭର ଆସୁଥିଲେ ଏବଂ ଚାଲିଯାଉଥିଲେ । କେହି ଏଠି ସ୍ଥାୟୀ ଭାବେ ରହୁ ନ ଥିଲେ । ଏସବୁ ଯା’ଆସ ଭିତରେ କେବଳ ସ୍ଥିର ଥିଲି ମୁଁ ଓ ମୋର ଛେଳିମାନେ । ପଡ଼ିଶା ମସାରାରେ ହକିମ୍‌ଓ ତାହାର ଛେଳିଗୁଡ଼ିକ ମଧ୍ୟ ସ୍ଥାୟୀ ଓ ସ୍ଥିର ଥିଲେ । ଏହାରି ଭିତରେ ହଠାତ୍‌ଦିନେ ଆଉ ଗୋଟେ ତୃତୀୟ ହତଭାଗା ଆସି ପହଞ୍ଚିଲା । ତାକୁ ହକିମ୍‌ର କାମ କରିବାଲାଗି ମସାରାକୁ ଅଣାଯାଇଥିଲା । ସେ ଓ ହକିମ୍‌ଦିହେଁ ଏକାଠି ରହୁଥିଲେ । ସେକଥା ଦେଖି ମୋର ହକିମ୍‌ଉପରେ ଈର୍ଷା ହେଲା । କାରଣ ତା’ ପାଖରେ ଗପସପ ହେବା ପାଇଁ ସାଙ୍ଗଟିଏ ମିଳିଲା ଯେଉଁଟା ମୋ ପାଖରେ ନ ଥିଲା । ମୁଁ ମୋ ମସାରାରେ ଛେଳିଙ୍କ ମେଳରେ ଆଉ ଗୋଟେ ଛେଳି ପରି ଥିଲି । ହକିମ୍‌ଭଲରେ ଥିଲା, ମଣିଷ ପରି ଥିଲା । ଏକଥା ଭାବିଲାକ୍ଷଣି ମୋର ନିଜ ଉପରେ ଆଗ ଅପେକ୍ଷା ଅଧିକ ଘୃଣା ହେଉଥିଲା ।

 

ଅଣତିରିଶ

 

ହକିମ୍‌ର ଚେହେରାରେ ପରିବର୍ତ୍ତନ ବାରିହେଇପଡ଼ୁଥିଲା । ତାଙ୍କ ମସାରାକୁ ଆସିଥିବା ନୂଆ ଲୋକଟି କିଏ ଓ ସେ କେଉଁଠୁ ଆସିଥିଲା ସେ ଖବର ମୁଁ ଜାଣି ନ ଥିଲି । ତେବେ ସିଏ ହକିମ୍‌ ଜୀବନରେ ବେଶ୍‌କିଛି ପରିବର୍ତ୍ତନ ଆଣିପାରିଥିଲା । ଏବେ ହକିମ୍‌ ଖୋଲା ହସ ହସୁଥିଲା ଏବଂ ଆନନ୍ଦ ମନରେ କଥାବାର୍ତ୍ତା କରୁଥିଲା । ଏକଥା ଦେଖି ମୁଁ ଈର୍ଷାରେ ଜଳିଯାଉଥିଲି । ମୋ ଭିତରେ ଅବଶିଷ୍ଟ ପୃଥିବୀ ପ୍ରତି ଘୃଣା ଓ ବିଦ୍ୱେଷ ବଢ଼ିଯାଉଥିଲା । ମୋର ଏହି ମନୋଭାବ ମୋ କାର୍ଯ୍ୟରେ ମଧ୍ୟ ପ୍ରତିଫଳିତ ହେଉଥିଲା । ପୂର୍ବାପେକ୍ଷା ମୁଁ ଅଧିକ ହିଂସ୍ର ହେଇ ଛେଳିଗୁଡ଼ାକୁ ବାଡ଼ାପିଟା କରୁଥିଲି; କାହାର ଥନରେ ପାହାରେ ପକଉଥିଲି ତ କାହା ପିଚାରେ ଠେଙ୍ଗାଏ ଦେଉଥିଲି । ଛେଳିଛୁଆଗୁଡ଼ାକୁ ଖାସୁ କରିବାବେଳେ ମୁଁ ନିର୍ଦ୍ଦୟ ହେଇପଡ଼ୁଥିଲି । ମୋର ସବୁ ରାଗ ମୁଁ ଏଇ ନିରୀହ ପଶୁଙ୍କ ଉପରେ ଶୁଝଉଥିଲି ।

 

ଆଗରୁ ମୁଁ ଛେଳି ଚରଉଥିବା ଜାଗା ପାଖକୁ ଆସିବାଲାଗି ହକିମ୍‌ ଡରୁଥିଲା । ମାତ୍ର ସାଙ୍ଗଟିଏ ପାଇବା ପରେ ସେ ଏବେ ନିର୍ଭୟରେ ମୋ ଆଡ଼କୁ ଆସୁଥିଲା । ଅବଶ୍ୟ ସେ ଖୁବ୍‌ପାଖକୁ ଆସୁ ନ ଥିଲା, ମାତ୍ର ଯେତିକି ଦୂରରେ ଛିଡ଼ାହେଲେ ଉଭୟେ ଉଭୟଙ୍କ କଥା ଶୁଣିପାରିବୁ ସେ ସେତିକି ଦୂରତାକୁ ଆସିଯାଉଥିଲା । ଏଥିପାଇଁ ତା’ ମାଲିକ ତାକୁ ପିଟୁଥିଲେ, ମାତ୍ର ସେସବୁ ସହିବା ଲାଗି ସେ ପ୍ରକାର ନୂଆ ସାହସ ପାଇ ଯାଇଥିଲା । ସେ ପୂର୍ବ ପରି ତା’ ମାଲିକକୁ ଡରୁ ନ ଥିଲା । ବୋଧହୁଏ ସେ ତାହାର ନୂଆ ସାଙ୍ଗ ପାଖରୁ ଏ ସାହସ ଟିକକ ପାଇଥିଲା । ଏକଥା ଦେଖି ମୋର ତା’ ନୂଆ ସାଙ୍ଗଟିକୁ ଦେଖିବା ପାଇଁ ଖୁବ୍‌ଇଚ୍ଛା ହେଉଥିଲା । ମାତ୍ର ସେ ସାଙ୍ଗଟି ବାହାରକୁ ବେଶି ବାହାରୁ ନ ଥିଲା । ହକିମ୍‌ ଛେଳିଗୁଡ଼ାକୁ ଚରାଇବାଲାଗି ପଡ଼ିଆକୁ ଆସୁଥିଲା ଓ ତା’ ସାଙ୍ଗ ମସାରା ଭିତରେ ରହି ଭିତର କାମ ସମ୍ଭାଳୁଥିଲା ।

 

ଦିନେ ହକିମ୍‌ତା’ ସାଙ୍ଗକୁ ଧରି ମୋ ସହିତ ଭେଟ କରାଇବାକୁ ଆଣିଲା । ଟୋକାଟା ବେଶ୍‌ ସୁସ୍ଥସବଳ ଓ ମଜଭୁତିଆ ଥିଲା । ବେଶ୍‌ଡେଙ୍ଗା । ତାକୁ ପ୍ରଥମେ ଦେଖି ମୁଁ ଭାବିଲି ସେ ବୋଧହୁଏ ମହାପୁରୁଷ ମୁସାଙ୍କ ସମୟର ଗୋଟେ ଚରିତ୍ର । ତା’ ଚେହେରାରୁ ସେ ପାକିସ୍ତାନର ପଠାଣ ବୋଲି ଲାଗୁଥିଲା । ମାତ୍ର ତା’ ଘର ଆଫ୍ରିକାରେ । ପାଖାପାଖି ହେଲା କ୍ଷଣି ହକିମ୍‌ତାକୁ ମୋତେ ଚିହ୍ନେଇଦେଲା । ସେ କହିଲା ତା’ ଘର ସୋମାଲିଆ ଓ ନାଁ ଇବ୍ରାହିମ୍‌କାଦିର । ଅପନ୍ତରା ମରୁଭୂମିରେ ବିରାଟ ବରଗଛ ! ତା’ ଆଗରେ ମୁଁ ଓ ହକିମ୍‌ଯୋଡ଼ିଏ ବାଙ୍ଗରା ଗବଗଛ ପରି ଦିଶୁଥିଲୁ । ଆମର ଏହି ଦେଖାସାକ୍ଷାତ ଆମ ମାଲିକଙ୍କ ଦୃଷ୍ଟିରୁ ଗୋପନ ରହିଲା ନାହିଁ । ସେଥିପାଇଁ ଆମ ପ୍ରତ୍ୟେକଙ୍କୁ ଆମର ଭାଗ ଗାଳି ଓ ମାଡ଼ ଅବଶ୍ୟ ମିଳିଲା ।

 

ଏଇ ଦେଖାସାକ୍ଷାତର କିଛିଦିନ ପରେ ହକିମ୍‌ଓ ମୁଁ ଛେଳି ଚରଉଥିବା ବେଳେ ଥରେ ହକିମ୍‌ ମୋତେ କହିଲା, “ତମ ପାଇଁ ଗୋଟେ ଚିଠି ମୁଁ ଏଇଠି ରଖିଯାଉଛି, ପଢ଼ିବ ।” ଏତକ କହି ସେ ବାଲିକୁଦ ସେପଟରୁ ଫେରିଗଲା । ସେ ଯିବାର କିଛି ସମୟ ପରେ ମୁଁ ସେ ଜାଗାକୁ ଗଲି । ସେଇଠି ଗୋଟେ ପଥର ତଳେ ଛୋଟ କାଗଜ ଖଣ୍ଡେ ଥୁଆ ହେଇଥିଲା । ହକିମ୍‌ ଲେଖିଥିବା ସେ ଚିଠିଟି ମୁଁ ପଢ଼ିଲି - “ଇବ୍ରାହିମ୍‌ କାଦିର୍‌ଆଗରୁ ଏ ଦେଶ ବିଷୟରେ ଜାଣିଛି । ତାକୁ ଏଠିକାର ରାସ୍ତାଘାଟ କଥା ମାଲୁମ । ଏଠୁ ପଳାଇବାଲାଗି ଆମେ ଯୋଜନା କରୁଚୁ । ତମକୁ ବି ସାଙ୍ଗରେ ନେଇଯିବୁ । ସବୁକଥା ଠିକଣା ହେଲା ପରେ ତମକୁ ତାହା ଜଣାଇବୁ । ଆଲ୍ଲାଙ୍କ ଉପରେ ଭରସା ରଖ ।”

 

ଚିଠିଟା ପଢ଼ିସାରିଲା କ୍ଷଣି ମୋ ମନ ଆନନ୍ଦରେ ନାଚିଗଲା । ସେ ଆନନ୍ଦ ମୁଁ ଭାଷାରେ ପ୍ରକାଶ କରିପାରିବି ନାହିଁ । ସତେ କି ମୋ ଚାରିପଟେ, ସେଇ ମରୁଭୂମିରେ ଶହ ଶହ ଫୁଲ ଫୁଟି ଉଠିଥିଲା । ମୁଁ ଯେ ମୋ ଘରକଥା ଓ ଜନ୍ମଭୂମି କଥା ଭାବୁ ନ ଥିଲି, ଏଇଟା ସମ୍ପୂର୍ଣ୍ଣ ମିଛ ବୋଲି ମୁଁ ନିଜେ ସେଇ ମୁହୂର୍ତ୍ତରେ ଅନୁଭବ କଲି । କାରଣ ସାଙ୍ଗେ ସାଙ୍ଗେ ମୋର ସବୁକଥା ମନେପଡ଼ିଗଲା-। ମୁଁ ସେ କଥାଗୁଡ଼ାକୁ ମନ ଭିତରେ ଚାପିକି ରଖିଥିଲି । କିନ୍ତୁ ସେସବୁକୁ କେବେ ସମ୍ପୂର୍ଣ୍ଣ ଭାବେ ମୁଁ ଭୁଲି ନ ଥିଲି କି ଭୁଲିପାରି ନ ଥାନ୍ତି । ଏଠୁ ପଳେଇଯିବାର ଆଶା ଉଙ୍କିମାରିବା କ୍ଷଣି ଘରକଥା ପୁଣି ମନେ ପଡ଼ିବାକୁ ଲାଗିଲା । ମୋ ଛାତି ଭିତରେ ନୂଆ ଆଶା ଖୁନ୍ଦି ହେବାକୁ ଲାଗିଲା । ମୁଁ ଖୁସିରେ କାନ୍ଦିପକେଇଲି । ଭାବିଲି, ସତରେ ଏକଥା କଅଣ ସମ୍ଭବ ହେବ ! ସେଦିନ ମସାରାକୁ ଫେରି ମୁଁ ମେରିମାଇମୁନାକୁ ବହେ ଗେଲ କଲି ଓ କୁଣ୍ଢେଇ ଧରିଲି । ତାକୁ କହିଲି, “ତୁ ଥାଆଲୋ, ମୁଁ ଏଠୁ ଚାଲିଲି । ତୋର ତ ଏଠି ବହୁତ ଆରାବୁ ରବୁଥର ଓ ମୁରି ବାସୁ ଅଛନ୍ତି । ସେମାନେ ତୋତେ ସାନିଧ୍ୟ ଦେବେ ! ମାତ୍ର ଏଠି ମୋର କେହି ବୋଲି କେହି ନାହାନ୍ତି । ମୋ ସାଇନୁ ଓ ମୁଁ ଆମେ ଦିହେଁ ଏକୁଟିଆ । ସେ ସେଠି ଓ ମୁଁ ଏଠି । ଆମର ଆଉ କେହି ସାଙ୍ଗ ନାହାନ୍ତି-। ମୁଁ ତା’ ବିନା ବଞ୍ଚିପାରିବି ନାହିଁ କି ସେ ମୋ ବିନା ବଞ୍ଚିପାରିବ ନାହିଁ । ଏକଲା ହେଇ ବଞ୍ଚିବା କେତେ ଯେ କଷ୍ଟ ତୁ ସେକଥା କଅଣ ଜାଣିବୁ ?’’

 

ମୁଁ ବାଲି ଉପରେ ଲମ୍ବହୋଇ ପଡ଼ିଗଲି ଏବଂ ଆଲ୍ଲାଙ୍କୁ ପ୍ରାର୍ଥନା କଲି । ଆଲ୍ଲା ପରମ ଦୟାଳୁ । ଏତେଦିନେ ସେ ମୋ ପ୍ରାର୍ଥନା ଶୁଣିଛନ୍ତି । ସିଏ ହିଁ ମୋତେ ଉଦ୍ଧାର କରିବାଲାଗି ଦେବଦୂତ ଭାବେ ଇବ୍ରାହିମ୍‌ଖାଦିର୍‌କୁ ଏଠିକି ପଠେଇଛନ୍ତି ।

 

ମୋତେ ଏବେ ସବୁକଥା ଭଲ ଲାଗୁଥିଲା । ମସାରାର ସବୁ କାମ ମୁଁ ଖୁସି ଖୁସିରେ କରୁଥିଲି । ମୋ ମାଲିକ ହୁଏତ ମୋ ହାବଭାବରେ ଏହି ପରିବର୍ତ୍ତନ ଲକ୍ଷ୍ୟ କରିଥିବେ । ମାତ୍ର ମୁଁ ସେଥିପ୍ରତି ଖାତିର କରୁ ନ ଥିଲି । ମନେ ମନେ କହୁଥିଲି - ହଉ ଦେଖିବ ଆଉ ମାତ୍ର କେଇଟି ଦିନ, ତା’ପରେ ତୁମେ କାହାକୁ ବେଲ୍‌ଟ୍‌ରେ ପିଟିବ, କାହା ଉପରକୁ ଛେପ ପକେଇବ ଓ କାହାକୁ ବିଧାଚାପୁଡ଼ା ମାରିବ ମୁଁ ଦେଖିବି । ତମର ଦିନ ସରିଗଲା । ମୁଁ ଏବେ ଏଠୁ ଖସି ପଳେଇବି । ମୋତେ ତୁମେ ଆଉ ଅଟକେଇ ରଖିପାରିବ ନାହିଁ । ସେତେବେଳେ ତମେ ଏଇଠି ଏକୁଟିଆ ପଡ଼ି ରହିଥିବ । ହାକିମାତି କରିବାଲାଗି କେହି ନ ଥିବେ । ସେତେବେଳେ ଯାଇ ଏ ନଜିବ୍‌ର ମୂଲ୍ୟ ତୁମେ ଠିକ୍‌ବୁଝିବ । ଆଉ କେତେଟା ଦିନ ଯାଉ ।

 

ମୁଁ ଭାବୁଥିଲି, ଖୁବ୍‌ଶୀଘ୍ର ମୋର ମୁକ୍ତିର ଦିନ ଆସିଯିବ । ମାତ୍ର ସେ ସମୟ ଆସୁ ନ ଥିଲା । ମୁଁ ପ୍ରତିଟି ଆସନ୍ତାକାଲିକୁ ଉଦ୍‌ଗ୍ରୀବ ହେଇ ଅପେକ୍ଷା କରୁଥିଲି, କେମିତି ଏଠୁ ଖସି ପଳେଇବି । ପ୍ରତ୍ୟେକ ସକାଳ ମୋ ଭିତରେ ପୂର୍ବାପେକ୍ଷା ଅଧିକ ଆଶା ସଞ୍ଚାର କରି ଆସୁଥିଲା । ମାତ୍ର ସଞ୍ଜବେଳକୁ ତାହା ପୁଣି ନିରାଶାରେ ବିତିଯାଉଥିଲା । କାରଣ ମୁକ୍ତିର ବାଟ ମୋତେ ଦିଶୁ ନ ଥିଲା । ଏମିତି କିଛିଦିନ ବିତିଗଲା ପରେ ମୋ ଭିତରେ ଦେଖା ଦେଇଥିବା ଆଶା ଧୀରେ ଧୀରେ ମଉଳିବାକୁ ଲାଗିଲା । ପୁଣିଥରେ ମନ ନିରାଶାରେ ଭରିଗଲା । ସେ ନୈରାଶ୍ୟର ଅନୁଭବ ମୁଁ ଭାଷାରେ କଦାପି ପ୍ରକାଶ କରିପାରିବି ନାହିଁ । ଭାବିଲି, ହକିମ୍‌ଓ ଇବ୍ରାହିମ୍‌ଦୁହେଁ ମିଶି ମୋ ସହ ପ୍ରତାରଣା କରିଛନ୍ତି । ମୋତେ ମିଛ ଆଶା ଦେଖାଇ ଦି’ଜଣଯାକ ଠକିଛନ୍ତି । ମୁଁ ସେମାନଙ୍କୁ ମନେ ମନେ ଘୃଣା କରିବାକୁ ଲାଗିଲି ।

 

ଏମିତି ପୁଣି କିଛିଦିନ ବିତିଗଲା । ତାଙ୍କ ସହ ଦେଖାହେଲା ନାହିଁ । ଭାବିଲି, ସେମାନେ ମୋତେ ଛାଡ଼ି ଏଠୁ ବୋଧହୁଏ ପଳେଇଗଲେ ! ଏମିତିକା କଥା ଚିନ୍ତା କରିବାକୁ ସୁଦ୍ଧା ମୋତେ ଡର ଲାଗୁଥିଲା । ଯଦି ତାହା ହେଇଥାଏ ତାହାହେଲେ ମୁଁ କଅଣ କରିବି ? ମନରେ ସ୍ଥିର କଲି, ସେମାନଙ୍କ ପ୍ରତାରଣାର ପ୍ରତିଶୋଧ ନେବାଲାଗି ମୁଁ ଏଇ ମରୁଭୂମିରେ ଆତ୍ମହତ୍ୟା କରିଦେବି । ମନ ଭିତରେ ଏମିତି ସନ୍ଦେହ ଓ ଉତ୍କଣ୍ଠା ବଢ଼ିଚାଲିଥାଏ । ଦିନେ ଭାବିଲି, ଯାଇ ଦେଖେ, ହକିମ୍‌ଅଛି କି ନାହିଁ । ମାତ୍ର ଯିବି କେମିତି ? ଛେଳି ଚରାଇବାକୁ ନେଇ ମୁଁ ତାଙ୍କ ମସାରାଆଡ଼େ ଅନାଏ । ଦିନେ ଜାଣିଲି, ସେମାନେ ଯାଇନାହାନ୍ତି, ଅଛନ୍ତି । ସେଦିନ ମୋ ମନରେ କି ଆଶ୍ୱସ୍ତି ? ସତେ କି ବୁଡ଼ିଯାଉଥିବା ମଣିଷ ଆଶ୍ରାଟିଏ ପାଇଗଲା । ମୋତେ ଲାଗିଲା, ମୁଁ ଏକାକୀ ହେଇଯାଇନାହିଁ, ଆଉ ଦି’ଜଣ ମୋ ସାଙ୍ଗରେ ଅଛନ୍ତି ।

 

ଏହାପରେ ମୁଁ ତାଙ୍କୁ ଛାଡ଼ି ନିଜକୁ ନିନ୍ଦା କରିବାକୁ ଲାଗିଲି । ମୁଁ ହିଁ ହତଭାଗା, ଆଲ୍ଲା ସେଥିପାଇଁ ମୋ ସହ ଏପରି ନିର୍ମମ ବ୍ୟବହାର କରୁଛନ୍ତି । ନ ହେଲେ ଲୋକମାନେ କାହିଁକି ମୋତେ ମିଛ ପ୍ରତିଶ୍ରୁତି ଦିଅନ୍ତେ ? କାହିଁକି ଆଶା ଦେଇ ନିରାଶ କରନ୍ତେ । ହେଉ, ଆଲ୍ଲାଙ୍କର ଯାହା ମର୍ଜି, ତାହାହିଁ ହେଉ । ନଜିବ୍‌ଉପରେ ଯଦି ତାଙ୍କର ରାଗ, ତାହାହେଲେ ସବୁ ରାଗ ସେ ଶୁଝାନ୍ତୁ । କିନ୍ତୁ କାହିଁକି, ନଜିବ୍‌ଉପରେ ଆଲ୍ଲାଙ୍କର ଏରକମର ରାଗ କାହିଁକି ? ହେ ଆଲ୍ଲା ! ସେ ଆପଣଙ୍କର କି ଅପରାଧ କରିଛି ?

 

ଏମିତି କିଛିଦିନ ବିତିବା ପରେ ମୋ ମନ ଭିତରୁ ମୁକ୍ତି ପାଇବାର ସବୁ ଆଶା ମରିଗଲା-। ମୋତେ କୌଣସି କାଦିର୍‌କି ପଦିର୍‌ମୁକୁଳେଇ ପାରିବେ ନାହିଁ ବୋଲି ଧାରଣା ଦୃଢ଼ ହେବାକୁ ଲାଗିଲା । ମୁଁ ପୁଣିଥରେ ମୋର ପୁରୁଣା ଦିନକୁ ଫେରିଯିବାକୁ ଚେଷ୍ଟା କଲି । ସେଇ ଜୀବନ ଜିଇବାକୁ ଲାଗିଲି ଯୋଉ ଜୀବନରେ କୌଣସି ଆଶା ନାହିଁ କି ସ୍ୱପ୍ନ ନାହିଁ । ଛେଳିର ଜୀବନ ।

 

ତିରିଶ

 

ମୁଁ ଯେତେବେଳେ ମୁକ୍ତିର ସବୁଯାକ ଆଶା ତୁଟେଇ ସାରିଥିଲି ସେତେବେଳେ ଏଇ ଘଟଣା ଘଟିଲା । ଗୋଟେ ଛେଳିକୁ ଗୋଡ଼େଇ ଗୋଡ଼େଇ ହକିମ୍‌ମୋ ପାଖାପାଖି ଆସିଲା ଓ ବଡ଼ ପାଟିରେ ଶୁଣେଇଲା, “ପଅରିଦିନ କିଛି ଗୋଟେ ହେବ । ତୁମେ ପ୍ରସ୍ତୁତ ହେଇ ରହିଥିବ ।” ଏତକ କହି ସେ ଯେମିତି ମୋ ଆଡ଼କୁ ଦୌଡ଼ି ଦୌଡ଼ି ଆସିଥିଲା ସେମିତି ପୁଣି ଦୌଡ଼ି ଦୌଡ଼ି ପଳେଇଗଲା । ତାହାର ସେ କଥା ପଦକ ସତେ କି ମୋ ଉପରେ ରଡ଼ନିଆଁ ଖଣ୍ଡେ ପକେଇ ଦେଇଗଲା । ମୋ ଦେହ ଚାଉଁକିନା ଲାଗିଲା । ‘କିଛି ଗୋଟେ’ ହେବ । କଅଣ ସେ ‘କିଛି ଗୋଟେ’-? ତାହା ଯାହା ହେଇଥାଉନା କାହିଁକି, ସେ ମୋତେ ପ୍ରସ୍ତୁତ ହେଇ ରହିବାକୁ କହିଛି । ତାହାର ଅର୍ଥ କିଛି ଗୋଟେ ଭଲକଥା ନିଶ୍ଚୟ । ଏକଥା ଭାବିଲି ସିନା, କିନ୍ତୁ ପର ମୁହୂର୍ତ୍ତରେ ଡରିଗିଲି । କାହିଁକି କେଜାଣି ଏଠୁ ପଳେଇଯିବାର ଇଚ୍ଛା ଟିକକ ସେହି ମୁହୂର୍ତ୍ତରେ ମିଳେଇଗଲା । ବହୁଦିନ ଧରି ବନ୍ଧା ହୋଇଥିବା ଛେଳିକୁ ଖୋଲିଦେଲେ ସିଏ ଯେମିତି ବାହାରକୁ ନ ଯାଇ ପୁଣିଥରେ ଖୁଆଡ଼ ଭିତରକୁ ଫେରିଆସେ, ମୁଁ ସେହିପରି ଛେଳିଟେ ପାଲଟି ଯାଇଥିଲି । ଏହି ଚେହେରାରେ ମୁଁ କୁଆଡ଼େ ଯାଇ ପାରିବି ନାହିଁ । କାରଣ, ମୁଁ ତ ମଣିଷ ହେଇ ଆଉ ରହିନାହିଁ, ସମ୍ପୂର୍ଣ୍ଣ ଛେଳିଟେ ପାଲଟିଯାଇଛି । ମୋର ଜୀବନ ହେଉଛି ଏଇ ଖୁଆଡ଼, ଏଇ ମସାରା । ଏହାଛଡ଼ା ଆଉ ମୋର କିଛି ଗତ୍ୟନ୍ତର ନାହିଁ-। ମୁଁ ଏଇଠି ପଡ଼ି ପଡ଼ି ମରିଯିବି ସିନା, ମୋର ଏ ଛେଳି ଚେହେରା ମୁଁ ଅନ୍ୟ କାହାକୁ ଦେଖାଇପାରିବି ନାହିଁ । ଏଇ ଅପରିଚ୍ଛନ୍ନ ମଳିନ ରୁକ୍ଷ ଚେହେରା, ଏଇ ବିପର୍ଯ୍ୟସ୍ତ ବେଶପୋଷାକ, ଏଇ ଗନ୍ଧଉଥିବା ଦେହକୁ ନେଇ ମୁଁ କୁଆଡ଼େ ଯିବି ? ମୁଁ କଅଣ ମଣିଷ ? ନା, ମୁଁ ଛେଳିଟାଏ । ହଁ, ଛେଳିଟାଏ ମୁଁ ।

 

ଏଠିକି ଆସି ପହଞ୍ଚିବା ଦିନରୁ ମୁଁ ମୁକ୍ତିର ଏମିତି ଗୋଟେ ମୁହୂର୍ତ୍ତକୁ ଅପେକ୍ଷା କରିଥିଲି; ମାତ୍ର ସତକୁ ସତ ଯେତେବେଳେ ସେ ମୁହୂର୍ତ୍ତ ଆସିଲା, ମୋ ପାଇଁ ତାହା ଆଉ ଆକର୍ଷଣୀୟ ମନେ ହେଉ ନ ଥିଲା । ଜୀବନ ତ ଏହିପରି ବିରୋଧାଭାସରେ ପୂର୍ଣ୍ଣ ଗୋଟେ ଅନୁଭବ । ସେଥିପାଇଁ, ହକିମ୍‌କହିଯାଇଥିବା ସତ୍ତ୍ୱେ ମୁଁ ଏଠୁ ଯିବା ପାଇଁ କୌଣସି ପ୍ରସ୍ତୁତି କଲିନାହିଁ । ମୋର ସେଥିପାଇଁ କୌଣସି ଆଗ୍ରହ ହେଉ ନ ଥିଲା । ଆଗରୁ କେତେ ଶହ ଥର ମୁଁ ପଳେଇଯିବା କଥା ମନେ ମନେ ଭାବିଥିବି ! ମାତ୍ର ଏବେ ଅସଲ ସମୟରେ ସେ ଆଗ୍ରହ ମନରୁ ମରିଯାଉଥିଲା । ମୋର ମନେହେଉଥିଲା, ବାହାଘର ରାତିରେ ଠକିଦେଇ ପଳେଇଥିବା ଗୋଟେ ଅବିଶ୍ୱସ୍ତ ସ୍ୱାମୀର ପତ୍ନୀ ଭଳି ମୋର ଆଉ କୌଣସି ଭବିଷ୍ୟତ ନାହିଁ । ଏଇ ଛେଳିଜୀବନ ମୋର ବର୍ତ୍ତମାନ, ଏଇ ପୁଣି ମୋର ଭବିଷ୍ୟତ । ଇବ୍ରାହିମ୍‌କାଦିର୍‌ମିଛଟାରେ ହକିମ୍‌ମନରେ ଏଠୁ ପଳେଇଯିବାର ଆଶା ସୃଷ୍ଟି କରିଛି । ସେସବୁ ବୃଥା ଆଶା, ତାହା ଆଦୌ ସଫଳ ହେବନାହିଁ । ଏପ୍ରକାର ଗୋଟେ ମିଛ ଆଶା ଦେଖାଇଥିବା ଯୋଗୁଁ ମୁଁ ମନେ ମନେ ସୋମାଲିଆ ନିବାସୀ ଇବ୍ରାହିମ୍‌କୁ ଗାଳିଦେଇଚାଲିଲି ।

 

ସେଦିନ ସଞ୍ଜରେ, ଆଶ୍ଚର୍ଯ୍ୟଜନକ ଭାବେ, ମୋ ମାଲିକ ମୋତେ ତାଙ୍କ ତମ୍ବୁ ଭିତରକୁ ଡାକିଲେ । ମୁଁ ଭିତରକୁ ଯିବାରୁ ସେ ମୋତେ ବସିବା ଲାଗି କହିଲେ । ମୁଁ ବିସ୍ମିତ ହେଲି । ଏମିତି ତ ସେ କେବେ ଆଦର ଦେଖାନ୍ତି ନାହିଁ । କହିଲେ, “ଶୁଣ୍‌, ଆଜି ମୋ ବଡ଼ଭାଇଙ୍କ ଝିଅର ବାହାଘର-। ଆମେ କେହି ଏଠି ରହିବୁ ନାହିଁ । ତେଣୁ ତୁ ରାତିସାରା ଚେଇଁକି ରହିବୁ ଓ ଛେଳିଙ୍କୁ ଜଗିବୁ । ରାତିରେ ବିଲୁଆ ଆସିପାରେ । ହୁସିଆର ରହିବୁ । ସାପ କଥା ତ ଜାଣିଛୁ । ତାଙ୍କୁ ଜଗିବା ପାଇଁ ପଡ଼ିବ । ଖାଲି ତ ବିଲୁଆ କି ସାପ ନୁହେଁ, ଚୋରଙ୍କ ପ୍ରତି ମଧ୍ୟ ସାବଧାନ ରହିବୁ । ସବୁଆଡ଼କୁ ଧ୍ୟାନ ଦେବୁ । ଗୋଟିଏ ଜାଗାରେ ବସିରହିଲେ ଚଳିବ ନାହିଁ । ମୁଁ ସକାଳେ ଆସିଲାବେଳେ ତୋ ପାଇଁ ଖୁବୁସ୍‌, ବିରିୟାନି ଏବଂ ମିଠେଇ ଆଣିବି । ବୁଝିଲୁ ? ତୁ ହେଲୁ ମୋର ବିଶ୍ୱସ୍ତ କର୍ମଚାରୀ । ଆଜି ପର୍ଯ୍ୟନ୍ତ ତୋ ଭଳିଆ ଭଲ ଲୋକ ମୁଁ କେବେ ପାଇ ନ ଥିଲି । ଆଗରୁ ଏଠି ଯେତେ ଆସି କାମ କରିଛନ୍ତି ସବୁଗୁଡ଼ାକ ନିର୍ଘାତ ଠକ ଓ ଅଳସୁଆ ଥିଲେ । ତୁ କିନ୍ତୁ କାମିକା ପିଲା । ସେଥିପାଇଁ ମୁଁ ତୋତେ ଭଲପାଏ, ତୋତେ ବିଶ୍ୱାସ କରେ । ଆଲ୍ଲା ତୋର ମଙ୍ଗଳ କରିବେ-।”

 

ମୁଁ ମୁଣ୍ଡହଲେଇ ମାଲିକଙ୍କ ସବୁକଥା ଶୁଣୁଥିଲି । ଏଇ ସୁଯୋଗ କଥା ବୋଧହୁଏ ହକିମ୍‌କହୁଥିଲା ! ତାହାହେଲେ ତ ଆଜି ରାତି ହେଉଛି ସବୁଠୁ ମାହେନ୍ଦ୍ର ମୁହୂର୍ତ୍ତ । ମୋ ମନଟା ପ୍ରଜାପତି ପରି ଉଡ଼ିବାକୁ ଲାଗିଲା । ମାତ୍ର ମୁଁ ସେ କଥା ମାଲିକଙ୍କୁ ଜାଣିବାକୁ ଦେଲିନାହିଁ । ଅନାସକ୍ତ ଭାବରେ ମୁଁ ତାଙ୍କ କଥା ଶୁଣି ତମ୍ବୁ ବାହାରକୁ ପଳେଇ ଆସିଲି । ଏତେଦିନର କଠୋର ପରିଶ୍ରମର ମୂଲ୍ୟ ତାହାହେଲେ ମାଲିକଙ୍କର ଏଇ କେଇପଦ କଥା । ଏହାଠାରୁ ବେଶି କିଛି ମୁଁ ପାଇବି ନାହିଁ । ଆଶା ମଧ୍ୟ କରିନାହିଁ ।

 

ସେଦିନ ରାତିରେ ଜଣେ ଅଚିହ୍ନା ଲୋକ ଗୋଟେ ଗାଡ଼ିରେ ଆସିଲେ । ସେ ପିନ୍‌ପିନ୍‌ଧଳା ପୋଷାକ ପିନ୍ଧିଥିଲେ । ତାଙ୍କର ସେ ଚକଚକିଆ ପୋଷାକ ଆଗରେ ମୋ ଚେହେରା ମାର୍ବଲ ଚଟାଣ ଉପରେ ମେଞ୍ଚାଏ ଗୋବର ପରି ଅପରିଷ୍କାର ଦିଶୁଥିଲା । କାହାକୁ ଯଦି ଅଳିଆ ଆବର୍ଜନାର ଚେହେରା ବୋଲି ଜଣେ ଚିତ୍ରଣ କରିବାକୁ ନମୁନା ଭାବେ ଖୋଜୁଥାଏ, ତାହାହେଲେ ସେ ନିର୍ବିବାଦରେ ମୋତେ ଗ୍ରହଣ କରିପାରିବ ।

 

ସେ ଲୋକଟି ସାଙ୍ଗରେ ଗାଡ଼ିରେ ବସି ମୋ ମାଲିକ ଚାଲିଗଲେ । ସେମାନେ ଗଲାପରେ ମୋ ଭିତରେ ମୁଁ ଅଦ୍ଭୁତ ପ୍ରକାର ଆନନ୍ଦ ଅନୁଭବ କଲି । ବାପାମାଆ କୌଣସି ଭୋଜିରେ ଯୋଗ ଦେବାଲାଗି ଚାଲିଗଲେ, ଘରେ ରହୁଥିବା ପିଲାଏ ଯେମିତି ସ୍ୱାଧୀନତାର ଆନନ୍ଦ ଅନୁଭବ କରନ୍ତି, ଇଏ ସେହିପ୍ରକାର ଆନନ୍ଦ । ମୁଁ ଖୁସିରେ ଅଧୀର ହୋଇ ମସାରା ଚାରିପଟେ ଦୌଡ଼ିଲି । ଚିତ୍କାର କଲି, ତାଳିମାରି କୁଦା ମାରିଲି । ତା’ପରେ ମୁଁ ହକିମ୍‌ର ମସାରା ଆଡ଼େ ଦଉଡ଼ିଲି । ହକିମ୍‌ବି ବେଶ୍‌ଖୁସିବାସିଆ ଦିଶୁଥିଲା । ମୋତେ ଦେଖିବାକ୍ଷଣି ସେ ମୋ ପାଖକୁ ଧାଇଁଆସିଲା । ତା’ ପାଖରେ ପହଞ୍ଚିଲାକ୍ଷଣି ସେ ମୋତେ କୁଣ୍ଢେଇ ଆଲିଙ୍ଗନ କଲା ଓ ମୋତେ ଗେଲ କରିପକାଇଲା । ମୁଁ ମଧ୍ୟ ତାକୁ ଆଲିଙ୍ଗନ କଲି । ମୋ ଆଖିରୁ ଲୁହ ବୋହିଯାଉଥାଏ । ହକିମ୍‌କହିଲା, “ଭାଇ, ମୁଁ ମୋ ମାଆ ପାଖକୁ ଯିବାକୁ ଚାହୁଛି, ମୋ ବାପାକୁ ଦେଖିବାକୁ ଚାହୁଛି । ମୋ ଭଉଣୀ ସାହିନାର ମୁହଁ ମୋର ମନେପଡ଼ୁଛି । ମୁଁ ଆଉ ମୁହୂର୍ତ୍ତେ ଏଠି ରହିପାରିବି ନାହିଁ ।”

 

ମୁଁ କହିଲି, “ବ୍ୟସ୍ତ ହଅନା । ଆଲ୍ଲାଙ୍କ ଇଚ୍ଛା ନିଶ୍ଚୟ ପୂରଣ ହେବ । ସିଏ ତ ଆମ ପାଇଁ ଏଇ ସୁଯୋଗ ଆଣି ପହଞ୍ଚାଇଛନ୍ତି । ଆଉ କେଇଘଣ୍ଟା ଅପେକ୍ଷା କର । ଆମ ସାଙ୍ଗରେ ଈଶ୍ୱର ଅଛନ୍ତି । ମନରେ ସାହସ ରଖ, ଧୈର୍ଯ୍ୟ ଧର ।” ମୁଁ ତା’ ପିଠି ଥାପୁଡ଼େଇ ପ୍ରବୋଧନା ଦେଲି ।

 

ଇବ୍ରାହିମ୍‌ ଗୋଟେ ଖଟ ଉପରେ ବସିଥିଲା । ମୁଁ ତା’ ପାଖକୁ ଯାଇ ଉତ୍କଣ୍ଠାର ସହ ପଚାରିଲି, ‘ଆମେ ଯିବାନାହିଁ କି ?’ ସେ ମୋ ଆଡ଼କୁ ଚାହିଁ ହସିଲା । ଖୁବ୍‌ନିରୀହ ସେ ହସ । ବସିବା ଜାଗାରୁ ଉଠିପଡ଼ି କହିଲା, “ବହୁତ କଷ୍ଟ ସହିଲଣି ନଜିବ୍‌, ଆଉ କିଛି ସମୟ ଅପେକ୍ଷା କର-। ଆରବୀ ମାଲିକମାନେ ଯାଇ ତାଙ୍କ ଜାଗାରେ ପହଞ୍ଚିଯାଆନ୍ତୁ । ତା’ପରେ ଆମେ ବାହାରିବା କାରଣ ସେମାନେ ଯେଉଁଠିକୁ ଯାଉଛନ୍ତି ସେଠୁ ଫେରିବାଲାଗି ତାଙ୍କୁ ବହୁତ ସମୟ ଲାଗିବ । ମନେରଖ, ଆମକୁ ଚାଲି ଚାଲି ଯିବାକୁ ପଡ଼ିବ । ଗାଡ଼ିଘୋଡ଼ା କିଛି ନାହିଁ । ଏବେ ତୁମେ ତମ ମସାରାକୁ ଯାଅ । ଆମେ ଏଠୁ ବାହାରିଲେ ତମକୁ ଖବର ଦେବୁ । ସାଙ୍ଗହୋଇ ବାହାରିବା ।”

 

ମୁଁ ମନେ ମନେ ଆଲ୍ଲାଙ୍କୁ କୃତଜ୍ଞତା ଜଣାଇଲି । ଶେଷରେ ତାହାହେଲେ ମୋର ନିର୍ଯାତନାର ଦିନ ସରିବାକୁ ଯାଉଛି ! ମୁଁ ଏ ଛେଳି ଗୁହାଳରୁ ମୁକୁଳିବି । ଏଠୁ ଗଲାପରେ କଅଣ କରିବି ସେକଥା ଚିନ୍ତା କରିବାକୁ ମନ ହେଉ ନ ଥାଏ । ଆଉ ଯାହା କାମ କଲେ ବି ଏଭଳି କଷ୍ଟ ତ ସହିବାକୁ ପଡ଼ିବ ନାହିଁ । ହେ ଆଲ୍ଲା, ଆପଣଙ୍କ ଦୟାର ସୀମା ନାହିଁ ।

 

ମୁଁ ମୋ ମସାରାକୁ ଫେରିଆସିଲି । ଖଟ ତଳେ ମୋ ବ୍ୟାଗ୍‌ଟା ଥିଲା । ଖରା, ବର୍ଷା, ପବନ, ଶୀତ ଓ ଝଡ଼ ସବୁ ସହି ସେ ବ୍ୟାଗ୍‌ସେଇଠି ପଡ଼ିରହିଥିଲା । ତା’ ଉପରେ ସତେ କି ଶହେ ବର୍ଷର ଧୂଳିବାଲି ଜମିଯାଇଥିଲା । ମୁଁ ବାଲିଗୁଡ଼ାକ ଝାଡ଼ି ବ୍ୟାଗ୍‌ର ଚେନ୍‌ଖୋଲିବାକୁ ଚେଷ୍ଟା କଲି । ମାତ୍ର ମୁଁ ଟାଣିବାକ୍ଷଣି ବ୍ୟାଗ୍‌ଟାର ଉପର ପଟି ଛିଣ୍ଡିଗଲା । ତା’ ଭିତରୁ ଗୋଟେ ପଚାଳିଆ ଗନ୍ଧ ଆସୁଥାଏ । ଅନେକ ଦିନ ହେଲା ମୁଁ ଏ ବ୍ୟାଗ୍‌ଖୋଲି ନ ଥିଲି । ଖୋଲିବାର କୌଣସି ପ୍ରୟୋଜନ ପଡ଼ି ନ ଥିଲା । ସାଇନୁ ଦେଇଥିବା ଆଚାର ତା’ ଭିତରେ ଥିଲା । ସେଗୁଡ଼ା ଶୁଖି କଳାପଡ଼ି ଏମିତି ଦିଶୁଥିଲା ଯେ ତାହା ଦିନେ ଆଚାର ଥିଲା ବୋଲି କେହି ଚିହ୍ନିପାରିବ ନାହିଁ । ପ୍ରଥମ କିଛିଦିନ ଏଇ ଆଚାରରୁ କିଛି କିଛି ଲଗେଇ ମୁଁ ଖୁବୁସ୍‌ଖାଇଥିଲି । ତା’ପରେ ଅବଶିଷ୍ଟ ଛାଡ଼ିଦେଇଥିଲି । ସେଇ ଆଚାର ଟିକକ ଥିଲା ସାଇନୁର ସ୍ମୃତି । ତାହାର ବାସ୍ନା କଥା ମୋତେ ତା’ ଦେହର ବାସ୍ନା ମନେ ପକାଇଦେଉଥିଲା । ତେବେ ଆଉ ଥରେ ଏଠୁ ଯାଇ ସାଇନୁକୁ ଭେଟିବାର ଆଶା ମଉଳି ଯିବାପରେ ମୁଁ ଆଉ ଏ ଆଚାର ବୋତଲକୁ ଖୋଲିନାହିଁ, ତାକୁ ସମ୍ପୂର୍ଣ୍ଣ ଭୁଲିଯାଇଥିଲି ।

 

ବ୍ୟାଗ୍‌ଭିତରେ ଥିବା ମୋର ଜାମା ପ୍ୟାଣ୍ଟ୍‌ହଳକ ମୁଁ ବାହାର କଲି । ଏଠିକି ଆସିବି ବୋଲି ମୁଁ ସେ ହଳକ ନୂଆ ସିଲେଇ କରାଇଥିଲି । ମୋର ସେ ନୂଆ ସାର୍ଟପ୍ୟାଣ୍ଟ୍‌ହଳକ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଥିଲା । ମରୁଭୂମିର ନିର୍ମମ ଖରା ଓ ପବନ ଲୁଣିପାଣିର ଖାରଠାରୁ ସୁଦ୍ଧା ଅଧିକ କ୍ଷତିକାରକ । ତାହାର ଆଘାତରୁ ଏ ଜାମାପ୍ୟାଣ୍ଟ୍‌ବଞ୍ଚିଥାଆନ୍ତା ବା କେମିତି ? ମୁଁ ମୋ ଜାମାପ୍ୟାଣ୍ଟ୍‌ଅବସ୍ଥା ଦେଖି ଭାବିଲି, ମୋ ନିଜ ଚେହେରା ତାହାହେଲେ କେମିତି ଦିଶୁଥିବ ! ଗୋଟେ ଲମ୍ବା ଦୀର୍ଘଶ୍ୱାସ ମୋ ପଞ୍ଜରା ଥରେଇ ବାହାରି ଆସିଲା । ଘରକୁ ନେଇକି ଯିବା ପାଇଁ ମୋ ପାଖରେ କିଛି ନାହିଁ । ମୁଁ ଶୂନ୍ୟହସ୍ତ କାଙ୍ଗାଳ । ରାଗରେ ବ୍ୟାଗ୍‌ଟାକୁ ଦୂରକୁ ଫିଙ୍ଗିଦେଲି ।
 

ସତେ କି ମୁଁ ଏଠୁ ପଳେଇଯାଉଥିବାର କଥା ଜାଣିପାରିଲା ଭଳି, ମସାରା ଭିତରର ଛେଳିଗୁଡ଼ାକ ବ୍ୟତିବ୍ୟସ୍ତ ହେଉଥିଲେ । ମୁଁ ଖୁଆଡ଼ ଭିତରକୁ ପଶିଗଲା କ୍ଷଣି ସେମାନେ ଧାଇଁଆସି ମୋ ଚାରିପଟେ ଘେରିଗଲେ । ତାଙ୍କ ଆଖିରୁ ତାଙ୍କର ପ୍ରଶ୍ନ ସବୁ ମୁଁ ପଢ଼ିପାରୁଥାଏ । ସେମାନେ ପଚାରୁଥାଆନ୍ତି, “ତୁମେ ପଳେଇଗଲା ପରେ ଆମ କଥା ଏଠି କିଏ ବୁଝିବ ? କିଏ ଆମକୁ ଖାଇବା ପିଇବାକୁ ଦେବ ? କିଏ ଆମକୁ ବୁଲେଇନେବ ?” ସତକଥା । ମୁଁ ଆଉ ଏଇ ଛେଳିମାନଙ୍କୁ ମୋ ଜୀବନରେ କେବେ ଭେଟିବି ନାହିଁ । କିନ୍ତୁ ମୁଁ କଅଣ କରିବି ? ମୁଁ ସେମାନଙ୍କୁ କହିଲି, “ତୁମେ ଯାହା କହୁଛ ଠିକ୍‌ । କିନ୍ତୁ ମୁଁ କଅଣ କରିବି ଭାଇ ? ଏଠି ରହିଲେ ମୁଁ ମରିଯିବି । ମୁଁ ତମମାନଙ୍କୁ ସମସ୍ତଙ୍କୁ ଭାରି ଭଲପାଏ । ତୁମମାନଙ୍କୁ ଛାଡ଼ି ଯିବା ପାଇଁ ମୋତେ କଷ୍ଟ ହେଉଛି । ମାତ୍ର ମୁଁ ଆଉ କଅଣ ବା କରିପାରିବି, କୁହ ? ତୁମରି ଭଲପାଇବା ତ ମୋତେ ଏତେଦିନ ବଞ୍ଚେଇ ରଖିଥିଲା । ମୁଁ ଏ ପୃଥିବୀର ଯୁଆଡ଼କୁ ଗଲେ ବି ତୁମମାନଙ୍କ କଥା ମୋର ମନେରହିବ । ତୁମମାନଙ୍କୁ କେବେହେଲେ ମୁଁ ଭୁଲିପାରିବି ନାହିଁ । ମୋର ଏ ଦୁର୍ଦ୍ଦିନରେ ତୁମେମାନେ ହିଁ ମୋ ସାଙ୍ଗରେ ଥିଲ । ଆଲ୍ଲା ମୋତେ ତୁମ ପାଖକୁ ଆଣିଥିଲେ । ସେଇଟା ମୋର ଭାଗ୍ୟରେ ଥିଲା । ଦେଖ, ଏଠି ମୁଁ କି ଅବସ୍ଥାରେ ପଡ଼ିରହିଛି ? ଏମିତି ଅବସ୍ଥାରେ କଅଣ କୌଣସି ମଣିଷ କେବେ ରହିପାରେ ? ମୁଁ ଆଲ୍ଲାଙ୍କୁ ଡାକୁଛି, ସେ ତୁମମାନଙ୍କୁ ଏ ଦୁର୍ଦ୍ଦଶାରୁ ମୁକ୍ତି ଦିଅନ୍ତୁ । ହେ ମୋର ଛେଳିମାନେ, ମୋର ଭାଇମାନେ, ମୋତେ ବିଦାୟ ଦିଅ । ମୋତେ ବିଦାୟ ଦିଅ ।”

 

ଛେଳିଗୁଡ଼ାକ ମୋ ପାଖ ଛାଡ଼ୁ ନ ଥାନ୍ତି । ଆରବୁ ରବୁଥିର ତ ମୋ ପାଖରେ ଛିଡ଼ାହେଇ ରହିଥାଏ । ମୁଁ ତା’ ମୁହଁକୁ ଧରି ଗେଲ କରିଦେଲି । ତାକୁ କହିଲି, ମୋ ପରେ ଏଠିକି ଯିଏ ଆସିବ ତା’ ପ୍ରତି ଟିକେ ଭଲ ବ୍ୟବହାର କରିବୁ । ତା’ ହାତ ଭାଙ୍ଗିଦେବୁ ନାହିଁ । (ଆଉ କେହି ଏଠିକି ଆସିବା ଅବଶ୍ୟ ମୁଁ ଆଦୌ ଚାହୁ ନ ଥିଲି ।) ତା’ ସହ ମିଳିମିଶି ରହିବୁ । ଝଗଡ଼ା କରିବୁ ନାହିଁ । ସେ ସବୁ ବୁଝିଲା ପରି ମୁଣ୍ଡ ହଲେଇଲା । ତା’ପରେ ମୁଁ ପୁଚକାରି ରମଣୀ ପାଖକୁ ଗଲି । ସେ କାନ୍ଦୁଥିଲା । ତା’ କାନ୍ଦ ଦେଖି ମୋତେ ବି କାନ୍ଦ ମାଡ଼ିଲା । ତାହାପରେ ମେରିମାଇମୁନା । ମୁଁ ତାକୁ ଗେଲ କରିଦେଲି । ସେ ମୋ ପିଠିକୁ ଚାଟିଦେଲା । ମୁଁ ତାକୁ କହିଲି, “ମୋ ପରେ ଯିଏ ଆସିବ, ତାକୁ ବି ତୁ ଆଦର କରିବୁ । ସେ ମନଦୁଃଖରେ ମୁଣ୍ଡ ହଲେଇଲା । ତା’ପରେ ଇନ୍ଦିପୋକ୍କର, ନନ୍ଦୁ ରାଘବନ୍‌, ପାରିପ୍‌ପୁ ବିଜୟନ, ଚାକି, ଆମିନି, କାଉସୁ, ରଫତ୍‌ । ମୁଁ ସମସ୍ତଙ୍କଠାରୁ ବିଦାୟ ନେଲି ।

 

ଛୋଟ ଛୋଟ ଛେଳିଛୁଆ ରହୁଥିବା ମସାରା ଭିତରକୁ ପଶିବାବେଳକୁ ମୋତେ ଭୀଷଣ କାନ୍ଦ ମାଡ଼ିଲା । ମୋତେ ଲାଗୁଥିଲା, ଏ ଛୁଆମାନଙ୍କର ଧାଈମା’ ଯେମିତି ତାଙ୍କୁ ଛାଡ଼ି ଚାଲିଯାଉଛି-। ସେମାନେ ବଞ୍ଚିବେ କମିତି ? ମୁଁ ସେଇ ଧାଈମା’, ମୋଅରି ହାତରେ ସେମାନେ ଜନ୍ମନେଇ ମାଟି ଉପରକୁ ଆସିଛନ୍ତି । ପ୍ରାୟ ସମସ୍ତେ ମୋଅରି ଆଗରେ ଜନ୍ମ ହେଇଛନ୍ତି । ମୁଁ ସେମାନଙ୍କୁ ମୋ ହାତରେ କ୍ଷୀର ପିଆଇଛି, ଘାସ ଖୁଆଇବା ଶିଖାଇଛି । ମୁହୂର୍ତ୍ତକ ଲାଗି ମୋର ନବିଲ୍‌କଥା ମନେପଡ଼ିଗଲା । ତାହାର ବିୟୋଗ କଥା ଚିନ୍ତାକରି ମୋତେ ବହୁତ କଷ୍ଟହେଲା । ମୁଁ ପିଙ୍କି, ଆସୁ, ରେଜିୟା ଏବଂ ଥାଇରାଙ୍କୁ କୋଳକୁ ଉଠେଇ ନେଇ ଗେଲ କଲି । ସବୁଦିନେ ମୁଁ ତାଙ୍କୁ ଧରିବାକୁ ଗଲେ ସେମାନେ ଦୂରକୁ ଦଉଡ଼ି ପଳାନ୍ତି । ଆଜି ସେମାନେ କେହି କୁଆଡ଼େ ଗଲେ ନାହିଁ-। ସମସ୍ତେ ମୋ ପାଖରେ ଠିଆହୋଇ ରହିଲେ । ମୋତେ ଆଉଜିପଡ଼ି ମୋ ଦେହରେ ଘଷିହେଲେ-। ମୁଁ ତାଙ୍କୁ କହିଲି, “ପିଲାମାନେ, ମୁଁ ଯାଉଛି । ତମେ ଦିନେ ବଡ଼ ହେବ । ତମର ଭାଗ୍ୟ କଥା ମୁଁ ଜାଣେ । ବଡ଼ହେଲାକ୍ଷଣି ତମକୁ ମାଲିକ ଘୋଷାରିନେଇ କଂସେଇଖାନାକୁ ପଠେଇଦେବେ । ମୁଁ ଆଲ୍ଲାଙ୍କୁ ଡାକୁଛି, ସେ ତୁମକୁ ସେ କଷ୍ଟ ସହିବାଲାଗି ଶକ୍ତି ଦିଅନ୍ତୁ । ଆମେ କେହି ଆମର ଭାଗ୍ୟ ବଦଳେଇ ପାରିବାନାହିଁ । ଆଲ୍ଲାଙ୍କୁ ପ୍ରାର୍ଥନା କରିବା ଛଡ଼ା ଏ ବିଚରା ନଜିବ୍‌ତୁମ ପାଇଁ ଆଉ ଅଧିକା କଅଣ କରିପାରିବ ?” ମୁଁ ଏତକ କହି ସେ ମସାରା ଭିତରୁ ଚାଲିଆସିଲି ।

 

ତା’ପରେ ମୁଁ ଓଟମାନଙ୍କ ମସାରାକୁ ଗଲି । ସେମାନେ ମୋ ଯିବାକଥା ଜାଣି ସତେ କି ମନଦୁଃଖ କରୁଥିଲେ । ଏହି ଓଟମାନେ କେବେ ମୋତେ କୌଣସି ହଇରାଣରେ ପକେଇନାହାନ୍ତି । ସେମାନେ ତାଙ୍କ ନିଜ ମନମୁତାବକ ଆସନ୍ତି ଓ ମନମୁତାବକ ଯାଆନ୍ତି । ତାଙ୍କ ଲାଗି ମୋତେ କିଛି କଷ୍ଟ କରିବାକୁ ପଡ଼େ ନାହିଁ । ମସାରାକୁ ଆସିଲେ ତାଙ୍କର ଖାଦ୍ୟ ଓ ପାଣି ଲୋଡ଼ାପଡ଼େ । ସେତିକି ପାଇଗଲେ ସେମାନେ ସନ୍ତୁଷ୍ଟ । ମୁଁ ତାଙ୍କ ଚେହେରାରୁ ଜାଣିପାରୁଥିଲି ଯେ ସେମାନେ ମୋତେ ଆଦର କରନ୍ତି । ତାଙ୍କ ଆଖିରୁ ତାଙ୍କର ସ୍ନେହ ମୁଁ ପଢ଼ିପାରୁଥିଲି । ତାଙ୍କଠାରୁ ବିଦାୟ ନେଉଛି ବୋଲି ଭାବିଲା ବେଳକୁ ମୋତେ କାନ୍ଦ ମାଡ଼ୁଥିଲା । ପଶୁ ହେଲେ ବି ସେମାନେ ଥିଲେ ମୋର ଆପଣାର । ତାଙ୍କୁ କୁଣ୍ଢାଇ ଧରି ମୁଁ ଗେଲ କଲି, ଆଉଁଶିଦେଲି ଓ ସେମାନଙ୍କ ପିଠି ଥାପୁଡ଼େଇଦେଲି । କହିଲି, ଏଠି ତ କେହି ମଣିଷ ନାହିଁ ଯେ ଯାହାଠାରୁ ମୁଁ ବିଦାୟ ନେଇପାରିବି । ମୋ ପାଇଁ ତୁମେମାନେ ହିଁ ସବୁକିଛି । ତେଣୁ ତୁମଠାରୁ ମେଲାଣି ମାଗି ଯାଉଛି । ଆଲ୍ଲା ସାକ୍ଷୀ ଅଛନ୍ତି, ମୁଁ ସବୁଦିନେ ତୁମମାନଙ୍କ ନିକଟରେ କୃତଜ୍ଞ ରହିବି ।

 

ମୁକ୍ତିର ରାସ୍ତାରେ ପାଦ ଥାପିବାବେଳେ ବି ମଣିଷକୁ ତାହାର ପୁରୁଣା ସ୍ମୃତି ପଛରୁ ଅଟକେଇ ରଖେ । ଅତୀତଠାରୁ ଦୂରକୁ ଯିବା ଏତେ ସହଜ ନୁହେଁ । ସେଥିପାଇଁ ମୋର ଏଇ ଆନନ୍ଦଦାୟକ ମୁହୂର୍ତ୍ତରେ ସୁଦ୍ଧା ମୋ ଭିତରେ କେମିତି ଏକ ଅପ୍ରକାଶ୍ୟ ବେଦନା ମୁଁ ଅନୁଭବ କରୁଥିଲି ।

 

ଦୂରରୁ ହକିମ୍‌ର ଡାକ ଶୁଭୁଥିଲା । ମୁଁ ମସାରା ଭିତରୁ ବାହାରି ପଦାକୁ ଆସିଲି । ଛେଳିଗୁଡ଼ାକ ଏକାଥରେ ମେଁ ମେଁ କରି ରଡ଼ିଛାଡ଼ିଲେ । ମାତ୍ର ମୁଁ ପଛକୁ ଫେରିଚାହିଁଲି ନାହିଁ । ପଛକୁ ଫେରି ଚାହିଁଥିଲେ ମୁଁ ହୁଏତ ଆଗକୁ ଗୋଡ଼ ବଢ଼େଇ ପାରି ନ ଥାନ୍ତି, ହୁଏତ ଏ ଜାଗା ଆଦୌ ଛାଡ଼ିପାରି ନ ଥାନ୍ତି । ହକିମ୍‌ଏବଂ ଇବ୍ରାହିମ୍‌କାଦିର୍‌ମୋ ଲାଗି ଅପେକ୍ଷା କରୁଥିଲେ । ମୁଁ ସେମାନଙ୍କ ପାଖରେ ପହଞ୍ଚିଲି । ଆମେ ତିନିହେଁ ମିଶି ଆଗକୁ ଗୋଡ଼ ବଢ଼େଇଲୁ, ଗୋଟେ ନୂଆ ପୃଥିବୀ ଆଡ଼କୁ, ଗୋଟେ ନୂଆ ଜୀବନ ଆଡ଼କୁ ।

 

ପଳାୟନ

ଏକତିରିଶ

 

ସାରା ରାତି ଆମେ ପାଗଳ ପରି ଦଉଡ଼ୁଥିଲୁ, ସତେ କି ପୃଥିବୀରେ ନିଆଁ ଲାଗିଯାଇଥିଲା । ମସାରା ପାଖରୁ କୌଣସି ନିର୍ଦ୍ଦିଷ୍ଟ ରାସ୍ତା କୋଉଆଡ଼କୁ ପଡ଼ି ନ ଥିଲା । ଏଠିକି ଆସୁଥିବା ଗାଡ଼ିଗୁଡ଼ିକର ଚକ ବାଲିରେ ଗୋଟେ ରାସ୍ତା ତିଆରି କରିଦେଇଥିଲେ । ସେଇ ରାସ୍ତା କଡ଼େ କଡ଼େ ଆମେ ଦଉଡ଼ୁଥିଲୁ । ଏ ରାସ୍ତା ଯାଇ କୋଉଠି ପହଞ୍ଚିବ, ସେ ବାବଦରେ ଆମର କୌଣସି ଧାରଣା ନ ଥିଲା । ବାଲିପାହାଡ଼ର ଏପଟେ ସେପଟେ ଘୂରିଘୂରି ଅଙ୍କାବଙ୍କା ବାଲି ରାସ୍ତାଟି ଦିଗ୍‌ବଳୟ ପାଖ ଗୋଟାଏ ପାହାଡ଼ର ଗଡ଼ାଣି ପାଖରେ ସରିବା ପରି ଲାଗୁଥିଲା । ତାହା ଆଗକୁ ମୁଁ ଆଉ କିଛି ଦେଖିପାରୁ ନ ଥିଲି । ମସାରାକୁ ଆସୁଥିବା ଗାଡ଼ିଗୁଡ଼ିକ ସେଇ ଯାଏ ଦିଶନ୍ତି, ତାହାପରେ ସେଇଠୁ ଅଦୃଶ୍ୟ ହୋଇଯାଆନ୍ତି । କେବଳ କିଛି ଧୂଳି ଓ ବାଲିର ଆସ୍ତରଣ ଯାହା କିଛି ସମୟ ପର୍ଯ୍ୟନ୍ତ ଆଖିକୁ ଦିଶେ । ଆମେ ଭାବୁଥିଲୁ, ଏ ରାସ୍ତାଟି ନିଶ୍ଚୟ ଯାଇ କୋଉଠି ନା କୋଉଠି ପହଞ୍ଚିଥିବ, ଏଥିରେ କୌଣସି ସନ୍ଦେହ ନାହିଁ । ତେବେ ସେ ଜାଗାରେ ଯାଇ ପହଞ୍ଚିବାଲାଗି ଆମକୁ କେତେ ସମୟ ଲାଗିବ, ସେ ବିଷୟରେ ଆମର କିଛି ଧାରଣା ନ ଥିଲା ।

ଆକାଶରେ ଉଜ୍ଜ୍ୱଳ ଜହ୍ନ, ତେଣୁ ଆଗର ରାସ୍ତା ଦେଖିବାଲାଗି କଷ୍ଟ ହେଉ ନ ଥାଏ । ଆମର ମନେ ହେଉଥାଏ ପ୍ରକୃତି ଏବଂ ଆଲ୍ଲା ଉଭୟେ ଆମ ସପକ୍ଷରେ ଅଛନ୍ତି । ଆମେ ଚୁପ୍‌ଚାପ୍‌ଦଉଡ଼ୁଥାଉ, ବାଟରେ କାହା ସହ କେହି କଥାବାର୍ତ୍ତା କରୁ ନ ଥାଉ କିମ୍ବା କାହାଆଡ଼କୁ ଅନଉ ନ ଥାଉ । ଖାଲି ଦଉଡ଼ୁଥାଉ । ଏହା ଭିତରେ ମନ ଭିତରେ ଗୋଟେ ଛନକା ସବୁବେଳେ ଥାଏ - କାଳେ ନିରାପଦ ଦୂରତ୍ୱରେ ପହଞ୍ଚିବା ଆଗରୁ ଆମକୁ କେହି ଚିହ୍ନିପକେଇ ଧରିନେବ ଓ ସେଇଠୁ ପୁଣି ଆମକୁ ଫେରେଇଆଣିବ । ଆମ ଭିତରେ ଡର ଥିଲା, ହୁଏତ ଆମକୁ କିଏ ଅନୁସରଣ କରୁଥିବ ଏବଂ କିଛି ସମୟ ପରେ ଆମ ପାଖରେ ସେ ଆସି ପହଞ୍ଚିଯିବ । ସେଥିପାଇଁ ପବନ ବୋହିଲେ ବି ମୋତେ ଲାଗୁଥାଏ ମୋ ମାଲିକଙ୍କ ଜିପ୍‌ର ଇଞ୍ଜିନ୍‌ଶବ୍ଦ ଶୁଭୁଛି । ତେଣୁ ମୁଁ ଦୌଡ଼ିବାର ବେଗ କ୍ରମାଗତ ବଢ଼େଇ ବଢ଼େଇ ଚାଲୁଥାଏ ।

ଏହିଭଳି ଭାବେ ଦୀର୍ଘ ସମୟ ଦଉଡ଼ିବା ପରେ ଆମେ ଗୋଟେ ଜାଗାରେ ପହଞ୍ଚିଲୁ ଯେଉଁଠି କଞ୍ଚାମାଟିର ଚିହ୍ନ ଦୁଇ ଆଡ଼କୁ ଲମ୍ବିଯାଇଥିଲା । ଗୋଟେ ବାମପଟକୁ ଯାଇଥିଲା ତ ଆଉଗୋଟେ ଡାହାଣ ପଟକୁ । କୋଉ ରାସ୍ତାରେ ଗଲେ ଆମେ ମୁଖ୍ୟ ରାଜପଥ ପାଖରେ ପହଞ୍ଚିପାରିବୁ ସେକଥା ଠଉରେଇବା ଥିଲା ପ୍ରକୃତରେ ମୁସ୍କିଲ୍‌ । ଆମେ ବେଶ୍‌କିଛି ସମୟ ଏହି ବାବଦରେ ଚିନ୍ତା କଲୁ । ଦୁଇପଟେ ଅନିଶ୍ଚିତତା । ଏଥିରୁ କୋଉଟା ଠିକ୍‌ରାସ୍ତା ତାହା ଆମକୁ ନିର୍ଣ୍ଣୟ କରିବାକୁ ପଡ଼ିବ । ପରସ୍ପର ଭିତରେ ଆଲୋଚନା କରି ଆମେ ବାଁପଟକୁ ଯାଇଥିବା ରାସ୍ତା ଧରିଲୁ ଓ ସେଇ ରାସ୍ତାରେ ଦଉଡ଼ିବାରେ ଲାଗିଲୁ ।

ଏହିଭଳି ଭାବରେ ଅନେକ ସମୟ ଧାଇଁବା ପରେ ଦୂରରୁ ଗୋଟେ ଆଲୋକର ରେଖା ଆମର ଦୃଷ୍ଟିଗୋଚର ହେଲା । ଆମେ କାନଡେରି ସେଇଟା କି ଶବ୍ଦ ବାରିବା ପାଇଁ ଚେଷ୍ଟା କଲୁ । ସେଇଟା ଗୋଟେ ଗାଡ଼ିର ଶବ୍ଦ ଥିଲା । ଗାଡ଼ିଟା ଖାଲଢିପରେ ଦୋହଲି ଦୋହଲି ଚାଲୁଥିଲା । ମୋତେ ଆଶ୍ୱସ୍ତ ଲାଗିଲା । ତାହାହେଲେ ଆମେ ଠିକ୍‌ଦିଗରେ ଆସିଛୁ ଏବଂ ଆଉ କିଛି ସମୟ ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଯିବୁ । ଥରେ ମୁଖ୍ୟ ରାସ୍ତାରେ ପହଞ୍ଚିଗଲେ ଆମର ଆଉ ଚିନ୍ତା ନାହିଁ-। କିଛି ନା କିଛି ଉପାୟ ମିଳିଯିବ । ହଠାତ୍‌ ଇବ୍ରାହିମ୍‌ ଆମକୁ ଗୋଟେ ବାଲିକୁଦ ପଛକୁ ଭିଡ଼ିନେଲା-। ସେଇ ଗାଡ଼ିଟା ଆମରି ଦିଗରେ ଆସୁଥିଲା । ଯଦି ସେ ଗାଡ଼ିର ଲୋକ ଆମକୁ ଦେଖିନିଅନ୍ତି ତାହାହେଲେ ଘୋର ବିପଦ । ଆମେ ଧରାପଡ଼ିଯିବୁ । ହୁଏତ ସେହି ଗାଡ଼ିରେ ଆମର ମାଲିକ ବସିଥାଇପାରନ୍ତି । ସିଏ ନ ହୋଇଥିଲେ ତାଙ୍କର ଚିହ୍ନାପରିଚିତ କେହି ଥାଇପାରନ୍ତି । ସିଏ ଯଦି ଆମକୁ ଚିହ୍ନିପକାନ୍ତି, ତାହାହେଲେ ଏଇଠୁ ହାତଗୋଡ଼ ବାନ୍ଧି ଆମକୁ ବାହାଘର ଭୋଜି ଜାଗାକୁ ନେଇଯିବେ । ଆମେ ଗାଡ଼ି ଚଳାଚଳ କରୁଥିବା ରାସ୍ତାରୁ ଦୂରେଇ ଗୋଟେ ବାଲିକୁଦ ପଛରେ ଛପିଗଲୁ । ଗାଡ଼ିଟା ଧୀର ମନ୍ଥର ଗତିରେ ଆମକୁ ଅତିକ୍ରମ କରି ଚାଲିଗଲା । ଆମଠୁଁ ଢେର୍‌ଦୂରକୁ ଗଲାପରେ ଆମେ ଜାଣିଲୁ ଯେ ସେଇଟା ଥିଲା ଗୋଟେ ମିନିଟ୍ରକ୍‌ । ଆମ ମସାରାକୁ ଚୋକଡ଼ ନେଇ ଯାଉଥିବା ପଠାଣ ଡ୍ରାଇଭର ସେଇଟାକୁ ଚଲଉଥିଲା । ସିଏ ମୋତେ ଚିହ୍ନେ । ଇବ୍ରାହିମ୍‌କହିଲା “ଆରେ, ସେ ତ ଆମକୁ ସାହାଯ୍ୟ କରିପାରିଥାନ୍ତା ।’’ ତା’ପରେ ସେ ବଡ଼ ପାଟିରେ ଚିତ୍କାର କଲା, “ଭାଇ, ଆମକୁ ଏଠୁ ଉଦ୍ଧାର କର ।” ମାତ୍ର ତାହାର ଚିତ୍କାର ସେଇ ମରୁଭୂମିର ବାଲି ଭିତରେ କୁଆଡ଼େ ମିଳେଇଗଲା । ସେତେବେଳକୁ ମିନିଟ୍ରକ୍‌ଟା ଆମଠାରୁ ଅନେକ ଦୂରକୁ ଚାଲିଯାଇଥିଲା । ଆମେ ତା’ ପାଖରେ ପହଞ୍ଚିବୁ ଭାବି କିଛି ବାଟ ଦୌଡ଼ିଲୁ; ମାତ୍ର ଲାଭ ହେଲା ନାହିଁ । ଗାଡ଼ିଟା ପ୍ରକୃତରେ ଅନେକ ଦୂରକୁ ଚାଲିଯାଇଥିଲା ।

 

ଆମମାନଙ୍କର ମନ ବିଷାଦରେ ବୁଡ଼ିଗଲା । ସମସ୍ତେ ନିଜ ନିଜର ଭାଗ୍ୟକୁ ନିନ୍ଦାକଲୁ । ସେତେବେଳେ ମୋର ମୋ ନିଜ ସମେତ ଆଲ୍ଲାଙ୍କୁ ସୁଦ୍ଧା ଗାଳିଦେବାକୁ ଇଚ୍ଛା ହଉଥିଲା । ଏତେବଡ଼ ସୁବର୍ଣ୍ଣ ସୁଯୋଗଟା ହାତ ପାଆନ୍ତାରୁ ଖସିଗଲା ! ମୁଁ ରାଗିକି ନିଜ ମୁଣ୍ଡବାଳ ଝିଙ୍କିହେଲି-

 

ଯାହା ଯିବାର ଥିବ ତାହା ଯିବ । ତାକୁ ଆମେ ଧରି ରଖିପାରିବା ନାହିଁ । ଯେଉଁଟା ଗଲାଣି ତାହା ପାଇଁ ମୁଣ୍ଡ କଚାଡ଼ି ଲାଭ ନାହିଁ । ଆମେ ହୁଏତ ଆଉ କିଛି ଉପାୟ ପାଇପାରନ୍ତି, ବ୍ୟସ୍ତ ହୁଅନାହିଁ । - ଇବ୍ରାହିମ୍‌କହିଲା ।

 

ଆମେ ସେଇଠି ଆଉ କିଛି ସମୟ ଅପେକ୍ଷା କରି ପରବର୍ତ୍ତୀ ଗାଡ଼ିକୁ ଅପେକ୍ଷା କଲୁ । ଚାରିପଟେ ବିସ୍ତୀର୍ଣ୍ଣ ବାଲି ଓ ବିସ୍ତାରିତ ଶୂନ୍ୟତା । ତା’ ଭିତରେ କୌଣସି ଗାଡ଼ିର ସୋର୍‌ଶବ୍ଦ ଶୁଭୁ ନ ଥାଏ । ମୁଁ ଆଲ୍ଲାଙ୍କୁ ପ୍ରାର୍ଥନା କରୁଥାଏ, “ଦୟାକରି ଆମର ଚିହ୍ନା ପରିଚୟ ଡ୍ରାଇଭର୍‌କାହାକୁ ଗାଡ଼ି ସହ ପଠାଇଦିଅନ୍ତୁ ।” ମାତ୍ର ଆମର ପ୍ରାର୍ଥନା କିନ୍ତୁ ଆଲ୍ଲା ଶୁଣିଲେ ନାହିଁ । ଆଉ କୌଣସି ଗାଡ଼ି ଆସିଲା ନାହିଁ ।

 

ଆମର ପ୍ରତ୍ୟେକ ନିଷ୍ପତ୍ତି ଆମର ଭବିଷ୍ୟତର ଜୀବନକୁ କୌଣସି ନା କୌଣସି ପ୍ରକାରେ ପ୍ରଭାବିତ କରିଥାଏ । ଆଜି ସେଦିନର କଥା ଚିନ୍ତା କଲେ ମୁଁ ଜାଣୁଛି, ଆମର ସେଇଠି ସେଇ ଜାଗାରେ ଅପେକ୍ଷା କରିବା ଉଚିତ ହୋଇଥାଆନ୍ତା; ମାତ୍ର ସେତେବେଳେ ଆମର ଚିନ୍ତାଧାରା ଭିନ୍ନ ଥିଲା । ଆମେ ବସିରହି ସମୟ ନଷ୍ଟ କରିବାକୁ ଚାହୁ ନ ଥିଲୁ । ଆମର ଧାରଣା ହୋଇଥିଲା ଯେ ଗୋଟିଏ ଜାଗାରେ ବସିରହିବା ମୂର୍ଖାମି ହେବ । ଆମକୁ ଯେତେଶୀଘ୍ର ସମ୍ଭବ ଅନେକ ଦୂରକୁ ଚାଲିଯିବା ଦରକାର । ସବୁ ମୁହୂର୍ତ୍ତରେ ଧରାପଡ଼ିଯିବାର ଆଶଙ୍କା ଆମକୁ ଆତଙ୍କିତ କରୁଥିଲା । ରାତି ପାହିଲାକ୍ଷଣି ସୂର୍ଯ୍ୟ ଉଇଁବ ଓ ଦିନ ଆଲୁଅରେ ଆମେ ଲୁଚିବା ଲାଗି ଜାଗା ପାଇବୁ ନାହିଁ । ମୋ ମାଲିକ ମସାରାରେ ଆସି ଯେତେବେଳେ ଦେଖିବେ ଯେ ମୁଁ ନାହିଁ, ସେତେବେଳେ ସେ ସାଙ୍ଗେ ସାଙ୍ଗେ ବାଇନୋକୁଲାର ଓ ବନ୍ଧୁକ ଧରି ତାଙ୍କ ଜିପ୍‌ରେ ବାହାରିଆସିବେ । ଆମେ ଏ ମରୁଭୂମିରେ ଯୋଉଠି ଥିଲେ ବି ସେ ଆମକୁ ଦେଖିପାରିବେ ଓ ଆମ ପାଖରେ ଆସି ପହଞ୍ଚିଯିବେ-। ତାହାପରେ ଆମର ଭାଗ୍ୟ ସେଇ ନରକଙ୍କାଳ ବୁଢ଼ାର ଭାଗ୍ୟ ପରି ହେବ । ଆମକୁ ମାରି ଏଇ ବାଲିରେ ପୋତିଦେବେ ଆମର ମାଲିକ । ସେକଥା ଭାବିଲା ବେଳକୁ ଭୟରେ ଆମ କଲିଜା ପାଣି ହେଇଯାଉଥିଲା । ତେଣୁ ଆମେ ଗୋଟାଏ ଜାଗାରେ ଅପେକ୍ଷା ନ କରି ଚାଲିବାରେ ଲାଗିଥିଲୁ । କାରଣ ଥରେ ପଳେଇ ଆସିଛୁ ଅର୍ଥ ଆମକୁ ପଳେଇ ଯିବାକୁ ପଡ଼ିବ । ଆଉ ଧରାପଡ଼ିବା କଥା ଚିନ୍ତା କରିହେବ ନାହିଁ ।

 

ଆମେ ଦଉଡ଼ୁଥିଲୁ । ଏଇଠି ମୁଁ ଆପଣମାନଙ୍କୁ ଗୋଟେ କଥା କହେ । ଜଣକର ଯଦି ବିପଦରେ ପଡ଼ିବାର ଥିବ ତାହାହେଲେ ସେ ଯେତେ ଯାହା କଲେ ବି ବିପଦରୁ ଖସି ପାରିବ ନାହିଁ ବରଂ ତା’ ପାଖକୁ ନୂଆ ନୂଆ ବିପଦ ଆସି ପହଞ୍ଚିବ । ଏଇଟା ମୁଁ ମୋ ଅଭିଜ୍ଞତାରୁ କହୁଛି । ଯୁକ୍ତି ଦୃଷ୍ଟିରୁ ଦେଖିବାକୁ ଗଲେ ଆମର ସେଇ ମିନିଟ୍ରକ୍‌ଯାଇଥିବା ଦିଗରେ ଦଉଡ଼ିବାର ଥିଲା; ମାତ୍ର ଆମେ ତାହାର ବିପରୀତ ଦିଗରେ ଧାଇଁଲୁ । ସେତେବେଳେ ଆମର ବୁଦ୍ଧିବୃତ୍ତି କିଛି କାମ କରୁ ନ ଥିଲା । ଆମେ ଏତେ ଆତଙ୍କିତ ହୋଇପଡ଼ିଥିଲୁ ଯେ କୋଉଟା ଠିକ୍‌ଓ କୋଉଟା ଭୁଲ୍‌ସେକଥା ଚିନ୍ତା କରିବାର ଶକ୍ତି ସେତେବେଳେ ହରେଇ ବସିଥିଲୁ । ଆଜି ସେସବୁ ମନେପଡ଼ିଲେ ମୁଁ ମନକୁ ଏଇଆ କହି ବୁଝାଏ ଯେ ମଣିଷ ଯାହା କଲେ ସୁଦ୍ଧା ତା’ର ଭାଗ୍ୟକୁ ବଦଳେଇ ଦେଇ ପାରିବ ନାହିଁ-। ଯାହା ଘଟିବାର ଥିବ ତାହାହିଁ ଘଟିବ । ଯେତେ ଯାହା ବାଡ଼େଇ କଚାଡ଼ି ହେଲେ ସୁଦ୍ଧା କିଛି ଲାଭ ହେବନାହିଁ ।

 

ଆମେ ଆମର ସବୁ ଶକ୍ତି ଲଗେଇ ଦଉଡ଼ୁଥିଲୁ । ଆମ ମାଲିକଙ୍କର ଜିପ୍‌ଅଛି, ମାତ୍ର ଆମ ପାଖରେ ଦଉଡ଼ିବା ପାଇଁ କେବଳ ଅଛି ନିଜ ନିଜର ପାଦ । ମରୁଭୂମିର ବିଭିନ୍ନ ଜାଗାରେ ବିଛାଡ଼ିହେଇ ମସାରାମାନ ରହିଛି । ସେସବୁ ମସାରାରେ ମଧ୍ୟ ଆମଭଳି ହତଭାଗ୍ୟମାନେ ଛେଳି ଚରଉଥିବେ । ଆମେ ଆସିବା ବାଟରେ ଦିଇଟା ମସାରା ଦେଖିଲୁ । ସେଗୁଡ଼ିକ ଦେଖି ଆମର ଭୟ ଆହୁରି ବଢ଼ିଯାଇଥିଲା । କାରଣ ଆମ ମସାରାର ମାଲିକମାନେ ସିନା ବାହାଘର ଭୋଜିକୁ ଯାଇଛନ୍ତି, ସବୁ ମସାରାର ମାଲିକ ତ ଭୋଜିକୁ ଯାଇ ନ ଥିବେ । ସେମାନେ ତାଙ୍କ ମସାରାରେ ଥିବେ ଏବଂ ଆମ ବେଶଭୂଷା ଦେଖି ଆମକୁ ଚିହ୍ନିପାରିବେ । ମାଲିକ କାହିଁକି, ଜଣେ ଚକ୍ଷୁହୀନ ସୁଦ୍ଧା ଆମର ଢଙ୍ଗରଙ୍ଗ ଦେଖି ଆମକୁ ପଳାତକ ଛେଳିଚରାଳି ବୋଲି ଜାଣିପାରିବ । ସେଥିପାଇଁ ଆମେ କାହାରି ନଜରରେ ଯେମିତି ନ ପଡ଼ିବୁ ସେମିତି ଚେଷ୍ଟା ଜାରି ରଖିଥାଉ । ଗାଡ଼ି ଚଳାଚଳ ରାସ୍ତାଠୁଁ ଦୂରେଇ ଆମେ ଦଉଡ଼ୁଥାଉ । ତେବେ ଏଥିରେ ମଧ୍ୟ ଗୋଟେ ସମସ୍ୟା ଥିଲା । ଆଗରୁ କହିଛି ଯେ ଆକାଶରେ ଉଜ୍ଜ୍ୱଳ ଜହ୍ନ ଆଲୋକ ବିଛେଇଥାଏ । ସେଇ ଆଲୁଅ ଆମକୁ ଧରାପକେଇବାକୁ ଯଥେଷ୍ଟ ଥିଲା । ଏକାଠି ତିନିଜଣଙ୍କୁ ଦେଖିଲେ ଯିଏ ନାହିଁ ସିଏ ସନ୍ଦେହ କରିବ-। ଆମର ବେଶପୋଷାକ ଦେଖି ସେ ଜାଣିଯିବ ଯେ ଆମେମାନେ ଛେଳିଚରାଳି । ସେଥିପାଇଁ ଆମେ ବାଲିକୁଦ ଗୁଡ଼ିକର ପଛେ ପଛେ ଦଉଡ଼ୁଥିଲୁ । ଏହାଦ୍ୱାରା ଆମେ ପଥଚାରୀଙ୍କ ଦୃଷ୍ଟିରୁ ଅବଶ୍ୟ ବର୍ତ୍ତିଗଲୁ ମାତ୍ର ଆଉ ଗୋଟେ ବଡ଼ ବିପଦ ମୁହଁରେ ପଡ଼ିଗଲୁ ।

 

ଗୋଟାଏ ବାଲିକୁଦ ପାଖ ଦେଇ ଆମେ ଚାଲୁଥାଉ । ଦେଖିଲୁ ସେଇଟା ଯାଇ ସିଧା ଗୋଟାଏ ମସାରା ପାଖରେ ପହଞ୍ଚିଛି । ଆମ ପାଖେ ଲୁଚିବା ପାଇଁ ସମୟ ନ ଥାଏ । ସେହି ମସାରାର କେହି ଜଣେ ଆମକୁ ଦେଖିଦେଲା । ତା’ଛଡ଼ା ନ ଦେଖିବ ବା କେମିତି ? କାରଣ ହକିମ୍‌ଦଉଡ଼ୁ ଦଉଡ଼ୁ ସିଧା ତା’ ଦେହରେ ଯାଇ ବାଡ଼େଇହେଇ ଯାଇଥିଲା । ସେ ଲୋକଟି ତଳୁ ଉଠି ଦେଖିଲାବେଳକୁ ତିନିଟା ଲୋକ ତାକୁ ଅତିକ୍ରମ କରି ଧାଇଁ ପଳଉଛନ୍ତି । ସେ ସେଇଠୁ ପାଟିକଲା, “ଚୋର, ଚୋର” । ସେଇ ମସାରାରେ ସିଏ ଏକୁଟିଆ ନ ଥିଲା । ତା’ ପାଟି ଶୁଣି ଅନ୍ୟମାନେ ଉଠିପଡ଼ିଲେ ଏବଂ ଆମ ପଛେ ପଛେ ଗୋଡ଼େଇଲେ ।

 

ପାଟିତୁଣ୍ଡ ଶୁଣି ତାଙ୍କ ମାଲିକ ଉଠିପଡ଼ିଥିଲେ । କାରଣ ଆରବୀ ଭାଷାରେ କେହିଜଣେ କିଛି କହୁଥିବା ଆମେ ଶୁଣିଲୁ । ହଠାତ୍‌ଜଣେ ଆସି ମୋତେ ପଛରୁ ଧକ୍କାଟାଏ ଦେଲା ଓ ମୁଁ ମୁହଁମାଡ଼ି ତଳେ ପଡ଼ିଗଲି । ଏହାର ପର ମୁହୂର୍ତ୍ତରେ ମୁଁ ବନ୍ଧୁକର ଶବ୍ଦ ଶୁଣିଲି । ମୁଁ ଯଦି ସେଇ ସମୟରେ ତଳେ ମୁହଁମାଡ଼ି ପଡ଼ି ନ ଥାନ୍ତି ତାହାହେଲେ ସେ ଗୁଳିଟା ମୋ ଦେହରେ ବାଜିଥାନ୍ତା । ଇବ୍ରାହିମ୍‌କହିଲା, “ଜମା ଉଠନା । ସେମିତି ଶୋଇରହିଥା ।” ଆମେ ତଳେ ଶୋଇରହିଥାଉ । ମସାରାର ଲୋକମାନେ ଆଗପଛ ଅନେଇ ଆମକୁ ପାଇଲେ ନାହିଁ । ଏଥିରେ ନିଶ୍ଚୟ ସେମାନେ ଆଶ୍ଚର୍ଯ୍ୟ ହୋଇଥିବେ । ହୁଏତ ସେମାନେ ଆମକୁ ଭୂତ ବୋଲି ଭାବିଥିବେ । ନ ହେଲେ ଚାହୁଁ ଚାହୁଁ ତିନିଟା ମଣିଷ ଉଭାନ୍‌ହୋଇଯାଇଥାଆନ୍ତେ କିପରି ? ସେଇ ସୁଯୋଗରେ ଆମେ ତିନିଜଣ ହାମୁଡ଼େଇ ହାମୁଡ଼େଇ ଗୋଟେ ବାଲିପାହାଡ଼ ପଛରେ ଯାଇ ଛପିଗଲୁ । ଚୁପ୍‌ଚାପ୍‌ସେଇଠି ବସି ଲକ୍ଷ୍ୟ କଲୁ, ସେମାନେ କୁଆଡ଼େ ଯାଉଛନ୍ତି । କିଛି ସମୟ ପରେ ସେମାନେ ସମସ୍ତେ ଫେରିଯିବା ପରେ ଆମେ ସେ ଜାଗାରୁ ବାହାରି ପୁଣି ଚାଲିବା ଆରମ୍ଭ କଲୁ ।

 

ସେଇ ଦଉଡ଼ିବା ଓ ଚାଲିବା ଭିତରେ ମୁଁ ଇବ୍ରାହିମ୍‌କୁ ତା’ର ବୁଦ୍ଧି ଓ ସାଧାରଣଜ୍ଞାନ ପାଇଁ ଧନ୍ୟବାଦ ଜଣାଇଲି । ସେ ଠିକ୍‌ସମୟରେ ମୋତେ ଠେଲି ତଳେ ପକେଇ ଦେଇ ନ ଥିଲେ ଆରବୀ ମାଲିକ ଗୁଳିରେ ମୋର ଜୀବନ ଯାଇଥାଆନ୍ତା । ତେବେ ମୋ କଥା ଶୁଣି ସେ ଆଶ୍ଚର୍ଯ୍ୟ ହେଲା । କହିଲା, “ମୁଁ କେତେବେଳେ ତୋତେ ଧକ୍କା ମାରିଲି ? ତୁ ତ ମୋ’ ହାତପାଆନ୍ତାରେ ନ ଥିଲୁ । ତା’ପରେ ପଛରୁ କିଏ ଗୋଟେ ବନ୍ଧୁକ ମାରିବ ବୋଲି ମୁଁ ସେତେବେଳେ ଆଦୌ ଆଶଙ୍କା କରୁ ନ ଥିଲି ।”

 

ତାହାହେଲେ କଅଣ ହକିମ୍‌ତୁ ମୋତେ ଠେଲି ଦେଇଥିଲୁ ? –ମୁଁ ପଚାରିଲି ।

ନା, ମୁଁ ଠେଲିନାହିଁ । –ହକିମ୍‌କହିଲା ।

 

ତାହାହେଲେ ମୁଁ ପଡ଼ିଗଲି କେମିତି ? ମୁଁ ଆଶ୍ଚର୍ଯ୍ୟ ହେଲି । ବୋକାଙ୍କ ଭଳି ଚାରିଆଡ଼କୁ ଅନେଇଲି । କେହି ନାହିଁ । ସେତିକିବେଳେ ଯାଇ ମୁଁ ଅନୁଭବ କଲି ଆଉଜଣେ ଅଦୃଶ୍ୟ ଭାବରେ ଆମ ସାଙ୍ଗରେ ଅଛନ୍ତି । ମୁଁ ଉପରକୁ ଅନେଇଲି । କୃତଜ୍ଞତାରେ ମୋ ଆଖିରୁ ଧାରଧାର ଲୁହ ବୋହିଗଲା ।

 

ବତିଶ

 

ରାତିସାରା ବାଲିକୁଦ, ପାହାଡ଼, ଖାଲଖମା ଓ ବାଲି ରାସ୍ତାରେ ପଡ଼ିଉଠି ଆମର ଧାଁଦଉଡ଼ ଚାଲିଥିଲା । ସକାଳର ଆଲୁଅ ଫିଟିବା ପରେ ଆମର ଯାତ୍ରା ବନ୍ଦ ହେଲା । ରାତିରେ ଥରେ ଜହ୍ନ ଆଲୁଅ ଅଦୃଶ୍ୟ ହୋଇଯାଇଥିଲା ଏବଂ ସେହି ସମୟତକ ଏ ମରୁଭୂମିଟା ଆମକୁ ଗୋଟେ ଅନ୍ଧାରର ବଡ଼ ଗୁମ୍ଫା ପରି ଲାଗିଥିଲା । ତାହା ସତ୍ତ୍ୱେ ଆମେ ଆମର ଦଉଡ଼ ବନ୍ଦ କରି ନ ଥିଲୁ, ବାଟଅବାଟ ନ ମାନି ଆଗକୁ ଦଉଡ଼ିଥିଲୁ ।

 

ପ୍ରଥମେ ହକିମ୍‌ ଅଟକିଲା । ଊଦ୍ଧ୍ୱର୍ଶ୍ୱାସ ହେଇଯାଇଥିଲା ସେ । କହିଲା, “ଭାଇ, ଢେର୍‌ହେଇଗଲା । ଆଉ ମୁଁ ଧାଇଁପାରିବି ନାହିଁ କି ଚାଲି ପାରିବି ନାହିଁ । ମୋତେ ଟିକିଏ ବିଶ୍ରାମ ଦରକାର ।” ସେ ଏକଥା କହୁ କହୁ ବାଲି ଉପରେ ପଡ଼ିଗଲା । ଆମେ ଅନୁମାନ କରିପାରୁଥିଲୁ ଯେ ଏହା ଭିତରେ ଆମେ ଗୁଡ଼ାଏ ବାଟ ଅତିକ୍ରମ କରିଆସିଛୁ ଏବଂ ଏତେ ଶୀଘ୍ର ଆଉ ଧରାପଡ଼ିବୁ ନାହିଁ । ସେଇଆ ଭାବି ମୁଁ ମଧ୍ୟ ହକିମ୍‌ପାଖରେ ବସିପଡ଼ିଲି । ବାସ୍ତବରେ ମୁଁ ଅସମ୍ଭବ ଭାବେ ହାଲିଆ ହେଇପଡ଼ିଥିଲି ଏବଂ ମୋର କିଛି ସମୟ ବିଶ୍ରାମ ନିହାତି ପ୍ରୟୋଜନ ଥିଲା । ପାଦ ଯୋଡ଼ିକ ବିନ୍ଧାଛିଟିକା କରୁଥିଲା । ମୁଁ ଗୋଟେ କୁକୁର ପରି ଧକେଇ ହେଉଥିଲି । ଏଣେ ପାଟିଟା ଶୋଷରେ ଏମିତି ଶୁଖିଯାଇଥାଏ ଯେ ତହିଁରୁ ଶବ୍ଦଟିଏ ସୁଦ୍ଧା ବାହାରୁ ନ ଥାଏ । ଜୋର୍‌ରେ ଛାତି ଧଡ଼ପଡ଼ ହେଉଥାଏ । ଲାଗୁଥାଏ ତା’ ଭିତରର ପଞ୍ଜରାହାଡ଼ ଗୁଡ଼ିକ ସତେ କି ଭାଙ୍ଗିଯିବ ! ମୋ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଯାଉଥାଏ । ବାହାରର ଦୃଶ୍ୟ କିଛି ଦିଶୁ ନ ଥାଏ । କିଛି ସମୟ ବାଲି ଉପରେ ବସିଲା ପରେ ମୋର ଶୋଇବାକୁ ଇଚ୍ଛା ହେଲା । ସେ ଜାଗାଟାରେ ସାପ ଅଛନ୍ତି କି ବିଛା ଅଛନ୍ତି ସେକଥା ଚିନ୍ତା ନ କରି ମୁଁ ଚଉକାତ ମେଲେଇ ଶୋଇଗଲି । ତା’ ଆଗରୁ ଅନେଇ ଦେଖିଲି, ଇବ୍ରାହିମ୍‌ ମୁହଁରେ କ୍ଳାନ୍ତିର କୌଣସି ଚିହ୍ନ ନାହିଁ । ସେ ଆମ ପାଖକୁ ଆସି ବସିଲା ଓ କଥାବାର୍ତ୍ତା କରିବାକୁ ଲାଗିଲା, ସତେ କି ଯାଇତାଇ କିଛି କାମ କରିସାରି ସେ ଟିକିଏ ହାୱା ଖାଉଛି-। ତାହାର ସେ ଅଦମନୀୟ ବ୍ୟକ୍ତିତ୍ୱ ଓ ଚେହେରା ପାଖରେ ଆମେ ଦିଇଟା ଦୁର୍ବଳ ବୁଲାକୁକୁର ପରି ଦିଶୁଥିଲୁ ।

 

ସକାଳ ଆକାଶରେ ନୂଆ ସୂର୍ଯ୍ୟ ଉଙ୍କିମାରିଲା । ଆଉଗୋଟେ ସକାଳ । ସ୍ୱାଧୀନତାର ସକାଳ, ନୂଆ ଜୀବନର ସକାଳ । ଏ ସୂର୍ଯ୍ୟ ଏବଂ ଏହି ସକାଳ ଯେମିତି ଆମକୁ ନୂଆ ଜୀବନର ରାସ୍ତାରେ ଆଗେଇଯିବା ଲାଗି ଇସାରା ଦେଉଥିଲା । ଇବ୍ରାହିମ୍‌ର ପାଟି ଶୁଣି ମୋ ନିଦ ଭାଙ୍ଗିଗଲା-। ସେ କେତେବେଳୁ ମୋତେ ଡାକୁଥିଲା ମୁଁ ଜାଣେନାହିଁ । ମୁଁ ଧଡ଼ପଡ଼ ହେଇ ଉଠିପଡ଼ିଲି, କାରଣ ମୋର ମନେ ହେଉଥିଲା ମୁଁ ମସାରାରେ ଛେଳିମାନଙ୍କ ସାଙ୍ଗରେ ଶୋଇଛି । ସେଠୁ ଯେ ପଳେଇ ଆସିଛି ସେକଥା ମୋର ଖିଆଲ ନ ଥିଲା । ପଥଶ୍ରମ ଯୋଗୁଁ ଗାଢ଼ ନିଦ୍ରା ମୋତେ ଘୋଟିବସିଥିଲା-। ପ୍ରଥମେ ତ ମୁଁ ଇବ୍ରାହିମ୍‌ର ପାଟିଶୁଣି ଭାବିଥିଲି ମୋ ମାଲିକ ମୋତେ ଡାକୁଛନ୍ତି । ମାତ୍ର ମୁଁ ଆଖି ଖୋଲି ଅନେଇବା ପରେ ବୁଝିଲି ଯେ ମୁଁ ମସାରାରେ ନାହିଁ । ମୋ ଆଗରେ ଛେଳି ନାହାନ୍ତି କି ଓଟ ନାହାନ୍ତି । ପାଖରେ ମାଲିକଙ୍କ ତମ୍ବୁ ନାହିଁ କି ମାଲିକ ନାହାନ୍ତି । ମୋ ପାଖରେ ହକିମ୍‌ ଶୋଇଥିଲା । ସେଇଠୁ ମୋର ଚେତା ପଶିଲା । ମୁଁ ହକିମ୍‌କୁ ହଲେଇ ଡାକିଲି, “ଏଇ ହକିମ୍‌, ଉଠ୍‌ । ଦେଖ୍‌, ଆମେ ଆସି କୋଉଠି ପହଞ୍ଚିଛନ୍ତି ଉଠିକି ଦେଖ୍‌ । ଏମିତି ଶୋଇକି ରହିଛୁ କାହିଁକି ? ଆମର ସେ ନର୍କ-ଜୀବନ ସରିଯାଇଛି । ଏବେ ଆମେ ମୁକ୍ତ, ଆମେ ସ୍ୱାଧୀନ । ଚିରଦିନ ଲାଗି ଆମେ ମୁକ୍ତ । ଆଲ୍ଲା, ଆପଣଙ୍କୁ ଅଶେଷ ଧନ୍ୟବାଦ । ଆପଣଙ୍କ କରୁଣାର ସୀମା ନାହିଁ । କେଉଁ ଭାଷାରେ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଇବି ?” ହକିମ୍‌ତଥାପି ନିଘୋଡ଼ ନିଦରେ ଶୋଇରହିଥିଲା । ମୁଁ ତାକୁ ହଲେଇଦେଇ ଡାକିଲି । ଏଥର ସେ ମୋ ହାତକୁ ଠେଲିଦେଇ କଡ଼ ବୁଲେଇଲା ଓ ପୁଣି ଶୋଇପଡ଼ିଲା । ସେ ଏମିତି ନିଶ୍ଚିନ୍ତ ନିଦରେ ଶୋଇରହି ତା’ ସ୍ୱାଧୀନତାକୁ ଉପଭୋଗ କରୁଥିଲା । କାରଣ, ଏମିତିକା ଆରାମ ବହୁଦିନ ହେଲା ସେ ପାଇ ନ ଥିଲା । ମନଇଚ୍ଛା ଶୋଇବାର ସ୍ୱାଧୀନତା କଅଣ ସହଜରେ ଜଣକୁ ମିଳେ ? ମୁଁ ଆଉ ତାକୁ ଉଠେଇଲି ନାହିଁ । ସେ ଶୋଇଥାଉ । ମୁଁ ହାତଗୋଡ଼ ସଳଖ କରି ବାଲିରୁ ଉଠିଲି । ଚାରିଆଡ଼କୁ ମନ ପୂରେଇ ଦେଖିଲି । ଚାରିପଟେ ଛୋଟ ଛୋଟ ପାହାଡ଼ ଓ ବାଲିବନ୍ତ । ଏସବୁ ବାଲିପାହାଡ଼ ପବନ ତିଆରି କରିଦେଇଥାଏ । ଚାରିଆଡ଼ୁ ବାଲି ଉଡ଼େଇ ଆଣି ଗୋଟାଏ ଜାଗାରେ ଗଦା କରିଦିଏ ପବନ । ଏହି ପାହାଡ଼ ଓ ବାଲିବନ୍ତକୁ ଡେଇଁ ମୋ ଦୃଷ୍ଟି ବେଶି ଦୂର ଯାଇପାରୁ ନ ଥାଏ । ମୁଁ ଇବ୍ରାହିମ୍‌ କାଦିର୍‌କୁ ଖୋଜିଲି । ସେ ଗୋଟେ ବାଲିବନ୍ତ ଉପରେ ଛିଡ଼ାହୋଇ ଦୂରକୁ ଅନଉଥାଏ-

 

“ଇବ୍ରାହିମ୍‌, ଏଠୁ କୌଣସି ରାସ୍ତାଘାଟ ଦିଶୁଛି ନା ନାଇଁ ?” –ମୁଁ ତାକୁ ପଚାରିଲି । ସେ କିଛି କହିଲା ନାହିଁ । ହାତଠାରି ମୋତେ ତା’ ପାଖକୁ ଡାକିଲା । କଅଣ ଦେଖାଇବା ଲାଗି ମୋତେ ଡାକୁଛି ଭାବି ମୁଁ ବଡ଼ ଉତ୍ସୁକତାର ସହ ତା’ ପାଖକୁ ଗଲି । ବାଲିବନ୍ତ ଉପରେ ଛିଡ଼ାହେଇ ଚାରିଆଡ଼କୁ ଅନେଇଲି । ମୋ ଚାରିପାଡ଼େ ମରୁଭୂମି, ବିସ୍ତୀର୍ଣ୍ଣ ମରୁଭୂଇଁ । ଆଖି ପାଉଥିବା ଯାଏ ଲମ୍ବିଯାଇଥାଏ ବାଲିଭର୍ତ୍ତି ମରୁଭୂମି । କୋଉଠି ବାଲି ଭିନ୍ନ କିଛିହେଲେ ଦିଶୁ ନ ଥାଏ । କେବଳ ବାଲି ଆଉ ବାଲି । ବାଁପଟେ, ଡାହାଣ ପଟେ, ଆଗରେ ଓ ପଛରେ କେବଳ ବାଲି । ଏ ଦିଗ୍‌ବଳୟରୁ ସେ ଦିଗ୍‌ବଳୟ ପର୍ଯ୍ୟନ୍ତ ବିସ୍ତୃତ ବାଲିର ମହା ମରୁଭୂମି । ବାଲିଛଡ଼ା ଆମେ ଆଉ କିଛି ଦେଖିପାରୁ ନ ଥିଲୁ । ନା ଗଛ, ନା ଲତା, ନା ପାହାଡ଼ କିଛି ନାହିଁ । ଖାଲି ବାଲି ଆଉ ବାଲି ଆଉ ବାଲି ।

 

Unknown

ଏତିକିବେଳେ ଯାଇ ମୋର ଗୋଟେ ମୋଟାମୋଟି ଧାରଣା ହେଲା ଯେ ଆମେମାନେ ଆସି କୋଉଠି ପହଞ୍ଚିଛୁ । କାଲି ରାତିରେ ପ୍ରାଣ ବଞ୍ଚେଇ ଦଉଡ଼ିବା ଭିତରେ ଆମେ କେତେବେଳେ ଟାଣ ମାଟି ଛାଡ଼ି ବାଲି ରାସ୍ତାରେ ପାଦଦେଇଛୁ ସେ କଥା ଜାଣିପାରି ନ ଥିଲୁ । ଏକଥା ବି ମୁଁ ବୁଝିପାରିଲି, ଆମେ ଭୁଲ୍‌ରାସ୍ତାରେ ଆସିଛୁ । ମୋ ଦେହ ଭୟରେ ଶୀତେଇଗଲା । ମୁଁ ଇବ୍ରାହିମ୍‌ଖାଦିର୍‌ର ମୁହଁକୁ ଚାହିଁଲି । ତା’ ଚେହେରାରେ ଉଦ୍‌ବେଗ ସଫା ସଫା ପଢ଼ିହେଉଥିଲା । କେବଳ ହକିମ୍‌ହିଁ ସେ ପର୍ଯ୍ୟନ୍ତ ଆମର ସମସ୍ୟା କଥା ଜାଣି ନ ଥିଲା । କାରଣ ସେ ପର୍ଯ୍ୟନ୍ତ ସେ ନିଘୋଡ଼ ନିଦରେ ଶୋଇଥିଲା ।

 

ଇବ୍ରାହିମ୍‌ ଓ ମୁଁ ପରସ୍ପରକୁ ଚାହିଁଲୁ । ଆମେ କୋଉ ଦିଗରେ ଆସିଲୁ ? କୋଉଠି ଆସି ପହଞ୍ଚିଛୁ ? ଏଇଠୁ ଆମେ କୋଉ ଦିଗରେ ଯିବା ଉଚିତ ହେବ ? ପୂର୍ବ, ପଶ୍ଚିମ, ଉତ୍ତର ନା ଦକ୍ଷିଣ-? କୋଉ ଦିଗରେ ଗଲେ ଆମେ ଠିକଣା ରାସ୍ତା ପାଇବୁ ? କିଏ ଜାଣେ ? ଆମ ଚାରିପଟେ ତ କେବଳ ବାଲି । ଅନ୍ୟ ସମୟ ହୋଇଥିଲେ ମରୁଭୂମିର ଏ ବିଶାଳ ବିସ୍ତୃତ ଦୃଶ୍ୟ ହୁଏତ ଆମକୁ ଭଲ ଲାଗିଥାଆନ୍ତା । ସିନେମା ପରଦାରେ ଦେଖିଲା ଭଳି ଏ ଦୃଶ୍ୟ ମନ ଭିତରେ ନୂଆ ଶିହରଣ ସୃଷ୍ଟି କରିଥାନ୍ତା । ମାତ୍ର ଏ ସମୟ କଳ୍ପନାର ସମୟ ନୁହେଁ । ବାଲିକୁ ଦେଖି ମନ ଏଠି ଖୁସି ନୁହେଁ ଭୟରେ ସାଙ୍କୁଡ଼ି ଯାଉଛି । ଭୟ ଲାଗୁଛି । ଏମିତି ମନେହେଉଛି ଯେମିତି ଏଇ ବାଲି ଭିତରେ ଆମେ ହଜିଯିବୁ ଅଥବା ଏଇ ବାଲି ଆମକୁ ପୋତିପକାଇବ ।

 

ଆମ ଚାରିପଟେ ବାଲିର ମହାସମୁଦ୍ର । ଏ ସମୁଦ୍ର ପାରିହେବା ପାଇଁ ମରୁଭୂମିର ଡଙ୍ଗା କି ବୋଟ୍‌ନୁହେଁ ମରୁଭୂମି ଜାହାଜ ଓଟର ଆବଶ୍ୟକ । ଆମେ ଏହାକୁ ଖାଲିପାଦରେ ଅତିକ୍ରମ କରିବୁ କିପରି ? ନା, ତାହା ଆଦୌ ସମ୍ଭବ ନୁହେଁ । ସେ ବିସ୍ତୀର୍ଣ୍ଣ ବାଲୁକାମୟ ମରୁଭୂମିକୁ ଦେଖି ମୋ ମନରୁ ସବୁ ଆଶା ଓ ଆଗ୍ରହ ମରିଗଲା । ମୁଁ କିଛି ଥଳକୂଳ ପାଉ ନ ଥାଏ । ହେ ଆଲ୍ଲା, ଆମେ ଏଠୁ କେମିତି ରକ୍ଷା ପାଇବୁ ? ଆମ ପାଖରେ ଖାଇବା ପାଇଁ ମୁଠାଏ ଖାଦ୍ୟ ନାହିଁ କି ପିଇବା ପାଇଁ ଟୋପାଏ ପାଣି ନାହିଁ । ଆଉ ଟିକକ ପରେ ଖରା ଟାଣ ହେବ । ସେତେବେଳେ ଏ ବାଲି ତାତିଯିବ । ତହିଁରେ ପାଦ ପକେଇବା ବି ଅସମ୍ଭବ ହେଇଯିବ । ତା’ଛଡ଼ା ସେ ବାଲିରୁ ଯେଉଁ ତତଲା ବାମ୍ଫ ବାହାରିବ ସିଏ ଆମକୁ ଜାଳିପୋଡ଼ି ଦେବ । ଏତେବେଳେ ଆଲ୍ଲା ସାହାଯ୍ୟ ନ କଲେ ଆମେ କ୍ଷଣକ ପାଇଁ ସୁଦ୍ଧା ଠିଆହେଇ ପାରିବୁ ନାହିଁ । ଶୁଖିଲା ଘାସ ପରି ଏଇ ତତଲା ବାଲିରେ ସିଝି ଟଳିପଡ଼ିବୁ । ହେ ଆଲ୍ଲା, ଆପଣ ହିଁ ଆମର ଶରଣଦାତା, ଆମର ତ୍ରାଣକର୍ତ୍ତା । ଆମକୁ ରକ୍ଷା କରନ୍ତୁ ।

 

“ଇବ୍ରାହିମ୍‌, ତମର ମନେଥିବ, ଆମେ କାଲି ଦିନସାରା ପଶ୍ଚିମମୁହାଁ ଦଉଡ଼ୁଥିଲେ । ମୋର ମନ କହୁଛି ସେଇ ଦିଗରେ ହିଁ ଚାଲିବା । ସେଇ ରାସ୍ତା ଆମକୁ ରାଜପଥ ପାଖରେ ପହଞ୍ଚେଇବ ।” -ମୁଁ କହିଲି ।

 

ମୋତେ କିଛି ଉତ୍ତର ନ ଦେଇ ଇବ୍ରାହିମ୍‌ଅସ୍ଥିର ଭାବେ ପଦଚାରଣା କରୁଥାଏ । ଶେଷରେ ସେ ଜବାବ ଦେଲା, “ନା, ସହରଟା ପୂର୍ବପଟେ ପଡ଼ିବ । ଆମେ ପଶ୍ଚିମ ନୁହେଁ, ପୂର୍ବ ଦିଗରେ ଚାଲିବା ।”

 

ଆମେ ଯାଇ ହକିମ୍‌କୁ ଉଠେଇଲୁ । ସେ ବାଲି ଉପରୁ ଝାଡ଼ିଝୁଡ଼ି ହେଇ ଉଠିଲା । ହଠାତ୍‌ଗୋଟେ ଉତ୍କଟ ଫୁରୁକୁଟିଆ ଗନ୍ଧରେ ମୋ ନାକ ଫାଟିପଡ଼ିଲା । ହକିମ୍‌ଦେହରୁ ସେ ଗନ୍ଧ ଆସୁଥିବା ମୁଁ ଜାଣିପାରିଲି । ପ୍ରଥମେ ଯୋଉଦିନ ଯାଇ ମସାରାରେ ପହଞ୍ଚିଥିଲି ସେଦିନ ଏଇମିତିଆ ଗନ୍ଧ ମୁଁ ବାରିଥିଲି । କାଳକ୍ରମେ ତାହା ମୋର ଦେହସୁହା ହୋଇଯାଇଥିଲା । ଆଉ ସେ ଗନ୍ଧ ମୋତେ ବିବ୍ରତ କରି ନ ଥିଲା । ମାତ୍ର ମସାରାରୁ ଦୂରେଇ ଆସିବା ପରେ, ଏଇ ଖୋଲାମେଲା ଜାଗାରେ ମୁଁ ପୁଣି ସେ ଗନ୍ଧ ବାରିବାର ଶକ୍ତି ଫେରି ପାଇଥିଲି । ଦେଖିବାକୁ ଗଲେ ମୋ ଦେହରୁ ମଧ୍ୟ ସେଇ ଏକାପ୍ରକାର ଗନ୍ଧ ବାହାରୁଥିଲା । ମାତ୍ର ନିଜ ଦେହର ଗନ୍ଧ ମୋ ନିଜ ଅସ୍ତିତ୍ୱର ଅଂଶ ହେଇ ପଡ଼ିଥିଲା । ସେଇଟାକୁ ଅଲଗା ବାରିବା ପାଇଁ ମୋତେ ଢେର୍‌ଦିନ ଲାଗିଗଲା ।

 

ଆମେ ଚାଲିବା ଆରମ୍ଭ କଲୁ । ଏତେବେଳେ ଆମର ସଦ୍ୟପ୍ରାପ୍ତ ସ୍ୱାଧୀନତାକୁ ଉପଭୋଗ କରିବା କଥା । ମନଭରି ମୁକ୍ତିର ମଉଜ ଉଠେଇବା କଥା । କାରଣ, ଦୀର୍ଘଦିନର ସ୍ୱପ୍ନ ଆମର ପୂରଣ ହୋଇଛି । ଆମେ ଛେଳିଗୁହାଳରୁ ଉଦ୍ଧାର ପାଇଛୁ । କିନ୍ତୁ ସେସବୁ ପାଇଁ ଆମର ସମୟ ନ ଥିଲା । ଆମେ କେମିତି ଠିକଣା ରାସ୍ତା ଖୋଜି ପାଇବୁ ସେଇ ଚିନ୍ତାରେ ସମସ୍ତେ ଉଦ୍‌ବିଗ୍ନ ଥିଲୁ । ଏତେବେଳକୁ ଆମ ମାଲିକମାନେ ଫେରିଆସି ଆମର ପଳାୟନ ବାବଦରେ ଜାଣିସାରିବେଣି । ହୁଏତ ସେମାନେ ଆମକୁ ଖୋଜିବା ଆରମ୍ଭ କରିଦେବେଣି । ଆମେ ତିନିଜଣଯାକ ପରସ୍ପର ସହ କଥାହେଇ ସୁଚିନ୍ତିତ ଭାବରେ ଖସିଆସିଥିବାରୁ ମାଲିକମାନେ ଅଧିକ ରାଗିଯାଇଥିବେ । ସେମାନେ କଦାପି ତୁନି ବସିବେ ନାହିଁ । ତେବେ ଗୋଟିଏ କଥା ଭାବି ମୁଁ ନିଶ୍ଚିନ୍ତ ହେଉଥିଲି । ଆମ ମାଲିକଙ୍କ ପାଖରେ ଗାଡ଼ି ଅଛି ସତ; ମାତ୍ର ସେମାନେ ଆମକୁ କୋଉଠି ଖୋଜିବେ ? ଆମେ ତ ନିଜେ ଜାଣିପାରୁନୁ ଆମେ କୋଉଠି ଅଛୁ । ଉଦ୍ଦେଶ୍ୟହୀନ ଭାବେ ଦଉଡ଼ି ଦଉଡ଼ି ଆମେ ରାସ୍ତା ଭୁଲିଯାଇଛୁ । ତେଣୁ ଆରବୀ ମାଲିକମାନେ ଆସିଲେ ବି ଆମ ପାଖେ କଦାପି ପହଞ୍ଚିପାରିବେ ନାହିଁ । ଆମେ ତାଙ୍କଠାରୁ ଏକପ୍ରକାର ଅପହଞ୍ଚ ଦୂରତାକୁ ଚାଲିଆସିଛୁ ।

 

ତେବେ ସତରେ କଅଣ ଆମେ ନିରାପଦ ଦୂରତାକୁ ଆସିପାରିଛୁ ? ଆମେ ତ ଏପର୍ଯ୍ୟନ୍ତ ମରୁଭୂମି ପାରି ହୋଇପାରିନାହୁଁ । ରାଜପଥ ପାଖରେ ପହଞ୍ଚିବୁ କେତେବେଳେ ? କେବଳ ରାଜପଥ ପାଖରେ ପହଞ୍ଚିଲେ ବି ଆମ ଦୁଃଖ ସରିବ ନାହିଁ । କୌଣସି ଗାଡ଼ି ଡ୍ରାଇଭର୍‌ଯଦି ଦୟାକରି ଆମକୁ ସହର ପର୍ଯ୍ୟନ୍ତ ନେଇଯିବ ତାହାହେଲେ ଯାଇ ଆମେ ଉଦ୍ଧାର ପାଇପାରିବୁ । ମାତ୍ର ତା’ ବଦଳରେ ଯଦି ରାସ୍ତା ଉପରେ କୌଣସି ଆରବୀ ଲୋକ ଆମକୁ ଦେଖିପକାଇବ ତାହାହେଲେ ତ ଆମ କାମ ବଢ଼ିଲା । ସେ ଦେଖୁ ଦେଖୁ ଜାଣିଯିବ ଯେ ଆମେମାନେ କାମ ଜାଗାରୁ ଲୁଚିକି ପଳେଇଆସିଛୁ । ତା’ପରେ ଆମେ ପୁଣି ସେଇ ପୁରୁଣା ଦୁର୍ଭାଗ୍ୟକୁ ଫେରିବୁ ସିନା ! ନା, ନା, ସେକଥା ଭାବିବାଲାଗି ସୁଦ୍ଧା ଡର ମାଡୁଛି । ମୁଁ ଏମିତି ସବୁ ଚିନ୍ତା କରୁଥାଏ ଓ ବାଟ ଚାଲୁଥାଏ । ଧରାପଡ଼ିବାର ଆଶଙ୍କା ଯୋଗୁଁ ମୁଁ ମୁକ୍ତିର ଆନନ୍ଦ ଉପଭୋଗ କରିପାରୁ ନ ଥାଏ । ରାତିରେ କିଛି ସମୟ ଶୋଇପଡ଼ିଥିବା ଯୋଗୁଁ ଆମକୁ ଟିକେ ଭଲ ଲାଗୁଥାଏ-। ଗଲା ସଞ୍ଜର କ୍ଳାନ୍ତି ଆଜି ସକାଳକୁ ନ ଥାଏ । ତା’ଛଡ଼ା ଆମେ ଯେ ଆଉ କ୍ରୀତଦାସ ନୁହେଁ, ବରଂ ଜଣେ ଜଣେ ସ୍ୱାଧୀନ ମଣିଷ, ଏହି ଭାବନା ଆମକୁ ଆଶ୍ୱସ୍ତ କରୁଥାଏ ।

 

ତେବେ ଏ ପ୍ରକାର ଆଶ୍ୱସ୍ତି ଅନୁଭବ କଲାବେଳେ, ଆମ ଆଗରେ ଯେ ପୂର୍ବଠାରୁ ବଳି ଅଧିକ ଭୟଙ୍କର ସମସ୍ୟା ଅପେକ୍ଷା କରି ରହିଥାଏ, ସେକଥା ମୁଁ ଆଦୌ ଭାବିପାରୁ ନ ଥାଏ ।

 

ତେତିଶ

 

ମରୁଭୂମିର ତାତି ସହଜରେ ଆମକୁ କ୍ଳାନ୍ତ କରିପାରୁ ନ ଥିଲା । ଏଭଳି ତାତି ଆମେ ମାସ ମାସ ଧରି ସହିଛୁ ଏବଂ ତାହା ଆମର ଦେହସୁହା ହେଇଯାଇଛି । ସବୁଦିନେ ତ ଆମକୁ ଏ ପ୍ରକାର ଭୋକ, ଶୋଷ ଓ ଉତ୍ତାପ ସହିବାକୁ ପଡ଼େ, ଇଏ ଆମଲାଗି ଆଉ ନୂଆ କଅଣ ? ଯେଉଁ ଲୋକ ମସାରାରେ ଅନେକ ବର୍ଷ ବିତେଇଥିବ, ତାକୁ ମରୁଭୂମି ଡରେଇ ପାରିବ ନାହିଁ । ଯେଉଁମାନେ ରାଜଉଆସରେ ରହି ମରୁଭୂମି ଦେଖିବାକୁ ସଉକ୍‌ରେ ବାହାରି ଥାଆନ୍ତି ସେଇମାନେ ଖୁବ୍‌ଶୀଘ୍ର ତାତି ସହି ନ ପାରି ଝାଇଁ ମାରିଯାଆନ୍ତି । ମାତ୍ର ଆମେ ଏ ତାତି ସହ ଭଲ ଭାବେ ପରିଚିତ ଥିଲୁ । ଗୋଟିଏ କଥା ଆମେ ବୁଝିଥିଲୁ, ଏଇ ମରୁଭୂମି ଯେତେବେଳେ ଅନୁମତି ଦେବ ସେତେବେଳେ ଯାଇ ଆମେ ଆମରି ଲକ୍ଷ୍ୟସ୍ଥଳ ଖୋଜି ପାଇବୁ । ତେଣୁ ଆମେ ଆମର ଯାତ୍ରା ଜାରି ରଖିଥିଲୁ । ଆମେ ଜାଣି ନ ଥିଲୁ କେବେ ଯାଇ ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିବୁ । ସେସବୁ କଥା ଆମେ ଆଲ୍ଲାଙ୍କ ଉପରେ ଛାଡ଼ିଦେଇଥିଲୁ । ତାଙ୍କର ଯାହା ଇଚ୍ଛା ସେ ତାହା ନିଶ୍ଚୟ କରିବେ । ଏହି ଆଶା ଓ ବିଶ୍ୱାସକୁ ନେଇ ଆମେ ଚାଲୁଥିଲୁ । ନ ହେଲେ ସେ ନିର୍ଜନ, ନିର୍ମମ ଓ ଉତ୍ତପ୍ତ ମରୁଭୂମିରେ ଏମିତି ଲକ୍ଷ୍ୟହୀନ ଭାବେ ଚାଲିବା ଆମ ପକ୍ଷେ ସମ୍ଭବ ହୁଅନ୍ତା ନାହିଁ ।

 

ଆମେ ଆମର ଉଦ୍‌ବେଗଗୁଡ଼ିକ ପାଖରୁ ନିଜକୁ ମୁକୁଳେଇ ଆଣି ଚାରିପଟର ଦୃଶ୍ୟ ଦେଖିବାକୁ ଚେଷ୍ଟା କଲୁ । ସତେ କି ଆମେ ଗୋଟେ ମେଳା ଦେଖିବାକୁ ଏକାଠି ଯାଉଛୁ । ହକିମ୍‌ସବୁଠୁ ଖୁସିଥାଏ ଏବଂ ବାଟସାରା ନାନା କଥା କହୁଥାଏ । ପ୍ରତି କଥାରେ ସେ ‘କ’ଣ’, ‘କେମିତି’ ଓ ‘କାହିଁକି’ ବୋଲି ପଚାରି ହେଉଥାଏ । କୌଣସି କଥାକୁ ସହଜରେ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥାଏ । ଗୋଟେ କୌତୂହଳୀ ଶିଶୁ ପରି ସେ ଇବ୍ରାହିମ୍‌କୁ ହଜାରେ ପ୍ରଶ୍ନ ପଚାରିଚାଲିଥାଏ ଏବଂ ଇବ୍ରାହିମ୍‌ଧୈର୍ଯ୍ୟର ସହ ତାହାର ଉତ୍ତର ଦେଉଥାଏ । ଇବ୍ରାହିମ୍‌ର ଧୈର୍ଯ୍ୟ ପ୍ରଚୁର ଏବଂ ମରୁଭୂମି ବାବଦରେ ତା’ର ଜ୍ଞାନ ମଧ୍ୟ ପର୍ଯ୍ୟାପ୍ତ ।

 

ବାଟରେ ଫସିଲ୍‌ହୋଇଯାଇଥିବା ଗୋଟେ ଆରଣ୍ୟକ ଉପତ୍ୟକା ଦେଇ ଆମେ ଆସିଲୁ । ସେଇଟା ଆମ ପାଇଁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା । ହୁଏତ ଏଠି ବହୁବର୍ଷ ପୂର୍ବେ ଅରଣ୍ୟ ଥିଲା, ମାତ୍ର କ୍ରମାଗତ ବାଲିଝଡ଼ ସେସବୁକୁ ପୋତି ଫସିଲ୍‌ରେ ପରିଣତ କରିଦେଇଛି । ସେଇ ବାଲି ଭିତରେ ଯେ ଦିନେ କିଛି ଗଛବୃଚ୍ଛ ଥିଲା ତାହା ବିଶ୍ୱାସ କରିହୁଏନାହିଁ । ଚାରିପଟେ ବିରାଟ ବିରାଟ ବାଲିକୁଦ ସବୁ ଠିଆହୋଇଥାଆନ୍ତି । ହକିମ୍‌ଧାଇଁଯାଇ ଗୋଟେ ବାଲିକୁଦ ପାଖରେ ପହଞ୍ଚିଗଲା ଏବଂ ବାଲିକୁଦ ଜିନିଷଟା ହାତକୁ କେମିତି ଲାଗେ ଛୁଇଁକି ଅନୁଭବ କଲା । ତା’ ହାତବାଜି କୁଦରୁ କିଛି ବାଲି ଝଡ଼ିପଡ଼ିଲା । ମୁଁ ତଥାପି ଫସିଲ୍‌ଅରଣ୍ୟକୁ ଚାହିଁଥାଏ । କେତେ ଶହ ବର୍ଷର ବାଲିଝଡ଼ ଏକଦା ଜଙ୍ଗଲ ଥିବା ଏଇ ଅଞ୍ଚଳକୁ ଏପରି ବଦଳେଇଦେଇଛି ତାହାର ହିସାବ ମୁଁ ପାଉ ନ ଥିଲି । ଗୋଟେ ଘନ ଅରଣ୍ୟକୁ ମରୁଭୂମିରେ ପରିଣତ କରିଦେଇଥିବା ବାଲି ଓ ପବନର ପ୍ରଭାବ ଅନୁମାନ କରି ମୁଁ ବିସ୍ମିତ ହେଉଥିଲି ।

 

“ଆମେ ଏଠି ବେଶି ସମୟ ରହିବା ଉଚିତ ହେବନାହିଁ । କାରଣ ଏଇଟା ଗୋଟେ ବିପଜ୍ଜନକ ଜାଗା । ହଠାତ୍‌, ବାଲିଝଡ଼ଟାଏ ମାଡ଼ିଆସିପାରେ । ସେମିତି ହେଲେ ଆମେ ପ୍ରାଣ ବଞ୍ଚେଇବାକୁ ସୁଦ୍ଧା ସମୟ ପାଇବା ନାହିଁ ।” - ଇବ୍ରାହିମ୍‌ କହିଲା ।

 

ଦଶ କଦମ୍‌ଆଗକୁ ବଢ଼ିଛୁ କି ନାହିଁ ଆମ ସାମ୍ନାରେ କିଛି ଗତିଶୀଳତା ମୁଁ ଲକ୍ଷ୍ୟ କଲି । ପ୍ରଥମେ ମୁଁ ଭାବିଲି ଏଇଟା ମରୀଚିକା ହେଇଥିବ । କାରଣ ମରୁଭୂମିରେ ଏମିତି ମରୀଚିକା ଜଳର ଭ୍ରମ ସୃଷ୍ଟି କରି ସମସ୍ୟା ସୃଷ୍ଟି କରନ୍ତି । ମାତ୍ର ଏହା ମରୀଚିକା ନ ଥିଲା । କିଛି ସମୟ ପରେ ଆମେମାନେ ଅସ୍ୱାଭାବିକ ଶବ୍ଦ ଶୁଣିଲୁ । ତା’ପରେ ଏହି ସଁ ସଁ ଶବ୍ଦ ସ୍ପଷ୍ଟ ଶୁଭିଲା ଓ କ୍ରମେ ସେ ଶବ୍ଦ ବଢ଼ିଚାଲିଲା । ଇବ୍ରାହିମ୍‌ଯାହା କହିଥିଲା ତାହା ଠିକ୍‌ । ଗୋଟାଏ ବାଲିଝଡ଼ ଆସୁଥିଲା । ଆମେ ନିରିଖେଇ ଦେଖୁଥାଉ, ଆମ ସାମ୍ନାରେ ସତେ କି ଗୋଟେ ବଗିଚାର ଗଛ ଡାଳ ଝଡ଼ରେ ନୋଇଁପଡ଼ୁଛି ଓ ପୁଣି ଉଠିପଡ଼ୁଛି । ସେଇପରି ଆମକୁ ଦିଶୁଥାଏ ସାମ୍‌ନାର ଦୃଶ୍ୟ । ଧୀରେ ଧୀରେ ଏଇ ଦୃଶ୍ୟଟା ଆମ ଆଡ଼କୁ ଆଗେଇ ଆସୁଥାଏ । ଇବ୍ରାହିମ୍‌ ଚିତ୍କାର କଲା, “ସାପ, ସାପ, ଏଗୁଡ଼ାକ ମରୁଭୂମିର ସାପ ।” ସେତେବେଳେ ଯାଇ ଆମେ ସ୍ପଷ୍ଟ ଦେଖିପାରିଲୁ । ଦଳେ ସାପ ପବନରେ ସେମାନଙ୍କ ଫଣା ହଲେଇ ହଲେଇ ଆଗକୁ ଆଗଉଥିଲେ । ସେମାନଙ୍କ ସଂଖ୍ୟା କେତେ ମୁଁ ଗଣିପାରି ନ ଥାନ୍ତି । ହଜାର ହଜାର ସାପ ଏକାଠି ଚାଲିଥିଲେ । ଏପରି ଗୋଟେ ଦୃଶ୍ୟ ମୁଁ କେବେ କଳ୍ପନା କରିପାରି ନ ଥାନ୍ତି । ସେମାନେ ସମସ୍ତେ ଆମରି ଦିଗରେ ଆସୁଥିଲେ । ସେମାନଙ୍କ ଫଣାର ଫୁତ୍କାର ମରୁଭୂମିର ବାଲିକୁ ଧୂଳା କରି ଉଡ଼ଉଥାଏ । ସତେ କି ଗୋଟେ ସୈନ୍ୟବାହିନୀ ଆମକୁ ଆକ୍ରମଣ କରିବାଲାଗି ଆସୁଥାଏ । ସେଇ ସାପ ଦଳଟିର ସବାଆଗରେ ଗୋଟେ ବିରାଟ ସାପ ଚାଲିଥାଏ । ସେ ସତେ କି ଥିଲା ଏଇ ସର୍ପବାହିନୀର ସେନାପତି, ତା’ ପଛରେ ହଜାର ହଜାର ସର୍ପ-ସୈନିକ !

 

ନିଜ ନିଜର ମୁଣ୍ଡକୁ ବାଲିରେ ପୋତି ପଡ଼ିରୁହ । ଜମା ହଲଚଲ ହେବ ନାହିଁ । ଏହାଛଡ଼ା ବର୍ତ୍ତମାନ ଆମେ ଆଉ କିଛି କରିପାରିବାନାହିଁ । - ଇବ୍ରାହିମ୍‌ ନିର୍ଦ୍ଦେଶ ଦେଲା ।

 

ତା’ କଥା ଶୁଣି ଆମେ ଦିହେଁ ଓଟପକ୍ଷୀ ତା’ ମୁଣ୍ଡ ବାଲିରେ ପୋତିଦେବା ପରି ଆମ ନିଜର ମୁଣ୍ଡକୁ ବାଲିରେ ପୋତିଦେଲୁ ଓ ଚୁପ୍‌ଚାପ୍‌ପଡ଼ିରହିଲୁ । କିଛି ସମୟରେ ସାପଦଳ ଆମ ପାଖରେ ଆସି ପହଞ୍ଚିଗଲେ । ମୋ ଦେହ ଭୟରେ ଗୋଟାପଣେ ଥରୁଥାଏ । ଏଭଳିଆ ଭୟଙ୍କର ସାପର ଫଣା ଯଦି ମୋ ଦେହରେ ଦଶ ସେକେଣ୍ଡ ପାଇଁ ସୁଦ୍ଧା ବାଜିଯାଏ ତାହାହେଲେ ମୁଁ ଚଟ୍‌କିନା ମରିଯିବି । ମୁଁ ମନେ ମନେ ଆଲ୍ଲାଙ୍କୁ ଡାକୁଥାଏ ଓ ମୁର୍ଦ୍ଦାର ପରି ପଡ଼ିରହିଥାଏ । ସେଗୁଡ଼ାକ ଆସି ଆମ ପାଖରେ ପହଞ୍ଚିଗଲେ ଏବଂ ଆମ ଉପର ଦେଇ ଆଗକୁ ବଢ଼ିଗଲେ । ସାପଗୁଡ଼ାକ ମୋ ଉପର ଦେଇ ଚାଲିଗଲାବେଳେ ମୋତେ ଲାଗୁଥାଏ କିଏ ଯେମିତି ମୋ ଦେହ ଉପରେ ତତଲା ଲୁହାଛଡ଼ ଥୋଇଦେଇଛି । ମୁଁ ସେମିତି ଚୁପ୍‌ଚାପ୍‌ପଡ଼ିଥାଏ ଯେତେବେଳେ ସାପଗୁଡ଼ାକ ଆମକୁ ଅତିକ୍ରମ କରି ଯଥେଷ୍ଟ ଦୂରକୁ ଚାଲିଗଲେଣି ବୋଲି ହୃଦ୍‌ବୋଧ ହେଲା, ସେତେବେଳେ ଆମେ ବାଲି ଭିତରୁ ଆମ ମୁଣ୍ଡଟିମାନ ବାହାର କଲୁ । ଦେହ ମୁଣ୍ଡରୁ ବାଲି ଝାଡ଼ି ଚାରିଦିଗକୁ ଆମେ ଅନେଇଲୁ । ଦେହର ଯେଉଁ ଅଂଶ ବାହାରକୁ ଦିଶୁଥିଲା ତା’ ଉପରେ ସାପଗୁଡ଼ାକ ଚଢ଼ି ଚାଲିଯାଇଥିଲେ । ସେ ଜାଗାମାନଙ୍କରେ ଚାବୁକ ଦାଗ ପରି ନୋଳା ବସିଯାଇଥିଲା ।

 

ଆପଣମାନେ ଯଦି ମରୁଭୂମି ବାବଦରେ ସବିଶେଷ ଜାଣି ନ ଥିବେ ତାହାହେଲେ ଏକଥା ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ ଏବଂ ଭାବୁଥିବେ ଏଇଟା କି ପ୍ରକାରର ମରୁଭୂମି ! ଏଠି ଯଦି ଏତେ ପ୍ରକାର ସାପ ଅଛନ୍ତି ତାହାହେଲେ ତ ଏଇଟା ଜଙ୍ଗଲ ହେବା କଥା, ମରୁଭୂମି କିପରି ହେଲା-? ମାତ୍ର ମରୁଭୂମିରେ ବି ସାପ, ବିଛା, ଏଣ୍ଡୁଅ, ବୁଢ଼ିଆଣୀ, ପ୍ରଜାପତି, ଶାଗୁଣା, ହେଟା, ଠେକୁଆ, ନେଉଳ ଏବଂ ଆହୁରି ଅନେକ ପ୍ରକାର ପ୍ରାଣୀ ଥାଆନ୍ତି । ଏମାନଙ୍କର ସମସ୍ତଙ୍କର ଅଲଗା ଅଲଗା ଅଞ୍ଚଳ ଅଛି ଓ ସେଇଠି ସେମାନେ ଚଲାବୁଲା କରନ୍ତି । ସେମାନେ ତାଙ୍କର ଯା-ଆସ ରାସ୍ତା ତିଆରି କରିଥାଆନ୍ତି ଓ ସେଇ ରାସ୍ତା ଦେଇ ଚଳାଚଳ କରନ୍ତି । ତାଙ୍କ ରାଜ୍ୟରେ ସେମାନେ ରାଜା, ସେଠି ମଣିଷ କି ମଣିଷ ତିଆରି ଆଇନର କିଛି ମୂଲ୍ୟ ନାହିଁ । ସେମାନେ ମରୁଭୂମିର ଉତ୍ତରାଧିକାରୀ । ଆଲ୍ଲା ତାଙ୍କୁ ମରୁଭୂମିର ଏଇ ଜାଗା ଦେଇଛନ୍ତି ଏବଂ ସେମାନେ ଏଇଠି ବସବାସ କରିବା ଲାଗି ଜନ୍ମ ନେଇଛନ୍ତି । ଆମେ ବରଂ ସେଠାରେ ଥିଲୁ ଅନୁପ୍ରବେଶକାରୀ-! ଆମ ପିଠି ଉପରେ ସାପଗୁଡ଼ିକର ଦାଗ ଥିଲା ଆମର ଅନୁପ୍ରବେଶ ପାଇଁ ସେମାନଙ୍କ ପକ୍ଷରୁ ସର୍ବନିମ୍ନ ଶାସ୍ତିବିଧାନ !

 

ଆମ ପାଇଁ ଦିନର ସମୟ ସମସ୍ୟା ନ ଥିଲା, ସମସ୍ୟା ଥିଲା ରାତି । ରାତିରେ ଆମକୁ ପୂରା ସତର୍କ ରହିବାକୁ ପଡ଼ୁଥିଲା । କାରଣ ସଞ୍ଜ ହେଲା କ୍ଷଣି ଗାତରେ ରହୁଥିବା ସରୀସୃପ ଓ ଜନ୍ତୁଜୁନ୍ତା ବାହାରକୁ ବାହାରି ଆସୁଥିଲେ । ସେତେବେଳେ ସେମାନଙ୍କର ଶିକାର ଖୋଜିବା ବେଳ । ଗାତରେ ରହୁଥିବା ଏଠିକାର ସାପଗୁଡ଼ାକ ଭୟଙ୍କର ଭାବେ ବିଷାକ୍ତ । ଏ ସାପ ପୁଣି ଅନେକ ପ୍ରକାରର । ଆମେ ଆସିବା ରାସ୍ତାରେ କେତେକ ଜାଗାରେ ସାପ ଛାଡ଼ିଥିବା କାତି ଦେଖି ଦେଖି ଆସିଥିଲୁ । ଇବ୍ରାହିମ୍‌ସେଇ କାତିଗୁଡ଼ାକ ଉଠେଇ ଧରି ସେ କେଉଁ ସାପର କାତି ଆମକୁ କହେ । ତା’ ସାଙ୍ଗକୁ ସେଇ ସାପ ଆମକୁ କାମୁଡ଼ିଲେ ଆମେ କେତେ ସେକେଣ୍ଡ ଭିତରେ ମରିଯିବୁ, ସେ ତଥ୍ୟ ମଧ୍ୟ ଆମକୁ ଶୁଣାଇଦିଏ । ଖାଲି କଅଣ ସାପ, ମରୁଭୂମିରେ ରହୁଥିବା କିଛି ବିଛା ଓ ବୁଢ଼ିଆଣୀ ସୁଦ୍ଧା ଏତେ ବିଷାକ୍ତ ଯେ ସେମାନେ କାମୁଡ଼ିଲେ ମଣିଷ ସାଂଗେ ସାଂଗେ ମରିଯାଏ ବୋଲି ସେ ଆମକୁ ଜଣେଇଲା ।

 

ମରୁଭୂମିରେ କଇଁଛ ରହୁଥିବା କଥା କହିଲେ କଅଣ ଆପଣ ବିଶ୍ୱାସ କରିବେ ? ସମୁଦ୍ରରେ ରହୁଥିବା କଇଁଛ ପରି ଏଗୁଡ଼ିକ ଏତେ ବଡ଼ ଆକାରର ନ ହେଲେ ମଧ୍ୟ କିଛି ଛୋଟ ନୁହନ୍ତି । ବାଲି ବେଶି ତାତି ନ ଥିବାବେଳେ ସେମାନେ ବାହାରକୁ ଆସନ୍ତି । ତାଙ୍କ ଦେହର ଚାଳିଶ ଭାଗ କେବଳ ପାଣି ଓ ସେମାନେ ଶହ ଶହ ବର୍ଷ ଧରି ବଞ୍ଚି ରହିପାରନ୍ତି । ମରୁଭୂମିର ଜାହାଜ ବୋଲି କୁହାଯାଉଥିବା ଓଟକୁ ତ ଅନ୍ତତଃ ତିନି ଦିନରେ ଥରେ ପାଣି ପିଇବାକୁ ପଡ଼େ; ମାତ୍ର ମରୁଭୂମି - କଇଁଛ ଛଅ ମାସ ପାଣି ନ ପିଇ ରହିଯାଇ ପାରେ । ଥରେ ସେ ପାଣି ପିଇଲେ ଛଅ ମାସ ପାଇଁ ନିଜ ଭିତରେ ତାହା ସଞ୍ଚୟ କରି ରଖିପାରେ ।

 

ଏହି ମରୁଭୂମିରେ ଆଉ ଗୋଟେ ଜୀବ ଦେଖିବାକୁ ମୁଁ ଚାହୁଥିଲି, କିନ୍ତୁ ଦେଖିପାରିଲି ନାହିଁ । ସେଇଟି ହେଉଛି ଓଟପକ୍ଷୀ । ସିଏ କେମିତି ବାଲି ଭିତରେ ନିଜ ମୁଣ୍ଡକୁ ପୋତି ଝଡ଼ରୁ ଉଦ୍ଧାର ପାଏ ସେଇଟା ମୋ ପାଇଁ କଳ୍ପନାର ବିଷୟ ହେଇ ରହିଗଲା । ଆଉ ଗୋଟେ ପ୍ରାଣୀ ଓଟ-ବୁଢ଼ିଆଣୀ ବାବଦରେ ମୁଁ ଶୁଣିଥିଲି । ଏଇ ବୁଢ଼ିଆଣୀର ଆକାର ମୋ ଆରବୀ ମାଲିକ ଖାଉଥିବା ପ୍ଲେଟ୍‌ଆକାର ପରି । ଓଟ ପେଟରେ ଏଇଟି ଲାଖିକି ରହିଯାଏ ଏବଂ ଓଟଟି ଘଣ୍ଟାକୁ ପଚିଶ କିଲୋମିଟର ବେଗରେ ଦଉଡ଼ିଲେ ସୁଦ୍ଧା ଏଇ ବୁଢ଼ିଆଣୀ ତା’ ଦେହରୁ ଖସିପଡ଼େ ନାହିଁ । ସେଇଟିକୁ ଯେତେବେଳେ ନିଜ ଆଖିରେ ଦେଖିଲି ସେତେବେଳେ ଅନୁଭବ କଲି ଯେ ମୋ ଶୁଣା କଥାରେ କିଛି ଅତିରଞ୍ଜନ ଥିଲା । ମରୁଭୂମି ଦେଇ ଯିବା ବାଟରେ ଇବ୍ରାହିମ୍‌ମୋତେ ଏଇ ଓଟ-ବୁଢ଼ିଆଣୀ ଦେଖେଇ ଦେଇଥିଲା । ଯେହେତୁ ଏଇଟା ଖୁବ୍‌ବଡ଼ ହେଇଥିବ ବୋଲି ମୁଁ ପ୍ରଥମରୁ ଭାବିଥିଲି ସେଇହେତୁ ଇବ୍ରାହିମ୍‌ର କଥାକୁ ବିଶ୍ୱାସ କଲି ନାହିଁ । ମୋ କଥା ଶୁଣି ଇବ୍ରାହିମ୍‌ହସିଥିଲା-। ସେ କହିଥିଲା, ଆମେ ଅନେକ ସମୟରେ ଏମିତି ଉଡ଼ାକଥା ସବୁ ଶୁଣୁ । ସତକଥା ହେଲା ସିଏ ବିଚରା ଏ ମରୁଭୂମିର ପ୍ରତିକୂଳ ପରିସ୍ଥିତିରେ ନିଜକୁ ବଞ୍ଚେଇବା ଲାଗି ଯାହା କରିବା କଥା କରେ ।

 

ମରୁଭୂମିର ଆଉ ଗୋଟେ ବିସ୍ମୟ ହେଲା ଉଡ଼ନ୍ତା ଏଣ୍ଡୁଅ । ଅପରାହ୍‌ଣର ଆଲୁଅରେ ବାଟ ଚାଲୁଥିବାବେଳେ ହଠାତ୍‌ଗୋଟାଏ ସୁନେଲି ରଙ୍ଗର ପ୍ରାଣୀଟାଏ ଆମ ସାମ୍ନାଦେଇ ଉଡ଼ି ପଳେଇଗଲା । ତାହା ଥିଲା ଏଇ ଏଣ୍ଡୁଅ । ଏଇଟି ରହସ୍ୟମୟ ଭୂତ ପରି । କୁଆଡ଼ୁ ଆସି କୁଆଡ଼େ ପଳାଏ ତାହାର ପତ୍ତା ମିଳେ ନାହିଁ । ଗୋଟାଏ ସେକେଣ୍ଡ୍‌ରେ ଏଇ ଏଣ୍ଡୁଅଗୁଡ଼ିକ ଆଖି ଆଗରୁ ଅଦୃଶ୍ୟ ହେଇଯାଆନ୍ତି । ପ୍ରଥମେ ତ ମୁଁ ଭାବିଥିଲି, ରାସ୍ତାଚଲା କ୍ଳାନ୍ତି ଓ ଅବଶପଣ ଯୋଗୁଁ ମୋତେ ଏମିତି ଗୋଟେ କିଛି ଦିଶିଲା । ସେଇଟା ମୋ ଆଖିର ଭ୍ରମ ହୋଇଥିବ ବୋଲି ମୁଁ ଭାବିଥିଲି । ମାତ୍ର ପ୍ରକୃତରେ ସେଇଟି ଗୋଟେ ଉଡ଼ନ୍ତା ଏଣ୍ଡୁଅ ଥିଲା । ଏହି ଏଣ୍ଡୁଅଟି ହଠାତ୍‌ବାଲି ଭିତରୁ କୁଦିପଡ଼ି ଆମ ସାମ୍ନାକୁ ଆସିଯାଇଥିଲା । ତା’ପରେ ସେ ଡରିଗଲା ପରି ତା’ ବାମ ଡାହାଣ ଆଖିଡୋଳା ବୁଲେଇ ଆମକୁ ଟିକିଏ ନିରୀକ୍ଷଣ କଲା ଓ ପୁଣି କୁଆଡ଼େ ଉଭାନ୍‌ହେଇଗଲା । ବାଟରେ ଆମେ ଏମିତି ଅନେକ ଉଡ଼ନ୍ତା ଏଣ୍ଡୁଅ ଦେଖିଲୁ । ସେମାନେ ଡେଇଁଲା ବେଳେ ଲାଗନ୍ତି କିଏ ଯେମିତି ପଥରଟିଏ ଫିଙ୍ଗୁଛି । ସେମାନଙ୍କୁ ଏମିତି ଡେଇଁବାର ଦେଖିଲେ ମୁଁ ବୋକାଙ୍କ ପରି ପଛକୁ ଚାହେଁ ଓ ତା’ପରେ ଅସଲ କଥା ବୁଝିପାରେ । କେତେବେଳେ ଗୋଟେ ଏଣ୍ଡୁଅ ପଛପଟୁ ଡେଇଁ ଆଗକୁ ଆସିଯାଏ ତ ଆଉ କେତେବେଳେ ବାମପଟୁ ଡେଇଁ ଡାହାଣ ପଟକୁ ପଳେଇଯାଏ । ବାଲିକୁଦ ଉପରୁ ଏଗୁଡ଼ା ଏତେ ଉଚ୍ଚକୁ ଡେଇଁବା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ଇବ୍ରାହିମ୍‌କହି ନ ଥିଲେ, ମୁଁ ସେଗୁଡ଼ିକୁ ଏଣ୍ଡୁଅ ବୋଲି କେବେ ବି ଭାବିପାରି ନ ଥା’ନ୍ତି ।

 

ଦିନେ ଗୋଟେ ବାଲିକୁଦ ଉପରେ ଚଢ଼ିଯାଇ ମୁଁ ଚାରିଆଡ଼କୁ ଅନଉଥିଲି । ହଠାତ୍‌ମୋ ନଜରରେ ଏଇ ଏଣ୍ଡୁଅଗୁଡ଼ାକ ଦିଶିଲେ । କେତେ ରଙ୍ଗର ଏଣ୍ଡୁଅ ! ସେଗୁଡ଼ିକ ଗୋଟେ ବଡ଼ ଗଛରେ ତଳୁ ଉପର ଓ ଉପରୁ ତଳ ଝୁଲିଥିବା ରଙ୍ଗବେରଙ୍ଗ ଚଢ଼େଇଙ୍କ ପରି ଗୋଟେ ଉଚ୍ଚା ବାଲିକୁଦ ଦେହରେ ଲଟକିଥିଲେ । ଗଣିବାକୁ ଚେଷ୍ଟା କଲି, ସେମାନଙ୍କ ସଂଖ୍ୟା ଶହେରୁ ଅଧିକ ହେବ । ମୁଁ ତାଙ୍କ ଭିତରୁ ଗୋଟିଏକୁ ଧରି ତାହାର ଡେଣା ଅଛି କି ନାହିଁ ଦେଖିବାକୁ ଚାହୁଥିଲି । ତେବେ ମୋର ସେ ଆଶା ପୂରଣ ହେଲା ନାହିଁ । ତା’ ପାଖକୁ ଗଲାକ୍ଷଣି ସେ ବାଲି ଭିତରେ କୁଆଡ଼େ ଯେ ପୋତିହେଇ ପଳେଇଲା ତାହା ମୁଁ ଜାଣିପାରିଲି ନାହିଁ । ମୁଁ ଜାଣିଲି ଏଇ ଚଞ୍ଚଳ ଓ ତରକା ଏଣ୍ଡୁଅଙ୍କୁ ଧରିବା ତ ଦୂରର କଥା ତାଙ୍କ ପାଖାପାଖି ବି ଜଣେ ପହଞ୍ଚି ପାରିବ ନାହିଁ । ଖସଖାସ ଶବ୍ଦ ଶୁଣିଲା କ୍ଷଣି ସେ କୁଆଡ଼େ ନାହିଁ କୁଆଡ଼େ ପଳେଇଯିବ । ଇବ୍ରାହିମ୍‌କହିଲା, “ଏଇ ଏଣ୍ଡୁଅଗୁଡ଼ାକ ଆଦୌ ପାଣି ପିଅନ୍ତି ନାହିଁ ।’ ଏକଥା ଶୁଣି ମୋର ସେଇ ଏଣ୍ଡୁଅମାନଙ୍କୁ ପ୍ରାର୍ଥନା କରିବାକୁ ମନ ହେଲା । ହେ ମରୁଭୂମିର ସୁନ୍ଦର ଏଣ୍ଡୁଅମାନେ, ତମର ସେ ଶକ୍ତିରୁ ମୋତେ କିଛି ଉଧାର ଦିଅ । ତୁମେମାନେ ସାରା ଜୀବନ ପାଣି ନ ପିଇ ବଞ୍ଚି ପାରୁଛ । ମୁଁ ଏଇ ମରୁଭୂମି ପାର ହେବା ପର୍ଯ୍ୟନ୍ତ କିପରି ଶୋଷ ଉପରେ ନିୟନ୍ତ୍ରଣ କରିପାରିବି ସେ ଉପାୟ ମୋତେ ଟିକେ ବତେଇଦିଅ ।”

 

ଦି’ପହର ବେଳକୁ ଚାରିଆଡ଼େ ବାଲି ଉଡ଼ି ପରିବେଶ ଧୂଆଁଳିଆ ଦିଶିଲା । ଦଶ ଫୁଟ୍‌ଆଗକୁ କଅଣ ଅଛି ସେକଥା ଆମକୁ ଦିଶୁ ନ ଥାଏ । ଏଥିରେ ଆମେ ବାଟ ଚାଲିବୁ କେମିତି-? ଏଣେ ଗରମ ତାତି ବଢ଼ିଚାଲିଥାଏ । ଖରା ନୁହେଁ ତ କିଏ ଯେମିତି ଆମ ଉପରେ ନିଆଁ ଢାଳୁଥାଏ । ତାତି ବଢ଼ିବା ସହିତ ଆମ ଦେହ ଅବଶ ହେଇ ପଡ଼ୁଥାଏ । ସକାଳର ଆଗ୍ରହ ଓ ଉତ୍ସାହ ବାମ୍ଫ ହୋଇ ଆମ ଭିତରୁ ଉଡ଼ି ପଳାଉଥାଏ । ଏଥିରେ ଚାଲିବୁ କେମିତି ? ମାତ୍ର ଇବ୍ରାହିମ୍‌ଆମକୁ ସାହସ ଦେଇ ଚାଲିଥାଏ, “ଆଉ ଗୋଟାଏ ମାଇଲ୍‌, ବାସ୍‌, ସେତକ ବାଟ ଚାଲିଗଲେ ଆମେ ହାଇ-ୱେରେ ପହଞ୍ଚିଯିବା । ଅଧୈର୍ଯ୍ୟ ହୁଅ ନାହିଁ ।” ତାହାର ସେକଥା ଆମକୁ ସତରେ ବହୁତ ସାହସ ଦେଉଥାଏ । ଜୀବନ ଜିଇବା ଲାଗି ଏମିତି ସାହସ ଟିକକ ତ ସବୁଠାରୁ ଅଧିକ ଜରୁରୀ । ନ ହେଲେ ମଣିଷ ଗୋଟେ ପାଦ ଆଗକୁ ଯାଇ ପାରିବ ନାହିଁ । ଆମେ ତିନିହେଁ ଚାଲିଥିଲୁ । ମାତ୍ର ମରୁଭୂମି ସରୁ ନ ଥିଲା । ଆମ ଆଗରେ ସେଇ ମରୁଭୂମି ତା’ର ଦେହ ପ୍ରସାରି ଶୋଇଥିଲା । ହାଇୱେ କି ସଡ଼କର କୌଣସି ଚିହ୍ନବର୍ଣ୍ଣ କାହିଁ ଆମ ଦୃଷ୍ଟିରେ ପଡ଼ୁ ନ ଥିଲା । ଯୁଆଡ଼କୁ ଅନେଇଲେ ଖାଲି ବାଲି, ବାଲି ଆଉ ବାଲି ।

 

ଅପରାହ୍‌ଣ ଯାଇ ସଞ୍ଜ ଆସିଲା । ତାହା ସତ୍ତ୍ୱେ ଆମକୁ ମରୁଭୂଇଁର ଶେଷ ସୀମା କିମ୍ବା ରାଜପଥର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁ ନ ଥିଲା । ସୂର୍ଯ୍ୟ ଆମକୁ ଛେଉଣ୍ଡ ଛୁଆଙ୍କ ପରି ଛାଡ଼ି ନିଜେ ମାଆ କୋଳକୁ ପଶିଗଲେ । ସକାଳୁ ସଞ୍ଜ ପର୍ଯ୍ୟନ୍ତ ଆମେ ଚାଲିଛୁ, ପାଟିରେ ଟୋପାଏ ପାଣି ଦେଇନୁ । ଓଠ ଯୋଡ଼ିକ ଅଠା ଅଠା ହେଇ ଯାଇଥାଏ ଓ ଦେହ ହାତ ଭୀଷଣ ଅବଶ ଲାଗୁଥାଏ । ରାତି ଅନ୍ଧାରରେ ଗୋଟେ ବାଲିକୁଦ ପାଖରେ ଆମେ ବସିରହିଲୁ । ଏତେ ସମୟ ଚାଲି ଚାଲି ସୁଦ୍ଧା କୌଣସି କୂଳକିନାରା ପାଉ ନ ଥିବାରୁ ମୋତେ ଭୀଷଣ ଦୁଃଖ ଲାଗୁଥିଲା । ମୁଁ ଆଉ ସମ୍ଭାଳି ନ ପାରି କାନ୍ଦିବାକୁ ଲାଗିଲି । ମୋର ଦୁଃଖତକ ଲୁହ ହେଇ ବୋହିଗଲା । ହକିମ୍‌ମଧ୍ୟ ମୋ ସାଙ୍ଗରେ ମିଶି କାନ୍ଦୁଥାଏ ।

 

ଯେଉଁଦିନ ପ୍ରଥମେ ଆସି ମୁଁ ଏଇ ଆରବ ଦେଶରେ ପହଞ୍ଚିଥିଲି ସେଦିନ ମୋ ମନ ଭିତରେ କେତେ ଅସୁମାରି ସ୍ୱପ୍ନ ଥିଲା । କେତେ କେତେ କଥା ମୁଁ ଆଶା କରି ନ ଥିଲି ! ଭାବିଥିଲି ଏଇ ଦେଶରେ ବଢ଼ିଆ ବଢ଼ିଆ ଦୃଶ୍ୟ ଦେଖିବି ଯାହା ଭିତରେ ଥିବ ଏକ ସୁନ୍ଦର ମରୁଭୂମି, ଯେଉଁଠି ସମୁଦ୍ର ଢେଉ ପରି ବାଲିଗୁଡ଼ାକ ଢେଉଢେଉକା ହେଇ ଅନେକ ଦୂର ଯାଏଁ ଲମ୍ବି ଯାଇଥିବେ । ମାତ୍ର ଯେତେବେଳେ ମୁଁ ମରୁଭୂମିର ପାଖରେ ଆସି ପହଞ୍ଚିଲି ସେତେବେଳେ ତାହା ମୋତେ ସୁନ୍ଦର ବଦଳରେ ଭୟଙ୍କର ଲାଗିଲା । ଏହା ଆଗରୁ ମୁଁ କେତେ ଗପ ଶୁଣିଥିଲି, ଯେଉଁଥିରେ ମରୁଭୂମି ପାରି ହୋଇ ଯାଇଥିବା ପର୍ଯ୍ୟଟକମାନଙ୍କର ରୋମାଞ୍ଚକର ଅଭିଜ୍ଞତା ଥିଲା । ମାତ୍ର ସେଇ ପର୍ଯ୍ୟଟକମାନଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ସାଙ୍ଗରେ ତାଙ୍କର ଓଟ ଥିଲେ । ସେମାନଙ୍କୁ ବାଟ ଦେଖାଇବା ପାଇଁ ବେଦୁଇନ ଥିଲେ, ଯେଉଁମାନେ ନିଜ ପାପୁଲିର ରେଖା ଚିହ୍ନ ପରି ମରୁଭୂମିର ରାସ୍ତାଘାଟ ଟିକିନିଖି କରି ଜାଣିଥିଲେ । ସେମାନଙ୍କ ଝୋଲାରେ ଖାଇବା ଜିନିଷ ଥିଲା ଏବଂ ତାଙ୍କର ବଡ଼ ବଡ଼ ଚମଡ଼ା ମୁଣାରେ ପ୍ରଚୁର ପାଣି ଥିଲା । ମାତ୍ର ଓଟ ନ ଥାଇ, ବେଦୁଇନର ସାହାଯ୍ୟ ନ ଥାଇ ଓ ମୁଠାଏ ଖାଦ୍ୟ କି ଟୋପାଏ ପାଣି ନ ପିଇ ଯେଉଁମାନଙ୍କୁ ମରୁଭୂମି ଅତିକ୍ରମ କରିବାକୁ ପଡ଼ିଥିବ ସେମାନେ ନିଶ୍ଚୟ ଅଧାବାଟରେ ମରିଥିବେ । ସେମାନେ କଦାପି ଜୀବନ ଧରି ଏଠୁ ଯାଇପାରି ନ ଥିବେ । ତେଣୁ ସେମାନଙ୍କର କଥା ବାହାର ଦୁନିଆ ଜାଣିପାରି ନାହିଁ, କାରଣ ସେକଥା କହିବା ଲାଗି ସେମାନେ ନାହାନ୍ତି । ହେ ଆଲ୍ଲା, ଆମେ ବି କଅଣ ତାଙ୍କରି ପରି ଏଇ ମରୁଭୂମିରେ ମରି ଟଳିପଡ଼ିବୁ ? ଆମେ ତ ଏଠିକୁ ଆମ ମନ ଖୁସିରେ ଆସିନାହୁଁ । କୌଣସି କୌତୂହଳ ମଧ୍ୟ ଆମକୁ ଏଠାକୁ ଟାଣିକି ଆଣି ନାହିଁ । ଆମେ କେବଳ ପେଟପାଟଣା ଲାଗି ଏଠିକି ଆସିଥିଲୁ । ବଞ୍ଚି ରହିବା ପାଇଁ ଆସିଥିଲୁ । ଏଠୁ କିଛି ଉପାର୍ଜନ କରି ଆମେ ପୁଣିଥରେ ନିଜ ଘରକୁ ଫେରିବାଲାଗି ସ୍ୱପ୍ନ ଦେଖିଥିଲୁ । ଘରେ ଯାଇ ପ୍ରିୟ ମଣିଷମାନଙ୍କୁ ଭେଟିବା ପାଇଁ ପ୍ରତିଦିନ ଝୁରିହେଉଥିଲୁ । ସେମାନେ ଆମଠୁଁ ଦୂରରେ ରହି ପ୍ରତିଦିନ ଲୁହ ଗଡ଼ଉଥିବେ । ସେମାନଙ୍କ ଆଖିରୁ ଲୁହ ପୋଛିବା ଆଉ ସମ୍ଭବପର ହେଲା ପରି ଜଣାପଡ଼ୁ ନାହିଁ । ହେ ଆଲ୍ଲା, ଆପଣ ଆମକୁ ଶକ୍ତି ଓ ସାହସ ଦିଅନ୍ତୁ । ତାହାହିଁ ଆମକୁ ଏ ବିପର୍ଯ୍ୟୟକୁ ଅତିକ୍ରମ କରିବାରେ ସାହାଯ୍ୟ କରିବ । ଦୟାକରି ଆମକୁ ଏଇ ମରୁଭୂମିର ତତଲା ଉହ୍ମେଇରେ ସନ୍ତୁଳି ମାରନ୍ତୁ ନାହିଁ । ଆମେ ବଞ୍ଚିବାକୁ ଚାହୁ, ଜିଇ ରହିବାକୁ ଚାହୁ ।

 

ଚଉତିରିଶ

 

ପରଦିନ ସକାଳ ହେବା ଆଗରୁ ଇବ୍ରାହିମ୍‌ ଆମକୁ ଡାକି ଉଠେଇଦେଲା । କହିଲା, “ଉଠ, ଉଠ । ଖରା ଟାଣ ହେବା ଆଗରୁ ଆମକୁ ବାହାରି ପଡ଼ିବାକୁ ହେବ ।”

 

ମୋ ଗୋଡ଼ ଯୋଡ଼ିକ ଫୁଲି ହାତୀର ଗୋଡ଼ ପରି ଦିଶୁଥାଏ । ତଳୁ ଉଠେଇଲା ବେଳକୁ ବୁଝିପାରିଲି ଏ ପାଦକୁ ଘୋଷାରି ଘୋଷାରି ଯିବା କଷ୍ଟ । ତଥାପି କଷ୍ଟେମଷ୍ଟେ ପାଦ ଘୋଷାରି ଘୋଷାରି ବାଲି ଉପରେ ଚାଲିଲି । କିଛି ଦୂର ଗଲା ପରେ, ଖରା ଟାଣ ହେଇଗଲା । ବୁଝିପାରିଲୁ, ଏବେ ଆଉ ଟିକକରେ ବାଲି ତାତିଯିବ ଓ ଆମ ଯାତ୍ରା ଆହୁରି କଷ୍ଟକର ହେଇପଡ଼ିବ ।

 

ଆକାଶଟା ଗୋଟେ ଓଲଟି ପଡ଼ିଥିବା ପାଛିଆ ପରି ଦିଶୁଥିଲା ଯାହାର ଅଧକ ନୀଳ ଓ ଆର ଅଧକ ଧୂସର ରଙ୍ଗର ଦିଶୁଥିଲା । ଗୋଟେପଟ ଦିଗ୍‌ବଳୟରୁ ଆକାଶ ବାହାରି ଆମ ମୁଣ୍ଡ ଉପରେ ଉଚ୍ଚକୁ ଛୁଇଁଥିଲା ଏବଂ ତା’ପରେ ନୋଇଁଯାଇ ଆର ଦିଗ୍‌ବଳୟ ପାଖରେ ସରିଥିଲା । ଆମେ ଥିଲୁ ସେଇ ପାଛିଆ ତଳେ ଛଟପଟ ହେଉଥିଲା ତିନିଟା କୁକୁଡ଼ା ଚିଆଁ । ଆମକୁ ଯେମିତି ହେଲେ ଏହି ପାଛିଆକୁ ଟେକି ତା’ ତଳୁ ଉଦ୍ଧାର ପାଇବାକୁ ହେବ । କିନ୍ତୁ ସେକଥା କରିବାକୁ ହେଲେ ଆମକୁ ତ ପାଛିଆର ଦାଢ଼ ପାଖରେ ଅନ୍ତତଃ ପହଞ୍ଚିବା ପାଇଁ ହେବ । ମାତ୍ର ସେ ଦାଢ଼ କାହିଁ, ଏତେ ଦୀର୍ଘ ପଥ ଚାଲିବା ସତ୍ତ୍ୱେ ଆମକୁ ତାହା ଦୃଶ୍ୟ ହେଉ ନ ଥିଲା । ଲାଗୁଥିଲା, ଏ ପଥ ଯେମିତି ଅସରନ୍ତି, ଶେଷହୀନ । ମୋ ଆଖିକୁ ମଥା ଉପରର ନୀଳ ଆକାଶ ଓ ଆଖି ଆଗର ଶେଷହୀନ ବାଲୁକାମୟ ମରୁଭୂମି ଭିନ୍ନ ଅନ୍ୟ କିଛି କୋଉଠି ଦିଶୁ ନ ଥିଲା ।

 

ଇବ୍ରାହିମ୍‌ ସାନ୍ତ୍ୱନା ଦେଲା, “ଡର ନାହିଁ । ଆଉ ଅଢ଼େଇ ମାଇଲ ଗଲା ପରେ ଆମେ ରାସ୍ତା ପାଇଯିବା । ତାହାପରେ ଆମକୁ ଆମର ଲକ୍ଷ୍ୟସ୍ଥଳ ମିଳିଯିବ । ବିଶ୍ୱାସ ରଖ । ଆଶା ଛାଡ଼ ନାହିଁ କି ନିଜକୁ ଧିକ୍କାର କରନାହିଁ । ଚାଲ, ଯେତେବେଳେ ପୂରା ଥକିପଡ଼ିବା, ସେତେବେଳେ ଏଇ ଖରାରେ କୋଉଠି ଟିକେ ବସିଯିବା । କିନ୍ତୁ ଯେତିକି ବାଟ ପାରିବା ଚାଲିବା । ଆମକୁ ବାଟତକ ଯେମିତି ହେଲେ ଅତିକ୍ରମ କରିବାକୁ ପଡ଼ିବ । ଏଇଟା ଆମ ପାଇଁ ଯୁଦ୍ଧ ବୋଲି ଭାବ, ତେଣୁ ଚାଲିବା ବନ୍ଦ କରି ପାରିବା ନାହିଁ । ଆମକୁ ଯେମିତି ହେଉ ଖୁବ୍‌ଶୀଘ୍ର ଗୋଟେ ନିରାପଦ ଜାଗାରେ ପହଞ୍ଚିଯିବାକୁ ପଡ଼ିବ ।

 

କିଛି ଦୂର ଗଲା ପରେ ଆମେ ଗୋଟେ ମୃତ ନଈ ଭେଟିଲୁ । ଏଇଟା ଅନେକ ଅନେକ ବର୍ଷ ତଳେ ନଈଟିଏ ଥିଲା, ମାତ୍ର ମରୁଭୂମିରେ ପାଣିତକ ହରେଇ ମରିଯାଇଛି ଏବଂ କାଳକ୍ରମେ ମରୁଭୂମିର ଅଂଶ ପାଲଟି ଯାଇଛି । ମୋତେ ସେଇଟା ଦେଖି ଆଶ୍ଚର୍ଯ୍ୟ ଲାଗିଲା । କାରଣ, ଏମିତିକା ଉତ୍ତପ୍ତ ମରୁଭୂମି ବୁକୁରେ ଯେ ଦିନେ କେବେ ନଦୀଟିଏ ବୋହୁଥିଲା ସେକଥା ମୁଁ କଳ୍ପନା କରିପାରୁ ନ ଥିଲି । ତାହା ସତ୍ତ୍ୱେ ଅତୀତର ସେଇ ନଈ ତାହାର ଚିହ୍ନ ଏଠି ଛାଡ଼ିଯାଇଛି । ହୁଏତ ଦିନେ ସେହି ନଈ ପାରି ହେବାକୁ ଚାହିଥିବା ମଣିଷ ତା’ ପାଣିରେ ବୁଡ଼ିଯାଇଥିବ । ଅଥଚ ସେଇ ନଈଧାରରେ ମୁଁ ତୃଷାର୍ତ୍ତ ଛିଡ଼ା ହେଇଛି, ବୁଡ଼ି ମରିବା ତ ଦୂରର କଥା ଓଠ ଭିଜେଇବା ପାଇଁ ଟୋପାଏ ପାଣି ନାହିଁ । ଏହା ଭିତରେ କେତେ ବର୍ଷ ସତରେ ବିତିଯାଇ ନ ଥିବ ! ମୁଁ ସମୟର ପ୍ରଭାବ ଓ ପରିସ୍ଥିତିର ବିଚିତ୍ର ବିରୋଧାଭାସ ଚିନ୍ତା କରି ବିସ୍ମୟ ବିମୂଢ଼ ହୋଇଯାଉଥିଲି ।

 

ଭାବୁଥିଲି, ଏହି ସମୟ ଭିତରେ କଅଣ କଅଣ ସବୁ ଘଟିଥିବ ସେ ନଈଟିର । ଧୀରେ ଧୀରେ ତାହାର ପାଣି ଶୁଖିଯାଇଥିବ, ପାଣି ଅଭାବରେ ଏକଦା ତା’ କୋଳରେ ବଢ଼ୁଥିବା ଜଳଚରମାନେ ଛାଟିପିଟି ହୋଇ ଗୋଟିକ ପରେ ଗୋଟିଏ ମରିଯାଇଥିବେ, ତାହାପରେ ତା’ କୂଳରେ ବଢ଼ିଥିବା ଘାସ ଓ ଗଛଗୁଡ଼ିକ ପାଣି ପାଇଁ ଡହଳବିକଳ ହୋଇ ମରିଯାଇଥିବେ । ସମୟ, କେତେ ଅଦ୍ଭୁତ ତୁମର ପ୍ରଭାବ !

 

ଏହା ଭିତରେ ଆମେ ଦୁଇ ରାତି ଓ ଦେଢ଼ଦିନ ଟୋପାଏ ପାଣି ନ ପିଇ ଚାଲିଥିଲୁ । ପିଇବା କଥା ଥାଉ ଜିଭ ହେଲେ ଟିକିଏ ଓଦା କରିପାରିଥାଆନ୍ତୁ । ଆମକୁ ଆଖି ଖୋଲିବା ପାଇଁ କଷ୍ଟ ହେଉଥିଲା । ଅଧା ଶୁଆ, ଅଧା ଚିଆଁ ଅବସ୍ଥାରେ ଆମେ ପାଦ ଘୋଷାରି ଘୋଷାରି ଚାଲିଥିଲୁ-। ଯେତେବେଳେ ସହିବାର ସବୁ ସୀମା ପାରି ହୋଇଗଲା ହକିମ୍‌ପାଣି ପାଣି ଇସାରା କରି ଗଁ ଗଁ ହେବାକୁ ଲାଗିଲା । ତା’ ପାଟିରୁ କଥା ବାହାରୁ ନ ଥାଏ । ହକିମ୍‌ ଓ ମୋର ସମସ୍ୟା ହେଲା ଆମେ ଆମ ଗାଁରେ ଥିବାବେଳେ ସବୁବେଳେ ପାଣି ସାଙ୍ଗେ କାରବାର କରିଥାଉ । ପାଣି ସହ ଆମର ଅତ୍ୟଧିକ ସମ୍ପର୍କ । ଆମ ରାଜ୍ୟରେ ଚାରିଆଡ଼େ ପାଣି ଆଉ ପାଣି । ନଈ, ନାଳ, ପୋଖରୀ - ସବୁଠି ପାଣିର ପ୍ରାଚୁର୍ଯ୍ୟ । ସେଥିପାଇଁ ପାଣିର ଏହି ଅଭାବ ଆମକୁ ବରଦାସ୍ତ ହେଉ ନ ଥିଲା । ମାତ୍ର ଇବ୍ରାହିମ୍‌ ଆମକୁ ତାଗିଦ୍‌କରି କହିଲା, “ମଣିଷ ବିନା ଖାଦ୍ୟ-ପାଣିରେ ଚଉଦ ଦିନ ପର୍ଯ୍ୟନ୍ତ ବଞ୍ଚିପାରେ । ଆଲ୍ଲାଙ୍କୁ ସ୍ମରଣ କରି ବାଟ ଚାଲ ।”

 

ମାତ୍ର ହକିମ୍‌ ପାଣି ବିନା ଆଉ ପାଦେ ଚାଲିବା ଅବସ୍ଥାରେ ନ ଥିଲା । ଉଠିପଡ଼ି ସେ ଚାଲିବାକୁ ଚେଷ୍ଟା କଲା, ମାତ୍ର କିଛି ଦୂର ଯିବା ପରେ ମୋ ହାତ ଭିଡ଼ିଧରି କହିଲା, “ନା ଚାଚ୍ଚା, ମୁଁ ଆଉ ଜମା ଚାଲିପାରିବି ନାହିଁ । ତମେ ଯାଅ । ମୁଁ ଏଇଠି ରହିଲି । ଏଇ ବାଲି ଉପରେ ପଡ଼ିକି ରହିଥିବି, ଯାହା ହେବାର ଥିବ ହେବ । ଆଉ ମୁଁ ଚାଲିପାରିବି ନାହିଁ ।”

 

ମୁଁ ତାକୁ ଗାଳିଦେଲି । କହିଲି, “ହକିମ୍‌, ଏତେ ଶୀଘ୍ର ଆଶା ଛାଡ଼ି ଦେଏନା । ଆଲ୍ଲାଙ୍କ ଉପରେ ଭରସା ରଖ ।” ତା’ପରେ ମୁଁ ତା’ ପାଇଁ ପ୍ରାର୍ଥନା କଲି, “ଅଲ୍ଲାହୁ ଆକ୍‌ବର୍‌, ଅଲ୍ଲାହୁ ଆକ୍‌ବର୍‌ ।” ସିଏ ମଧ୍ୟ ମୋ ସହିତ ଏହି ପ୍ରାର୍ଥନା ମନେ ମନେ ଦୋହରାଉଥିଲା, “ଅଲ୍ଲାହୁ ଆକ୍‌ବର୍‌, ଅଲ୍ଲାହୁ ଆକ୍‌ବର୍‌ ।” ଆମକୁ ସତେ କି ସେଇ ପ୍ରାର୍ଥନାରୁ ଶକ୍ତି ମିଳୁଥିଲା, କାରଣ ହକିମ୍‌ ବସିବା ଜାଗାରୁ ଉଠିପଡ଼ିଲା ଏବଂ ପୁଣି ଚାଲିବାକୁ ଲାଗିଲା । କିଛି ବାଟ ଯିବା ପରେ ତାହାର ସେ ଶକ୍ତି ଟିକକ କିନ୍ତୁ ସରିଗଲା । ଆମର କ୍ଳାନ୍ତଶ୍ରାନ୍ତ ପାଦ ଆଉ ଆଗକୁ ବଢ଼ିବା ପାଇଁ ସମର୍ଥ ନ ଥିଲେ । ଆମେ ଏତେ ଥକିପଡ଼ିଥିଲୁ ଯେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସବୁ ଦରଜ ଲାଗୁଥିଲା ଓ ହାତପାଦ ଉଠେଇ ହେଉ ନ ଥିଲା । ମୋ ତଳିପାଦର ଚମ ତତଲା ବାଲିରେ ସିଝି ଛିଣ୍ଡିଯାଇଥିଲା ଓ ରକ୍ତ ନିଗିଡ଼ି ଆସିଥିଲା । ହକିମ୍‌ପାଦର ଅବସ୍ଥା ମଧ୍ୟ ସେଇପରି ଥିଲା । ତାହା ସତ୍ତ୍ୱେ ସେ ପାଦ ଘୋଷାରି ଘୋଷାରି ଆମ ସହିତ କିଛି ବାଟ ଚାଲିଥିଲା । ମାତ୍ର କିଛି ବାଟ ଚାଲିବା ପରେ ଆମେ ବୁଝିଗଲୁ, ଆଉ କାହାରି ପକ୍ଷେ ଚାଲିବା ଆଦୌ ସମ୍ଭବ ନୁହେଁ ।

 

ହକିମ୍‌ ଥକିଯାଇ ତଳେ ପଡ଼ିଗଲା । ତାହାର ଆଉ ଛିଡ଼ାହେବା ଲାଗି ବଳ ନ ଥିଲା । ମୁଁ ତାକୁ ଅପେକ୍ଷା କଲା ପରି ତା’ ପାଖରେ ବସିପଡ଼ିଲି । ଇବ୍ରାହିମ୍‌ ଗାଳି ଦେଉଥାଏ, “ଉଠ, ବସିପଡ଼ିଲ କାହିଁକି ? ଥକ୍କା ମାରି ବସିଲେ ଆଉରି ଥକି ପଡ଼ିବ । ଜମାରୁ ଉଠି ପାରିବ ନାହିଁ । ଏ ବିଶ୍ରାମ ତମକୁ ବଳ ଦେବ ନାହିଁ, ଦୁର୍ବଳ କରିଦେବ । ଇଏ ଯେଉଁ ଡହକା ସୂର୍ଯ୍ୟ, ସେ ତମ ଦେହରୁ ଶେଷ ଜଳବୁନ୍ଦା ବି ଶୋଷିନେବ । କାହିଁକି ନିଜ ଦେହକୁ ଏ ଖରାରେ ଏମିତି ଜାଳୁଛ ? ଆଉ କିଛି ବାଟ ଚାଲ, ତା’ପରେ ଖରା ତାତି କମିଯିବ । ମରୁଭୂମିରେ ବାଲି ଶୀଘ୍ର ଶୀତଳ ହେଇଯାଏ । ଆଉ ଏତେ କଷ୍ଟ ଲାଗିବ ନାହିଁ । ସେତେବେଳେ ଆମେ ବିଶ୍ରାମ ନେବା । ଦିନ ଆଲୁଅରେ ଆଉ କିଛି ବାଟ ଚାଲିଗଲେ ଆମର ଦୂରତା କମିଯିବ । ଆସ, ସମୟ ନଷ୍ଟ କର ନାହିଁ ।”

 

“ତୁ କୁକୁର ଏଠୁ ଭାଗ୍‌ ।” - ହକିମ୍‌ ରାଗରେ ଚିତ୍କାର କରି ଉଠିଲା । “ଆମକୁ ଏଠିକି କଅଣ ମାରିବାକୁ ଆଣିଥିଲୁ ? ତୋ ମନରେ କଅଣ ଥିଲା, କହ । ଆମେ ମସାରାରେ ଏହାଠାରୁ ଭଲରେ ଥିଲୁ । ଆମ ନୃଶଂସ ମାଲିକଙ୍କ ଅତ୍ୟାଚାର ସୁଦ୍ଧା ଏହାଠାରୁ ଭଲ ଥିଲା । ଏଠି କେମିତି ଆମେ ଚାଲୁଛୁ, ତାହା ଜାଣୁ ? ମୁଁ ଆଉ ଚାଲିପାରିବି ନାହିଁ । ମୁଁ ଏଇଠି ପଡ଼ିରହିବି, ଏଇଠି ମରିବି-। ତୁ ତୋର ନିଜେ ଯାଆ, ଯୁଆଡ଼େ ଇଚ୍ଛା ଯାଇକି ବଞ୍ଚ୍‌ । ମୋର ବଞ୍ଚିବାର ନାହିଁ ।”

 

ପ୍ରଥମଥର ପାଇଁ ଦେଖିଲି, ଇବ୍ରାହିମ୍‌ର ଆଖି ଲୁହରେ ଓଦା ହେଇଗଲା । ଏତେ ଦୀର୍ଘ ରାସ୍ତା ଆସିବା ଭିତରେ କେବେ ତାହାର ଆଖି ଏମିତି ଓଦା ହେଇ ନ ଥିଲା । ଅସହାୟ ଭାବରେ ସେ ହାତ ଦୁଇଟି ଆକାଶ ଆଡ଼େ ଉଠେଇ ମନକୁ ମନ କଅଣ କହିଲା । ତାହାପରେ ବାଲିରେ ଆଣ୍ଠୁମାଡ଼ି ବସି ସେ ପ୍ରାର୍ଥନା କଲା ।

 

ମରୁଭୂମିର ବାଲି ତାତିବାରେ ଲାଗିଥିଲା । ମୋତେ ଲାଗୁଥିଲା ମୁଁ ସତେ କି ଆଲ୍ଲାଙ୍କ ତତଲା କଡ଼େଇରେ ପଡ଼ି ଛଟପଟ ହେଉଛି । ତଥାପି ସେଇ ଟିକକ ବିଶ୍ରାମ ମୋତେ ଭଲ ଲାଗୁଥିଲା । ଗୁଡ଼ାଏ ବାଟ ଚାଲି ଚାଲି ମୁଁ ଥକି ପଡ଼ିଥିଲି । ପ୍ରଥମେ ଭାବୁଥିଲି, ଏ ତାତି ସହିହେବ ନାହିଁ । ମାତ୍ର ଧୀରେ ଧୀରେ ତାହା ଦେହସୁହା ହେଇଗଲା । ସେତେବେଳକୁ ସୂର୍ଯ୍ୟ, ମରୁଭୂମି ଏବଂ ମୁଁ ସମସ୍ତେ ଏକାପ୍ରକାରେ ତାତିଯାଇଥିଲୁ । ତେବେ ପାଣି ପାଇଁ ଶୋଷଟା ମେଣ୍ଟୁ ନ ଥିଲା । ସେଇଟା ମୋତେ ଆଉଟୁପାଉଟୁ କରୁଥିଲା, ଅସ୍ଥିର କରୁଥିଲା । ପାଣି କୋଉଠୁ ପାଇବି ? ପାଟିରେ ଛେପ ଟିକିଏ ବି ନାହିଁ । ସେସବୁ କୋଉକାଳୁ ଶୁଖିଯାଇଛି । ମୁଁ ଛାତି ବାଡ଼େଇ ନିଜକୁ ଧିକ୍କାର କଲି । ଆସିଲାବେଳେ ସାଙ୍ଗରେ ଗୋଟେ ବୋତଲ କି ଆଉ କୋଉଥିରେ କିଛି ପାଣି କାହିଁକି ଆଣିଲି ନାହିଁ ବୋଲି ଭାବି ନିଜର ମୂର୍ଖାମିକୁ ଗାଳିଦେଲି । ମାତ୍ର ଆସିଲାବେଳେ ଆମର ମୁଣ୍ଡ କାମ କରୁ ନ ଥିଲା । ଭାବିଥିଲୁ, ହୁଏତ କମ୍‌ସମୟ ଭିତରେ ଆମେ କୋଉ ରାସ୍ତା ପାଖରେ ଯାଇ ପହଞ୍ଚିଯିବୁ । ଏବେ ସେହି ମୂର୍ଖାମି ପାଇଁ ଆମକୁ ଏ ଯନ୍ତ୍ରଣା ଭୋଗିବାକୁ ପଡ଼ୁଚି ।

 

କିଛି ସମୟ ପରେ ଆମେ ଅନୁଭବ କଲୁ ଯେ ଇବ୍ରାହିମ୍‌ ଯାହା କହିଥିଲା ତାହା ଠିକ୍‌ । କାରଣ ଆମେ ଯେତେ ସମୟ ବିଶ୍ରାମ ନେଉଥିଲୁ ଆମ ଦେହ ସେତେ ଅବଶ ହୋଇ ପଡ଼ୁଥିଲା । ତାହାପରେ ଦେହ ଉଠେଇବାକୁ କଷ୍ଟ ହେଲା । ସତେ କି ଆମର ଶରୀର ଆମର ମନ ସହ ସହଯୋଗ କରିବାଲାଗି ମନା କରିଦେଉଥିଲା । ମୋ ଆଖି ସାମ୍ନା ଝାପ୍‌ସା ଝାପ୍‌ସା ଦିଶୁଥିଲା ଓ ମୁଁ କିଛି ସଫା ଦେଖିପାରୁ ନ ଥିଲି । ତା’ ଭିତରେ ମୁଁ ଦି’ଥର ବାନ୍ତି କରି ସାରିଥିଲି । ଇବ୍ରାହିମ୍‌ତାହାର ଦେହରୁ ଲୁଗା ଖୋଲି ଆମ ମୁଣ୍ଡ ଉପରେ ଟେକି ଧରିଲା ଏବଂ ଆମ ଲାଗି କିଛି ଛାଇର ବ୍ୟବସ୍ଥା କରିଦେଲା । ମାତ୍ର ତାହା ଆମ ପାଇଁ ଯଥେଷ୍ଟ ନ ଥିଲା । ତା’ପରେ ସେ ଆମକୁ ଟେକିନେଇ ଗୋଟେ ଜାଗାରେ ବସେଇଲା; ମାତ୍ର ଆମେ ସିଧା ହେଇ ବସି ନ ପାରି ଗଡ଼ିପଡ଼ିଲୁ । ବସିବା ପାଇଁ ସୁଦ୍ଧା ଦେହରେ ବଳ ନ ଥିଲା । ଏହାପରେ ମୁଁ କେତେବେଳେ ଗାଢ଼ ନିଦ୍ରାରେ ଶୋଇଗଲି ମୁଁ ନିଜେ ଜାଣେ ନାହିଁ । ହକିମ୍‌ ଓ ମୁଁ ଦିହେଁ ସେଇଠି ଦିଇଟା ମଲା କୁକୁର ପରି ପଡ଼ି ରହିଲୁ । ଇବ୍ରାହିମ୍‌ଚାହିଥିଲେ ଆମକୁ ଛାଡ଼ି ସେଏଠୁ ତା’ ରାସ୍ତାରେ ଚାଲିଯାଇ ପାରିଥାଆନ୍ତା । ମାତ୍ର ସେ କୁଆଡ଼େ ଯାଇ ନ ଥିଲା; ବରଂ ସେଇଠି ଥାଇ ଆମ ଦି’ଜଣଙ୍କର ଆଖି ଖୋଲିବା ପର୍ଯ୍ୟନ୍ତ ଆମ ଉପରେ ନଜର ରଖିଥିଲା ।

 

ନିଦରୁ ଉଠିବାବେଳକୁ ମୋ ତଣ୍ଟି ଜଳୁଥାଏ । କିନ୍ତୁ ପାଣି କୋଉଠୁ ପାଇବି ? ହେ ଆଲ୍ଲା, ଗାଁରେ ଥିବାବେଳେ ମୁଁ କେତେ ପାଣି ନଷ୍ଟ କରିଛି । ଆଜି ମୁଁ ଏଇ ମରୁଭୂମିରେ ଆପଣଙ୍କୁ ଟୋପାଏ ପାଣି ଲାଗି ପ୍ରାର୍ଥନା କରୁଛି । ଦୟାକରି ମୋତେ ମୁନ୍ଦାଏ ପାଣି ଦିଅ । ମୁଁ ବୁଝିପାରୁଛି, ପାଣିର ମହତ୍ତ୍ୱ କେତେ ? ମୋର ସେହି ପିଛିଲାଦିନର ଅପରାଧ ପାଇଁ କଅଣ ଆପଣ ମୋତେ ଏ ଶାସ୍ତି ଦେଉଛନ୍ତି ? ଦୟାକରି ମୋତେ କ୍ଷମା କରିଦିଅ । ମୁଁ ଅପରାଧୀ । ମୁଁ ଆଜି ବୁଝିପାରୁଛି, ପାଣି କେତେ ମୂଲ୍ୟବାନ୍‌, ପାଣି କେତେ ମହାର୍ଘ !

 

ପଞ୍ଚତିରିଶ

 

ଅଧିକାଂଶ ଭାଷା ଓ ସାହିତ୍ୟର ଲେଖକ ମରୁଭୂମିକୁ ଆଧ୍ୟାତ୍ମିକ ଉତ୍ତରଣ ଓ ଜ୍ଞାନ ପ୍ରାପ୍ତିର ଏକ ସ୍ଥାନ ଭାବେ ବର୍ଣ୍ଣନା କରିଛନ୍ତି । ଏଭଳି ମଧ୍ୟ ଲେଖାଯାଇଛି ଯେ ମରୁଭୂମିର ନିର୍ଜନତା ମଣିଷର ମସ୍ତିଷ୍କରେ ଜ୍ଞାନର ବିସ୍ଫୋରଣ ଘଟାଇଥାଏ । ମାତ୍ର ସେଇ ମରୁଭୂମି ମୋ ମସ୍ତିଷ୍କରେ କୌଣସି ଜ୍ଞାନ ଜୁଟେଇ ପାରି ନ ଥିଲା । ମୁଁ ତିନି ବର୍ଷ କାଳ ମରୁଭୂମିରେ ରହିଲି । କୌଣସି ଭାବରେ ଏହା ମୋ ଚେତନାରେ ଉତ୍‌ଥାନ କି ଉତ୍ତରଣ ଆଣି ନ ଥିଲା । ଶେଷରେ ମୁଁ ଏହାକୁ ଛାଡ଼ି ଆସିବାକୁ ସଂକଳ୍ପ କରିଥିଲି । କାରଣ ଏଇ ମରୁଭୂମି ମୋତେ ଦୁଃଖ, କଷ୍ଟ, ଯନ୍ତ୍ରଣା ଓ ନିର୍ଯାତନା ଭିନ୍ନ ଆଉ କିଛି ହେଲେ କିଛି ଦେଇ ନ ଥିଲା । ହେଇପାରେ, ଯେଉଁମାନେ ମରୁଭୂମିକୁ ଜ୍ଞାନ ଓ ଆଧ୍ୟାତ୍ମିକ ଉପଲବ୍ଧି ଖୋଜି ଖୋଜି ଆସିଥିବେ ସେମାନେ ଏଠୁ ତାହା ପାଇଥିବେ । ମୁଁ ସେସବୁ କିଛି ଖୋଜି ଏଠାକୁ ଆସି ନ ଥିଲି । ସେଇଥିପାଇଁ ବୋଧହୁଏ ମୁଁ ଏମିତି ଯନ୍ତା ଭିତରେ ପଡ଼ିଯାଇଥିଲି । ମରୁଭୂମି ହୁଏତ ସ୍ଥିର କରି ନେଇଥିଲା, ତାହାର ମୋତେ କିଛି ଦେବା ଦରକାର ନାହିଁ ।

 

ଆମେ କୁଆଡ଼େ ଯାଉଛୁ ବୋଲି ଜାଣି ନ ପାରି, ଏମିତି ନିରୁଦ୍ଦେଶ୍ୟ ଭାବରେ ଆଉ ଦି’ଦିନ ଚାଲିଲୁ; ମାତ୍ର କୌଣସି ରାସ୍ତାଘାଟର ଚିହ୍ନବର୍ଣ୍ଣ ଆମକୁ ଦିଶୁ ନ ଥାଏ । ବାଟରେ ଆମେ କାହାକୁ ଭେଟୁ ନ ଥାଉ, କି କେହି ଆମକୁ ଏ ବିପଦରୁ ରକ୍ଷା କରିବା ପାଇଁ ଭେଟ ହେଉ ନ ଥା’ନ୍ତି । ଆଗରୁ ତ କହିଛି, ସେତେବେଳକୁ ଆମେ ସମ୍ପୂର୍ଣ୍ଣ କ୍ଳାନ୍ତ, ଶ୍ରାନ୍ତ ଓ ବିପର୍ଯ୍ୟସ୍ତ । ଆମ ପାଦରେ ଗରମ ଫୋଟକାମାନ ଫୁଟି ଉଠିଥାଏ ଏବଂ ସେସବୁ ଫାଟି ପ୍ରବଳ କଷ୍ଟ ଦେଉଥାଏ । ସେ ଯନ୍ତ୍ରଣା ଭାଷାରେ ପ୍ରକାଶ କରିହେବ ନାହିଁ । କ୍ରମେ ପାଦର ସେ ଦରଜ ଆଣ୍ଠୁ ପର୍ଯ୍ୟନ୍ତ ସଂକ୍ରମି ଆସିଲା । ସେଇଦିନ ଉପରବେଳା, ହକିମ୍‌ ହଠାତ୍‌ ପାଣି ପାଣି ବୋଲି ଚିତ୍କାର କଲା ଓ ଆମଆଡ଼େ ନ ଅନାଇ ପାଣି, ପାଣି କହି ଗୋଟିଏ ଦିଗରେ ବଡ଼ ବଡ଼ ପାହୁଣ୍ଡ ପକେଇ ଚାଲିବାକୁ ଲାଗିଲା । ମୁଁ ଶୁଣୁଥାଏ, ସେ ଖାଲି କହୁଥାଏ, ପାଣି, ପାଣି, ଆଲ୍ଲା, ପାଣି ।

 

ମୁଁ ଭୟରେ ବିକଳ ହୋଇ ହକିମ୍‌କୁ ଚାହିଁଲି । ସେ କୁଆଡ଼େ ଯାଉଛି ମୁଁ ବୁଝିପାରୁ ନ ଥିଲି । କାରଣ ମରୁଭୂମିରେ ମୋର ସ୍ୱଳ୍ପ ଅଭିଜ୍ଞତାରୁ ଜାଣିପାରୁଥିଲି ଯେ ସେ ଯୋଉଆଡ଼କୁ ପାଣି, ପାଣି କହି ଧାଉଁଥିଲା, ସେଇଆଡ଼େ ଗୋଟେ ମରୀଚିକା ଦେଖାଯାଉଥିଲା । ମୁଁ ତାକୁ ପଛରୁ ଡାକିଲି । ମାତ୍ର ହକିମ୍‌ ମୋ ଡାକକୁ ଭ୍ରୂକ୍ଷେପ ନ କରି ପାଗଳ ପରି ‘ପାଣି, ପାଣି’ କହି ଧାଉଁଥିଲା । ଇବ୍ରାହିମ୍‌ ଓ ମୁଁ ଧାଇଁଯାଇ ତାକୁ ଅଟକେଇଲୁ । ସେତେବେଳକୁ ତା’ ପାଟିରୁ ଫେଣ ବାହାରିଲାଣି, ନାକ ବାଟେ ରକ୍ତ ନିଗୁଡ଼ୁଥାଏ । ମୁଁ ମୋ ଲୁଗାରେ ତା’ ରକ୍ତ ଓ ଫେଣ ପୋଛି ତାକୁ ସେଇଠି ବସେଇଲି । ସେ କହିଲା, ତା’ ମୁଣ୍ଡ ବୁଲଉଛି । କିଛି ସମୟ ପରେ ସେ ହାତ ଏପଟ ସେପଟ କରି ଅଦ୍ଭୁତ ପ୍ରକାର ଇସାରା କରିବାକୁ ଲାଗିଲା । ତା’ପରେ ହଠାତ୍‌ ପାଗଳା କୁକୁର କାମୁଡ଼ିଥିବା ଲୋକପରି ସେ ଉଠିପଡ଼ିଲା ଓ ଦଉଡ଼ିବାରେ ଲାଗିଲା ।

 

ଆମେ ତା’ ପଛରେ ଦଉଡ଼ିଲୁ । କିଛି ସମୟ ଧାଇଁଲା ପରେ ହକିମ୍‌ ହାଲିଆ ହେଇ ପଡ଼ିଗଲା । ତା’ପରେ ସେ ଖୁବ୍‌ ଜୋର୍‌ରେ ଚିତ୍କାର କରି କାନ୍ଦିଲା । ଆମେ ଦିହେଁ ତାକୁ ଧରିବା ପାଇଁ ଯିବାବେଳକୁ ସେ ଆମକୁ ଧକ୍କା ଦେଇ ଠେଲିଦେଲା । ତା’ପରେ ସେ ତତଲା ବାଲିଗୁଡ଼ାକୁ ପାଟିରେ ପୂରେଇ ଖାଇବାକୁ ଲାଗିଲା । ଇବ୍ରାହିମ୍‌ଓ ମୁଁ ତାକୁ ଅଟକେଇବାକୁ ଚେଷ୍ଟା କଲୁ, ମାତ୍ର ସେ ପୁଣି ଆମକୁ ଠେଲିଦେଲା । ସେତେବେଳେ ତା’ ଦେହରେ ଏ ଅସୁରର ବଳ କୋଉଠୁ ଆସୁଥିଲା କିଏ ଜାଣେ ? ବାଲିଗୁଡ଼ା ଖାଇଥିବା ଯୋଗୁଁ କି କଅଣ ସେ ଆଉ ଥରେ ବାନ୍ତି କଲା । ଆମେ ତା’ ଦଶା ଦେଖି ଡରିଗଲୁ । ସେ ଜାଗାରେ ଆମେ କଅଣ ବା କରିପାରିବୁ ? ସମ୍ପୂର୍ଣ୍ଣ ଅସହାୟ ଭାବେ ଆମେ ଏ ଦୃଶ୍ୟ ଦେଖୁଥାଉ । ହକିମ୍‌ର ପାଟିରୁ ରକ୍ତ ବୋହୁଥାଏ ଓ ସେ ବାଲି ଉପରେ ଦରମଲା ସାପଟେ ପରି ଛାଟିପିଟି ହେଉଥାଏ । କ୍ରମେ ତା’ ଆଖି ଯୋଡ଼ିକ ବାହାରି ପଡ଼ିଲା ଓ ନାକ ବାଟେ ରକ୍ତ ନିଗିଡ଼ିଲା । ପାଟିରୁ ପୁଳାଏ ଫେଣ ବାହାରିପଡ଼ିଲା ।

 

“ଇବ୍ରାହିମ୍‌, କିଛି କର । ମୋ ହକିମ୍‌ ମରିଯିବ ।” ମୁଁ ଚିତ୍କାର କରି ଉଠିଲି । ତା’ପରେ ପ୍ରାର୍ଥନା କଲି, “ହେ ଆଲ୍ଲା, ଆପଣ ଏ ସାରା ସଂସାରର ମାଲିକ । ଦୟାକରି ମୋ ହକିମ୍‌କୁ ବଞ୍ଚେଇ ରଖ । ତାହାର କିଛି ନ ହେଉ । ଦୟାକରି ତାକୁ ରକ୍ଷା କର ।” ମୁଁ ମୋ ଛାତିକୁ ବାଡ଼ଉଥାଏ ଓ ଆଲ୍ଲାଙ୍କୁ ଡାକୁଥାଏ ।

 

ଆକାଶରେ ଜଳନ୍ତା ସୂର୍ଯ୍ୟ । ଖରା ଧାସରେ ଆମ ମୁହଁ ପୋଡ଼ି ଯାଉଥାଏ । ମୁଁ ଇବ୍ରାହିମ୍‌କୁ ଆଉ ଥରେ ବିକଳ ହେଇ ନେହୁରା ହେଲି, “ଇବ୍ରାହିମ୍‌, କିଛି କର ଇବ୍ରାହିମ୍‌ ।” ଇବ୍ରାହିମ୍‌ କିନ୍ତୁ ଅସହାୟ ଭାବେ ସେଇଠି ବସିଥିଲା । ସେ ଏଭଳି ପରିସ୍ଥିତି କଥା କଳ୍ପନା କରି ନ ଥିଲା । ମୁଁ ହତାଶ ଓ ବିବଶ ହୋଇପଡ଼ୁଥିଲି । ମୋର ଅସହାୟତା ମୋତେ ଉତ୍ତ୍ୟକ୍ତ କରିଦେଉଥିଲା । ମୁଁ ରାଗିଯାଇ ଇବ୍ରାହିମ୍‌ ଉପରକୁ ଛେପ ପକେଇଲି ଓ ତା’ ଆଡ଼କୁ ବାଲି ଫିଙ୍ଗିଲି-। ସେତିକିରେ ମୋ ମନ ବୁଝିଲା ନାହିଁ । ମୁଁ ଯାଇ ତାକୁ ଗୋଟେ ଗୋଇଠା ମାରିଲି ।

 

ଇବ୍ରାହିମ୍‌ ଅସହାୟ ଭାବେ ଚିତ୍କାର କରି ଉଠିଲା, “ଆମେ କିଛି କରିପାରିବା ନାହିଁ । ଯାହା ଆଲ୍ଲାଙ୍କର ଇଚ୍ଛା ଥିବ ସେଇଆ ହେବ । ଆମ ହାତରେ କିଛି ନାହିଁ ।” -ମୁଁ ଇବ୍ରାହିମ୍‌କୁ ଆଗରୁ କେବେ ଏତେ ଅସହାୟ ହୋଇପଡ଼ିବାର ଦେଖି ନ ଥିଲି ।

 

ଏଥର ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଲି । ମୁଣ୍ଡପୋତି ବସିରହିଲି ସେଇଠି । ଆଖି ଯୋଡ଼ିକ ବନ୍ଦ କରି ନେଇଥିଲି, କାରଣ ମୁଁ ହକିମ୍‌ର ସେ ଛଟପଟ ହେବାର ଦୃଶ୍ୟ ଦେଖି ପାରୁ ନ ଥିଲି । ସେ ଗଁ ଗଁ ହୋଇ ଛାଟିପିଟି ହେଉଥିଲା ଓ ତା’ ହାତ ପାଦ ଟାଣି ହେଇଯାଉଥିଲା । କିଛି ସମୟ ପରେ ମୁଁ ଆଖି ଖୋଲି ଚାହିଁଲି । ହକିମ୍‌ସେଇଠି ଶୋଇରହି ତା’ ଦୁଇ ଖୋଲା ଆଖିରେ ମୋତେ ଅନେଇଥିଲା । ସତେ କି ସେ ମୋତେ କିଛି କହିବାକୁ ଚାହୁଥିଲା । ମୁଁ ତା’ ପାଖକୁ ଧାଇଁଗଲି । “ହକିମ୍‌ରେ, ଚିନ୍ତା କର ନାହିଁ । ଆଲ୍ଲା ନିଶ୍ଚୟ ତୋତେ ସାହାଯ୍ୟ କରିବେ ।” ଏତକ କହି ମୁଁ ତାକୁ ମୋ କୋଳରେ ଧରିଲି । ତା’ ଆଖି ଟିକିଏ ଥରିଉଠିଲା ପରି ମୋତେ ଲାଗିଲା । ତା’ପରେ ଧୀରେ ଧୀରେ ତାହା ସ୍ଥିର ହୋଇଗଲା । ମୁଁ ଏ ଦଶା ଦେଖି କଅଣ କରିବି ବୁଝିପାରୁ ନ ଥାଏ । ଚତୁର୍ଦିଗ ଅନ୍ଧାର ଦିଶୁଥାଏ । କୌଣସି ବୁଦ୍ଧିବାଟ ଦିଶୁ ନ ଥାଏ । ତା’ପରେ ମୁଁ ସେଇଠି ତାଆରି ଦେହ ଉପରେ ଟଳିପଡ଼ିଲି ।

 

ଯେତେବେଳେ ମୋ ଆଖି ଖୋଲିଲା, ମୁଁ ଦେଖିଲି ଯେ ମୁଁ ଇବ୍ରାହିମ୍‌ କାନ୍ଧରେ ଶବଟିଏ ପରି ଓହଳିଛି । ମରୁଭୂମିରେ ଭୟଙ୍କର ଧୂଳିଝଡ଼ ଆରମ୍ଭ ହୋଇଯାଉଥାଏ । ଏପରି ଅବସ୍ଥାରେ ପାହୁଣ୍ଡେ ପାଦ ଚାଲିବା ସୁଦ୍ଧା କଷ୍ଟକର । ତଥାପି ଇବ୍ରାହିମ୍‌ ମୋତେ ତା’ କାନ୍ଧରେ ବୋହି ଦଉଡ଼ୁଥାଏ । ମୁଁ ଜାଣେନି, ସେ କାହିଁକି ସେମିତି ଦଉଡ଼ୁଥିଲା । ମାତ୍ର ମୁଁ ଏତେ ଥକି ପଡ଼ିଥିଲି ଯେ ସେତେବେଳେ ତା’ କାନ୍ଧରୁ ଓହ୍ଲେଇବାକୁ ଚାହୁ ନ ଥିଲି । ଇବ୍ରାହିମ୍‌ର କାନ୍ଧରେ ଓହଳିରହି ମୁଁ ଚାରିଆଡ଼କୁ ଚାହିଁଲି । ଗୋଟେ ବାଲିକୁଦ ପଛପଟେ କିଛି ଗୋଟାଏ ଚଳଚଞ୍ଚଳ ହୋଇପଡ଼ିଥିବା ମୁଁ ଲକ୍ଷ୍ୟ କଲି । ମୁଁ ଆଉ ଟିକିଏ ନିରିଖେଇ ଦେଖିଲି, ନା, ବାଲିକୁଦ ପଛରେ ନୁହେଁ, ସେଇ ବାଲିକୁଦଟା ହିଁ ଘୁଞ୍ଚି ଘୁଞ୍ଚି ଯାଉଥିଲା । ସମୁଦ୍ର ଗର୍ଭରୁ ବଡ଼ ଲହଡ଼ିଟିଏ ମାଡ଼ି ଆସିବା ପରି ମରୁଭୂମିରେ ବାଲିର କୁଦଟାଏ ମାଡ଼ି ଆସୁଥିଲା । ତା’ ପଛକୁ ପୁଣି ଗୋଟାଏ ବାଲିର ପାହାଡ଼ । ମୋତେ ଲାଗିଲା, ଆମେ ମରୁଭୂମିରେ ନୁହେଁ, ବାଲି ସମୁଦ୍ର କୂଳରେ ଛିଡ଼ା ହେଇଛୁ । ମୋ ଆଖି ଆଗରେ ମରୁଭୂମିର ମାନଚିତ୍ର ଓ ଚେହେରା ବଦଳି ବଦଳି ଚାଲିଥିଲା । ଦୂରରୁ ଗୋଟାଏ ବାଲି ଲହଡ଼ି ଆସୁଥିଲା ଓ ତାହା ଆଉ ଗୋଟିଏ ଜାଗାରେ ତଳକୁ ଖସି ଧୀରେ ପତଳା ଆସ୍ତରଣରେ ପରିଣତ ହୋଇଯାଉଥିଲା ।

 

ଇବ୍ରାହିମ୍‌ବଡ଼ ପାଟିରେ କହିଲା, “ଆଖିଯୋଡ଼ିକ ଭଲକରି ବନ୍ଦ ରଖ । ତା’ପରେ ସେ ମୋତେ ତଳେ ଠିଆ କରେଇ ଖୁବ୍‌ଜୋର୍‌ରେ ଜଡ଼େଇ ଧରିଲା । ମୋତେ କହିଲା, “ଜମା ହଲ୍‌ଚଲ୍‌ହେବୁ ନାହିଁ ।” ଆମେ ସେଇଠି ପରସ୍ପରକୁ କୁଣ୍ଢେଇ ଧରି ଛିଡ଼ା ହୋଇ ରହିଲୁ । କେଇଟି ମୁହୂର୍ତ୍ତ ଭିତରେ ଗୋଟେ ବାଲିର ଲହଡ଼ି ଆମକୁ ସମ୍ପୂର୍ଣ୍ଣ ବୁଡ଼େଇ ଅତିକ୍ରମ କରିଗଲା । ମୁଁ ସେ ତତଲା ବାଲିର ସ୍ପର୍ଶ ମୋ ମୁହଁ, ଦେହ ଓ ହାତରେ ଅନୁଭବ କରିପାରୁଥିଲି । ସେଇଠି ସେଇ ମୁଦ୍ରାରେ କେତେ ସମୟ ଦିହେଁ ଛିଡ଼ାହୋଇ ରହିଲୁ ମୁଁ ଜାଣେ ନାହିଁ । ଯେତେବେଳେ ମୁଁ ନିଶ୍ଚିତ ହୋଇଗଲି ଯେ ବାଲିଝଡ଼ ଚାଲିଯାଇଛି ସେତେବେଳେ ମୁଁ ଧୀରେ ଆଖି ଖୋଲି ଚାହିଁଲି । ମୋତେ ଜଡ଼େଇ ଧରିଥିବା ଇବ୍ରାହିମ୍‌ ଗୋଟେ ବାଲିତିଆରି ମୂର୍ତ୍ତିଟେ ପରି ଦିଶୁଥିଲା । ଆମ ଚାରିପଟେ ଧୂଳିର ବହଳ ଆସ୍ତରଣ । ତାହା ଭିତରେ ବାଟଘାଟ କିଛି ଦିଶୁ ନ ଥାଏ । ଯୁଆଡ଼େ ଅନେଇଲେ ବାଲି ଆଉ ଧୂଳି । ଆମେ ଦିହେଁ ବାଲିରେ ଅଣ୍ଟା ପର୍ଯ୍ୟନ୍ତ ପୋତି ହୋଇଯାଇଥାଉ । ଏ ଦୃଶ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ତେବେ ତାହାଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଆମ ଆଗରେ ଥିବା ବାଲିର ପାହାଡ଼ ଏହା ଭିତରେ ସେଠୁ ଘୁଞ୍ଚି ଆଗକୁ ପଳେଇଥିଲା । ସତେ କି ମରୁଭୂମିର ମାନଚିତ୍ରଟେ ଆଉ ଜଣେ କେହି ଅଲଗା ପ୍ରକାରର ଆଙ୍କି ଦେଇଥିଲା । ଯୋଉଠି ଟିକିଏ ଆଗରୁ ଖାଲ ଥିଲା ସେଠି ପାହାଡ଼ ପ୍ରମାଣେ ବାଲି ଗଦା ହୋଇଯାଇଥିଲା । ଏମିତି ଏକ ବାଲିଗଦା ତଳେ ମୋର ପ୍ରିୟ ହକିମ୍‌ଚିରଦିନ ଲାଗି କବର ନେଇ ସାରିଥିଲା ।

 

ଛତିଶ

 

ଅଣ୍ଟା ପର୍ଯ୍ୟନ୍ତ ପୋତିପକେଇଥିବା ବାଲିଗଦା ଭିତରୁ କୌଣସି ପ୍ରକାରେ ନିଜ ପାଦଯୋଡ଼ିକୁ ଉଠେଇ ଇବ୍ରାହିମ୍‌ ମୋତେ ବାହାର କଲା । ସେ ପୁଣି ମୋତେ କାନ୍ଧରେ ପକେଇ ଚାଲିବାକୁ ବାହାରୁଥିଲା । ମୁଁ ତାକୁ କହିଲି, “ଇବ୍ରାହିମ୍‌, ମୋତେ ଏଇଠି ପକେଇଦେଇ ତୁମେ ଯାଅ-। ମୁଁ ହକିମ୍‌କୁ ଛାଡ଼ି ଏକଲା ଯାଇ ପାରିବି ନାହିଁ । ମୋର ଆଉ କୁଆଡ଼େ ଯିବାକୁ ମନ ଡାକୁନାହିଁ । କାହିଁକି ଯିବି, କାହାକୁ ସାଙ୍ଗରେ ନେଇଯିବି ? ଆମେ ଦିହେଁ ନିଜ ଦେଶରୁ ସାଙ୍ଗହେଇ ଏଠିକି ଆସିଥିଲୁ । ମୁଁ ଫେରିଯାଇ ତା’ ମାଆ ଓ ଭଉଣୀଙ୍କୁ କିପରି ସାମ୍ନା କରିପାରିବି ? କଅଣ କହି ତାଙ୍କୁ ବୁଝେଇବି ? କି ଉତ୍ତର ମୁଁ ସେମାନଙ୍କୁ ଦେବି ? ନା, ମୋତେ ଏଇଠି ଛାଡ଼ିଦିଅ । ତୁମେ ଯୁଆଡ଼େ ଯିବାର ଯାଅ । ହକିମ୍‌ବିନା ମୁଁ ରହିପାରିବି ନାହିଁ ।”

 

ହକିମ୍‌ର ଶବ ପୋତିହୋଇ ପଡ଼ିଥିବା ବାଲିଗଦା ଆଡ଼କୁ ମୁଁ ଯିବାଲାଗି ବାହାରୁଥିଲି । ମାତ୍ର ଇବ୍ରାହିମ୍‌ ମୋତେ ଭିଡ଼ିନେଇ ତା’ କାନ୍ଧରେ ପକେଇଲା । କହିଲା, “ତୁମକୁ ଏଇଠି ଏମିତି ଛାଡ଼ି ଚାଲିଯିବା ଲାଗି ଆଲ୍ଲା ମୋତେ ସେ ମସାରାକୁ ପଠେଇ ନ ଥିଲେ । ମୁଁ ହକିମ୍‌କୁ ହୁଏତ ବଞ୍ଚେଇ ପାରିଲି ନାହିଁ; ମାତ୍ର ତୁମକୁ ମୁଁ ମୋ ପ୍ରାଣଦେଇ ବଞ୍ଚେଇବାକୁ ଚେଷ୍ଟା କରିବି । ମୁଁ ମଲା ପରେ ଯାଇ ତୁମେ ତୁମର ମରିବା କଥା ଭାବିବ ।”

 

ତାକୁ ବାଧାଦେବା ଲାଗି ମୋ ଦେହରେ ବଳ ନ ଥିଲା । ମୁଁ ମଲା ପୋଇ କି କଖାରୁ ଲଟାଟେ ପରି ତା’ କାନ୍ଧରେ ଓହଳିଥାଏ । ହକିମ୍‌କଥା ଭାବି ମୋ ଆଖିରୁ ଧାର ଧାର ଲୁହ ବୋହିଯାଉଥାଏ ଓ ମୁଁ ସାନ ପିଲାଟେ ପରି କାନ୍ଦୁଥାଏ । ଇବ୍ରାହିମ୍‌ ମୋତେ ସେମିତି କାନ୍ଧରେ ବୋହି ବୋହି ମରୁଭୂମିର ତତଲା ବାଲିରେ ଚାଲିଥାଏ । ଆମେ ଉଭୟେ ଭୋକ, ଶୋଷ ଏବଂ ଉଦ୍‌ବେଗରେ ଛାଟିପିଟି ହେଉଥାଉ । ମୁଁ ଜାଣିପାରୁଥାଏ ଯେ ମୋ ହୃତ୍‌ପିଣ୍ଡର ଗତି ଧିମା ହେଇ ଆସୁଛି । ମୋ ଜିଭ ବଧିରା ଓ ଓଜନିଆ ଲାଗୁଛି, ମୁଁ ଆଉ ତାକୁ ବୁଲେଇ ପାରିବି ନାହିଁ । ଚାରିପାଖର ପୃଥିବୀ ମଧ୍ୟ ଧୀରେ ଧୀରେ ଅନ୍ଧାରିଆ ହୋଇ ଆସୁଥାଏ । ମୋ ଖପୁରି ଭିତରୁ ଯେମିତି ଗରମ ବାମ୍ଫ ବାହାରୁଥାଏ । ମୋତେ ଲାଗୁଥାଏ, ମୋଅର ମଧ୍ୟ ହାକିମ୍‌ଅବସ୍ଥା ଆସିଗଲା-। ଶେଷବେଳକୁ ସେ ଯେମିତି ଛଟପଟ ହେଇ ମରିଗଲା, ମୁଁ ବି ସେଇପରି ଛଟପଟ ହୋଇ ଆଖି ବୁଜିବି । ଆଉ ମୋ ପାଖରେ ବେଶି ସମୟ ନାହିଁ । ଏ ପୃଥିବୀରୁ ମୋର ସମୟ ସରି ସରି ଆସୁଛି-। ଏବେ ସମସ୍ତଙ୍କଠାରୁ ବିଦାୟ ନେବାର ମୁହୂର୍ତ୍ତ ଉପସ୍ଥିତ । ମୁଁ ମୋର ସବୁ ପ୍ରିୟ ଲୋକଙ୍କ ନାଁ ମନେପକାଇବାକୁ ଚାହିଲି । ମାତ୍ର ବେଶି ନାଁ ମନେପଡ଼ିଲେ ନାହିଁ । ମା’, ସାଇନୁ, ହକିମ୍‌.... । ତା’ପରେ ମଣିଷ ନୁହେଁ, ମସାରାର ଛେଳିମାନେ ଗୋଟିକ ପରେ ଗୋଟିଏ ମୋର ମନେପଡ଼ିଲେ । ନବିଲ୍‌, ଆରବୁ ରବୁଥିର, ପୋଚକାରି ରମଣି, ମେରିମାଇମୁନା, ଇନ୍ଦି ପୋକର, ନନ୍ଦୁ ରାଘବନ୍‌, ପାରିପ୍ପୁ ବିଜୟନ, ଚାକି, ଆମିନି, କଉସୁ, ରଉଫତ । ଏମାନଙ୍କର ନାଁ କାହିଁକି ଏମିତି ମନେ ପଡ଼ୁଥିଲା ମୁଁ ଜାଣେ ନାହିଁ । ବୋଧହୁଏ, ଏହି ଛେଳିମାନେ ମୋ ଜୀବନରେ ଆସିଥିବା ମଣିଷମାନଙ୍କଠାରୁ ମୋତେ ବେଶି ଭଲ ପାଇଥିଲେ ।

 

ସନ୍ଧ୍ୟା ଆସିଲା । ତା’ପରେ ରାତି । ପୁଣିଥରେ ଆମେ ବାଲି ଉପରେ ଚିତ୍‌କାତ ହୋଇ ଶୋଇଲୁ । ସେ ରାତିଟା ପୂରା ନିରବତାରେ ବିତିଲା । ଆମେ ଦିହେଁ କେହି କାହାକୁ ପଦେହେଲେ କଥା କହିବା ଅବସ୍ଥାରେ ନ ଥାଉ । ସେଇ ରାତିଟା ଯେ ମୁଁ ବଞ୍ଚିକି ପାରି କରିପାରିବି ଏ ବିଶ୍ୱାସ ମୋର ଆଦୌ ନ ଥିଲା । କାରଣ ମୋ ଦେହରେ ଅବଶେଷ ବଳ କିଛି ନ ଥିଲା । ମାତ୍ର ମୁଁ ବଞ୍ଚିଗଲି । ତା’ ପରଦିନ ସକାଳକୁ ଆଖି ଖୋଲିଲା ପରେ ମୁଁ ଅନୁଭବ କଲି - ମୁଁ ତଥାପି ବଞ୍ଚିଛି ।

 

ସଇଁତିରିଶ

 

ସକାଳକୁ ପବନ ଥମିଯାଇଥିଲା ଏବଂ ପରିବେଶ ଅଦ୍ଭୁତ ଭାବରେ ଶାନ୍ତ ଜଣାପଡ଼ୁଥିଲା । ଆମେ ଦିହେଁ ଧୀରେ ଉଠିଲୁ, କାହାରି ସାଙ୍ଗେ କାହାର କଥାବାର୍ତ୍ତା ନାହିଁ । ମନ ଭିତରୁ ସବୁ ଆଶା ପ୍ରତ୍ୟାଶା ମରିଯାଇଥିଲା ଓ କୌଣସି ଉତ୍ସାହ ଆଉ ନ ଥିଲା । ଆମେ ଏବେ ଚାହୁଥିଲୁ, କଅଣ କେମିତି ହେଉ, ଗୋଟେ ଜାଗାରେ ଟିକିଏ ପହଞ୍ଚିଯାଉ । ମୋର ଆଉ ଦେଶକୁ ଫେରିବା ପାଇଁ ଇଚ୍ଛା ନ ଥାଏ । ମୁଁ ଖାଲି ଚାହୁଥାଏ ଗୋଟାଏ ଜାଗାରେ ପହଞ୍ଚିଯାଇ ସେଇଠି ଆଖି ବୁଜିଦିଏ । ବଞ୍ଚିବାଲାଗି ମୋ ମନରେ ଟିକିଏ ହେଲେ ଇଚ୍ଛା ଆଉ ନ ଥାଏ । ତା’ ସାଙ୍ଗକୁ ପ୍ରବଳ କ୍ଷୁଧା ଓ ତୃଷା ଆହୁରି ନିର୍ଯାତନା ଦେଉଥାଏ । ହେ ଆଲ୍ଲା, ହକିମ୍‌କୁ ଯେମିତି ସବୁ ଦୁଃଖ କଷ୍ଟରୁ ମୁକ୍ତି ଦେଇଦେଲ ମୋତେ ବି ସେମିତି ମୁକ୍ତି ଦେଇଦିଅ । ମୋର ଆଉ ବଞ୍ଚିବା ପାଇଁ ଇଚ୍ଛା ନାହିଁ କି ଆଗ୍ରହ ନାହିଁ ।

 

ବାଲି ଉପରେ ଚାଲିବାବେଳେ ମୋ ପାଦ ଠିକଣା ଜାଗାରେ ପଡ଼ୁ ନ ଥାଏ । ଦରମଲା ଲୋକଟେ ପରି ମୁଁ ଘୁଷୁରି ଘୁଷୁରି ଚାଲୁଥାଏ । ଇବ୍ରାହିମ୍‌ପୁଣିଥରେ ମୋତେ ତା’ କାନ୍ଧରେ ପକେଇ ବୋହିନେବା ଲାଗି କହୁଥିଲା । ମାତ୍ର ମୁଁ ମନା କଲି । ମୁଁ ଜାଣିଥିଲି ଯେ ସେଇଦିନ ହିଁ ମୋର ଶେଷଦିନ, ମୁଁ ମରିବି । ଚାଲି ଚାଲି ଗଲେ ମୋର ବଳ ଶୀଘ୍ର ସରିବ ଓ ମୁଁ ଶୀଘ୍ର ମରିକି ଏ ଯାତନାରୁ ମୁକ୍ତି ପାଇବି ।

 

କିଛି ଦୂର ଗଲା ପରେ ଆମେ ଦେଖିଲୁ, ବାଲି ଉପରେ କୌଣସି ଛୋଟ ଛୋଟ ପ୍ରାଣୀଙ୍କର ପାଦଚିହ୍ନ ପଡ଼ିଛି । ସେ ଚିହ୍ନଗୁଡ଼ିକ କ୍ଷୀଣ ଦିଶୁଥିଲେ ବି ସେଇ ବାଟଦେଇ ଯେ କିଛି ଏଣ୍ଡୁଅ କି ତା’ ପରି କିଛି ପ୍ରାଣୀ ଯାଇଛନ୍ତି ସେତକ ଜାଣିହେଉଥିଲା । ଇବ୍ରାହିମ୍‌ ସେଇ ପାଦ ଚିହ୍ନକୁ ଅନୁସରଣ କରି ଆଗକୁ ଚାଲିବାକୁ ଲାଗିଲା । ଚିହ୍ନଗୁଡ଼ିକ ଅନେକ ଦୂର ପର୍ଯ୍ୟନ୍ତ ଲମ୍ବିଥାଏ । ଇବ୍ରାହିମ୍‌ଭାବିଲା, ସେଇ ବାଟ ସମ୍ଭବତଃ ମରୁଭୂମିର କେନ୍ଦ୍ରସ୍ଥଳ ଆଡ଼କୁ ଯାଇଛି । ତେଣୁ ସେ ବିପରୀତ ଦିଗରେ ମୋତେ ଚାଲିବା ପାଇଁ ପରାମର୍ଶ ଦେଲା । ଆମେ ଦି’ପହର ପର୍ଯ୍ୟନ୍ତ ଚାଲିଲୁ । ସେତିକିବେଳେ ଆମେ ଗୋଟାଏ ଜାଗାରେ ବଡ଼ ଏଣ୍ଡୁଅଟିଏ ବାଲିକୁଦ ଉପରେ ବସିଥିବାର ଦେଖିଲୁ ।

 

ଏଣ୍ଡୁଅ ! ଚିତ୍କାର କରି ଇବ୍ରାହିମ୍‌ତା’ ପଛରେ ଧାଇଁଲା । ମୁଁ ତା’ର ଏ ପ୍ରକାର ଉତ୍ସାହର କାରଣ କଅଣ ବୁଝିପାରିଲି ନାହିଁ । ଏଣ୍ଡୁଅକୁ ଦେଖି କଅଣ କେହି ଏମିତି ଖୁସି ହୁଏ ? ସେତେବେଳକୁ ମୋ ମୁଣ୍ଡ ଝାଇଁ ମାରିଦେଉଥାଏ ଓ ମୁଁ ଆଖି ଅଧା ବନ୍ଦ କରି ଗୋଟିଏ ଗୋଟିଏ ପାହୁଣ୍ଡ ପକଉଥାଏ । ମୋତେ ଲାଗୁଥାଏ, ଯେକୌଣସି ମୁହୂର୍ତ୍ତରେ ମୁଁ ତଳେ ଲୋଟିପଡ଼ିବି ।

 

ନଜିବ୍‌, ଦେଖିଲୁ ? ଏଣ୍ଡୁଅ ଦେଖିଲୁ ? –ଇବ୍ରାହିମ୍‌ ଆନନ୍ଦରେ ଚିତ୍କାର କରୁଥିଲା ।

ସେଇଠୁ କଅଣ ହେଲା ? –ମୁଁ ଅତ୍ୟନ୍ତ ନିରୁତ୍ସାହର ସହ ତାକୁ ଜବାବ ଦେଲି ।

 

ତୁ ଜାଣୁ, ମରୁଭୂମିରେ ଏଣ୍ଡୁଅ ଦେଖିବାର ଅର୍ଥ କଅଣ ? ତା’ ଅର୍ଥ ହେଉଛି, ଏଇଠି ଆଖପାଖରେ ନିଶ୍ଚୟ କୋଉଠି ପାଣି ଅଛି । –ଇବ୍ରାହିମ୍‌ ଉତ୍ସାହର ସହ କହିଲା ।

 

ସତରେ ? ହଠାତ୍‌ମୁଁ ଯେମିତି ମୋର ହଜିଯାଉଥିବା ଆଶା ଟିକକକୁ ଖୋଜି ପାଇଗଲି-। ମୋ ଭିତରେ ଅସମ୍ଭବ କୌତୂହଳ ।

 

ସେ ମୁଣ୍ଡ ହଲେଇଲା । କହିଲା, “ଦେଖ୍‌, ବର୍ତ୍ତମାନ ଆମକୁ ଅତି ହୁସିଆର ହୋଇ ଚାଲିବାକୁ ପଡ଼ିବ । ବାଟ ଭୁଲି ଯେମିତି ଆମେ ପୁଣି ମରୁଭୂମିର ମଝାମଝିକୁ ଚାଲି ନ ଯାଆନ୍ତି । ଏଇଟା ଆମ ପାଇଁ ଶେଷ ସୁଯୋଗ ।”

 

ଆମେ ସତର୍କତାର ସହ ଚାଲିବାକୁ ଲାଗିଲୁ । ପ୍ରତି ଦୁଇ ପାଦ ଯିବା ପରେ ଆମେ ଅଟକୁଥିଲୁ ଓ ଆଖପାଖରେ ଏଣ୍ଡୁଅ ଅଛନ୍ତି କି ନାହିଁ ଖୋଜି ହେଉଥିଲୁ । ଯୋଉ ଦିଗରେ ସେ ଏଣ୍ଡୁଅ ଯାଇଥିଲା ଆମେ ସେଇ ଦିଗରେ ଯାଇ ଗୋଟେ ବାଲିକୁଦ ଉପରେ ପହଞ୍ଚିଲୁ । ତା’ପରେ ସେଇ କୁଦ ଉପରୁ ଅନେଇ ମୁଁ ଦେଖିଲି, କିଛି ଦୂରରେ ଅରାଏ ସବୁଜିମା ଦିଶୁଛି । ସେଇଠି ଖଜୁରି ଗଛ ଓ ବୁଦୁବୁଦୁକିଆ କଣ୍ଟାଗଛ ଭଳି କିଛି ଦିଶୁଥାଏ । ତା’ ପାଖରେ ନିଶ୍ଚୟ ପାଣି ଥିବ । ଏହାପରେ ମୁଁ ନିଜେ ଜାଣେନା ମୁଁ କେମିତି ମୋର ସେ ଓଜନିଆ ପାଦ ଓ କଙ୍କାଳସାର ଦେହକୁ ଧରି ଧାଇଁଲି ଓ ସେଇ ଜାଗାରେ ଯାଇ ପହଞ୍ଚିଲି । ମୋତେ ଲାଗୁଥିଲା, ସତେ କି ମୁଁ ପବନରେ ଉଡ଼ୁଥିଲି ।

 

ମୋ ଗୋଡ଼ର ଫୋଟକା ଛିଣ୍ଡି ରକ୍ତ ବୋହୁଥାଏ । ଜଙ୍ଘ ଓ ଆଣ୍ଠୁ ଠାଏ ଠାଏ ଛିଣ୍ଡିଯାଇଥାଏ । ପଥର ଓ ଗୋଡ଼ି ଉପରେ କଚାଡ଼ି ହେଇ ସେଇସବୁ କ୍ଷତ ବଡ଼ କଷ୍ଟ ହେଉଥାଏ । ମାତ୍ର ମୁଁ ସେସବୁକୁ ଖାତିର କଲି ନାହିଁ । ପଡ଼ିଉଠି, ଝୁଣ୍ଟି ଓ ପୁଣି ନିଜକୁ ସମ୍ଭାଳି ଦୌଡ଼ିଲି । ମୁଁ ଏତେ ଜୋର୍‌ରେ ଦଉଡ଼ୁଥିଲି ଯେ ଇବ୍ରାହିମ୍‌ ମୋ ସହ ତାଳ ଦେଇ ନ ପାରି ପଛରେ ପଡ଼ିଯାଉଥିଲା-। ସେତିକିବେଳେ ମୁଁ ଅନୁଭବ କଲି, ମରଣ ପାଇଁ ମୋର ଶତ ଅଭିଳାଷ ସତ୍ତ୍ୱେ ମୋ ଭିତରେ ବଞ୍ଚିବାର ଦୁର୍ବାର ଆଶା ଟିକକ ଚେଇଁ ରହିଥିଲା । ଏଇ ଆଶା ଟିକକ ହିଁ ଶେଷ ପର୍ଯ୍ୟନ୍ତ ମୋତେ ବଞ୍ଚେଇ ରଖିଥିଲା । ସେତକ ନ ଥିଲେ ମୁଁ ନିଶ୍ଚୟ ସେଦିନ ଆଖି ବୁଜି ଦେଇଥାଆନ୍ତି ।

 

ସବୁଜ ଦିଶୁଥିବା ସେଇ ସ୍ଥାନରେ ନିଶ୍ଚିତ ଭାବେ ପାଣି ଥିବ ବୋଲି ମୁଁ ବିଶ୍ୱାସ କରୁଥିବାରୁ କଣ୍ଟାଝଣ୍ଟା ନ ମାନି ଦଉଡ଼ୁଥିଲି । ସେତେବେଳକୁ ମୋ ମୁଣ୍ଡ ଭିତରେ ଲକ୍ଷେ ବିରୁଡ଼ି ଗୁଣୁଗୁଣୁ କରୁଥିଲେ । ମୋ ଆଖି ଆଗରେ ଶହ ଶହ ଧୂଆଁଳିଆ ମୁଣ୍ଡୁଳା ଖେଳି ବୁଲୁଥିଲା । ମୁଁ ଅନୁମାନ କରିପାରୁଥିଲି, ଶେଷବେଳକୁ ହକିମ୍‌ଏଇ ପ୍ରକାର ଅଭିଜ୍ଞତା ଅନୁଭବ କରିଥିବ । ଶୋଷ ଯେ ମଣିଷକୁ ପାଗଳ କରିଦେଇଥାଏ, ତାହା ମୁଁ ଏବେ ବୁଝିପାରୁଥିଲି । ସେଥିପାଇଁ ମୁଁ କଣ୍ଟାଝଣ୍ଟା ନ ମାନି ଇଆଡ଼େ ସିଆଡ଼େ ଦଉଡ଼ୁଥିଲି । ଅନ୍ୟ ପକ୍ଷରେ ଇବ୍ରାହିମ୍‌ ଅତି ଧୈର୍ଯ୍ୟର ସହ ପାଣି ରହିଥିବା ଜାଗାକୁ ଲକ୍ଷ୍ୟ କରି ବାଟ ଚାଲୁଥିଲା । ସେଇ ସବୁଜ ଅଞ୍ଚଳ ଭିତରୁ ଯେଉଁ ଜାଗାଟା ଗାଢ଼ ଶ୍ୟାମଳ ଦିଶୁଥିଲା ସେ ସେଇଠିକି ଯାଉଥିଲା । କ୍ରମେ ତା’ ପାଦ ଓଦା ବାଲିକୁ ସ୍ପର୍ଶ କଲା । ଶେଷରେ ସେ ସେଇଠି ପହଞ୍ଚିଲା, ଯେଉଁଠି ବୁଦୁବୁଦିକିଆ ଘାସଗଛ ଭିତରେ ରହିଥିଲା ଛୋଟିଆ ପାଣିଭର୍ତ୍ତି ଗଡ଼ିଆ । ପାଣି ଦେଖିବା କ୍ଷଣି ସେ ଦୁଇ ହାତ ଟେକି ଆଲ୍ଲାଙ୍କୁ କୃତଜ୍ଞତା ଜଣାଇଲା, “ଅଲ୍ଲାହୁ ଆକ୍‌ବର୍‌, ଅଲ୍ଲାହୁ ଆକ୍‌ବର୍‌ ।”

 

ଇବ୍ରାହିମ୍‌ର ପାଟି ଶୁଣି ମୁଁ ତା’ ଆଡ଼କୁ ଧାଇଁଗଲି । ମୁଁ ମଧ୍ୟ ଓଦା ବାଲିକୁ ପାଦରେ ଛୁଇଁଲି । ତା’ପରେ ପାଗଳ ପରି ଦଉଡ଼ି ଯାଇ ଯେତେବେଳେ ତା’ ପାଖରେ ପହଞ୍ଚିଲି ସେତେବେଳେ ମୋ ନିଜ ଆଖିକୁ ମୁଁ ବିଶ୍ୱାସ କରିପାରିଲି ନାହିଁ । ଏତେ ପାଣି ! ମୁଁ ରଙ୍କୁଣା ପରି ମୁହଁ ଲଗେଇ ପାଣି ପିଇଯିବାକୁ ଚାହୁଥିଲି । ଇବ୍ରାହିମ୍‌ ପାଟିକଲା, “ପିଇନା, ଖବରଦାର୍‌ !” ତା’ କଥା ଶୁଣି ମୋ ରକ୍ତ ଗରମ ହେଇଗଲା । ମୁଁ ଧାଇଁଯାଇ ସବୁ ବଳ ଖଟେଇ ତା’ ଛାତିରେ ଗୋଟେ ବିଧା କଷିଦେଲି । ସେ ଏପ୍ରକାର ଆକ୍ରମଣ ଲାଗି ପ୍ରସ୍ତୁତ ନ ଥିଲା । କେଇ ପାହୁଣ୍ଡ ପଛକୁ ଠେଲି ହେଇଗଲା ଇବ୍ରାହିମ୍‌ ।

 

ମୁଁ ପୁଣିଥରେ ପାଣି ପାଖକୁ ଗଲି । ଏଥର ଇବ୍ରାହିମ୍‌ ମୋ ଗୋଡ଼ ଧରି କିଛି ଦୂରକୁ ମୋତେ ଘୋଷାରି ନେଲା । ମୁଁ ପାଟି କଲି, “ମୋତେ ଛାଡ଼୍‌ରେ କୁକୁର । ମୁଁ ମୁନ୍ଦାଏ ପାଣି ପିଏ । ନ ହେଲେ ମୁଁ ମରିଯିବି ।”

 

ମାତ୍ର ସେ ମୋତେ ଛାଡ଼ୁ ନ ଥାଏ । ଏଥର ମୁଁ ମୋ ନିଜର ଛାତିକୁ ବାଡ଼େଇ ଆଲ୍ଲାଙ୍କୁ ଡାକିଲି । ହେ ଆଲ୍ଲା, ଇଏ କି ନ୍ୟାୟ ? ମୋ ସାମ୍ନାରେ ପାଣି, ଅଥଚ ଏ ନୃଶଂସ ମୋତେ ମୁନ୍ଦାଏ ପିଇବାକୁ ଦେଉନାହିଁ ! ଏ ପ୍ରକାର ଅମଣିଷ ଉପରେ ବଜ୍ର ପକେଇଦିଅ ଓ ତାକୁ ମାରିଦିଅ । ଏତେ ଦିନ ହେଲା ମୁଁ ଏହା ସାଙ୍ଗରେ ଚାଲୁଥିଲି; କିନ୍ତୁ ଏଇଟା ଏତେ କଦର୍ଯ୍ୟ ଲୋକ ବୋଲି ମୁଁ ଜାଣି ନ ଥିଲି । ତାହାର ଇଚ୍ଛା ମୋତେ ସେ ମାରିବ । ସେ ହକିମ୍‌କୁ ମାରିଛି, ଏବେ ମୋ ପାଳି । ତା’ପରେ ସେ ବଜ୍ଜାତ୍‌ନିଜେ ଏହି ସବୁଯାକ ପାଣି ପିଇବ । ମୋତେ ଜିଭ ଓଦା କରିବା ପାଇଁ ସୁଦ୍ଧା ଟୋପାଏ ଦେବ ନାହିଁ । ମାତ୍ର ମୁଁ ତା’ ଉଦ୍ଦେଶ୍ୟ ପୂରଣ ହେବା ପାଇଁ ଦେବି ନାହିଁ । ମରେ ପଛକେ, ମୁନ୍ଦାଏ ପାଣି ନିଶ୍ଚୟ ପିଇବି । ମୁଁ ଇବ୍ରାହିମ୍‌ କବଳରୁ ନିଜର ଗୋଡ଼ଯୋଡ଼ିକ ଉଦ୍ଧାର କରିବାଲାଗି ଛାଟିପିଟି ହେଲି ଓ ଚିତ୍କାର କଲି ।

 

ଏହା ଭିତରେ ଇବ୍ରାହିମ୍‌ ମୋତେ ଘୋଷାରି ଘୋଷାରି ପାଣି ପାଖରୁ ବେଶ୍‌ କିଛି ଦୂରକୁ ନେଇଯାଇଥିଲା । ମୋ ପକ୍ଷେ ସେତକ ବାଟ ଅତିକ୍ରମ କରିବା କଷ୍ଟକର ଥିଲା । ସେ ନିଜେ ଏଥର ଗଡ଼ିଆ ପାଖକୁ ଗଲା । ମୁଁ ଜାଣିଲି, ସେ ଏବେ ସବୁଯାକ ପାଣି ଚଳଚଳ କରି ପିଇଯିବ । ମୁଁ ସେ ଦୃଶ୍ୟ ଦେଖିପାରିବି ନାହିଁ ବୋଲି ଭାବି ଆଖି ଦିଇଟା ବନ୍ଦ କରିନେଲି ।

 

ହଠାତ୍‌ମୋ ଓଠଟା ଓଦା ଓଦା ଲାଗୁଥିବା ମୁଁ ଅନୁଭବ କଲି । ଆଖି ଖୋଲି ଅନେଇଲି-। ଇବ୍ରାହିମ୍‌ ମୋ ପାଖରେ ବସିଥିଲା । ତା’ ହାତରେ ଗୋଟେ ଓଦା କପଡ଼ା ଥିଲା । ସେଇ ଓଦା କପଡ଼ାରେ ସେ ମୋ ଓଠ ପୋଛି ଦେଉଥିଲା । ଲୋଭାତୁର ହୋଇ ମୁଁ ମୋ ପାଟି ଆଁ ମେଲା କରି ଦେଖେଇଲି । ଟୋପାଏ ପାଣି ମୋ ଜିଭ ଉପରେ ଏଥର ପଡ଼ିଲା । ଓହୋ, ମୋତେ ଲାଗିଲା ସତେ କି ପାଣି ନୁହେଁ, ଟୋପାଏ ଏସିଡ୍‌ ମୋ ପାଟିରେ କିଏ ପକେଇଦେଲା । ଇବ୍ରାହିମ୍‌ ଆଉ ଥରେ ମୋ ଜିଭରେ ଟୋପାଏ ପାଣି ଦେଲା । ତା’ପରେ ଆଉ ଟୋପାଏ, ଏମିତି ଟୋପାଏ ଟୋପାଏ କରି ପାଣି ପକେଇ ସେ ମୋ ଜିଭକୁ ଓଦା କଲା ।

 

କପଡ଼ାରୁ ପାଣିତକ ଚିପୁଡ଼ି ସାରିଲା ପରେ ସେ ପୁଣି ଗାଡ଼ିଆ ପାଖକୁ ଗଲା ଓ ସେଇ କପଡ଼ାକୁ ଭିଜେଇକି ଆଉ ଥରେ ନେଇ ଆସିଲା । ଧୀରେ ଧୀରେ ପାଣି ଟୋପା ମୋ ପାଟି ଭିଜେଇ ତୋଟି ପାଖକୁ ଗଲା । ଶେଷକୁ ସେ ପାଣି ଟୋପା ଯାଇଁ ମୋ ପେଟ ଭିତରେ ପହଞ୍ଚିଲା । ମୁଁ ଜାଣିପାରୁଥାଏ, ମୋ ଭିତରଟା କେମିତି ସେତେବେଳେ ଜଳୁଥାଏ । ପାଟିଟା ପାଣିରେ ଭିଜିବା ପରେ ଯାଇ ଜଳାପୋଡ଼ା କମିଲା । ମୋ ଭିତରେ ଏଥର ପାଣି ପିଇବା ପାଇଁ ପ୍ରଚଣ୍ଡ ଆଗ୍ରହ । ଏଥର ଇବ୍ରାହିମ୍‌ମୋତେ ଧରି ଧରି ପାଣି ପାଖକୁ ନେଇଗଲା । ଦୁଇ ହାତରେ ପାଣି ଧରି ସେ ମୋ ଓଠ ପାଖରେ ଟେକି ଧରିଲା । ଆଞ୍ଜୁଳା ଆଞ୍ଜୁଳା କରି ସେ ମୋତେ ପାଣି ପିଆଉଥାଏ ଏବଂ ମୁଁ ଢକଢକ କରି ପାଣି ପିଇ ଚାଲିଥାଏ । ମୋ ଆତ୍ମା ଶାନ୍ତ ହେଲା ପର୍ଯ୍ୟନ୍ତ ମୁଁ ପାଣି ପିଇଲି । ଅନୁଭବ କଲି ଯେ ମୋର ସମଗ୍ର ଶରୀରରେ ଏବେ ପାଣି ସଞ୍ଚରି ଯାଉଛି । ମନଭର୍ତ୍ତି ପାଣି ପିଇସାରି ସାଷ୍ଟମ ହେଲା ପରେ ସୁଦ୍ଧା ମୁଁ ଆଞ୍ଜୁଳାରେ ଆହୁରି ପାଣି ନେଇ ପିଇଲି । ତା’ପରେ ସେଇ ଗାଡ଼ିଆ ପାଖରେ ହାତଗୋଡ଼ ମେଲେଇ ଶୋଇପଡ଼ିଲି । ମୁଁ ଶାନ୍ତ ହେଲା ପରେ ଇବ୍ରାହିମ୍‌କାଦିର ଓଦା କନାରେ ତା’ ନିଜର ଓଠ ପୋଛିଲା ଓ ଟୋପେ ଟୋପେ ପାଣି ତା’ ଜିଭ ଉପରେ ପକେଇ ତୋଟିକୁ ପାଣି ପିଇବା ଉପଯୋଗୀ କଲା । ସେ ପର୍ଯ୍ୟନ୍ତ ସେ ନିଜ ପାଟିରେ ଟୋପାଏ ପାଣି ଦେଇ ନ ଥିଲା ।

 

ମୁଁ ଏଥର ସବୁ କିଛି ବୁଝିପାରୁଥିଲି । ଇବ୍ରାହିମ୍‌ପ୍ରତି ମୋର କଦର୍ଯ୍ୟ ବ୍ୟବହାର ଏବଂ ମୋ ନିଜର ସଂକୀର୍ଣ୍ଣତା ଉପଲବ୍ଧି କରି ମୁଁ କାନ୍ଦିବାକୁ ଲାଗିଲି ।

 

ଅଠତିରିଶ

 

ସେଇ ଓଏସିସ୍‌ନିକଟରେ ଆମେ ତିନିଦିନ ରହିଲୁ । ଗାଡ଼ିଆରୁ ପ୍ରଚୁର ପାଣି ପିଇଲୁ ଏବଂ ଖଜୁରି ଗଛରୁ ଖଜୁରି ତୋଳି ଖାଇଲୁ । ସେଇ ପାଣିରେ ଆମେ ବେଶ୍‌ଧୁଆଧୋଇ ହେଲୁ ଏବଂ ଗଛ ଛାଇରେ ମନଇଚ୍ଛା ଶୋଇଲୁ । ଏହା ଫଳରେ ଆମର ଶ୍ରମକ୍ଳାନ୍ତି ଅନେକ କମିଗଲା । ତେବେ ଗୋଡ଼ର ସେ ଫୁଲା ଅବସ୍ଥା ଓ ଖଣ୍ଡିଆଖାବରା କ୍ଷତ ସେମିତି ଥାଏ । ପ୍ରତିଦିନ ସକାଳେ ଇବ୍ରାହିମ୍‌ ରାସ୍ତା ସନ୍ଧାନରେ ବାହାରିଯାଏ, ସଞ୍ଜବେଳକୁ ନିରାଶ ହୋଇ ଫେରିଆସେ । ସେ ଚାହୁଁଥାଏ କୋଉଠି ଜଣେ ମଣିଷକୁ ଭେଟିଲେ ତାକୁ ରାସ୍ତାଘାଟ ବାବଦରେ ପଚାରନ୍ତା । କିନ୍ତୁ ତାହା ସମ୍ଭବ ହେଉ ନ ଥାଏ । ଆମେ ରାତିସାରା ବସି ଅନେକ କଥା ଭାବୁ - ଏହି ମରୁଭୂମିରୁ ବାହାରି ଯିବା ଲାଗି କଅଣ କୌଣସି ବାଟ ନାହିଁ ? ଆମେ କୋଉ ଜାଗାରେ ଅଛୁ ? ଏଇ ଚକ୍ରବ୍ୟୂହ ଭିତରୁ କେମିତି ଉଦ୍ଧାର ପାଇବୁ ଇତ୍ୟାଦି ଇତ୍ୟାଦି ।

 

ପ୍ରଥମ ଦିନ ମୁଁ ଇବ୍ରାହିମ୍‌ ସାଙ୍ଗେ ଯିବାକୁ ବାହାରିଥିଲି । ମାତ୍ର ମୋର ସେ ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲା । ସେ କହିଲା, “ଏ ମରୁଭୂମି ପାଇଁ ତୁମେ ହେଉଛ ସଅଳ ଝାଉଁଳିଯାଉଥିବା ଫୁଲ । ତେଣୁ ତୁମେ ଏ ଖୋଜାଲୋଡ଼ାରେ ଯିବା ଦରକାର ନାହିଁ । ଏଇଠି ଶୋଇ ଆରାମ କର । ମୁଁ ବାଟଘାଟ ଖୋଜି ପାଇଲା ପରେ ତୁମେ ଯାତ୍ରା ଆରମ୍ଭ କରିବ ।’’ ଏକଥା କହି ସେ ସେଦିନ ବାହାରି ଯାଇଥିଲା । ତେବେ ସେ ଗଲାପରେ ମୋଅର ଚିନ୍ତା ବଢ଼ିଯାଇଥିଲା । ମୋର ଆଶଙ୍କା ଥିଲା ବାଟ ଖୋଜୁ ଖୋଜୁ ଯଦି ସେ ଏଠିକି ଫେରିବାର ବାଟ ଭୁଲିଯାଏ ତାହାହେଲେ ମୁଁ ତ ଅନାଥ ହୋଇଯିବି । ଏକଥା ଚିନ୍ତା କଲାବେଳକୁ ମୁଁ ଆହୁରି ଡରିଯାଉଥାଏ । ଇବ୍ରାହିମ୍‌ର ସାନ୍ନିଧ୍ୟ, ତାହାର ବନ୍ଧୁତା ମୋ ପାଇଁ ଅମୂଲ୍ୟ ଥିଲା ଏବଂ କୌଣସି ପରିସ୍ଥିତିରେ ମୁଁ ତାହା ହରେଇବାକୁ ପ୍ରସ୍ତୁତ ନ ଥିଲି । ଇବ୍ରାହିମ୍‌ର ଫେରିବା ଡେରିହେଲେ ମୋର ଚିନ୍ତା ବଢ଼ିଯାଉଥିଲା । କାରଣ, ଏ ମରୁଭୂମିରେ ଏକୁଟିଆ ରହିବା କଥା ମୁଁ ଆଦୌ ଚିନ୍ତା କରିପାରୁ ନ ଥିଲି । ସେଥିପାଇଁ ମୁଁ ପାଖ ବାଲିକୁଦ ଉପରେ ଚଢ଼ି ତା’ ଫେରିବା ରାସ୍ତାକୁ ଅପେକ୍ଷା କରି ରହୁଥିଲି । ଦୂରରୁ ଇବ୍ରାହିମ୍‌ ଫେରୁଥିବା ଦେଖିଲେ ଯାଇ ମୋ ଦେହକୁ ଜୀବନ ଫେରୁଥିଲା ।

 

ଇବ୍ରାହିମ୍‌ କାଦିର୍‌ ବାହାରିଗଲା ପରେ ମୁଁ ସେଇ ଓଏସିସ୍‌ ଚାରିପଟେ ବୁଲେ । ସାଧାରଣତଃ, ଓଏସିସ୍‌ର ସବୁଜିମା ଏକର ଏକର ପର୍ଯ୍ୟନ୍ତ ଲମ୍ବିଥାଏ । ଏଇ ବାଟ ଦେଇ ଯାଉଥିବା ଯାତ୍ରୀମାନେ ଓଏସିସ୍‌ ପାଖକୁ ଆସି ପାଣି ପିଅନ୍ତି ଏବଂ ରାସ୍ତା ପାଇଁ ପାଣି ସଂଗ୍ରହ କରିନିଅନ୍ତି । ମାତ୍ର ଏହି ଓଏସିସ୍‌ ସେମିତି ବିସ୍ତୃତ ନ ଥିଲା । ଏହାର ଆକାର ଦେଖିଲେ ଯିଏ କେହି କହିବ ଯେ ଏହା ହେଉଛି ପୃଥିବୀର କ୍ଷୁଦ୍ରତମ ଓଏସିସ୍‌ । ମଝିରେ ଛୋଟ ଗାଡ଼ିଆଟିଏ, ଚାରିପଟେ କିଛି ଖଜୁରି ଗଛ, କିଛି ଅଚିହ୍ନା କ୍ୟାକ୍‌ଟସ୍‌ ଏବଂ ଆଉ କିଛି ଘାସବୁଦା । ଏହି ଛୋଟିଆ ଓଏସିସ୍‌କୁ ଘେରି ରହିଛି ବାଲୁକାମୟ ବିସ୍ତୀର୍ଣ୍ଣ ମରୁଭୂମି । ଓଏସିସ୍‌ ହେଉଛି ଈଶ୍ୱରଙ୍କର ଉଦ୍ୟାନ । ହଁ, ତାହା ନୁହେଁ ଆଉ କଅଣ ? ଆଜି ବି ମୁଁ ଭାବେ, ସେହି ମରୁଭୂମି ଭିତରେ ଏହି ଛୋଟ ଓଏସିସ୍‌ଟି ଈଶ୍ୱର ନିଶ୍ଚୟ ମୋ ପାଇଁ ହିଁ ତିଆରି କରିଥିଲେ । ସେଦିନ ତାହା ପାଖରେ ମୁଁ ପହଞ୍ଚି ନ ଥିଲେ ଆଜି ହୁଏତ ବଞ୍ଚିକି ନ ଥାନ୍ତି ।

 

ତୃତୀୟ ଦିନ ଅପରାହ୍‌ଣରେ ଇବ୍ରାହିମ୍‌ ଖୁସି ମନରେ ଫେରିଲା । ତା’ ହାବଭାବରୁ ଜଣାପଡ଼ୁଥିଲା, ସେ କିଛି ଭଲ ଖବର ପାଇଥିଲା । ମୁଁ ପଚାରିଲି, “କଅଣ ହେଲା ଇବ୍ରାହିମ୍‌ ? ରାସ୍ତାଘାଟର କିଛି ସୁରାକ ପାଇଲ କି ?”

 

ସେ କହିଲା, “ଆମେ ଜନବସତି ପାଖରୁ ବେଶି ଦୂରରେ ନାହାନ୍ତି ନଜିବ୍‌ । କାରଣ ଆଜି ମୁଁ ବାଟରେ ତିନିଟା ପଥର ଝିଙ୍କା ଦେଖିଲି । ସେଇ ତିନିଟା ପଥରକୁ ସେଠି କେହି ନା କେହି ରୋଷେଇ କାମରେ ବ୍ୟବହାର କରିଛି । ନ ହେଲେ ତାହା ସେଠାକୁ ଆସନ୍ତା କିପରି ? ତେଣୁ ସେହି ବାଟ ଦେଇ ଲୋକ ନିଶ୍ଚୟ ଯାଇଛନ୍ତି । ସେମାନେ ସେଇଠି ଅଟକି ରନ୍ଧାବଢ଼ା କରିଥିବେ ଏବଂ ଖାଇସାରି ନିଜ ରାସ୍ତାରେ ଯାଇଥିବେ । ତେଣୁ ସେଇ ପଥର ପଡ଼ିଥିବା ରାସ୍ତାଟି ଠିକଣା ବାଟ ବୋଲି ମୋର ଦୃଢ଼ ଧାରଣା ।”

 

ପରଦିନ ସକାଳୁ, ଆମେ ସେଇ ଦିଗରେ ବାହାରିଲୁ । ଓଏସିସ୍‌ ପାଖରେ ଆଉ ଅଧିକ ଦିନ ରହିବା ପଛରେ କିଛି ଯୁକ୍ତି ନ ଥିଲା । ତେଣୁ ପାଣି ପାଇବାର ନିରାପତ୍ତା ସତ୍ତ୍ୱେ ଆମେ ପୁଣି ଆମ ରାସ୍ତା ଖୋଜି ବାହାରିଲୁ । ଏଣିକି ଆଲ୍ଲା ଆମକୁ ଯେଉଁ ବାଟରେ ନେଇଯିବେ ତାହା ଆମକୁ ମଂଜୁର । ରାସ୍ତାରେ ଆସିଲାବେଳେ ଇବ୍ରାହିମ୍‌ଯେଉଁ ତିନି ପଥର କଥା କହୁଥିଲା ମୁଁ ତାକୁ ଦେଖିଲି-। ସେଇ ପଥର ପଡ଼ିଥିବା ଜାଗାରେ ବହଳ ବାଲି ନ ଥିଲା । ଆମେ ପାଖକୁ ଯାଇ ଦେଖିଲୁ, ସେଇଠୁ ଗୋଟେ ସରୁ ବାଟ ଆଗକୁ ପଡ଼ିଲା ପରି ଦିଶୁଥିଲା । ଧୀରେ ଆମେ ଜାଣିଲୁ, ସେବାଟେ ଗାଡ଼ିମଟର ମଧ୍ୟ ଯା-ଆସ କରିଥିବେ । ଏହାର ଅର୍ଥ ଏ ବାଟ ଦେଇ ଲୋକବାକ ଯା-ଆସ କରନ୍ତି-। ଆଖପାଖରେ ଜନମାନବ ଥିବାର ପ୍ରମାଣ ଆମକୁ ଖୁବ୍‌ ଉତ୍ସାହିତ କରୁଥିଲା । ହୁଏତ ଏଇ ଜାଗାକୁ ସହରର ଲୋକମାନେ ମଝିରେ ମଝିରେ ଖୁସିବାସ ପାଇଁ ବୁଲି ଆସୁଥିବେ । ଯଦି ସେକଥା ସତ ହେଇଥାଏ, ତାହାହେଲେ ଏଇ ରାସ୍ତା ହିଁ ଆମକୁ ନିରାପଦ ଲକ୍ଷ୍ୟସ୍ଥଳରେ ନେଇ ପହଞ୍ଚେଇଦେବ । ଆମ ମନରେ ପ୍ରଚୁର ନୂଆ ଆଶା ଜାଗି ଉଠିଲା । ସେଇ ଆଶାର ଉତ୍ସାହରେ ଆମେ ପାଦର ଗତି ବଢ଼େଇଦେଲୁ । ପ୍ରତି ମୋଡ଼ ବୁଲାଣିରେ ଆମେ ଭାବୁଥାଉ, କାହାରିନା କାହାରି ସାଙ୍ଗରେ ଦେଖା ହୋଇଯିବ । ପ୍ରତି ପାହାଡ଼ ପଛରେ କେହି ଜଣେ ଠିଆ ହେଇଥିବ ବୋଲି ଆମର ମନ କହୁଥାଏ । ମାତ୍ର ସେମିତି ଲୋକ କେହି ଭେଟ ହେଉ ନ ଥିଲେ । ବରଂ ସେ ରାସ୍ତାଟି ଅପନ୍ତରା ଭୂଇଁ ଦେଇ ଆଗକୁ ଆଗକୁ ଲମ୍ବି ଚାଲିଥିଲା । ପାଖାପାଖି କୌଣସି ଲୋକବାକ ଥିବେ ବୋଲି ଆମର ଯେଉଁ ଧାରଣା ହେଉଥିଲା ତାହା ଠିକ୍‌ନ ଥିଲା । ଏହା ସତ୍ତ୍ୱେ ଆମେ ଆଶା ହରେଇଲୁ ନାହିଁ । ଆଗପରି ଆମେ ଉତ୍ସାହର ସହ ଚାଲିଥାଉ । ଏମିତି ବେଶ୍‌କିଛି ବାଟ ଗଲାପରେ ଗୋଟେ ଲମ୍ବା ଘୋଷରା ଦାଗ ମୋ ସନ୍ଧାନୀ ଆଖିରେ ପଡ଼ିଲା । ସେ ଦାଗଟା ମରୁଭୂମି ପିଠିରେ ଏମିତି ଦିଶୁଥାଏ ଯେମିତି ଗୁଣ୍ଡୁଚି ପିଠି ଉପରେ କଳା ତିନିଗାର । ମୁଁ ତରବରରେ ସେଇ ଦିଗରେ ଧାଇଁଲି ।

 

ମୋର ସନ୍ଦେହ ସତ ଥିଲା । ଏଇ ଦାଗଟା ଗୋଟେ ଗାଡ଼ିଚକର ଚିହ୍ନ ଥିଲା । ହେ ଆଲ୍ଲା, ଆପଣ କେତେ ଦୟାଳୁ ! ଗାଡ଼ି ଚକର ଚିହ୍ନ ଦେଖି ବହୁତ କଥା ଆମେ ଭାବିଗଲୁ । ପ୍ରଥମ କଥା ଏ ଜାଗାକୁ କେହି ନା କେହି ମଣିଷ ଆସିଛି । ଦ୍ୱିତୀୟ କଥା, ଏଇ ଆଖପାଖରେ ନିଶ୍ଚୟ ଲୋକ ଅଛନ୍ତି । ତୃତୀୟ କଥା ହେଲା ଏଇଠୁ କିଛି ଦୂରରେ ନିଶ୍ଚୟ ରାସ୍ତାଟିଏ ଥିବ । ନ ହେଲେ ଏଠିକି ଗାଡ଼ି ଆସିଥାଆନ୍ତା କିପରି ? ଏହା ସାଙ୍ଗକୁ ଆଖପାଖରେ ଜନବସତି ଥିବା ମଧ୍ୟ ସେଇ ଗାଡ଼ିଚିହ୍ନ ସୂଚନା ଦେଉଥିଲା । ଆମ ମନର ଅନ୍ଧକାର ଇଲାକା ହଠାତ୍‌କ୍ଷୀଣ ପ୍ରଦୀପର ଆଲୋକରେ ଆଲୋକିତ ହୋଇଉଠିଥିଲା ।

 

ଆମେ ସ୍ଥିର କଲୁ, ସେଇ ଚକଚିହ୍ନ ପଡ଼ିଥିବା ରାସ୍ତାରେ ହିଁ ଆମେ ଆଗେଇବୁ । ଆମର ଦୃଢ଼ ବିଶ୍ୱାସ ଥିଲା, ଏଇ ରାସ୍ତା ଆମକୁ କୌଣସି ସାଧାରଣ ମଣିଷ ବ୍ୟବହାର କରୁଥିବା ମାମୁଲି ମଣିଷର ଗାଡ଼ିଚିହ୍ନ ନୁହେଁ, ଏହା ଦେବଦୂତଙ୍କ ରଥର ଚକଚିହ୍ନ । ଆମକୁ ରାସ୍ତା ଦେଖାଇବା ଲାଗି ଆଲ୍ଲା ଦେବଦୂତଙ୍କୁ ପଠାଇଛନ୍ତି । ହେ ଆଲ୍ଲା, ଆପଣଙ୍କୁ ଅଶେଷ ଧନ୍ୟବାଦ । ହଜାରେ ଧନ୍ୟବାଦ-। କୋଟି କୋଟି ଧନ୍ୟବାଦ ।

 

ମନ ଭିତରେ ଆଶା ଓ ଭରସାର ଅନୁଭବ ସତ୍ତ୍ୱେ ଆମେ ଉଦ୍‌ବିଗ୍ନ ଥିଲୁ । କାରଣ ମରୁଭୂମିର ପବନ ଯଦି ଟିକିଏ ଦିଗ ବଦଳେଇଦେବ ତାହାହେଲେ ଆମର ଆଶାର କିରଣ ହଜିଯିବ । ସହସା ପବନ ବାଲିଗୁଡ଼ାକୁ ଉଡ଼େଇଆଣିବ ଏବଂ ତାହା ଭିତରେ ଗାଡ଼ି ଚକର ଚିହ୍ନ କୁଆଡ଼େ ନିଶ୍ଚିହ୍ନ ହୋଇଯିବ । ଆମେ କିଛି ବି ଜାଣିପାରିବୁ ନାହିଁ । ପୁଣି ମରୁଭୂମି ଭିତରେ ପବନର ମର୍‌ଜି ଜଗିବା ଅସମ୍ଭବ ପାଠ । ତେବେ ସେଦିନ, ସ୍ୱୟଂ ଆଲ୍ଲା ଆମ ସାଙ୍ଗରେ ଥିଲେ । ସେ ପବନକୁ ବିପରୀତ ଦିଗରେ କଅଣ, ଆଦୌ ବୋହିବାକୁ ଅନୁମତି ଦେଲେ ନାହିଁ । ଆମେ ଆମର ସବୁ କଷ୍ଟ ଓ ଅସ୍ୱସ୍ତି ଭୁଲି ସେଇ ରାସ୍ତାରେ ଦଉଡ଼ୁଥିଲୁ । ଏତେ ଦିନ ପରେ ଆମେ ଗୋଟେ ରାସ୍ତାର ଠିକଣା ପାଇଛୁ । କୌଣସି ପରିସ୍ଥିତିରେ ସୁଦ୍ଧା ତାକୁ ହଜେଇବାକୁ ଦେବୁନାହିଁ । ଏଇ ଧାଇଁବା ଭିତରେ ମୁଁ ଗୋଡ଼ର ଦରଜ, ଘାଆର ଯନ୍ତ୍ରଣା, ଫୁଲାର ବ୍ୟଥା, ଫୋଟକାଗୁଡ଼ିକର ଜଳାପୋଡ଼ା ସବୁକିଛି ଭୁଲିଯାଇଥିଲି । ପବନ ବୋହିବା ଆଗରୁ ଆମକୁ ରାସ୍ତା ଖୋଜି ଖୋଜି ଜନବସତି ପାଖରେ ପହଞ୍ଚିବାକୁ ପଡ଼ିବ । ମୁଁ ମନେ ମନେ ସତେ କି ପବନ ସହିତ ପ୍ରତିଯୋଗିତା କରୁଥିଲି । ପବନ ବୋହିଲେ ମରୁଭୂମିର ବାଲିକୁ କି ବିଶ୍ୱାସ !

 

ଏଇମିତି କ୍ଷୀଣ ଆଶା ନେଇ ଆମେ କେତେବାଟ ଦଉଡ଼ିଥିଲୁ ତାହା କହିପାରିବିନାହିଁ । ସନ୍ଧ୍ୟା ସୁଦ୍ଧା ଆମେ ଠିକଣା ଜାଗାରେ ପହଞ୍ଚିଯିବୁ ବୋଲି ମନେ ମନେ ଭାବିଥିଲୁ । ମାତ୍ର ସେତିକିବେଳେ ହିଁ ଦୁର୍ଭାଗ୍ୟତମ ଘଟଣାଟି ଘଟିଲା । ଦିନସାରା ବନ୍ଦ ହେଇରହିଥିବା ପବନ ହଠାତ୍‌ ଜୋର୍‌ରେ ବୋହିବାକୁ ଲାଗିଲା ଏବଂ ବାଲି ଦେହରୁ ଚକ ଚିହ୍ନକୁ ଚାହୁଁ ଚାହୁଁ ନିଭେଇଦେଲା-। ଆମେ ଅନଉ ଅନଉ ସେ ଚିହ୍ନତକ ନିଶ୍ଚିହ୍ନ ହେଇଗଲା ବାଲି ଉପରୁ । ଆମେ ଅନେଇଥାଉ, ଆମ ଚାରିପଟେ ପବନର ଉଦ୍ଦଣ୍ଡ ନୃତ୍ୟ ।

 

ଆମର ଆଶା ଚୂର୍‌ମାର୍‌ ହେଇଗଲା । ଆମେ କଅଣ କରିବୁ କିଛି ଚିନ୍ତା କରିପାରିଲୁ ନାହିଁ । ଯେତେବେଳେ ଝଡ଼ ଥମିଗଲା, ଆମେ ଦେଖିଲୁ ଆମ ସାମ୍‌ନାରେ ଚିହ୍ନବର୍ଣ୍ଣ ନ ଥିବା ସମତଳ ବାଲି । କେହି ଯେମିତି ସିଲଟ ଉପରୁ ଖଡ଼ିଦାଗ ନିଶ୍ଚିହ୍ନ କଲାପରି ବାଲି ଉପରୁ ଦାଗତକ ଲିଭେଇ ଦେଇଥାଏ । ମୁଁ ବିକଳରେ କାନ୍ଦିଉଠିଲି । ଆକାଶକୁ ଅନେଇ ଗାଳିଦେଲି, “ବହୁତ ହେଇଗଲା ତୁମର ଥଟ୍ଟାପରିହାସ । ଆଉ ଦୟାକରି ଆମ ସହ ଖେଳ ଖେଳ ନାହିଁ । ଆମ ପାଖେ ତୁମର ଥଟ୍ଟାପରିହାସ ସହିବା ପାଇଁ ଆଉ ଧୈର୍ଯ୍ୟ କି ଶକ୍ତି ନାହିଁ ।” ଇବ୍ରାହିମ୍‌ କଅଣ ଭାବୁଛି ସେକଥା ପ୍ରତି ଦୃଷ୍ଟି ନ ଦେଇ ମୁଁ ସେଇଠି ବାଲି ଉପରେ ଶୋଇଗଲି । ମୋ ଚାରିପଟେ ବାଲିର ପାହାଡ଼ । ସେଇ ପାହାଡ଼ର ଆଘାତରେ ମୋ ଆଶାର ଜାହାଜ ଭାଙ୍ଗି ଚୂର୍‌ମାର୍‌ ହେଇଯାଉଥିଲା । ପୁଣି ଗୋଟାଏ ରାତି । ମରୁଭୂମିର ନିର୍ମମ ବାଲି ବିଛଣା ଶେଯ ଉପରେ ଲୁହଭିଜା ରାତି । ମୋ ଆଖିର ଲୁହ ଆଦୌ ବୋହିବା ବନ୍ଦ ହେଉ ନ ଥାଏ, ସତେ କି ସବୁତକ ବାଲିକୁ ନ ଭିଜେଇଦେଲା ଯାଏ ତାହାର ଅଭିଯୋଗ ଶେଷ ହେବନାହିଁ !

 

ଅଣଚାଳିଶ

 

ରାତି ତଥାପି ପାହି ନ ଥାଏ କି ସକାଳ ହେଇ ନ ଥାଏ । ଗୋଟେ ଅସ୍ୱାଭାବିକ ଶବ୍ଦ ଶୁଣି ମୋ ନିଦ ଭାଙ୍ଗିଗଲା । ପ୍ରଥମେ ଭାବିଲି ମୁଁ ବୋଧହୁଏ ସ୍ୱପ୍ନ ଦେଖୁଛି । ତେଣୁ ଆଉ ଥରେ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କଲି । ପୁଣିଥରେ ସେହି ଶବ୍ଦ ଶୁଭିଲା । ଏଥର ମୁଁ ଉଠିପଡ଼ିଲି-। ମୋ ଚାରିପଟେ ନିରବ ନିର୍ଜନ ମରୁଭୂମି ଆରାମରେ ଶୋଇଥାଏ । ସେତେବେଳେ ସିଏ ଯେ ଏତେ ନିର୍ମମ ଓ ଭୟଙ୍କର ତାହା ଆଦୌ ଜଣାପଡ଼ୁ ନ ଥାଏ । ଦୂରର ଶବ୍ଦ ସ୍ପଷ୍ଟ ଶୁଭୁଥିବାରୁ ମୁଁ ପୁଣିଥରେ ସେହି ଶବ୍ଦ ଶୁଣିପାରିଲି । ଏଥର ମୁଁ କାନ ଦିଇଟି ପାତି ସେଇ ଶବ୍ଦକୁ ଆଉ ଥରେ ଶୁଣିବା ପାଇଁ ଉତ୍ସୁକ ହୋଇପଡ଼ିଲି । ସେ ଶବ୍ଦ ଥିଲା ଟ୍ରକ୍‌ଚାଲିବାର ଶବ୍ଦ । ମାଲ୍‌ବୋଝେଇ ଟ୍ରକ୍‌ଗୁଡ଼ିକ କଙ୍କ୍ରିଟ୍‌ରାସ୍ତା ଉପରେ ଦଉଡ଼ୁଥିବାବେଳେ ସେଗୁଡ଼ିକର ଟାୟାର୍‌ରାସ୍ତାରେ ଘଷିହୋଇ ଯେଉଁ ଶବ୍ଦ ବାହାରେ ଇଏ ସେହିପ୍ରକାର ଶବ୍ଦ । ଏମିତିକା ଶବ୍ଦ ମୁଁ ମସାରାରେ ଥିବାବେଳେ ବି ଶୁଣିଛି । ରାତିର ନିସ୍ତବ୍ଧ ପ୍ରହରରେ ଦୂରରେ ଯାଉଥିବା ଟ୍ରକ୍‌ର ଶବ୍ଦ ଶୁଭିଯାଏ । ସେହିଭଳି ଦୂରରେ ଯାଉଥିବା କୌଣସି ଟ୍ରକ୍‌ର ଶବ୍ଦ ଏହା ହୋଇଥିବ ନିଶ୍ଚୟ । କିଛି କିଛି ସମୟ ବ୍ୟବଧାନରେ ମୁଁ ଏହି ଶବ୍ଦ ଶୁଣୁଥିଲି । ତାହାହେଲେ କ’ଣ ରାସ୍ତା ପାଖାପାଖି ମୁଁ ପହଞ୍ଚିଯାଇଛି !

 

ମୋ ଆଗରେ ଗୋଟେ ବେଶ୍‌ଉଚ୍ଚା ପାହାଡ଼ । ଯଦି ଏ ଶବ୍ଦଟା ବାସ୍ତବ ହେଇଥାଏ, ତାହାହେଲେ ଏଇ ପାହାଡ଼ ସେପଟେ ନିଶ୍ଚୟ ଗୋଟେ ରାସ୍ତା ଅଛି । କିନ୍ତୁ କିଏ ଜାଣେ ? ଏସବୁ ମୋ ମନର ଭ୍ରମ ହୋଇଥାଇପାରେ । କାରଣ ସେତେବେଳେକୁ ମୋ ମୁଣ୍ଡ ଅବସ୍ଥା ଠିକ୍‌ଥିଲା ଭଳି ମୋତେ ଜଣାପଡ଼ୁ ନ ଥିଲା । ମୋର ସବୁଯାକ ଇନ୍ଦ୍ରିୟ ଦୁର୍ବଳ ହୋଇପଡ଼ିଥିଲା ଏବଂ ମୁଁ କୌଣସି କଥା ଭଲ ଭାବେ ବୁଝିପାରୁ ନ ଥିଲି । ପୁଣିଥରେ ସେହି ଟ୍ରକ୍‌ଯିବାର ଶବ୍ଦ ଶୁଭିଲା । ତାହାହେଲେ କଅଣ ସତରେ ଆମେ ଆସି ରାଜପଥ ପାଖାପାଖି ପହଞ୍ଚିଗଲୁଣି । ଏଇ ପାହାଡ଼ଟା ସେପଟେ କଅଣ ଗାଡ଼ିମଟର ଯାଆସ କରୁଛନ୍ତି ? ମୁଁ ମୋ ନିଦରୁ ଚମକି ଉଠିପଡ଼ିଲି । ମୋର ସବୁ ତନ୍ଦ୍ରା ତୁଟିଗଲା । “ଇବ୍ରାହିମ୍‌, ଇବ୍ରାହିମ୍‌ !” ମୋ ମନ ଆନନ୍ଦରେ ନାଚୁଥିଲା । ମୁଁ ଇବ୍ରାହିମ୍‌ଶୋଇଥିବା ଜାଗାକୁ ଧାଇଁଗଲି । ମାତ୍ର ଇବ୍ରାହିମ୍‌ସେଠାରେ ନ ଥିଲା । ମୁଁ ତା’ ନାଁ ନେଇ ଆହୁରି କେତେଥର ଡାକିଲି । ମାତ୍ର ଇବ୍ରାହିମ୍‌ର ପତ୍ତା ନ ଥିଲା ।

 

“ଇବ୍ରାହିମ୍‌, ଇବ୍ରାହିମ୍‌” - ମୁଁ ଆଉ କେତେଥର ଡାକିଲି । ସେ ଯେଉଁଠି ଶୋଇଥିଲା ସେଇ ଜାଗାର ଚାରିପଟକୁ ଅନେଇ ମୁଁ ତାକୁ ଖୋଜିଲି । ମାତ୍ର ନା; ଇବ୍ରାହିମ୍‌ର ଦେଖା ପାଉଥିଲି ନା ସେ ମୋ ଡାକର ଜବାବ ଦେଉଥିଲା । ସେ ତାହାହେଲେ କୁଆଡ଼େ ଗଲା ? କାଲି ତ ଏକାସାଙ୍ଗରେ ଏଇଠି ଦିହେଁ ଶୋଇଥିଲୁ । “ଇବ୍ରାହିମ୍‌, ଇବ୍ରାହିମ୍‌” - ମୁଁ ଚିତ୍କାର କରୁଥିଲି । ମାତ୍ର ମୋର ସେ ଚିତ୍କାର ମରୁଭୂମିର ବାଲି ଭିତରେ ହଜିଯାଉଥିଲା ସିନା, ଇବ୍ରାହିମ୍‌ର ଜବାବ ମିଳୁ ନ ଥିଲା ।

 

ପୂର୍ବ ଦିଗରୁ ସକାଳର ପ୍ରଥମ ସୂର୍ଯ୍ୟକିରଣ ଉଙ୍କି ମାରୁଥିଲା । ରାତିର ଅନ୍ଧାର ଏହା ଭିତରେ ଅପସରି ଯାଇଥିଲା । ମୋ ସାମ୍‌ନାର ବାଲିକୁଦ ଓ ପାହାଡ଼ ଏବେ ପରିଷ୍କାର ଦୃଶ୍ୟମାନ ହେଉଥିଲେ । ଏଥର ଫର୍ଚ୍ଚା ଆଲୁଅରେ ମୁଁ ଇବ୍ରାହିମ୍‌କୁ ଖୋଜିବାକୁ ଲାଗିଲି । ଗୋଟେ ବାଲିକୁଦ ଉପରେ ଚଢ଼ି ମୁଁ ଚାରିଆଡ଼କୁ ଅନେଇଲି । କିନ୍ତୁ କୋଉଠି ଇବ୍ରାହିମ୍‌ର ଚିହ୍ନବର୍ଣ୍ଣ ନ ଥିଲା । ଅନେକ ସମୟ ଖୋଜାଖୋଜି କରିବା ପରେ ଯାଇ ମୁଁ ସତ୍ୟଟାକୁ ବୁଝିବାକୁ ଚେଷ୍ଟା କଲି । ମୋର ପଥପ୍ରଦର୍ଶକ ଏବଂ ତ୍ରାଣକର୍ତ୍ତା ଇବ୍ରାହିମ୍‌ ମୋ ଜୀବନରୁ ଚିରଦିନ ଲାଗି ବିଦାୟ ନେଇଯାଇଛି । ସେ କୁଆଡ଼େ ଗଲା ତାହାର କୌଣସି ସୁରାକ୍‌ମୋ ପାଇଁ ଛାଡ଼ିଯାଇନାହିଁ । ମୋତେ ରାଜପଥ ପାଖରେ ପହଞ୍ଚେଇ ଦେବାଲାଗି ସେ ଶପଥ ନେଇଥିଲା । ସେ ତା’ କଥା ପୂରଣ କରି ଚାଲିଯାଇଛି-

 

ଏକଥା ଉପଲବ୍ଧି କଲା ପରେ ମୋତେ ଖୁବ୍‌ଦୁଃଖ ଲାଗିଲା । ମୋର ଅନୁଭବ ହେଲା ମୁଁ ଯେମିତି ଏହି ପୃଥିବୀର ଏକଲା, ଛେଉଣ୍ଡ ମଣିଷଟିଏ । ସେହି ବାଲି ଉପରେ ଢେର୍‌ସମୟ ବସି ମୁଁ କାନ୍ଦିଲି । ଇବ୍ରାହିମ୍‌, କାହିଁକି ମୋତେ ଏକୁଟିଆ ଏମିତି ଛାଡ଼ିଦେଇ ପଳେଇଲ ? ମୁଁ ଏବେ କୁଆଡ଼େ ଯିବି ? ଏତେଦିନ ଧରି ଆମେ ଦିହେଁ ସାଙ୍ଗରେ ଥିଲେ, ହଠାତ୍‌ ମୋତେ ଛାଡ଼ିଦେଇ ପଳେଇଲ କାହିଁକି ? ମୋର ସବୁ ଦୁଃଖ, କଷ୍ଟ ଓ ଯନ୍ତ୍ରଣାର ସମୟତକ ତୁମେ ମୋ ସାଥିରେ ଥିଲ-। ଏବେ ତ ଦୂରରୁ ଗାଡ଼ିମଟର ଶବ୍ଦ ଶୁଭୁଛି, ଆମେ ନିଶ୍ଚୟ ରାସ୍ତା ପାଖରେ ପହଞ୍ଚି ପାରିଥାଆନ୍ତେ । ତାହାହେଲେ ଏତେବେଳେ ଏକୁଟିଆ ଛାଡ଼ି ପଳେଇଗଲ କାହିଁକି ? ଖୁବ୍‌ ବେଶିରେ ଆଉ ଘଣ୍ଟାଏ ଚାଲିଲେ ଆମେ ରାଜପଥରେ ପହଞ୍ଚିଯାଇପାରିବା । ତୁମେ କୁଆଡ଼େ ଯାଇଛ ? କାହିଁକି ଏପରି ଶେଷ ମୁହୂର୍ତ୍ତରେ ଅଦୃଶ୍ୟ ହେଇଗଲ ? ମୋତେ ଅନ୍ତତଃ ପଦେ କହିକି ଯାଇଥାଆନ୍ତ । ତାହାହେଲେ ଆମେ ପରସ୍ପର ସାଙ୍ଗରେ ପଦେଅଧେ କଥାହୋଇ ମେଲାଣି ନେଇପାରିଥାଆନ୍ତେ !

 

କ୍ରମେ ଖରାର ତାତି ବଢ଼ୁଥିଲା । ଆଉ ଟିକକରେ ବାଲି ଖୁବ୍‌ତାତିଯିବ, ପାଦକୁ ପୁଣି କଷ୍ଟ ହେବ । ମୁଁ ଉଠିପଡ଼ି ଚାଲିବାକୁ ଲାଗିଲି । ଇବ୍ରାହିମ୍‌ସାଙ୍ଗରେ ଥିବାବେଳେ ମୋତେ ବାଲିର ଅରମା ବାଟ ଚାଲିବାକୁ କଷ୍ଟ ହେଇ ନ ଥିଲା, ମାତ୍ର ଏବେ ଏତକ ରାସ୍ତା ଚାଲିବାଲାଗି ମୋତେ କଷ୍ଟ ହେଉଥିଲା । ମୋତେ ଲାଗୁଥିଲା, ମୁଁ ଯେମିତି ଆଗକୁ ନୁହେଁ ପଛକୁ ଚାଲୁଛି । ନିଃସଙ୍ଗତା ସତରେ କେତେ ଯନ୍ତ୍ରଣାଦାୟକ ! ଶେଷରେ ସଞ୍ଜ ପାଖାପାଖି ମୁଁ ରାସ୍ତା ପାଖରେ ଆସି ପହଞ୍ଚିଲି । ଏ ରାସ୍ତାରେ ଅବଶ୍ୟ ବହୁତ ଗାଡ଼ିମଟର ଯାଆସ କରୁ ନ ଥିଲେ କି ରାସ୍ତାଟି ଏତେ ପ୍ରଶସ୍ତ ନ ଥିଲା-। ତେବେ କିଛି କିଛି ସମୟ ବ୍ୟବଧାନରେ ଗୋଟେ ଯୋଡ଼େ ଗାଡ଼ି ଆସୁଥିଲା । ସେଗୁଡ଼ିକ ଥିଲେ ମୁଖ୍ୟତଃ ଓଜନିଆ ଜିନିଷପତ୍ର ବୋହି ନେଉଥିବା ଲମ୍ବା ଟ୍ରକ୍‌ମାନେ ଟ୍ରେଲର । କେତେବେଳେ କେମିତି ଗୋଟେ ଯୋଡ଼େ କାର୍‌ମଧ୍ୟ ଏ ରାସ୍ତାରେ ଯାଉଥିଲେ । ମୁଁ ହାତ ଦେଖାଇ ପ୍ରତ୍ୟେକ ଗାଡ଼ିକୁ ଅଟକାଉ ପାଇଁ ଅନୁରୋଧ ଜଣାଉଥାଏ, ମାତ୍ର କୌଣସି ଗାଡ଼ି ମୋ ପାଇଁ ଅଟକୁ ନ ଥାଏ-। ମୋର ଭାଗ୍ୟ ଖରାପ । କୌଣସି ଜଣେ ଡ୍ରାଇଭର୍‌ମୋ ପ୍ରତି ଦୟା ଦେଖାଇ ଗାଡ଼ି ଅଟକାଇ ନ ଥାଏ । ଇଏ ବି ଆଲ୍ଲାଙ୍କ ପରୀକ୍ଷା । ଆଲ୍ଲାଙ୍କ ନିର୍ଦ୍ଦେଶ ବିନା କୌଣସି ଡ୍ରାଇଭର ଏଠି ଅଟକିବେ ନାହିଁ ବୋଲି ମୁଁ ଜାଣିଗଲି । ଏମିତି ଆଉ ଗୋଟେ ରାତି ରାସ୍ତା ଧାରରେ ବିତିଗଲା ।

 

ଚାଳିଶ

 

ସକାଳ ହେଲା । ଅଧରାତି ପରେ ଏଇ ରାସ୍ତା ଉପର ଦେଇ ଗାଡ଼ିମଟର ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଫର୍ଚ୍ଚା ଆଲୁଅରେ ରାସ୍ତା ଆଲୋକିତ ହେଲା ପରେ ଗାଡ଼ି ଚଳାଚଳ ଆରମ୍ଭ ହେଲା । ଅଧିକାଂଶ ଗାଡ଼ି ମାଲ୍‌ବୋଝେଇ ଟ୍ରକ୍‌ । ମୁଁ ରାସ୍ତା ମଝିକୁ ଯାଇ ସେଗୁଡ଼ିକୁ ହାତଦେଖାଇ ଅଟକେଇବାକୁ ଚେଷ୍ଟା କରୁଥିଲି, ମାତ୍ର କେହି ଅଟକୁ ନ ଥିଲେ । ସେମାନେ ସମସ୍ତେ ମୋତେ ଅବଜ୍ଞା କଲାଭଳି ଦ୍ରୁତ ବେଗରେ ଗାଡ଼ି ଚଳାଇ ଚାଲି ଯାଉଥିଲେ । ମୁଁ ଭାବିଲି, ଆଜି ବି ନିଶ୍ଚୟ ଗଲାକାଲିର ଦଶା ହେବ । ମୁଁ ଏମିତି ଏଇ ରାସ୍ତା କଡ଼ରେ ପଡ଼ିଥିବି । ଅବଶ୍ୟ ମୁଁ ଗାଡ଼ିବାଲାଙ୍କୁ ଦୋଷ ଦେଉ ନ ଥିଲି । କାରଣ ତିନିବର୍ଷ କାଳ ମସାରାରେ ପଡ଼ିରହିଲା ପରେ ମୋ ଚେହେରା ଯାହା ଦିଶୁଥିବ ତାକୁ ଦେଖି କେହି ଅଟକିବେ ନାହିଁ । ମୁଁ ଗୋଟେ ଭୂତ ପରି ସେମାନଙ୍କୁ ଦିଶୁଥିବି । ତାହାଛଡ଼ା ମୋ ପରି ଅପରିଚ୍ଛନ୍ନ ଲୋକଟାକୁ କିଏ କାହିଁକି ଗାଡ଼ିରେ ବସେଇକି ନେବ-? ଛେଳିଗୁହାଳ ଛାଡ଼ିବା ପରେ ମୁଁ ଗୁଡ଼ାଏ ଦିନ ମରୁଭୂମିରେ ବୁଲିଛି । ତା’ ଭିତରେ ମୋ ବେଶପଟା ଓ ଚେହେରା ଆହୁରି କଦର୍ଯ୍ୟ ହୋଇପଡ଼ିଛି । ସଂକ୍ଷେପରେ, ମୋ ଚେହେରା ସହ ମଣିଷ ଚେହେରାର ସାମ୍ୟ ପ୍ରାୟ ଅଚିନ୍ତନୀୟ ।

 

ମୋର ଭୋକ ଓ ଶୋଷ ବଢ଼ୁଥାଏ । ଓଏସିସ୍‌ପାଖରୁ ଆସିବାର ତିନିଦିନ ବିତିଗଲାଣି, ଏହା ଭିତରେ ଆଉ କିଛି ଖାଇବାକୁ କି ପିଇବାକୁ ମିଳିନାହିଁ । ମୁକ୍ତିର ଏତେ ପାଖାପାଖି ପହଞ୍ଚି ମୁଁ ଆଉ ମରିବା ପାଇଁ ଚାହୁଁ ନ ଥିଲି । ତେବେ ଉପାୟ ବା କଅଣ ? ଆଲ୍ଲାଙ୍କର ମୋ ପ୍ରତି କରୁଣା ନାହିଁ, କାରଣ ମୁଁ ଗୋଟେ ହତଭାଗ୍ୟ । ଏସବୁ ଭାବି ମୋ ନିଜ ପ୍ରତି ଘୃଣା ଆସୁଥିଲା । ତେବେ ମୁଁ ଜୀବନରେ କି ଅପରାଧ କରିଛି ତାହା ବୁଝିପାରୁ ନ ଥିଲି । ମୁଁ ମୋ ଛାତିକୁ ବାଡ଼େଇ ବାରମ୍ବାର ନିଜକୁ ଏହି ପ୍ରଶ୍ନ ପଚାରୁଥିଲି । ମରୁଭୂମି ଭିତରେ ମୁଁ ମୋର ଦି’ଜଣ ପ୍ରିୟ ସାଙ୍ଗକୁ ହରେଇସାରିଲିଣି । ହକିମ୍‌ ଭୋକଶୋଷରେ ଛାଟିପିଟି ହେଇ ଜୀବନ ହାରିଦେଲା ଏବଂ ଇବ୍ରାହିମ୍‌ କୁଆଡ଼େ ଉଭାନ୍‌ହେଇଗଲା । ହେ ଆଲ୍ଲା, ଏସବୁ ସତ୍ତ୍ୱେ ତୁମେ ମୋତେ ଆଣି ରାସ୍ତା ନିକଟରେ ପହଞ୍ଚେଇଛ । ମାତ୍ର କାହିଁକି ? କଅଣ ପାଇଁ ? ମୁଁ ଏ ପ୍ରଶ୍ନର ଉତ୍ତର ଖୋଜି ପାଉନାହିଁ ।

 

ମଧ୍ୟାହ୍ନ ବିତି ଅପରାହ୍‌ଣ ହେଲା । ତଥାପି କୌଣସି ଗାଡ଼ି ମୋ ପାଖରେ ଅଟକିଲେ ନାହିଁ । ମୁଁ ଏଥର ମଝିରାସ୍ତାକୁ ଯାଇ ଛିଡ଼ାହେଲି । ଦେଖିଲି ଗୋଟେ ଖୁବ୍‌ଦାମୀ କାର୍‌ଆସୁଛି । ମୁଁ ଜାଣିଲି ଇଏ ବି ମୋ ଚେହେରା ଦେଖି ଘୃଣା କରିବ, ଅଟକିବ ନାହିଁ । ମାଲ୍‌ବୁହା ଟ୍ରକ୍‌ଡ୍ରାଇଭର ଯେତେବେଳେ ଘୃଣା କରି ପଳେଇ ଯାଉଛନ୍ତି, ଇଏ ଦାମୀ କାର୍‌ବା କାହିଁକି ଅଟକିବ ? ତା’ ଆଗରେ ହାତ ଦେଖାଇବା ବୃଥା ବୋଲି ମୁଁ ଜାଣିଥିଲି । ତଥାପି ମୁଁ ରାସ୍ତା ଉପରେ ଠିଆ ହେଇ ହାତ ଦେଖାଇଲି । ଗାଡ଼ିଟା ନ ଅଟକି ଆଗକୁ ଚାଲିଗଲା । ଏଥିରେ ମୋର ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା । ତେବେ କିଛି ବାଟ ଆଗକୁ ଯିବାପରେ ଗାଡ଼ିଟା ହଠାତ୍‌ବ୍ରେକ୍‌କଷି ଅଟକିଲା । ମୁଁ ଆଶ୍ଚର୍ଯ୍ୟ ହେଲି । ଇଏ କଅଣ ମୋ ହାତ ଦେଖି ସତରେ ଅଟକିଲା ? କେଇ ସେକେଣ୍ଡ ପାଇଁ ମୁଁ କାର୍‌ଟି ଅଟକିବାର କାରଣ ବାବଦରେ ଜାଣିପାରିଲିନାହିଁ । ତା’ପରେ ଯେତେବେଳେ ମୁଁ ଅନୁମାନ କଲି ଯେ ସେ ମୋ ପାଇଁ ଅଟକିଥିବେ ସେତେବେଳେ ମୁଁ ଦ୍ରୁତ ପାଦରେ ତାଙ୍କ ପାଖକୁ ଧାଇଁଲି । ଗାଡ଼ି ଭିତରେ ଚମତ୍କାର ପୋଷାକ ପିନ୍ଧିଥିବା ଜଣେ ସଂଭ୍ରାନ୍ତ ଆରବୀ ଯୁବକ ବସିଥିଲେ । ଗାଡ଼ିର କାଚ ତଳକୁ କରି ସେ ମୋତେ କଅଣ ପଚାରିଲେ । ତାଙ୍କ ପ୍ରଶ୍ନର କଅଣ ଉତ୍ତର ଦେବି ମୁଁ ଜାଣିପାରୁ ନ ଥିଲି । ମନେ ମନେ ସେହି ଯୁବକଙ୍କ ପ୍ରତି କୃତଜ୍ଞତାରେ ମୁଁ ତରଳିଯାଇସାରିଥିଲି । ଗତକାଲିଠାରୁ ଆଜି ଭିତରେ କେତେ ଗାଡ଼ି ମୋତେ ଉପେକ୍ଷା ନ କରି ଏଠୁ ପଳେଇଯାଇଛନ୍ତି । କାହାର ହୃଦୟ ଟିକେ ଦୟାରେ ତରଳି ନାହିଁ । ଅଥଚ ଇଏ ଏଠି ଅଟକିଲେ । ଏଇ ଯଥେଷ୍ଟ । ମୁଁ କିଏ ବା କୁଆଡ଼ୁ ଆସିଲି, ଏଠି କଅଣ କରୁଛି ବା ମୁଁ କଅଣ ଚାହେଁ ଏସବୁ ପଚାରିବା ପ୍ରୟୋଜନ ନାହିଁ । ଆପଣଙ୍କ ପାଦ ଯେ ବ୍ରେକ୍‌କୁ ଚାପି ଗାଡ଼ିକୁ ଅଟକାଇଲା, ଏହା କିଛି କମ୍‌କଥା ନୁହେଁ । ମୋ ଦୁଇ ଆଖି ଲୁହରେ ତିନ୍ତିଗଲା ।

 

ଆରବୀ ଭଦ୍ରଲୋକ ମୋତେ ଆଉକିଛି ପଚାରିଲେ ନାହିଁ । ସେ ମୋ ପାଇଁ ତାଙ୍କ କାର୍‌ର ପଛ କବାଟ ଖୋଲିଦେଲେ ଓ ମୋତେ ଭିତରେ ବସିବା ଲାଗି ଡାକିଲେ । ମୁଁ ପଛ ସିଟ୍‌ରେ ବସିବା ପରେ ସେ ଗାଡ଼ି ଚଲେଇଲେ ।

 

ସେଇ ଚକମକିଆ କାର୍‌ର ଅରଖ ନୂଆ ସିଟ୍‌ଉପରେ ବସିବା ଲାଗି ମୋର ଖୁବ୍‌ସଙ୍କୋଚ ହେଉଥିଲା । ତଥାପି ମୁଁ ବସିଲି । ମୁଁ ବସିବାର କିଛି ସମୟ ପରେ ସେ ତାଙ୍କ କାର୍‌ର ଏୟାର୍‌କଣ୍ଡିସନର୍‌ବନ୍ଦ କରିଦେଲେ ଓ ଝରକାର କାଚଗୁଡ଼ାକ ତଳକୁ ଖସେଇଦେଲେ । ମୁଁ ଦେଖିପାରିଲି, ସେ ତାଙ୍କ ନାକକୁ କପଡ଼ାରେ ଢାଙ୍କି ପକାଇଲେ । ଏହାର କାରଣ ମୁଁ ବୁଝିପାରୁଥିଲି-। ସେ ଚାହିଁଥିଲେ ମୋତେ ସେଇଠି ଓହ୍ଲେଇ ଦେଇ ତାଙ୍କ ରାସ୍ତାରେ ଚାଲିଯାଇ ପାରିଥାଆନ୍ତେ । ମାତ୍ର ସେ ସେମିତି କଲେନାହିଁ । ତାଙ୍କ ମୁହଁରେ ବିରକ୍ତିର କୌଣସି ଚିହ୍ନ ନ ଥିଲା । ସେ ମୋତେ ପିଇବା ପାଇଁ ଗୋଟେ ପାଣି ବୋତଲ ବଢ଼ାଇଦେଲେ । ମୁଁ ଏକା ନିଃଶ୍ୱାସକେ ପୂରା ବୋତଲଟା ସଫା କରିଦେଲି । ସେ ପଚାରିଲେ, ଆଉ ପାଣି ଦେବି କି ? ମୁଁ ମୁଣ୍ଡ ହଲେଇ ହଁ କହିଲି । ସାଙ୍ଗେ ସାଙ୍ଗେ ସେ ମୋତେ ଆଉଗୋଟେ ପାଣି ବୋତଲ ଦେଲେ । ମୁଁ ତାକୁ ମଧ୍ୟ ପିଇଦେଲି । ଦି’ ବୋତଲ ପାଣି ପିଇବା ସତ୍ତ୍ୱେ ମୋର ଶୋଷ ମେଣ୍ଟି ନ ଥାଏ । ମାତ୍ର ଭଦ୍ରଲୋକଙ୍କୁ ଆଉ ପାଣି ମାଗିବା ପାଇଁ ମୋର ସଙ୍କୋଚ ହେଉଥିଲା ।

 

ଧୀରେ ଧୀରେ ମୁଁ ସିଟ୍‌କୁ ଢଳି ବସିଲି । ମୁଁ ଏତେ ଥକିପଡ଼ିଥିଲି ଯେ କିଛି ସମୟ ପରେ ମୋତେ ନିଦ ଆସିଗଲା । ତେଣୁ ମୁଁ ସେ ଗାଡ଼ିରେ କେତେବାଟ ଆସିଛି ତାହା ଜାଣିପାରିଲିନାହିଁ । ଗାଡ଼ିଟି ଆସି ସହରର ଗୋଟେ ଜାଗାରେ ଅଟକିଲା ପରେ ମୁଁ ସେଥିରୁ ଓହ୍ଲେଇଲି । ସେତେବେଳକୁ ପ୍ରାୟ ସଞ୍ଜ ହୋଇଯାଇଥିଲା । ମୁଁ ଆଖି ମଳି ସହରର ଦି’ପଟକୁ ଚାହିଁଲି । ଦୁଇକଡ଼େ ଉଚ୍ଚା ଉଚ୍ଚା କୋଠା, ରାସ୍ତାରେ ଗାଡ଼ିମଟର ହାଉଯାଉ ଓ ଲୋକ ଭିଡ଼ । ଆରବୀ ଭଦ୍ରଲୋକ ଗାଡ଼ିକୁ ରାସ୍ତା କଡ଼ରେ ରଖି ମୋ ଆଡ଼କୁ ଚାହିଁଲେ । ମୁଁ ଜାଣିଲି ଯେ, ସେ ମୋତେ ସେଇଠି ଓହ୍ଲେଇଯିବାକୁ କହୁଛନ୍ତି । ଏତେ ସମୟ ଧରି ମୋର ଦୁର୍ଗନ୍ଧପୂର୍ଣ୍ଣ ସାନ୍ନିଧ୍ୟକୁ ସେ କେମିତି ବରଦାସ୍ତ କରିଥିଲେ ସେକଥା ଭାବି ମୁଁ ଆଶ୍ଚର୍ଯ୍ୟ ହେଉଥିଲି । କୃତଜ୍ଞତାରେ ମୋ ଆଖି ପୁଣିଥରେ ସଜଳ ହୋଇଗଲା । ତାଙ୍କର ଏହି ମହାନୁଭବତାର ପ୍ରତିଦାନରେ କେଇବୁନ୍ଦା ଲୁହ ଛଡ଼ା ତାଙ୍କୁ ଦେବାଲାଗି ମୋ ପାଖରେ ଆଉ କିଛି ନ ଥିଲା ।

 

ମୁଁ ଗାଡ଼ିରୁ ଓହ୍ଲେଇପଡ଼ି ଦରଜା ବନ୍ଦ କରିଦେଲି । ସେ ମୋତେ ସେଇଠି ଛାଡ଼ିଦେଇ ତାଙ୍କ ରାସ୍ତାରେ ଚାଲିଗଲେ । ଚାହୁଁ ଚାହୁଁ ଅନ୍ୟ ଗାଡ଼ି ମଟର ଭିଡ଼ ଭିତରେ ତାଙ୍କ ଗାଡ଼ିଟା ଅଦୃଶ୍ୟ ହୋଇଗଲା ।

 

ମୁଁ ରାସ୍ତା କଡ଼ରେ ଠିଆହୋଇ କାନ୍ଦୁଥିଲି । ଭାବୁଥିଲି, ଆଲ୍ଲା ମଧ୍ୟ ସମୟେ ସମୟେ ବିଳାସପୂର୍ଣ୍ଣ କାର୍‌ରେ ଯା-ଆସ କରିଥାଆନ୍ତି ।

 

ଏକଚାଳିଶ

 

ଡବଡବ କରି ମୁଁ ସହରର ସେଇ ଜନଗହଳିପୂର୍ଣ୍ଣ ପରିବେଶକୁ ଅନଉଥିଲି । ଯେଉଁମାନେ ମୋତେ ଟପି ଆଗକୁ ଚାଲିଯାଉଥିଲେ ସେମାନେ ପ୍ରାୟ ସମସ୍ତେ ପଛକୁ ମୁହଁ ବୁଲେଇ ଆଉ ପରସ୍ତେ ଲେଖାଏଁ ମୋତେ ଚାହୁଁଥିଲେ । ମୁଁ ସେମାନଙ୍କୁ ଗୋଟେ ଅଦ୍ଭୁତ ପ୍ରାଣୀ ପରି ଦିଶୁଥିଲି । ମୁଁ ରାସ୍ତା କଡ଼େ କଡ଼େ ଚାଲିଥାଏ । ସେଇଟା ଗୋଟେ ବଜାର ହେଇଥିବ । ତାହାର ରାସ୍ତାଗୁଡ଼ିକ ବୁଲେଇ ବଙ୍କେଇ ଆଗକୁ ଲମ୍ବିଥିଲା । ରାସ୍ତା ଦି’ ଧାରରେ ଗଦାଗଦା ପରିବା ବିକ୍ରି ପାଇଁ ଜମା ହେଇଥିଲା । ସେଗୁଡ଼ିକର ନରମ ସବୁଜ ଚେହେରା ଏବଂ ବାସ୍ନା ପରିବେଶକୁ ଅଲଗା ପ୍ରକାର ସୁଗନ୍ଧରେ ଭରିଦେଉଥାଏ । ତା’ ସାଙ୍ଗକୁ କୁଢ଼ କୁଢ଼ ତଟକା ଫଳ । ନଈର ସୁଅ ପରି ଆରବୀ ଲୋକମାନେ ବଜାର ରାସ୍ତାରେ ଚାଲିଥାନ୍ତି । ବୁର୍ଖାପିନ୍ଧା ସ୍ତ୍ରୀ ଲୋକମାନଙ୍କର ଆଖି ଯୋଡ଼ିକ ଖାଲି ବାହାରକୁ ଦିଶୁଥାଏ । ସେମାନେ ବଜାରରେ ସଉଦା କିଣିବା ପାଇଁ ବୁଲୁଥାଆନ୍ତି । ଚାରିପଟେ ହାଟ ବଜାରର କୋଳାହଳ । ସେଇ ବଜାରରେ କିଛି ଭାରତୀୟ ଦୋକାନୀ ମଧ୍ୟ ଜିନିଷପତ୍ର ଧରି ବସିଥାଆନ୍ତି । ତା’ ମଝିରେ ମୁଁ ଗୋଟେ ପ୍ରାଗୈତିହାସିକ ଯୁଗର ପ୍ରାଣୀ ପରି ଛିଡ଼ା ହୋଇଥାଏ । ସମସ୍ତେ ମୋତେ ଦେଖୁଥାଆନ୍ତି ଓ ଚଟ୍‌କିନା ନଜର ଫେରେଇ ଚାଲିଯାଉଥାଆନ୍ତି । ମୋ ଦେହ ସାଙ୍ଗରେ ଯେମିତି ସେମାନଙ୍କ ଦେହ ବାଜି ନ ଯାଏ, ସେଥିପ୍ରତି ସେମାନେ ଖୁବ୍‌ସତର୍କ ରହୁଥାଆନ୍ତି । ମୁଁ ଏଥିରେ ଆଦୌ ଆହତ ହେଉ ନ ଥାଏ । କାରଣ ଅନ୍ୟମାନଙ୍କ କଥା ଦୂରେଥାଉ, ମୋତେ ମଧ୍ୟ ମୋ ଦେହଟା ଭୀଷଣ ଗନ୍ଧଉଥାଏ ।

 

ମୋତେ ଖୁବ୍‌ଭୋକ ଲାଗୁଥିଲା, ମାତ୍ର ମୋ ପାଖରେ ଖାଦ୍ୟ କିଣିବାଲାଗି ଅର୍ଥ ନ ଥିଲା । ଉପସାଗର ଅଞ୍ଚଳରେ ରହିବାର ଏତେଦିନ ଭିତରେ ସେଇ ପ୍ରଥମ ଥର ମୁଁ ଅର୍ଥର ପ୍ରୟୋଜନ ଅନୁଭବ କରିଥିଲି । ମସାରାରେ ଥିଲେ ମୋତେ ଖାଇବା ଲାଗି ମୋ ମାଲିକଙ୍କ ଖୁବୁସ୍‌ହୁଏତ ମିଳିଥାଆନ୍ତା । ସେଥିଲାଗି ଅର୍ଥ ଦରକାର ପଡ଼ି ନ ଥାନ୍ତା । ମୁଁ ହୁଏତ ଛେଳିଙ୍କ ଲାଗି ଥିବା ଗହମ ଖାଇପାରିଥାଆନ୍ତି । ତା’ ପାଇଁ ମଧ୍ୟ ଅର୍ଥ ଦରକାର ପଡ଼ି ନ ଥାନ୍ତା । ମାତ୍ର ସହରରେ କିଛି କିଣି ଖାଇବା ପାଇଁ ହେଲେ ଅର୍ଥ ଆବଶ୍ୟକ । ବିନା ଅର୍ଥରେ ମୋତେ କିଏ ଏଠି ଖାଇବାକୁ ଦେବ ? ମୁଁ ଗୋଟେ ଯୋଡ଼ିଏ ଦୋକାନରେ ପଶିବାଲାଗି ଚେଷ୍ଟା କରିଥିଲି ଓ କେତେକ ଦୋକାନ ଆଗରେ ହାତପତେଇ ଖାଇବାକୁ ମାଗିଥିଲି । ମାତ୍ର ସେ ଦୋକାନର ମାଲିକମାନେ, ବୁଲାକୁକୁରକୁ ତଡ଼ିବା ପରି, ମୋତେ ତଡ଼ି ଦେଇଥିଲେ ।

 

ମୁଁ ନୂଆ ଆଶା ଧରି ବଜାର ମଝିରେ ଚାଲିଥିଲି । କିଛି ବାଟ ଚାଲିଲା ପରେ ମୋତେ ହାଲିଆ ଲାଗିଲା । ମୋତେ ଭୀଷଣ ନିଦ ମାଡୁଥିଲା ଓ ଆଖିପତା ମୁଦିହୋଇ ଆସୁଥିଲା । ସେତିକିବେଳେ ମୁଁ ଯେଉଁ ଦୋକାନ ସାମ୍‌ନା ଦେଇ ଯାଉଥିଲି, ଦେଖିଲି ଯେ ତାହାର ସାଇନ୍‌ବୋର୍ଡରେ ଲେଖାଯାଇଛି “ମାଲାବାର୍‌ରେସ୍ତୋରାଁ ।” କି ସୌଭାଗ୍ୟ ! ମୋର ବିଶ୍ୱାସ ହେଲା ଯେ ଏଠି ଅନ୍ତତଃ କେହି ଜଣେ ଥିବେ ଯିଏ କି ମୋ ମାଲୟାଲମ ଭାଷା ଅନ୍ତତଃ ବୁଝିପାରିବେ । ମୋ କଥା ବୁଝିବାଲାଗି ଆଲ୍ଲା ଏଠି ନିଶ୍ଚୟ କିଛି ବ୍ୟବସ୍ଥା କରିଥିବେ । ମୁଁ ମନକୁ ଦୃଢ଼ କରି ସେଇ ଦୋକାନ ଆଡ଼କୁ ମୁହାଁଇଲି ।

 

ସେ ଜାଗାରେ ପହଞ୍ଚିବା ପରେ କଅଣ ହେଲା ସେସବୁ ମୋର ମନେନାହିଁ । ପରେ ଶୁଣିଲି ଯେ, ମୁଁ ସେ ଦୋକାନର ପାହାଚ ଉପରେ ପଡ଼ି ମୂର୍ଚ୍ଛା ହୋଇଯାଇଥିଲି ।

 

ଆଶ୍ରୟ

ବୟାଳିଶ

 

ସବୁ ଆରବ୍ୟ ନଗରୀରେ ଗୋଟେ ଗୋଟେ ବଡ଼ ବରଗଛ ଥାଏ, ଯାହାର ଛାଇରେ ବସିଲେ ମଣିଷର ଦୁଃଖ ଦୂର ହୋଇଯାଏ । ଏହି ସହରରେ ବି ସେମିତି ଗୋଟେ ବଡ଼ ବରଗଛ ଥିଲା ।

 

ସେହି ବରଗଛଟି ପୁଣି ଥିଲା କୁଞ୍ଜିକ୍‌କାଙ୍କ ହୋଟେଲ୍‌ର ଠିକ୍‌ସାମ୍‌ନାରେ, ମୁଁ ଯୋଉଠି ମୂର୍ଚ୍ଛା ହେଇ ପଡ଼ିଯାଇଥିଲି । କୁଞ୍ଜିକ୍‌କାଙ୍କ ହୋଟେଲ୍‌, ବାଥା ମାର୍କେଟ୍‌ରେ ରହୁଥିବା ସବୁ ମାଲୟାଲୀ ଲୋକଙ୍କର ଆଶ୍ରୟସ୍ଥଳ । ଏହାକୁ ଆଲ୍ଲାଙ୍କ ଚମତ୍କାର ବୋଲି କହିବାକୁ ପଡ଼ିବ । ନ ହେଲେ ମୋ ଭଳି ଜଣେ ଅଜଣା ଅଶୁଣା ଲୋକ ଅପରିଚିତ ସହରର ଯେକୌଣସି ଜାଗାରେ ପଡ଼ି ମୂର୍ଚ୍ଛା ଯାଇଥାଆନ୍ତା । ସେଠାରେ ତାକୁ କେହି ଚିହ୍ନି ନ ଥାନ୍ତେ କି ତାହାର ଭାଷା ବୁଝିପାରି ନ ଥାନ୍ତେ-। ସେ ସେଇଠି ସେମିତି ପଡ଼ିରହିଥାଆନ୍ତା । ମାତ୍ର ଆଲ୍ଲା ନିଷ୍ପତ୍ତି ନେଇଥିଲେ, ମୁଁ କୁଞ୍ଜିକ୍‌କାଙ୍କ ହୋଟେଲ୍‌ପାଖରେ ଆସି ହିଁ ପଡ଼ିବି । ତେଣୁ ମୁଁ ମାଲାବାର ରେସ୍ତୋରାଁର ପାହାଚ ପାଖରେ ଆସି ପଡ଼ିଯାଇଥିଲି । ଆଲ୍ଲା ଜାଣିଥିଲେ କୁଞ୍ଜିକ୍‌କାଙ୍କ ପରି ଦୟାବାନ୍‌ଲୋକ ନିଶ୍ଚୟ ମୋଅର ଯତ୍ନ ନେବେ ।

 

ମୁଁ ଏହି ସହରରେ ପହଞ୍ଚିବାର ସେଇଟା ଥିଲା ତୃତୀୟ ଦିନ । ଆଖି ଖୋଲିବା ପରେ ନିଜକୁ ମୁଁ କୁଞ୍ଜିକ୍‌କାଙ୍କ କୋଠରିରେ ଆବିଷ୍କାର କଲି । ମୁଣ୍ଡଟାରେ ଖୁବ୍‌କଷ୍ଟ ହେଉଥିଲା । ମୋ ବାହୁରେ ଗୋଟେ ଛୁଞ୍ଚି ଫୋଡ଼ା ହେଇଥିଲା ଏବଂ ତହିଁରେ ସାଲାଇନ୍‌ଲାଗିଥିଲା । ପ୍ରଥମେ ତ ମୁଁ ଭାବିଥିଲି ଯେ ବୋଧହୁଏ କୌଣସି ହସ୍‌ପିଟାଲ୍‌ରେ ଅଛି । ଚାରିପଟେ ମୋ ନିଜ ଜାତିଭାଇ ମାଲୟାଲୀମାନଙ୍କୁ ଦେଖି ମୁଁ କାନ୍ଦିପକାଇଲି । ମୋ ହାତକୁ ଆଉଁଶିଦେଇ କୁଞ୍ଜିକ୍‌କା କହିଲେ, “କାନ୍ଦନା, ସବୁ ଠିକ୍‌ହେଇଯିବ ।” ତାଙ୍କର ସାନ୍ତ୍ୱନା ମୋତେ ବହୁତ ସାହସ ଦେଲା । ସେଇ ତିନିଦିନ ଭିତରେ ମୁଁ ବାଥାରେ ରହୁଥିବା ମାଲୟାଲୀ ମହଲରେ ଆଲୋଚନାର ମୁଖ୍ୟ ବିଷୟ ପାଲଟିଯାଇଥିଲି । ମୋର ଚେତା ଫେରିପାଇବା ଖବର ଶୁଣି ସେମାନଙ୍କ ମଧ୍ୟରୁ ଅନେକ ମୋ ରୁମ୍‌କୁ ଧସେଇ ପଶିଆସିଲେ । ତାଙ୍କ ଭିତରୁ କିଏ ମୋ ପାଇଁ ସେଓ ଆଣିଥିଲେ ତ କିଏ କମଳା, ଆଉ କିଏ ଅଙ୍ଗୁର ଆଣିଥିଲେ ତ କେହି ପୁଣି କଦଳୀ । ସେମାନେ ସମସ୍ତେ ମୋର କାହାଣୀ ଶୁଣିବାକୁ ଓ ମୋ ବିଷୟରେ ସବୁକଥା ଜାଣିବାକୁ ଉତ୍ସୁକ ଥିଲେ । ମୋର ଏ ଦଶା କେମିତି ହେଲା, ଏଠିକି ଆସି ମୁଁ କେମିତି ପହଞ୍ଚିଲି ସେସବୁ ସେମାନେ ଜାଣିବାକୁ ଚାହୁଁଥିଲେ । ସେମାନଙ୍କର ଏହି ଉତ୍ସୁକତା ତାଙ୍କ ମୁହଁରୁ ପଢ଼ିହେଉଥିଲା । ତେବେ ସେମାନେ କେହି ସେକଥା ମୋତେ ସିଧାସଳଖ ପଚାରୁ ନ ଥିଲେ । ଦି’ଦିନ ପରେ, ଡାକ୍ତର ଆସି ସାଲାଇନ୍‌ବନ୍ଦ କରିବା ପରେ କୁଞ୍ଜିକ୍‌କା ମୋତେ ମୋ ଖବର ପଚାରିଲେ ।

 

“ମୋର ଗୋଟେ ଆରିସି ଦରକାର ।” –ମୁଁ ତାଙ୍କୁ କହିଲି ।

ଆରିସି କଅଣ କରିବ ? - ବିଛଣା ପାଖରେ ବସିଥିବା କୁଞ୍ଜିକ୍‌କା ପଚାରିଲେ ।

ମୁଁ ଟିକେ ମୋ ନିଜକୁ ଦେଖିବାକୁ ଚାହେ ।

 

ପାଖରେ ବସିଥିବା ଅନ୍ୟମାନେ ମୋ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ । ତାଙ୍କ ଆଖିରୁ ସେକଥା ମୁଁ ଜାଣିପାରୁଥିଲି ।

 

ବାସ୍ତବରେ ମୁଁ ମୋ ନିଜକୁ ଥରେ ଦେଖିବା ପାଇଁ ଚାହୁଥିଲି । ମୋର ସେଇ ଦୟନୀୟ ଅବସ୍ଥା ଯାହା ଅନ୍ୟମାନଙ୍କୁ ବିସ୍ମିତ କରୁଥିଲା, ତାହା ପ୍ରକୃତରେ କେମିତି ଥିଲା ସେକଥା ମୁଁ ମୋ ନିଜ ଆଖିରେ ଦେଖିବାଲାଗି ଚାହୁଥିଲି ।

 

କେହିଜଣେ ଆଣି ମୋତେ ଛୋଟ ଆରିସିଟିଏ ଦେଲା । ମୁଁ ସେଥିରେ ମୋ ମୁହଁ ଦେଖିଲି । ଅନେକ ସମୟ ନିଜ ମୁହଁକୁ ନିଜେ ଅନାଇ ରହିଲି । ସତରେ, ମୁଁ ମୋ ନିଜକୁ ଆଦୌ ଚିହ୍ନିପାରୁ ନ ଥିଲି । ଆଇନାରେ ଦିଶୁଥିବା ଲୋକଟା ମୋ ପାଇଁ ସମ୍ପୂର୍ଣ୍ଣ ଅପରିଚିତ ଥିଲା । ତାହାର ମୁଣ୍ଡବାଳ କାଟି ଛୋଟ ଛୋଟ କରିଦିଆଯାଇଥିଲା ଏବଂ ତାହାର ଦାଢ଼ି କାଟି ସଫା କରାଯାଇଥିଲା-। ନିଜ ଜନ୍ମଭୂମିରୁ ବିଦେଶ ଆସିଥିବା ନଜିବ୍‌ର ଚେହେରା ସହ ଏ ଲୋକର ଚେହେରାର କୌଣସି ସାମ୍ୟ ନ ଥିଲା । ମୁଁ ସମ୍ପୂର୍ଣ୍ଣ ବଦଳିଯାଇଥିଲି । ଗୋଟେ କଳା, ଦୁର୍ବଳ, ହାଡ଼ୁଆ କଙ୍କାଳ ପରି ଦିଶୁଥିଲି ମୁଁ । କେହି ଯଦି ମୋତେ ଏହି ଚେହେରାକୁ ଦେଖାଇ ଇଏ ମୁଁ ବୋଲି କହିଥାଆନ୍ତା ତାହାହେଲେ ମୁଁ କଦାପି ତା’ କଥା ବିଶ୍ୱାସ କରି ନ ଥାନ୍ତି ।

 

କୁଞ୍ଜିକ୍‌କା ସବୁକଥା ବୁଝେଇ କହିଲେ । ମୁଁ ତାଙ୍କ ରେସ୍ତୋରାଁ ଆଗରେ ମୂର୍ଚ୍ଛାହେଇ ପଡ଼ିଯିବା ଦେଖି ସେ ଓ ତାଙ୍କ ଲୋକମାନେ ମୋତେ ଉଠେଇ ରେସ୍ତୋରାଁ ଭିତରକୁ ନେଇଥିଲେ । ସେମାନେ ମୋର ଚେତା ଫେରେଇ ମୋତେ ଖାଇବା ପିଇବାକୁ ଦେଇଥିଲେ । ତା’ପରେ ମୁଁ ତାଙ୍କ ରୁମ୍‌କୁ କେମିତି ଗଲି, କେମିତି ସେ ମୋର ଯତ୍ନ ନେଇଥିଲେ ଓ ମୋତେ ନେଇ ଗାଧୋଇ ଦେଇଥିଲେ ସେକଥା ମଧ୍ୟ କହିଥିଲେ । ତାହା ପରଦିନ ଗୋଟେ ବାରିକକୁ ଡକାଇ ସେ ମୋ ଲମ୍ବାବାଳ ଓ ଦାଢ଼ି କଟେଇ ଦେଇଥିଲେ । ସେଇ ସମୟ ଭିତରେ କେହି ଜଣେ ଡାକ୍ତରଙ୍କୁ ଡାକି ମୋର ଚିକିତ୍ସା ଆରମ୍ଭ କରିଦେଇଥିଲେ । ମୁଁ ସେତେବେଳେ ଅଚେତ ଥିବାରୁ ଏସବୁ କଥା ଜାଣିପାରି ନ ଥିଲି ।

 

କୁଞ୍ଜିକ୍‌କା ଏବଂ ତାଙ୍କ ଲୋକମାନଙ୍କର ଏହି ମହାର୍ଘ ଉପକାରର ପ୍ରତିଦାନରେ ଲୁହ ଓ କୃତଜ୍ଞତା ଭିନ୍ନ ମୋ ପାଖେ ଦେବାଲାଗି ଆଉ କିଛି ନ ଥିଲା । ମୋର ଖାଲି ଗୋଟେ ଅବସୋସ ରହିଗଲା ଯେ ସେମାନେ ମୋ ବାଳ ଓ ଦାଢ଼ି କାଟି ମୋତେ ଗାଧୋଇଦେବା ଆଗରୁ ମୋର ଫଟୋଟିଏ ଉଠେଇ ରଖିପାରିଲେ ନାହିଁ । ସେଥିପାଇଁ ମୁଁ ମୋ ନିଜର ସେଇ ପ୍ରାଗୈତିହାସିକ ଯୁଗୀୟ ଚେହେରା ନିଜେ ଦେଖିପାରିଲି ନାହିଁ । ମୋ ଜୀବନର ଦୁଃଖ ଦୁର୍ଦ୍ଦଶାର ପ୍ରମାଣ ଦେବା ପାଇଁ ମୋ ପାଖରେ ସେଇ ଫଟୋଟି ଥାଆନ୍ତା କି ? ମାତ୍ର ତାହା ମୋ ପାଖେ ନାହିଁ, ଯାହା ଅଛି ତାହା ଖାଲି ସ୍ମୃତି ଓ ଅଭିଜ୍ଞତା । ମୁଁ ସେ ଦେଶକୁ ଯାଇଥିଲି ବୋଲି ଯେଉଁ ପାସ୍‌ପୋର୍ଟ ପ୍ରମାଣ ଦିଅନ୍ତା ତାହା ବି ମୋ ଆରବୀ ମାଲିକଙ୍କ ପାଖରେ ରହିଗଲା ।

 

ଆଜି କେତେ ତାରିଖ ? - ଚାରିପଟେ ମୋତେ ଘେରିଥିବା ଲୋକମାନଙ୍କୁ ମୁଁ ପଚାରିଲି-

 

ତେର ତାରିଖ ।

କେଉଁ ମାସ ?

ଅଗଷ୍ଟ । –ସେମାନେ ମୋ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ ।

କେଉଁ ମସିହା ?

 

ଏଥର ସେମାନେ ଅଧିକ କୌତୂହଳୀ ହୋଇପଡ଼ିଲେ । ଜଣେ କହିଲା ଊଣେଇଶ ପଞ୍ଚାନବେ ।

 

ହେ ଆଲ୍ଲା ... ମୁଁ ମୋ କପାଳରେ ହାତଦେଲି । ତା’ପରେ ନିଜ ଛାତି ଉପରେ ହାତରଖି ଏହା ଭିତରେ କେତେ ବର୍ଷ, କେତେ ମାସ, କେତେ ଦିନ ବିତିଯାଇଥିଲା ତାହାର ହିସାବ କଲି ।

 

ତିନିବର୍ଷ ଚାରିମାସ ନଅଦିନ ।

ଏକଥା ଶୁଣି ମୋର ଶୁଭେଚ୍ଛୁମାନେ କାବା ହେଇଗଲେ ।

 

ଦୁଇଦିନ ପରେ, ମୁଁ ଯେତେବେଳେ ନିଜ ଗୋଡ଼ରେ ଚାଲିବା ପାଇଁ ସକ୍ଷମ ହେଲି, କୁଞ୍ଜିକ୍‌କା ମୋତେ ସେହି କୋଠରିରୁ ଆଉ ଗୋଟେ କୋଠରିକୁ ନେଇଗଲେ । ସେହି କୋଠରିରେ ଟେଲିଫୋନ୍‌ଥିଲା । କୁଞ୍ଜିକ୍‌କା ମୋତେ ଫୋନ୍‌ପାଖ ଚଉକିରେ ବସିବାକୁ କହିଲେ ।

 

ଘରକୁ ଫୋନ୍‌କରିବା ପାଇଁ ତମ ମନ ହେଉନାହିଁ ? ତମ ସ୍ତ୍ରୀ ଓ ମାଆଙ୍କ ସ୍ୱର ଶୁଣିବାଲାଗି ଇଚ୍ଛା ହେଉଥିବ, ନୁହେଁ ?

 

ମୁଁ କାନ୍ଦିଲି । ଆମ ଘରେ ଫୋନ୍‌ନାହିଁ । ଆମର ପଡ଼ୋଶୀଙ୍କ ଘରେ ଫୋନ୍‌ଅଛି । ତାଙ୍କ ନମ୍ବର ମୁଁ କୁଞ୍ଜିକ୍‌କାଙ୍କୁ ଦେଲି । ସେଇ ନମ୍ବରଟା କେମିତି ଯେ ମୋର ମନେଥିଲା ସେକଥା ଭାବି ମୁଁ ଆଶ୍ଚର୍ଯ୍ୟ ହେଲି । ଢେର୍‌ଦିନ ହେଲା ମୁଁ ସେ ନମ୍ବରକୁ ଫୋନ୍‌କରି ନ ଥିଲି । ଶେଷଥର ପାଇଁ, ବମ୍ବେରୁ ଏ ଦେଶକୁ ଆସିବା ଦିନ ମୁଁ ସେଇ ନମ୍ବରକୁ ଯାହା ଫୋନ୍‌କରିଥିଲି ।

 

କୁଞ୍ଜିକ୍‌କାଙ୍କ ଟେଲିଫୋନ୍‌ସାମ୍‌ନାରେ ବହୁତ ସମୟ ମୋତେ ବସିବାକୁ ପଡ଼ିଲା । କାରଣ ଲାଇନ୍‌ମିଳୁ ନ ଥିଲା ।

 

ଶେଷରେ ଆରପଟର ଫୋନ୍‌ଲାଗିଲା ଓ ଘଣ୍ଟି ବାଜିଲା । କୁଞ୍ଜିକ୍‌କା ମୋତେ ରିସିଭର୍‌ଟି ଧରେଇଦେଲେ । ସେପଟେ ମୋ ପଡ଼ୋଶୀ ଘରର ଲୋକ ଫୋନ୍‌ଧରିଥିଲେ । ନିଜ ପରିଚୟ ଦେଇ ତାଙ୍କୁ କଥାଟା ବୁଝେଇବା ଲାଗି ମୋତେ ଢେର୍‌ଚେଷ୍ଟା କରିବାକୁ ପଡ଼ିଲା । ଶେଷକୁ ଯେତେବେଳେ ସେ ମୋତେ ଚିହ୍ନିପାରିଲେ ସେତେବେଳେ କିଛି ସମୟ ଚୁପ୍‌ହେଇଗଲେ । ତା’ପରେ ପଚାରିଲେ, “ତୁମେ ଏତେଦିନଯାଏ କୋଉଠି ଥିଲ ନଜିବ୍‌ ?”

 

ଏହାର କୌଣସି ଉତ୍ତର ମୋ ପାଖେ ନ ଥିଲା । ମୁଁ ଖାଲି ଅନୁମାନ କରିପାରୁଥିଲି, ମୋତେ ନେଇ କେତେକେତେ କାହାଣୀ ଆମ ଗାଁରେ ଖେଳିବୁଲିଥିବ ।

 

ପନ୍ଦର ମିନିଟ୍‌ପରେ ଫୋନ୍‌କର । ମୁଁ ତମ ସ୍ତ୍ରୀକୁ ଡକେଇପଠାଏ । - ସେ କହିଲେ ।

 

ସେଇ ପନ୍ଦର ମିନିଟ୍‌ମୋ ପାଇଁ ମସାରାରେ କଟେଇଥିବା ତିନିବର୍ଷଠାରୁ ସୁଦ୍ଧା ଦୀର୍ଘ ଲାଗିଥିଲା । ଶେଷରେ କୁଞ୍ଜିକ୍‌କା ଆଉ ଥରେ ଫୋନ୍‌ଲଗେଇଲେ ।

 

ଏଥର କମ୍‌ସମୟରେ ଫୋନ୍‌ଲାଗିଗଲା । କୁଞ୍ଜିକ୍‌କା ମୋତେ ରିସିଭର୍‌ଧରେଇଦେଲେ-। ମୁଁ ଖାଲି କହିଲି, “ହେଲୋ ।” ତା’ପରେ ମୁଁ ସେପଟରୁ ଗୋଟେ ବିରାଟ ଚିତ୍କାର ଶୁଣିଲି । ମୋ ସାଇନୁ ସେପଟେ ବିକଳ ହୋଇ କାନ୍ଦୁଥିଲା । ତା’ପରେ ଢେର୍‌ସମୟ ଆମେ ଉଭୟ କାନ୍ଦିଲୁ । ସେ ମୋତେ କିଛି ପଚାରୁ ନ ଥିଲା - ମୁଁ କୁଆଡ଼େ ଥିଲି, ଏତେଦିନଯାଏ କାହିଁକି ଫୋନ୍‌କରୁ ନ ଥିଲି ଇତ୍ୟାଦି ସେ କିନ୍ତୁ ପଚାରୁ ନ ଥିଲା । କାରଣ, ସେ ଦୂରରେ ଥାଇ ସୁଦ୍ଧା ମୋ ଅବସ୍ଥା କଳ୍ପନା କରିପାରୁଥିଲା ।

 

କିଛି ସମୟ କାନ୍ଦିବା ପରେ ସେ କହିଲା, “ଆମ ପୁଅ ନବିଲ୍‌ଏବର୍ଷ ସ୍କୁଲ୍‌ଯିବା ଆରମ୍ଭ କରିବ । ତମର କଅଣ ତାକୁ ଦେଖିବାଲାଗି ମନ ହେଉନି ? ସେ ସବୁବେଳେ ପଚାରୁଛି- ତା’ ବାପା କୋଉଦିନ ଆସିବେ ? ତୁମ ମାଆ ଆଉ ନାହାନ୍ତି । ଗଲାବର୍ଷ ସେ ଚାଲିଗଲେ । ତମ ବିଷୟରେ ଭଲମନ୍ଦ ପଦେ କିଛି ଶୁଣିବାକୁ ନ ପାଇ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ଝୁରିଝୁରି ଶେଷକୁ ଦିନେ ସେ ଆଖି ବୁଜିଦେଲେ ।

 

ସାଇନୁର ଆଉ କୌଣସି କଥା ଶୁଣିବାଲାଗି ମୋର ଧୈର୍ଯ୍ୟ ନ ଥିଲା । ମୁଁ ରିସିଭର୍‌ଟାକୁ ଫୋନ୍‌ଉପରେ ଥୋଇଦେଲି । ମନଟା ଦୁଃଖରେ ଭାଙ୍ଗି ଚୂର୍‌ମାର୍‌ହେଇଯାଉଥିଲା । ମୁଁ ମୋ ମୁହଁକୁ ଢାଙ୍କି କେବଳ କାନ୍ଦିଲି । କୁଞ୍ଜିକ୍‌କା ମୋତେ ସାନ୍ତ୍ୱନା ଦେଉଥିଲେ, “ନଜିବ୍‌, ତୁମେ ବହୁତ କଷ୍ଟ ପାଇଛ, କନ୍ଦାକଟା କରି ଆଉ ନିଜକୁ ଅଧିକ କଷ୍ଟ ଦିଅନାହିଁ । ଆଲ୍ଲାଙ୍କର ଯାହା ନିର୍ଦ୍ଦେଶ ତାହା ହେଇଛି । ଆମେ କେହି ତାଙ୍କ ନିର୍ଦ୍ଦେଶକୁ ପ୍ରଶ୍ନ କରିପାରିବା ନାହିଁ ।”

 

କୁଞ୍ଜିକ୍‌କାଙ୍କ ଘରେ ମୁଁ ତିନିମାସ ରହିଲି । ସେଇ ତିନିମାସ କାଳ ବିନା ଦ୍ୱିଧାରେ କୁଞ୍ଜିକ୍‌କା ମୋର ଖାଇବାପିଇବା କଥା ବୁଝିଚାଲିଥିଲେ । ମୁଁ ପେଟଭର୍ତ୍ତି ଖାଉଥିଲି ଏବଂ ପ୍ରଚୁର ଶୋଉଥିଲି । ଧୀରେ ଧୀରେ ମୋ ଘାଆଗୁଡ଼ିକ ଶୁଖିଗଲା, ଦେହର ଦରଜ ମଧ୍ୟ ଚାଲିଗଲା । ମୁଁ କ୍ରମେ ମୋ ନିଜର ସ୍ୱାସ୍ଥ୍ୟ ଫେରିପାଉଥିଲି । ସେତେବେଳେ ମୋତେ କିଛି କାମ କରିବାକୁ ପଡ଼ୁ ନ ଥିଲା । ମଝିରେ ମଝିରେ ମୁଁ କୁଞ୍ଜିକ୍‌କା ଏବଂ ଅନ୍ୟ ବନ୍ଧୁମାନଙ୍କୁ ମୋ ଦୁଃଖ କାହାଣୀ ଶୁଣାଉଥିଲି । ତାଙ୍କ ଭିତରୁ ବେଶି ଭାଗ ମୋ କଥାକୁ ଅବିଶ୍ୱାସ କରୁଥିଲେ । ଅଳ୍ପ କେତେଜଣ ତାହା ବିଶ୍ୱାସ କରୁଥିଲେ । ତେବେ ଯେଉଁମାନେ ମୋ କଥାକୁ ବିଶ୍ୱାସ କରୁଥିଲେ, ସେମାନେ ଇବ୍ରାହିମ୍‌କାଦିର୍‌ର ରହସ୍ୟଜନକ ଉଭାନ୍‌ଘଟଣାକୁ ଗ୍ରହଣ କରିପାରୁ ନ ଥିଲେ । ସେମାନଙ୍କର ସେମିତି ସନ୍ଦେହ ହେବା ମଧ୍ୟ ଠିକ୍‌ । ତେବେ ତାଙ୍କୁ ବୁଝେଇବା ଲାଗି ମୋ ପାଖରେ କୌଣସି ଉତ୍ତର ନ ଥିଲା ।

 

ଇବ୍ରାହିମ୍‌କାଦିର୍‌ । ମୋର ତ୍ରାଣକର୍ତ୍ତା । ମରୁଭୂମିର ସେଇ ନିର୍ମମ ଅପନ୍ତରାରେ ମୋର ଜୀବନଦାତା । ମୋର ମହାପୁରୁଷ ମୋଜେସ୍‌ । ସେ କୁଆଡ଼େ ଚାଲିଯାଇଥାଇପାରେ ? ମୋତେ ନିରାପତ୍ତାର ଦ୍ୱାର ଦେଶରେ ପହଞ୍ଚାଇବା ପରେ ସେ କାହିଁକି ଅଦୃଶ୍ୟ ହେଇଗଲା ? ବିଶ୍ୱାସ କରନ୍ତୁ, ଆପଣଙ୍କ ପରି ମୁଁ ବି ଏ ପ୍ରଶ୍ନର ଉତ୍ତର ଜାଣେନାହିଁ ।

 

କୁଞ୍ଜିକ୍‌କାଙ୍କ ଘରେ ରହି ମୁଁ ସୁସ୍ଥ ହେଉଥିବାବେଳେ ହିଁ ହମିଦ୍‌ଆଶ୍ରୟ ନେବା ଲାଗି ଏଠି ଆସି ପହଞ୍ଚିଲା । ସେ ଗୋଟେ ଆରବୀ ମାଲିକଙ୍କ ଫାର୍ମରେ କାମ କରୁଥିଲା । ଅଳ୍ପ ମଜୁରିରେ ତାକୁ ସେଇଠି ସକାଳୁ ରାତି ପର୍ଯ୍ୟନ୍ତ ଗଧ ଖଟଣି ଖଟିବାକୁ ପଡ଼ୁଥିଲା । ପରିସ୍ଥିତି ଅସହ୍ୟ ହେବାରୁ ସେ ଲୁଚିକି ସେଠୁ ପଳେଇ ଆସିଥିଲା । ତାକୁ ପାଖରେ ପାଇବା ପରେ ମୋତେ ଟିକେ ଭଲ ଲାଗିଲା । ଆଗରୁ ଏକୁଟିଆ ରହି ମୋତେ ବିରକ୍ତ ଲାଗୁଥିଲା । କୁଞ୍ଜିକ୍‌କା ଓ ତାଙ୍କର ସାଙ୍ଗମାନେ କାମକୁ ବାହାରିଗଲା ପରେ ମୁଁ ପୂରା ଏକୁଟିଆ ହୋଇଯାଉଥିଲି । ହମିଦ୍‌ର ଉପସ୍ଥିତି ମୋତେ ଆଶ୍ୱସ୍ତ କରିଥିଲା ।

 

ତା’ପରେ ଆମେ ଦିହେଁ ମିଶି ନିଜ ଦେଶକୁ କେମିତି ଫେରିପାରିବୁ ସେ ସମ୍ପର୍କରେ ଅନେକ ଯୋଜନା କରିଥିଲୁ । ଆମ ନିଷ୍ପତ୍ତି ସାଙ୍ଗକୁ ଆମର ଶୁଭେଚ୍ଛୁମାନଙ୍କ ପରାମର୍ଶ ମଧ୍ୟ ଆମେ ବିଚାରକୁ ନେଇଥିଲୁ । ଶେଷକୁ ସ୍ଥିର କଲୁ, ଆଉ ବିଳମ୍ବ ନ କରି ଆମେ ନିଜେ ଯାଇ ପୁଲିସରେ ଧରାଦେବୁ ଏବଂ ଯେମିତି ହେଉ ଜେଲ୍‌ରେ ପହଞ୍ଚିବୁ ।

 

ତେୟାଳିଶ

 

ସବୁ କଏଦୀଙ୍କ ମୁହଁକୁ ନିରୀକ୍ଷଣ କରି ମୋ ମାଲିକ ଆଗକୁ ଆସୁଥିଲେ । ତାଙ୍କର ପ୍ରତିଟି ପଦକ୍ଷେପରେ ମୋ ହୃତ୍‌ସ୍ପନ୍ଦନର ଗତି ବଢ଼ିବଢ଼ି ଚାଲିଥିଲା । ପୁଣିଥରେ ଏଇ ଜେଲ୍‌ଭିତରୁ ମୁଁ ମସାରା ଭିତରକୁ ଘୋଷରା ହୋଇକି ଯିବି- ଏକଥା ମୁଁ ଆଦୌ ଚିନ୍ତା କରିପାରୁ ନ ଥିଲି । ମୋ ମୁଣ୍ଡ ଘୂରେଇ ଦେଉଥିଲା । ହେ ଆଲ୍ଲା, ଆଉ ଥରେ ମୋ ପ୍ରତି ଦୟା କର । ମୁଁ ଯେ ଆଉ ସହି ପାରୁନାହିଁ - ଏକଥା ଚିନ୍ତାକରି ମୋ ହୃଦୟ ବିଳାପ କରି ଉଠୁଥିଲା । ମାତ୍ର ମୁଁ ହମିଦ୍‌ପରି ଚିତ୍କାର କରି କାନ୍ଦୁ ନ ଥିଲି । ମୁଁ ସେଠି ବେଖାତିର କରିବା ଢଙ୍ଗରେ ଛିଡ଼ା ହୋଇଥିଲି । କେତେ ସମୟ ଯେ ଏମିତି ଏଠି ଅପେକ୍ଷା କରିବାକୁ ପଡ଼ିବ ମୁଁ ଜାଣି ନ ଥିଲି । କ୍ରମେ ମୁଁ ଅଧୈର୍ଯ୍ୟ ହୋଇପଡ଼ୁଥାଏ । ମାଲିକ ଆସି ମୋ ମୁହଁକୁ ଗାରଡ଼େଇ ଅନେଇଲେ । ତାଙ୍କ ଆଖିରେ ମୁଁ ମରୁଭୂମିର ଉତ୍ତପ୍ତ ବାଲିକୁଦର ଭୟଙ୍କର ଚିତ୍ର ଦେଖିପାରୁଥିଲି । ସେ ଆଖିର ତୀକ୍ଷ୍‌ଣତା ମୋତେ ଭୟଭୀତ କରିଦେଲା, ମାତ୍ର ମୁଁ ମୋ ଜାଗାରୁ ଇଞ୍ଚେ ହଲିଲି ନାହିଁ । ମୁଁ ଅପେକ୍ଷା କରିଥାଏ, କେତେବେଳେ ସେ ମୋତେ ତଣ୍ଟିଆ ମାରି ସେଇ ଧାଡ଼ିରୁ ଘୋଷାଡ଼ି ନେବେ । ଢେର୍‌ସମୟ ମୋ ସାମ୍ନାରେ ଛିଡ଼ାହେବା ପରେ, ମୋ ମାଲିକ ମୋ କାନ୍ଧରେ ଗୋଟେ ଥାପୁଡ଼ା ଦେଲେ । ତା’ପରେ, ସେ ଚିହ୍ନି ନ ଚିହ୍ନିଲା ପରି ମୋତେ ଅତିକ୍ରମ କରି ଆଗକୁ ଚାଲିଗଲେ । ହଠାତ୍‌କାହିଁକି ତାଙ୍କର ହୃଦୟ ଏମିତି ବଦଳିଗଲା ମୁଁ ସେ ରହସ୍ୟ ଜାଣିପାରିଲିନାହିଁ । ମୋତେ ଲାଗିଲା ଇଏ ଯେମିତି ଆଲ୍ଲାଙ୍କର ଗୋଟେ ଚମତ୍କାର । ତାହାଛଡ଼ା ଏହା ଆଉ କଅଣ ବା ହେଇପାରେ ? ମୁଁ ଭଲ ଭାବେ ଜାଣିଥିଲି ଯେ ସେ ମୋତେ ଚିହ୍ନି ସାରିଥିଲେ । ତାହାହେଲେ ମୋତେ ଘୋଷାଡ଼ି ନ ନେଇ ମୋ ପିଠି ଥାପୁଡ଼େଇଲେ କାହିଁକି ଓ ସେଠୁ ଚାଲିଗଲେ କାହିଁକି ? ମୋ ମୁଣ୍ଡ ଭିତରେ କିଏ ଯେମିତି ସନ୍ଦେହର ମେଞ୍ଚାଏ ରଡ଼ନିଆଁ ଭର୍ତ୍ତି କରିଦେଇ ଚାଲିଗଲା ।

 

ପ୍ୟାରେଡ୍‌ସରିବା ପରେ, ଆମ ପ୍ରତି ଭଲ ବ୍ୟବହାର ଦେଖଉଥିବା ଜଣେ ପୁଲିସବାବୁଙ୍କୁ ମୁଁ ଏକଥା ଯାଇ ପଚାରିଲି । ମୁଁ ଜଣାଇଲି ଯେ, ମୋର ଆରବୀ ମାଲିକ ଆଜି ଆସିଥିଲେ ଏବଂ ସିଏ ମଧ୍ୟ ମୋତେ ସେଇ କଏଦୀଙ୍କ ଧାଡ଼ିରେ ମୋତେ ଚିହ୍ନିପାରିଥିଲେ । ମାତ୍ର ଆଲ୍ଲାଙ୍କ କରୁଣା, ସେ ମୋତେ ଘୋଷାଡ଼ିକି ତାଙ୍କ ସାଙ୍ଗରେ ନେଇଗଲେ ନାହିଁ । ମୋ କଥା ଶୁଣି ସେ ପୋଲିସବାବୁ ଜଣକ କହିଲେ, “ମୁଁ ସେକଥା ଜାଣେ । ତୋ ମାଲିକ ଏଠୁ ଗଲାବେଳେ କହିଗଲେ, “ସିଏ ମୋ ଭିସାରେ ଆସିନାହିଁ, ନ ହେଲେ ମୁଁ ଏଠୁ ତା’ ବେକରେ ଦଉଡ଼ି ବାନ୍ଧି ଘୋଷାରି ଘୋଷାରି ନେଇଯାଇଥାଆନ୍ତି ।” ଏକଥା ଶୁଣି ମୁଁ ଚମକିପଡ଼ିଲି । ହୁଏତ ମୋ ଆରବ ମାଲିକ ମୋ ପ୍ରତି ଦୟାପରବଶ ହୋଇ ଏମିତି ଗୋଟେ ମିଛ ତଥ୍ୟ ଉଦ୍ଭାବନ କରିଛନ୍ତି କିମ୍ବା ସେ ଗୋଟେ ଭୟଙ୍କର ସତ୍ୟର ଉଦ୍‌ଘାଟନ କରିଛନ୍ତି । ଯଦି ସିଏ ମୋ ପାଇଁ ଭିସା ବ୍ୟବସ୍ଥା କରି ନ ଥିଲେ କିମ୍ବା ମୋର ନିଯୁକ୍ତିଦାତା ଭାବେ ମୋର ଏ ଦେଶକୁ ଆସିବା ଖର୍ଚ୍ଚ ବହନ କରି ନ ଥିଲେ, ତାହାହେଲେ କଅଣ ସେ ସମ୍ପୂର୍ଣ୍ଣ ବେଆଇନ ଭାବେ ମୋତେ ଏତେଗୁଡ଼ିଏ ଦିନ ଅଟକ ରଖିଥିଲେ-! ତାହାହେଲେ କ’ଣ, ସେ ଆମକୁ ସେଦିନ ଏୟାରପୋର୍ଟରୁ ହରଣଚାଳ କରିନେଇ ଯାଇଥିଲେ ? ପ୍ରକୃତରେ କଅଣ ମୋର ନିଯୁକ୍ତିଦାତା ଆଉଜଣେ ଆରବୀ ଥିଲେ ଯିଏ ମୋ ପାଇଁ ଭିସା ବ୍ୟବସ୍ଥା କରି ପଠେଇଥିଲେ ? ହେ ଆଲ୍ଲା... ମୋତେ କାହିଁକି ବିନା କାରଣରେ ଏତେ କଷ୍ଟ ଭୋଗେଇଲ ?

 

ମୋ ଗାଁ ପାଖ ବନ୍ଧୁର ଭିଣୋଇ ଜଣକ ପରେ ରାଣନିୟମ ପକେଇ ମୋତେ ଜଣାଇଥିଲେ ଯେ ସେ ମୋ ପାଇଁ ଯେଉଁ ଚାକିରି ଠିକ୍‌କରିଥିଲେ ସେଇଟା ଆଦୌ ଏହି ମେଷପାଳକର ଚାକିରି ନ ଥିଲା । ତାହା ଗୋଟେ କନ୍‌ଷ୍ଟ୍ରକ୍‌ସନ୍‌କମ୍ପାନିର ଚାକିରି ଥିଲା । ଆଲ୍ଲା ହିଁ ଜାଣନ୍ତି, କିଏ ସତ କହୁଥିଲା । ମୁଁ ଆଉ ସେ ବିଷୟରେ ଘଣ୍ଟାଚକଟା କରି ମୋର ଅବଶିଷ୍ଟ ଜୀବନ ବରବାଦ କରିବାଲାଗି ଚାହୁନାହିଁ । ଯାହା ମୋ ଭାଗ୍ୟରେ ଥିଲା ତାହା ମୁଁ ଭୋଗିଲି । ସେ ବିଷୟରେ ଅଧିକ ଚିନ୍ତା କରି ଲାଭ କଅଣ ? ସେସବୁ ଚିନ୍ତା କଲେ ବରଂ ମୁଁ ପାଗଳ ହୋଇଯିବି ।

 

ମୋତେ ଆଉ ତିନି ସପ୍ତାହ ଜେଲ୍‌ରେ ରହିବାକୁ ପଡ଼ିଲା । ସେଇ ସମୟତକ ମୋର ଉଦ୍‌ବେଗରେ କଟୁଥାଏ । ପ୍ରତି ମୁହୂର୍ତ୍ତରେ ଭାବୁଥାଏ, ମୋର ମାଲିକ କିଛି ଜାଲ୍‌କାଗଜପତ୍ର ଧରି ଆସି ପହଞ୍ଚିଯିବେ ଓ ମୋତେ ଏଠୁ ଘୋଷାରି ନେଇଯିବେ । ମାତ୍ର ସେ ଆସିଲେ ନାହିଁ । ହୁଏତ ମୁଁ କରୁଥିବା ମସାରାର କାମ ପାଇଁ ଆଉ କାହାକୁ ଜଣକୁ ସେ ଯୋଗାଡ଼ କରିନେଇଥିବେ । ବିଚରା, ଆଲ୍ଲା ତାକୁ ସହାୟ ହୁଅନ୍ତୁ । ତାହାର ଦିନଗୁଡ଼ିକ କେମିତି ବିତୁଥିବ ତାହା ମୁଁ ବେଶ୍‌କଳ୍ପନା କରିପାରୁଥିଲି ।

 

ପ୍ୟାରେଡ୍‌ପରଦିନ ଦୂତାବାସର ଅଫିସର୍‌ମାନେ ଆସିଲେ । ଆମେମାନେ ଗୋଟେ ଧାଡ଼ିରେ ଛିଡ଼ାହେଲୁ । ସେମାନେ ଜଣକ ପରେ ଜଣକ ନାଁ ଡାକିଗଲେ । ମୁଁ ସେଇଠି ଛିଡ଼ା ହୋଇଥାଏ । ମୋ ମନରେ ସେମିତି କିଛି ଆଶା ସେଦିନ ନ ଥାଏ । ହଠାତ୍‌ମୋତେ ଲାଗିଲା, ମୋ ନାଁ ବୋଧହୁଏ କେହି ଡାକିଲା । କାଳେ ମୁଁ ଭୁଲ୍‌ଶୁଣିଥିବି ଭାବି ମୁହୂର୍ତ୍ତକ ପାଇଁ ପୂର୍ବପରି ଠିଆହେଇ ରହିଲି । ସତରେ କେହି ମୋ ନାଁ ଡାକିଲା ନା ମୁଁ ଏମିତି କଳ୍ପନା କରୁଥିଲି । ଏହାପରେ ଆଉ ଥରେ ମୋ ନାଁ ଡକାଗଲା - ନଜିବ୍‌ମହମ୍ମଦ । ଏଥର ମୁଁ ସଷ୍ଟ ଭାବରେ ତାହା ଶୁଣିପାରିଥିଲି । ହଁ, ମୋଅରି ନାଁ ଡକାଯାଇଥିଲା । ମୋ ହୃଦୟର ଗତି ବଢ଼ିଗଲା । ମୁଁ ଆଗକୁ ତରତର ପାଦରେ ଅଫିସର୍‌ଙ୍କ ପାଖକୁ ଗଲି । ମୋର ସହକଏଦୀମାନେ ମୋ ସୌଭାଗ୍ୟ ଦେଖି ଖୁସି ହେଇଯାଉଥିଲେ । କେତେକଙ୍କ ଆଖିରୁ ଆନନ୍ଦର ଅଶ୍ରୁ ବୋହିଯାଇଥିଲା । ସେମାନଙ୍କ ଭିତରେ ମୁଁ ହିଁ ସବୁଠାରୁ ବେଶିଦିନ ସେ କାରାଗାରରେ ରହିଥିଲି ।

 

ସେଦିନ, ଆମେ ଅଶୀ ଜଣ କଏଦୀ ଭାରତକୁ ଫେରିବାର କାଗଜପତ୍ର ପାଇଲୁ । ଏଇଟା ସେ ଦେଶର ସରକାରଙ୍କର ନିଷ୍ପତ୍ତିର ଅଂଶବିଶେଷ ଥିଲା । ଯେଉଁ ବିଦେଶୀମାନେ ବିନା କାରଣରେ ସେଠି ରହିଯାଉଥିଲେ ସେମାନଙ୍କୁ ଆରବ ସରକାର ତାଙ୍କ ଖର୍ଚ୍ଚରେ ସେମାନଙ୍କ ଦେଶକୁ ପଠାଇଦେଉଥିଲେ । ସୁତରାଂ ମୋ ଟିକେଟ୍‌ଲାଗି କୁଞ୍ଜିକ୍‌କାଙ୍କୁ ଆଉ ପଇସାପତ୍ର ଯୋଗାଡ଼ କରିବାକୁ ପଡ଼ିଲା ନାହିଁ । ମୋର ଦୃଢ଼ ବିଶ୍ୱାସ, ପ୍ରୟୋଜନ ପଡ଼ିଥିଲେ ସେ ସେତକ ମଧ୍ୟ ଯୋଗାଡ଼ କରିଥାଆନ୍ତେ । କୁଞ୍ଜିକ୍‌କା ସେହିପ୍ରକାର ଦୟାଳୁ ଏବଂ ସାହାଯ୍ୟକାରୀ ମଣିଷ ।

 

ଦୂତାବାସର ଅଫିସର୍‌ମାନେ କାଗଜପତ୍ର କାମ ଠିକଣା କରୁଥିବା ଭିତରେ ମୁଁ ଯାଇ ମୋର କଏଦୀ ସାଙ୍ଗମାନଙ୍କଠାରୁ ମେଲାଣି ମାଗି ଆଣିଲି । ଯେଉଁମାନେ ମୋ ସହ ଥିଲେ, ସେମାନଙ୍କୁ ସାନ୍ତ୍ୱନା ଦେଲି । ତା’ପରେ ପୁଲିସ ବାବୁମାନଙ୍କୁ ଭେଟି ନମସ୍କାର ଜଣାଇଲି ଓ ସେମାନଙ୍କଠାରୁ ବିଦାୟ ନେଇ ଆସିଲି ।

 

ୱାର୍ଡେନ୍‌ଙ୍କ ଅଫିସ୍‌ରେ ଆମକୁ କିଛି କାଗଜପତ୍ରରେ ଦସ୍ତଖତ କରିବାକୁ କୁହାଗଲା । ତା’ପରେ ଆମ ହାତରେ ହାତକଡ଼ା ପକାଗଲା ଓ ଆମକୁ ଗୋଟେ କୋଣରେ ଧାଡ଼ିବାନ୍ଧି ଠିଆ ହେବାକୁ କୁହାଗଲା । ଦି’ପହର ବେଳକୁ ଆମକୁ ନେବାଲାଗି ବସ୍‌ଟିଏ ଆସିଲା । ସେହି ବସ୍‌ଆମକୁ ଧରି ସିଧା ଏୟାରପୋର୍ଟ ଚାଲିଲା । ଏୟାରପୋର୍ଟରେ ଆମକୁ ଗୋଟେ ଅଲଗା ଗେଟ୍‌ଦେଇ ଭିତରକୁ ଅଣାଗଲା । ମୁଁ କୁଞ୍ଜିକ୍‌କାଙ୍କୁ ଭେଟି ମୋ ମୁକ୍ତିର ଖବର ଦେବାଲାଗି ସମୟ ପାଇଲି ନାହିଁ । ସେ ହୁଏତ ପରେ ଅନ୍ୟ କେଉଁ ସୂତ୍ରରୁ ଖବର ପାଇଥିବେ । ତଥାପି ଏ ନେଇ ମୋର ଅବସୋସ ରହିଗଲା, କାରଣ ତାଙ୍କୁ ଟିକେ ଭେଟିଦେଇ ଆସିବା ଉଚିତ ଥିଲା । ଯଦି ସେ କୋଉଠି କେବେ ମୋର ଏ ଅଭିଜ୍ଞତା ପଢ଼ିବାର ଅବକାଶ ପାଆନ୍ତି ତାହାହେଲେ ମୋର ସେଇ ଅପରାଧ ପାଇଁ ମୋତେ କ୍ଷମା କରିଦେବେ ବୋଲି ମୁଁ ପ୍ରାର୍ଥନା କରୁଛି ।

 

ସେଦିନ ରାତିରେ ଭାରତକୁ ଆମ ବିମାନର ଉଡ଼ାଣ ଆରମ୍ଭ ହେଲା । ତା’ ଆଗରୁ ଦୂତାବାସର ଅଫିସର୍‌ମାନେ ଆସି ଆମକୁ ବୋର୍ଡିଂ ପାସ୍‌ଦେଇଯାଇଥିଲେ । ଆମେ ଧାଡ଼ିବାନ୍ଧି ବିମାନ ପାଖକୁ ଗଲୁ । ସେତେବେଳେ ମୋତେ ଆମ କଏଦୀମାନଙ୍କର ଧାଡ଼ିବାନ୍ଧିବାର ଦୃଶ୍ୟ ମସାରାକୁ ଫେରୁଥିବା ଛେଳିମାନଙ୍କ ଧାଡ଼ିର ଦୃଶ୍ୟ ପରି ମନେହେଉଥିଲା । କିଛିଦିନ ତଳେ ମୁଁ ସେହି ଛେଳିମାନଙ୍କ ଭିତରୁ ଗୋଟିଏ ଥିଲି । ମୋ ଜୀବନ ଛେଳିର ଜୀବନଠୁ କୌଣସି ଗୁଣରେ ଅଲଗା ନ ଥିଲା !

Image